Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Satyabati Swain

Others

2  

Satyabati Swain

Others

ଟିକେ ଛାଇ ଟିପେ ଆଲୁଅ

ଟିକେ ଛାଇ ଟିପେ ଆଲୁଅ

7 mins
535


ହେ ମୋ ପ୍ରିୟ ଷ୍ଟୋରିମିରର ! ତୁମ ପାଇଁ ଏ ବଣ ମଲ୍ଲୀର ମହକ ମହକି ଛୁଇଁ ଯାଏ କିଛି ମଣିଷ ଅନ୍ତର । ତୁମେ ମୋତେ ଦେଇଛ ଗୋଟେ ପରିଚୟ । ତୁମ ପାଇଁ ମୋ ନିଜ ଉପରେ ଆସିଛି ଯଥେଷ୍ଟ ବିଶ୍ୱାସ ଓ ଆସ୍ଥା । ମୁଁ ଅଭିମାନେ ଛାଡି ଦେଇଥିଲି କଲମ । ମରି ଯାଇଥିଲା ମୋ ଲେଖିକା ପଣ । ତୁମେ ମୋ କଲମେ କାଳି ଭରି ଦେଲ ଜୀବନ୍ୟାସ । ହଁ "ମୁଁ ଲେଖି ପାରେ" ମୋ ଭିତରେ ଭରିଲ ଏ ଦୃଢତା ଓ ସାହାସ ।

ସାତ ବର୍ଷର ନହକା ବେତ ପରି ଛୁଆଟିଏ ଦଶହରା ବିଷୟରେ ରଚନା ଲେଖିଥିଲା ଅଠର ଫାଳ ।  ଦଶହରା ଛୁଟି ପୂର୍ବରୁ ଏଇ ରଚନାଟି ଲେଖି ଆଣିବାକୁ ଦେଇଥିଲେ ସ୍ୱର୍ଗତ ଚିରପ୍ରାତଃ ସ୍ମରଣୀୟ ଗୁରୁ ଶ୍ରୀ ଗୋଲେଖ ଚନ୍ଦ୍ର ମହାପାତ୍ର ।  ବିଦ୍ୟୁତ ବେଗରେ ଖେଳିଗଲା ଏଇ ଖବର ବକଟେ ଛୁଆ ରଚନା ଲେଖିଛି ଅଠର ଫାଳ!!ଲାଗୁଛି ସୁନ୍ଦର ଗପଟିଏ । ପଢିବା ଆରମ୍ଭ କଲେ ଶେଷ ଯାଏ ଯିବାକୁ ବାଧ୍ୟ ହେବ ଯେ କେହି । ଖାତାଟି ଏ ସ୍କୁଲରୁ ସେ ସ୍କୁଲ ଘୁରି ବୁଲିଲା । ସବୁ ପିଲାଙ୍କୁ ସାର୍ ମାନେ ଦେଖାଇ କହିଲେ 'ଦେଖ କଣ ଲେଖିଛି ସାତ ବର୍ଷର ଛୁଆ । ଯେଉଁ ବୟସରେ ସାତ ଧାଡି ଠିକ୍ ଭାବେ ତା ବୟସର ଛୁଆ ଲେଖିବା ଅସମ୍ଭବ ।  ବୋଧେ କେହି ଡାକିଛି ତା ଘରେ ସେ ଲେଖିଛି । ହାଇ ସ୍କୁଲ ଯାଏ ଏ କଥା ଗଲା ।

ହାଇ ସ୍କୁଲ ସାର୍ ତାକୁ ପରୀକ୍ଷା କରିବା ପାଇଁ ଡକାଇଲେ । ପଞ୍ଚମରୁ ଏକାଦଶ ଯାଏ ସବୁ ଛୁଆଙ୍କୁ' 'ମୋ ଗାଁରେ ବର୍ଷା ଋତୁ' ରଚନା ଲେଖିବାକୁ ଦିଆ ଗଲା । ଦୁଇ ଶହରୁ ଉର୍ଦ୍ଧ ପିଲାଙ୍କ ମଧ୍ୟରେ ସେଇ ବତାସ ବାଡ଼ିଆ ହଲୁଥିବା ଛୁଆଟି ଲେଖା ପ୍ରଥମ ହେଲା । ସେଇ ସାତ ବୟସରେ ସେ ଲେଖିଥିଲା ।

"ବର୍ଷା ଆକାଶରୁ ଝରେ । ଯେମିତି ମୋ ମୋ ଦାଦା ଖୁଡିଙ୍କୁ ମାରିଲା ବେଳେ ଖୁଡି ଆଖିରୁ ବୁହେ ଲୁହ ।  ଆକାଶ କାନ୍ଦେ କି କଣ ମୋ ଖୁଡି ପରି । ବର୍ଷା ଝରିଲେ ପଖିଆ ଛତା, ହଳ ଲଙ୍ଗଳ, ପାଞ୍ଚଣ ଖୋଜନ୍ତି ଦାଦା ଓ ରାମ କାକା ଆମ ଘରେ ଯେ କାମ କରନ୍ତି । ବଳଦଙ୍କୁ ଫୁରସତ ନଥାଏ । ବୋଉ କୋଲଥ ବାଟେ, ସିଝାଏ ତାଙ୍କ ପାଇଁ । ଗଛ ମାନେ ଶାଗୁଆ ପତରର ଚାଦର ଘୋଡେଇ ହୋଇ ପଡନ୍ତି । ଜୁଆଡକୁ ଚାହିଁଲେ ଚିଲିକା ମୟ ଦିଶେ ।  ସବୁଆଡେ ପଚ ପଚ କାଦୁଅ । ଇନ୍ଦ୍ରଧନୁ ଆକାଶ ମୁହଁର ହସ ବଢିଆ ଦିଶେ । ମୋତେ ଭାରି ଡର ଲାଗେ ଘଡ଼ ଘଡିକୁ । ଝାଡା ଯିବାକୁ ଜମା ଇଛା ହୁଏନି କାଦୁଅ ଚକଟି ଦଣ୍ଡାକୁ ଯିବାକୁ । ବୋଉ ଫେଶି ଚାଉଳ ଭାଜିଦିଏ । ଗରମ ଗରମ ମକା ପୋଡା,କଖାରୁ ମଞ୍ଜି ଭଜା ଖାଇବା ମଜା ଭାରି ଭଲ ଲାଗେ ।  ଦାଣ୍ଡ ପିଣ୍ଡାରେ ବସି ଖଇଁ କୁଲାରେ ଘଷି ମୁଣ୍ଡି ଖଇ ଖାଇବା କଥା ବଢିଆ ଲାଗେ । ଓଲିରୁ ପାଣି ନିଗିଡି ସିଧା ଧାରର ଓଳି ତଳେ ପହଁଣି କିଏ ଖୋଳିଲା ପରି ହୋଇଯାଏ ।  ଦୁଆର ପାଣି ନଳା ମୁହଁରେ ଯାଇ ସୁଅ କରେ । ମୋ ଭାଇ ଓ ମୁଁ କାଗଜ ଡଙ୍ଗା କରି ଭସେଇ ଦେଉ । ଆମ ଗାଁରେ ସବୁ ଛୁଆ ଏମିତି କରନ୍ତି । ମୁଁ ତ ହାତ ମେଲି ଚକା ଚକା ଭଉଁରୀ ଖେଳେ ।  ଵୋଉ ଗାଳି କରେ ଜର ହେବ ବୋଲି । ନାଳ ଆଡକୁ ଆନାଇଁଲେ ସମସ୍ତଙ୍କ ବିଲରେ ତିନିଟା ମୁଣ୍ଡ ଦିଶେ; ହଲୁଆ ଓ ଦୁଇ ବଳଦଙ୍କର ।  ଦଧିବାମନ ଠାକୁର ଦାଣ୍ଡ କଦମ୍ବ ଗଛ ତଳେ ଅଜାଡି ହୋଇ ପଡେ କଦମ୍ବ ଫୁଲ ।  ସବୁରି ଚାଳ ଉପରେ ଧୂଆଁ ଉଠି ଉପରକୁ ଯାଉଥାଏ ମୋ ଅଜାର ପିକା ଧୂଆଁ ପରି । ବର୍ଷା ଋତୁରେ ମୋ ଗାଁ ପାଣି,କାଦୁଅ ଶାଗୁଆ ଛନ ଛନ ଦିଶେ । ମୋ ଗାଁର କେଉଁ ଲୋକ ଘଡଘଡ଼ିକୁ ଡରନ୍ତି ନାହିଁ ମୋ ପରି । ବଡ଼ ଲୋକ ମାନେ ସବୁବେଳେ ଵିଲରେ କାଦୁଅ ପଙ୍କରେ ସମସ୍ତେ ବଳଦ ସହ ଗାଧୋଇ ଥାଆନ୍ତି ।  ଲଗା ତର ବର୍ଷା ହେଲେ ଗାଈ,ଛେଳି ବାହାରକୁ ଯାଇ ପାରନ୍ତି ନାହିଁ ଚରିବାକୁ । ଖାଲି ରଡି ଛାଡ଼ନ୍ତି । ବଗୁଲା ପତର ଛେଳି ପାଇଁ ଓ ଚାକୁଣ୍ଡା ପତ୍ର ଗାଈ ଗୋରୁଙ୍କ ଆଣି ଖାଇବାକୁ ଦିଆ ଯାଏ । ରାତି ହେଲେ ଭାରି ଡର ଲାଗେ । ବେଙ୍ଗ ଗୁଡା ଜୋରେ ରଡି ଛାଡ଼ନ୍ତି । ବାଡିରେ ଭାଡିରେ ଓହଳି ପଡନ୍ତି ଛଚିନ୍ଦ୍ରା,ଜହ୍ନି,କାକୁଡି । ଆମେ ଜହ୍ନି ଫୁଲ ଠୋ ଠା କାକୁଡି ଫୁଲ ଠୋ ଠା କହି ଖେଳୁ ।  ଖଡା,କଖାରୁ ଡଙ୍କ ରାଇ କରେ ବୋଉ । ମୁଗ ଡାଳି ରସୁଣ ଛୁଙ୍କ ବାସ୍ନା ଓ ଗରମ ଭାତ ପେଟେ ଖାଇଦେଇ ରାମ କାକା ହେକୁଡି ମାରେ । ମୋତେ ବର୍ଷା ଋତୁ ବହୁତ ଭଲ ଲାଗେ । ଆମ ଗାଁ ବି ବର୍ଷାକୁ ଭଲ ପାଏ ।"

ହାଇ ସ୍କୁଲ ପ୍ରଧାନ ଶିକ୍ଷକ ସେଇ ଛୁଆଟିର ପିଠି ଥାପୁଡ଼ାଇ କହିଥିଲେ ସାବାସ! ଏ ଛୁଆଟା ଦିନେ ଲେଖା ଲେଖି କରିବ । ଶହେ ଟଙ୍କା ପୁରସ୍କାର ବି ଦେଇଥିଲେ । ଯଦିଓ ଲେଖା ଲେଖି କଣ ବୁଝି ପାରୁନଥିଲା ସେଇ ବୟସରେ ।

ଛୁଆଟି ଆସ୍ତେ ଆସ୍ତେ ବଡ଼ ହେଲା । ଦଶମ ଶ୍ରେଣୀ ପୂଜାସ୍ପଦ ଦେବେନ୍ଦ୍ର ରଥ ଦିନେ କହିଲେ ପିଲେ ଲେଖିଲ 'ଅନୁସରିତ' ପଦ୍ୟର ସାରାଂଶ । ତେର ବର୍ଷ ବୟସର ଅନୁଢ଼ା କିଶୋରୀ ସେଇ ନହକା ହଲୁଥିବା ପିଲାଟି ଦଶ ମିନିଟିରେ ଲେଖିଦେଇଥିଲା ସାତ ଫର୍ଦ୍ଦ । ସାର୍ ଚକିତ ହୋଇ କହିଲେ ତୁ ଘରୁ ଲେଖି ଆଣିଥିଲୁ କି! ପଢିଲେ ତନ୍ନ ତନ୍ନ କରି ଏବଂ କହିଲେ ଗୋଟେ ଉଜ୍ଜ୍ୱଳ ଭବିଷ୍ୟତ ତୋ ଅପେକ୍ଷାରେ । କୌଣସି ପରିସ୍ଥିତିରେ ବି ଛାଡ଼ିବୁ ନାହିଁ ଏ ଲେଖା ଗୁଣ । କିଏ କହିବ ତୁ ଦିନେ ଲେଖକ ନହେବୁ!" । ସେତେବେଳେ ବି ଅବୁଝା ଥିଲା ଅପେକ୍ଷା ଓ ଭବିଷ୍ୟତ ପୁଣି ଲେଖକ ।

ରେଭେନ୍ସା +୨ ପ୍ରଥମ ବର୍ଷ ମେଗାଜ଼ିନ୍ ପାଇଁ ଲେଖା ଦେବାକୁ ନୋଟିସ୍ ବୋର୍ଡ଼ରେ ମରଗଲା । ଆଦ୍ୟ ଯୌବନ ଛୁଇଁଥିଲା ଛୁଆଟିକୁ ।  ସେଇ ବୟସ ଟି ଅନେକ ଆଶ୍ଚର୍ଯ୍ୟ ପ୍ରଶ୍ନର ଉତ୍ତର ନିଜ ଭିତରେ ଅଣ୍ଡାଳୁଥିବା ଅବୁଝା ବୟସ ।  ସ୍ୱପ୍ନ ରେ ଭରପୁର ମନ,ମସ୍ତିଷ୍କ । ଗପଟିଏ ଦେଇଥିଲା 'ଆକାଶେ ଆଷାଢ଼' ।  ଅନୁଭୁତିର ଗୋଟେ ରିକ୍ସା ଵାଲା ଉପରେ ଯାହା ସହ ସେ ଡିହସାହିରୁ ବସ୍ ଷ୍ଟାଣ୍ଡରୁ ଘରକୁ ଯାଉଥିଲା କଲେଜ ଛୁଟି ହେଲେ ।  ଚହଳ ପକାଇଥିଲା ଗପଟି ଓ ପ୍ରଥମ ପୁରସ୍କାର ପାଇଥିଲା । ସେବେଠୁ ରେଭେନ୍ସା ରେ କେଶବ ସାର୍ ଭୀମ ସେନ ସାର୍ ସେ ପିଲାଟିକୁ ଡାକିଲେ 'କବି' । ହଷ୍ଟେଲର ପଦ୍ମଜା ଅପା ଇଙ୍ଗିଲିସ୍ରେ ପିଜି କରୁଥିବା ଜଣେ ଛାତ୍ରୀ ସେ ପିଲାକୁ ଡାକି କହିଲେ,"ଏତେ ଫିଲୋସୋଫିକାଲ୍ ଥଟ୍ କେଉଁଠୁ ପାଉଛ,ଏତେ ସାନ ପିଲା ହୋଇ!" ପିଲାଟି ଉତ୍ତର ଥିଲା "ଜାଣିନି" ।

ତାପରେ ପିଲାଟି +୨ ଦ୍ୱିତୀୟ ବର୍ଷ 'ଅୟସ କାନ୍ତ' ମେଗାଜ଼ିନର ଯୁଗ୍ମ ସମ୍ପାଦିକା ହେଲା । ସେଇଠି ନିଜ ଇଛାର ଉଡାଣ ଭରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳିଲା ତାକୁ । ତାପରେ +୩ ଶେଷ ବର୍ଷକୁ ସେ ହେଲା ସମ୍ପାଦିକା । କଲେଜ ତରଫରୁ ମିଳିଲା ତାକୁ ଗୋଟିଏ ପାସ୍ । ଯାହାକୁ ଦେଖାଇ ସେ ସଚିବାଳୟରେ ମନ୍ତ୍ରୀ, ଗଭର୍ଣ୍ଣର୍ ବି ଏନ୍ ପାଣ୍ଡେ, ଭାଇସ୍ ଚ୍ୟାନ୍ସେଲେର୍ ବି ବି ଦେଓଙ୍କୁ ଦେଖା କରି ମ୍ୟାସେଜ୍ ଆଣି ପାରିଥିଲା । ମାନ୍ୟବର ବି ଏନ୍ ପାଣ୍ଡେ ପିଠି ଥାପୁଡ଼େଇ କହିଥିଲେ "ୟୁ ଠୁଁ ୟଙ୍ଗ । ହାଓ କ୍ୟାନ୍ ମ୍ୟାନେଜ୍ ସଚ୍ ଏ ଡିଫିକଲଟ୍ ଟାକ୍ସ୍ ! ୟୁ ହାଵ୍ ଏ ବ୍ରାଇଟ୍ ଫିୟୁଚର୍ । ମାଇଁ ବ୍ଲେସିଙ୍ଗ୍ ଉଇଥ୍ ୟୁ" । ସେତେବେଳେ ବି ବ୍ରାଇଟ୍ ଫିୟୁଚର୍ ବୁଝିବା ମୁସ୍କିଲ୍ ଥିଲା ତା ପାଇଁ ।

ଲେଖକ ନିତ୍ୟାନନ୍ଦ ମହାପାତ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସେତେବେଳେ ରହୁଥାଆନ୍ତି ଶ୍ରୀୟା ଟକିଜ୍ ଲେବର୍ କଲୋନୀରେ । ତାଙ୍କ ପାଖକୁ ମ୍ୟାସେଜ୍ ଟିଏ ପାଇଁ ଯାଇଥିଲି । ଦୁଃଖରେ ଭାଙ୍ଗି ପଡୁଥିଲା ଯୁବ ସୁଲଭ ମନ ପିଲାଟିର ତାଙ୍କୁ ଦେଖି । ସେ ପକ୍ଷଘାତ ପୀଡିତ । ଆଖିରେ ମୋଟା କଳା ଫ୍ରେମ ଚଷମା ତଳ ଆଖି କିନ୍ତୁ ପିଲାଟି ପଢି ପାରିଥିଲା ।  ପଚାରିଲା ହାତ ଅଚଳ କେମିତି ଲେଖନ୍ତି ସାର୍? ସେ ପକ୍ଷାଘାତକୁ ତାଛଲ୍ୟ କରି ବେପରୁଆ ଢଙ୍ଗରେ କହିଲେ, "ଭାଷା ମୋର କଲମ କିନ୍ତୁ ମୋ ମିସେସ୍ ଙ୍କର ।  ରୋଗ ଭାବିଥିଲା ମୋତେ ଭାଙ୍ଗିଦେଵ ମୁଁ ଆଉ ଲେଖି ପାରିବି ନାହିଁ । କିନ୍ତୁ ସେ ଜାଣି ନାହିଁ ଜଣେ ଲେଖକ କାହାକୁ ଡରେନି କି ଆତ୍ମ ସମର୍ପଣ କରେନି" । ତାଙ୍କ ଦୃଢୋକ୍ତି ଶୁଣି ପିଲାଟିର ପିଲା ମନ ଖୁବ୍ ପ୍ରଭାବିତ ହୋଇଥିଲା ସେଦିନ । ସେ ସଶକ୍ତ ହେଲା ସେବେଠୁ ।

ସେଇଠୁ ପରିଚିତ ହେଲେ ଚିର ପୂଜ୍ୟା ପ୍ରତିଭା ଶତପଥୀ, ପତିଭା ରାୟ, ବୀଣା ପାଣି ମହାନ୍ତି, ବୀଣା ପାଣି ଦେବୀ, ଅନ୍ନ ପୂର୍ଣ୍ଣା ଦେବୀ ଓ ଆହୁରି ଅନେକ ବିଶିଷ୍ଟ କବି । ସାତୋଟି ପ୍ରଶ୍ନ ପଚାରିଥିଲା ସେ ସଂପାଦିକା ହିସାବରେ ପ୍ରତିଭା ରାୟ, ପ୍ରତିଭା ଶତପଥି ଓ ବୀଣା ପାଣି ଦେବୀଙ୍କୁ ।  'ତ୍ରିବେଣୀ ସଙ୍ଗମ' ଦେଇଥିଲା ତାର ନାମ ଓ ଅୟସ କାନ୍ତର ପ୍ରଥମ ପୃଷ୍ଠା ମଣ୍ଡନ କରିଥିଲା ସେଇ ଲେଖାଟି ।  ସ୍ୱାଧୀନତା ସଂଗାମୀ ମାଳତୀ ଚୌଧୁରୀଙ୍କୁ ଭେଟିଥିଲା ସେ ମହାନଦୀ ବିହାର ବାସ ଭବନରେ । ସେ ଏତେ ଖୁସି ହୋଇ ଯାଇଥିଲେ ତାକୁ ଦେଖି ଓ କୋଳେଇ ନେଇ କହିଲେ ବୟସ କେତେରେ ଧନ । ପିଲାଟିର ଉତ୍ତର ଥିଲା "ଅଠର" ।  ମାତ୍ର ଅଠର ବର୍ଷରେ ତୁମେ ଏତେ ବାଟ ଆଗେଇ ଆସି ପାରିଛ! । "ମୋତେ ଲାଗୁଛି ଦେଶ ସତରେ ସ୍ୱାଧୀନ ହୋଇଛି ଓ ମୋ ଦେଶର ନାରୀ କେଇ ପାଦ ଆଗେଇ ଆସିଲେଣି ଘର କୋଣ ଛାଡି" ମାଳତୀ ଚୌଧୁରୀ ଗଦଗଦ ହୋଇ କହିଥିବା ଏ କଥା ଏଯାଏ ମନେ ଅଛି ପିଲାଟିର ।

ତାପରେ ଯୋଡି ହୋଇ ଯାଇଥିଲା ସେ ମଧୁବାଣୀ, ସୁଚରିତା, ଉର୍ମି, କୈବଲ୍ୟ ଏମିତି କେତେ ପତ୍ରିକା ସହ । ସରିଗଲା ଏ ମ୍ ବି ଏ ଡ଼ି । ମରିଗଲା ସେଇ ପିଲାଟିର ଲେଖିକା ମନ । ଦୀର୍ଘ ଦଶ ପନ୍ଧର ବର୍ଷ କୁମ୍ଭ କର୍ଣ୍ଣ ପରି ଶୋଇ ପଡ଼ିଲା । ଚାକିରୀ,ବିବାହ, ଶାଶୁଘର, ପିଲା ସମ୍ଭାଳିବାରେ । ଯେଉଁଟା ତା ଚାହିଁବା ଚଲା ବାଟ ନଥିଲା । ସେଇ ବାଟର ବାଟୋଇ ହେବାକୁ ଆତ୍ମା ସ୍ୱୀକୃତି ଦେଉ ନଥିଲା । କିନ୍ତୁ ସେ ଥିଲା ପାଞ୍ଚ ପିଲାଙ୍କ ଭିତରେ ସବୁଠୁ ସାନ ଓ ଯାହାର ବାପା ହୃଦଘାତରେ ଚାଲି ଯାଇଥିଲେ ଆରପାରିକୁ । ଭାଇ ଭାଉଜଙ୍କ ଇଚ୍ଛାରେ ସେ ଛାଡ଼ିଦେଲା ଲେଖା । ଧରିଲା ଡଙ୍କି କରଚୁଲି ।

ଅନେକ ବର୍ଷ ପରେ ଜଗତସିଂହପୁର ଜ୍ଞାନପ୍ରଭା ବୁକ୍ ଷ୍ଟୋର ଓ ଗ୍ରାଫିକ୍ସର ସାନ ଭାଇ ପପୁ ଅନୁରୋଧ କଲା ଶିକ୍ଷଣ ମାର୍ଗ ଲେଖିବା ପାଇଁ ଶିକ୍ଷକ ମାନଙ୍କ ନେଇ ।  ତୃତୀୟରୁ ଅଷ୍ଟମ ଯାଏ ଲେଖା ଗଲା ଶିକ୍ଷଣ ମାର୍ଗ ଦର୍ଶକା ପୁସ୍ତକ । ଅପରାଜିତା ମାମ୍ ଶିକ୍ଷା ସଚିବ ଥିଲେ ସେତେବେଳେ । ଶିକ୍ଷକଙ୍କ ମଧ୍ୟରେ କୋକୁଆ ଭୟ ।  ସେଠି ତାକୁ ଦିଆଗଲା ଲେଖିବାକୁ ଇଙ୍ଗିଲିସ୍ ବିଭାଗ । ମାତ୍ର ପନ୍ଦର ଦିନ ମଧ୍ୟରେ ରାତି ଦିନ ଲେଖିଲା ସେ ।  ସେ ପୁସ୍ତକ ଆଶାତୀତ ବିକ୍ରୀ ପୁଣି ସାରା ଓଡ଼ିଶାରେ 'ଶିକ୍ଷଣ ମାର୍ଗ ଦର୍ଶକା' ଆଦୃତ ହେଲା । ତାପରେ 'ଶିକ୍ଷଣ ବ୍ୟାଙ୍କ୍', କୋଶ୍ଚିନ୍ ବ୍ୟାଙ୍କ୍ ଓ 'ସହଜ' ବି ଲେଖିଲା ସେ ତରୁଣୀ, ଶିକ୍ଷିକା ସଂସାରୀଟି ।

ରେଭେନ୍ସା ଗ୍ରୁପ ଆଣିଲା ତା ଜୀବନରେ ଅଦ୍ଭୁତ ପୂର୍ବ ମୋଡ଼ ।  ଷ୍ଟୋରିମିରର ତାକୁ ଆଣି ଦେଲା ଗୋଟିଏ ନୂଆ ପରିଚୟ । ଲିଟ୍ରାରି ବ୍ରିଗେଡିୟର୍ । ଗଳ୍ପ ସଂକଳନଟିଏ ବି ପ୍ରକାଶିତ ହୋଇଗଲା ଇତ୍ୟବସରରେ । ଫେସବୁକ୍ ବି ଆହୁରି ଅଧିକ ଚିହ୍ନା ବଢ଼େଇଲା ତାର । ଗୁମୁରି ନିଃଶବ୍ଦେ କାନ୍ଦୁଥିବା ତା ମନ ପକ୍ଷୀ ପାଇନି କୌଣସି ଆୱାର୍ଡ; କିନ୍ତୁ ଖୁସି ଯେ ସେ ଲେଖି ପାରୁଛି କିଛି । ଖୋଲି ପାରୁଛି ତା ରୁଦ୍ଧଦ୍ୱାର ବାଣ୍ଟି ପାରୁଛି ତା ମନ ତଳ ସାଇତା କଥା । ଆଜିକାଲି ତା କଲମ ଖୁବ୍ ବ୍ୟସ୍ତ । ନିକଟରେ ଆଉ ଗୋଟେ ଗଳ୍ପ ସଂକଳନ ଓ ଜଣେ ବିୟୁଟିସିଆନ୍ ଜୀବନ ଯାତ୍ରା ଉପରେ ଆଧାରିତ ଉପନ୍ୟାସ ପ୍ରସବ ବେଦନାରେ ଲେବର୍ ରୁମ୍ ରେ ।

ଆଉ ସେଇ ଦଶହରା ରଚନା ଅଠର ଫାଳ ଲେଖିଥିବା ଛୁଆରୁ ରେଭେନ୍ସା ଅୟସ କାନ୍ତର ସମ୍ପାଦିକା ଯେ କି ଅଭିମାନ କରି କଲମ ଛାଡ଼ିଦେଥିବା ତେଳ ଲୁଣ ସଂସାର ଛାଇ ଆଲୁଅ ଭିତରେ ପେଷି ହୋଇ ଯାଉଥିବା, ଶିକ୍ଷକା, ଟିକେ ଟିକେ କଥାରେ ବ୍ୟସ୍ତ ହୋଇ ପଡୁଥିବା ବ୍ୟସ୍ତ ବିବ୍ରତର ପ୍ରଗଳ୍ଭ ହୃଦୟର ମଣିଷଟି ଲେଖିକା ମାନ୍ୟତା ପାଇଁ ନଥିବା ମୁଁ ଆପଣ ମାନଙ୍କର ସତ୍ୟବତୀ ସ୍ଵାଇଁ, ମୀନୁ ।  ଏଇ ମୋ କଲମ କାହାଣୀ ଟିକେ ଛାଇ ଟିପେ ଆଳୁଅର ଜୀବନ ଯାତ୍ରା । ଜାଣେନା କେତେ ଦିନ ଚାଲିବ ମୋ ନିର୍ବୋଧ କଲମ ଯାତ୍ରା ।


Rate this content
Log in