ଉପହାସ
ଉପହାସ


ଓଃ!!! କି କଷ୍ଟ!!!!! ଆପେ ଆପେ ପାଟିରୁ ବାହାରି ଆସିଲା, ସୁଦୂର କର୍ମକ୍ଷେତ୍ରରୁ ଫେରି ନିଜ ଗାଁର ଷ୍ଟେସନରେ ପହଞ୍ଚିବା ପରେ। ସତରେ ଜନ୍ମଭୂମିର ଆକର୍ଷଣ ଅତୁଳନୀୟ ଏବଂ ଅବର୍ଣ୍ଣନୀୟ। ଅନେକ ଦିନ ପରେ ପରିଚିତ ଲୋକମାନଙ୍କର ସାନ୍ନିଧ୍ୟ ପାଇବା ସମୟର ଅନୁଭୂତି ଅତ୍ୟନ୍ତ ରୋମାଞ୍ଚକର।
ଚାରିଆଡେ ଆଖି ବୁଲାଇ ଆଣୁ ଆଣୁ ଦେଖିଲି ଭିକାରୀଟିଏ। ବୟସ ଷାଠିଏ ପାଖାପାଖି ହେବ। ଅବସ୍ଥା ଅତି ଦୟନୀୟ। ଶରୀର ଛିଣ୍ଡା ପୋଷାକରେ ଆବୃତ। ବୋଝ ଉପରେ ନଳିତା ବିଡା ପରି ସେ ପୁଣି ଛୋଟା, ଚଳତ୍ ଶକ୍ତି ବିହୀନ। ଚାଲିବାର ସାମର୍ଥ୍ୟ ନଥିବାରୁ ଆଶା ବାଡି ଦୁଇଟି ତା' ପାଖରେ ଥାଏ । ଗୋଟିଏ ସ୍ଥାନରେ ବସି ଜଗନ୍ନାଥଙ୍କ ଭଜନ ଗାଉଥାଏ।
ତା' ସାମ୍ନାରେ ଥିଲା ଏକ ରସ ଥାଳି, ସେଥିରେ ପଡ଼ିଥିଲା କିଛି ଖୁଚୁରା ପଇସା। ସେ କହୁଥାଏ,"ଏ ବାବୁ, ଏ ମା', ଏ ଭିକାରୀଟିକୁ କିଛି ମିଳୁ। କେଜାଣି କାହିଁକି ଏଇ କଥା ପଦକ ଶୁଣି ମନକୁ ଭାରି କଷ୍ଟ ହେଲା। ତା' ବିଷୟରେ ଭାବି ଭାବି କିଛି ସମୟ ପାଇଁ ମୁଁ ହଜିଗଲି ମୋ ଭାବନା ରାଜ୍ୟରେ। ମୋ ଅନ୍ୟମନସ୍କତା ଭଗ୍ନ ହେଲା ଅନ୍ୟ ଯାତ୍ରୀମାନଙ୍କ ହସରେ। ସେ ହସର କେନ୍ଦ୍ରବିନ୍ଦୁ ଥିଲା ସେହି ଭିକାରୀ। ହୃଦୟ ଭିତରଟା କାହିଁକି କେଜାଣି କୋଳି ହୋଇଗଲା ପରି ଲାଗିଲା। ପର୍ସରୁ ଶହେ ଟଙ୍କାର ନୋଟଟିଏ କାଢି ତା' ହାତକୁ ବଢାଇ ଦେଇ କହିଲି ,"। ନିଅ ମଉସା ।" ଉତ୍ତର ଆସିଲା," ଆପଣ ବୋଧହୁଏ ଏହାକୁ ଭୁଲରେ ଦେଇ ଦେଇଛନ୍ତି। ମୁଁ ତ ସାମାନ୍ୟ ଭିକାରୀ ଟିଏ। ଆଉ ଏଇ ଶହେ ଟଙ୍କା!! ଏତେ ଟଙ୍କାର ଖୁଚୁରା ମୋ ପାଖରେ ନାହିଁ।" ସତରେ କେତେ ନିରୀହ, ନିଷ୍କପଟ। ଆଜିର ଏହି ମାୟା ଦୁନିଆରେ ଏମିତି ବି ଲୋକ ଅଛନ୍ତି। ଅଭାବ ଅନଟନର ଅଭିଶପ୍ତ ଜୀବନରେ ବି ଅନ୍ୟାୟ ଏମାନଙ୍କ ପାଖ ମାଡ଼ି ନାହିଁ। ଏମାନଙ୍କ ଜନ୍ମ କ'ଣ ଦୁନିଆର ସବୁ କଷ୍ଟ ସହିବାକୁ ,ପାଇଁ ?
ମୁଁ କହିଲି ," ଏ ଶହେ ଟଙ୍କା ତୁମ ପାଇଁ, କିନ୍ତୁ ଲୋକମାନେ ଯେତେବେଳେ ତୁମ ଉପରେ ହସୁଥିଲେ, ତୁମକୁ କ'ଣ ଦୁଃଖ ଲାଗୁନଥିଲା ?
ସେ ଅତି ସରଳ ଭାଷାରେ ଉତ୍ତର ଦେଲା," ମୁଁ ଯଦି ସେମାନଙ୍କ ମୁଁହରେ ହସ ଟିକିଏ ଦେଇ ପାରିଲି ତାହେଲେ ମୁଁ ଖୁସି ହେବା କଥା, ଦୁଃଖ କରିବି କାହିଁକି?" ତା'ର ଏହି କେଇ ପଦ କଥା ଉପହାସ କରୁଥିଲା ଆଜିର ଆଧୁନିକ ଯୁଗର ମାନସିକତାକୁ ଏବଂ ମାନବିକତାକୁ।