Writer Roja Panda

Others

4.8  

Writer Roja Panda

Others

ସ୍ତ୍ରୀ ଚର୍ଚ୍ଚା

ସ୍ତ୍ରୀ ଚର୍ଚ୍ଚା

6 mins
375


ଦିନେ ସକାଳୁ ସକାଳୁ କଲିଂ ବେଲ ଶୁଣି ମୋ ସ୍ୱାମୀ ତରତର ହୋଇ କବାଟ ଖୋଲିବାକୁ ବାହାରିଲେ । ଦେଖିଲେ ବାହାରେ ଜଣେ ମେଡ଼ିସିନ କମ୍ପାନୀର ଏଜେଣ୍ଟ ଆସିଛନ୍ତି । ମୋ ସ୍ୱାମୀ ପେସାରେ ଜଣେ ଡାକ୍ତର । ସେଥିପାଇଁ ମେଡ଼ିସିନ କମ୍ପାନୀରୁ ଲୋକମାନେ ଆସି ତାଙ୍କ ସହିତ ଆଲୋଚନା କରିବା ନିତିଦିନିଆ ଘଟଣା । ସେଦିନ ମଧ୍ୟ ସେମିତି କିଛି ଆଲୋଚନା ଚାଲିଲା କେଉଁ ଏକ ରୋଗ ବିଷୟରେ ଏବଂ ଉକ୍ତ ରୋଗର ଔଷଧ ବିଷୟରେ ।

ମୁଁ ଦୁଇଜଣଙ୍କ ପାଇଁ କଫି ଏବଂ କିଛି ସ୍ନାକ୍ସ ନେଇ ଡ୍ରଇଂରୁମର ଟେବୁଲ ଉପରେ ରଖିଲି । ମୋ ସ୍ୱାମୀ ସେତେବେଳେ ସେ ଏଜେଣ୍ଟଙ୍କ ସହିତ କଥା ହେଉହେଉ ଖବରକାଗଜ ଉପରେ ନଜର ବୁଲାଉଥିଲେ । ମୁଁ ତାଙ୍କୁ ଦାନ୍ତ ଘସି କଫି ପିଇବାକୁ ନିର୍ଦେଶ ଦେଲି । ମୋ ସ୍ୱାମୀ ସଙ୍ଗେ ସଙ୍ଗେ ଯାଇ ଦାନ୍ତ ଘଷିବା ଆରମ୍ଭ କରିଦେଲେ । ଏବଂ ଦାନ୍ତ ଘଷି ସାରି ମତେ ପ୍ରଶ୍ନ ଛଳରେ କହିଲେ ,"ଏଥର କଫି ପିଇପାରିବି ତ ? ମୁଁ ହଁ ବୋଲି କହିଲି ।

ସେ ସାଧାରଣତଃ କେବଳ ଶୀତ ଦିନରେ ହିଁ କଫିଟିକେ ପିଅନ୍ତି । ଅନ୍ୟ ଦିନରେ ଦରକାର ପଡେନା । ସେ କଫି ପିଇବା ଅରମ୍ଭ କଲେ । ମୁଁ ସେଠାରୁ ଆସି ରୋଷେଇଘରେ ରୋଷେଇରେ ଲାଗିପଡ଼ିଲି । ଏସବୁ ଦୃଶ୍ୟ ଦେଖୁଥାନ୍ତି ଉକ୍ତ ମେଡ଼ିସିନ କମ୍ପାନୀର ଏଜେଣ୍ଟ । ମୁଁ ସେଠାରୁ ଯିବାପରେ ଏଜେଣ୍ଟ ଜଣକ ମୋ ସ୍ୱାମୀଙ୍କୁ ପ୍ରଶ୍ନ କଲେ, ସାର ! ଆପଣ ଆପଣଙ୍କ ସ୍ତ୍ରୀ ଙ୍କୁ ଏତେ ଡରୁଛନ୍ତି କାହିଁକି ? ମୋ ସ୍ୱାମୀ ଏକଥା ଶୁଣି ଟିକେ ସ୍ମିତହାସ୍ୟ ଦେଇ ଆରମ୍ଭ କଲେ, "ମୁଁ ମୋ ସ୍ତ୍ରୀକୁ ଡରେନି, ତାର ଧ୍ୟାନ ରଖିଥାଏ,ତାର ଯତ୍ନ ନେଇଥାଏ,ତାର ସଂମ୍ମାନ କରିଥାଏ " ମୁଁ ମୋ ସ୍ତ୍ରୀର କଥା ମାନୁଥିବାର ଦେଖି ତୁମକୁ ଏପରି ଲାଗୁଛି ଯେ ମୁଁ ତାକୁ ଡରୁଛି । କେବଳ ତୁମକୁ ନୁହେଁ ମୋ ଚତୁର୍ପାଶ୍ୱରେ ରହୁଥିବା ବହୁତ ଲୋକଙ୍କୁ ଏପରି ଲାଗେ । କିନ୍ତୁ ପ୍ରକୃତରେ ତାହା ସତ ନୁହେଁ । ମୋ ସ୍ତ୍ରୀର ପ୍ରେରଣାରୁ ମୁଁ କଣ ପାଇଛି ତାହା କେବଳ ମୁଁ ହିଁ ଜାଣେ । ଏହା ଶୁଣି ଏଜେଣ୍ଟ ଜଣକ କହିଲେ ,"ଏମିତି କଣ ଅଛି ଆପଣଙ୍କ ସ୍ତ୍ରୀଙ୍କ ପାଖରେ" ? ଅପଣ ତ ଆପଣଙ୍କ ସ୍ତ୍ରୀଙ୍କ ଠାରୁ ଢେର ଅଧିକା ପାଠ ପଢ଼ିଛନ୍ତି, ବହୁତ ବଡ଼ ସ୍କୁଲରେ ପାଠ ପଢ଼ିଛନ୍ତି, ବହୁତ ମେଡାଲ ପାଇଛନ୍ତି । ଏମିତିକି ଗୋଲଡ଼ ମେଡାଲ ବି ପାଇଛନ୍ତି " ।

ଏଜେଣ୍ଟର କଥା ଶୁଣି ମୋ ସ୍ୱାମୀ ଉତ୍ତର ଦେଲେ,..........

"କିଛି ଫରକ ପଡେନାହିଁ ଏସବୁ କଥାରେ । ସବୁକିଛି ମୂଲ୍ୟହୀନ ମୋ ସ୍ତ୍ରୀ ସାମ୍ନାରେ । ସବୁ ସମ୍ପର୍କର ଉର୍ଦ୍ଧରେ ତାର ମୋ ସହିତ ସମ୍ପର୍କ ।

ମୋ ମାଆ ଓ ବାପା ମତେ ଜନ୍ମ ଦେଇଛନ୍ତି,ସେଥିପାଇଁ ସେମାନେ ମୋର ରକ୍ତର ସମ୍ପର୍କ । ମତେ ସେମାନେ ଭଲ ପାଆନ୍ତି ଏବଂ ମୋର ଯତ୍ନ ନିଅନ୍ତି କିନ୍ତୁ ପଡ଼ୋଶୀଙ୍କର ଛୁଆର ଯତ୍ନ ସେମାନେ ନିଅନ୍ତିନାହିଁ କାରଣ ପଡ଼ୋଶୀଙ୍କ ଛୁଆ ସହିତ ମୋ ବାପା ଓ ମାଆଙ୍କର କିଛି ରକ୍ତ ସମ୍ପର୍କ ନଥାଏ ।

ଭାଇର ସମ୍ପର୍କ ଜନ୍ମଜାତ ହୋଇଥାଏ । ଗୋଟିଏ ମାଆ ପେଟରୁ ଜନ୍ମ ନେଇଥିବାରୁ ଭାଇ ମଧ୍ୟ ଅତି ନିବିଡ ହେଇଥାଏ । ସେ ବି ରକ୍ତ ସମ୍ପର୍କ ବୋଲାଯାଏ ।

ସାଙ୍ଗର ସମ୍ପର୍କ କିଛି କାରଣ ପାଇଁ ହେଇଥାଏ । ଶେଷରେ ଆମ ସମ୍ପର୍କ ଦେଖ ,କେବଳ ପଇସା ଆଉ ଅବଶ୍ୟକତାର ।

କିନ୍ତୁ ମୋ ସ୍ତ୍ରୀ ବିନା କିଛି ସମ୍ପର୍କରେ ସବୁବେଳେ ମୋ ସାଥିରେ ଅଛି ଯେତେବେଳେ କି ମୁଁ ତା ପାଇଁ ବିଲକୁଲ ଅଚିହ୍ନା । ନିଜର ସବୁ ରକ୍ତ ସମ୍ପର୍କକୁ ଛାଡି ସେ ମୋ ସହିତ ସମ୍ପର୍କ ବାନ୍ଧିଛି,ମୋର ସବୁ ସୁଖ ଦୁଃଖରେ ଠିଆ ହେଉଛି । ଏବଂ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ହିଁ କେବଳ ମୋର ସହଭାଗୀ ହୋଇ ରହିବ ।

ମୋର ବାପା,ମାଆ,ଭାଇ,ବନ୍ଧୁ,ଆତ୍ମୀୟ ସୋଜନ ସମସ୍ତେ ମତେ ଭଲ ପାଆନ୍ତି ପ୍ରତିବଦଳରେ ମୋ ଠାରୁ କିଛି ନା କିଛି ଆଶା ରଖନ୍ତି । ଯେମିତି କି ବାପା ଓ ମାଆ ନିଜ ବୃଦ୍ଧାବସ୍ଥାରେ ମୋର ତାଙ୍କ ପ୍ରତି ଥିବା କର୍ତ୍ତବ୍ୟ ଆଶା ରଖନ୍ତି ।

ଭାଇ,ବନ୍ଧୁମାନେ ସୁଖରେ ଖୁସି ମନାଇବା ଓ ଦୁଃଖରେ କାନ୍ଧ ଦେବାପାଇଁ ଆଶା ପୋଷଣ କରିଥାନ୍ତି ।

ଆତ୍ମୀୟ ସୋଜନ ଇତ୍ୟାଦି କିଛି ସରକାରୀ ସାହାଯ୍ୟ,କିଛି ଡାକ୍ତରଖାନା ସାହାଯ୍ୟ କିମ୍ବା କିଛି ଆର୍ଥିକ ସାହାଯ୍ୟ ଆଶା ରଖିଥାନ୍ତି ।

କିନ୍ତୁ ମୋ ସ୍ତ୍ରୀ କୌଣସି ବି ଆଶା ନରଖି ମୋର ସାଙ୍ଗ ଦେଇଥାଏ ପ୍ରତ୍ୟେକ କ୍ଷେତ୍ରରେ । ମୋ ଠାରୁ ସାହାଯ୍ୟ କିମ୍ବା ସହଯୋଗ ଆଶା କରିବା ପରିବର୍ତ୍ତେ ମତେ ସବୁ କ୍ଷେତ୍ରରେ ସାହାଯ୍ୟ କରିବାକୁ ,ମୋ କାନ୍ଧରେ କାନ୍ଧ ମିଶେଇ ମୋ ମୁଣ୍ଡର ଭାରି ବୋଝକୁ ହାଲକା କରିବା ପ୍ରୟାସରେ ପ୍ରତି ମୁହୂର୍ତ୍ତରେ ଆଗେଇ ଆସେ ।

ହଁ ମତେ ସେ କିଛି ଟା କାର୍ଯ୍ୟ କରିବାକୁ ବାଧ୍ୟ କରେ । ଯେପରି କି ସବୁବେଳେ ସତ୍ୟର ପକ୍ଷରେ ଯିବା, ନିଜ ପର ନଭାବି ସବୁବେଳେ ନ୍ୟାୟର ପକ୍ଷ ବାଛିବା ଏମିତି କିଛି ।

ମୋର ଶିକ୍ଷାଗତ ଯୋଗ୍ୟତା ତା ଠାରୁ ଟିକେ ଅଧିକା ହେଇଥାଇପାରେ କିନ୍ତୁ ସେ ମତେ ଯେଉଁ ଦିବ୍ୟଜ୍ଞାନ ଦିଏ ତାହା ବାସ୍ତବରେ ସବୁ ଶିକ୍ଷା ଠାରୁ ବହୁତ ଉର୍ଦ୍ଧରେ । ତା ଅନ୍ତରର ଜ୍ଞାନ,ତାର ବିବେକ ପଣିଆ କେବଳ ମତେ ଜଣା ।

ସେଇଥିପାଇଁ ତ ଆଜି ମୁଁ ସମସ୍ତଙ୍କ ସହିତ ଆଖି ମିଶେଇ ସାହାସର ସହିତ କଥା ହେଇପାରୁଛି । ଗର୍ବ କରିପାରୁଛି ଯେ ମୁଁ ଠିକ ରାସ୍ତାରେ ଚାଲୁଛି । ଏଇ କିଛି ଦିନ ହେବ ମୋ ସ୍ତ୍ରୀ ମୋ ଜୀବନରେ ଆସିବା ଦିନଠୁ ମୁଁ ବହୁତ ଆତ୍ମତୃପ୍ତି ଲାଭ କରିଛି, ବହୁତ ସତ୍ୟ ମୋ ଆଖି ସାମ୍ନାକୁ ଆସିଛି ,ବହୁତ ମିଛର ପରଦା ମୋ ଆଖି ସମ୍ନାରୁ ଦୁରୀଭୂତ ହେଇ ସତ୍ୟ ମତେ ସ୍ପଷ୍ଟ ଦେଖା ଜାଉଛି ।

ଆଉ ହଁ ସବୁଠୁ ବଡ କଥା ହେଲା ମୋ ସ୍ତ୍ରୀ ମୋ ଜୀବନରେ ଆସିବା ଦିନଠୁ କାହିଁକି କେଜାଣି ଈଶ୍ୱରଙ୍କ ପ୍ରତି ମୋର ବିଶ୍ୱାସ ,ଭରଷା ବଢି ଚାଲିଛି ଆଉ ପ୍ରତି ମୁହୂର୍ତ୍ତରେ ଈଶ୍ୱର ମୋ ସହିତ ଅଛନ୍ତି ବୋଲି ଅନୁଭବ ହେଉଛି ।

ନିଜେ ସାଗର ଭଳି ଅଗଭୀର ଦୁଃଖରେ ରହି ମଧ୍ୟ ଯିଏ ସବୁ ସମୟରେ ମୋର, ମୋ ପରିବାର ପ୍ରତି,ମୋ ବାପା,ମାଆଙ୍କ ପ୍ରତି ଥିବା କର୍ତ୍ତବ୍ୟ ବିଷୟରେ ବାରମ୍ବାର ସୂଚାଇ ଦେଉଥାଏ ସେ ହେଉଛି ମୋ ସ୍ତ୍ରୀ ।

ହଁ ତମେ ପଚାରୁଥିଲ ମୋ ସ୍ତ୍ରୀ ପାଖରେ ଏମିତି କଣ ଅଛି ? ତେବେ ଶୁଣ," ମୋ ସ୍ତ୍ରୀ ପାଖରେ ଗୋଟେ ସୁନ୍ଦର ହୃଦୟ ଅଛି । ଯେଉଁଥିରେ ସାରା ସଂସାର,କୀଟ ପତଙ୍ଗ, ଜୀବ ଜନ୍ତୁ, ସମସ୍ତଙ୍କ ପାଇଁ ଜାଗା ଅଛି ।

ତଥାପି ସେ ନିଜର ସବୁ ପ୍ରିୟ ସମ୍ପର୍କ,ନିଜର ଅତି ପ୍ରିୟ ପରିଜନଙ୍କୁ ଭୁଲି ମୋ ପାଖକୁ ଚାଲିଆସିଛି କେଉଁ ଏକ ଅଜଣା ବିଶ୍ୱାସରେ । ନିଜ ଜନ୍ମିତ ମାଆକୁ ଭୁଲି ମତେ ନିଜର ମାଆ ବୋଲି ମାନିନେଇଛି । ନିଜ ଦୁନିଆଁକୁ ଭୁଲି ମତେ ତାର ସାରା ଦୁନିଆଁ ବୋଲି ମାନି ନେଇଛି । ସେଇଥିପାଇଁ କେବଳ ଏ ସାରା ଦୁନିଆଁ ପାଇଁ ସେ ହେଇପାରେ କେହିଜଣେ କିନ୍ତୁ ମୋ ପାଇଁ ସେ ହିଁ ମୋର ସାରା ଦୁନିଆଁ ।

ଆଉ ଏକ ନିରାଟ ସତ୍ୟ ସୁଣ," ମୋର କିଛି ଅସୁବିଧା ବା ଅସୁସ୍ଥତା ସମୟରେ ମୋର ମା,ବାପା ମୋ ପାଇଁ କିଛି ସମୟ ଦେଇପାରନ୍ତି କିନ୍ତୁ ତାଙ୍କର ସବୁ ସମୟ ସେ ମୋ ପାଇଁ ନିୟୋଜନ କରିବେନାହିଁ କାରଣ ତାଙ୍କର ମୂଲ୍ୟବାନ ସମୟରୁ ମଧ୍ୟ କିଛି ସମୟ ସେମାନେ ମୋ ଭାଇ ,ବନ୍ଧୁ ମାନଙ୍କ ମଧ୍ୟରେ ବାଣ୍ଟିବେ । ଭାଇ ବନ୍ଧୁ,ଆତ୍ମୀୟ ପରିଜନ ମାନେ ମଧ୍ୟ କିଛି ସମୟ ମତେ ଦେଇ ବାକି କିଛି ସମୟ ନିଜ ପରିବାର ପାଇଁ ବଞ୍ଚେଇ ରଖିବେ । କେବଳ ମୋ ସ୍ତ୍ରୀ ହିଁ ତାର ସବୁତକ ସମୟ ମତେ ଦେବ କାରଣ ମତେ ଛାଡି ତାର ବିକଳ୍ପ କେହି ନାହିଁ ।

ମୋ ଦ୍ୱାରା ଯଦି କେବେ କିଛି ଭୁଲ ହେଇଯାଏ ତେବେ ଦୋଷ ତାକୁ ଦିଆଯାଏ । ମୁଁ ନିଜ ବୁଦ୍ଧିରେ ନେଇଥିବା ପଦକ୍ଷେପ ଯଦି ମୋ ଚତୁର୍ପାଶ୍ୱର ଲୋକମାନଙ୍କୁ ଖରାପ ଲାଗେ ତେବେ ମୋ ସ୍ତ୍ରୀକୁ "ସ୍ୱାମୀକୁ ଶିଖେଇଥିବାର ବା ସ୍ୱାମୀକୁ ଭୁଲ ବାଟରେ ନେବାର" ଆଖ୍ୟା ମିଳେ । ସେ ବହୁତ କାନ୍ଦେ ,ଲୁଚି ଲୁଚି ଅନ୍ଧାରରେ ଲୁହ ଝରାଏ । ତଥାପି ସେ ମୋ ସାଙ୍ଗ ଛାଡେନି । ମତେ ଟିକେ ଖୁସି ଦେଖିବା ପାଇଁ ସେ ତାର ସବୁକିଛି ତ୍ୟାଗ କରିବାକୁ ପଛାଏନାହିଁ । ଅନ୍ୟ ମାନଙ୍କଠାରୁ ବିନା ଦୋଷରେ ଦୋଷ ମୁଣ୍ଡାଏ କେବଳ ମୋ ପାଇଁ, ଅନ୍ୟମାନଙ୍କୁ ବିନା ଭୁଲରେ କ୍ଷମା ମାଗେ କେବଳ ମୋ ପାଇଁ । ସେ ମୋ ସ୍ତ୍ରୀ ।

ଏଜେଣ୍ଟ ଜଣକ ନିର୍ବିକାରରେ ମୋ ସ୍ୱାମୀଙ୍କ କଥା ଶୁଣୁଥାନ୍ତି,ମୋ ସ୍ୱାମୀ ଆହୁରି କହିବାକୁ ଲାଗିଲେ, " ମୋ ସ୍ତ୍ରୀ ହେଉଛି ମୋ ମାଆ,ମୋ ଭଉଣୀ,ମୋ ଭାଇ,ମୋ ସାଙ୍ଗ ଏବଂ ମୋ ବାପା ମଧ୍ୟ । ସ୍ତ୍ରୀ ଗୋଟିଏ ସମ୍ପର୍କ ନୁହେଁ ,ସେ ହେଉଛି ସମ୍ପର୍କର ଭଣ୍ଡାର ।

ଯେତେବେଳେ ସେ ମୋର ସେବା କରିଥାଏ,ମୋର ମନ ଜାଣି ଖାଦ୍ୟ ପ୍ରସ୍ତୁତ କରିଥାଏ,ମତେ ସ୍ନେହ କରିଥାଏ ଏବଂ ମୁଁ ତା କୋଳରେ ମୁଣ୍ଡ ରଖି ସୋଇଥାଏ ଆଉ ସେ ମୋ ମୁଣ୍ଡରେ ହାତ ବୁଲାଉଥାଏ ସେତେବେଳେ ସେ ବିଲକୁଲ ମୋ ମାଆ ପରି ମନେହୁଏ ।

ଯେତେବେଳେ ସେ ମତେ ଦୁନିଆଁର ଉଠାଣି ଗଡାଣି ବିଷୟରେ ଅବଗତ କରାଇଦିଏ,ଆଉ ମୁଁ ମୋର ସବୁ ରୋଜଗାର ତା ହାତରେ ଧରେଇଦିଏ,କାରଣ ମୁଁ ଜାଣିଛି ସେ ମୋ ଘରପାଇଁ କେବଳ ଭଲ ହିଁ ଚିନ୍ତା କରିବ ସେତେବେଳେ ସେ ମୋର ବାପା ଭଳି ହୋଇଯାଏ ।

ଯେତେବେଳେ ସେ ମୋର ଭୁଲରେ ଗାଳି କରେନି ଓ ମୋର ଧ୍ୟାନ ରଖେ,ଯେତେବେଳେ ସେ ମୋପାଇଁ କିଛି ଜିନିଷ କିଣେ ଆଉ ସେଇ ଜିନିଷ ମୋର ଅତି ପ୍ରିୟ ହେଇଥାଏ ସେତେବେଳେ ମନେହୁଏ ସେ ମୋର ଭଉଣୀଟିଏ ।

ଯେତେବେଳେ ସେ ମତେ ନୂଆ ନୂଆ ଜିନିଷ ଆଣିବାକୁ କହେ,କଥା କଥାରେ ରୁସିଯାଏ,ନିଜକୁ ମନେଇବାକୁ ମତେ ବାଧ୍ୟକରେ, ଅଳି କରେ,କାନ୍ଦେ ମିଛରେ ମିଛରେ,ମୋ ଉପରେ ଅଭିମାନ କରେ ସେତେବେଳେ ସେ ମୋର ଗୋଟେ ଛୋଟ ଝିଅ ପରି ଲାଗେ ।

ଯେତେବେଳେ ସେ ମତେ ପ୍ରଶ୍ନ କରେ,ପରିବାର ଚଳେଇବାପାଇଁ ମତେ ଉପଦେଶ ଦିଏ,ମୋ ସହିତ ଝଗଡା କରେ ସେତେବେଳେ ଠିକ ଗୋଟେ ସାଙ୍ଗ ପରି ।

ଯେତେବେଳେ କିଛି ଭାରି ପଦାର୍ଥ ମୁଁ ଉଠାଉଥିବାର ଦେଖି ସଙ୍ଗେ ସଙ୍ଗେ ଦୌଡ଼ି ଆସି ମୋ ଠାରୁ ସେଇ ପଦାର୍ଥକୁ ନିଜ ହାତକୁ ନେଇଯାଏ ଓ ମୋ ହାତକୁ କଷ୍ଟ ହେଇଥିବ ଭାବି ଆଖି ଛଳ ଛଳ କରି ଆଉଁସି ଦିଏ ସେତେବେଳେ ବିଲକୁଲ ମୋର ବଡଭାଇ ପରି ମନେହୁଏ ।

ମୋ ସ୍ତ୍ରୀ ମୋର ଆତ୍ମା ଅଟେ । ଯେତେବେଳେ ସେ ଘରର ନେବା ଆଣିବା କରେ,ସବୁ ଜିନିଷ କିଣାକିଣି କରେ,ଘର ଚଳେଇବା କାମ କରେ ସେତେବେଳେ ସେ ମୋ ଘରର ମାଲିକାଣି ହେଇଯାଏ ।

ଆଉ ଯେତେବେଳେ ପୁରା ଦୁନିଆଁ ଛାଡି ସେ ମୋ ପାଖକୁ ଚାଲିଆସେ ସେତେବେଳେ ସେ ମୋର ପ୍ରେମିକା, ଅର୍ଦ୍ଧାଙ୍ଗିନୀ ଆଉ ମୋର ପ୍ରାଣ ପାଲଟିଯାଏ ଯିଏ ନିଜର ସବୁକିଛି ମତେ ଦେଇଦିଏ । ନିଜର ସବୁ ମୂଲ୍ୟବାନ ଜିନିଷକୁ ମୋ ପାଖରେ ସମର୍ପିଦିଏ ।

କେବଳ ସେଇଥିପାଇଁ ମୁଁ ମୋ ସ୍ତ୍ରୀ ର ସଂମ୍ମାନ କରେ" । ଏତିକି କହି ମୋ ସ୍ୱାମୀ ଆଉଥରେ ସ୍ମିତହାସ୍ୟ ଦେଇ ଚୁପ ରହିଲେ ।

ମୁଁ ରୋଷେଇ ଘରେ ଥାଇ ମୋ ସ୍ୱାମୀଙ୍କ ସୁନ୍ଦର ବର୍ଣ୍ଣନା ସବୁ ଶୁଣୁଥିଲି । ଏହା ଭିତରେ କେତେବେଳୁ ମୋ ଆଖିରୁ ଦୁଇବୁନ୍ଦା ଲୁହ ମୋ ଗାଲ ଦେଇ ଓଠ ଛୁଇଁ ସାରିଥିଲା । ମନରେ ଚିନ୍ତା କରୁଥିଲି ଇଏ ବି ଗୋଟେ ସ୍ୱାମୀ । ନିଜ ସ୍ତ୍ରୀ କୁ ସଂମ୍ମାନ କରୁଥିବା ଏକ ପତ୍ନୀବ୍ରତା ମର୍ଯ୍ୟାଦା ପୁରୁଷ ସ୍ୱାମୀ ଯାହାଙ୍କର ସ୍ତ୍ରୀ ଚର୍ଚ୍ଚା ଅନ୍ୟ ସ୍ୱାମୀ ମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ।


Rate this content
Log in