ତୁମଭଳି ଝିଅଟିଏ ନିମି
ତୁମଭଳି ଝିଅଟିଏ ନିମି


ହାତଘଡ଼ିଟି ମିଳୁ ନ ଥିବାରୁ ଈଷିକାର ମନ ଭାରି ଦୁଃଖ । କେତେ ଖୁସିରେ ସେ ଆଜି ମାଆଙ୍କ ହାତଘଡ଼ିଟି ପିନ୍ଧି ସ୍କୁଲକୁ ଆସିଥିଲା । ସୁନା ରଙ୍ଗର ସରୁ ଚେନଵାଲା ଘଡିଟି ତା ହାତକୁ କେତେ ସୁନ୍ଦର ମାନୁ ଥିଲା। ଖେଳ ଛୁଟିରେ ଧାଁ ଧପଡ଼ ବେଳେ କାଳେ ଭାଙ୍ଗିଯିବ ବୋଲି ସେ ତାକୁ ସ୍କୁଲବ୍ୟାଗ ଭିତରେ ରଖି ଦେଇ ଯାଇଥିଲା । ହେଲେ ଏବେ ଆସି ଦେଖେ ତ ଘଡ଼ିଟି ନାହିଁ !
ସେ ନିଜ ସ୍କୁଲ ବ୍ୟାଗ ସାରା ଖୋଜି ସାରିଲାଣି ।ସହପାଠୀମାନଙ୍କୁ ବି ପଚାରି ବୁଝିଲାଣି ; କିନ୍ତୁ ନିଖୋଜ ଘଡି ବିଷୟରେ କେହି କିଛି ବି ଜାଣନ୍ତି ନାହିଁ। କେତେଜଣ ତା ପ୍ରତି ସମବେଦନା ଜଣାଉଛନ୍ତି । ବ୍ୟାଗ ଭିତରେ ଘଡି ଛାଡିକି ଯିବା ଉଚିତ ନ ଥିଲା ବୋଲି ଆଉ କିଏ କିଏ କହୁଛନ୍ତି । ଶ୍ରେଣୀର ସବୁ ସହପାଠୀଙ୍କୁ ଜଣେଇବା ପରେ ବି ଘଡି ମିଳିଲା ନାହିଁ । ଏବେ ସେ କ'ଣ କରିବ ? ଘରେ ମାଆଙ୍କୁ ଏ କଥା କେମିତି ଜଣେଇବ ! ଚିନ୍ତାକରି ଈଷିକାର ଆଖିରେ ଲୁହ ଜକେଇ ଆସିଲା ।
ଏତିକି ବେଳକୁ ଶ୍ରେଣୀ ଭିତରକୁ ପ୍ରବେଶ କଲେ ନମିତା ଦିଦି । ପଢା ଆରମ୍ଭ ପୂର୍ବରୁ ସବୁଦିନ ପରି ଆଜି ବି ପିଲାଙ୍କ ସୁବିଧା- ଅସୁବିଧା ବିଷୟରେ ପ୍ରଶ୍ନ କଲେ ସେ । ପ୍ରଣତି ତୁରନ୍ତ ଉଠିପଡ଼ି ଈଷିକାର ଘଡ଼ି ହଜିଯିବା ବିଷୟରେ ଜଣାଇଲା ।
ଈଷିକା ଠାରୁ ସବୁ କଥା ଆଉଥରେ ଶୁଣି ନମିତା ଦିଦି ଦୀର୍ଘଶ୍ଵାସ ପକାଇଲେ। ପଚାରିବାରୁ ସମସ୍ତ ଛାତ୍ରୀ ଛାତ୍ର ଘଡିଟିକୁ ଦେଖି ନାହାନ୍ତି ବୋଲି ଜଣେଇଲେ। କିଛି ମୁହୂର୍ତ୍ତ ଚିନ୍ତା କରି ନମିତା ଦିଦି କହିଲେ ," ଈଷିକା ହାତଘଡିଟି ହଜିଯିବା ଦୁଃଖର ବିଷୟ। ତେବେ ଏ ଘଟଣା ଅନୁରୂପ ଆଉ ଏକ କାହାଣୀ ମୋର ମନେ ପଡି ଯାଉଛି। ପାଠ ପରେ ପଢିବା,ଏବେ ଗପଟିଏ କହୁଛି, ମନଦେଇ ଶୁଣ ।"
"ଛୋଟ ଝିଅଟିଏ ନିମି । ବୟସ ସାତ ବର୍ଷ ହେବ। ବଖୁରିକିଆ ଚାଳ ଛପର ଘରେ ସେ ମାଆ ସାଙ୍ଗରେ ରହେ । ରୋଗରେ ପଡ଼ି ତା' ବାପା ଚାଲିଯାଇଥା'ନ୍ତି ଆର ପାରିକୁ । ଅନ୍ୟଘରେ ମୂଲଲାଗି ମାଆ ଯାହା ରୋଜଗାର କରେ , ସେଇଥିରେ ସେମାନେ ଚଳନ୍ତି ।
ଏତେ ପରେ ବି ଦଇବର ଦେହ ସହିଲାନି ।ସେ ପୁଣି ନିମି ଉପରେ ଦାଉ ସାଧିଲା ।ଦିନେ ବୈଦେହୀ ଆଈର ବିଲରେ କାମ କରୁଥିବା ବେଳେ ନିମି ମାଆର ମୁଣ୍ଡ ବୁଲାଇବାରୁ ସେ ତଳେ ପଡ଼ିଗଲା ।ଯେତେ ଉଠାଇଲେ ମଧ୍ୟ ଆଉ ଉଠିଲାନି । ଏଥର ପୂରା ଅନାଥ ହୋଇଗଲା ନିମି ।
ଗାଆଁ ଲୋକଙ୍କ ନିଷ୍ପତ୍ତି ଅନୁସାରେ ନିମିର ବଡ଼ବାପା ତା'ର ଦାୟିତ୍ୱ ନେବାକୁ ରାଜି ହେଲେ । ସେଇଦିନଠାରୁ ସେ ତାଙ୍କରି ଘରେ ରହିଲା । ହେଲେ ତାଙ୍କ ପରିବାରର ସ୍ଥିତି ବି ସେମିତି ଉଜ୍ଜ୍ବଳ ନୁହେଁ। ଖଟିଲେ ଯାଇ ଖାଇବାକୁ ମିଳେ। ନିମି ଆସିବା ପରେ ତାଙ୍କ ଘରେ ବୋଲହାକ କରି ଚଳିଲା ।ଘରଓଳା ଠାରୁ ବାସନମଜା ଆଉ ନଳକୂଅରୁ ପାଣି କାଢ଼ିବା ଯାଏ କାମ କଲା। ଏପରିକି ତାକୁ ଛେଳି ଚରେଇବାକୁ ପଡିଲା । ସେ ବିନା ଅଭିଯୋଗରେ ମନ ଲଗେଇ କାମ କଲା। ପ୍ରଥମେ ପ୍ରଥମେ ବହୁତ କଷ୍ଟ ଲାଗୁଥିଲା, ହେଲେ କ୍ରମେ ସବୁ ଦେହସୁହା ହୋଇଗଲା।
ଅନ୍ୟଦିନ ଭଳି ସେଦିନ ମଧ୍ୟ ନିମି ଛେଳିକୁ ଚରାଇ ସାରିବା ପରେ, ନଈକୁ ଗାଧୋଇବାକୁ ଗଲା । ଖରାଦିନ,ନଈରେ ଅଳ୍ପ ପାଣି । ଗାଧୋଉ ଗାଧୋଉ ସେ ଦେଖି ପାରିଲା, ନଈ ବାଲିରେ କ'ଣ ଗୋଟାଏ ଚିକ ଚିକ କରୁଛି ।ମୁଠାଏ ବାଲି ସହ ଉଠାଇ ଆଣିଲା ପରେ ଦେଖିଲା- ହଳଦୀ ରଙ୍ଗର ଗୋଟାଏ ଚେନ (ହାର)। ପାଖରେ ଗାଧୋଉଥିବା ଆଉ କେତେଜଣ ସ୍ତ୍ରୀ ଲୋକ ତାକୁ ପରଖି କରି କହିଲେ ,
"ତୋ ଭାଗ୍ୟ ଖୋଲିଗଲା ଲୋ ନିମି , ମୋଟା ହାରଟିଏ ପାଇଲୁ।ଏଇଟା ସାଧାରଣ ପିତଳ ନୁହେଁ ସୁନାରେ ତିଆରି । ଏଥରକ ତୋ ଦୁଃଖ ଗଲା । ବିକିଦେଲେ ଢେର ଟଙ୍କା ପାଇବୁ । ନ ହେଲେ ବଣିଆ ପାଖରେ ଗଢ଼ି କାନରେ ବେକରେ ନାଇବୁ । ତୁ ଟା ଭାରି ଲକ୍ଷ୍ମୀବତୀ ଲୋ ନିମି ।"
ଏ କଥା ଶୁଣି ନିମି ବହୁତ ଖୁସି ହେଲା ପରି ଜଣା ପଡିଲାନି ବରଂ ଡବ ଡବ କରି ଚାହିଁଥାଏ ।ସତରେ ସେଇଟା ସୁନାହାର ! ସେଇଠୁ ସେ ଦର ଗାଧୁଆ ହୋଇ ସିଧା ଘରକୁ ଗଲା।
'କାହାର ହୋଇପାରେ ଏ ହାର ! ହଜିଗଲାପରେ ସେ ତ ୟାକୁ ଖୋଜୁଥିବ ! ନ ପାଇ କେତେ ମନଦୁଃଖ କରୁଥିବ ।' ନିମି ମନରେ ଅନେକ ଭାବନା ।ହାରଟିକୁ ସେ କନାରେ ଗୁଡ଼ାଇ ଠଣାରେ ରଖିଦେଲା ।
ଅପରାହ୍ଣରେ ପଡ଼ୋଶୀ ଘରର ପୂର୍ଣ୍ଣିମା ଖୁଡ଼ୀ ନିମିର ବଡ଼ମା' ପାଖକୁ ବୁଲିବାକୁ ଆସିଲେ ।ସେ କହିଲେ,
" ମୋ ଝିଅ ଲଳିତା ଏବେ ସ୍କୁଲରୁ ଫେରିଲା। ନଈରେ ଗାଧେଇବା ବେଳେ ସୁନାହାରଟା ହଜି ଗଲା ବୋଲି, ତାଙ୍କ ରୁକ୍ମଣୀ ଦିଦି ଆଜି ବହୁତ ମନ ଦୁଖ କରୁଥିଲେ ବୋଲି ସେ କହିଲା।"
ପୂର୍ଣ୍ଣିମା ଖୁଡ଼ୀଙ୍କ କଥା ଶୁଣି ନିମି ଚମକି ପଡ଼ିଲା।ସେ ଦୌଡ଼ିଯାଇ ଠଣାରେ ରଖିଥିବା ହାରକୁ କାଢ଼ି ବଡ଼ମା' ଆଗରେ ଦେଖାଇ ପଚାରିିିଲା,
"ଏଇଟା ସେଇ ହାର ନୁହେଁ ତ ?"
ହାରକୁ ଦେଖି ନିମି ବଡ଼ମା'ର ଆଖି ଖୋସି ହୋଇ ଗଲା । ସେ ନିମି ହାତରୁ ହାରଟିକୁ ଝିଙ୍କି ନେଉ ନେଉ କହିଲା, " କାହିଁ ଦେଖେଇଲୁ-ଦେଖେଇଲୁ , ଇଲୋ ହେଇଲୋ, ଭାରି ସୁନ୍ଦର ଦିଶୁଛି ତ ! ଦେ ଦେ, ଏଥରକ ମୁଁ ୟାକୁ ବେକରେ ନାଇବି ।"
"ନାଇଁ ବଡ଼ମା' । ମୁଁ ଏ ହାର ରୁକ୍ମିଣୀ ଦିଦିଙ୍କୁ ଫେରେଇ ଦେବି । ତାଙ୍କ ଦାମୀ ସୁନାହାର ହଜାଇ ସେ କେତେ ମନଦୁଃଖରେ ଥିବେ ।" ନିମି ହାରକୁ ମୁଠାଇ ଧରି ଟିକେ ପଛକୁ ଘୁଞ୍ଚିଯାଇ କହିଲା ।
"ଛୋପରି ଝିଅ ,ତୋ ବାପା,ମାଆ ଯିବା ଉତ୍ତାରୁ କିଏ ତୋତେ ପାଳି ପୋଷି ରଖିଛି ? ମୁଁ-ନା ସେ ଦିଦି ? ସେମିତି କଲେ ତୋ ଦାନା ପାଣି ବନ୍ଦ କରିଦେବି କହୁଛି, ହ...ଅଁ....।"
" କରିଦେ ପଛକେ ।ଏଇଟା ଯାହାର ଜିନିଷ , ମୁଁ ତାକୁ ନ ଦେଇ ତତେ କେମିତି ଦେବି ? "
କହିସାରି ସେ ହଠାତ ବୁଲିପଡ଼ି ଦୌଡ଼ିଲା ବାହାରକୁ । ଦିଦିଙ୍କ ଘରର ରାସ୍ତା ପଚାରି ପଚାରି ଯାଇ ପହଞ୍ଚିଲା ରୁକ୍ମିଣୀ ଦିଦିଙ୍କ ଘର ପାଖରେ ।କବାଟ ଠକ ଠକ କଲା। ଦରଜା ଖୋଲିଲେ ଜଣେ ମଧ୍ୟ ବୟସ୍କ ମହିଳା ।
" ତମେ ରୁକ୍ମିଣୀ ଦିଦି ତ ! " ଧଇଁ ସଇଁ ହୋଇ ପଚାରିଲା ନିମି।
" ହଁ, କ'ଣ ହେଲା ? ତୁମେ କିଏ ? ଏମିତି ବ୍ୟସ୍ତ ହୋଇ ମୋତେ କାହିଁକି ଖୋଜୁଛ ? " ନିମିକୁ ଚାହିଁ ରୁକ୍ମିଣୀ ଦିଦି ଓଲଟି ପ୍ରଶ୍ନ କଲେ ।
" ସେ କଥା ପରେ କହିବି। ଆଗ ଦେଖିଲ ଦିଦି, ଏଇଟା ତୁମ ହାର କି? ଆଜି ନଈରେ ଗାଧୋଉଥିବା ବେଳେ ମୁଁ ୟାକୁ ପାଇଛି । ତୁମର ଯଦି ନିଅ। " ନିମି ଏକା ନିଃଶ୍ବାସରେ କହିଗଲା ।
ରୁକ୍ମିଣୀ ଦିଦି ତା' ହାତରୁ ହାର ନେଇ କହିଲେ , "ହଁ,ଏଇଟା ତ ମୋ ସୁନାହାର, ମୁଁ ୟାକୁ ହଜେଇ କେତେ ଖୋଜିଛି...।" ଦିଦିଙ୍କ ମୁହଁ ଉଜ୍ଜ୍ଵଳ ଦିଶିଲା। ସରାଗରେ ପଚାରିଲେ, "ତୋ ନାଁ କ'ଣ ଲୋ ଝିଅ ? ଘର ଭିତରକୁ ଆ।"
" ଦିଦି, ମୋ ନାଆଁ ନିମି । ବାପା,ମାଆ ନାହାଁନ୍ତି ; ଅନାଥ ଝିଅଟେ। ବଡ଼ବାପାଙ୍କ ଘରେ ରହେ । ଆଜି ଛେଳି ଚରେଇ ସାରି-ନଈରେ ଗାଧୋଇବା ବେଳେ ଏଇ ହାରଟିକୁ ପାଇଲି ।କେତେଜଣ କହିଲେ ,ଏଇଟା ସୁନାହାର ବିକିଲେ ବହୁତ ଟଙ୍କା ପାଇବୁ। ନ ହେଲେ ଗଢ଼ି କରି କାନରେ ବେକରେ ନାଇବୁ ।ମୋ ବଡ଼ମାଆ ବି କହୁଥିଲା, ବେକରେ ପିନ୍ଧିବାକୁ ।ତାକୁ ନ ଦେଲେ ସେ ମୋତେ ଖାଇବାକୁ ଦେବନି ବୋଲି କଡ଼ା କରି ଶୁଣେଇ ଦେଲା । ହେଲେ ମୁଁ ଯେମିତି ଶୁଣିଲି ଏଇଟା ତମର, ସେଇଠୁ ତ ସିଧା ଧାଇଁଛି ଫେରେଇବାକୁ ।ଏବେ ତୁୁୁମେ ହାର ରଖ। ମୁଁ ଯାଉଛି ।" ନିମି ଉତ୍ତରରେ କହିଲା ।
ନିମିର କଥା ଆଉ କାମରେ ଖୁସି ହୋଇ ପୁରସ୍କାର ଭାବେ କିଛି ଟଙ୍କା ତା ହାତରେ ଗୁଞ୍ଜି ଦେଲେ ଦିଦି। ହେଲେ ସେ ଟଙ୍କା ନେବାକୁ ସିଧା ମନା କଲା।
ଦିଦି ନିମିର ମୁଣ୍ଡରୁ ପାଦ ଯାଏ ଆଉଥରେ ନଜର ପକାଇଲେ । ପିନ୍ଧା ପୋଷାକରେ ଦାରିଦ୍ର୍ୟର ଛାପ ସ୍ପଷ୍ଟ ।
ପୁଣି ବାପା, ମାଆ ଛେଉଣ୍ଡ ।ଏତେ ଛୋଟ ଛୁଆ, ହେଲେ କେତେ ଉଚ୍ଚ ବିଚାର- ସଚ୍ଚୋଟ ଆଉ ସୁଧାର !
ରୁକ୍ମିଣୀ ଦିଦି ତା' ମୁଣ୍ଡକୁ ଆଉଁଶି ଦେଇ କହିଲେ ,
"ମାଆଲୋ, ତୁ ସିନା ହାର ଫେରେଇ ତୋ କାମ ସାରି ଦେଲୁ, ମୋର ବି କିଛି ଦାୟିତ୍ବ ଅଛି କି ନାହିଁ! ଚାଲ, ତୁମ ଘରକୁ ଯିବା।"
ସେ ନିମି ସାଥିରେ ତାଙ୍କ ଘରକୁ ଗଲେ । ବଡ଼ବାପା ଓ ବଡ଼ମା'ଙ୍କ ସହ ନିମି ବିଷୟରେ କଥା ହେଲେ। ପାଖ ପଡୋଶୀ ଆଉ ଅନ୍ୟମାନଙ୍କ ପାଖରୁ ଖବର ନେଲେ।
କିଛି ଦିନ ପରେ ନିମିର ବଡବାପା ଓ ଗ୍ରାମର ଭଦ୍ରଲୋକଙ୍କ ଉପସ୍ଥିତିରେ, ବୁଝାମଣା କରି ସେ ତାକୁ ନିଜ ଘରକୁ ନେଇ ଆସିଲେ । ନିମି ରୁକ୍ମିଣୀ ଦିଦିଙ୍କର ଝିଅ ହୋଇ ରହିଲା । ତା' ସାଧୁତା ପାଇଁ ସେ ପୁଣିଥରେ ମାଆଟିଏ ପାଇଲା। ତାର ଦୁଃଖ ଦୂରେଇ ଗଲା। ଅନ୍ୟ ପିଲାଙ୍କ ପରି ସେ ସ୍କୁଲ ଗଲା। ଆଉ ପାଠପଢ଼ି ସାରି ଜଣେ ଶିକ୍ଷୟିତ୍ରୀ ବି ହେଲା ।
ଯଦି ନିମି ସେଇ ସୁନାହାରକୁ ଲୋଭକରି ବିକି ଦେଇ ଟଙ୍କା ଆଣିଥା'ନ୍ତା କିମ୍ବା ନିଜେ ପିନ୍ଧିଥା'ନ୍ତା ହୁଏତ କିଛି ଦିନ ଖୁସିରେ ଚଳିଥା'ନ୍ତା ; କିନ୍ତୁ କେବେ ହେଲେ ରୁକ୍ମଣୀ ଦିଦିଙ୍କ ସ୍ନେହ ପାଇଥାନ୍ତା କି? ନା ପାଠଶାଠ ପଢ଼ି ଭଲ ମଣିଷ ହୋଇପାରି ଥା'ନ୍ତା ?
ପିଲାମାନେ ସ୍ତବ୍ଧ ହୋଇ ଶୁଣୁଥା'ନ୍ତି । ଦିଦି ଟିକେ ଅଟକି ଯାଇ କହିଲେ ,
"ପିଲାଏ, କାହାଣୀଟି କେମିତି ଲାଗିଲା? ତୁମେ ନିମିକୁ କେବେ ଦେଖିଛ କି?"
ପିଲାଏ ମୁଣ୍ଡ ହଲାଇ ମନା କଲେ। ଦିଦି ଟିକିଏ ହସି ଦେଇ କହିଲେ,
"ଏଇ ପରା ନିମି! ଏଇ ସତ କାହାଣୀର ମୁଖ୍ୟ ଚରିତ୍ର ନିମି ବର୍ତ୍ତମାନ ତୁମ ସମ୍ମୁଖରେ ଉପସ୍ଥିତ ।ସେ ନିମି ଆଉ କେହି ନୁହେଁ, ମୁଁ ନିଜେ। ତୁମ ନମିତା ଦିଦି ।"
ପିଲାଏ ଆଖି ବଡକରି ଦିଦିଙ୍କୁ ଚାହିଁଲେ। ଏତିକି ବେଳକୁ ପିରିୟଡ଼ ଶେଷ ହେବାର ଘଣ୍ଟି ବାଜିଲା। ଦିଦି ଶ୍ରେଣୀରୁ ବାହାରି ଯିବା ପୂର୍ବରୁ କହିଲେ,
"ସାଧୁତାର ଫଳ ସବୁବେଳେ ମିଠା । ଚୋରି କିମ୍ବା ଲୋଭର ଫଳ କେବେ ବି ଆନନ୍ଦଦାୟକ ନୁହେଁ। ଶୀଘ୍ର ହେଉ କି ବିଳମ୍ବରେ, ତୁମ କାମର ଫଳ ତୁମକୁ ନିଶ୍ଚିତ ମିଳିବ। ତୁମ ଭିତରୁ ଯଦି କିଏ ଈଷିକାର ହାତ ଘଡ଼ିଟିକୁ ଦେଖିଛ ବା ପାଇଛ କିମ୍ବା ଲୋଭରେ ଚୋରିକରି ନେଇ ଯାଇଛ, ତା'ହେଲେ ଠିକ କରିଛ ନା ଭୁଲ କରିଛ - ନିଜେ ନିଜକୁ ପଚାରିବ।"
ତା' ପରଦିନ ଶ୍ରେଣୀ ଆରମ୍ଭ ହେବା ବେଳକୁ, ଈଷିକାର ହାତ ଘଡ଼ିଟି ନମିତା ଦିଦିଙ୍କ ଟେବୁଲ ଉପରେ ଥିଲା।