STORYMIRROR

Satyabati Swain

Others

4  

Satyabati Swain

Others

ସଂସାର ନୌକା

ସଂସାର ନୌକା

2 mins
302

ଲୁହ ଦୁଇ ଟୋପା ଖସି ପଡିଲା ମୋ ହୃଦୟରୁ ମୋତେ ଲୁହ ଲୁହ କରି। ବହୁତ ଖୋଜିଲା ଏ ନିର୍ବୋଧ ହୃଦୟ ଦୁଇଟି ମୁହଁ: ନୟନା ଭାଉଜ ଆଉ ରବି ଭାଇଙ୍କୁ ଯେଉଁମାନେ ଅଳ୍ପ ବୟସରେ ଡକା ଡ଼କି ହୋଇ ଆକାଶର ତାରା। ଆହା ଏ ଦୁହେଁ ଥିଲେ କି ଖୁସି ହେଉଥାନ୍ତେ ଆଜି ।

   ପ୍ରାୟତଃ ସବୁ କାମ ଈଶ୍ବରଙ୍କ ଅପାର କରୁଣାରୁ ଖୁବ୍ ଭଲରେ ଭଲରେ ସରିଗଲା । ଫେରିବା ବେଳେ ମୋ ଭିତରେ ଗତ କିଛି ଦିନ ଧରି ମୋତେ ଚଳ ଚଞ୍ଚଳ ସକ୍ରିୟ କରୁଥିବା ମନ ନଥିଲା।ଯେଉଁ ଜୋଶରେ ଚାଲିବା ପରିବର୍ତ୍ତେ ମୁଁ ଦୌଡୁଥିଲି ସେଥିରେ ପୂର୍ଣ୍ଣଛେଦ ପଡିଲା।ସବୁ କାମ ଶେଷ ହୋଇଗଲା ପରେ ମୁଁ ଫେରି ଆସୁଥିଲି ମୋ ବସାକୁ। କିନ୍ତୁ ହୃଦୟ ଏତେ ଭାରି ଲାଗୁଥିଲା କାହିଁକି ନିଜକୁ ପଚାରି ପ୍ରାଣ ଭୋ ଭୋ ହେଉଥିଲା।

    ପାଖାପାଖି ଦୁଇ ବର୍ଷ ହେବ ଜଲି ଏବଂ ମୁଁ ବ୍ୟସ୍ତ ଥିଲୁ ବୁବୁ ବାହାଘର ନେଇ। ପସନ୍ଦର ବୋହୁ ନୁହେଁ ବୋଉ ପରି ଝିଅଟିଏ ଖୋଜି ଖୋଜି ନୟାନ୍ତ ହେବାର ସମୟ ଶେଷ ହେଲା ଗତ ଜୁନ ଏଗାର ତାରିଖରେ। ବୁବୁର ବାହା ଘର ଗାୟତ୍ରୀ ସହ ହୋଇଗଲା ଏହି ଦିନ।

   ବୁବୁ ମୋର କିଏ ଅନ୍ତତଃ କାହାକୁ ବୁଝାଇ ପାରିବା ପାଇଁ ମୋ ପାଖେ ଶବ୍ଦ ନାହିଁ। ଏତିକି କହିବି ସେ ମୋ ପୂଜାର ଫଳ।ପ୍ଲସ ଟୁ ଫାଷ୍ଟ ଇଅର୍ ଦଶହରା ଛୁଟିରେ ଘରକୁ ଆସିଥାଏ। ମୋ ନୟନା ଭାଉଜଙ୍କର ଲାଗ ଲାଗ ତିନି ଝିଅ ହୋଇ ଗଲେଣି ସେତେବେଳେକୁ ଅବଶ୍ୟ ପରେ ବଡ଼ ଝିଅ ଶତାବ୍ଦୀ ତୃତୀୟ ଶ୍ରେଣୀରେ ପଢିଲା ବେଳେ ବ୍ଲଡ଼ ଆବସିସା ରୋଗରେ ଆକ୍ରାନ୍ତ ହୋଇ ମରି ଗଲା। ବାପା ବରଣ୍ଡାରେ ବସି ମନ ଦୁଃଖରେ କହିଲେ, "ଅଣ୍ଡିରା କାଉ ମୁହଁ ନ ଦେଖି ମରିବି କିରେ ?" ଅର୍ଥାତ ନାତିଟିଏ ସେ ଆଶା କରୁଥିଲେ। ନାତୁଣୀଙ୍କୁ ସେ ଭଲ ପାଆନ୍ତି ନିଶ୍ଚୟ ତା ସହ ନାତି ମୋହ ତାଙ୍କର ବି ଥିଲା।

    ବାପାଙ୍କ ଏହି ଉଦାସ ମୁହଁର କଥା ମୋ ଭିତରେ ମୋତେ ଖୁବ୍ ବିଚଳିତ କଲା।କାରଣ ବାପାଙ୍କ ଦୁଃଖ ମୋର ସହ୍ୟ ହୁଏ ନାହିଁ। ସେହି ବର୍ଷ ରେଭେନ୍ସା ହଷ୍ଟେଲ ରେ ଅତି ଆଧୁନିକ ମନେ ହେଉଥିବା ଅନେକ ଅପା ଜାଗର ଉପାସ କରି ମାଲ୍ ଗୋଦାମରେ ଥିବା ହୁଙ୍କେଶ୍ୱର ମହାଦେବଙ୍କ ପାଖରେ ପୂଜା ମାନସିକ କରିବେ ବୋଲି ମନସ୍ଥ କରିଥାନ୍ତି। ପଚାରିଲି କଟକରେ ଏତେ ମହାଦେବ ଥାଉ ଥାଉ ହୁଙ୍କେଶ୍ୱର ମହାଦେବଙ୍କ ପାଖରେ ମାନସିକ କାହିଁକି ?

    ସୁଜାତା ଅପା କହିଲେ ,ଜାଗର ଦିନ ଉପାସ କରି ହୁଙ୍କେଶ୍ୱରଙ୍କ ନିକଟରେ ଯେଉଁ ମାନସିକ କରିବ ତାହା ଅଚିରେ ପୂରଣ ହୁଏ। ପୂରଣ ହୁଏ ! ତେବେ ତ ମୋର ଜାଗର କରିବା ନିହାତି ଦରକାର। ମୋ ବାପାଙ୍କର ନାତିଟିଏ ଲୋଡ଼ା ଯେ। ସେବେଠାରୁ ମୁଁ ଜାଗର କରେ ମୋ ବାପାଙ୍କ ନାତି ପାଇଁ। ସତକୁ ସତ ଦ୍ଵିତୀୟ ଜାଗର ବେଳକୁ ବାପାଙ୍କର ନାତି ପାଇବା ଇଛା ପୂରଣ ହୋଇ ଜନ୍ମ ନେଇଥିଲା ମୋ ମାନସିକ ପୂଜାର ଫଳ ବୁବୁନ୍ : ବୁବୁ।

    ଦୁର୍ଭାଗ୍ୟକୁ ଭାଇ ଭାଉଜ ତାଙ୍କ ଛୋଟ ଛୋଟ ତିନୋଟି ପିଲାଙ୍କୁ ଛାଡି ହାର୍ଟ ଆଟାକ୍ ରେ ଚାଲିଗଲେ ତ ଦାୟିତ୍ୱ ଓ ଚିନ୍ତା ବଢି ଯାଇଥିଲା। ସେଇ ମୋ ପ୍ରିୟ ବୁବୁ କଣ କହିବି ସେ ମୋ ପୁତୁରା,ପୁଅ ନା ହୃଦୟର ଟୁକୁଡ଼ା ଖଣ୍ଡେ ! ତାରି ବାହାଘର ,ଫିଷ୍ଟ ଆଦି ପାରମ୍ପରିକ କାର୍ଯ୍ୟ ଗତକାଲି ଶେଷ ହୋଇ ଗଲା ପରେ ମୁଁ ଫେରି ଆସିଲି ମୋ ପରିବାରକୁ।

    ପ୍ରିୟ ବୁବୁର ଦାମ୍ପତ୍ୟ ଜୀବନ ମଧୁମୟ ,ଖୁସି ପୂର୍ଣ୍ଣ ହେଉ ଏହାହିଁ ଆମ ଆରାଧ୍ୟ ଦଧିବାମନଙ୍କ ନିକଟରେ ପ୍ରାର୍ଥନା କରି ମୁଁ ଫେରି ଆସିବା ପୂର୍ବରୁ ମୋ ଭାଇ ଭାଉଜଙ୍କ ଶବ ପାଖରେ ମୁଣ୍ଡିଆ ମାରି କହିଲି ତୁମ ବୁବୁ ଏବେ ସଂସାରୀ ହୋଇଗଲା ତାକୁ ଆଶୀର୍ବାଦ କର । ସେ ଖୁସି ଖୁସି ବାହି ନେଉ ତା ସଂସାର ନୌକା।


Rate this content
Log in