Prasanta kumar Hota

Others

3  

Prasanta kumar Hota

Others

ସମାର୍ଜ୍ଜନରେ ସଫଳତା

ସମାର୍ଜ୍ଜନରେ ସଫଳତା

8 mins
256



ବହୁତ ଦିନ ହେଲା ଗାଡ଼ିଟା ଘରୁ ବାହାରି ପାରି ନଥିଲା। ଗ୍ୟାରେଜରେ ଦେଖେଇ ଦେଇଥିଲେ ଭଲ ହେଇ ଥାଆନ୍ତା। ଅବିନାଶ ମନକୁ ମନ ଗୁଣୁ ଗୁଣୁ ହେଇ କହୁଥିଲେ। ଅଳକା ବୁଝି ପାରି କହିଲେ, ଏବେ ସେଗୁଡା ଭାବି ଲାଭ କଣ! ଗାଡିଟା ଷ୍ଟାର୍ଟ ହେଇଥିଲେ କଣ ତମେ ଏଗୁଡା ଚିନ୍ତା କରିଥାନ୍ତ। ହୋଉ ହୋଉ ଥାଉ। ଚମ ଉପଦେଶ ର ବି କଣ ମୂଲ୍ୟ ଅଛି ଯେ ବର୍ତ୍ତମାନ। କହିବା କଥା ଯଦି କାଲିଠୁ କହିଲନି! ଅବିନାଶ ଅସନ୍ତୋଷ ରେ ପତ୍ନୀ ଙ୍କ ଆଡକୁ ଅନାଇ କହିଲେ। ଅଳକା ଆଉ କଥା ଆଗକୁ ବଢ଼ାଇବା ପାଇଁ ଇଚ୍ଛା ନକରି ଚୁପ୍ ରହିଗଲା। ଅବିନାଶ ମଧ୍ୟ ଆଉ କିଛି କହିଲେ ନାହିଁ। 


ସମୟ ଖରାପ ହେବାର ଥିଲେ,କିଏ ଅଟକାଇବ କହି ଆଉଥରେ ଗାଡି ଷ୍ଟାର୍ଟ କରିବାର ପ୍ରୟାସ କଲେ ଓ ବିଫଳ ହେଲେ। ପାଟିରୁ ତାଙ୍କର ଏଇ କଥାଟି ସ୍ଵତପ୍ରବୄତ ଭାବେ ବାହାରି ଆସିଲା ଯେ ବିଘ୍ନ ଯାହାର ଦୁଆର ଜଗିଛି ବିଳମ୍ବ ରୂପୀ ଅଳଙ୍କାର ତ ପିନ୍ଧିବାକୁ ପଡିବ। ! ଗାଡି ଷ୍ଟାର୍ଟ ହେବାର କୌଣସି ଉପାୟ ନ ଦେଖି କିଂ କର୍ତ୍ତବ୍ୟ ବିମୁଢ ହେଇ ଦାଣ୍ଡ ଅଗଣା ରେ ବସି ପଡିଲେ ! ଆଜି ଯେମିତି ବି ହେଉ ଗାଁଆକୁ ଯିବାକୁ ପଡିବ, ମାଆ କହିଛନ୍ତି ବୁଢି ମା ଠାକୁରାଣୀ ତାକୁ ସ୍ଵପ୍ନରେ ଆସିବା ପାଇଁ କହିଛନ୍ତି। ତାଙ୍କ କଥା ଅମାନ୍ଯ କଲେ ଅମଙ୍ଗଳ ହେବ। ଅବିନାଶ ଏକଥା ବିଶ୍ୱାସ କରୁ କି ନକରୁ ସେ ବହୁତ ଦିନରୁ ମାଆ ପାଖକୁ ଯାଇ ନଥିଲା, ତେଣୁ ମନ ଭିତରେ ଦେଖିବା ପାଇଁ ଇଛା ହେଉଥିଲା। 


ହେଲେ କେମିତି ଯିବ ? ଗାଡି ତ ଖରାପ, ସେତେବେଳକୁ ଘଡିରେ ୮ଟା ବାଜି ଗଲାଣି ! ଯଦି ଗାଡି ଠିକ କରିବାକୁ garageକୁ ନିଏ, ତେବେ ଖୁବ late ହେଇଯିବ ! ଆଉ ଫେରି ହେବନି। ବେଶି ରାତିରେ ଗାଡି ଚଲେଇ ସେ ଯାଆନ୍ତି ନାହିଁ। 

ଅନ୍ୟ କୌଣସି ଦିନ ହେଇଥିଲେ କଥା ଅଲଗା। ମାଆକୁ ସେ କହି ସାରିଛି ଯିବ ବୋଲି ମାନେ ନିଶ୍ଚୟ ଯିବ। ଆଗରୁ ଏମିତି ବହୁତ ଥର ଯିବାକୁ ବାହାରି ଯାଇ ପାରି ନାହିଁ। 

ହେଲେ ଆଜି ମନର ଜିଦ୍ ଇଛାକୁ ବଦଳାଇ ପାରୁ ନାହିଁ। ବୋଧହୁଏ ମାଙ୍କୁ ହେଇଥିବା ସ୍ଵପ୍ନ ପାଇଁ ସେ ବ୍ୟସ୍ତ ହେଉଥିଲେ। 

ଅଫିସକୁ ଉପରିସ୍ଥ କର୍ମଚାରୀ ଆସୁଥିଲେ ତ ପୁଣି ଯେମିତି ବି ହେଉ ଯିବାକୁ ପଡୁଛି, ତାହେଲେ ମାଆ ପାଇଁ କାହିଁକି ଯାଇ ହେବ ନାହିଁ। 

ମାଆ ବିଚରା କେତେ ଆଶା କରି ଅନେଇ ବସିଥିବ। କାଲି ଅଫିସ୍ ଗଲା ପରେ ମାଆ କଥା ପୁଣି ଧ୍ୟାନରୁ ପଳେଇବ। ନାଇ, ଆଜି ଯେମିତି ବି ହେଉ ଯିବାକୁ ହେବ। ଗାଡିଟା ଧୋକା ଦେଲା ବୋଲି କଣ ଯିବାର ଅନ୍ୟ ମାଧ୍ୟମ ନାହିଁ। ବୁଢୀ ମା ଠାକୁରାଣୀଙ୍କ ଇଛା ଥିଲେ ନିଶ୍ଚିତ ବାଟ କଢାଇ ନେବେ। 

ଅଳକା ପାଖକୁ ଆସି ପଚାରିଲେ -

-"ଏମିତି ଠିଆ ହୋଇ ଭାବୁଛ ଯେ ? ଆଉ ଯିବନି କି ?"

ସ୍ତ୍ରୀ ଙ୍କ ପ୍ରଶ୍ନ ଭାବନାର ସବୁ ଅନ୍ତ ଘଟାଇ ଦେଲା !

-"କେମିତି ଯିବି ? ଗାଡ଼ିଟା ପରା ଖରାପ !" ଅବିନାଶ ଟିକେ ବ୍ୟଙ୍ଗାତ୍ମକ ଢଙ୍ଗରେ କହିଲେ। 


ଅଳକା ବୁଝି ପାରି କହିଲେ -"ତା' ହେଲେ ଘରକୁ ଆସ। ନହେଲେ ଗ୍ୟାରେଜରେ ଗାଡିଟା ଦିଅ ।


-"ସେଇ କଥା ପରା ଭାବୁଛି ?"


-ଗୋଟେ କାମ କରୁନା, ତମେ ବସରେ ଚାଲିଯାଅ !

ନିଜେ ମଧ୍ୟ ସେୟା ଭାବୁଥିଲେ। ସ୍ତ୍ରୀ ଙ୍କ କଥା ଶୁଣି ଭାବାବେଗ ଆଉଟିକେ ବଢିଗଲା। ଅନ୍ଧାର ଭିତରେ ଲୁଚି ଯାଇଥିବା କ୍ଷୀଣ ଆଲୋକର ଶିଖା ଧିରେ ଧିରେ ଦୃଶ୍ୟମାନ ହେବାକୁ ଲାଗିଲା । ସ୍ତ୍ରୀଙ୍କ ସଠିକ ପରାମର୍ଶ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇ ଚାକର ଟୋକାକୁ ଡାକି bus-stand ରେ ଛାଡିବା ପାଇଁ କହିଲେ ଅବିନାଶ । 

ବସଷ୍ଟାଣ୍ଡରେ ପହଞ୍ଚିଲା ବେଳକୁ ଗୋଟାଏ ବସ ଛାଡିବା ଛାଡିବା ହେଉଥାଏ, ଚାକର ଟୋକାକୁ ବିଦା କରି ବସ ଉପରକୁ ଉଠିଗଲେ । ଗୋଟିଏ ସିଟ ଖାଲି ଦେଖି ସେଇଠି ବସି ପଡିଲେ । ତାଙ୍କର ବସରେ ବସିବାର ଅଭ୍ୟାସ ପ୍ରାୟ ନଥିଲା। ଠେଲା ପେଲାରେ ସେ ଅଣନିଃଶ୍ଵାସୀ ହେଇ ଯାଆନ୍ତି। 


ଗାଡି ଆଗେଇ ଚାଲିଥିଲା । ଷ୍ଟାଣ୍ଡ ଛାଡିବାର କିଛି ସମୟ ଭିତରେ ଗାଡି ଖଚାଖଚ ଭରିଗଲା ! ଚାକିରୀ କଲା ପରେ ବୋଧ ହୁଏ ତାଙ୍କର ଏଇଟା ପ୍ରଥମ ବସ ଯାତ୍ରା । ଅଣନିଶ୍ୱାସୀ ଲାଗୁଥାଏ, ତଥାପି ବସି ରହିବାକୁ ପଡିବ । ଏମିତି ଭାବୁ ଭାବୁ ତାଙ୍କର ଲକ୍ଷ୍ୟ ପଡିଲା ଆଗ ସିଟ ତଳେ ଲୋଚା କୋଚା ହେଇ କାଗଜ ଖଣ୍ଡେ ପଡିଛି। ତା ଭିତରେ ଟଙ୍କା ଭଳି କିଛି ଦିଶୁଥାଏ । ଅତି ସନ୍ତର୍ପଣରେ କେହି ନ ଦେଖିଲା ପରି ତାକୁ ଉଠାଇ ଆଣିଲେ, କାଗଜ ଖୋଲିଲାରୁ ଦେଖିଲେ ସେଇଟା 2000 ଟଙ୍କିଆ ନୋଟ । କିଏ ବୋଧେ ପକାଇ ଦେଇଛି, ମନ ଖୁସି ହେଇଗଲା, ସକାଳୁ ସକାଳୁ ଏତେ ଅସୁବିଧା ଭୋଗିଲା ପରେ ଯାହା ହେଉ ଧନ ପ୍ରାପ୍ତି ଯୋଗ ଥିଲା ! ମନିପର୍ସ ବାହାର କରି ଟଙ୍କା ତା'ଭିତରେ ରଖିଦେଲେ । ବୁଢୀ ମା ଠାକୁରାଣୀ ଙ୍କୁ ଚଢେଇ ଦେବେ ବୋଲି ମନସ୍ଥ କଲେ। 


 କିଛି ସମୟ ପରେ କଣ୍ଡକ୍ଟର ଆସିବାରୁ ଦୁଇ ହଜାର ଟଙ୍କିଆଟା ଦେଇ ଖୁଚୁରା ଆଣି ନିଶ୍ଚିନ୍ତ ହୋଇଗଲେ। ତାପରେ କଣ୍ଡକ୍ଟର ପାଖରେ ଠିଆ ହେଇଥିବା ମାଉସୀକୁ ପଚାରିଲା -କୁଆଡେ ଯିବୁ ?

ଅବିନାଶ ବୁଲି ଚାହିଁଲେ, ବୁଢ଼ୀଟିଏ, ବୟସ ୬୦ ପାଖାପାଖି ହେବ, ନୁଖୁରା ମୁଣ୍ଡ, ଚୁଟି ଫର ଫର ହେଇ ଉଡୁଛି । ଦେହରେ ମଇଳା ଲୁଗା, କାଖରେ ଗଣ୍ଠିଲିଟାଏ । ତାଙ୍କ ସିଟକୁ ଧରି କୌଣସି ମତେ ଠିଆ ହେଇଛି ! ଏତେ ବୁଢ଼ୀ ମଣିଷ ଠିଆ ହେବାକୁ କଷ୍ଟ ଅନୁଭବ କରୁଥିଲେ ବି ତା' ପ୍ରତି କାହାର ସହାନୁଭୂତି ନଥିବା ପରି ଲାଗୁଥାଏ । ଏ ପରିସ୍ଥିତିରେ କୌଣସି ଯୁବତୀ ଥିଲେ ତାକୁ ନିଶ୍ଚୟ ସିଟ ମିଳି ସାରନ୍ତାଣି ! 

ଅବିନାଶ ନିଜ ଚିନ୍ତାରେ ମନକୁ ମନ ହସିଲେ, ସେ ବି ତ ସିଟ୍ ଛାଡୁ ନାହାନ୍ତି। 

 ବୁଢ଼ୀକୁ ସିଟ ଛାଡିବାକୁ ତାଙ୍କ ମନ ବି ଚାହୁଁ ନଥାଏ ! ସିଟ ଛାଡିଲେ ତାଙ୍କୁ ଦୁଇ ଘଣ୍ଟା ଠିଆ ହେବାକୁ ପଡ଼ିବ ।


କଣ୍ଡକ୍ଟର ପୁଣି ପଚାରିଲା-" କୁଆଡେ ଯିବୁ ମାଉସୀ?"


-"ବାପ ଢେଙ୍କାନାଳ !"


-ଅଶି ଟଙ୍କା ଦେ !" କଣ୍ଡକ୍ଟର ଟିକେଟ କାଟିବାକୁ ଲାଗିଲା। 


ବୁଢ଼ୀ ଗଣ୍ଠିଲିକୁ ସିଟ ପାଖରେ ରଖି, ଟଙ୍କା ଦେବ ବୋଲି ଅଣ୍ଟା ଉଣ୍ଡାଳିଲା !


-" କଣ ହେଲା ଟଙ୍କା ପାଉନୁ କି ?"


-"ବାପ ଅଣ୍ଟାରେ ଖୋସିଥିଲି, ହେଲେ ପାଉନି !"


ଚିହିଁକି ଉଠି କଣ୍ଡକ୍ଟର କହିଲା - ସେମିତି ନାଟକ କଲେ ହେବନି,

ଟଙ୍କା ନାହିଁତ ବସରୁ ଓହ୍ଲାଇ ଯା, କୋଉଠୁ କୋଉଠୁ ପଳେଇ ଆସୁଛ ।


"ବାପ ! ମୋ କଥାକୁ ମିଛ ଭାବୁଛୁ ? ମୁଁ ମିଛ କହୁନି, ମୋ ପାଖରେ ଦୁଇ ହଜାର ଟଙ୍କା ଥିଲା। ମୁଁ ମିଛ କହୁନି। ଏଇଠି କୋଉଠି ପଡିଥିବ! 


ବୁଢ଼ୀ କଥା ଶୁଣି ଅବିନାଶ ଙ୍କୁ ଟିକେ ଝଟକା ଲାଗିଲା ! ଭାବିଲେ ସେ ଯେଉଁ ଟଙ୍କା ପାଇଛନ୍ତି , ସେ ଟଙ୍କା ଏଇ ବୁଢ଼ୀର ନୁହେଁ ତ? ବୁଢୀକୁ ଚାହିଁଲେ, ବୁଢ଼ୀ ମୁଁହରେ ନିରାଶାର ଭାବ, ଆଖି ଛଳଛଳ ହେଇ ଆସୁ ଥାଏ, ହେଲେ କଣ୍ଡକ୍ଟର ଉପରେ ଏ ସବୁର କିଛି ପ୍ରଭାବ ପଡୁ ନଥିଲା, ରୁକ୍ଷ ସ୍ୱରରେ କହିଲା-"ଟଙ୍କା ଦବୁ ତ ଦେ, ନହେଲେ ଆଗ ଷ୍ଟପେଜରେ ଓହ୍ଲାଇ ଯା !"


ବୁଢ଼ୀର ଅବସ୍ଥା ଦେଖି ଅବିନାଶ ବିଚଳିତ ହୋଇ ପଡିଲେ। ତାଙ୍କ ବିବେକ ତାଙ୍କୁ ବାରମ୍ଵାର ଦଂଶନ କରୁଥିଲା, ସେ 2000 ଟଙ୍କା ତାକୁ ଫେରାଇ ଦେବା ପାଇଁ ଚିନ୍ତା କଲେ। ହେଲେ ସେ କେମିତି ଫେରାଇବେ ଯେ, ତାଙ୍କ ପ୍ରେଷ୍ଟିଜ ରହିବ ତ ? ଏତେ ବଡ଼ ଚାକିରୀ କରି ଏତେ ଲୋଭ? ପାଇବା ବେଳେ ଯଦି ଫେରାଇ ଦେଇଥାନ୍ତେ ତେବେ କିଛି କଥା ନଥିଲା, ହେଲେ ଟଙ୍କା ତ ପର୍ସରେ ରଖି ସାରିଛନ୍ତି, ତଥାପି କିଛି ଗୋଟେ କରିବାକୁ ହେବ ଭାବି କଣ୍ଡକ୍ଟରକୁ ଡାକି ୧୦୦ ଟଙ୍କା ବଢ଼େଇ ଦେଲେ ଓ କହିଲେ ବୁଢ଼ୀ ମାଉସୀର ଟିକେଟ କରିଦିଅ। କଣ୍ଡକ୍ଟର ଟିକେଟ କାଟି ଅବଶିଷ୍ଟ ଟଙ୍କା ଅବିନାଶ ଙ୍କ କହିବା ଅନୁସାରେ ବୁଢୀକୁ ଫେରାଇ ଦେଇ କହିଲା- ବୁଝିଲୁ ତୋ ଭାଗ୍ୟ ଭଲ, ଏ ବାବୁ ଜଣଙ୍କ ତୋ ପାଇଁ ପଇସା ଦେଲେ, ନହେଲେ ତତେ ମୁଁ ଆଗ ଷ୍ଟପେଜରେ ଓହ୍ଲାଇ ଦେଇଥାନ୍ତି ।


ବୁଢ଼ୀ ଛଳଛଳ ଆଖିରେ ଚାହିଁଲା, ଅବିନାଶର ମୁଣ୍ଡ ଉପରେ ହାତ ରଖିଲା, ସତେ ଯେମିତି ସେ ଆଶୀର୍ବାଦ କରୁଛି । ସେ ବୁଢ଼ୀର ସ୍ନେହଭରା ପରଶ ପାଇ ମାଆର କଥା ସ୍ମରଣ କରାଇ ଦେଲା ! ଅବିନାଶ ଆଉ ଧର୍ଯ୍ୟ ଧରି ବସି ପାରିଲେନି, ସିଟରୁ ଉଠି ଆସି ବୁଢ଼ୀର ହାତ ଧରି ସିଟରେ ବସାଇ ଦେଲେ !


କିଛି ସମୟ ପରେ ବସ ଢେଙ୍କାନାଳ ରେ ପହଞ୍ଚି ଗଲା । ବୁଢ଼ୀ ଓହ୍ଲାଇବା ପାଇଁ ତା' ଗଣ୍ଠିଲି ଧରି ଉଠିଲା ! ଅବିନାଶ ବି ଓହ୍ଲାଇଲେ। ସେ ଅଟୋ ଟିଏ ଡାକି ପଚାରିଲେ ମାଉସୀ କୁଆଡ଼େ ଯିବୁ। ଆସ ମୁଁ ଛାଡିଦେବି। ମାଉସୀ ଅଟୋରେ ବସି ପଡିଲେ। ଅଟୋ ବାଲା ପଚାରିଲା, ମାଉସୀ କୁଆଡେ ଯିବ? 

ମାଉସୀ କହିଲା -ଶରଣପୁର

ଅବିନାଶ ଚମକି ପଡ଼ିଲେ। ଶରଣପୁର ତ ତାଙ୍କ ଗାଁ। ଏ ମାଉସୀକୁ ତ ସେ କେବେ ଜାଣି ନାହାନ୍ତି। 

ଅବିନାଶ ଅଟୋ ଭିତରେ ବସି ପଡି କହିଲେ ମୁଁ ବି ତ ସେଠିକି ଯାଉଛି। ତୁ କାହା ଘରକୁ ଯାଉଛୁ। 

-ମୁଁ ମୋ ଝିଅ ଘରକୁ ଯାଉଛି। 

-କିଏ ତୋ ଝିଅ। ଅବିନାଶ ପୁଣି ଆଶ୍ଚର୍ଯ୍ୟ ହେଇ ପଚାରିଲେ। 

ବୁଢୀ ହସି ଦେଇ କହିଲା - ତୁ ଚାଲୁନୁ, ପହଞ୍ଚିଲେ ଦେଖିବୁନି। 

ଅବିନାଶ ଆଉ ପଚାରିବା ଠିକ୍ ଭାବିଲେନି। ଅଟୋ ଚାଲିଥାଏ। ଅବିନାଶ ଦୁଇ ହଜାର ଟଙ୍କା କଥା ଭାବୁଥାନ୍ତି। ତାଙ୍କୁ ବୋଝ ମୁଣ୍ଡାଇଲା ପରି ଲାଗୁଥାଏ। ଫେରାଇ ଦେବେ ବୋଲି ପକେଟରେ ହାତ ପୁରାଇଲେ। ପୁଣି ପର ମୁହୂର୍ତ୍ତରେ କଣ ଭାବି ମତ ପରିବର୍ତ୍ତନ କଲେ। ଭାବିଲେ, ଗାଁ ରେ ପହଞ୍ଚିଲା ପରେ ଦେଇଦେବେ। ତଥାପି ବୁଢୀ ଝିଅ ଘରକୁ କଣ ଆଉ ଖାଲି ହାତରେ ଯିବ। ପକେଟରୁ ପାଞ୍ଚଶ ଟଙ୍କାର ନୋଟ କାଢି ଧରେଇ ଦେଲେ, କହିଲେ ତୋ ଝିଅ ର ଯାହା ପସନ୍ଦ ଯା କିଣି ଆଣିବୁ। ଖାଲି ହାତରେ କାହିଁକି ଯିବୁ। 

ବୁଢୀ ହସି ଦେଇ କହିଲା - ତୋର ଯାହା ପସନ୍ଦ ଯା ନେଇ ଆସିବୁ। 

ଅବିନାଶ ଦୋଦୋପାଞ୍ଚ ହେଲେ। 

ବୁଢୀ କହିଲା ଏତେ କଣ ଭାବୁଛୁ ଯେ ମୁଁ କହିଲି ପରା ତୁ ଯାହା ଆଣିବୁ ମୋ ଝିଅ ର ପସନ୍ଦ ହେବ। ଅବିନାଶ ତା ମାଆ ପାଇଁ ଯାହା ଆଣିଲା ବୁଢୀ ପାଇଁ ବି ସେୟା ନେଇ ଆସିଲା। 


 ଶରଣପୁର ପଶୁ ପଶୁ ଅବିନାଶ ଅଟୋବାଲାକୁ ଆଙ୍ଗୁଠି ବଢେଇ ନିଜ ଘର ଦେଖାଇ ଦେଲା ଓ ବୁଢୀ ମାଉସୀଙ୍କୁ କହିଲା - ମାଉସୀ ମୁଁ ଏଠି ଓହ୍ଲାଇ ପଡୁଛି। ଆପଣଙ୍କୁ ଅଟୋ ବାଲା ଛାଡି ଦେବ। 

ହୋଉ ଏ ମିଠା ଫଳ ଯାହା ଆଣିଛୁ ନେଇ ଯା ତୋ ମାଆକୁ ଦେଇ ଦେବୁ। 

-ସେଇଟା ଆପଣଙ୍କ ଝିଅ ପାଇଁ ମୁଁ ଆଣିଛି ପରା,

-ହୋଉ ସେ କଣ ମୋ ଝିଅ ପରି ନୁହେଁ, ତୁ ନେ ତାକୁ ଦେଇଦେବୁ। 

-ନାଇ ମାଉସୀ ଆପଣ ରଖନ୍ତୁ ଝିଅ ଘରକୁ କଣ ଖାଲି ହାତରେ ଯିବ। 

ଅବିନାଶ ବୁଢୀର ବ୍ୟବହାରରେ ବିସ୍ମୟ ହେଉଥାଏ। ବସରେ ସେ ଯୋଉ ବୁଢୀ ଦେଖିଥିଲା ଏଠି ବୁଢୀ ତାକୁ ଅନ୍ୟ ପ୍ରକାର ଲାଗୁଥିଲା। ଏତିକିବେଳେ ଜଣେ ଅବିନାଶ କୁ ଭିତରକୁ ଡାକି ନେଲା। ମାଆ ବ୍ୟସ୍ତ ହୋଇ ଅପେକ୍ଷା କରିଥିଲେ। ଦେଖୁ ଦେଖୁ କୁଣ୍ଢାଇ ପକେଇ କହିଲେ, ତୋତେ କିଏ ଦୁଇ ହଜାର ଟଙ୍କା ଦେଇଛି କି! 

ଚମକି ପଡ଼ିଲା ଅବିନାଶ। ଆଶ୍ଚର୍ଯ୍ୟ ହେଇ ପଚାରିଲା ମା! ତୁ କେମିତି ଜାଣିଲୁ। 


ମା କହିଲେ, ବୁଢୀ ମା ଠାକୁରାଣୀ ମୋତେ କାଲି ସ୍ଵପ୍ନରେ କହିଥିଲେ । ମାଙ୍କ ଆଖିରେ ଖୁସି ର ଆଭା ଜଣା ପଡୁଥିଲା। ଅବିନାଶ କହିଲା, ନା କେହି ଦେଇ ନାହାନ୍ତି କିନ୍ତୁ ବସରୁ ପାଇଲି। ହଁ, ଗୋଟିଏ ବୁଢୀର ପରି ଲାଗୁଥିଲା। କିନ୍ତୁ ଲଜ୍ଜା ପାଇଁ ଫେରେଇ ପାରିଲିନି। ତା ପାଖରେ ଆଉ ପଇସା ନଥିଲା ବୋଲି ଶହେ ଟଙ୍କା ଦେଇ ତାର ଟିକେଟ କଲି। 

- ଆଉ ମୋ ପାଇଁ ଜିନିଷ କିଛି ପଠେଇନି। 

ଅବିନାଶ କିଛି ବୁଝି ପାରିଲାନି। 

ମାଆ ପୁଣି ଥରେ ପଚାରିଲେ, ମୋ ପାଇଁ କିଛି ପଠେଇନି? 

ଅବିନାଶ ଥଙ୍ଗେଇ କହିଲା ହଁ ପଠେଇଛି। ପାଞ୍ଚ ଶହ ଟଙ୍କାର ଜିନିଷ କିଣି ଦେଇଥିଲି ତା ଝିଅ ଘରକୁ ନେବ ବୋଲି। ମୋତେ ସବୁ ଜିନିଷ ଦେଇ କହୁଛି ତୋ ମାଆ କଣ ମୋ ଝିଅ ନୁହେଁ । ତା ପାଇଁ ଯାହା କିଣିଥିଲି ସବୁ ଦେଇ ଦେଲା। 

ସେ କିଏ? ତୁ ଏମିତି କାହିଁକି ପଚାରୁଛୁ। 


ଆରେ ବାପା ସେ ବା ବୁଢୀ ମା ଠାକୁରାଣୀ 

ଅବିନାଶର ଦେହ ଝାଳେଇ ଗଲା। କହିଲା, ମାଆ, ସେ ଏଇ ଘର ବାହାରେ ଅଟୋରେ ବସିଛନ୍ତି। 

ମାଆ ବିକଳ ହୋଇ ବାହାରକୁ ଦୋଉଡି ଆସିଲେ। ପଛେ ପଛେ ଅବିନାଶ ମଧ୍ଯ ଦଉଡି ଆସିଲା। ଅଟୋବାଲା ଥିଲା, ବୁଢୀ କିନ୍ତୁ ନଥିଲା। ଅଟୋବାଲା କହିଲା ବୁଢୀ ମାଉସୀ ପଳେଇଲେ। ଆଉ ଗଲା ବେଳକୁ ହସି ହସି କହିଲେ, ପୁଅକୁ କହିଦେବୁ ମୋର ତାଠାରୁ ଆହୁରି ହଜାରେ ଚାରି ଶହ ପାଇବାର ଅଛି। 

ହଜାରେ ଚାରିଶହ ଶୁଣି ଅବିନାଶ ଚମକି ପଡ଼ିଲା। ସତକୁ ସତ ସେ ଦୁଇ ହଜାର ରୁ ଛ'ଶହ ଟଙ୍କା ଖର୍ଚ୍ଚ କରିଛି ତେଣୁ ଆହୁରି ଠିକ୍ ହଜାରେ ଚାରିଶ଼ହ ବାକି ଅଛି। 

ମାଆ ସେତେବେଳକୁ ସବୁକଥା ଶୁଣି ସେଇଯାଗାରେ ସାଷ୍ଟାଙ୍ଗ ପ୍ରଣିପାତ କଲେଣି। 


ଅବିନାଶ ଅତିଆଶ୍ଚର୍ଯ୍ୟ ହେଇ କିଛି ଭାବି ପାରୁ ନଥାଏ । 

ମାଆ ସାଷ୍ଟାଙ୍ଗ ରୁ ଉଠି କହିଲେ - ତୁ ଗାଁ ବୁଢୀ ଠାକୁରାଣୀ ସ଼ହ ଏତେ ବାଟ ଆସିଲୁ, ଜାଣି ପାରିଲୁନି। ତୋର ବଡ ଭାଗ୍ୟ। ତୁରନ୍ତ ଯାଆ, ବୁଢୀ ମା ମନ୍ଦିରରେ ବାକି ଟଙ୍କା ଫେରସ୍ତ କରି ଆସିବୁ। 

ଅବିନାଶ କହିଲା - ଏଇ ବେଗଟା ତ ତାଙ୍କର, ଏଇଟା ବି ଫେରା ହେବ ! 

ନା, ନା! ସେଇଟା ମୋର, ସେ ତାଙ୍କ ଝିଅ ପାଇଁ ଦେଇଛନ୍ତି ପରା। 

ଅବିନାଶ ଦେଖିଲା ମାଆ ଆନନ୍ଦରେ ହସୁଛନ୍ତି। 

ଅବିନାଶ ଭାବ ବିହ୍ଵଳିତ ହେଇ ଉଠିଲା। ତାର ଆନନ୍ଦାଶ୍ରୁ ହୃଦୟର ଭାବକୁ ପ୍ରକାଶ କରୁଥିଲା । ଟିକିଏ ରହି କହିଲା, ତାହେଲେ ମୁଁ ଯାଉଛି ଜେଜେମା ଙ୍କ ପାଇଁ ଗୋଟିଏ ଭଲ ମୁକୁଟ ବରାଦ କରି ନେଇ ଆସିବି। 

ମାଆ ଆନନ୍ଦ ରେ କହିଲେ ଯାଆ ବାପା ଯା' - ଭଗବାନ କେତେବେଳେ କାହାକୁ କେମିତି ପରୀକ୍ଷା କରନ୍ତି କେହି ଜାଣି ପାରନ୍ତି ନାହିଁ। ତୁ ଯେତେବେଳେ ଜାଣି ପାରିଛୁ, ସୁଯୋଗକୁ ହାତଛଡା କରନା ।

ଅବିନାଶ ତୁରନ୍ତ ବାହାରି ପଡ଼ିଲା। ବାଟରେ ଭାବୁଥାଏ ମୋ ଭଳି ଏମିତି କେତେ ଲୋକ ଅଛନ୍ତି, ଯେଉଁ ମାନେ ଟଙ୍କା ପାଇଁ ସାମାଜିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ ଟଙ୍କା ଅନ୍ୟର ବୋଲି ଜାଣି ମଧ୍ୟ ରଖି ପାରନ୍ତି ।

ସେ ସିନା ମାଙ୍କର କୃପା ପାଇ ପାରିଲା ଯାହାର ଯୋଗ୍ୟ ବି ସେ ନୁହେଁ। ବୁଢୀମା ଠାକୁରାଣୀ ମନ୍ଦିର ରେ ଠିଆ ହେଇ ଆଗ ସଭକ୍ତି ବହେ କାନ୍ଦି ପକାଇଲା। ବୁଢୀମାଙ୍କ ହସ ହସ ମୁହଁରେ ସେ ଅପୂର୍ବ ଆନନ୍ଦ ପାଉଥିଲେ। ତାଙ୍କୁ ଲାଗୁଥିଲା କିଏ ଯେମିତି କହୁଛି କର୍ମରେ ଲୋଭ ରହିଥିଲେ ବି କର୍ମର ଯୁକ୍ତ ଧର୍ମୀ ଆଚରଣ କର୍ମକୁ ଦୋଷମୁକ୍ତ କରିଦିଏ। ନିଜ ସମାର୍ଜ୍ଜନରେ ନିଜେ ସଫଳତା ପାଇ ଥିବାରୁ ନିଜକୁ କୃତକୃତ୍ୟ ମନେ କରୁଥିଲା। 



Rate this content
Log in