ସମୟର ଭେଟି
ସମୟର ଭେଟି
2020 ବହୁତ ଗୁଡାଏ କନ୍ଦାଇ କନ୍ଦାଇ ଟିକେ ଖୁସି ମୁହୂର୍ତ୍ତ ଭେଟି ଦେଉଥିଲା ପାପୁଲିରେ ।
ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଳକ୍ ଜନ୍ମ ଦେଇଛି ; କଳା,ସେଵା, ବିଜ୍ଞାନ,ସାହିତ୍ୟ , ପ୍ରଶାସନ ଓ ରାଜନୀତି କ୍ଷେତ୍ରରେ ଓଡିଶାର ଅନେକ ଯୋଗଜନ୍ମା ସନ୍ତାନ
ମାନଙ୍କୁ। ମୋ ଦ୍ରୋଣାଚାର୍ଯ୍ୟ ତଥା ବିଶ୍ୱ ପ୍ରସିଦ୍ଧ ଲେଖିକା ଡ଼ଃ ପ୍ରତିଭା ରାୟଙ୍କ ଜନ୍ମସ୍ଥଳୀ ଅଳକା କୂଳରେ ଠିଆ ବାଲିକୁଦାର, ବୁଦ୍ଧିଜିବୀଙ୍କର ଏକ ସଂଗଠନ "ପୂଜ୍ୟ ପୂଜା ସଂସଦ"।
ପ୍ରଥମେ ନାମ ରେ ଆକର୍ଷଣ କରିଥିଲ"ପୂଜ୍ୟ ପୂଜା ସଂସଦ”ମୋତେ ସେଦିନ ଯେବେ ଭୁବନେଶ୍ବରରୁ ମୁଁ ଜଗତସିଂହପୁର ଟ୍ରାସାନଫର୍ ହୋଇ ଆସିଥିଲି।
କେବଳ ନାଁରେ ନୁହେଁ କାର୍ଯ୍ୟରେ ଏ ସଂସଦଟି ନିଶ୍ଚିନ୍ତ ତାର ସ୍ୱାତନ୍ତ୍ର୍ୟ ପ୍ରତିପାଦନ କରିଆସୁଛି ମଧ୍ୟ।
ଗୋଟିଏ ମଞ୍ଚରେ ଗୁରୁଜୀ ଓ ତାଙ୍କ ପାଖେ ତାଙ୍କ କନ୍ୟାରତ୍ନ ଛାତ୍ରୀ। ହଁ କନ୍ୟାରତ୍ନ ଏଇଥି ପାଇଁ ଯେ ସେ ମହାନ ବଳିଷ୍ଠ ବ୍ୟକ୍ତିତ୍ୱ,ବିଶିଷ୍ଟ ପ୍ରତିଭା ଧାରୀ ମଣିଷ ରୂପକ ଦେବତା ଜଣକ ଥିଲେ ମୋ ହାଇସ୍କୁଲ ଶିକ୍ଷକ। ଇଂଜିଲିଶିରେ ମାହିର ସୁନାମଧନ୍ୟ ଶ୍ରୀ ଧ୍ରୁଵ ଚରଣ ସାହୁ। ସମ୍ବର୍ଦ୍ଧିତ ହେଉଥିଲେ ମାନ୍ୟବର ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ,ଲୋକସଭା ସାଂସଦ ଡଃ ରାଜଶ୍ରୀ ମଲ୍ଲିକ ତଥା ସନ୍ଥ ଶ୍ରୀ ସିଦ୍ଧେଶ୍ବର ଦାସଜୀ ମହାରାଜ ଦ୍ଵାରା।ସନ୍ଥ ସିଦ୍ଧେଶ୍ବର ମହାରାଜଜୀ ସ୍କୁଲ ଯାଇ ନଥିବା ଜଣେ ବିଜ୍ଞ ସରଳ ବ୍ୟକ୍ତିତ୍ୱ ଥିଲେ।ଯାହାଙ୍କ ସଜ୍ଜନମଣ୍ଡଳୀଙ୍କୁ ବାର୍ତ୍ତା ଥିଲା ପିତା ମାତା ଚରଣ ପୂଜା।
ମୁଁ ଯେଉଁ ବର୍ଷ ଭୁବନେଶ୍ବରରୁ ଜଗତସିଂହପୁର ଟ୍ରାନ୍ସଫର ହୋଇ ଆସିଲି ସେହି ବର୍ଷ ମୋ ହାଇସ୍କୁଲର ଚିର ପୂଜ୍ୟ ପ୍ରଧାନ ଶିକ୍ଷକ ଶ୍ରୀ କୈଳାସ ଚନ୍ଦ୍ର ବିଶ୍ବାଳ ମୋତେ ପୂଜ୍ୟ ପୂଜା ସଂସଦର ବର୍ଷିକୋତ୍ସବକୁ ନିମନ୍ତ୍ରଣ କରିଥିଲେ।ପୂଜ୍ୟ ପୂଜା ବାର୍ଷିକ ପତ୍ରିକା ପାଇଁ ପ୍ରତିଭା ରାୟଙ୍କ ଉପରେ ଲେଖାଟିଏ ଲେଖିବାକୁ ମୋତେ ଦାୟିତ୍ୱ ଦେଇଥିଲେ ମଧ୍ୟ।ସେଠି ମୁଁ ଭେଟି ଥିଲି ଅନେକ ଅନନ୍ୟ ପ୍ରତିଭାଙ୍କୁ।ନିହାତି ବଡ଼ ସଭାଟିଏ ଥିଲା।ସେଥିରେ ସମ୍ବର୍ଦ୍ଧିତ ହୋଇଥିଲେ ଆଇ ଏ ଏସ୍ ମନୋଜ ସାହୁ,ଆମ ବାଲିକୁଦାର ଗର୍ଵ ଗୌରବ।
ଅନେକ ସଭା,ଆସରରେ ଯୋଗ ଦେବା ଭାଗ୍ୟ ହୋଇଥିଲେ ବି ଏପରି ଅନନ୍ୟ ସଂସଦ ମୋତେ ଅଭିଭୂତ କରିଥିଲା।ଏ ସଂସଦର ପ୍ରାୟତଃ ସଦସ୍ୟ ଓଡ଼ିଶାର କେଉଁଠି ନା କେଉଁଠି ଉଚ୍ଚ ପଦବୀର ଅଧିକାରୀ ଥିଲେ ଯେଉଁମାନଙ୍କ ଜନ୍ମମାଟି ଥିଲା ବାଲିକୁଦା।ଏଥିରେ ରାଜ୍ୟ ପୁରସ୍କାର ପ୍ରାପ୍ତ ଆମ ଶିକ୍ଷକ ବନ୍ଧୁ ଅଞ୍ଜନ କୁମାର ସାହୁ ଓ ବାନ୍ଧବୀ ସ୍ମିତା ଦାସ ମଧ୍ୟ ସକ୍ରିୟ ସଦସ୍ୟ ଥିଲେ।କହିବା ବାହୁଲ୍ୟ ମୋତେ ଛାଡ଼ି ସେଠି ଯେଉଁମାନେ ଥିଲେ ସମସ୍ତେ ବାଲିକୁଦା ମାଟିର ଜଣେ ଜଣେ ଗର୍ଵ ଓ ଗୌରବ ଧାରୀ ବ୍ୟକ୍ତିତ୍ୱ ଥିଲେ। ସ୍ୱେଚ୍ଛାକୃତ ଶ୍ରମ ,ସମୟ,ଅର୍ଥ ସର୍ବୋପରି ମନୋବୃତ୍ତି ଦାନ କରି ଏପରି ଗୁଣଗ୍ରାହୀ ବ୍ୟକ୍ତିମାନଙ୍କର ସୁନ୍ଦର ସଂସଦଟିର ପରିଚାଳନା ଗତ କୌଶଳ ଦେଖି ଯେ କେହି ବିସ୍ମୟ ହେବେ।
ଏହାର ଅନ୍ୟ ଏକ ନିଆରା ଦିଗ ହେଲା ସମାଜର ପ୍ରତି କ୍ଷେତ୍ରର ପ୍ରତିଭା ଚିହ୍ନଟ କରି ପୂଜନ କରି ଆସୁଅଛି।ଚମତ୍କୃତ ହୋଇଥିଲି ମୋ ଜନ୍ମ ମାଟି ଏତେ ସୁନ୍ଦର କାର୍ଯ୍ୟକ୍ରମଟିଏ କରୁ ଥିବାରୁ।ପ୍ରତି ବର୍ଷ ଉତ୍କୃଷତା ପ୍ରାପ୍ତ ବିଭିନ୍ନ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିଥାଏ ଏ ସଂସଦ।
2020ର ପୂଜ୍ୟପୂଜା ସଂସଦର ବାର୍ଷିକୋତ୍ସବ ସରସ୍ୱତୀ ଵିଦ୍ୟା ମନ୍ଦିର,ନିଶାମଣି ବିହାର,କାଳିଓରେ ଆୟୋଜନ କରା ଯାଇଥିଲା।ଏକ ବିରାଟ ମଞ୍ଚ। ବହୁ ଜ୍ଞାନୀଗୁଣି, ସମ୍ମାନସ୍ପଦ ବ୍ୟକ୍ତି ବିଶେଷ ଏହାର ସ୍ରଷ୍ଟା।ସେପରି ଏକ ମଞ୍ଚରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ ମୋର ଜୁଟି ଥିଲା।
ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ଖଣ୍ଡେ ଦୂରରୁ ସାଦର ବନ୍ଦାପନା କରି ଫୁଲ ଚନ୍ଦନ ଦେଇ ସ୍ୱାଗତ କରା ଯାଇଥିଲା। ବ୍ୟାଚ୍ ପ୍ରଦାନ ପୂର୍ବକ ଗୋଟିଏ କୋଠରୀରେ ନେଇ ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ବସାଉଥିଲେ।ସମ୍ମାନନୀୟ ଅତିଥି ଓ ମୁଖ୍ୟ ଅତିଥିଙ୍କୁ ନାମ ସଂକୀର୍ତ୍ତନ ,ଶଙ୍ଖ, ହୁଳ ହୁଳି ମଧ୍ୟରେ ସ୍ୱାଗତମ୍ କରା ଯାଇଥିଲା।
ମୁହଁରେ ତୁଣ୍ଡି, ଆଖିରେ ଚଷମା,ମୁଣ୍ଡରେ ଟୋପି ଓ ଦେହରେ ଶୀତ ପୋଷାକ ଆବୃତ ହୋଇଥିଲେ ସମସ୍ତେ। ବର୍ଷିୟାନ ସମସ୍ତ ପୂଜ୍ୟ ବ୍ୟକ୍ତିଙ୍କ ଗହଣେ ମୁଁ ଦୁଆର ମୁହଁରେ ବସିଲି ଚୁପ୍ ଚାପ୍।ଘୋଡା ଘୋଡ଼ି ଚେହେରା ଦେଖି ହେଉ ନଥିବାରୁ କେହି କାହାକୁ ଚିହ୍ନିବା ମୁସ୍କିଲ ହେଉଥିଲା।
ହଠାତ୍ ସେମାନଙ୍କ ମଧ୍ୟରୁ ଜଣେ ଡାକିଲେ ସତ୍ୟବତୀ!
ସତ୍ୟବତୀ!!!
ମୁଁ ଖୁସିରେ ସେଇ ଡାକର ଧ୍ୱନିକୁ ଅଣୁସରଣ କରି ଚାହିଁଲି।
ସାର୍ ! ମୋ ପ୍ରିୟ ଇଂଜିଲିଶି ଧ୍ରୁଵ ସାର୍ !ବିହ୍ଵଳିତ ପୁଲକିତ ମନ ପ୍ରାଣ।ପ୍ରଣାମ ହୋଇ କୁଶଳ ପଚାରିବା ପରେ ନିଜକୁ ପ୍ରଶ୍ନ କଲି।ଅନେକ ବର୍ଷରୁ ଉର୍ଦ୍ଧ୍ବ ଏ ସାର୍ ମୋତେ ଦେଖି ନାହାଁନ୍ତି, ପୁଣି ତୁଣ୍ଡି ଚଷମା ଘେରା ମୁହଁରେ ସାର୍ ମୋତେ ଚିହ୍ନିଲେ କେମିତି !! ଯାହା ସାର୍ ପାରିଲେ; କିନ୍ତୁ ତାଙ୍କରି ଛାତ୍ରୀ ହୋଇ ମୁଁ ସାର୍ ଙ୍କୁ ଚିହ୍ନିବାରେ ଅକ୍ଷମ ହେଲି କେମିତି!!
ଏ ପ୍ରଶ୍ନ ମୋତେ ଆନ୍ଦୋଳିତ କରି ଖୁବ୍ ହଇରାଣ କଲେ। ପଚାରିଲି ସାର୍ କେମିତି ଚିହ୍ନିଲେ ମୋତେ ଏତେ ଘୋଡା ଘୋଡ଼ିରେ!! ସାର୍ ଠିକ୍ ଯୁବକ ଅବସ୍ଥାରେ ଯେମିତି ହସନ୍ତି ଠିକ୍ ସେମିତି ହୃଦୟ ଖୋଲା ହସଟିଏ ହସି କହିଲେ ତୁ ମୋ କନ୍ୟାରତ୍ନଟି।
ଲଜ୍ଜିତ ହେଲି ନିଜ ପାଖେ।ମୁଁ ବି ଜଣେ ଶିକ୍ଷକ।ସାର୍ ଙ୍କ ବୟସକୁ ଆସିଲେ ମୁଁ ଏମିତି କେଉଁ ଛାତ୍ରକୁ ଚିହ୍ନି ପାରିବିତ !!
ଯଦି ନୁହେଁ, କାହିଁକି!!!ବିଶ୍ଳେଷଣ ନିଜକୁ କରିବାକୁ 2021ମୋତେ ଆହ୍ୱାନ ଦେଉଥିଲା। ମୁଁ ଯେ ଉପଯୁକ୍ତ ଶିକ୍ଷକଟିଏ ହୋଇ ପାରିନାହିଁ ମୋ ଅନ୍ତର ଆତ୍ମାରୁ କେହି କହୁଥିଲା।
ଅଭ୍ୟର୍ଥନା ମଞ୍ଚକୁ ଖାଦ୍ୟ ଗ୍ରହଣ ପରେ ସଭିଙ୍କୁ ଡକା ଗଲା।ସମ୍ବର୍ଦ୍ଧିତ ହେଉଥିଲେ ମୋ ପ୍ରିୟ ସାର୍।ସମ୍ବର୍ଦ୍ଧିତ ହେଉଥିଲି ମୁଁ।ସମ୍ବର୍ଦ୍ଧନା ପାଇଁ ପୂଜ୍ୟ କୈଳାସ ସାର୍ ଯେତେବେଳେ ଡାକିଲେ ମୋ ପ୍ରିୟ ଆଦରଣୀୟା ଛାତ୍ରୀ ସତ୍ୟବତୀ ସ୍ବାଇଁଙ୍କୁ ଆଜି ସାହିତ୍ୟ କୃତି 'ଆଦି କବି'
ସମ୍ମାନରେ ସମ୍ମାନିତ କରାଯିବ। କହି ପାରିବି ନାହିଁ ସେଇ ମୁହୂର୍ତ୍ତର ମୋ ଭାବର କଥା।ବିଷ୍ଣୁ ସାର୍ ବି ଉପସ୍ଥିତ ଥିଲେ ଯିଏ କି ଏହି ପୂଜ୍ୟ ପୂଜା ସଂସଦର ଜଣେ ଶ୍ରଦ୍ଧାଳୁ ସକ୍ରିୟ ମାନ୍ୟ ଗଣ୍ୟ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ। ମୋ ହାଇସ୍କୁଲ ତିନି ସାରଙ୍କ ହାତରୁ ସମ୍ବର୍ଦ୍ଧିତ ହେବାର ଇପ୍ସା ଟିଏ ଥିଲା।ମାତ୍ର ବିଷ୍ଣୁ ସାର୍ ଶେଷକୁ ନଥିବାରୁ ଦୁଇ ସାର୍ ଓ ମନ୍ତ୍ରୀଙ୍କ ଗହଣ ରେ ଅଭିଳାଷଟି ପୂର୍ଣ୍ଣ ହେଲା।
"ସମୟର ଏ ଭେଟି" ମୁହୂର୍ତ୍ତଟିକୁ ଆଜୀବନ ସାଇତି ରଖିବି ହୃଦୟ ନିକଟରେ।
ସଭିଙ୍କୁ ବିଦାୟ ଦେଇ ଘରକୁ ପ୍ରତ୍ୟାର୍ତ୍ତନ କରିବାକୁ ଉଦ୍ୟତ ହେବା ରାସ୍ତାରେ ହସ ହସ ମୁହଁରେ ଆଉ ଜଣେ ନମସ୍ୟ ସାର୍ କହିଲେ, ନାଁ ଟି ଶୁଣିଥିଲି ,ଦେଖିବା କିଏ ସେହି ନାଁ ?ମୁହଁରୁ ମାସ୍କ କାଢି ବାକୁ କହି ବିଦାୟ ବେଳରେ ମୋ ସହ ଯେ ପରିଚିତ ହେଲେ ,ସେ ହେଉଛନ୍ତି ଶିକ୍ଷା କ୍ଷେତ୍ରରେ ଆଉ ଜଣେ ଚର୍ଚ୍ଚିତ ନାମ, ପୂଜ୍ୟ ପୂଜା ସାଧାରଣ ସଂମ୍ପାଦକ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶ୍ରୀ ଅରୁଣ କୁମାର ମହାନ୍ତି।ଅରୁଣ ସାର୍ ଙ୍କ ସମ୍ପାଦକୀୟ ବିବରଣୀ ପାଠଟି ବେଶ୍ ହୃଦୟଗ୍ରାହୀ ଥିଲା।
କୈଳାସ ସାର୍ ଙ୍କ ମଞ୍ଚ ପରିଚାଳନା ଗତ ଦକ୍ଷତା ଉଚ୍ଚକୋଟୀର ଥିଲା।
ବେଳ ରତ ରତ।ସନ୍ଧ୍ୟା ନଇଁ ଆସୁଥିଲା।ଶୀତ, ଚଦର ଘୋଡେଇ ଦେଉଥିଲା ପୃଥିକୁ।ଘର ମୁହାଁ ଦୂର ଦୁରାନ୍ତ ମଣିଷ ମାନଙ୍କ ଗହଣରେ ଛାତିଏ ଅପାସୋରା 'ସମୟର ଭେଟି' ନେଇ ମୁଁ ଆସୁଥିଲି 2020 ଶେଷ ପୃଷ୍ଠା ଡାଇରୀର ଭରିବା ପାଇଁ।
