ABADHOOT PANDA

Others

3  

ABADHOOT PANDA

Others

ତେର ଆରମ୍ଭରୁ ଉଣେଇଶି ଶେଷ

ତେର ଆରମ୍ଭରୁ ଉଣେଇଶି ଶେଷ

3 mins
228


     

1974 ମସିହା କଥା l ସେତେବେଳେ ମୁଁ ଚୌଦ୍ୱାର ଓ.ଟି.ଏମ୍. ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର l ମୋର ବି ସେକ୍ସନ ଥିଲା l ଏ ସେକ୍ସନରେ ଝିଅ ଓ ପୁଅ ଉଭୟ ପଢ଼ୁଥିଲେ l ସେତେବେଳେ ମୋର ଜେଜେ ଜେଜେମାଆ ବାପା କକେଇ ସମସ୍ତଙ୍କ ସ୍ନେହ ଓ ଅନୁଶାସନରେ ବିଶେଷ ରୂପେ ବନ୍ଧା ଥିଲି ଯେହେତୁ ମୁଁ ଛଅ ଭାଇ ଦୁଇ ଭଉଣୀଙ୍କ ଉପରେ ଅର୍ଥାତ ପରିବାରର ସବା ବଡ଼ପୁଅ ଥିଲି l ଆମ ହାଇସ୍କୁଲ ଏକ ଆଦର୍ଶ ବିଦ୍ୟାଳୟ ଭାବେ ଟାଙ୍ଗୀ ଚୌଦ୍ୱାର ବ୍ଲକରେ ବିଖ୍ୟାତ ଥିଲା ଏବଂ ଆଦର୍ଶବାନ ଆଦର୍ଶବତୀ ଗୁରୁ-ଗୁରୁମାଆଙ୍କ ତତ୍ତ୍ୱ ଅବଧାନରେ ଉତ୍ତମ ରୂପେ ଆମର ଚାରିତ୍ରିକ ତଥା ଶିକ୍ଷାଗତ ବିକାଶ ସାଧନ ହୋଇ ଚାଲିଥିଲା l ଦଶମ ଶ୍ରେଣୀରୁ ଆମର ଏ ଓ ବି ସେକ୍ସନ ଏକାଠି ଚାଲୁ ହେଲା l ପୂର୍ବରୁ ଝିଅମାନଙ୍କ ସଂସ୍ପର୍ଶରେ ଆସିନଥିଲି, କାରଣ ଆମର ଗୁରୁଜନମାନଙ୍କର ସେତେବେଳେ କଡ଼ାକଡ଼ି ମନା ଥିଲା l


ଯେତେବେଳେ ସହଶିକ୍ଷାର ସୁଯୋଗ ଆସିଲା ସେତେବେଳେ ବିରୁଦ୍ଧ ଲିଙ୍ଗପ୍ରତି ଆକର୍ଷଣ ସ୍ୱାଭାବିକ ଥିଲା ଆମ ବି ସେକ୍ସନର ପିଲାମାନଙ୍କ ମଧ୍ୟରେ l ମାତ୍ର ଜଣେ କିଶୋରୀ ସହପାଠୀନୀ ବାନ୍ଧବୀ ସହ ସମ୍ମାନ ଯୋଗ୍ୟ ଦୂରତ୍ୱ ବଜାୟ ରଖି ଏପରିକି ବାର୍ତ୍ତାଳାପ କରିବାକୁ ମଧ୍ୟ ସଂକୋଚ ଲାଗୁଥିଲା l ଏଣେ ଆଦ୍ୟ ଯୌବନର ଟଙ୍କାର ଦେହମନ ଭିତରେ ଶିହରଣ ଖେଳାଉ ଥିଲେ ମଧ୍ୟ ଆମର ସାହସ ହେଉ ନଥିଲା ଜଣେ ବାଳିକା ଛାତ୍ରୀ ବା ଯେ କୌଣସି ତରୁଣୀଙ୍କ ଗାତ୍ର ସ୍ପର୍ଶ କରିବା ପାଇଁ ଛଳେ ବଳେ କୌଶଳେ l କେବଳ କମ୍ବାଇଣ୍ଡ କ୍ଲାସରେ ପାରସ୍ପରିକ ଦୃଷ୍ଟିରେ ଭାବବିନିମୟ କରିବାର ସୁଯୋଗ ମିଳୁଥିଲା l ସାର ପାଠ ପଢ଼ାଇଲା ବେଳେ ବେଳେ ସବୁଠାରୁ ସୁନ୍ଦର ସହପାଠିନୀଙ୍କ ଆଡ଼କୁ ମୋର ଦୃଷ୍ଟି ଆପେ ଆପେ ନିକ୍ଷେପିତ ହୋଇ ଯାଉଥିଲା l


ଦିନକର ଘଟଣା l ଶ୍ରୀ ଗୟାଧର ମାଝୀ ନାମକ ଜଣେ ଉଚ୍ଚକୋଟୀର ଆଦର୍ଶବାନ ଶିକ୍ଷକ ଆମକୁ ଭୂଗୋଳ ସାହିତ୍ୟ ଓ ଅଙ୍କ ପଢ଼ାଉ ଥିଲେ l ତାଙ୍କର ହାସ୍ୟ ରସାତ୍ମକ ଉପଦେଶ ଆମକୁ ଶ୍ରୁତିମଧୁର ଲାଗେ l ସେ ନିଜେ ଜଣେ ଉତ୍ତମ ଖେଳାଳୀ ଏବଂ ଖେଳ ଶିକ୍ଷକ ଥିଲେ l ଝିଅ ପୁଅମାନଙ୍କୁ ଅଲଗା ଅଲଗା ଶିକ୍ଷା ଦେଉଥିଲେ l ଛାତ୍ର ଛାତ୍ରୀମାନଙ୍କ ଚରିତ୍ରଗଠନ ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା l ସେ ଆଜି ସ୍ୱର୍ଗବାସୀ ହେଲେ ବି ଆମେ ତାଙ୍କର ମହତ୍ତ୍ୱ ଭୁଲିପାରିନୁ........... ଥରେ ପୂଜା ଛୁଟି ପରେ ସ୍କୁଲ ଖୋଲିଲା l ଆମେ ସମସ୍ତେ ଖୁସିରେ ଶ୍ରେଣୀରେ ଯୋଗ ଦେଲୁ l ସେଦିନ ପ୍ରଥମ ପିରିୟଡ଼ ସ୍ୱର୍ଗତ ମାଝୀ ସାରଙ୍କ ଥିଲା l ବିଷୟ ବସ୍ତୁ ଥିଲା ସାହିତ୍ୟ ପଦ୍ୟ " ଶକୁନ୍ତଳା "l ସାର ସାହିତ୍ୟ ପଢ଼ାଇଲେ ବେଳେ ହାତରେ ବହି ଧରି ଅଭିନୟ ସହ ପଢ଼ାନ୍ତି l ବଣମଧ୍ୟରେ ଦୁଷ୍ମନ୍ତଙ୍କ ସହିତ କଣ୍ଵ ଋଷି ସୁତା ଶକୁନ୍ତଳାଙ୍କ ପ୍ରଥମ ସାକ୍ଷାତ ବିଷୟ ପଦ୍ୟ ମଧ୍ୟରେ ଆସିଲା l ମୁଁ କାବ୍ୟ ଭିତରେ ସମ୍ପୂର୍ଣ୍ଣ ମଗ୍ନ ହୋଇ ଯାଇଥିଲି l ତେଣୁ ମୋର କୈଶୋର ଚିତ୍ତରେ ହଠାତ ପ୍ରଣୟ ଭାବର ଉଦ୍ରେକ ହେଲା ଏବଂ ମୋର ଚକ୍ଷୁ ଦୁଇଟି ମୋତେ ସବୁଠାରୁ ବେଶୀ ଭଲଲାଗୁଥିବା ଜଣେ ସହପାଠୀନୀଙ୍କ ଉପରେ ଅଜ୍ଞାତସାରରେ ନିକ୍ଷିପ୍ତ ହୋଇ ଯାଇ ଥିଲା ଆଉ ମୁଁ ନିଷ୍ପଲକ ଦୃଷ୍ଟିରେ ସେଇ ବାନ୍ଧବୀଙ୍କୁ ଚାହିଁ ରହିଥିଲି l


 ହଠାତ ମାଝୀ ସାରଙ୍କ- ଆରେ ଅବଧୂତ -ଗର୍ଜନ ମୋ କାନରେ ପଡ଼ିବାରୁ ମୋ ଧ୍ୟାନ ଭଙ୍ଗ ହେଲା ଏବଂ ସିଟରେ ଠିଆ ହୋଇ ପଚାରିଲି," ସାର କଣ ହେଲା? କାହିଁକି ପାଟି କଲେ? " ସେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ତୁମେ ବୋଲି ସମ୍ବୋଧନ କରନ୍ତି l ତାପରେ ସାର ଉତ୍ତର ଦେଲେ, " ତୁମର ଆଜି କଣ ଅସୁବିଧା? ପାଠରେ ଜମା ମନ ନାହିଁ! ଝିଅ ପିଲା ଉପରେ ନଜର ପକାଉଛ l ତୁମର ବର୍ତ୍ତମାନ ବିଦ୍ୟାର୍ଥୀ ଜୀବନ ଆଉ ତୁମେ ଅମନଯୋଗୀ ରହୁଛ l ଆଉ ଥରେ ମୁଁ ପଢ଼ାଇଲା ବେଳେ କୌଣସି ଝିଅ ପିଲାଙ୍କୁ ଚାହିଁଲେ ତୁମ ବାପାଙ୍କୁ କହିଦେବି l ତାପରେ ସାର ସମସ୍ତଙ୍କ ଆଡ଼କୁ ଚାହିଁ କହିଲେ, "ମନେ ରଖିଥାଅ ପିଲେ, ଟିନସ ଆର ଡେଂଜରାସ ଅର୍ଥାତ ତେରବର୍ଷରୁ ଉଣେଇଶି ବର୍ଷ ବୟସ ପର୍ଯ୍ୟନ୍ତ ସମୟକାଳ ଅତୀବ ମାରାତ୍ମକ କାରଣ ଏହି ସମୟରେ ସାମାନ୍ୟ ଚାରିତ୍ରିକ ଅର୍ଥାତ ଯୌନସ୍ଖଳନ ତୁମର ଛାତ୍ର ଜୀବନକୁ ନଷ୍ଟ କରିବା ସହ ଭବିଷ୍ୟତ ଅନ୍ଧାର କରିଦେବ l ତେଣୁ ଆଜି ଠାରୁ ସତର୍କ ହୋଇଯାଅ l ନଚେତ ନିଜର ପିତାମାତାଙ୍କୁ ମାନସିକ କଷ୍ଟ ଦେବା ସହ ସମଗ୍ର ଜ୍ଞାତି କୁଟୁମ୍ବଙ୍କ ମନରେ ମଧ୍ୟ ତୁମ ପ୍ରତି ନିରାଶା ଭାବ ସୃଷ୍ଟି କରିଦେବ l"


 ସେହି ଦିନ ଠାରୁ କାନ ମୋଡ଼ି ହୋଇ ଏକାଗ୍ର ଚିତ୍ତରେ ବିଦ୍ୟା ଅଧ୍ୟୟନ କରିଚାଲିଲି ଏବଂ ଆମ ମାଝୀ ସାରଙ୍କ ବଚନର ତାତ୍ପର୍ଯ୍ୟତା ଆଜି ମୁଁ ଅଙ୍ଗେ ଅଙ୍ଗେ ଉପଲବ୍ଧି କରୁଛି l ବେଳେ ବେଳେ ମୋ ନାତି ନାତୁଣୀଙ୍କ ଜିଜ୍ଞାସୁ ମନର ଚାହିଦା ପୂରଣ କରିବାରେ ସମର୍ଥ ହୋଇ ପାରୁଛି l ଆଉ ତୁଳନାତ୍ମକ ଦୃଷ୍ଟି ଭଙ୍ଗୀରେ ବିଚାର କରୁଛି - ସତେ କେତେ ମନୋରମ ପ୍ରେରଣା ଦାୟକ ଥିଲା, ଆକାଶଜାଲ ଦୂରଭାଷ କମ୍ପ୍ୟୁଟରବିହୀନ ଆମର ଶିକ୍ଷାନବିଶ ଜୀବନ ଆଉ ଆମ ପୁରୁଣା ଦୁନିଆ l..................

       ***********



Rate this content
Log in