Prasanta kumar Hota

Others

4  

Prasanta kumar Hota

Others

ସୁମିତ୍ରାଙ୍କ  ନିର୍ମାଲ୍ଯ

ସୁମିତ୍ରାଙ୍କ  ନିର୍ମାଲ୍ଯ

9 mins
245



ସୁମିତ୍ରା ଦେବୀ ସକାଳୁ ସକାଳୁ ତର ତର ହୋଇ ପୂଜା କାମ ସବୁ ସାରି ଦେଇ ସୁନୀ କୁ ଡାକ ପକାଇଲେ - ଆରେ ସୁନୀ! ନିର୍ମାଲ୍ଯ କୋଉଠି ରଖିଲୁ, ମୁଁ ପାଉନି I 

ସୁନୀ ଗାଧୁଆଘର ଭିତରେ ଥାଇ କହିଲା- ହଁ ବୋଉ ଯାଉଛି I ଆଉ ଦୁଇ ମିନିଟ୍ I ସୁମିତ୍ରା ଙ୍କୁ କିନ୍ତୁ ଦୁଇ ମିନିଟ୍ ବି ବୋହୁତ୍ ସମୟ ପରି ଲାଗୁ ଥାଏ I ନିର୍ମାଲ୍ଯ କୋଉଠି ଥୋଇ ଦେଇଛନ୍ତି ଯେ ଏ ପର୍ଯ୍ୟନ୍ତ ପାଉନାହାନ୍ତି I ଏ ପିଲାମାନେ ନିଶ୍ଚୟ ପୂଜା ଘର ଜିନିଷ ଏପଟ ସେପଟ କରିଥିବେ ବୋଲି ତାଙ୍କର ବିଶ୍ବାସ I ବିରକ୍ତ ହେଇ ଯାଉଥିଲେ ମନେ ମନେ। କେତେ କୁହା ବୋଲା କରି ସେ ପୁରୀ ରୁ ନିର୍ମାଲ୍ୟ ମଗାଇଥିଲେ I  ବ୍ୟସ୍ତ ହେଇ ପଡୁଥିଲେ ସୁମିତ୍ରା ନିର୍ମାଲ୍ଯ ପାଇଁ I ଭାଇର ମଙ୍ଗଳ କାମନା କରି ସେ ଆଣିଥିଲେ I ସେ ସୁରଜିତକୁ ଡାକ ପକାଇଲେ I ସୁର ଖଟ ଉପରେ ନିଦ ଭାଙ୍ଗିଥିଲେ ବି ଗାଲେଇକି ପଡିଥାଏ I ଡେରିରେ ଫେରି ଥିବାରୁ ଗଲା ରାତିର ନିଦ ପୁରାପୁରି ଯାଇ ନଥାଏ I  ବୋଉର ପାଟି ଶୁଣି ଧଡପଡ଼ ହୋଇ ଉଠିଲା I ଆଖି ମଳି ମଳି ବୋଉ ପାଖରେ ପହଞ୍ଚିଲା ବେଳକୁ ବୋଉ ଚିଡି ଯାଇ କହିଲେ - ତମ ମାନଙ୍କୁ କଣ ସମୟ ଜଣା ପଡୁନି I ତୁ ଶୋଇଛୁ, ବୋହୂ ର ଗାଧୁଆ ସରିନାହିଁ I ତୁ ଅଫିସ ଯିବୁ ଟି!

ସୁର ହସି ଦେଇ କହିଲା- ବୋଉ! ଆଜି ପରା ରବିବାର I ତୁ ଏତେ ବ୍ୟସ୍ତ କଣ ପାଇଁ ଯେ I ଆଠଟା ତ ବାଜିଛି I

ଆଠ ଟା କଣ ବେଳ ନୂହେଁ ! ଏଠି ନିର୍ମାଲ୍ଯ ରଖିଥିଲି କୁଆଡେ ଗଲା, ଜାଣିଛୁ ! ଠାକୁର ଜିନିଷ ଟିକେ ଶାନ୍ତିରେ ରଖେଇ ଦେବନି କେହି। ବିରକ୍ତି ପ୍ରକାଶ କରି ସୁମିତ୍ରା କହିଲେ I 

ସୁରଜିତ୍ ବୋଉର ଗୁଣ ଜାଣି ବିରକ୍ତିକୁ ସ୍ୱାଭାବିକ ଭାବରେ ନେଇ କହିଲା- ତୁ ବ୍ୟସ୍ତ ନ ହୋଇ ବସ୍ ମୁଁ ଖୋଜି ଦେବି ନହେଲେ ଆଉଥରେ ମଗେଇ ଦେବି I 

- ମୁଁ ପରା ଏବେ ବାହାରିଛି, ନିର୍ମାଲ୍ଯ ସାଙ୍ଗରେ ଧରି ଗଲେ ତୋ ମାମୁଁ ଙ୍କ ଦେହରେ ଛୁଆଁଇ ଦେଇ ଆସିବି I 

ସୁର ଆଉ କିଛି ନକହି ପଚାରିଲେ- ତୁ କଣ ବାହାରିଛୁ କି!

ସୁନୀ ଗାଧୁଆ ଘରୁ ଲୁଗା ବଦଳାଇ ସେତେବେଳେ ପହଞ୍ଚି ଯାଇଥିଲେ, ସୁରଜିତ୍ ଙ୍କୁ କହିଲେ ତମେ ଜଲଦି ବାହାର I ବୋଉ ପରା ହରି ମାମୁଁ ଙ୍କୁ ଦେଖିବାକୁ ଯିବେ I ସେ କଥା ହେଇ ପାରୁ ନାହାନ୍ତି ବୋଲି ବୋଉ ଭାରି ବ୍ୟସ୍ତ I ହସ୍ପିଟାଲ ରେ ତାଙ୍କର ଯାହା ଶେଷ ଦେଖା ହେଇଥିଲା I କାଲି କୁଆଡ଼େ ଘରକୁ ଆସିଛନ୍ତି ବୋଲି ଦେଖିବାକୁ ଯିବେ I 

ସୁର କାବାହେଇ ସୁନୀକୁ ଦେଖିବାକୁ ଲାଗିଲା, କହିଲା ଏଥି ପାଇଁ ଏତେ ବ୍ୟସ୍ତ I ବୋଉ କହୁଛି ସେ ତା ନିର୍ମାଲ୍ଯ ପାଇଁ ବ୍ୟସ୍ତ I କୋଉଠି ରଖିଛି ପାଉନି I 

- ବୋଉ ମୋତେ କାଲି ଦେଇଥିଲେ ରଖିବା ପାଇଁ ଭୁଲି ଯାଇ ଥିବେ I 

- ବୋଉ ଏଇନେ ମୋ ଉପରେ ବିରକ୍ତ ହେଉଥିଲା I ଯାଅ କହିଦିଅ। 

- ତମେ ଆସୁନ ଆମ ସହିତ ମାମୁଁ ଙ୍କ ପାଖକୁ ଯିବ I ବୋଉ କହୁଥିଲେ ସମସ୍ତେ ଗଲେ ଭଲ I 

ସୁର ଏଥର ସୁନୀ ସାମନା ରେ ଠିଆ ହୋଇ କହିଲେ, ମିଛ କଥା I ବୋଉ ତ ଏଇନେ ମୋତେ ଅଫିସ ଯିବୁ କି ନାହିଁ ପଚାରୁ ଥିଲା I 

- କଣ ଏଇ ରବିବାର ରେ I ସୁନୀ ହସି ହସି ପଚାରିଲା I 

- ଭଲ ହେଇଛି ପଚାରିଲା ନହେଲେ ବୋଉ ନାଆଁ ରେ ମିଛ କହୁଛ ବୋଲି ଧରା କେମିତି ପଡିଥାନ୍ତ I 

- ତମେ ପ୍ଲିଜ ଚାଲ I ବୋଉ ଙ୍କୁ ସେଠି ମୁଁ ସମ୍ଭାଳି ପାରିବିନି I 

ବୋଉ ମାମୁଁ ଙ୍କ ପାଖକୁ ଯିବେ ବୋଲି କାଲି ଠାରୁ ନିର୍ମାଲ୍ୟ ମହା ପ୍ରସାଦ ଗଙ୍ଗାଜଳ ସବୁ ସଜାଡ଼ିଛନ୍ତି I ସେ ଏଗୁଡା ନେଇ ମାମୁଁ ଙ୍କୁ ସ୍ପର୍ଶ କରେଇଲେ ମାମୁଁ କୁଆଡେ ଭଲ ହେଇଯିବେ I 

- ସେଇଥିପାଇଁ ତ ମାମୁଁଘର ଚାହୁଁଛନ୍ତି ଏବେ ବୋଉ ସେଠିକି ନଯାଉ I ତାର ନହେଲା ପାଲାକୁ ସମସ୍ତଙ୍କ ଭୟ I ମାମୁଁଙ୍କର ଯୋଉ ଅବସ୍ଥା ଡାକ୍ତର ବେଶୀ ଲୋକଙ୍କୁ ପାଖକୁ ଯିବା ପାଇଁ ମନା କରୁଛି I ବୋଉ ଗଲେ କେହି କିଛି କହି ପାରିବେ ନାହିଁ I ଅଯଥାରେ ଦେହ ଆହୁରି ଖରାପ ହେବ I ଆମ ଉପରେ ବି ଖରାପ ଭାବିବେ। 

- ତମେ କଣ କାଲି ରାତିରେ ଯାଇଥିଲ କି !

- ହଁ ! ମାଇଁ ଫୋନ କରିଥିଲେ ବୋଲି ମୁଁ ଟୁର୍ ରୁ ଫେରିଲା ବେଳେ ସେଠି ମୁହଁ ମାରି ଆସିଛି I ଅବସ୍ଥା ଭଲ ନାହିଁ। ମାମୁଁ ଘରକୁ ଆସିଲେଣି ବୋଲି ବୋଉକୁ ଏବେ ନ ଜଣାଇବା ପାଇଁ ମୋତେ କହିଛନ୍ତି I 

- ସେମାନେ କହିଲେ କଣ ହେଲା Iବୋଉ ତ ଜାଣି ସାରିଲେଣି I ତାଙ୍କ ଇଚ୍ଛା ସେ ଯିବେ I ତାଙ୍କୁ କିଏ ଅଟକାଇବ I ସୁନୀ ରୋକ ଠୋକ ଶୁଣେଇ ଦେଲା I 

- ତମେ କଣ ଜାଣିନ, ବୋଉ ଗଲେ କଣ କରିବ ! ସେ ତାର ପୋଥି ପୁରାଣ ପଢ଼ା ଆରମ୍ଭ କରି ଦେବ I କୋଉ ମନ୍ଦିର ରୁ ଆଣିଛି କହି ମୁହଁ ରେ ଦେବ I ନିର୍ମାଲ୍ଯ ମହାପ୍ରସାଦକୁ ଆମେ ପବିତ୍ର ଭାବନାରେ ଘରେ ରଖିଛେ I ଯଦି ଔଷଧ ଭାବି ଦେବା କିଏ କଣ ଠିକ୍ ଭାବିବ ! ଏଇଟା ବିଶ୍ବାସର କଥା, ଅନ୍ୟଠାରେ ଲଦି ହେବନି I 

- ସେୟା ଯଦି ଭାବୁଛ, ଜଲଦି ବାହାର I ତମେ ଆମ ସାଙ୍ଗରେ ଆସିଲେ ବୋଉଙ୍କ ବୋଝ ସମ୍ଭାଳିବ I 

ଡେରି ହେବାରୁ ସୁମିତ୍ରା ଚିଡି ଯାଇ କହିଲେ ତମେ ବସି ଗପ ସପ କର I କେହି ଯିବା ଦରକାର ନାହିଁ I ଅଟୋ ଗୋଟିଏ ଡାକ ମୁଁ ସେଥିରେ ଏକୁଟିଆ ଯାଇ ପାରିବି I ମାମୁଁକୁ ଦେଖିବା ପାଇଁ ତମର ଯୋଉ ଇଛା ଜଣା ପଡି ଯାଉଛି। 

ସୁନୀ ବ୍ୟସ୍ତ ହୋଇ ଆଉ ଅପେକ୍ଷା ନକରି ଗୋଟିଏ ଚିହ୍ନା ଅଟୋ ବାଲାକୁ ଡାକି ଦେଲେ I ବୋଉଙ୍କ ରାଗକୁ ସେ ଆଗରୁ ଜାଣିଛନ୍ତି I ତାଙ୍କ ପାଇଁ ସଙ୍ଗେ ସଙ୍ଗେ କଣ ଦିଟା ଖାଇବାକୁ ବାଢ଼ି ଦେଇ ନିଜେ ବି ବାହାରି ପଡିଲେ I 

ସୁନୀ ସୁରକୁ ବୁଝେଇଲା ପରି କହିଲେ ତମେ ପଛରେ ନିଶ୍ଚୟ ଆସିବ ! ତମର ଖାଇବା ରଖି ଦେଇଛି I ଗାଧେଇ ଖାଇଦେବI

- ମୋ ଖାଇବା ମୁଁ ବୁଝିବି କିନ୍ତୁ ତମେସବୁ ଯାଇ ସେଠି ମାମୁଁଙ୍କ ପାଖରେ ଗହଳି କରିବନି I ମାମୁଁଙ୍କୁ ଯତ୍ନରେ ରଖା ଯାଇଛି I 

ସୁମିତ୍ରା ସୁରକୁ ଆଡ ଆଖିରେ ଅନାଇ କହିଲେ- ହଁ ! ଆମେ ଜାଣିଛୁ I ତୁ ଆଉ ଶିଖାନା। କଲେଜ ପଢିଲାବେଳେ ଦଶ ଦିନ ହସ୍ପିଟାଲରେ ପଡିଥିଲୁ। ତୋ ଯତ୍ନ କିଏ ନେଉଥିଲା କି? ତମେ ସବୁ ଖାଲି ଯତ୍ନ ନେବା ଯାହା ଶିଖିଛ I 

ସୁନୀ ସମ୍ଭାଳିବାକୁ ଯାଇ ହସି ଦେଇ କହିଲେ- ତମେ ବ୍ୟସ୍ତ କାହିଁକି ହେଉଛ I ବୋଉ କହିଛନ୍ତି ସେ ମାମୁଁଙ୍କ ଘରକୁ ଗଲେ କୁଆଡେ ପୁରା ଠିକ୍ ହେଇ ଯିବେ I 

- ସେଇଟା ତ ଡର! ବୋଉର କଣ ମ୍ୟାଜିକ୍ ହାତ କି? ଡାକ୍ତର ପରା ଆଶା ଛାଡ଼ି ଦେଇଛନ୍ତି I ସ୍ନେହ,ସଦିଚ୍ଛା ଭଲପାଇବା ର ଏକ ଅମୋଘ ପ୍ରଭାବ ନିଶ୍ଚିତ ଅଛି I କିନ୍ତୁ ଅଯଥା ପ୍ରଦର୍ଶନ ତାର ଭାବନାକୁ କ୍ଷୁର୍ଣ୍ଣ କରେ I ସେଠି ମାଇଁ ଅଛନ୍ତି, ତାଙ୍କ ବୋହୁ ମାନେ ବି ଅଛନ୍ତି I ସେମାନେ ମଧ୍ଯ ମାମୁଁ ଙ୍କୁ ଯଥେଷ୍ଟ ଭଲ ପାଆନ୍ତି I 

- ତମେ କଣ ବୋଉଙ୍କୁ ଚିଡ଼େଇବାକୁ ଚାହୁଁଛ ! ମୁଁ କଣ ଜାଣିନି ମାମୁଁ ଙ୍କୁ ସମସ୍ତେ ଭଲ ପାଆନ୍ତି I 

ମାମୁଁ ଙ୍କ ଘରେ କାହା ସହ ବୋଉ କଥା ହେଇଥିଲା କି ସୁର ପଚାରିବାରୁ ସୁନୀ କହିଲା ତମେ ଆଉ କିଛି ପଚାରନି I ମାମୁଁ କିମ୍ବା କେହିବି ଦଶ ଦିନ ହେଲାଣି ଫୋନ ଧରୁ ନାହାନ୍ତି ବୋଲି ବୋଉ ବ୍ୟସ୍ତ I ସେଥିପାଇଁ ସେ ବାହାରିଛନ୍ତି। 

- ମାମୁଁ ସିନା ଫୋନ ଧରୁ ନାହାନ୍ତି I ତାଙ୍କ ଘରେ କଣ ଆଉ କେହି ବି ଧରୁ ନାହାନ୍ତି ଫୋନ !

ବୋଉ କୋଉଠି ଥିଲେ ବାହାରି ଆସି କହିଲେ, ତମ ଭଳିଆ କୁଳାଙ୍ଗାର ଥିଲେ, ଲାଭ କଣ I ସେମାନେ ଧରିଲେ କଣ ଫୋନରେ କିଛି କହୁଛନ୍ତି I କିଏ କହୁଛି ଶୋଇଛନ୍ତି କିଏ କହୁଛି ଡାକ୍ତର ପାଖକୁ ଯାଇଛନ୍ତି I କିଏ ତାଙ୍କୁ ଫୋନ ଦେଲେ ତ ମୁଁ କଥା ହେବି I କହୁ କହୁ ବୋଉଙ୍କ ଆଖିରୁ ଲୁହ ଧାର ବୋହିବାକୁ ଲାଗିଲା I କାନ୍ଦିକାନ୍ଦି କହିଲେ ଭାଇର ସ୍ନେହ ଯିଏ ପାଇଛି ସେ ସିନା ଭାଇର ଦୁଃଖ ବୁଝିବ I ମୁଁ ତମମାନଙ୍କୁ କହି ଲାଭ କଣ! ପିଲା ଦିନରୁ ବାପା ନଥିଲେ ବୋଲି ଏଇ ଭାଇ ମୋର କେତେ କଣ ନ ବୁଝିଛି I ବାପା ପରି ମୋର କନ୍ୟା ଦାନ ବି ସେ କରିଛି I ତୋ ବାପା ସ୍କୁଟର ଚଳାଇବାକୁ ଇଚ୍ଛା କଲେ ବୋଲି ଭାଇ ତା ସ୍କୁଟର ଦେଇ ଦେଇଥିଲା I ଛାଡ, ତମେମାନେ ଏସବୁ କଣ ବୁଝିବ ! 

ବୋଉ ର ଅବସ୍ଥା ଦେଖି ସୁର ପାଖରେ ବସି ପଡି କହିଲା- ବୋଉ! ମାମୁଁ ଏବେ କୋମା ଅବସ୍ଥାରେ ଅଛନ୍ତି I ସେ କଣ କଥା ହେବେ ଯେ ଫୋନ ଧରିବେ I 

କଣ ହେଲା ସେଇଠୁ! ମୁଁ ଫୋନ କଲେ ଦେଖିବୁ ସେ କଥା ହେବI ଆଜି ବୁଢ଼ା ହେଇଗଲା ବୋଲି ତମେ ତାକୁ ଫୋନ ରେ ମୋ ସହିତ ଟିକେ କଥା କରେଇ ଦେଉନI ପୁଅ ଝିଅ ଜନ୍ମ କରି ବୁଢା ବୟସରେ ଏଇ ଦୁଃଖ ଯାହା ଦେଖିବାକୁ ବାକି ଥିଲା I ମୁଁ ଯାଉଛି ତାକୁ ଏଠିକି ମୋ ପାଖକୁ ନେଇ ଆସିବି I 

ବୋଉ ର କଥା ଶୁଣି ସୁର ଆଉ କିଛି କହିବା ଉଚିତ୍ ମନେ କଲା ନାହିଁ I ସ୍ନେହ ର ଆତିଶଯ୍ୟ ରେ ଯିଏ ଅଭିଭୂତ ସିଏ କଣ କେବେ କାହା କଥାରେ ଯିବ I ବୋଉର ଦେଖେଇ ହେବାର ଗୁଣ ଥିଲେ ବି ତାର ମାମୁଁ ଙ୍କ ପ୍ରତି ଥିବା ସ୍ନେହ ଭଲ ପାଇବାକୁ ସୁର ସଦାବେଳେ ଦେଖି ଆସିଛି I ସୁର ସାମାନ୍ୟ ଗମ୍ଭୀର ହୋଇ କହିଲା- ବୋଉ ତମର ଯିବାର ଇଚ୍ଛାକୁ କଣ କିଏ ଅଟକାଉଛନ୍ତି I ମୋତେ କାଲି ରାତିରେ କହିଥିଲେ, ମୁଁ ତମକୁ ନେଇ ମାମୁଁଙ୍କ ଘରକୁ ପଳେଇ ଯାଇ ପାରିଥାନ୍ତି I 

ଅଟୋ ଆସି ଠିଆ ହେଇ ଯାଇଥିଲା I ସୁନୀ ବୋଉଙ୍କର ହାତ ଧରି ଅଟୋ ପାଖକୁ ବାହାରିଲେ I 

ବୋଉକୁ ଶୁଭିଲା ପରି ସୁର ପଛରୁ କହିଲେ ମାମୁଁ ଏବେ ଯୋଉ ଭଳି ଅବସ୍ଥାରେ ଅଛନ୍ତି, ସେ କଥା କହି ପାରିବେନି କି ଖାଇ ମଧ୍ୟ ପାରିବେନି I ତାଙ୍କ ପାଖରେ ବାହାରୁ ଆସୁଥିବା କୈାଣସି ଖାଦ୍ୟ ରଖିବା ମଧ୍ୟ ମନା । ମୁଁ ନିଜେ କାଲି ତାଙ୍କୁ ଦେଖିବାକୁ ଯାଇଥିଲି I ଡାକ୍ତରଖାନାରେ ମାସେ କାଳ ରହିଲା ପରେ କାଲି ଘରକୁ ଫେରିଛନ୍ତି I ଫେରିଛନ୍ତି ନୂହେଁ ଡାକ୍ତର ଫେରାଇ ଦେଇଛନ୍ତି I ଡାକ୍ତର କହିଲେ ଅଯଥାରେ ଆଇ ସି ୟୁ ରେ ପକେଇ ରଖିବା ଅପେକ୍ଷା ଘର ଲୋକଙ୍କ ପାଖରେ ରହିଲେ ଭଲ I ନିଜ ଆଖିରେ ସମସ୍ତ ଙ୍କୁ ପାଖରେ ଦେଖିଲେ ମନଟା ଖୁସି ରହିବ। ଯଦି ଭଗବାନ ଚାହିଁବେ, କେତେବେଳେ କିଛି ଆଶ୍ଚର୍ଯ୍ୟ ମଧ୍ଯ ଘଟିପାରେ। 

ତୁ ଏତେ କଥା ଶୁଣିକି ଆସିଛୁ ଅଥଚ ମୋତେ କିଛି କହୁନୁ। ମୋ ମନଟା ସେଇଥିପାଇଁ ଘାଣ୍ଟି ହେଉଥିଲା। ବୋଉ ବିରକ୍ତି ରେ ବସୁବସୁ କହିଲେ।

ସୁର କହିଲା ମୁଁ ତ ରାତି ବାରଟାରେ ଘରକୁ ଫେରିଲି। କହିବି କେତେବେଳେ। ସକାଳୁ ଉଠିଲା ବେଳକୁ ତ ମୋତେ କିଛି ନ କହି ବାହାରି ସାରିଲଣି। 

ସୁମିତ୍ରା ଆଉ କିଛି ନ କହି ସୁନୀକୁ କହିଲେ ଚାଲ ଅଟୋରେ ବସ। ଭାଇନା ମୋତେ ଅପେକ୍ଷା କରିଥିବ। ସେ ମୋତେ ବହୁତ ଭଲ ପାଆନ୍ତି। ମୁଁ ନିର୍ମାଲ୍ୟ ଧରିଛି, ମହାପ୍ରସାଦ ବି ଅଛି। ମୁହଁ ରେ ଟିକେ ଛୁଏଁଇ ଦେଲେ ଦେଖିବୁ କିଛି ଗୋଟାଏ ଆଶ୍ଚର୍ଯ୍ୟ ନିଶ୍ଚିତ ହେବ। ଡାକ୍ତର ଙ୍କ କଥା ଅନୁସାରେ ଏଗୁଡା ବାହାର ଜିନିଷ ନୂହେଁ I 

ସୁର ପୁଣି ଥରେ ସମସ୍ତେ ଶୁଣିଲା ପରି କହିଲା - ତାଙ୍କୁ ବହୁତ ଯତ୍ନରେ ରଖା ଯାଇଛି। ତାଙ୍କୁ କୌଣସି ବାହାର ଜିନିଷ ଦେବା ମନା। ଏପରିକି ଡାକ୍ତର କହିଛନ୍ତି ବାହାରୁ ଆସିଥିବା ବ୍ୟକ୍ତି ମଧ୍ୟ ତାଙ୍କୁ ଛୁଇଁ ପାରିବେ ନାହିଁ। ଇନଫେକସନର ଭୟ ଅଛି। 

ସୁମିତ୍ରା ମୁହଁ ମୋଡି ଦେଇ ଅଟୋକୁ ଚାଲ ବୋଲି କହିଲେ। ସୁନୀକୁ ଚାହିଁ କହିଲେ ଏ ସୁରଟାର ସବୁ କଥାରେ ଖାଲି ଥଟା। ସେ ମୋତେ ଶୁଣେଇ ଶୁଣେଇ କହୁଥିଲା। ଆରେ ମୋ ଭାଇଟା ମୁଁ କାହିଁକି ଛୁଇଁବିନି। ମୁଁ କଣ ବିଦେଶରୁ ଆସୁଛି ଯେ ବାହାରୁ ଆସିଛି କହିବ। ତାପରେ ନିର୍ମାଲ୍ୟ ଟିକିଏ ତ ମୁହଁ ରେ ଦେବା ପାଇଁ ନେଉଛି ସେଇଟା ତ ଅମୃତ। ତାକୁ କଣ କିଏ ମନାକରେ!

ସୁନୀ କହିଲା ଆପଣ କାହିଁକି ବୋଉ ବ୍ୟସ୍ତ ହେଉଛନ୍ତି। ତମ ପୁଅ ତ ସେମିତିଆ। ଆପଣଙ୍କୁ ମାମୁଁ ଦେଖି କେମିତି ଖୁସି ହେଇଯିବେ ଦେଖିବେନି। ମୁଁ କହୁଛି ସେ ନିଶ୍ଚିତ ଉଠି ବସିବେ। 

ସୁନୀର ଆଶ୍ୱାସନା ଭରା କଥା ଶୁଣି ସୁମିତ୍ରା ଖୁସି ହୋଇଗଲେ, କହିଲେ - ହଁ ରେ ମା ତୋ କଥା ସତ ହେଉ। ଜଗନ୍ନାଥ ଙ୍କ ନିର୍ମାଲ୍ୟ ର ବହୁତ ମହିମା। ମୁହଁ ରେ ଦେଉ ଦେଉ ଦେଖିବୁ ନିଶ୍ଚୟ କିଛି ଗୋଟେ ହେବ ।

ଅଟୋ ଆସି ପହଞ୍ଚି ଯାଇଥିଲା ଘର ପାଖରେ। ସୁମିତ୍ରା ଦେଖିଲେ ଭାଇଙ୍କ ପାଖରେ ଡାକ୍ତର କଣ ସବୁ ଦେଖୁଛନ୍ତି। ସେ ଆଉ ସମ୍ଭାଳି ନପାରି ପାଖକୁ ଚାଲିଗଲେI ଭୋ ଭୋ କରି କାନ୍ଦି ପକାଇଲେ। ଡାକ୍ତର ଦୂରରେ ଠିଆ ହେବା ପାଇଁ ଅନୁନୟ କରି କହିଲେ। ଅନ୍ୟମାନେ ମଧ୍ୟ ସୁମିତ୍ରା ଙ୍କୁ ଆସିବା ପାଇଁ କହିଲେ। ସୁମିତ୍ରାଙ୍କ ମନ ମାନୁ ନଥାଏ। ଡାକ୍ତରଙ୍କୁ ବୁଝେଇ କହିଲେ ମୁଁ ତାଙ୍କ ସାନ ଭଉଣୀ। ମୋ ହାତରେ ସେ ଖାଇବାକୁ ବହୁତ ଭଲ ପାଏ। ମୋତେ ଦେଖିଲେ ସେ ନିଦରୁ ଉଠିଲା ପରି ଉଠି ବସିବେ। 

ସେ ଭଲ ହେଇ ସାରନ୍ତୁ। ଆପଣ ହାତରେ ଖୁଆଇବେ। ଏବେ ମୋ କାମ ମୋତେ କରିବାକୁ ଦିଅନ୍ତୁ। ଡାକ୍ତର କହିଲେ I 

ସୁମିତ୍ରା ନିଜ ବ୍ୟାଗରୁ ନିର୍ମାଲ୍ୟ କାଢି କହିଲେ - ମୁଁ ଖାଲି ଟିକେ ନିର୍ମାଲ୍ୟ ଓ ମହାପ୍ରସାଦ ଛୁଆଁଇ ଦେବି। 

ଡାକ୍ତର ହସିଲେ I ବୋଧହୁଏ ଭାବୁଥିଲେ କଣ କହି ବୁଝାଇବେ I ସୁମିତ୍ରା ଙ୍କୁ କହିବାର ସାହସ ବି କାହାର ନାହିଁ I ସମସ୍ତେ ସୁନୀ କୁ ଇସାରା କରି କହୁଥାନ୍ତି I 

ସୁମିତ୍ରା ନେହୁରା ହେଲା ପରି ଡାକ୍ତର ଙ୍କୁ ଆଉଥରେ କହିଲେ- ମୁଁ ଟିକେ ଖାଲି ନିର୍ମାଲ୍ଯ ଛୁଆଁଇ ଦେବି I ଆଉ କିଛି କରିବି ନାହିଁ I 

ଡାକ୍ତର ପୁଣି ଥରେ ବୁଲି ପଡି କହିଲେ- ମୋ କାମ ମୁଁ କରି ସାରେ I ଆପଣ ଙ୍କ ଯାହା ଇଚ୍ଛା କରିବେ I 

ସୁମିତ୍ରା କିନ୍ତୁ କୁଆଡ଼େ ନ ଯାଇ ସେଇଠି ବସି ପଡିଲେ I ମଝିରେ ମଝିରେ ଭାଇଙ୍କ ପାଦ ଚିପି ଦେଉଥାନ୍ତି I ଡାକ୍ତର ଦେଖିଲେ ହାତ ପୁଣି ଫେରାଇ ଆଣୁଥାନ୍ତି I 

ସୁରଜିତ୍ ପହଞ୍ଚି ଯାଇଥିଲା I ସୁର କୁ ଦେଖି ସମସ୍ତେ ଶାନ୍ତିର ନିଶ୍ଵାସ ମାରିଲେ ଓ କହିଲେ ତୋ ବୋଉ କୁ ସମ୍ଭାଳ I 

ସୁର ବୋଉ ଙ୍କୁ ମାମୁଁଙ୍କ ପାଖରୁ ଆଣିବା ପାଇଁ ଭିତରକୁ ଗଲା ବେଳକୁ ବୋଉ ନିର୍ମାଲ୍ଯ ବ୍ୟାଗ୍ ରୁ କାଢି ହାତରେ ଧରି ଥିଲେ I ସୁର କୁ ଦେଖି କହିଲେ- ଆସିଗଲୁ ବାପା! ଏ ନିର୍ମାଲ୍ୟ ଟିକେ ନେଇ ମାମୁଁ ପାଟିରେ ଦେଇ ଦେଲୁ I ଡାକ୍ତର ମୋତେ ମନା କରୁଛନ୍ତି I 

ସୁର ବୋଉକୁ ଏବେ ଏସବୁ ନ କରିବା ପାଇଁ କହିଲାରୁ ସୁମିତ୍ରା ବିରକ୍ତ ହୋଇ କହିଲେ ତମେ ସବୁ ପିଲା ଲୋକ ନିର୍ମାଲ୍ୟ ଓ ମହାପ୍ରସାଦ ବିଷୟରେ କଣ ଜାଣିଛ! ସୁର ବୋଉ ଆଡେ ଅନେଇ ମୁରୁକି ହସି କହିଲା ତିନି ଠାକୁରଙ୍କ ପାଖରେ ଅନ୍ନ ବ୍ୟଞ୍ଜନ ଭୋଗ ହୋଇସାରି ବିମଳାଙ୍କ ନିକଟରେ ସମର୍ପଣ କରାଯିବା ପରେ ତାହାକୁ ମହାପ୍ରସାଦ ଓ ଏହା ବଢ଼ା ନହୋଇ ଗୋଟା କୁଡୁଆରେ ଠାକୁରମାନଙ୍କୁ ଅର୍ପଣ କରା ଯାଉଥିବାରୁ ଏହାକୁ ଅବଢ଼ା କୁହାଯାଇଥାଏ । ଅବଢ଼ା ନିର୍ମାଲ୍ୟ, ମାହାର୍ଦ୍ଦ ଓ କୈବଲ୍ୟ ନାମରେ ମଧ୍ୟ ଜଣା । କୈବଲ୍ୟ ଓ ଅବଢ଼ା ମଧ୍ୟରେ ପାର୍ଥକ୍ୟ ହେଉଛି, କୈବଲ୍ୟକୁ ଦୁଇ ଆଙ୍ଗୁଠିରେ ଅର୍ଥାତ କଣିକାଏ ଖାଇବାକୁ ହୁଏ; କିନ୍ତୁ ଅବଢ଼ା ମନମୁତାବକ ପେଟପୁରା ଖିଆଯାଏ । ଆଉ କଣ ବୁଝେଇବି କହ। ଏଥରକ ଜାଣିନି ବୋଲି କହିବୁ?

ସୁରର ଉତ୍ତର ଶୁଣି ସୁମିତ୍ରା କିନ୍ତୁ ଚୁପ୍ ହେଲେ ନାହିଁ। କହିଲେ ପାଠ ପଢି ଜାଣି ପକେଇଲେ କଣ ହେବ। ବିଶ୍ଵାସ ନଥିଲେ ସବୁ ବେକାର। ତୁ ନଦେଲେ ନାହିଁ, ମୁଁ ଦେବି। 

ସୁର ଆଉ କିଛି ଉପାୟ ନପାଇ କାନ ପାଖରେ ଧିରେ କହିଲା- ବୋଉ ! ଏ ନିର୍ମାଲ୍ୟ ବାପାଙ୍କ ପାଟିରେ ଟିକେ ଛୁଆଁ କରେଇ ଦେଲୁନି କାହିଁକି I ମୋ ବାପା ଆହୁରି ବଞ୍ଚି ଥାଆନ୍ତେ I ବାପା ମୋର ଚାକିରୀ ପାଇବା ବି ଦେଖି ପାରିଲେ ନାହିଁ I କେତେ ଖୁସି ହେଇ ଥାଆନ୍ତେ I 

ସୁମିତ୍ରା ଆଉ କିଛି ନ କହି ସୁରକୁ ଥରେ ଅନେଇଲେ ତାପରେ ଚୁପ୍ ଚାପ୍ ଗମ୍ଭୀର ହୋଇ ଚାଲି ଆସିଲେ I 

ସମସ୍ତେ ଆଶ୍ଚର୍ଯ୍ୟ ହୋଇ ସୁନୀକୁ ପଚାରୁ ଥାଆନ୍ତି ସୁର କଣ କହିଲା କି?


Rate this content
Log in