ଉପବାସ
ଉପବାସ
କାକଟପୁରରେ ପ୍ରତିବର୍ଷ ଚୈତ୍ରମାସର ଚତୁର୍ଥ ମଙ୍ଗଳବାର ପରେ ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ମା ମଙ୍ଗଳାଙ୍କ ପଞ୍ଚମ ପାଳିରେ ମା'ଙ୍କ ଆବିର୍ଭାବ ଦିବସ ପାଳନ କରାଯାଏ ।ଏହା ଝାମୁଯାତ୍ରା ନାମରେ ଖ୍ୟାତ । ଉକ୍ତ ଦିନ ପ୍ରବଳ ଜନସମାଗମ ହୁଏ ।ପୁନମ ଓ ଫାତିମା ଉକ୍ତଦିନ ତୁର୍ଷାତ ଭକ୍ତମାନଙ୍କ ପାଇଁ ପ୍ରବଳ ଖରାରେ ବୁଲି ବୁଲି ପାଣି ବୋତଲ ବାଣ୍ଟିଥିଲେ ।ରମଜାନ ମାସ ଥିବାରୁ ସେଦିନ ଫାତିମାର ରୋଜା(ନିର୍ଜଳା ଉପବାସ)ଥିଲା ।ରମଜାନ୍ ମାସର ବିଷୟରେ ଅଧିକ ଜାଣିବା ପାଇଁ ପୁନମ୍ ଫାତିମାକୁ ପଚାରିଲା ।ଫାତିମା କହିଲା- ଦିନସାରା ନିର୍ଜଳା ଉପବାସକୁ ରୋଜା କୁହନ୍ତି । ବ୍ରହ୍ମ ମୁହୁର୍ତରେ ନିଦରୁ ଉଠି ରୋଜା ରଖିବାର ସମୟରେ ଖାଇବାକୁ 'ସହେରି" ଓ ସଂଧ୍ୟା ସମୟରେ ଫଳରସ ,ଖଜୁରି ଇତ୍ୟାଦି ଖାଇବାର ସାମୂହିକ କାର୍ଯ୍ୟକ୍ରମକୁ ଇଫତାର୍ କୁହନ୍ତି ।ପୁନମ୍ ସଂଧ୍ୟାରେ କିଛି ଫଳ ଓ ଖଜୁରି ନେଇ ଇଫତାର ପାଇଁ ଫାତିମା ଘରକୁ ଗଲା।ଏଇ ସମୟରେ ସେ ଫାତିମା ଓ ତା ବାପାଙ୍କ କଥାବାର୍ତା ତାଙ୍କ ଭଙ୍ଗା ଝରକା ଫାଙ୍କରେ ଛିଡା ହୋଇ ଶୁଣିଲା । ଫାତିମା ବାପା ଦିନ ମଜୁରିଆ ଥିଲେ । ଫାତିମା ତା ବାବାଙ୍କୁ ପ୍ରଶ୍ନିଳ ଚାହାଣିରେ କହିଲା - ବାପା ରମଜାନ ମାସର ପ୍ରଥମ ଦଶ ଦିନ ଆମେ ବହୁତ କଷ୍ଚରେ କାଟିଲୁଣି। ରୋଜା ପାଳନ କରିବା ପାଇଁ ଖାଲି ପାଣି ପିଇ ଆଉ କେତେ ଦିନ ଏମିତି ସହେରି କରିବୁ ? ।ତା ବାପା କହିଲେ - ବେଟି କିଛି ଅସୁବିଧା ହେବ ନି । ଉପରବାଲା ଅଛି । କିଛି ନା କିଛି ବାଟ ବାହାରିବ ।ଫାତିମା କହିଲା -ବାପା , ବୋଉ କହୁଥିଲା ଯାହା କିଛି ପଇସା ଥିଲା ତୁମ ଚିକିତ୍ସାରେ ଶେଷ ହୋଇଗଲା ।ବ୍ୟୟବହୁଳ ଆସ୍ତ୍ରୋପଚାର ଆମ ପାଇଁ ସମ୍ଭବ ନୁହେଁ ।ଏଥିପାଇଁ ଆମକୁ ଅଧିକ ଟଙ୍କା ଯୋଗାଡ କରିବାକୁ ପଡିବ ।ଫାତିମାର କଥା ଶୁଣି ତା ବାବା ଉପରକୁ ଚାହିଁ ମନେ ମନେ ଆଲ୍ବାଙ୍କୁ ଡାକୁଥିଲେ ।
ଏହି ସମୟରେ ଦୁଆର କବାଟ କିଏ ଠକ ଠକ କରୁଥିବା ଶୁଣି ଫାତିମା ବାପା ଦୁଆର ଖୋଲି ଦେଖନ୍ତି ତ ଜଣେ ଆଗନ୍ତୁକ ଛିଡା ହୋଇଛନ୍ତି । ସେ ଫାତିମା ବାବାଙ୍କୁ କହିଲେ - ଆଜ୍ଞା ଇଫତାର ସମୟ ହୋଇଗଲାଣି ।ଏଇ ସମୟରେ ମୋ କାରଟି ଖରାପ ହୋଇଗଲା । ଆପଣ ଦୟାକରି ମୋତେ ପାଣି ମୁଦେ ଦେବେ କି ? ଫାତିମାର ବାପା ତାଙ୍କୁ ଘର ଭିତରକୁ ଇଫତାର କରିବା ପାଇଁ ଅନୁରୋଧ କଲେ ।କିନ୍ତୁ ଦୁର୍ଭାଗ୍ୟ ଏଥର ମଧ୍ୟ ତାଙ୍କ ପାଖରେ ଇଫତାର୍ ପାଇଁ କେବଳ ପାଣି ଛଡା ଆଉ କିଛି ନଥିଲା । ଝରକା ଫାଙ୍କରୁ ଏସବୁ ଦୃଶ୍ୟ ଦେଖି ପୁନମ୍ ଆଖି ଛଳ ଛଳ ହୋଇ ଯାଇଥିଲା । ସେ ଆଉ ଡେରି ନକରି ଇଫତାର୍ ଥାଳଟି ସେମାନଙ୍କ ଆଗରେ ଥୋଇ ଦେଲା ।ଏହା ଦେଖି ସମସ୍ତେ ଖୁସି ହେଲେ । ଏଇ ସମୟରେ ଫାତିମା ବାବାଙ୍କ ପେଟ ଦରଜ ବାହାରିଲା ।ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଫାତିମା ଆଗନ୍ତୁକଙ୍କୁ କହିଲା- ବାପାଙ୍କ ଚିକିତ୍ସାରେ ଆମର ସମସ୍ତ ସଂଚିତ ଟଙ୍କା ଶେଷ ହୋଇଗଲା ।ଘର ଡିହ ମଧ୍ୟ ଏଥିପାଇଁ ବନ୍ଧା ପଡିଛି । ହେଲେ ରୋଗ ଦିନକୁ ଦିନ ବଢି ଚାଲିଛି । ହକିମ୍ ସାହାବ୍ କହୁଥିଲେ କେବଳ ଡାକ୍ତର ସଲିମ୍ ହିଁ ଏହାର ସଫଳ ଅସ୍ତ୍ରୋପଚାର କରି ପାରିବେ । ଆମ ପାଖରେ ଏତେ ଟଙ୍କା କାହିଁ ,ଆମେ ଡାକ୍ତର ସାରଙ୍କୁ ଭେଟିବୁ ! ! ଫାତିମା ମୁହଁରୁ ଏ କଥା ଶୁଣି ଆଗନ୍ତୁକ ଜଣକ ଛଳଛଳ ଆଖିରେ କହିଲେ- ଏବେ ମୁଁ ଜାଣିଲି ,କାହିଁକି ମୋ କାରଟି ପବିତ୍ର ପୀଠ ଜାହାନିଆଁ ପୀରଙ୍କ ପର୍ଯ୍ୟନ୍ତ ନଯାଇ ଏଇଠି ଖରାପ ହୋଇଗଲା । ମା'ରେ ମୁଁ ହିଁ ଡାକ୍ତର ସଲିମ୍ ।ଏକଥା ଶୁଣି ପୁନମ୍ ଭାବ ବିହ୍ବଳ ହୋଇ କାନ୍ଦ ି କାନ୍ଦ ି କହୁଥିଲା -ଡାକ୍ତରବାବୁ ,ଆପଣଙ୍କୁ ମା ମଙ୍ଗଳା ଅଟକେଇ ଦେଲେ ନା ପୀର ଯାହାନିଆଁ ସାହେବ୍ ଏଇଠି ଅଟକି ଯିବାକୁ କହିଲେ ! ଡାକ୍ତରବାବୁ ଛଳଛଳ ଆଖିରେ ଆଲ୍ଲାଙ୍କୁ ଡାକୁଥିଲେ । ଫାତିମା ତା ବାବାଙ୍କୁ କୁଣ୍ଢେଇ ଗଦ ଗଦ୍ ହୋଇ ଅସ୍ପଷ୍ଟ ସ୍ବରରେ କହୁଥିଲା-ହେ ଆଲ୍ଲା ତୁ ବହତ୍ ବଡା ମେହେରବାନ୍ ହେ ।
