ତ୍ରିଶଙ୍କୁ ଅବସ୍ଥା
ତ୍ରିଶଙ୍କୁ ଅବସ୍ଥା
ରାଘବ ସନ୍ଧ୍ୟାରେ ଅଫିସ କାମ ସାରି ଘରକୁ ନଯାଇ ଅମିତ୍ ଘରେ ପହଞ୍ଚି ଗଲା I ନୂଆ ବର୍ଷର ଅଭିନନ୍ଦନ ଜଣାଇବା ପରେ ରାଘବ କିଛି ନ କହି ଚୁପ ଚାପ୍ ସୋଫା ଉପରେ ବସି ପଡ଼ିଲା। ରାଘବ ର ଏଭଳି ବ୍ୟବହାର ଆଗରୁ ଅନେକ ଥର ଅମିତ୍ ଲକ୍ଷ୍ୟ କରିଛି। ତେଣୁ ତାକୁ ବିଶେଷ ଆଶ୍ଚର୍ଯ୍ୟ ଲାଗିଲା ନାହିଁ। ଘର ଭିତରକୁ ଯାଇ ଅମିତ୍ ଦୁଇ ହାତରେ ଦୁଇ କପ୍ ଚାହା ଆଣି ପାଖ ଟିପୟ ଉପରେ ଥୋଇ ଦେଇ ରାଘବକୁ ଉଦ୍ଦେଶ୍ୟ କରି କହିଲା - ଭଲ ଥଣ୍ଡା ପଡିଛି ଏଥର। ଚାହା ଟା ଆଗ ସାରି ଦେ ତାପରେ ତୋ ମନର କଥା ପ୍ରକାଶ କରିବୁ। - ତୁ କେମିତି ଜାଣିଲୁ ମୁଁ କିଛି କହିବାକୁ ଆସିଛି। - ଜାଣିବି କଣ! ତୋ ଗମ୍ଭୀର ଭାବକୁ ଦେଖି ମୋତେ ସେମିତି ଲାଗୁଛି। - ତୁ ସତ କହୁଛୁ ଅମିତ। କିଛି ଘଟଣା ଏମିତି ଘଟି ଯାଉଛି ଯେ କଷ୍ଟ ନ ଲାଗିଲେ ବି ମନର ବୋଝ ହେଇ ରହି ଯାଉଛି ଯାହା ଧିରେ ଧିରେ ମୋର ବିରକ୍ତି ଭାବ କୁ ବଢେଇ ଦେଉଛି। - ହୋଉ, କହିବା ପାଇଁ ଆସିଛୁ ଯେତେବେଳେ କହିବୁ ତ ନିଶ୍ଚୟ। ଚାହାଟା ସେଥିପାଇଁ ନଷ୍ଟ ନ ହେଉ। ଏ ଥଣ୍ଡା ରେ ଗରମ ଗରମ ପିଇଲେ ସ୍ଵାଦ ସତେଜ ଥାଏ। - କହିବାର ଉତ୍କଣ୍ଠା ଅତିରିକ୍ତ ଥିଲା ବେଳେ ସ୍ଵାଦ କଣ ବାରି ହେବ। ମନର ଆଗ୍ରହ ଖାଦ୍ୟ ରେ ନଥିଲେ ଖାଦ୍ୟ ର ଋଚି କୋଉଠୁ ଆସିବ। ମୁଁ ବରଂ ଚାହାଟା ପିଇବା ସହିତ କଥା ଆରମ୍ଭ କରୁଛି। କଥା ସାମାନ୍ୟ ହେଲେ ବି ମୁଁ ହାଲୁକା ହେଇ ପାରୁନି। - ହୋଉ କହ! ମାଉସୀ ଠିକ ଠାକ୍ ଅଛନ୍ତି ତ। ଅମିତ ପଚାରିଲା I ଅମିତ ର କଥା ନ ସରୁଣୁ ରାଘବ କହିଲା - ମୁଁ ବୋଉ କଥା ହିଁ କହିବାକୁ ଆସିଛି। - କଣ ହେଇଛି ମାଉସୀଙ୍କର - କିଛି ହେଇନି। ବୋଉକୁ ନେଇ ଭାରି ବ୍ୟସ୍ତ ଲାଗୁଛି।-କଣ ପୁଣି ଶାଶୁ ବୋହୁ ଙ୍କ ଝଗଡା ! ଅଳ୍ପ ରୋଜଗାର ବ୍ୟକ୍ତି ର ସଂସାରରେ ମୁଖରା ସ୍ତ୍ରୀ ଓ ଅବୋଧ୍ୟ ମାତା ଅବଶ୍ୟ ଅଶାନ୍ତି ର କାରଣ I ସେ ଧନ ଦ୍ଵାରା କାହାର ସନ୍ତୋଷ କରି ପାରିବନି କି ତାର ଉପଦେଶ କାହାର ସନ୍ତୋଷ ର କାରଣ ହେବ ନାହିଁ I
ରାଘବ ମୁହଁ ଶୁଖେଇ କହିଲା - ତୁ ଠିକ୍ କହିଛୁ I ମୋତେ ଯେମିତି ଲାଗୁଛି ମୁଁ ଆଉ ପାରିବିନି। ଏମାନଙ୍କ କଳି ଭିତରେ ମୁଁ ଯେମିତି ପେଶୀ ହେଇ ଯାଉଛି। ନା ମୁଁ ସ୍ତ୍ରୀ କୁ କିଛି କହି ପାରୁଛି ନା ବୋଉକୁ। - ମାଉସୀ କଣ କଲେ? ମାଉସୀ ତ ସଦାବେଳେ ତୋ ପକ୍ଷ ନିଅନ୍ତି I - ହଁ! ନିଅନ୍ତି ବୋଲି ତ ବୋଉର ସବୁ କଥାକୁ ସୁନୀତା ଧରି ବସୁଛି। ବୋଉର ମୋ ପ୍ରତି ଅତ୍ୟଧିକ ସ୍ନେହ ସୁନୀତା ର ଦ୍ଵେଷର କାରଣ I ବୋଉ ମୋତେ ଖୁସି କରିବାକୁ ଯାଇ ଘରର ଖୁସି ନଷ୍ଟ କରୁଛି I ବୋଉକୁ ଯେତେ ବୁଝେଇଲେ ବି ସେ ବୁଝୁନି। ସେ ତାର ଯାହା କରିବା କଥା କରିବ, ଯାହା କହିବା କଥା କହିବ। ସୁନୀତା ମଧ୍ୟ ଅବସ୍ଥା କୁ ଅଣଦେଖା କରିବା ପାଇଁ ପ୍ରସ୍ତୁତ ନୂହେଁ I ମୋ ଖୁସି ଯେମିତି କାହା ପାଇଁ କିଛି ନୁହେଁ। ସମସ୍ତେ ନିଜ ନିଜ ଅଭିମାନ ଓ ଅହଙ୍କାର କୁ ମୁଣ୍ଡରେ ଧରି ବସିଛନ୍ତି I ଅମିତ୍ ମୁରୁକି ହସିବା ଦେଖି ରାଘବ କହିଲା - ହଁ ହସ୍। ତୋତେ ମୋଉକା ମିଳିଛି ହସିବାକୁ। ହସିବୁନି କାହିଁକି!ତୋ ଘରେ ସିନା ମାଉସୀ ମନ ବୁଝି ସବୁ କରି ଦେଉଛନ୍ତି। ଭାଉଜ ବି ସବୁ କଥାକୁ ଗ୍ରହଣ କରି ନେଉଛନ୍ତି ବୋଲି ତୋର ସେ ପୀଡା ନାହିଁ। ସନ୍ତୋଷ କରିବାର ଚେଷ୍ଟା ରେ ଅସନ୍ତୋଷ ର ପୀଡା ଅନୁଭୂତି ତୋର କୋଉଠି ଆସିବ!- କାହିଁକି! ମାଉସୀ ତ ରୋଷେଇ ବାସରେ ସାହାଯ୍ୟ କରନ୍ତି। - ସାହାଯ୍ୟ କଲେ କଣ ହେବ। ସାହାଯ୍ୟ କୁ ଠିକ ଭାବରେ ଜଣେ ଗ୍ରହଣ କରି ପାରିଲେ ତ! ବୋଉ ଯାହା କରିବ ସୁନୀତା ଖୁଣ କାଢିବ। ସୁନୀତା ଯାହା କରିବ ବୋଉ ର ପସନ୍ଦ ନାହିଁ। ସୁନୀତା ରୋଷେଇ କରି ସାରିଲେ ବୋଉ ମୋ ପସନ୍ଦର ଆଉ ଗୋଟିଏ କଣ କରିଦେବ। କହିବ ଏଇଟା ମୋ ପୁଅର ଭାରି ପସନ୍ଦ, ପିଲାଦିନେ ମୋ ହାତରୁ କେତେ ଖାଇଛି I ସୁନୀତା ସେଥିରେ ବିରକ୍ତ ହେଇ କହିବ- ପୁଅର ଯାହା ପସନ୍ଦ ଆଗ ତାହାଲେ କରନ୍ତୁ I ମୋତେ କାହିଁକି ଏତେ ଗୁଡ଼ାଏ କରିବାକୁ ପଡିବ I ବାସ୍ ସେଇଠୁ କଥା କଟାକଟି ଆରମ୍ଭ ହେଇଯିବ I ବୋଉ ମୋ ପାଇଁ ସ୍ନେହରେ କରୁଛି ଯେତେବେଳେ ମୁଁ ବାଧ୍ଯ ହେଇ ଚୁପ୍ ରହିଯାଏ I ମୁଁ କାହାକୁ କିଛି କହିପାରେ ନାହିଁ I
- ତୁ ସୁନୀତା କୁ ବୁଝେଇ କହୁନୁ ଏଥିରେ ତାର କ୍ଷତି କଣ ଅଛି! ବୋଉ ଯଦି ପୁଅ ପାଇଁ ସ୍ନେହ ରେ କଣ କଲେ ଭଲ କଥା। - ତୁ ସିନା ଭଲ କଥା କହୁଛୁ I ତା ପରଦିନ ସୁନୀତା ତା ପାଇଁ ରାନ୍ଧି ଦେଇ କହିବ - ବୋଉ ମୁଁ ମୋ ପୁଅ ପାଇଁ କରି ଦେଇଛି। ତମେ ତମ ପୁଅ ପାଇଁ କର। ବୋଉ ରାଗି ଯାଇ କହିବ - ତୁ କଣ ଆମ ପାଇଁ ଖାଲି ଭାତ ଡାଲି ରାନ୍ଧିଛୁ କି ? ତମେ ତ ତମ ପୁଅ ର ପସନ୍ଦ ବୋଲି କହି ରୋଷେଇ ଘରେ ପଶି କିଛି ନା କିଛି କରି ଦେଉଛ। ମୁଁ ସେଥିପାଇଁ ତମକୁ ଛାଡି ଦେଇଛି। ତମେ ଆଗ କରିସାର ତାପରେ ଦରକାର ହେଲେ ମୁଁ କରିବି I ଅଯଥା ଗୁଡ଼ାଏ କରିବା ରୁ ଖର୍ଚ୍ଚ ହେଉଛି I ବୋଉ କିନ୍ତୁ ବୁଝିବ ନାହିଁ I ସେ କିଛି ନକରି କହିବ - ତୁ କରିସାରିଲେ ମୋର ଇଚ୍ଛା ହେଲେ ମୁଁ କରିବି। ତୁ ମୋତେ ଅନେଇ ବସିବା ଦରକାର ନାହିଁ I ସୁନୀତା ମୁହଁ ଛିଞ୍ଚାଡି କହିବ, ଭଲ ନକର, ମୁଁ କରି ସାରିଲା ପରେ କିନ୍ତୁ କରିବନି I ଦିନେ ଅଧେ ଠିକ ଅଛି। ସବୁଦିନ ଏମିତି କରିବାଟା ବାଜେ ଖର୍ଚ୍ଚ। ଆମର କଣ ଧାନ ଚାଉଳ ଗାଁ ରୁ ଆସୁଛି ଯେ ମନ ଇଚ୍ଛା ଖର୍ଚ୍ଚ କରିବ I ତମ ସାନପୁଅ ତ ଗାଁରେ ସବୁ ଜମି ଖାଉଛି ଯେ ଚାଉଳ ମୁଠେ ମିଳୁନି। ଏଠି ପୁଅର ପସନ୍ଦ କହି ମନ ଇଛା ଖର୍ଚ୍ଚ କଲେ କେମିତି ହେବ!ବୋଉ ବି ଛାଡିବା ମଣିଷ ନୁହେଁ। ସେ ଦି ପାଦ ଚଢିକି କହିବ ମୁଁ ମୋ ପୁଅ ପଇସାରେ କରୁଛି ତୋ ମୁଣ୍ଡ କାହିଁକି ବଥାଉଛି। ସୁନୀତା ବି ଚୁପ ନ ରହି କହିବ - କରୁନ ଯାହା ପାରୁଛ କର। ମୁଁ ତମକୁ କେବେ ଅଟକାଇବି ନାହିଁ। ତମ ପୁଅ ପାଇଁ ଗୋଟିଏ ଆଇଟମ କାହିଁକି ଦୁଇ ଚାରିଟା କରି ପକାଅ। ଭଲ ତ ! ମୋତେ ଆଉ ବେଶି କିଛି କରିବାକୁ ପଡିବନି। କିନ୍ତୁ ଟିକିଏ ଆଗରୁ କରିଦେବ ଯେ ଆମେ ସମସ୍ତେ ସେଥିରେ ଚଳେଇ ଦେବା। ବୋଉକୁ ଅପମାନ ଲାଗିଲା। ସେ ଅଭିମାନ ରେ କଥା ହେଲା ନାହିଁ। -ବର୍ତ୍ତମାନ ତୁ କହ, ଉଭୟେ ଯଦି ଏମିତି ଟଣାଟଣି ହେଇ ମୋତେ ଝୁଣିବେ ମୁଁ କଣ କରିବି। ବୋଉ ରାଗରେ କିଛି ଦିନ ଆଉ ମୋ ପାଇଁ କିଛି କଲା ନାହିଁ। ସୁନୀତା ବି ଖୁସି। କିଛି ଦିନ ପାଟି ତୁଣ୍ଡ ବିନା ଭଲରେ ଚାଲିଲା। ମୁଁ ଭାବିଲି ମୋର ମାଙ୍ଗଳିକ ଦୋଷ ବୋଧେ ହଟିଗଲା। କିନ୍ତୁ ନା! କାଲି ଅଫିସରୁ ଫେରିଲା ବେଳେ ବୋଉ ଫୋନ୍ କରି ମାଛ ଟିକେ ଆଣିବାକୁ କହିଲା। ବୋଉର ମାଛ ପସନ୍ଦ ଭାବି ଆଣିଲା ବେଳକୁ ଘରେ ମୋ ପାଇଁ କାଳସର୍ପ ଯୋଗ ଯେମିତି ଅନେଇ ବସିଛି। ସୁନୀତା ଫଁ ଫଁ ହେଇ କହିଲା, ରାତି ନ'ଟାରେ ଏଗୁଡା ଘରକୁ କିଏ ଆଣେ। ଘରେ ରୋଷେଇ ସରିଲାଣି। ଫୋନ କରି ହେଲେ ମୋତେ ଟିକେ ପଚାରି ଥାଆନ୍ତ। କିଏ କରିବ ଏଇନେ?ବୋଉ ଯାହା ହେଉ ବାହାରି ପଡି କହିଲା ତୁ ବ୍ୟସ୍ତ ହ'ନା। ମୁଁ କରିଦେବି। ମୋର ଟିକେ ଭାତ ମାଛ ଖାଇବାକୁ ଇଛା ହେଲା ତ! ସୁନୀତା ଚଟକିନା କହିଲା - ମୁଁ କଣ ମନାକଲି ଖାଇବାକୁ। ମୋତେ ଆଗରୁ କହିଲନି ମୁଁ ଭାତ କରିଥାନ୍ତି। ଏବେ ମୁଁ ଯୋଉ ରୁଟି ତରକାରୀ ରାନ୍ଧିଛି କିଏ ଖାଇବ! ସୁନୀତା ର ପ୍ରଶ୍ନରେ ବୋଉ କହିଲା କାଲି ଖାଇଦେବା। କିଛି ସମୟ ପାଇଁ ମୁଁ ଭାବିଲି ବିପଦ ବୋଧେ ଟଳିଗଲା। କିନ୍ତୁ ମୋର ତ ଭାଗ୍ୟରେ ଗ୍ରହଣ ଲାଗି ସାରିଛି । ସୁନୀତା ପ୍ରସ୍ତୁତ ହେଇ ଥିଲା ପରି କହିଲା, ମୁଁ ଏମିତି ରୋଷେଇ କରି ବାସି ଖାଇ ପାରିବିନି। ମୁଁ ଆଉ ମୋ ପୁଅ ରୁଟି ଖାଇବୁ। ତମେ ମା ପୁଅ ସବୁ ମାଛ ଖାଇ ମନ ସନ୍ତୁଷ୍ଟ କର। ରୁଟି ଯାହା ବଳିବ କାଲି ଖାଇଦେବ। ବୋଉ ରାଗରେ ସେ ମାଛ ଆଉ କଲାନି। ସେମିତି ନଷ୍ଟ ହେଲା ଯାହା। ମୁଁ କାହାକୁ କଣ ବୁଝେଇବି କହ I - ତୁ ଭାଉଜ ଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲୁ ?- ହଁ କରିଥିଲି I ମୋତେ କହିଲା ନିଜେ ଆଗ ବୁଝିବାକୁ ଚେଷ୍ଟା କର I ମାଛ ରୋଷେଇ କରିଦେଲେ କଣ କାମ ସରିଗଲା I ଆଇଁଷ ବାସନ, ରୋଷେଇ ଘର ପୁଣି ଧୂଆ ହେବ କି ନାହିଁ!ଯଦି ଏତେ ମାଛ ଖାଇବାକୁ ଇଚ୍ଛା ଥିଲା ଆଗରୁ କଣ ଜାଣି ପାରିଲନି I ରାତି ନ'ଅଟା ରେ ମନ ହେଇ ଯାଉଛି I ବୋଉ ଙ୍କ ପାଇଁ ଯଦି ଏତେ ଚିନ୍ତା ତାଙ୍କ ପାଇଁ ମାଛ ଅର୍ଡର କରି ମଗେଇ ଥାନ୍ତ, ସେ ତାଙ୍କର ଖାଇଥାନ୍ତେ I ଘର ଦ୍ଵାର ଚୂଲି କିଛି ଆଇଁଷ ହେଇ ନଥାନ୍ତା I ସବୁ ଶୁଣି ସେଇଠୁ ଆଉ କହିବି କଣ! ମୁଁ କ୍ଲିନ୍ ବୋଲ୍ଡ I ଅମିତ୍ ହସିବା ଦେଖି ରାଘବ କହିଲା-ତୋ ଘରେ କଣ ଏମିତି ହେଉଛି ଯେ ତୁ ବୁଝିବୁ। ଅମିତ ଚୁପ ରହିବାରୁ ରାଘବ କହିଲା - କଣ ତୋ ପାଖରେ କିଛି ଉତ୍ତର ନାହିଁ ବୋଲି ହସି ଦେଲୁ I - ଉତ୍ତର ଅଛି କିନ୍ତୁ ସମାଧାନ ନାହିଁ। ଯଦି କେହି କାହାକୁ ଶୁଣିବାକୁ ବା ବୁଝିବାକୁ ପ୍ରସ୍ତୁତ ନୁହନ୍ତି ସେଠି ସମାଧାନ କୋଉଠୁ ଆସିବ। ମା ପୂଜନୀୟା ପତ୍ନୀ ପ୍ରାଣପ୍ରିୟା ଜୀବନର ସାଥୀ ମଧ୍ୟ। ସେମାନେ ଯଦି ନିଜେ ନ ବୁଝିବେ ସ୍ଵାମୀ କାହା ଭରସାରେ ବଞ୍ଚିବ । ଅପରିପକ୍ବତା ଅଭାବନୀୟ ମାନସିକତା କୁ ସ୍ରୁଷ୍ଟି କରେ I ଏଥିରୁ ତ୍ରାହି ପାଇବା ଏତେ ସହଜ ନୁହେଁ I ପ୍ରକୃତି ଗତ ପ୍ରକ୍ରିୟାରୁ ଯେଉଁ ସ୍ଵଭାବ ମଣିଷର ବ୍ୟକ୍ତିତ୍ୱରେ ନିର୍ଗତ ହୁଏ ତାହା ପ୍ରାରବ୍ଧ କିମ୍ବା ପରିବାରର ସଂସ୍କାରରୁ ଆସିଥାଏ। ମଣିଷ ଚେଷ୍ଟା ଦ୍ଵାରା କିଛି ବଦଳାଇ ପାରେ କିନ୍ତୁ ପ୍ରଥମଟି ଭୋଗ କରିବାକୁ ପଡ଼େ। ତେଣୁ ମୁଁ କହିବି ତୁ ପ୍ରତିକ୍ରିୟାଶୀଳ ହୋଇ ଉଭୟଙ୍କୁ ଶୁଣିବୁ। ବୋଉକୁ କଷ୍ଟ ହେଲା ପରି ତୋର କହିବାର କୌଣସି ଅଧିକାର ନାହିଁ I ବୋଉ ପାଇଁ ଯଦି ତୋତେ କଷ୍ଟ ହେଉଥାଏ ସେଇଟା ପ୍ରାରବ୍ଧ ଭାବି ସହି ଯିବାକୁ ହେବ I - ଆଉ ପତ୍ନୀ ପାଇଁ ଯଦି କଷ୍ଟ ହେଉ ଥାଏ I - ତାହାଲେ କଷ୍ଟକୁ ତୁଚ୍ଛ ଭାବି ଯାହା ଉଚିତ୍ ତାହା କରିବାକୁ ପଡିବ I ରାଗିଲେ ରାଗି ପାରିବୁ ସହିଲେ ସହି ପାରିବୁ I ତୁମେ ଦୁଇଜଣ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କଲେ ଚଳିବ କିନ୍ତୁ ବୋଉଙ୍କୁ କଷ୍ଟ ଲାଗିବା ଚଳିବ ନାହିଁ। ତୋ କଥା ମୋର ହୃଦବୋଧ ହେଉଥିଲେ ବି ଏଭଳି ପରିସ୍ଥିତିରେ ସ୍ଵାମୀର ଜୀବନ କଣ ବୀତସ୍ପୃହ ହେଇଯିବ ନାହିଁ!ଏଇଟା ତ ମୋ ଭଳି ସ୍ଵାମୀଙ୍କର ପାଇଁ ତ୍ରିଶଙ୍କୁ ଅବସ୍ଥା କହି ରାଘବ ଉଠିଲା I ଅମିତ ପାଖକୁ ଆସି ଧିରେ କହିଲା ତ୍ରିଶଙ୍କୁ ଅବସ୍ଥା ବି ଯିବ I ସେଥିପାଇଁ ଅଧିକ ରୋଜଗାର ଓ ଉପସ୍ଥିତ ବୁଦ୍ଧି ଆବଶ୍ୟକ I ରାଘବ ପଛକୁ ବୁଲି କ୍ଷଣେ ଚାହିଁଲା ଓ ବୁଝି ପାରିଲା ଭଳି ହସି ଦେଇ ପ୍ରସ୍ଥାନ କଲା I
