ସପନ ହେଲା ସତ
ସପନ ହେଲା ସତ
ରଘୁରାଜପୁର ନାମରେ ଗୋଟିଏ ଗାଁ ଥିଲା । ଏହି ଗାଁଟି ଆଖପାଖ ଅଞ୍ଚଳରେ ଖୁବ ପ୍ରସିଦ୍ଧ ଥିଲା । ଏହି ଗାଁର ଯୁବକମାନେ ଶିକ୍ଷକ ଠାରୁ ଆରମ୍ଭ କରି ଡାକ୍ତର,ରେଳବାଇ ଓ ସୈନ୍ୟବାହିନୀରେ ନିଯୁକ୍ତିସହ ସରକାରି,ବେସରକାରି ଚାକିରୀ ଓ ବ୍ୟବସାୟ ଆଦି କାର୍ଯ୍ୟରେ ସମ୍ପୃକ୍ତ ଥିଲେ ।ସେଇ ଗାଁର ଆଇଆଇଟି ଓ ନାଇଜରରୁ ପାସ କରିଥିବା ଅନେକ ପ୍ରତିଭାବାନ ଯୁବକ ଆମ ଦେଶସହ ଆମେରିକା,କାନାଡା ପରି ଦେଶରେ ମଧ୍ୟ ନିଯୁକ୍ତି ପାଇଥିଲେ ।ସମସ୍ତେ ଗାଁ ଠାରୁ ଦୂର ସହର, ନଗର ଓ ବିଦେଶରେ ରହୁଥିଲେ । ସମସ୍ତେ କେବଳ ଗାଁରେ ହେଉଥିବା ପର୍ବ ପର୍ବାଣି ସମୟରେ ଏକତ୍ର ହେଉଥିଲେ । ସେଇ ଗାଁରେ ରଘୁ ନାମରେ ଜଣେ ଉଚ୍ଚଶିକ୍ଷିତ ଓ ଦୂରଦୃଷ୍ଟି ସମ୍ପନ୍ନ ଯୁବକଟି ଥିଲା ।ସେ ଗାଁର ପରିବେଶକୁ ଛାଡି ବାହାରେ ରୋଜଗାର ପାଇଁ ଯିବାକୁ ଇଚ୍ଛା ପ୍ରକାଶ କରି ନଥିଲା ।ସେ ଗାଁରେ ସହର ଓ ନଗରର ସୁବିଧା ସୃଷ୍ଚି କରିବା ପାଇଁ ଯୋଜନା କରିଥିଲା । ସେଥିପାଇଁ ସେ ଗାଁ ମୁଖିଆ, ଯୁବକ ଓ ବୃଦ୍ଧ ଲୋକମାନଙ୍କୁ ଏକାଠି କରି ତା'ର ଯୋଜନାଟି ସେମାନଙ୍କୁ ଜଣାଇଲା । ଦେଶ ବିଦେଶର ରହୁଥିବା ଅନେକ ପରିବାରଙ୍କ ଜମିଜମା ସମ୍ପତ୍ତି ଏଇ ଗାଁରେ ମଧ୍ୟ ଥିଲା । ସେଗୁଡିକ ବ୍ୟବହାରରେ ଲାଗୁ ନଥିଲା ।କିଛି ଜମି ଚାଷବାସରେ ଲାଗୁଥିଲେ ବି ସେସବୁ ଜମିଗୁଡିକୁ ସମାଜର କଲ୍ୟାଣ ପାଇଁ ଭୂଦାନ କରିବାକୁ ରଘୁ ସେମାନଙ୍କ ବୁଝାଇଲା । ଏସବୁ ଜମିଗୁଡିକୁ ଭାଗ ଭାଗ କରି ଏଠାରେ ନିଜ ରାଜ୍ୟ, ବାହାର ରାଜ୍ୟ ଓ ବିଦେଶୀ ବିଶ୍ୱବିଦ୍ୟାଳୟ ସହଯୋଗରେ ଅନେକ ବିଶ୍ୱବିଦ୍ୟାଳୟ, ବୈଷୟିକ ପ୍ରତିଷ୍ଠାନ, ଆଇଆଇଟି, ଏନଇଏଫଟି, ଆଇଜର, ନାଇଜର ଓ ମେଡିକାଲ କଲେଜ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମାଗଣାରେ ଏହିସବୁ ଅନୁଷ୍ଠାନକୁ ଭୂମିଦାନ କରାଯିବ ।ଏ କ୍ଷେତ୍ରରେ ଗାଁ ବାହାରେ ରହୁଥିବା ବିଶିଷ୍ଟ ଲୋକମାନେ ସରକାରଙ୍କୁ ଓ ବେସରକାରି କଲେଜଗୁଡିକ ସେମାନଙ୍କର କ୍ୟାମ୍ପସ ଖୋଲିବା ପାଇଁ ପ୍ରସ୍ତାବ ମାଧ୍ୟମରେ ଆମନ୍ତ୍ରଣ କରିବେ। ଯୁବକଟିର ମହତ ଯୋଜନା ବିଷୟରେ ଗାଁର ଲୋକମାନେ ରାଜିହେଲେ । ଯୋଜନାର ସଫଳ ଋପାୟନ ପାଇଁ ଯୁବକ ଜଣକ ଲାଗିପଡିଲେ । ଦୂର ସହର ଓ ବିଦେଶରେ ରହୁଥିବା ସମସ୍ତଙ୍କୁ ଏ ବିଷୟରେ ଅବଗତ କରାଗଲା ।ଏହି ଭୂଦାନ ଆନ୍ଦୋଳନରେ ସାଧାରଣ ଲୋକଙ୍କ ସହ ଆଖପାଖ ଗାଁର ଜମିଦାରଙ୍କ ବଂଶଜମାନେ ମଧ୍ୟ ଭାଗ ନେଲେ ।ଦେଖୁ ଦେଖୁ ଦୁଇ ହଜାର ଏକର ଜମି ଏକତ୍ର ସଂଗ୍ରହ କରାଯାଇ ପାରିଲା ।
ଏପଟେ ବାହାର ରାଜ୍ୟର ବିଶ୍ୱବିଦ୍ୟାଳୟ,କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡିକ ସେମାନଙ୍କ କ୍ୟାମ୍ପସ ଖୋଲିବା ପାଇଁ ଆଗ୍ରହ ପ୍ରକାଶ କରିବାସହ ବିଦେଶୀ ବିଶ୍ୱବିଦ୍ୟାଳୟ ସହଯୋଗରେ ସେମାନଙ୍କର ସହଭାଗିତାକୁ ମଧ୍ୟ ସ୍ବାଗତ କଲେ ।ରାଜ୍ୟ ସରକାର ମଧ୍ୟ ଏଥିରେ ସହଯୋଗର ହାତ ବଢାଇଲେ ।ଦେଖୁ ଦେଖୁ ରଘୁରାଜପୁର ଏକ ଆନ୍ତର୍ଯାତିକ ଗାଁରେ ପରିଣତ ହୋଇଗଲା । ରଘୁରାଜପୁରସହ ଆଖପାଖ ଗାଁର ଯୁବକମାନଙ୍କୁ ଏସବୁ ଅନୁଷ୍ଠାନ ଗୁଡିକରେ ନାମଲେଖାର ସୂଯୋଗ ମଧ୍ୟ ମିଳିଲା ।ନିଜ ରାଜ୍ୟସହ ବାହାର ରାଜ୍ୟ ଓ ଦୂର ସହରର ପିଲାମାନେ ମଧ୍ୟ ଏଇସବୁ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମରେ ନାମଲେଖାଇ ନିଜ ସ୍ୱପ୍ନକୁ ସାକାର କଲେ ।
ସତରେ ଜାଗ୍ରତ ସ୍ୱପ୍ନ ଦେଶ ଓ ଜାତିର ଭାଗ୍ୟ ନିର୍ଦ୍ଧାରିତ କରିଥାଏ । ଏକ୍ଷେତ୍ରରେ ସମସ୍ତଙ୍କର ନିରବିଚ୍ଛିନ ଉଦ୍ୟମର ଆବଶ୍ୟକତା ରହିଛି ।ଏ କଥା ଆମେ ପିଲାମାନେ ମଧ୍ୟ ରଘୁଠୁ ଶିଖିବା ଉଚିତ ।
