ଉତ୍ତର ବୟସ
ଉତ୍ତର ବୟସ
ଉତ୍ତୀର୍ଣ୍ଣ ବୟସର ଆକୁଳତା, ଆତୁରତା, ଉଦ୍ ବିଗ୍ନତା ଏମିତି ହୋଇ ପାରେ !
ସାରା ଜୀବନକୁ ଭିତରେ ଭିତରେ କ୍ୟାନ୍ସର ପରି କେମିତି ଖାଏ ଅପ୍ରକାଶ୍ୟ ପ୍ରେମ କେବଳ ମୋ ପରି ପ୍ରେମକୁ ପ୍ରେମ କରୁଥିବା ପ୍ରେମିକା କିମ୍ବା ପ୍ରେମିକ ହିଁ ବୁଝି ପାରିବେ। ଏହାକୁ ନା କାହା ସହ ବାଣ୍ଟି ହୁଏ ନା ଏକା ଏକା ହଜମ କରି ହୁଏ। କି କଲବଲ କରେ ଏମିତିକା ପ୍ରେମ ତୁ ବୁଝି ପାରିବୁନି ପିୟୁ । ମୁଁ ବି କଣ ସମର୍ଥ ହେବି ବୁଝାଇବାକୁ ! ମୁହଁ ଖୋଲିଲେ ବିପଦ । କାନ ପ୍ରସ୍ତୁତ କରି ଅଛି ସମାଜ ଫେଣେଇ ଫେଣେଇ ଫୁଲେଇ ଦେବାକୁ ଏ ପ୍ରେମର ବାର୍ତ୍ତା ।ଯୁଗେ ଯୁଗେ ମୀରା ବିଷ ପିଅନ୍ତି । ମୀରା ବାଇଙ୍କ ଉପରେ ସିନା କୃଷ୍ଣ କହ୍ନେୟାଙ୍କ ଶୁଭ ଦୃଷ୍ଟି ଥିଲା ବୋଲି ବିଷ ପିଇ ବି ବଞ୍ଚିଗଲେ। କିନ୍ତୁ ମଣିଷ ପ୍ରେମିକ ମାନଙ୍କ ମୀରା କେବଳ ବିଷ ପିଇ ତା ଜ୍ବାଳାରେ ଛଟପଟ ହୁଅନ୍ତି ଲୋ ପିୟୁ । ଏ ଜ୍ଵଳନ ଜୀବନକୁ ପଡୁଥାଏ ପୋଡା ଘଆର ପୀଡା ଦେଇ। ଶୁଖିବା ନାଁ ଧରେନି।ପୋଷ ପୋଷ ଯନ୍ତ୍ରଣାର ଘା ପାଣି ଝରେ। ମରିବାକୁ ଦିଏନି କି ବଞ୍ଚିବାକୁ ଦିଏନି ।
ରିୟା ତୁ କଣ କହୁଛୁ ? କାହା ଉଦ୍ଦେଶ୍ୟରେ କହୁଛୁ ବୁଝି ସିନା ପାରୁନାହିଁ କିନ୍ତୁ ତୁ ଯେ ଅହରହ ନିଆଁରେ ଜଳୁଛୁ ଏତକ ବୁଝି ପାରୁଛି । ତୁ କଣ ନିୟୁଟନ୍ ପ୍ରେମରେ ଏବେ ବି ଅଛୁ !
ପ୍ରେମରେ ଅଛି ତ ନିଶ୍ଚିତ ।କିନ୍ତୁ କାହା ପ୍ରେମରେ ତାହା ଅନିଶ୍ଚିତ। ଏକାଧିକ ପ୍ରେମିକ ମୋର। ସେ ନିୟୁଟନ୍, ଶକ୍ତି ,ସିତମ କିମ୍ବା ଜିତୁ ବି ହୋଇ ପାରନ୍ତି। କୌଣସି ଆକୃତି ଧାରୀ ମଣିଷଙ୍କ ପ୍ରେମରେ ନାହିଁ ମୋ ହୃଦୟ। ଏକ ସତ୍ତାର,ଆବେଗର,
ପ୍ରବଣତାର, ଅନୁଭବର,ସ୍ୱପ୍ନର କିମ୍ବା ଅପେକ୍ଷାର ପ୍ରେମରେ ମୁଁ ।
ହେଉ ତୁ ପ୍ରେମରେ ଥାଇ ସୁସ୍ଥ ଥା ଖୁସିରେ ଥା ଲୋ ରିୟା। ଆଶା କରୁଛି ଖୁବ୍ ଶୀଘ୍ର ତୋ ସହ ଭେଟ ହେବ।
ଦୀର୍ଘଶ୍ଵାସଟିଏ ଛାଡି କହିଲି ତୁମେ ଦୁହେଁ ତ ନାଁ କରା ଡାକ୍ତର । ଆସି ଆମ ନର୍ସିଂ ହୋମ୍ ରେ ଯୋଗ ଦେଇ ଲୋକଙ୍କ ସେବା କରୁନ ? ମାଗଣାରେ ନୁହେଁ ମ ମୋଟା ଅଙ୍କର ପାରିଶ୍ରମିକ ମିଳବ । ତୁମେ ଦୁହେଁ ଆସିଲେ ଆମ ନର୍ସିଂହୋମର ଶକ୍ତି ଆହୁରି ବଢ଼ି ଯାଆନ୍ତା । ରିୟାସତ ଓ ତୀୟାଶାକୁ ସିନିୟର ଡାକ୍ତରଙ୍କ ସହଯୋଗ ମିଳନ୍ତା ।
ତୁ ଚାହିଁଲେ ଆମେ ସପରିବାର ନର୍ସିଂ ହୋମ୍ ଚାଲି ଆସନ୍ତୁ।
ଚାହିଁବି କଣ କହୁଛି ପରା ଆସ ।
ଗୋଟେ କଥା କଲେ ହୁଅନ୍ତା। ହଠାତ୍ କାଇଁ ମୋ ମନକୁ ଆସୁଛି ମୋ ଝିଅ ନିୟୁତା ସହ ରିୟାସତର ବିବାହ କରେଇଲେ କେମିତି ହୁଅନ୍ତା ?
ଖୁବ୍ ଭଲ ହୁଅନ୍ତା । ତୋ ଭଳି ଡାକ୍ତରାଣୀ ମୋର ସମୁଦୁଣୀ ହୁଅନ୍ତା। ସାଙ୍ଗରୁ ସମୁଦୁଣୀ ହୋଇ କେତେ ଖୁସି ହୁଅନ୍ତି ! କିନ୍ତୁ ମୋର ସେ ଭାଗ୍ୟ କାହିଁ ? କହୁଥିଲି ପରା ଗୋଟେ ଝିଅ ରିୟାସତକୁ ଧୋକ୍କା ଦେଇ ଅନ୍ୟତ୍ର ବିବାହ କରି ଦେଲା ବୋଲି ଜୀବନରେ ଆଉ କେଉଁ ଝିଅକୁ ଭଲ ପାଇବ ନାହିଁ କି ଜୀବନରେ ବିବାହ କରିବ ନାହିଁ ଜିଦି ଧରିଛି ।
ନିୟୁତା ବି ପ୍ରତାରିତ ହୋଇଛି ଗୋଟେ ପୁଅଦ୍ୱାରା । ବିବାହ ଯାଏ କଥା ଯାଇଥିଲା । ଠିକଣା ସମୟରେ ପୁଅଟି ନିୟୁତା ନୁହେଁ ଜଣେ ବିଦେଶିନୀକୁ ଭଲ ଚାକିରି କରିବା ଲୋଭରେ ବିବାହ କଲା। ନିୟୁତା ତ ଜୀବନ ହାରି ଦେବ ବସିଥିଲା । ବହୁତ ବୁଝା ସୁଝା କଲାପରେ ଏବେ ଗୋଟିଏ ପାସନ ସୋ ରୁମ୍ ଖୋଲି ତାରି ଭିତରେ ଦିନରାତି ବୁଡାଇ ରଖୁଛି ନିଜକୁ । ମୋ ମନ କହୁଛି ଦୁଇ ଭଗ୍ନ ମନ ଏକାଠି ହେଲେ ହୁଏତ ନିଜ ନିଜ ଦୁଃଖ ବାଣ୍ଟି ଏକାତ୍ମ ହୋଇ ପାରନ୍ତେ ।
କେମିତି ପିୟୁ କିଏ ବୁଝେଇବ ରିୟାସତକୁ ? ବିବାହ କଥା ପଡିଲେ ଫାୟାର ହୋଇ ଯାଉଛି । ତୋତେ ହାତ ଯୋଡୁଛି ତୁ କଣ କର ପିୟୁ। ମୋ ରିୟାସତର ଭଙ୍ଗା ମନ ଯୋଡି ହୋଇ
ଯାଉ ।
ଠିକ୍ ଅଛି ରିୟା ।ବାପା ମାଆ ହିସାବରେ ଆମେ ତ ପିଲାଙ୍କ ସୁଖ ହିଁ ଚାହିଁବା । ଚେଷ୍ଟା କରିବା ତେଣିକି ଆମ ଭାଗ୍ୟ !
ଏବେକାର ପ୍ରେମର ଆବରଣ ଖୁବ୍ ପତଳା। ଟିକେ ଟିକେ କଥାରେ ବ୍ରେକ ଅପ୍, ଡ଼ିଭୋର୍ସ ଯାଏ କଥା ଯାଉଛି।ପରସ୍ପରକୁ ବୁଝିବା,ସହିବା ,ବୁଝମଣା କରିବା ଏବେର ଦାମ୍ପତ୍ୟରେ କଣ ଅଛି ? ଟିଭି , ପେପର୍ କି ସୋସିଆଲ ମିଡିଆ ଦେଖ ପ୍ରତିଦିନ ହଜାର ଡ଼ିଭୋର୍ସ ,ବ୍ରେକ ଅପ୍ ମାମଲା ! ବେଶୀ ଭଲ ପାଇଁ ବିବାହ କରିଥିବା ଯୋଡ଼ିଙ୍କ ଭିତରେ ଏ ହାର ଅଧିକ ! ପ୍ରେମକୁ ଗୋଟେ ହାର ଜିତ୍ ଶସ୍ତା ଖେଳରେ ପରିଣତ କରିଦେଲେଣି ସମସ୍ତେ। ନିଃସର୍ତ୍ତ ପ୍ରେମର ନାଁ ଗନ୍ଧ ବି ନାହିଁ । ଜଣକୁ ଜୀବନ ଦେଇ ଭଲ ପାଅ ବୋଲି କଥା ଦିଅ ଠିକ୍ ବେଳକୁ ଚମ୍ପଟ ମାର ଅନ୍ୟ ଜଣକ ସହ । ମୋ ରିୟାସତ ଟା ବହୁତ କଷ୍ଟରେ ଥିଲା। ଏବେ ଟିକେ କାମରେ ମନ ଦେବାରୁ ତାକୁ ଦେଖି ହେଉଛି। ନଚେତ୍ ଲୁଣ୍ଡାଟିଏ ପକେଇଲେ ଜଳିଯିବା ପରି ଚେହେରା ହୋଇଥିଲା ।
ଆଚ୍ଛା କି ଯୋଜନା କଲେ ହେବ ଚିନ୍ତା କର ତ ରିୟା । ତୋର ତ କମ୍ପ୍ୟୁଟର ମୁଣ୍ଡ ଥିଲା ପିଲାଦିନୁ । ରିୟାସତ ଓ ନିୟୁତା ପରସ୍ପରକୁ ଭଲ ପାଆନ୍ତେ କି ?
ଆଇଡ଼ିଆ। ନର୍ସିଂହୋମ୍ ପାଇଁ ବିଶ୍ୱ କଲ୍ୟାଣ ଏବଂ ତୋ ଠାରୁ କିଛି ଟିପିସ୍ ଆଣିବା ପାଇଁ ରିୟାସତକୁ ମୁଁ ପ୍ରସ୍ତାବ ଦେବି । ନର୍ସିଂ ହୋମ୍ କୁ ସେ ଏତେ ଭଲ ପାଇଁ ଯାଇଛି ଯେ ତାର ଉନ୍ନତି ପାଇଁ ସେ କିଛି ବି କରି ପାରେ । ସେଠିକୁ ଗଲେ ତୁ ସୁଯୋଗ ସୃଷ୍ଟି କରିବୁ ସେମାନେ କେମିତି ପରସ୍ପର ସହ ଭାବ ଦୋସ୍ତି କରିବେ।
ଆଇଡ଼ିଆ ଉତ୍ତମ। ତେବେ ରିୟାସତକୁ ପଠା। ମୁଁ ତିଆର କରୁଛି ନିୟୁତାକୁ ।
ତୋତେ ହାତ ଯୋଡୁଛି ଲୋ ପିୟୁ ମୋ ରିୟାସତ ଜୀବନ ସଜାଡି ଦେ।
ଆରେ ଏମିତି କଣ କହୁଛୁ ? ମୋ ଝିଅ ନିୟୁତା ଜୀବନରେ ଖୁସି ଆସିଲେ ମୁଁ କଣ ଖୁସି ହେବିନି ? ତୁ ବ୍ୟସ୍ତ ନ ହୋଇ ରିୟାସତ କିପରି ଆମ ପାଖକୁ ଆସିବାକୁ ମଙ୍ଗିବ ସେ ବ୍ୟବସ୍ଥା କର
ଠିକ୍ ଅଛି ପିୟୁ। ରହିଲି।
ଆମେ ଦୁଇ ସାଙ୍ଗ କଥା ହେବାର ଦୁଇ ଦିନ ପରେ ଥରେ ଡାଇନିଂ ଟେବୁଲରେ ଖାଉ ଖାଉ ନିୟୁତା ବ୍ୟସ୍ତ ହୋଇ କହିଲା ଆମ ନର୍ସିଂ ହୋମ୍ ରେ ଜଣେ ଖ୍ୟାତନାମା ପ୍ରସ୍ତୁତି ବିଭାଗ ଡାକ୍ତର ଏବଂ ମେଡ଼ିସିନ ବିଭାଗର ଡ଼ାକ୍ତର ଆବଶ୍ୟକ ହେଉଛନ୍ତି ମାଆ ?କିନ୍ତୁ ସେବାକୁ ଆତ୍ମାରୁ ଭଲ ପାଉଥିବା ସେମିତି ଡ଼ାକ୍ତର ଆମକୁ କେମିତି ମିଳିବେ। ଯିଏ ଆସୁଛନ୍ତି ରୋଗୀ ସେବା କମ୍ ଅର୍ଥ ଲୋଭ ଅଧିକ । ମୋତେ ଏମିତି ଡାକ୍ତର ପସନ୍ଦ ଆସୁ ନାହାନ୍ତି।
ତୁ ପରା ଏବେ ଦୁଇ ଜଣ ନିଯୁକ୍ତି ଦେଇଛୁ ? ପୁଣି କଣ ?
ସେମାନେ କେଉଁ କାମକୁ ନୁହଁନ୍ତି ମାଆ। ଅଧିକରୁ ଅଧିକ ରୋଜଗାର କରିବା ସେମାନଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ମୁଁ ବୁଝି ସାରିଲିଣି ।
ଏଇ ମୌକାରେ ଡ଼ଃ ବିଶ୍ୱ ଓ ଡ଼ଃ ପିୟୁଙ୍କ କଥା କହିଲି ତ ନିୟୁତା ବହୁ ଖୁସି ହୋଇଗଲା। ସତରେ ସେମାନେ ଆମକୁ ସାହାଯ୍ୟ କରିବେ !
ଚେଷ୍ଟା କରି ଦେଖିଲେ କ୍ଷତି କଣ ?
ଠିକ୍ ମାଆ। ରିୟାସତ ତାହେଲେ ଆମ ପ୍ରସ୍ତାବ ନେଇ ଯାଉ।
ତାପର ଦିନ ରିୟାସତ ଉଡି ଯାଉଥିଲା ପିୟୁର ସହର ଅଭିମୁଖେ। ମୋ ଆଖିରେ ସ୍ୱପ୍ନ ଆଖିଏ । ରିୟାସତ ବାହା ହୋଇ ନିୟୁତାକୁ ଘରକୁ ଆଣିଛି। ସେମାନଙ୍କ ପୁଅ ଝିଅ ଗହଣରେ କଟି ଯାଉଛି ମୋ ଦିନ।ଆଃ ଏମିତି ହେଲେ ସତରେ କେତେ ମଜା ହୁଅନ୍ତା ?
ଧେତ୍ ! ଏ ଉତ୍ତର ବୟସ ଏତେ ନାତି ନାତୁଣୀ କାଙ୍ଗାଳ ହୁଏ କାହିଁକି ?
