ସନା ର ଅଲଣା କଥା
ସନା ର ଅଲଣା କଥା
ସନା ଓରଫ ସନାତନ ଦାସ ବାପା ମା ଙ୍କର ଏକ ମାତ୍ର ସନ୍ତାନ । ବାପା ତାର ସହର ରେ ଚାକିରି କରନ୍ତି । ଗାଁ ରେ ସନା ତା ମା ଓ ଜେଜେ ମା ସାଙ୍ଗରେ ରହି ପଞ୍ଚମ ଯାଏ ବହୁ କଷ୍ଟରେ ପାସ କରିଗଲା । ତାର ବାଗୁଲିଆମି ପାଇଁ ଗାଁ ଲୋକେ ସବୁବେଳେ ତା ବାପା ରାଜେନ୍ଦ୍ର କୁ ଫେସାଦି କରନ୍ତି । ଗାଁ ରେ ମା ଓ ଜେଜେ ମା ଙ୍କ ଗେଲ୍ହା ଯୋଗୁ ଟିକେ ସେ ବିଗିଡ଼ିବାରେ ଲାଗିଲା । ତେଣୁ ରାଜେନ୍ଦ୍ର ସହର ରେ ଗୋଟିଏ ଭଡା ଘର ନେଇ ସମସ୍ତଙ୍କୁ ପାଖରେ ରଖିଲେ ଓ ସନା ର ସରକାରୀ ସ୍କୁଲ ରେ ନାମ ଲେଖା ଷଷ୍ଠ ଶ୍ରେଣୀରେ ହେଲା । ସ୍କୁଲ ରେ ନାମ ଲେଖା ସାରି ଫେରିବା ବାଟରେ ରାଜେନ୍ଦ୍ର ତାକୁ ପାଖ ଗୁଡ଼ିଆ ଦୋକାନ କୁ ନେଲେ । ସେଠି ସନାକୁ କହିଲେ ,ଭୋକ ଲାଗିଲେ ମନେ ରଖିଥା ଏଇଠି ଆସି ଜଳଖିଆ ଖାଇଦେବୁ । ଦୋକାନରେ ବସି ରାଜେନ୍ଦ୍ର ଦୁଇ ଜାଗାରେ ବରା ଦେବାକୁ କହିଲେ । ଦୋକାନ ର ପିଲା ଆଣି ବରା ଦେଲା ଓ କିଛି ତରକାରୀ ବି ଅଲଗା ଜାଗାରେ ଦେଲା । ସନା ବଡ଼ ଆଗ୍ରହ ରେ ଖାଇଲା ଓ କହିଲା,"ବାପା ବେଶ ବଢିଆ ବରା । ଆମେ ତ ତରକାରୀ କହି ନ ଥିଲେ ସେ ଦେଇଗଲା ,ମୁଁ ଅଇଁଠା କରିନି ,ଫେରାଇ ଦିଅ । ବେକାର ରେ ଅଧିକା ପଇସା କାହିଁକି ଦେବା । "ଏହା ଶୁଣି ରାଜେନ୍ଦ୍ର କହିଲେ ,"ଆରେ ଏଇଟା ଆମ ଗାଁ ମାଗୁଣି ସାହୁ ଦୋକାନ ନୁହେଁ । ଏଇଠି ତରକାରୀ ପାଇଁ ପଇସା ଦେବାକୁ ହୁଏନା । ଏଇଟା ମାଗଣା । ତୁ ଖାଇଦେ " । ତା ପରେ ବାପ ପୁଅ ମିଶି ଘରକୁ ଫେରିଲେ ।
ଘରେ ସନା ର ସ୍କୁଲ ଯିବା ପାଇଁ ପୋଷାକ ,ବସ୍ତାନି ଓ ଖାତା ବହି ସବୁ ଠିକ ଠାକ କରି ରାଜେନ୍ଦ୍ର କହିଲେ ,"ଦେଖ ସନା ,ଏବେ ମନଦେଇ ପାଠ ପଢ଼ିବୁ । ମୋଟେ ବଗୁଲିଆମି କରିବୁନି । ଏଇଟା ସହର ଆମ ଗାଁ ନୁହେଁ " । ଏକଥା ଶୁଣୁ ଶୁଣୁ ମମତା (ସନାର ମା ) କହିଲେ ,"ତୁମକୁ ଖାଲି ମୋ ପୁଅ ର ଭୁଲ ଦେଖା ଯାଉଛି । ଗୋଟିଏ ବୋଲି ପୁଅ ,ପୁଣି କେତେ ପୂଜା ପାଠ କରି ପାଇଛି । ଟିକେ ହେଲେ ବି ତୁମର ତା ପ୍ରତି ସିନେହ ନାହିଁ " । ଏକଥା ଶୁଣୁ ଶୁଣୁ ରାଜେନ୍ଦ୍ର କହିଲେ,ଆରେ ସେ କଣ ମୋ ପୁଅ ,ଖାଲି ତୁମର ଏକା ! ଏକଥା ଶୁଣୁ ଶୁଣୁ ସନା ଦୁଃଖ ରେ ମମତା କୁ ଧରି ପଚାରିଲା , ବୋଉ ସତରେ ମୁଁ ବାପାଙ୍କର ପୁଅ ନୁହେଁ ! ସେଥପାଇଁ ସବୁବେଳେ ସେ ମୋ ଉପରେ ରାଗୁଛନ୍ତି । ଚାଲେ ଆମେ ମୋ ବାପାଙ୍କ ପାଖକୁ ଯିବା " । ଭିତରୁ ସନା ର ଜେଜେ ମା ଉଠି ଆସି କହିଲେ ,ମଲା ଏମିତି କଣ କହୁଛୁ ସନିଆ । ତୁ ପରା ମୋ ନାତି ,ମୋ ରାଜୁର ପୁଅ । ମୁଁ ମୁଣ୍ଡ ପିଟି ଦେବି । "ଏସବୁ ଗଣ୍ଡ ଗୋଳିଆ ଦେଖି ରାଜେନ୍ଦ୍ର କହିଲେ ,"ଆରେ ସନା ତୋ ବୋଉକୁ ମୁଁ ଥଟ୍ଟା ରେ କହିଲି । ତୁ ଏଡ ବଡ଼ ହେଲୁଣୁ କିଛି ନ ବୁଝି ଏ ଅଲଣା କଥା କଣ କହୁଛୁ । ଯା ତୋ ଜିନିଷ ସବୁ ଠିକ କର । ହଁ ମମତା ତୁମେ ତାକୁ ବୁଝାଉ ନାହଁ କାହିଁକି ?ଶେଷରେ ତାଙ୍କ ବୋଉ କୁ କହିଲେ ,"ତୁ ବି ସନା ର ଅଲଣା କଥାରେ ଭାସିଗଲୁ " । ଯାଅ ସବୁ ମୋ ମୁଣ୍ଡକୁ ଆଉ ଖରାପ କର ନାହିଁ ।
ତା ପରଦିନ ସନା ସ୍କୁଲ କୁ ଗଲା । ରାଜେନ୍ଦ୍ର ତାକୁ ସ୍କୁଲରେ ଛାଡି ନିଜ କାମରେ ଗଲେ । ସବୁଦିନେ ସନା କୁ ରାଜେନ୍ଦ୍ର କିଛି ପଇସା ଦିଅନ୍ତି ,ସ୍କୁଲରେ ଭୋକ କଲେ ଜଳଖିଆ ଖାଇବାକୁ । କିଛି ଦିନ ଗଲା ,ସନା ସ୍କୁଲ କୁ ଯାଏ ଓ ରାଜେନ୍ଦ୍ର ଦେଖାଇଥିବା ଦୋକାନ ରେ ଜଳଖିଆ ଖାଏ । ସେ ଭାବିଲା ବୋଉ କୁ କହି ଖାଲି ରୁଟି ନେଇ ଆସିଲେ ଗୁଡ଼ିଆ ଦୋକାନ ର ମାଗଣା ତରକାରୀ ସାଙ୍ଗରେ ଖାଇବ ଓ ପଇସା କୁ ସଞ୍ଚୟ କରି ରଖି ଖେଳନା କିଣିବ । ସେଇଆ କଲା । ଘରେ ମମତା ଓ ତା ଜେଜେ ମା କୁ କହିଲା । ସେଦିନ ସେ ଦୁଇଟା ରୁଟି ଘରୁ ନେଇକରି ଗଲା । ଭୋକ ଲାଗିବାରୁ ଖେଳ ଛୁଟିରେ ଗୁଡ଼ିଆ ଦୋକାନ କୁ ଗଲା । ଗୋଟିଏ ଜାଗାରେ ବସିଗଲା । ତାକୁ ଦୋକାନ ର ପିଲା ଏବେ ଚିନ୍ହି ଯାଇଥିଲା । ସେ ବରା ଓ ତରକାରୀ ନେଇ ଆସିଲା । ତାକୁ ଦେଖି ସନା କହିଲା ,"ଭାଇ ବରା ନେଇ ଯାଅ " । ଦୋକାନ ପିଲା କହିଲା ,"କଣ ଆଜି ଖାଇବନି । ହଉ ଯାହା ତୁମ ଇଚ୍ଛା । "ଏତିକି କହି ସେ ବରା ଓ ତରକାରୀ ନବାକୁ ଲାଗିଲା । ସେଇଟା ଦେଖି ସନା କହିଲା ,"ଭାଇ ବରା ନେଇଯାଅ ,ତରକାରୀ ଥାଉ ,"
ଏହା ଶୁଣି ଦୋକାନୀ ପିଲା ତାକୁ ଚାହିଁଲା ଓ ଥଟ୍ଟା କରି କହିଲା ,ଏଇଟା କଣ ତୁମ ଘର । ବରା ଖାଇବନି ତ ତରକାରୀ କେମିତି ଖାଇବ ,ସନା କହିଲା ,"ତୁମେ ବୋଧେ ଜାଣିନ । ତୁମର ପରା ଏଇଠି ତରକାରୀ ମାଗଣାରେ ମିଳେ । ମୁଁ ରୁଟି ଆଣିଛି ତା ସାଙ୍ଗରେ ଖାଇଦେବି । "ଏ କଥା ଶୁଣି ଦୋକାନୀ ନିଜେ ଉଠି ଆସିଲେ ଓ କହିଲେ ,"ଆରେ ବାବୁ ତୁମେ ଆମ ରାଜେନ୍ଦ୍ର ବାବୁଙ୍କ ପୁଅ ଟି !ଏମିତି କଣ କହୁଛ ?ମୁଁ କଣ ଏଇଠି ମାଗଣା ରେ ବାଣ୍ଟିବାକୁ ଦୋକାନ ଖୋଲିଛି ?"ଏତିକି ବେଳେ ଦୋକାନର ପିଲାଟି ଆସି ବରା ଓ ତରକାରୀ ନେଉ ନେଉ କହିଲା ,"ଆପଣ ଯାଆନ୍ତୁ ନା ବାବୁ ,ଏ ପିଲାର ଅଲଣା କଥାରୁ ଆମକୁ କଣ ମିଳିବ ?ସନା କୁ ବଡ଼ ରାଗ ହେଲା ଓ ଅପମାନ ଲାଗିଲା । ସେ ସ୍କୁଲ ଯାଇ ବହି ବସ୍ତାନି ଧରି ସିଧା ଘରକୁ ଗଲା । ତାକୁ ଦେଖି ତା ମା ଓ ଜେଜେ ମା ପଚାରିଲେ ,"ଆରେ କଣ ହେଲା ?ଏତେ ଶୀଘ୍ର କଣ ପାଠ ପଢା ସରିଗଲା ?ତୁ ଜଲଦି ଚାଲି ଆସିଲୁ ଯେ !ସନା କିଛି ନ କହି ଯାଇ ଚୁପ ଚାପ ସୋଇ ପଡିଲା । ରାଗରେ ଭାବିଲା ଆଜି ବାପା ଆସିଲେ ସେ ପଚାରିବ ସତ କଥା କଣ ?ତାକୁ ସେ ଦୋକାନୀ କାହିଁକି ଠକି ଦେଲା ?ଅଲଣା କଥା କିଏ କହୁଛି ,ସେ ନା ତା ବାପା ନା ସେ ଦୋକାନୀ ?
ସନ୍ଧ୍ୟା ହେଲା ରାଜେନ୍ଦ୍ର ଘରକୁ ଆସିଲେ । ମମତା କହିଲେ ସନା ଆଜି ବେଳା ବେଲି ଇସ୍କୁଲ ରୁ ଆସି ରାଗରେ ବୋଧେ ସୋଇ ପଡିଛି । ଟିକେ ଆଗ ତା କଥା ଯାଇ ବୁଝ । ଏ କଥା ଶୁଣି ରାଜେନ୍ଦ୍ର ଭାବିଲେ ନିଶ୍ଚୟ ଆଜି ସନା କିଛି ଗୋଟେ କାଣ୍ଡ କରିଛି । ତା ପାଖକୁ ଯାଇ ପଚାରିଲେ ,"ଆରେ ଆଜି କଣ ହେଲା ?ସ୍କୁଲରୁ ଜଲଦି ଆସିଗଲୁ କାହିଁକି ?ତୁ ରାଗିଛୁ କାହିଁକି ?"
ଏତକ ଶୁଣୁ ଶୁଣୁ ସନା ଫଁ ଫଁ ହେଇ ଉଠିଗଲା କହିଲା "ଥାଉ ତୁମରସେ ଅଲଣା କଥା । ମୋତେ ସବୁ ଖାଲି ଠକିବାରେ ଲାଗିଛନ୍ତି " । ରାଜେନ୍ଦ୍ର ପଚାରିଲେ "ଆରେ କିଏ ଠକିଲା ?ତୁ ଏମିତି କଣ କହୁଛୁ ?କଣ ହେଇଚି କହୁନୁ " ।
ସନା ଗୁଡ଼ିଆ ଦୋକାନର କଥା କହିଲା ଆଉ ପଚାରିଲା ,"ତୁମେ ପରା କହିଥିଲ ସେଇଠି ତରକାରୀ ମାଗଣା ରେ ମିଳେ ବୋଲି ,ମୁଁ କହିବାରୁ କେମିତି ଅଲଣା କଥା ହେଲା ?ସେ ମୋତେ ମିଛ କହି କାହିଁକି ଠକି ଦେଲା ?ମୋତେ ବଡ଼ ଲାଜ ଲାଗିଲା । ଏବେ କୁହ ।
ଏତିକି ଶୁଣି ରାଜେନ୍ଦ୍ର ମୁଣ୍ଡରେ ହାତ ଦେଇ ବଡ଼ ପାଟିରେ ହସି ହସି କହିଲେ ,"ତୋତେ ଆଉ ପାରି ହେବନି । ସୁନା ମମତା ତୁମ ସନିଆ ବି ଏଇଠି ଗୋଟାଏ କାଣ୍ଡ କରି ଆସିଛି । ଆରେ ବୋକା ମାଗଣାରେ ତରକାରୀ ବରା ସାଙ୍ଗରେ ମିଳେ । ବରା ନ ଖାଇଲେ କିଏ ତୋତେ ମାଗଣାରେ ଦେବ ?ତୁ ଟିକେ ବଗୁଲିଆମି ଛାଡ଼ । "
ଏତକ ଶୁଣି ସନା କହିଲା ,"ଭଲ କଥା କହୁଛ । ତୁମେ ତ ଏତିକି ମୋତେ ବୁଝେଇ କହି ନ ଥିଲ । ମୋର ଭୁଲ ନା ତୁମର ?"
ପାଖରେ ମମତା ଓ ସନାର ଜେଜେ ମା ଙ୍କୁ ଦେଖି ରାଜେନ୍ଦ୍ର ଟିକେ ରାଗି ଯାଇ ସବୁ କହିଲେ । ଶେଷ ରେ କହିଲେ ଶୁଣ ତୁମ ସନା ର ଅଲଣା କଥା । ମୋତେ ଏଇଠି ବି ସେ ଟିକେ ଶାନ୍ତିରେ ରଖେଇ ଦେବନି । ସେ ଦୋକାନୀ ମୋତେ କାଲି ଏ ଟୋକା ପାଇଁ ବେଜିତ କରିବ । । । । । । ଖାଲି ତୁମ ସନା ର ଅଲଣା କଥା ସବୁବେଳେ ମୁଣ୍ଡ ବଥା ର କାରଣ ହେବ । ଏତିକି କହି ରାଜେନ୍ଦ୍ର ସେଠାରୁ ଉଠି ଚାଲିଗଲେ । ସନା କହିଲା ,"ଖାଲି ମୋ କଥା ସବୁବେଳେ ଅଲଣା ।
