Satyabati Swain

Others

3  

Satyabati Swain

Others

ଯିଏ ଫୁଲ ଛିଣ୍ଡେଇବ ତା ବିଦ୍ୟା ରାଣ

ଯିଏ ଫୁଲ ଛିଣ୍ଡେଇବ ତା ବିଦ୍ୟା ରାଣ

6 mins
550


ବାପାଙ୍କ ବଦଳି ହୁଏ ଘନ ଘନ । ତାଙ୍କ ବଦଳି ସହ ଡିଜୁ ବି ନିଜ ସହ ବଦଳାଇ ଦିଏ ସ୍ଥାନ,ଚଳଣି ପରିବେଶ ପରିସ୍ଥିତି ସହ ଖାପ ଖୁଆଇ । ଆରମ୍ଭ ହୁଏ ଡିଜୁ ସ୍କୁଲ ଜୀବନ । ପ୍ରଥମ ଶ୍ରେଣୀରେ ନାମ ଲେଖା ହୁଏ ଭୁଟାପଡା ପ୍ରାଥମିକ ବିଦ୍ୟାଳୟ,ସମ୍ବଲପୁରରେ । ବହୁତ ପଢିବା,ଭଲ ପଢିବା କଥାଟି ମନରେ ବସା ବାନ୍ଧେ ଡିଜୁର । ପାଠ,ଶାଠ ସବୁଥିରେ ଆଗୁଆ ଡିଜୁ । ସବୁରି ପ୍ରିୟ ପାତ୍ରୀ ସେ । ପିଲା ଦିନୁ ସଜବାଜ ହେବାରେ ସେ ଏକ୍ସପର୍ଟ । 

   ନୟାଗଡ଼ରୁ ସମ୍ବଲପୁର,ସମ୍ବଲପୁରରୁ ରାଉର

କେଲା,ରାଉରକେଲାରୁ ଦେଓଗଡ଼ ଏମିତି ବୁଲୁଥିଲେ ବାପାଙ୍କ ସଂଗେ ବଦଳି ହେବା ସହ ଡିଜୁ ଓ ଡିଜୁ ପରିବାର । ଦେଓଗଡ଼ ରେ ଆରମ୍ଭ ହୁଏ ଦ୍ଵିତୀୟ ଶ୍ରେଣୀ ରୁ ପାଠ ପଢା । ଦ୍ବିତୀୟରୁ ପଞ୍ଚମ,ପୁଣି ଷଷ୍ଠରୁ ଦଶମ ଦେଓଗଡ଼ ବଏଜ୍ ହାଇ ସ୍କୁଲରେ ପଢେ ସେ । 

   ଦ୍ବିତୀୟରୁ ସପ୍ତମ ଶ୍ରେଣୀ ଭିତରେ ବଗିଚା,ଫୁଲ ପ୍ରତି ମୋହ ମାତ୍ରାଧିକ ଥିଲା ତାର । ଏମିତି ତ ଡିଜୁ ଟି ଭାରି ସଉକାନି । ଡ୍ରେସିଂ,ପେଣ୍ଟିଙ୍ଗ ହେବାରେ ପିଲାଦିନୁ ପାରଙ୍ଗମ । କେହି ସଜାଇ ବାକୁ ପଡେନା ତାକୁ । ନିଜ ହାତରେ ନିଜେ କରି ପାରେ ସବୁ । ସେଇତକରେ ତାର ଅଧିକ ଖୁସି । ଖୁବ ସଜବାଜ ମିଞ୍ଜାଜର ଡଉଲ ଡାଉଲ

ଆଖି ଲାଖି ରହିଲା ପରି ଚେହେରା । ନିଜ ହାତେ ଘର ସଜାଇବା,ବଗିଚା କାମ କରିବାରେ ତାରଢ଼େରଆନନ୍ଦ । 

ଗଛ,ଫୁଲ,ପ୍ରଜାପତି ତାର ସାଙ୍ଗ । କଥା ହୁଏ ସେମାନଙ୍କ ସହ,ବାଣ୍ଟେ ନିଜ ମନ କଥା ଯାହା କାହା ଆଗେ ପ୍ରକାଶ କରି ପାରେନା । ଫୁଲ କୁ ପଚାରେ ତୋ ଘର କେଉଁଠି?ତୋ ବାପା ବୋଉ କିଏ?ତୋତେ ଏତେ ରଙ୍ଗ କିଏ ଦେଇଛି? ତୁ ଏତେ ସୁନ୍ଦର କୋମଳ କେମିତି!କଥା ହେବ ସହ ଖେଳେ ତାଙ୍କ ସହ । 

  ଡିଜୁର ନିଜସ୍ୱ ହାତ ଗଢ଼ା ବଗିଚାଟି ଖୁବ ସୁନ୍ଦର । ଜାତି ଜାତିର ଫୁଲ ଗଛରେ ହସେ ତାର ଛୋଟ ବଗିଚା । ଫୁଲରେ ପ୍ରଜାପତି ଝୁଲୁଥିଲା ବେଳେ ଡିଜୁ ମୁଗ୍ଧ ନୟନରେ ଚାହିଁ ରହେ ସେ ଦୃଶ୍ୟକୁ । ଭଅଁର ଗୁଣୁ ଗୁଣୁ ହେଲା ବେଳେ ଡିଜୁ ବି ଗୁଣୁ ଗୁଣୁ ହୋଇ ନାଚିଯାଏ ଡେଇଁ ଡେଇଁ । କଥା ହୁଏ ଗଛ,ଫୁଲ,ପ୍ରଜାପତି

,କଙ୍କି ସଙ୍ଗେ । ବୁଝାଇଲା ଭଙ୍ଗିରେ ଆକଟ ବି କରେ । ଭାରି ଅନୁକରଣ ପ୍ରିୟ ଡିଜୁ । ବୋଉ ତାକୁ ଯେପରି ଆକଟ କରେ ସେ ସେମିତି ଗଛ ମାନଙ୍କୁ କରେ । "ଏ.. ଦୃଷ୍ଟ ହ ନା କହୁଛି । କଥା ମାନ । ଅପରିଷ୍କାର ହେବନି । ଧୂଳି ପକାଇବନି ମୁଣ୍ଡରେ । ଏଣୁ ତେଣୁ ହାତ ପୋଛିବନି ଫ୍ରକରେ । ବାହାର ଲୋକେ କିଛି ଦେଲେ ଆଣିବନି । ସନ୍ଧ୍ୟା ପୂର୍ବରୁ ଯେଉଁଠି ଖେଳ ଘରକୁ ଫେରିବ ନିଶ୍ଚୟ । କାହା ସଙ୍ଗେ ମାଡ଼ ଗୋଳ ହେବନି । ନଲେ ଛେଚା ଖାଇବ,ବୁଝିଲ"ଇତ୍ୟାଦି ଇତ୍ୟାଦି । ବୋଉ କଥା ଗୁଡା କହି ପକାଏ ଗଛ ମାନଙ୍କୁ ସେ । ଛୁଇଁ ଛୁଇଁ ଯାଏ ସବୁଗଛ ,ଫୁଲ । ନିଖୁଣ ଅଭିନୟ କରେ ଗୋଟିଏ ମା ର । ଗେଲ କରେ ସବୁ ଗଛକୁ ଟିକେ ଟିକେ ବି । କିଏ ଶିଖାଉ ଥିଲା ଏସବୁ କଳା କୌଶଳ ଡିଜୁକୁ; ଭାବିଲେ ଅଭିଭୂତ ହୋଇଯାଏ ଡିଜୁ ଏବର ମୋଷ୍ଟ ୱାନଟେଡ଼ ଡିଜାଇନ୍ ବିୟୁଟିସିଆନ୍ । 

   ଗୋଲାପ ଫୁଲରେ ଡିଜୁର ଭାରି ଆଦର । ଯେଉଁ ଦିନ ତା ହାତ ଲଗା ଗୋଲାପ ଗଛର ଏତେ ବଡ଼ ନାଲି ଫୁଲ ଟେଏ ଫୁଟିଲା କି ଆନନ୍ଦ ଦେଖିବ ତାର!!ବାପା,ବୋଉ,ଭାଇ,ଜେଜ,ଆଈ ସମସ୍ତଙ୍କୁ ଟାଣି ଟାଣି ନେଇ ଦେଖାଇ କହିଲା "ଦେଖ ଦେଖ୍ ମୋ ଫୁଲ ଗଛରେ ଏତେ ବଡ଼ ଗୋଲାପ ଫୁଟିଛି । କି ନାଚୁଥିଲା ସେ ସେଦିନ!!ବାବା କି ଖୁସି,କି ଫୁର୍ତ୍ତୀ କି ନାଚ କି ଡିଆଁ ଡିଜୁର । ସାରା ସଂସାର ଖୁସି ଖସି ପଡିଛି କି ମିନି ହାତରେ!!ରକ୍ତ ଗୋଲାପ ତାର ସବୁଠୁ ପ୍ରିୟ । ସେଇ ଫୁଲ ଟି ପ୍ରଥମେ ଫୁଟିଲା । ଫୁଲ ବି ଡିଜୁକୁ ଗେଲ୍ହା କରୁଥିଲା ପର୍ଯ୍ୟାପ୍ତ । କଥା କହି ନପାରୁଥିଲେ ବି ଫୁଲ ବୁଝି ପାରୁଥିଲେ ମିନିର ଭାଷା,ସେହ୍ନ, ନିଷ୍ଠା ,ତ୍ୟାଗ,ସେବା ସେମାନଙ୍କ ପାଇଁ । ଫୁଲ ମାନଙ୍କର କୁନି ସ୍ରଷ୍ଟା ସେ । ସାଥି ବି । ଗଛ କୁଣ୍ଡିଆ ପାଖେ ବସି ପଡିଲେ ଫୁଲ ମାନେ ପବନରେ ଆସି ତା ଗାଲରେ ଟିକେ ବାଡେଇ ହୋଇ ଯାଆନ୍ତି । ହାତ ଦେଖାଇ କୁହେ ଆଉ ଟିକେ ହାତ କୁ ଗେଲ କର ହାତକୁ । ପବନରେ ନାଚୁଥିବା ଫୁଲ ପୁଣି ବାଡେଇ ହୋଇ ଯାଆନ୍ତି ତା ହାତରେ । ସେ ଆହୁରି ଖୁସି ହୋଇଯାଏ କି ;ଫୁଲ ତା ଗାଲ,ହାତ,ଫ୍ରକ୍ ସବୁଠି ଗେଲ କରୁଛନ୍ତି । 

   ପାଲଟି ଯାଇଥିଲା କୁନି ସ୍ରଷ୍ଟାଟେ ସେ । ତା ପରିଶ୍ରମ,ଯତ୍ନ, ନିଷ୍ଠା,ବଦଳରେ ପବନରେ ଦୋହଲୁ

 ଥିଲେ ଫୁଲମାନେ । ତାଥେଇ ତାଥେଇ ନାଚୁଥିଲା ଡିଜୁ ମନ,ହୃଦୟ ଓ ପାଦ । ଆଃ !କି ମୁହୂର୍ତ୍ତ ସେ ଅପାସୋରା ସ୍ମୃତି । ଛୁଆଟିର ବଗିଚା, ଫୁଲ ପ୍ରତି ମୋହ ଦେଖି ବାପା ବୋଉ ଓ ପଡିଶା ଲୋକେ ଚକିତ ହେଉଥିଲେ । ବକଟେ ନାକୁ ଛୁଆ କି ବଗିଚା କରିଛି;ପ୍ରଶ୍ନ ବି ଆମୋଦିତ କରୁଥିଲା ସେମାନଙ୍କ ହୃଦୟ । 

    ଯେଉଁ ଦିନ ପ୍ରଥମ ଗୋଲାପ ଟି ଫୁଟିଲା ଡିଜୁ ଆଖିରେ ତୃପ୍ତିର ନିଦ । ନିଦରେ ସ୍ୱପ୍ନ । ସ୍ୱପ୍ନରେ ସେ ପରି ରାଇଜର କାହାଣୀ ପରି ସତସତିକା ପରି ଟିଏ ହୋଇଯାଇଛି । ତା ଚାରିପାଖେ ଖାଲି ଫୁଲ ଆଉ ଫୁଲ । ଫୁଲ ସିଂହାସନ ଉପରେ ବସିଥିଲା । ଫୁଲ ଦୋଳିରେ ଝୁଲୁଥିଲା । ଫୁଲର ଶେଜ ତା ପାଇଁ । ମୁଣ୍ଡ,ଗୋଡ଼,ହାତ,ବେକ ଚାରିଆଡ଼ ସେ ଫୁଲରେ

ସଜେଇ ହୋଇ ଗୋଟିଏ ସୁନ୍ଦର ଫୁଲ ରାଜକୁମାରୀ ହୋଇ ଯାଇଥିଲା । ସେ ରାଇଜରେ ଯୁଆଡେ ଚାହିଁଲେ ଖାଲି ଫୁଲ ହିଁ ଫୁଲ ହସୁଥିଲେ । 

    ଗୋଲାପ,ଡାଳିଆ,ରାଜନୀଗନ୍ଧା,ସୁଗନ୍ଧରାଜମଲ୍ଲୀ,ମାଳତୀ, ଟଗର,ଗଙ୍ଗଶିଉଳି ଆଦି ଫୁଲ ମାନଙ୍କ ଗହଣରେ ସେ ବି ଗୋଟେ ଫୁଲ ହୋଇ ଯାଇଛି । ଫୁଲରେ ଘର,ସହର,ପୋଷାକଖାଲି ଫୁଲମୟ । ଡିଜୁର

କୁନି ମନ ଉଛୁଳି ଉଠୁଛି ଆନନ୍ଦରେ ବିଭୋର ହୋଇ । ଫୁଲମାନେ ତା ସହ କଥା ହେଉଛନ୍ତି,ନାଚୁଛନ୍ତି,

ଗୀତ ବି ଗାଉଛନ୍ତି ସା ରେ ଗା ମା ତାଳେ ତାଳେ । ହଠାତ୍ କଣ ହେଲା ନା ଗୋଟିଏ କଳା ପୋଷାକ ପିନ୍ଧା ଏଡ଼େ ଏଡ଼େ ଦାନ୍ତ, ନଖ ଥିବା ରାକ୍ଷସ ଆସିଲା ତା ଫୁଲ ଛିଣ୍ଡେଇ ନେଲା । ମୋ ଫୁଲ ଏ ଏ ମୋ ଫୁଲ କହି କହି ପଛରେ ଦୌଡୁ ଥିଲା ସେ । ଦଉଡ଼ି ଦଉଡ଼ି ପହଂଚିଗଲା ଗୋଟିଏ ଗୁମ୍ଫାରେ । ଆରେ ବାଃ କି ଫୁଲ ସେଠି । ସମସ୍ତେ ମଣିଷ ପରି କଥା କହୁଥିଲେ । ଡିଜୁକୁ ବହୁତ ଆଦର ଯତ୍ନ କଲେ । ମହୁ ଖାଇବାକୁ ଦେଲେ । ଆସିଲା ବେଳକୁ ଗୁଡାଏ ଫୁଲ ଦେଲେ ତା ହାତରେ । ଫୁଲକୁ ଆଣି ଆସୁ ଆସୁ ସକାଳ ହୋଇଗଲା ।   

  ସକାଳ ହୋଇ ଗଲା ସ୍ୱପ୍ନରେ ହଜି ହଜି । ସାନ ଭାଇ ହଲେଇ ଡାକିଲା ଉଠ୍ ଉଠ୍ ନାନୀ । ଆଖି ମଳି ମଳି ସେ ଉଠିଲା । ସିଧା ଦୌଡ଼ିଲା ବଗିଚା ଆଡେ । ମାତ୍ର ଏ କଣ ତା ଫୁଲ ଗଛରୁ ଫୁଲ ନେଲା କିଏ??ଭୋ ଭୋ କାନ୍ଦି ପକାଇଲା ମୋ ଫୁଲ ମୋ ଫୁଲ କହି । ମୁଣ୍ଡ ବାଡେଇ ଦେଲା । ମୋ ଫୁଲ । ବାପା କିଏ ନେଲା । ଖୋଜ; ତାକୁ ମାର । ସେ ମୋ ଫୁଲ ଗଛରେ ଆଣି ଲଗାଇ ଦେଉ । କାନ୍ଦ ବୋବାଳିରେ ଘର ଫଟାଇଲା ଡିଜୁ । ଦିନ ସାରା ଉପାସ ରହିଲା ବି । ଖାଲି ସକେଇ ହେଲା ଉଁ ଉଁ ଉଁ । 

    ଫୁଲ, ଗଛରେ ହସିଲେ ଡିଜୁ ମୁହଁ ହସେ ଖିଲି ଖିଲି । କେହି ତା ବଗିଚାରୁ ଫୁଲ ଛିଣ୍ଡେଇ ନେଲେ ପୋଷେ ରକ୍ତ ଶୁଖିଯାଏ ତା ମନରୁ । ଦୁଃଖରେ ଭାଙ୍ଗି ପଡେ । ଗେଲ କରେ ଫୁଲ ଗଛକୁ । ଗଛ ସଙ୍ଗେ କଥା ହୁଏ । ଫୁଲ ଗଛରେ ହାତ ମାରି ସାଉଁଳେଇ କୁହେ,

"ତୋ ଫୁଲ କିଏ ନେଇ ଯାଇଛି ବୋଲି ମନଦୁଃଖ କରୁଛୁ କି?ମୋତେ ବି କାନ୍ଦ ଲାଗୁଛି ଲୋ ତୋ ଫୁଲ କିଏ ନେଇ ଯାଇଛି ବୋଲି । ତୁ ମନ ଉଣା କରନା,ମୁଁ କିଛି ଗୋଟେ କରୁଛି" । 

  ପଡିଶା ଘର ମାଉସୀଟା ବଡ଼ ଇଏ । ସବୁ ଫୁଲ ସେଇ ପ୍ରତିଦିନ ଛିଣ୍ଡେଇ ନେଇ ଯାଉଥିଲେ । ବିଚାରି ଡିଜୁ!!ସାନ ପିଲାଟା କଣ ବା କରି ପାରେ... ଗୋଟିଏ ଅଭିନବ ଉପାୟ ପାଂଚିଲା । ପ୍ରତି ଗଛରେ କାର୍ଡ ବୋର୍ଡ଼ରେ ଲେଖି ଝୁଲାଇ ଦେଲା "ଯିଏ ଫୁଲ ଛିଣ୍ଡେଇବ ତା ବିଦ୍ୟା ରାଣ"

   ପିଲାଦିନେ ରାଣ ପ୍ରତି ଗୋଟିଏ ଅହେତୁକ ଭୟ ଥିଲା । ଯାହା ରାଣ ପକାଇବ ସେ ମରିଯିବି । ଆଉ ପାଠ ରାଣ ପକାଇଲେ କେବେ ବି ପାଠ ହେବ

ନାହିଁ । ପାଠ ବି କାଳେ ମରିଯିବି । ଆଉ ଉପର କ୍ଲାସକୁ ଉଠି ପାରିବ ନାହିଁ । ଆଉ ବର୍ଷେ ସେଇ କ୍ଲାସରେ ପଢ଼ିବ । ପିଲାଏ ଚିଡ଼େଇବେ ବୁଢା,ବୁଢ଼ୀ,ଗଧ,ଫେଲ ହେଲାରେ, ଏ ..ଏ । ଏଣୁ ବିଦ୍ୟାରାଣକୁ ସମସ୍ତ ପିଲାଙ୍କର ଭୟଥିଲା । କେହି ଯଦି ବିଦ୍ୟାରାଣ ପକାଇଦେଲା,ସବୁ ସରିଲା ଜାଣ । ମୁହଁ ଫୁଲେଇ କୁହା ଯାଉଥିଲା "ତୁ କାଇଁ ମୋ ବିଦ୍ୟାରାଣ ପକାଇଲୁ ମୁଁ ତୋ ସାଙ୍ଗ ହେବି ନାହିଁ ଯା";କଟି । ଫିଟା ମୋ ବିଦ୍ୟାରାଣ,ଫିଟା । ଦୁଇ ଆଙ୍ଗୁଟି ମଝିରେ ଗୋଟିଏ ଆଙ୍ଗୁଟି ପୁରାଇ ବିଦ୍ୟାରାଣ ପକାଇଥିବା ପିଲାଟି କହିବ"କୂଅରେ ପଡିଲା ଚଟୁ ତୋ ବିଦ୍ୟାରାଣ ଫିଟୁ" । ଫିଟି ଯିବ ବିଦ୍ୟାରାଣ । ପୁଣି ମିଶିଯାଉ ଥିଲା ମନ ଆରମ୍ଭ ହୋଇଯାଉଥିଲା ହସ,କୌତୁକ ସବୁ ରାଗ ରୁଷା ଭୁଲି । ଡିଜୁ ସେଇଥି ପାଇଁ ଯେ ଫୁଲ ଛିଣ୍ଡାଇବ ତା ବିଦ୍ୟାରାଣ ଲେଖି ଗଛରେ ଝୁଲାଇ ଦେଉଥିଲା । ମଣିଷ ପିଲା ଅପେକ୍ଷା ତାର ଅଧିକ ସାଙ୍ଗ ଥିଲେ ଫୁଲ,ସଜବାଜ,ନାଚ,ଓ ଗୀତ । 

  ବାପା ଏ କଥା ଦେଖି ଟିକେ ହସିଲେ । ସାବାସୀ ଦେଇ କହିଲେ "ବଢିଆ,ଦେଖିବୁ ଆଜି ଠାରୁ ଆଉ କେହି ତୋ ଫୁଲ ଛିଣ୍ଡେଇବେ ନାହିଁ" । ହଁ ତ ତାର ପାଠ ହେବ ନାହିଁ ଡିଜୁ କୁହେ ସରଳ ବିଶ୍ୱାସରେ । କୁଆଡେ ଗଲେ ସେଇ ସରଳ ପଣ, ପ୍ରଗାଢ ବିଶ୍ୱାସ ପିଲା ଦିନ !!ଏବେ ତ ଅବିଶ୍ୱାସ ଧାସରେ ମଣିଷ ଦଗ୍ଧ । 

   ନିଷ୍କପଟ ପିଲା ଦିନ ମନ ବଡ଼ ହେଲା ପରେ କେଉଁଠି ଲୁଛନ୍ତି କି!!ଡିଜୁ, ଡିଜାଇନ ଓରଫ ମିସ୍ ସାହୁ ଖୋଜନ୍ତି କିନ୍ତୁ ସେଇ ମରି ଯାଇଥିବା ଦିନର ବଞ୍ଚି ଯାଇଥିବା ଚିହ୍ନ,ସ୍ମୃତି । 

  



Rate this content
Log in