Lokanath Rath

Children Stories Comedy Inspirational

3  

Lokanath Rath

Children Stories Comedy Inspirational

ସନାର ଫଳ କିଣା

ସନାର ଫଳ କିଣା

5 mins
150



ରାଜେନ୍ଦ୍ର ବାବୁ ନିଜ ପରିବାରକୁ ସହରକୁ ଆଣି ନିଜ ପାଖରେ ରଖିବାର କାରଣ ଥିଲା ଟିକେ ପୁଅ ସନାକୁ ଭଲ ପାଠ ପଢ଼ାଇବା ,ତା ବଗୁଲିଆ ଦୋଷ ଦୂର କରିବା ଓ ବାରମ୍ବାର ଗାଁ ଲୋକଙ୍କ ଫେରାଦିରୁ ମୁକ୍ତ ହେବା ।ଯାହା କଷ୍ଟ ହେଲେ ବି ସହର ରେ ରହି ଗୋଟିଏ ବୋଲି ପୁଅକୁ ଭଲ ମଣିଷ କରି ଗଢିବା ପାଇଁ ସେ ପରିଶ୍ରମ ବି କରୁଥିଲେ ।


ପୁଷ ମାସ ର ଶୀତ ବହୁତ ବଢିବାକୁ ଲାଗିଥିଲା।କାମରୁ ଫେରିଲା ବେଳେ ରାଜେନ୍ଦ୍ର କିଛି ଭଲ ଫଳ ନେଇ ଘରକୁ ଆସିଲେ ।ଘରେ ତାଙ୍କର ବୁଢ଼ୀ ମା ,ସ୍ତ୍ରୀ ଓ ପୁଅ ସନା ଖାଇବେ ବୋଲି ।ଫଳ ବେଗ ମମତା ଙ୍କ ହାତକୁ ଦେଉ ଦେଉ କହିଲେ ,ଶୁଣ ଏତକ ଭଲ କରି ଧୋଇ ମାଆକୁ ଦେବ ଓ ତୁମେ ମା ପୁଅ ବି ଖାଇବ ।ବାଟରେ ଦେଖିଲି ,ଭଲ ଲାଗିଲା ନେଇ ଆସିଲି "।ଏତକ ଶୁଣି ମମତା ହଉ ବୋଲି କହି ମୁଣା ଟିକୁ ନେଇ ଗଲେ ।କିଛି ଫଳକୁ ଭଲ କରି ଧୋଇ କାଟି ପ୍ରଥମେ ନିଜ ଶାଶୁ ଙ୍କୁ ଦେଲେ ।ତା ପରେ ରାଜେନ୍ଦ୍ର ଙ୍କୁ ଦେଇ ଗୋଟିଏ ଜାଗାରେ ସନା ଓ ନିଜ ପାଇଁ ନେଇ ସନା ପାଖକୁ ଯାଇ କହିଲେ ।ଏଇ ନେ ତୋ ବାପା ଆଣିଛନ୍ତି ,ବଢିଆ ଫଳ ଖାଇଦେ ।ସେପଟେ ଶାଶୁ ଫଳ ଖାଉ ଖାଉ ରଡି ପକାଇଲେ ,ଓହଃ...ମଲା ...କି ଖଟା ...ମୋ ପାନ ଖିଆ ଦାନ୍ତ ଆଜି ଗଲା । ଏ ବୋହୁ ନେଇଜା ଏଗୁଡ଼ାକ ..ଖାଇ ହେବନି । ଆରେ ପୁଅ ତୁ ଏଗୁଡ଼ାକ କଣ ଆମ ପାଇଁ ଆଣିଛୁ ନା ଗୋରୁ ଖାଇବାକୁ ବା ???ସେ ନିଆଁ ଲଗା ବିକାଳି ପଇସା ନେଇଛି ଟି !!!ତାକୁ ମୋଟେ ଧରମ ସହିବେନି....ତୋତେ ପୁରା ଠକି ଦେଇଛି "।ଏତିକି ଶୁଣୁ ଶୁଣୁ ସନା ବି ହସି ହସି ଟକଳ ମାରି କହିଲା ,"ଆଲୋ ବୋଉ ଏ ସେଉ ଗୁଡାକ ଆମ ଗାଁ ତୋଟା ଆମ୍ବ ଗଛ ର କଞ୍ଚା ଆମ୍ବ ଠାରୁ ବି ଖଟା ...ତୁ ଖାଉନୁ..."।ମମତା ଚାଖିଲେ ,ସତରେ ବହୁତ ଖଟା ...ସେ ରାଜେନ୍ଦ୍ର ଙ୍କୁ ଚାହିଁ କହିଲେ ,"ତୁମର ବୁଦ୍ଧି କେବେ ହେବ ?ଜିନିଷ ଆଣୁଛ ଟିକେ ଦେଖି ମାପି ଚାଖି କି ଆଣିଲେ ସିନା ଠିକ ଠିକ ହେବ "।ସନା ମନକୁ କଥାଟା ପୁରା ପାଇଗଲା ।ସେ ବି କହିଲା, "ହଁ ବାପା ବୋଉ ଠିକ କହୁଛି ।ତୁମେ ଟିକେ ଦେଖି ମାପି ଚାଖି କି ଆଣିଥାଆନ୍ତ ନା ।ଏବେ କଣ ହେବ ଯେ ।କୋଉଠୁ ବାଲି ଆଣିବି ଏଗୁଡ଼ାକ ତା ଉପରେ ରଖି ଦେଲେ ଆମ ଆମ୍ବ ଭଳିଆ ପାଚି ଯିବ,ତାପରେ ମିଠା ଲାଗିବ "।ଏତକ ଶୁଣି ରାଜେନ୍ଦ୍ର ଟିକେ ରାଗିଗଲେ ,ନିଜକୁ ଟିକେ ଅପମାନ ବୋଧ କଲେ ।କହିଲେ ,"ହଉ ଥାଉ ,ଏବେ ଦିଅ ତାକୁ ଫୋପାଡ଼ି ଦେବା ।ଆରେ ସନା ତୁ ମୁଣ୍ଡରେ କଣ ଗୋବର ଅଛି ?ସେଉ କଣ ଆମ୍ବ ହେଇଛି ବାଲିରେ ରଖିଲେ ପାଚି ଯିବ ?"


ଏତକ ଶୁଣି ସନା କହିଲା ,ଏ ବୋଉ ଦେଖିଲୁ ଦେଖିଲୁ ମୋ ମୁଣ୍ଡରେ ଗୋବର ଲାଗିଛି ଚାଲେ ଟିକେ ଧୋଇ ସଫା କରିଦେବୁ ହେଲେ ସେ ତ ଗନ୍ଧ ହେଉନାହିଁ !କଣ ଏବେ ସହର ର ଗାଈ ଙ୍କ ଗୋବର ଗନ୍ଧ ହେଉନି ! ତତେ ମନା କରୁଥିଲି ମୁଁ ସେ ଗଉଡ଼ ଘରକୁ ଯାଇ କ୍ଷୀର ଆଣିବିନି ,ତୁ ପଠାଇ ଦେଲୁ ଆଉ ଦେଖ ମୋ ମୁଣ୍ଡରେ ଗୋବର ଲାଗିଗଲା ।ବାପା ଦେଖି ପାରିଲେ ।ଚାଲେ ଜଲଦି ଧୋଇ ଦେବୁ ।" ଏତକ ଶୁଣି ରାଜେନ୍ଦ୍ର ହସିବେ କି ରାଗିବେ କି କଣ କରିବେ ?କହିଲେ ,ମମତା ଏ ଗଧକୁ ମୋ ଆଗରୁ ନେଇଗଲ ।ମୋ କପାଳ ଫଟା ।

ସାଙ୍ଗେ ସାଙ୍ଗେ ସନା ଦୌଡ଼ି ଆସି କହିଲା ,କାହିଁକୁଆଡେ ଗଲା ଗଧ ?କଣ ବାପା ତୁମକୁ ମାରି ସେ କପାଳ ଫଟେଇ ଦେଲା ?କାହିଁ ତୁମ କପାଳ ରୁ ତ ରକ୍ତ ବୋହୁ ନାହିଁ ।"ଏତିକିରେ ରାଜେନ୍ଦ୍ର ମୁଣ୍ଡରେ ହାତ ଦେଇ ଫଳ ମୁଣାକୁ ଧରି ବାହାରି ଗଲେ ।ମମତା ସନା ପାଖକୁ ଆସି କହିଲେ ,ସନା ସିନା ତୁମ ଥଟ୍ଟା ଗାଳିକୁ ବୁଝି ପାରୁନି ,ହେଲେ ଦେଖ କେତେ ତୁମକୁ ଭଲ ପାଉଛି ।ଏତିକି କହି ସେ ସନାକୁ ଆଉଁସି ଦେଇ କହିଲେ ଚାଲ ତୋ ମୁଣ୍ଡକୁଣ୍ଡେଇ ଦେବି ।ସବୁ ଠିକ ହେଇଯିବ ।କିନ୍ତୁ ସନା ମୁଣ୍ଡରେ ଏ କଥା ଗୁଡାକ ଥାଏ ।

ସନା ସ୍କୁଲକୁ ଯାଏ ,ତା କଥା ଶୁଣି ମାଷ୍ଟ୍ରେ ଭାବନ୍ତି ଯେ ସନାତନ ବହୁତ ବୁଦ୍ଧିଆ ପିଲା ।ଆଗକୁ ଶ୍ରୀପଞ୍ଚମୀ ଆସୁଛି ।ସ୍କୁଲ ରେ ପୂଜା ହେବ ।ସବୁ ପିଲା ଚାନ୍ଦା ଆଣି ଦେଲେ ।ଶ୍ରୀପଞ୍ଚମୀ ଆଗ ଦିନ ମାଷ୍ଟ୍ରେ ସନାତନକୁ ଡାକି କହିଲେ ,ସନାତନ ତୁ ଜଣକୁ ସାଙ୍ଗରେ ନେଇ ପୂଜା ପାଇଁ ଫଳ ଭୋଗ ଆଣିବୁ ।ଏଇ ଚିଠା ଓ ପଇସା ନେ ।କାଲି ସକାଳେ ନେଇ ଆସିଲେ ପୂଜା ହେବ ।ମୁଁ ଅନ୍ୟ ଦୁଇଜଣଙ୍କୁ ନେଇ ମୂର୍ତ୍ତି ଓ ପୂଜା ସାମଗ୍ରୀ କିଣି ନେଇ ଆସିବି ।ଏତକ ଶୁଣି ସନା ବହୁତ ଖୁସି ହେଇଗଲା ।ମାଷ୍ଟ୍ରେ ଜାଣିଛନି ମୁଁ ଫଳ ଭଲ ଭାବରେ କିଣି ପାରିବି ।


ରାତିରେ ସନାକୁ ନିଦ ହେଲା ନାହିଁ ।ସକାଳୁ ଉଠି ଗାଧୁଆ ସାରି ନୂଆ ଜାମା ପିନ୍ଧି ଚାଲିଲା ବଜାର ହେଇ ଫଳ ନେଇ ସ୍କୁଲକୁ ଯିବ ।ମମତାକୁ କହିଲା ,ବୋଉ ମୁଁ ଯାଉଛି ଫଳ କିଣିକି ନେଲେ ସ୍କୁଲରେ ପୂଜା ହେବ ।ଦେଖୁ ଦେଖୁ ତା ସାଙ୍ଗ ବି ଆସିଗଲା ।ଦୁହେଁ ବାହାରିଲେ ।ମମତା କହିଲେ ,ହଉ ଯା ,କିନ୍ତୁ ଠିକ ଠାକ ଦେଖି ମାପି ଚାଖି କି ନେବୁ ।ସନା "ହଁ ଲୋ ବୋଉ ତୋ କଥା କଣ ଭୁଲିବି"କହି ବାହାରି ଗଲା ।ଚିଠା ଦେଖି ଫଳର ଦାମ ପଚାରି କିଣିବାକୁ ଲାଗିଲା ।କିଣିବା ଆଗରୁ ସେ ଟିକେ ଟିକେ ତାକୁ ହାତରେ ଧରି ଦେଖିଲା ମାପିଲା ଓ ଟିକେ ଟିକେ ଚାଖିଲା ।ତା ସାଙ୍ଗକୁ ବି ସେଇଆ କରିବାକୁ କହିଲା ।ତା ସାଙ୍ଗ ଚାଖିବାକୁ ମନା କରିବାରୁ ସନା କହିଲା ,"ତୁ ମୋ ବୋଉ କଥା ଶୁଣିନୁ ।ସେ ପରା କହିଛି ଦେଖି ,ମାପି ଓ ଚାଖି କି ନବାକୁ ।" ତା ସାଙ୍ଗ କହିଲା ,ଆରେ ଚାଖିଲେ ପରା ଅଇଁଠା ହେଇଯିବ ପୂଜା କେମିତି ହେବ ?ସନା ସଙ୍ଗେ ସଙ୍ଗେ କହିଲା ,ପୂଜା ଆଗରୁ ତ ଧୁଆ ହେବ ।ଦେଖ ଯଦି ଭଲ ଜିନିଷ ନେବାନାହିଁ ମାଷ୍ଟ୍ରେ ଗାଳିଦେବେ ।ଏଥର ତା ସାଙ୍ଗ ବୁଝିଗଲା ଓ ଉଭୟ ଦେଖି ମାପି ଚାଖି ସବୁ କିଣିଲେ ।ସବୁ ନେଇ ସ୍କୁଲରେ ପହଁଚିଲେ ।ମାଷ୍ଟ୍ରେ ବହୁତ ଖୁସିରେ ଫଳ ନେଇ କହିଲେ ଚାଲ ଧୋଇ କରି କାଟି ଦେବା ।ଫଳ ସବୁ ଧୋଇଲା ବେଳେ ମାଷ୍ଟ୍ରେ ଦେଖିଲେ ସବୁ ଟିକେ ଟିକେ ଖଣ୍ଡିଆ ହେଇଛି ।ପଚାରିଲେ ଆରେ ସବୁ ଗୁଡାକ ଦାଗି ନା କଣ ?ହସି ହସି ସନା କହିଲା ,ନାଇଁ ମୁଁ ସବୁ ଦେଖି ମାପି ଚାଖି କରି ଆଣିଛି ।ଏତକ ଶୁଣୁ ଶୁଣୁ ମାଷ୍ଟ୍ରେ ମୁଣ୍ଡରେ ହାତ ଦେଇ କହିଲେ ,ଆରେ ମୂର୍ଖ ତୋ ଅଇଁଠା କଣ ପୂଜା ହେବ ?ତୋତେ ଏତେ ବୁଦ୍ଧି କୋଉଠୁ ଆସିଲା ?ଆଜି ବିନା ଫଳରେ ପୂଜା ହେବ ।ସାଙ୍ଗେ ସାଙ୍ଗେ ସନା କହିଲା ,ମୋ ବୋଉ କହିଛି ସବୁ ଦେଖି ,ମାପି ,ଚାଖି କି କିଣିବାକୁ ।ଏଥିରେ ମୋର ଭୁଲ କେଉଁଠି ?ମାଷ୍ଟ୍ରେଙ୍କ ତାତି ବଢିଗଲା ।କହିଲେ ପୂଜା ସରୁ ତୋ ବାପାଙ୍କୁ କହିବି ।ସନା କିଛି ବୁଝି ପାରିଲା ନାହିଁ ତାର ଦୋଷ କେଉଁଠି ରହିଲା ।

ପୂଜା ସରିଲା ପରେ ମାଷ୍ଟ୍ରେ ସନାକୁ ନେଇ ତା ଘରକୁ ଗଲେ ।ସେଠି ଯାଇ ରାଜେନ୍ଦ୍ର ବାବୁଙ୍କୁ ସବୁ କହିଲେ ।ରାଜେନ୍ଦ୍ର ବାବୁ ସବୁ ଶୁଣି ମୁଣ୍ଡକୁଣ୍ଡାଇ ଭୁଲ ମାଗିଲେ ଓ ଫଳର ପଇସା କାଢି ମାଷ୍ଟ୍ରେଙ୍କୁ ଦେଲେ ।ମାଷ୍ଟ୍ରେ ଗଲା ପରେ ରାଗରେ ଗୋଟିଏ ବାଡ଼ି ଧରି ରାଜେନ୍ଦ୍ର ଖୋଜିଲେ ସନାକୁ ।ମମତା ପଚାରିଲେ ,ଆରେ କଣ ହେଲା ?ଆଜି ପିଲାଟାକୁ ମାରିବ ନା କଣ ?ଏତକ ଶୁଣି ରାଜେନ୍ଦ୍ର ସନାର ଚାଖିବା କଥା କହିଲେ ।ମମତାଙ୍କୁ ଚାହିଁ କହିଲେ ଯେମନ୍ତ ମା ସେମନ୍ତ ପୁଅ ।ସବୁ ଜାଗାରେ ମୋ ନା ପକାଇଲା ।ତା ବଗୁଲିଆ ଗୁଣ ମୋ ଇଜ୍ଜତ ମହତ ନେଇ ସରିବ ।ଏବେକୁହ ତୁମ ଗେଲ୍ହାପୁଅକୁ ,ଦେଖିବ ମାପିବ ଚାଖିବ ...ମୋ କପାଳର ସବୁ ଦୋଷ ।

ଏତିକିବେଳେ ସନା ଆସି ପଚାରିଲା ,ବାପା ମୋତେ ଖୋଜୁଥିଲ କି?ରାଜେନ୍ଦ୍ର ରାଗି ଯାଇ ତା କାନକୁ ମୋଡି କହିଲେ ,ହଁ ତୋତେ ପୂଜା କରିବି ତ ! ତୁ ଆଜି କେମିତି ସବୁ ଫଳକୁ ଅଇଁଠା କରି ପୂଜା ପାଇଁ ନେଲୁ ? ସନା କହିଲା ,ମୋ ବୋଉ ଯାହା କହିଲା ସେଇ ହିସାବରେ ନେଲି ।ମୋର ଭୁଲ କୋଉଠି ରହିଲା ?

ରାଜେନ୍ଦ୍ର କହିଲେ ଆରେ ମୂର୍ଖ ,"ଦେଖିବ ମାପିବ ଚାଖିବ ମାନେ କଣ ତୁ ଅଇଁଠା କରି ନେବୁ ।ତା ମାନେ ଭଲ ଭାବରେ ଦେଖିବ କି ପୋକ ଲାଗିଛି କି ନାହିଁ ,ପଚିଛି କି ନାହିଁ ।ମାପିବ ମାନେ ଓଜନ ଠିକ କରି କରୁଛି କି ନାହିଁ ଦେଖିବ ।ଚାଖିବ ମାନେ ଦୋକାନୀକୁ କହି ଅଲଗା ଖଣ୍ଡେ ଚାଖି କରି ଦେଖିବ ।ତା ମାନେ ନୁହେଁ ସବୁକୁ ଖଣ୍ଡିଆ କରି ଅଇଁଠା କରିବ "।ତତେ ଆଉ ପାରି ହେବନି ।ଏତକ ଶୁଣି ସନା କହିଲା ,ତୁମେ ମୋତେ ଆଗରୁ ବୁଝେଇ ଦେଲନି ।ଏଣିକି ମନେ ରହିଲା ।ଏବେ କାନ ଟା ଛାଡ ,ଭାରି କାଟୁଛି ।ଆଜି ମାରିଲେ ସରସ୍ବତୀ ମା ରାଗିଯିବେ ।ବୁଝିଲ !!



Rate this content
Log in