STORYMIRROR

NIBEDITA MOHAPATRA

Others

4  

NIBEDITA MOHAPATRA

Others

ସ୍ମୃତି -ସେଇ ଅଭୁଲା ଦିନର

ସ୍ମୃତି -ସେଇ ଅଭୁଲା ଦିନର

5 mins
585

ରବିବାର ସୌରଭ ପାଇଁ ସବୁଠାରୁ ଆରାମର ଦିନ।ସେଥିପାଇଁ ବୋଧେ ସକାଳ ୮ଟା ବାଜିଲାଣି ହେଲେ ଏ ପର୍ଯ୍ୟନ୍ତ ତାଙ୍କର ନିଦ ଭାଙ୍ଗିନି। ସୁରଭି ତିନି ଥର ଡାକି ସାରିଲେଣି, ହେଲେ ଶୁଣୁଛି କିଏ?

"କଣ ଉଠିବାକୁ ସମୟ ହଉନି। ଦିନ ସାରା ଶୋଇବ ନା କଣ?"ଆଖି ମଳିମଳି ଉଠି ବସିଲେ ସୌରଭ। ସୁରଭି ଚା କପ୍ ଧରେଇ ଦେଇ କହିଲେ,"ସ୍ବାତୀ ଆସୁଛନ୍ତି। ବଜାର ଯାଇ କଣ ଟିକେ ଆଣିଦିଅ।"ଛୋଟ ହଁ ଟିଏ ମାରି ସେ ଚା କପ୍ ଟିକୁ ହାତରେ ଧରି ବାଲକୋନୀକୁ ଆସିଲେ।ଚାରିଆଡକୁ ଆଖି ବୁଲେଇ ଆଣିଲା ବେଳକୁ ହଠାତ୍ ନଜର ପଡିଲା ଲନ୍ ରେ ଥିବା କୃଷ୍ଣଚୂଡ଼ା ଗଛ ଉପରେ।ସୂର୍ଯ୍ୟଙ୍କର ସୁନେଲି କିରଣରେ ତାର ନାଲି ରଙ୍ଗ ଆହୁରି ଗାଢ଼ ଦେଖାଯାଉଥିଲା । କୃଷ୍ଣଚୂଡ଼ାର ନାଲି ରଙ୍ଗ ସୌରଭଙ୍କୁ ଭାରି ଭଲ ଲାଗେ। ଏ ରଙ୍ଗ ସହ କେତେ ସ୍ମୃତି ଯୋଡି ହେଇ ରହିଛି ତାଙ୍କର। କୃଷ୍ଣଚୂଡ଼ାକୁ ଦେଖି କିଛି ସମୟ ପାଇଁ ଭାବନା ରାଜ୍ୟରେ ହଜିଗଲେ ସେ। ଆଖି ଆଗରେ ଚଳଚ୍ଚିତ୍ରର ଛବି ଭଳି ଭାସି ଉଠୁଥିଲା ଅତୀତର ସୁନ୍ଦର ସ୍ମୃତି ସବୁ। ଯାହାକୁ ଭାରି ଯତନରେ ସେ ସାଇତି ରଖିଥିଲେ ସେ ନିଜ ହୃଦୟ କନ୍ଦରରେ।


କଲେଜରେ ପଢିବା ବେଳେ ସାଇକେଲ ଷ୍ଟାଣ୍ତ ପାଖରେ ଥିବା କୃଷ୍ଣଚୂଡ଼ା ଗଛମୂଳେ ସେ ଅନେକ ସମୟ ବିତାନ୍ତି।କେତେବେଳେ ସାଙ୍ଗମାନଙ୍କ ସହ ତ ପୁଣି କେବେ ଦିୟା ସହ। ଦିୟା ସହ ପ୍ରଥମ ଭେଟ ବି ସେଠାରେ ହିଁ ହୋଇଥିଲା। ହେଲେ ସେ ଜାଣି ନଥିଲେ ପ୍ରଥମ ଦେଖାରେ ଝଗଡା କରିଥିବା ସେ ଝିଅଟି ଦିନେ ତାଙ୍କ ହୃଦୟର ରାଣୀ ହବ।


ସେଦିନ ପ୍ରାକ୍ଟିକାଲ୍ କ୍ଲାସ ପାଇଁ ତରତର ହେଇ ଆସିବା ବେଳେ ହଠାତ୍ ତାଙ୍କ ବାଇକ୍ ବାଜିଥିଲା ଦିୟାର ସ୍କୁଟିରେ।ସେଥି ପାଇଁ ଦୁଇ ଜଣଙ୍କ ଭିତରେ ଜୋର୍ ରେ ଝଗଡା ବି ହେଇଥିଲା । ହେଲେ ଏ ଝଗଡା ବେଶୀ ଦିନ ରହିନଥିଲା।କାରଣ ଦୁଃଭାଗ୍ୟ ହେଉ କି ସୌଭାଗ୍ୟ ସେ ଦୁଇଜଣ ପ୍ରାକ୍ଟିକାଲ ପାର୍ଟନର ଥିଲେ। ତେଣୁ ଧିରେଧିରେ ସବୁ ରାଗରୁଷା ଭୁଲି ସେମାନେ ଭଲ ବନ୍ଧୁ ହୋଇଥିଲେ। ଖୁସି ମଜାରେ ବିତି ଯାଉଥିଲା ତାଙ୍କର ଦିନ ଗୁଡିକ। ଶେଷରେ ଆସିଲା ପରୀକ୍ଷାର ସମୟ। କଲେଜର ଶେଷ ବର୍ଷ ପରୀକ୍ଷା ଥିବାରୁ ପ୍ରଥମେ ପ୍ରାକ୍ଟିକାଲ୍ ପରୀକ୍ଷା ଶେଷ ହେଇ କଲେଜ ଛୁଟି ଦିଆ ହେଇଗଲା ।କେବଳ ବାକି ଥିଲା ଥିଓରୀ ପରୀକ୍ଷା । ସେଥିପାଇଁ ସମସ୍ତେ ହଷ୍ଟେଲ୍ ଛାଡି ନିଜ ନିଜ ଘରକୁ ଚାଲିଗଲେ। ଦିୟା ବି ତାଙ୍କ ଘର ଭଦ୍ରକ ଚାଲି ଆସିଲା। ସୌରଭ ଆଉ ଦିୟା ପରସ୍ପର ଠାରୁ ଅଲଗା ହେଇଗଲେ। ସେ ସମୟରେ ହିଁ ସୌରଭ ଓ ଦିୟା ଅନୁଭବ କରୁଥିଲେ ସତେ ଯେମିତି ପୃଥିବୀ ଆଜି ତାଙ୍କ ପାଇଁ ଦୁଇ ଭାଗ ହେଇଯାଉଛି। ତଥାପି ସେମାନେ ନିରୁପାୟ।


ଚାହୁଁଚାହୁଁ ଛୁଟି ସମୟ ସରିଗଲା। ପରୀକ୍ଷା ଆସିଗଲା।ପରୀକ୍ଷା ସମୟରେ ବେଳେ ବେଳେ ସେମାନଙ୍କର ଦେଖା ହେଉଥିଲା। ହେଲେ ସେମାନେ ଠିକ୍ ରେ କଥା ହେଇପାରନ୍ତିନି। ପରୀକ୍ଷା ଶେଷ ଦିନ ସେମାନେ ଦୁହେଁ ଭେଟ ହେଇଥିଲେ ପୂର୍ବ ପରିଚିତ ସ୍ଥାନ କୃଷ୍ଣଚୂଡ଼ା ଗଛମୂଳେ। ଏତେ ଦିନ ପରେ ଦିୟାକୁ ପାଖରେ ପାଇ ସୌରଭ କହିଥିଲେ ନିଜ ମନର କଥା।ସେ ଦିୟାକୁ ଭଲ ପାଆନ୍ତି ଆଉ ତାକୁ ନିଜର ଜୀବନ ସାଥି କରିବାକୁ ଚାହାନ୍ତି। ହଠାତ୍ ସୌରଭ ମୁହଁରୁ ଏ କଥା ଶୁଣି ଆଶ୍ଚର୍ଯ୍ୟ ହେଇ ପଡିଲା ଦିୟା। ସେ ସୌରଭ ପାଖରୁ ଏମିତି କିଛି ଶୁଣିବ ବୋଲି ଆଶା କରି ନଥିଲା। କିଛି କହିବା ଆଗରୁ ଦିୟାର ହାତ ଧରି ତାର ଉତ୍ତର କଣ ପଚାରି ଥିଲେ ସୌରଭ। ହେଲେ ଦିୟା ସିଧାସିଧା ମନା କରିଦେଇଥିଲେ।କାରଣ ସେମାନେ ଦୁଇଜଣ ଭିନ୍ନ ଜାତିର ଥିଲେ।ସେମାନଙ୍କ ସଂପର୍କକୁ ଘରେ ସ୍ବିକୃତି ମିଳିବନି। ଭାଙ୍ଗିଗଲା ସୌରଭର ମନ। ହାତ ଛଡେଇ ନେଇ ଚାଲିଗଲା ଦିୟା।ଥରୁଟିଏ ବି ଫେରି ଚାହିଁ ନଥିଲା ପଛକୁ ଆଉ ନିର୍ବାକ ହେଇ ଠିଆ ହେଇ ରହିଥିଲା ସୌରଭ ସେମିତି ସେଇ କୃଷ୍ଣଚୂଡ଼ା ମୂଳରେ।


ଏ ଘଟଣା ପରେ ଦିୟା ଓ ସୌରଭ କେବେ ବି ଭେଟ ହେଇ ନଥିଲେ। ସବୁ ଘଟଣାକୁ ମନ ଫରୁଆରେ ସାଇତି ରଖି ନିଜ ଜୀବନକୁ ସେମାନେ ନୂଆ କରି ଆରମ୍ଭ କରିଥିଲେ। ହେଲେ ବିଧିର ବିଧାନ ବଡ ବିଚିତ୍ର। ଦୀର୍ଘ ୫ବର୍ଷ ପରେ ପୁଣି ଥରେ ସୁଯୋଗ ଆସିଲା ଦୁହିଁଙ୍କ ମିଳନର। ହେଲେ ସେଇଟା ଥିଲା ସେମାନଙ୍କ ଜୀବନର ଶେଷ ଦେଖା।


ସେଦିନ ରବିବାରରେ ବି ହସ୍ପିଟାଲରୁ ସୌରଭଙ୍କୁ ବାରମ୍ବାର ଫୋନ୍ ଆସୁଥିଲା ଇମରଜେନ୍ସି କେସ୍ ଅଛି ଜଲଦି ଆସିବାକୁ। ବାଧ୍ୟ ହେଇ ସେ ପହଞ୍ଚିଲେ ହସ୍ପିଟାଲ୍ ରେ। ଅପରେସନ୍ ରୁମ୍ ଭିତରେ ପଶିଲା ବେଳକୁ ସେ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା। ଅପରେସନ୍ ଟେବୁଲ ଉପରେ ରଖା ଯାଇଥିଲା ଏକ ଅର୍ଦ୍ଧ ଦଗ୍ଧ ଶରୀର ଆଉ ସେ ଶରୀରଟି ଥିଲା ଦିୟାର। ଏତେ ବର୍ଷ ପରେ ଦିୟା ସହ ଏମିତି ଭେଟ ହେବ ବୋଲି ସେ କେବେ କଳ୍ପନା କରିନଥିଲେ। ମନରେ ଏକ ଅଜଣା ଶିହରଣ ଓ କୋହ ବସା ବାନ୍ଧୁଥିଲା।

ନିଜ ଜୀବନରେ ବହୁତ ସିରିୟସ୍ କେସ୍ ଦେଖିଛନ୍ତି।ହେଲେ ଆଜି କଣ ପାଇଁ ତାଙ୍କୁ ଏତେ ଦୁର୍ବଳ ଲାଗୁଛି।ମନରେ ସାହସ ବାନ୍ଧି ସେ ଟେବୁଲ୍ ପାଖକୁ ଗଲେ।ଅତି ସନ୍ତର୍ପଣରେ ଚାଦରଟି କାଢି ଯାହା ଦେଖିଲେ ସେଥିରେ ନିଜ ଆଖିକୁ ବିଶ୍ବାସ କରିପାରିଲେନି।ଶରୀରର ପ୍ରାୟ ୯୦%ଭାଗ ଜଳି ଯାଇଛି। ବଞ୍ଚିବାର ଆଶା ପ୍ରାୟ କମ୍।ବହୁତ କଷ୍ଟକର ଥିଲା ଏ ସମୟଟି ସୌରଭଙ୍କ ପାଇଁ।ଖୁବ୍ ଆତ୍ମୀୟତା ଭାବରେ ସେ ଥରେ ହାତ ବୁଲାଇ ଆଣିଲେ ଦିୟାର ମୁଣ୍ତ ଉପରେ।କାହା ହାତ ସ୍ପର୍ଶରେ ଧିରେ ଧିରେ ଆଖି ଖୋଲିଲା ଦିୟା। ପାଖରେ ଡାକ୍ତର ରୂପରେ ସୌରଭଙ୍କୁ ଦେଖି ତା ଆଖିରୁ ବୋହି ଯାଉଥିଲା ଲୁହର ଶ୍ରାବଣ ଧାରା। ଚାରି ଆଖିର ମିଳନରେ ସତେ ଯେମିତି ଅଟକି ଯାଇଥିଲା ସମୟ କ୍ଷଣିକ ପାଇଁ।


ହଠାତ୍ ପ୍ରକୃତିସ୍ଥ ହେଲେ ସୌରଭ। ଦିୟାକୁ ପଚାରିଥିଲେ ତା ଏ ଅବସ୍ଥାର କାରଣ। ବାହାଘର ବେଳେ ଶାଶୁଘର ଲୋକଙ୍କ ଦାବି ମୁତାବକ ସବୁକିଛି ଦିଆ ଯାଇଥିଲା।ହେଲେ ସେଥିରେ ସନ୍ତୁଷ୍ଟ ନଥିଲେ ଶାଶୁ। ଅଧିକ ଯୌତୁକ ଦାବି କରି ସ୍ବାମୀ ଏବଂ ଶାଶୁ ତାଉପରେ ସବୁଦିନ ଅତ୍ୟାଚାର କରୁଥିଲେ। ସବୁ ସହିବାକୁ ପଡୁଥିଲା ଦିୟାକୁ କାରଣ ତା ବାପାଙ୍କ ସାମର୍ଥ୍ୟ ବିଷୟରେ ସେ ଭଲଭାବେ ଜାଣିଥିଲା। ହେଲେ ଆଜି ବାପ ଘରୁ ନଗଦ ପଚାସ ହଜାର ଟଙ୍କା ଆଣିବାକୁ ତାକୁ ବାଧ୍ୟ କରାଯାଇଥିଲା। ସେ ମନା କରିବାରୁ ତାକୁ କିରୋସିନ୍ ପକେଇ ଜଳେଇବାର ପ୍ରୟାସ କରିଥିଲେ ଶାଶୁଘର ଲୋକ।


ଦିୟାର ଦରଦୀ କାହାଣୀ ଶୁଣି ଅଜାଣତରେ ଲୁହ ଝରି ଆସୁଥିଲା ସୌରଭ ଆଖିରୁ। କଣ କରିବେ କିଛି ଭାବି ପାରୁ ନଥିଲେ ସେ। ଟିକେ ଅଟକି ଯାଇ ସେ ଆଜି ପୁଣି ହାତ ଧରିଥିଲେ ଦିୟାର। ତାଙ୍କ ହାତ ସ୍ପର୍ଶ ପାଇ ଦିୟା ଛୋଟ ପିଲା ପରି କାନ୍ଦି ଉଠିଥିଲା। ଏ ଲୁହ ଦୁଃଖର ନୁହେଁ ଅନୁତାପର ଲୁହ। ସେଦିନ ସୌରଭ ପ୍ରେମକୁ ପ୍ରତ୍ୟାଖାନ କରିବା ଭୁଲ୍ ପାଇଁ ସେ ଆଜି ଅନୁତାପ କରୁଥିଲା । ସବୁ କିଛି ଶେଷ ହେବା ଆଗରୁ ସେ ସୌରଭଙ୍କୁ ଅନୁରୋଧ କଲା ତା ୪ବର୍ଷର ଛୋଟ ଝିଅ ସ୍ବାତୀର ଦାୟିତ୍ବ ନେବାକୁ।

ସୌରଭ କଣ କହିବେ କିଛି ବୁଝି ପାରୁ ନଥିଲେ। କାରଣ ସ୍ବାତୀର ଦାୟିତ୍ବ ନେବାର ନିଷ୍ପତ୍ତି ସେ ଏକା ନେଇପାରିବେନି। କାରଣ ସେଥିପାଇଁ ସୁରଭିଙ୍କ ମତାମତ ବି ଲୋଡା । ହେଲେ ସମୟ କାହିଁ। କାହାକୁ କିଛି ପଚାରିବା ଆଗରୁ ସେ ଦିୟା କଥାରେ ହଁ ଟିଏ ମାରି ନିରବ ରହିଲେ।ସେତେବେଳକୁ ସବୁ ଶେଷ ହେଇ ଯାଇଥିଲା।ଚିରନିଦ୍ରାରେ ଶୋଇଯାଇଥିଲା ଦିୟା, ହେଲେ ତା ଓଠରେ ଲାଖି ରହିଥିଲା ଶାନ୍ତି ଓ ସନ୍ତୋଷର ହସ । ତା ଝିଅ ସ୍ବାତୀ ପାଇଁ ଆଉ ଚିନ୍ତା କରିବାର ନଥିଲା । ଦିୟାର ମୃତ୍ୟୁ ପରେ ତା ବାପାଙ୍କ ସହମତି ନେଇ ସେ ତା'ଝିଅ ସ୍ବାତୀକୁ ଗ୍ରହଣ କଲେ।


ସୁରଭି ବି ଜଣେ ସୁଯୋଗ୍ୟ ପତ୍ନୀ ଭାବେ ସ୍ବାମୀଙ୍କର ଏ ନିଷ୍ପତ୍ତି କୁ ଖୁସିରେ ଗ୍ରହଣ କରିଥିଲେ। ପୁଅ ଅମ୍ଲାନ ସହ ସ୍ବାତୀକୁ ନିଜ ଝିଅ ପରି ସ୍ନେହ ଦେବାରେ ସେ କେବେ ବି ହେଳା କରି ନାହାନ୍ତି। ଆଜି ସେ ହଷ୍ଟେଲ୍ ରୁ ଘରକୁ ଆସିବାରେ ସବୁଠାରୁ ବେଶୀ ଖୁସି ବୋଧେ ସୁରଭି ଅଛନ୍ତି।

"କଣ ଭାବୁଛ?ବଜାର ଯିବନି କି?"ସୁରଭି ଡାକରେ ହଠାତ୍ ଭାବନା ରାଜ୍ୟରୁ ଫେରି ଆସିଲେ ସୌରଭ। ପୁଣି ଥରେ ଲକ୍ଷ୍ୟ କଲେ କୃଷ୍ଣଚୂଡ଼ା ଫୁଲକୁ। ସମୟ ପରିବର୍ତ୍ତନ ହେଇ ଯାଇଛି। ଏ ଭିତରେ ଅଠର ବର୍ଷ ଅତିକ୍ରାନ୍ତ ହେଇଛି। ହେଲେ ଏ କୃଷ୍ଣଚୂଡ଼ା ଫୁଲ ଆଜି ବି ତାଙ୍କ ସ୍ମୃତି ଚିହ୍ନକୁ ସତେଜ କରି ରଖିଛି। ଏହି ଫୁଲର ପ୍ରତିଟି ପାଖୁଡାରେ ଆଜି ବି ଦିୟା ମୁହଁର ପ୍ରତିଛବି ଦେଖା ଯାଉଛି। ଚା କପ୍ କୁ ଟେବୁଲ ଉପରେ ରଖି ଗୋଟିଏ ଭାରାକ୍ରାନ୍ତ ମନରେ ସୌରଭ ବଜାର ଯିବାକୁ ବାହାରିଲେ।



Rate this content
Log in