Kanan Bala Nayak

Others

5.0  

Kanan Bala Nayak

Others

ଉପହାର

ଉପହାର

5 mins
365


ଏ ସନ ଜାଡଟା ବହୁତ ଯୋରରେ ପଡିଛି । ଆଉ ସହି ହେଉନି । ଅଣ୍ଟା, କଙ୍କାଳ ଥରାଇ ଦେଉଛି । ମହାବାତ୍ୟା ବେଳେ ମିଳି ଥିବା ସରକାରୀ କମ୍ବଳ ଟା ଠାଏ ଠାଏ ଚିରି ଗଲାଣି । ଆଉ ଶୀତ ସମ୍ଭାଳୁ ନାହିଁ । ତେଣୁ ଏ ମାସ ଦରମା ପାଇଲେ ମୋ ପାଇଁ ଖଣ୍ଡେ କମ୍ବଳ ଆଣି ଦିଅନ୍ତୁ ନି? ନାତି ସନିଆ କୁ ଅନୁରୋଧ ଭରା କଣ୍ଠ ରେ କହିଲା ତା ଜେଜେ ମାଆ ସର । ନ ହେଲେ ମୁଁ ବୋଧେ ଆଉ ଏ ଶୀତଟା ପାରେଇ ପାରିବିନି । ଜେଜେ ମା କଥା ଶୁଣି ସନିଆ ର ଛାତିଟା ଥରି ଉଠିଲା । କହିଲା ତୁ ସେ ଖରାପ କଥା ଗୁଡା ତୁଣ୍ଡରେ ଧ ନି କହୁଛି । ବା, ମା ଗଲା ପରେ ମୋର ଆଉ କିଏ ଅଛି କହିଲୁ? ତୁ ପରା ମୋର ସବୁ କିଛି । ବା କି ମା କାହାର ଚେହେରା ବି ତ ମୋର ଭଲରେ ମୋର ମନେ ପଡୁନି  । ତୋ ତେ ଛାଡି ମୁଁ କେମିତି ବଞ୍ଚିବି କହିଲୁ । ହଉ ଏଥର ତୋ ପାଇଁ ନୂଆ କମ୍ବଳଟେ ଯେମିତି ହେଉ ଆଣିବି । ତୁ କିନ୍ତୁ ମୋତେ କଥା ଦେ ତୁ ଆଉ ସେ ଅସନା କଥା ଗୁଡା ତୁଣ୍ଡରେ ଧରିବୁନି । ସନିଆ ଯେତେବେଳେ ଆଠ ବର୍ଷର ହୋଇଥିଲା, ତା ଗାଁରେ ଅକାଳ ମରୁଡି ପଡିଲା । ଗାଁ ରେ କାମ ଧନ୍ଦା କିଛି ମିଳିଲା ନାହିଁ । ଦି ଓଳି ଦୁଇ ମୁଠା ଖାଇବାକୁ ମିଳିନା ନାହିଁ । ସନିଆ ଟା ଖାଲି ଭୋକରେ ଆଉଟୁ ପାଉଟୁ ହେଲା । ଆଠ ବର୍ଷର ଛୁଆଟାକୁ ଭୋକରେ ଆଉଟୁ ପାଉଟୁ ହେବାର ଦେଖି ସନିଆ ବା ର ପିତୃ ହୃଦୟ ଟା କାନ୍ଦି ଉଠିଲା ।ସେ ତା ମାକୁ କହିଲା, କେତେ ଦିନ ଆଉ ଭୋକରେ ଆଉଟୁ ପାଉଟୁ ହେବା । ଗାଁ ର ସବୁ ଲୋକ କାମ କରିବା ପାଇଁ ବାହାରକୁ ଯାଉଛନ୍ତି । ଚାଲ ଆମେ ବି ତାଙ୍କ ସହ ଯିବା । ଦ୍ବି ଜଣ ଗଲେ ଭଲ ଦୁଇ ପଇସା ରୋଜଗାର କରିବା ।ସେଥିପାଇଁ ଗାଁ ର ଅନ୍ୟ ଲୋକଙ୍କ ସହ ମିଶି ସନିଆ ର ବା, ମା ତାକୁ ତା ଜେଜେ ମା ପାଖରେ ଛାଡି ଦେଇ ସୁଦୂର ଗୁଜରାଟ ଚାଲିଗଲେ । ଗୁଜରାଟ ଯିବାର କିଛି ଦିନ ପରେ ହଠାତ୍ ଗାଁ କୁ ଖବର ଆସିଲା, ଇଟା ଭାଟିରେ ଘଟିଥିବା ଗୋଟିଏ ଦୁର୍ଘଟଣାରେ ସନିଆ ର ବା, ମା ଦି ଜଣ ସାରା ପ୍ରାଣ ତ୍ଯାଗ କରିଛନ୍ତି । ଦିନ କୁ ଦି ଓଳି ଖାଇବାକୁ ପାଉ ନ ଥିବା ଲୋକ ଟା ସୁଦୂର ଗୁଜରାଟ ରୁ ଶବ ଆଣି ଥାଆନ୍ତା କେମିତି?ତେଣୁ ଗାଁ ଲୋକେ ସେଠାରେ ତାଙ୍କର ଶବ ସତ୍କାର କରିଦେଲେ । ବା କି ମା ର ଶେଷ ଦର୍ଶନ ଟିକିଏ ମଧ୍ୟ ସନିଆ କରି ପାରି ନ ଥିଲା । ସେ ଦିନ ପାଖରୁ ତା ବା, ମା, ତା ଦୁନିଆ ପାଲଟି ଯାଇଥିଲା ତାର ଏଇ ଜେଜେମା । ବା, ମା ଗଲା ପରେ ସନିଆର ଶୈଶବଟା ଦାରିଦ୍ର୍ୟର ତାଡ଼ନା ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିଲା । ଆଠ ବର୍ଷର ପିଲାଟା ହଠାତ୍ ଯେମିତି ଅଠର ବର୍ଷର ଯୁବକରେ ପରିଣତ ହୋଇଯାଇଥିଲା ।ପର ଘରେ ଅଇଁଠା ବାସନ ମାଜି ତା ଜେଜେ ମା ଯାହା ରୋଜଗାର କରୁଥିଲା ସେଥିରେ ଦୁଇ ଜଣଙ୍କର ପେଟର ଭୋକ ଠିକରେ ମରୁ ନଥିଲା । ପାଠ ପଢି ବଡ଼ ମଣିଷ ହେବା ତ ବା ତ ଦୂରର କଥା ।ସନିଆ ସ୍କୁଲର ପିଣ୍ଡା ମଧ୍ୟ ମାଡି ପାରି ନ ଥିଲା । ଭୋକିଲା ପେଟରେ କେହି କଣ କେବେ କିଛି ସ୍ବପ୍ନ ଦେଖିପାରେ?ଜେଜେମା କୁ କେମିତି ସାହାଯ୍ୟ କରିବ ଭାବିଭାବି ସନିଆ ଦିନେ ବାହାରି ଯାଇଥିଲା ଗାଁ ପାଖ ସହରକୁ । ଲକ୍ଷ୍ଯ ହୀନ ଭାବରେ ବୁଲୁ ବୁଲୁ ହଠାତ୍ ପହଞ୍ଚି ଯାଇଥିଲା ରାସ୍ତା କଡରେ ଥିବା ଗୋଟେ ଢାବା ପାଖରେ । ଆଉ କ୍ଷୁଧା ବିକଳରେ ଗୋଟିଏ ପ୍ଲେଟ୍ ରେ ଜଣେ କେହି ଛାଡି ଯାଇଥିବା ଅଇଁଠା ଖାଦ୍ୟରେ ହାତ ମାରି ଦେଇଥିଲା । ଢାବାର ମାଲିକ ବିଚିତ୍ର ବାବୁଙ୍କ ଆଖି ରୁ କିନ୍ତୁ ଏ ଦୃଶ୍ୟ ବାଦ୍ ଯାଇ ନଥିଲା ।ସେ ଜଣେ ଦୟାଳୁ ଲୋକ ଥିଲେ । ତେଣୁ ଏ ଦୃଶ୍ୟ ଦେଖି ସେ ସନିଆ କୁ ପାଖକୁ ଡାକିଲେ । ତା ପାଇଁ କିଛି ଖାଦ୍ୟର ବ୍ଯବସ୍ଥା କରାଇ ତାକୁ କହିଲେ ମୋ ଢାବାରେ କାମ କରିବା ପାଇଁ ମୁଁ ପିଲାଟିଏ ଖୋଜୁଛି । ତୁ ମୋ ଢାବାରେ କାମ କରିବୁ । ଖାଇ ପିଇ ଟଙ୍କା ତିନି ଶହ ଦେବି । ସନିଆ କୁ ସତେ ଯେମିତି ସ୍ବର୍ଗର ଚାନ୍ଦ ମିଳି ଯାଇଥିଲା । ସେଇ ଦିନ ପାଖରୁ ସନିଆ ବିଚିତ୍ର ବାବୁଙ୍କ ଢାବାରେ ଆଠ ବର୍ଷ ହେଲା କାମ କରି ଆସୁଛି ।ଦରମା ଟା ମଧ୍ୟ ବଢି ବଢି ତିନି ଶହରୁ ତିନି ହଜାର ହୋଇଛି । ହେଲେ ଆଜି ତ ମାସର ଆରମ୍ଭ ବାବୁ ଦରମା ଦେବେ କି ନାହିଁ ଠିକ୍ ନାହିଁ । ହେଲେ ଥଣ୍ଡା ଯେତେ ଯୋରରେ ପଡିଛି । ସତରେ ଯଦି ଜେଜେ ମା ର କିଛି ହୋଇ ଯାଏ? ତେଣୁ ମନେ ମନେ ସ୍ଥିର କଲା କାମ ସରିବା ପରେ ବାବୁଙ୍କୁ ଦରମା ପାଇଁ କହିବ । ଏଇଆ ଭାବି ସେ ତା ଜେଜେ ମା ଙ୍କୁ କହିଲା କଣ ଗଣ୍ଡାଏ ଖାଇବାକୁ ଦେ । ଅନେକ ଡେରି ହେଲାଣି । ଠିକ୍ ସମୟରେ ଢାବାରେ ନ ପହଞ୍ଚିଲେ ମାଲିକ ରାଗିବେ । ତା ପରେ ମୁଢି ଗଣ୍ଡେ ପାଟିରେ ପକାଇ ଭଙ୍ଗା ସାଇକେଲ ଟା ଚଢି ସନିଆ ଢାବା ଅଭିମୁଖେ ବାହାରି ଗଲା । ଢାବାରେ ଯାଇ ଦେଖିଲା ଆଜି କାହିଁକି ବେଶ ଭିଡ ଜମୁଛି ଢାବାରେ । ଆଉ ଲୋକ ମାନେ ପରସ୍ପର ଭିତରେ ଉପହାର ଦିଆ ନିଆ ହୋଇ ଖୁସି ହୋଇ ଯାଉଛନ୍ତି । ତାଙ୍କ କଥାରୁ ଜାଣିଲା ଆଜି ହେଉଛି ନୂଆ ବର୍ଷ । ତେଣୁ ସେ ଭାବିଲା ସେ ବି ଯଦି ଆଜି ତା ଜେଜେମା କୁ କମ୍ବଳ ଖଣ୍ଡେ ଉପହାର ଦେଇ ପାରନ୍ତା, ତା ଜେଜେମା ମଧ୍ୟ ଏମିତି ଖୁସି ହୋଇ ଯାଆନ୍ତା । ହେଲେ ମାଲିକ ଯଦି ପଇସା ଦେବା ପାଇଁ ମନା କରି ଦିଅନ୍ତି? ଏଇ କଥା ଭାବୁ ଥିବା ସମୟରେ ହଠାତ୍ ସନିଆ ଦେଖିଲା, ତା ସାଙ୍ଗ ବାଇନ ଧଇଁ ସଇଁ ହୋଇ ତା ଆଡ଼କୁ ଦୌଡି ଆସୁଛି । ସନିଆ କହିଲା ଆରେ ଜେଜେ ମା ଠିକ୍ ଅଛି ତ? ତୁ ଏମିତି ଧଇଁ ସଇଁ ହୋଇ ମୋ ପାଖକୁ କାହିଁକି ଦୌଡି ଆସିଛୁ ? ବାଇନ କହିଲା ହଁ ସେ ଠିକ୍ ଅଛି ।ଜାଣିଲୁ ଆମ ଗାଁ ପଡିଆକୁ ସହରରୁ ଜଣେ ବଡ ନେତା ଆସିଛନ୍ତି । ସେ କୁଆଡେ ଭାରି ଦୟାଳୁ । ଆମ ଗାଁର ଗରିବ ଗୁରବା ମାନେ ଏତେ ଶୀତରେ ହଇରାଣ ହେଉଛନ୍ତି ବୋଲି ଜାଣି, ସେ ରାଜଧାନୀ ଭୁବନେଶ୍ଵର ରୁ ଛୁଟି ଆସିଛନ୍ତି  । ସେ କୁଆଡେ ଆଜି ସନ୍ଧ୍ୟାରେ ନୂଆବର୍ଷ ଉପଲକ୍ଷେ, ଆମ ଗାଁ ଲୋକ ଙ୍କୁ ମାଗଣାରେ କମ୍ବଳ ବାଣ୍ଟବେ । ମୋ ବୋଉ ତ ଏବେ ରୁ ଯାଇ ଧାଡି ରେ ଛିଡା ହୋଇଗଲାଣି । ତୋ ବୁଢୀମା ଆଖି କୁ ତ ଠିକ୍ ରେ ଦେଖା ଯାଉନି । ତେଣୁ ତୋତେ ଖବର ଦେବାକୁ ଚାଲି ଆସିଲି । ତୁ ଶୀଘ୍ର କାମ ସାରି ଆ ମୁଁ ଯାଉଛି ।ଏତିକି କହି ବାଇନ ଯେମିତି ଝଡ଼ ବେଗରେ ଆସିଥିଲା ସେମିତି ଅଦୃଶ୍ୟ ହୋଇ ଗଲା ।

ବାଇନ ଗଲା ପରେ, ସନିଆ ଭାବିଲା କଥା ରେ ଅଛି ପରା ଅରକ୍ଷିତ କୁ ଦଇବ ସାହା । ଭଗବାନ ବୋଧେ ମୋ ଡାକ ଶୁଣି ନେଲେ । ତେଣୁ ସେ ନେତା ବାବୁଙ୍କୁ କମ୍ବଳ ବାଣ୍ଟିବା ପାଇଁ ପଠାଇଛନ୍ତି ।ସନିଆ କାଳ ବିଳମ୍ବ ନ କରି ଶୀଘ୍ର ଶୀଘ୍ର କାମ ସାରି, ସଂନ୍ଧ୍ଯା ପୂର୍ବରୁ ଗାଁ ରେ ପହଞ୍ଚି କମ୍ବଳ ବାଣ୍ଟା ହେବାକୁ ଥିବା ସ୍ଥାନରେ ଧାଡ଼ିରେ ଛିଡା ହୋଇ ଗଲା ।ସହରରୁ ନେତା ବାବୁ ମଧ୍ୟ ପହଞ୍ଚିଲେ । କମ୍ବଳ ବାଣ୍ଟା କାର୍ଯ୍ୟ ମଧ୍ୟ ଆରମ୍ଭ ହେଲା । କିନ୍ତୁ ହଠାତ୍ କଣ ହେଲା କେଜାଣି ସଭା ସ୍ଥଳରୁ ପ୍ରବଳ ପାଟି ତୁଣ୍ଡ ଶୁଣା ଗଲା । ଲୋକଙ୍କ ଭିତରେ କମ୍ବଳ ପାଇବା ପାଇଁ ଠେଲାପେଲା ଆରମ୍ଭ ହୋଇଗଲା । ସନିଆ କିଛି ବୁଝିବା ପୂର୍ବରୁ କିଛି ଲୋକ ତାକୁ ଠେଲି ପେଲି ତଳେ ପକାଇ ଦେଇଥିଲେ । ସନିଆ ଆଉ ସଳଖ ହେବାକୁ ସମୟ ପାଇ ନଥିଲା । ଶହ ଶହ ଲୋକ ଦଳି ଚକଟି ତା ଉପରେ ଚାଲି ଯାଇଥିଲେ । ତା ଆଖିରୁ ଜୁଳୁ ଜୁଳିଆ ପୋକ ବାହାରି ଯାଇଥିଲା । ସେ ଅଚେତ ହୋଇ ସେଠାରେ ପଡି ଯାଇଥିଲା । କେତେ ସମୟ ପରେ ହୋସ ଆସିଲା କେଜାଣି? ହୋସ ଆସିବା ପରେ ସନିଆ ଦେଖିଲା ତା ଦେହ ପାଖରେ ନୂଆ କମ୍ବଳ ଟିଏ ପଡିଛି । ଦୌଡା ଦୌଡି ଭିତରେ ହୁଏତ କାହା ହାତରୁ ଖସି ପଡିଛି । କମ୍ବଳ ଟିକୁ ଦେଖି ସନିଆ ଆଖିରେ ଖାଲି ତା ଜେଜେମା ଚେହେରାଟା ନାଚି ଉଠିଲା । ସେ କିନ୍ତୁ ଉଠି ବସିବାକୁ ଜମାରୁ ବଳ ପାଉ ନଥାଏ । ଅନେକ କଷ୍ଟରେ କମ୍ବଳଟା ଧରି ଘୁଷୁରି ଘୁଷୁରି ଘରକୁ ଫେରିଲା । ଏଣେ ଏତେ ରାତି ହେଲାଣି ସନିଆ ଘରକୁ ନ ଆସିବା ଦେଖି, ପ୍ରବଳ ଶୀତରେ ମଧ୍ୟ ଛିଣ୍ଡା କମ୍ବଳ ଟିକୁ ଘୋଡାଇ ତା ଜେଜେମା ପିଣ୍ଡା ଉପରେ ତା ବାଟକୁ ଅନାଇ ବସିଥାଏ । ତାଟି ଖୋଲିବା ର ଶବ୍ଦ ଶୁଣି ବୁଢୀ କହିଲା ସନିଆ ଆସିଲୁ କିରେ । ଆଜି ଏତେ ଡେରି କରିଦେଲୁ । ସନିଆ ଥଙ୍ଗେଇ ଥଙ୍ଗେଇ କହିଲା ତୋ ପାଇଁ କମ୍ବଳ ଆଣିବା କୁ ଯାଇଥିଲି ପରା । ଏତିକି କହି ସନିଆ କମ୍ବଳଟା ତା ଜେଜେମା ହାତ କୁ ବଢାଇ ଦେଇ ସେଠାରେ ଦୁଲ୍ କରି କଚାଡି ହୋଇ ପଡିଲା । ମୋ ସନିଆ ରେ ତୋର କଣ ହେଲା ବୋଲି କହି ତା ଜେଜେମା ପିଣ୍ଡାରୁ ତଳକୁ ଓହ୍ଲାଇଲା ବେଳକୁ ସେ ମଧ୍ୟ ପିଣ୍ଡାରୁ ତଳକୁ କଚାଡି ହୋଇ ପଡିଲା । ଶବ୍ଦ ଶୁଣି ପାଖ ପଡିଶା ଲୋକ ମାନେ ଦୌଡି ଆସି ଜେଜେମା ଓ ନାତିର ପ୍ରାଣ ହୀନ ଶରୀର ସହିତ ନୂଆ କମ୍ବଳଟିଏ ପଡିଥିବାର ଦେଖିବାକୁ ପାଇଥିଲେ ।


Rate this content
Log in