pratap nayak

Others

3  

pratap nayak

Others

ଟିକିଏ ମିଛ

ଟିକିଏ ମିଛ

2 mins
14.4K


ପିଲା ବେଳର ସାଂଗ ରଘୁଆର ଝିଅ ସରିତାର ଆଜି ବାହାଘର ।

ସବୁକିଛି ହେଳାରେ ହେଳାରେ ଚାଲିଥାଏ,ବୁଝିବାକୁ କିଏ ଅଛି ଯେ......

ସମୟର ତାଡନାରେ ତା ବାପାର ଅନୁପସ୍ଥିତ... ମତେ ଦେଖି ଅନୁଭବ କରୁଛି ଝିଅଟି.....

ମଉସା ତ ଡାକିଲାନି,ବାପା ଡାକି ଛାତିରେ ମିଶିଗଲା କଇଁ କଇଁ ହୋଇ,କେତେ ଆଉ ସମ୍ଭାଳି ପାରିଥାନ୍ତି ନିଜକୁ । ରୁମାଲରେ ଆଖି ପୋଛି ନଉ ନଉ କଥାକୁ ଭିନ୍ନ ପ୍ରସଂଗରେ ବଦଳେଇବାକୁ ଚେଷ୍ଟା କଲି ।

ବର ଆସିଲା,ଚର୍ଚ୍ଚା ପରେ ସବୁ ଠିକ୍ ଠାକ୍ ।ଝିଅ ବିଦାବେଳେ ମୋ ପତ୍ନୀ ବି ସେଠାରେ ରହି ତାଙ୍କ ପାରୁ ପର୍ଯ୍ୟନ୍ତ କାମ କରିଛନ୍ତି,ସରିତା ମା ବେହୋସ୍ ହୋଇଗଲେ,ତାଙ୍କର ସେବା ଶୁଶ୍ରୂଷା ସବୁ ଆମ ପରିବାର ଉପରେ......।

ଗଲାବେଳେ ସରିତା କାନ୍ଦ କାନ୍ଦ ହୋଇ ଦି'ପଦ କଥା ହୋଇ ଥିଲା ମୋ ସହିତ । ମଉସା ଆପଣ ଆଜି ଯାହା କଲେ ମୋ ବାପା ଥିଲେ ଏପରି କରିପାରିଥାନ୍ତେ କି ନାହିଁ ସଂଦେହ।

ଭାବନା ରାଜ୍ୟକୁ ଫେରିଯିବାକୁ ବାଧ୍ୟ ହେଲି ମୁଁ । ତୁ କଣ ଜାଣିଛୁ ତୋ ବାପାର ଏ ଅବସ୍ଥା ପାଇଁ ମୁଁ ଦାୟୀ ବୋଲି । ତା ବାପା ମୋ ସ୍କୁଲରେ ପିଅନ ଆଉ ମୁଁ ପ୍ରଧାନ ଶିକ୍ଷକ,ବାହାରେ ସାଂଗ ହେଲେ ବି ସ୍କୁଲରେ ମୁଁ ତା ବସ୍।

ସେଦିନ ଇନସ୍ପେକସନରେ ଡି ଇ ଓ ଆସିବେ ବୋଲି ତାଙ୍କ ଟିଫିନ୍ ପାଇଁ ବଜାରକୁ ପଠେଇ ଥିଲି ମୁଁ ରଘୁଆକୁ । ଡେରି ହେବାରୁ ବାଧ୍ୟ ହୋଇ ମୁଁ ବଜାରକୁ ଯାଆନ୍ତେ,ଶିଘ୍ର ଫେରୁ ଫେରୁ ତା ସାଇକେଲ ମୋ ଗାଡିରେ ବାଜିଲା, ଆଉ ମୋ ଆଖିକୁ ଜଳ ଜଳ ଅନେଇ କିଛି କହିବା ଆଗରୁ ମତେ, ମୋରି କୋଳରେ ତା ବାପାର ଜୀବନ ଚାଲିଗଲା । ଏକଥା କେହି ନଜାଣିଲେ ବି ମୁଁ ଜାଣିଛି କିନ୍ତୁ ମୁଁ ମୋ ନିଜକୁ ବଂଚେଇବାକୁ ଯାଇ କେଉଁ ଏକ ଅଜଣା ଗାଡି ଧକ୍କାରେ ତା ପ୍ରାଣ ଯାଇଛି ବୋଲି ମୁଁ ହାଲ୍ଲା କରିଦେଲି ।ଧକ୍କା ଯାଗାରେ ଅନ୍ୟ କେହି ନଥିବାରୁ ମୋ କଥାକୁ ସମସ୍ତେ ବିଶ୍ୱାସ କରିନେଲେ।

ସେହି ଦିନଠୁଁ ମୁଁ ଆଜି ପର୍ଯ୍ୟନ୍ତ ନିଜକୁ ନିଜେ କ୍ଷମା କରିପାରିନାହିଁ ।ଅବେଳରେ ସରିତା ମାଆର ଚୁଡି ଭାଙ୍ଗିଛି, ତା ମଥାର ସିନ୍ଦୂର ପୋଛି ହେଇ ଯାଇଛି ମୋରି ପାଇଁ,ବାପ ଛେଉଁଣ୍ଡ ହେଇଛି ସରିତା।

ମୋବାଇଲ ରିଂ ହେଲା,ସରିତା ସେପଟରୁ ନମସ୍କାର କଲା,ତା ଶାଶୁ ଘର କଥା କହିଲା ,ଜଣା ପଡୁଛି ସେ ସେଠାରେ ବହୁତ ଖୁସିରେ ଅଛି,ତାପରେ ତା ସ୍ୱାମୀକୁ ମୋବାଇଲ ଦେଇ କହିଲା ମଉସା ନିଅନ୍ତୁ ମୋ ବର ସହ କଥା ହୁଅନ୍ତୁ।

ନମସ୍କାର କଲେ ସରିତାର ବର,ମୁଁ ଆପଣଙ୍କ ବିଷୟରେ ସବୁ ଶୁଣି ସାରିଛି ମଉସା,ଆଜି ଠାରୁ ଆପଣ ଆମର ବାପା ହେଲେ ,ମାଉସୀଙ୍କୁ କହିଦେବେ ନା ନା ବୋଉଙ୍କୁ କହିଦେବେ ଆମେ ଅଷ୍ଠମଙ୍ଗୁଳାରେ ଆଗେ ଆପଣଙ୍କ ଘରକୁ ଯିବୁ ତାପରେ ଯାଇ ସରିତା ମାଆଙ୍କ ପାଖକୁ.....

ଫୋନ କାଟି ଡାକ ପକେଇ କହିଲି ,ହେଇଟି ଶୁଣୁଛ ,ସରିତା ବର କହୁଛି ଆମେ ତାଙ୍କର ମଉସା ମାଉସୀ ନୋହୁଁ ବାପା ବୋଉ।

ପତ୍ନୀ କହିଲେ ସେହି କଥା ମୁଁ ତୁମକୁ କହିବି କହିବି ହୋଇ କହିପାରୁ ନଥିଲି ,ହଉ ପିଲା ତ କହିଦେଲେ । ଆମର ତ କେହି ପିଲାପିଲି ନାହାଁନ୍ତି........

ତାଙ୍କ ଆଖିରେ ଜକେଇ ଆସିଥିବା ଦୁଇଟୋପା ଲୁହକୁ ମୁଁ ହାତରେ ପୋଛିଦେଇ ଛାତି କି ଆଉଜେଇ ନେଇ କହଲି ରଘୁଆ ପିଅନ ତା ଝିଅ ଜ୍ଵାଇଁକୁ ମୋର ପୁଅ ଝିଅ କରିଗଲା ,ମୁଁ ତ ପୁଅ ଝିଅ ପାଇଲି,ସ୍ୱର୍ଗ ସୁଖ ପାଇଲି ହେଲେ ସରିତାର ମା କଣ ପାଇଲା ,କଣ ପାଇଲା ସେ ମୋଠାରୁ ....

ଟିକିଏ ମିଛ!!!

ଯାହାକୁ ସେ ସତଶିଦ୍ଧ ମାନିନେଇଛି ମନେ ମନେ......

ସାହାସ କଲି ,ଅଷ୍ଠମଙ୍ଗୁଳାରେ ସରିତା ଆଉ ତା ବର ଆସନ୍ତୁ ସେହି ଦିନ ମୁଁ ମୋ ପତ୍ନୀଙ୍କୁ ନେଇ ସରିତା ଘରକୁ ଯିବି ।ସମସ୍ତଙ୍କ ଆଗରେ ଦୋଷ ମାନିଯିବି ।ହଁ ହଁ ଦୋଷ ମାନିନେବି।


Rate this content
Log in