Ajaya Mahala

Others

3  

Ajaya Mahala

Others

ସକାଳର ବାସ୍ନା

ସକାଳର ବାସ୍ନା

4 mins
7.4K


ସେ କହେ ସକାଳର ବାସ୍ନାଟିଏ ଅଛି। ଯାହା ଲାଗି ସେ ଉଠି ପଡେ ଏତେ ଶୀଘ୍ର । ଚା' ମଗ୍ ଧରି ବସି ଯାଏ ଏକୁଟିଆ । ବିବାହ ଦିନରୁ ଏହି ତାର ବହୁତ ପୁରୁଣା ଅଭିଯୋଗ - ଆଉ ଗୋଟେ ବିରାଟ ଅନୁସନ୍ଧିତ୍ସା ବି, ମତେ କିପରି ସକାଳର ଏ ବାସ୍ନା ସଅଳ ଉଠିବାକୁ ପ୍ରେରିତ କରେନା । ଦୁଇ ଦୁଇଟି ପୁଅ ଜନ୍ମ ଦେଲା ପରେ, ଅନ୍ତତଃ ଗୋଟିଏ ପୁଅକୁ ଭଲା କରି ପାରିଥାନ୍ତା ତା ପରି । ସ୍କୁଲ ଯିବାର ବାଧ୍ୟ ବାଧକତା ନ ଥିଲେ ସେମାନେ କେହି ସକାଳୁ ଉଠନ୍ତିନି ।

 ଚାଆ ପିଇ ସାରିବା ପରେ କିଛି ସମୟ ପାଇଁ ଗୁମ ହୋଇ ବସି ଯାଏ ସେ । ମୋ ପ୍ରତି ଥିବା ପୁରୁଣା ଅଭିଯୋଗ ଆଉ ଅଭିଯୋଗ ହୋଇ ରହି ନାହିଁ । କଥାଟି ସହନଶୀଳତାର ଚାଦର ତଳେ ଦବି ହୋଇ ରହି ଯାଇଛି କେବେଠୁଁ ବୁକୁ ତଳର ଆଉ ଏକ କୋହ ହୋଇ । ପିଲାମାନଙ୍କ ପାଇଁ ଜାରୀ ହୋଇଥିବା ସର୍ବକ୍ଷମା ଯୋଜନାରେ ମୁଁ ନିଜକୁ ସାମିଲ କରି ସଂରକ୍ଷିତ ଅନୁଭବ କରେ । ତାର ମୁହଁ ରାଗ ଆଉ ଚିଡ଼ଚିଡାରୁ ।

ଏମିତି ନୁହେଁ କି ମୁଁ ସକାଳକୁ ଅନୁଭବ କରିନି କେବେ । ମୋ ନିଜ ଛୁଆବେଳେ ବଡି ସକାଳୁ ଉଠିପଡୁଥିଲୁ ଆମେ ସବୁ ଭାଇ ଭଉଣୀ । ଲଙ୍ଗଳା ପାଦରେ କେତେ ମୁଁ ଚାଲିଛି ଘାସ ପଡ଼ିଆରେ । ଧାନ କଟି ସାରିଥିବା କ୍ଷେତରେ ଚାଲିଲା ବେଳେ ପାଦ ବାଜି ଛିଡା ହୋଇଥିବା ଧାନରୁଅ ଭିତରୁ ବାହାରି ଆସୁଥିବା ସକାଳର କାକରଛିଟା ଦେହକୁ କେତେ ଉଲୁସାଇ ଦିଏ ମୁଁ ଜାଣିଛି । କୋଇଲି ଖିଆ କଣ୍ଟା ଗଛର ଫୁଲକୁ ଚୁଚୁମି ହଜାର ଥର ପିଇଥିବି ଶିଶିର ମିଶ୍ରିତ ମଧୁ ! ସେ ସବୁ କିନ୍ତୁ ବହୁତ ପୁରୁଣା।

ବୋଧ ହୁଏ କଲେଜ ଜୀବନରେ ଡେରି ରାତି ପର୍ଯ୍ୟନ୍ତ ପଢିବା ଅଭ୍ୟାସ ଯେମିତି ଗୋଟିଏ ପରିବର୍ତ୍ତିତ ଢାଞ୍ଚାରେ ପକାଇ ଦେଇଥିଲା ଜୀବନକୁ। ଚାକିରୀ ହେଲା ପରେ ସେଇ ଢାଞ୍ଚାରେ ବିଶେଷ ପରିବର୍ତ୍ତନ ହୋଇ ନାହିଁ । ଦିନର ଇଗଲ ମାନେ ଏମିତି କୁଆଡେ ହୋଇ ଯାଆନ୍ତି ରାତିର ପେଚା । ଅର୍ଲିଟୁ ବେଡ଼ ଅର୍ଲିଟୁ ରାଇଜ ନର୍ସରୀ କ୍ଳାସ୍ ବହିର କେତୋଟି ନିରର୍ଥକ ଧାଡି ହୋଇ ରହିଯାନ୍ତି ।

 ଏମିତି କିଛି ଘଟିନି ମୋ ସ୍ତ୍ରୀ ଜୀବନରେ । ସେଥିପାଇଁ ଉଠିପଡ଼େ ସେ ସକାଳୁ। ଦିନ ସାରା ହଜାର ପାଇଟି କରୁଥିବା ମୋ ସ୍ତ୍ରୀ ପାଇଁ ସକାଳର ଏଇ ଦୁଇ ଘଣ୍ଟା ଯେମିତି କାର୍ଯ୍ୟ ଶୂନ୍ୟତାର ଏକ ଛୋଟ କାରାଗାର ଟିଏ !

ଚା’ ଭଲା ପିଉଥାନ୍ତି ମୁଁ । ଚାହା ପିଇବା ବାହାନାରେ ଅନ୍ତତଃ ପଢି ନିଅନ୍ତି ତା ମନ । ଚା’ ପିଇବାର 'ବଦଭ୍ୟାସ' ନ ରଖିଥିବା ଯୋଗୁଁ କେଇ ଜାଗାରେ ପ୍ରଶଂସା ମିଳିଥାଏ। କିନ୍ତୁ ଚାଆ ନ ପିଇବାର ମୋର ଏହି

ତଥାକଥିତ ଭଲ ଅଭ୍ୟାସଟି ଯେମିତି ଧୀରେ ଧୀରେ ଖୋଳି ଦେଇ ଥାଏ ଏକ ବିରାଟ ଗହ୍ୱର ମୋ ସ୍ତ୍ରୀର ଦୁନିଆରେ ।

 ଶିକ୍ଷକ ପରି କଡା ଅନୁଶାସନ ଭିତରେ ନିଜକୁ ଗଢି ତୋଳିଥିବା ତାର ମନ ସ୍ୱୟଂ ଅନୁଶାସିତ ହୋଇ ଯାଇଛି ସମୟ ଦ୍ୱାରା । ଦିନ ସାରା ତାର ପାଇଟି ପାଇଁ ଦଉଡା ଦଉଡି ଲାଗି ଥାଏ ଏ ଘରେ । ମୁଁ ଯେତେବେଳେ ଅଫିସ ଯିବା ପାଇଁ ପ୍ରସ୍ତୁତ ହୁଏ, ଠିକ ସେତିକି ବେଳେ ପିଲାମାନେ ପ୍ରସ୍ତୁତ ହୁଅନ୍ତି ସ୍କୁଲ ପାଇଁ। ପରିବାରର ସଦସ୍ୟ ଭାବରେ କାହା ପାଖରେ ସମୟ ନ ଥାଏ ଅନ୍ୟର ମୁହଁ ଦେଖିବା ପାଇଁ। ଯିଏ ଯୁଆଡେ ଯାଇଥାନ୍ତି ସଂଜକୁ ଫେରନ୍ତି। ରାତିକୁ ସମସ୍ତେ ଥକି କରି ଶୋଇ ଯାଆନ୍ତି।

ମନ ଭିତରେ ଘଟି ଯାଇଥିବା ଭଙ୍ଗାରୁଜା ସବୁକୁ ଦେଖିବା ପାଇଁ ଓ ଦେଖାଇବା ପାଇଁ ସକାଳ ତ ଗୋଟିଏ ସମୟ । କିନ୍ତୁ କେହି ନ ଥାନ୍ତି ସେତେବେଳେ କଥା ପଦେ କହିବାକୁ। ଆମେ ବାପ ପୁଅ ତିନିଜଣ ଶୋଇ ରହିଥାଉ ନିଜ ନିଜ ଖଟ ଗୁଡିକରେ ବିଛଣାକୁ ଜାବୁଡି ଧରି।

 ଥମ କରି ବସିଯାଏ ସେ, ବାଲକୋନୀରେ ପଡିଥିବା କାଠ ଚେୟାରଟି ଉପରେ। ଯେମିତି ପଥଶ୍ରାନ୍ତ ପଥିକଟିଏ ଉଦୁଉଦିଆ ଖରାବେଳେ ବସି ଯାଏ ଗଛ ମୂଳରେ ପଥରଟିଏ ଉପରେ। ଭାବନାରେ ସେ ଚାଲିଯାଏ ପଛକୁ, ପଛକୁ, ଆହୁରି ଅଧିକା ପଛକୁ। ପ୍ରତିଟି ଭାବନା ସହ ଢ଼ୋକି ନିଏ ସେ ଗରମ ଚାଆ ଢୋକେ । ପୁଣି କିଛି ଢ଼ୋକ । ତା ପରେ ସବୁ ଢ଼ୋକ ଯାକ ଏକାଠି। ତା'ପରେ ଶାଗ , ମଟରଛୁଇଁ କିମ୍ବା ଅନ୍ୟ ପରିବା ଧରି ତାକୁ ବାଛିବାକୁ ଲାଗି ଯାଏ ଘଉଡ଼ାଇ ଦେବାକୁ କାର୍ଯ୍ୟ ଶୂନ୍ୟତାର ଭୂତକୁ ।

ଆଜି ନ ଜାଣେ କାହିଁକି ସକାଳୁ ମୁଁ ଉଠି ପଡିଛି ବହୁତ ସକାଳୁ । ଯେଉଁ ଚେୟାର ରେ ବସି ସେ ଚାହା ପିଏ, ତା ଉପରେ ବସିଛି । ସାନ ପୁଅଟି ବି ଆଜି କାହିଁକି ଶୀଘ୍ର ଉଠି ଯାଇଛି। ଆସି ପଚାରୁ୍ଛି, "ମମ୍ମି କେତେବେଳେ ଆସି ପହଂଚିବ?" ମୁଁ କହିଲି, "ଆଜି ରାତି ଏଗାରଟା ବେଳେ"।

ସମୟ ସକାଳ ସାତଟା। ମୋ ସ୍ତ୍ରୀ କୋଣାର୍କ ଏକ୍ସପ୍ରେସ ରେ ପୁନା ଫେରୁଛି । କାଲି ସଞ୍ଜ ବେଳେ ଭୁବନେଶ୍ୱରରେ ଟ୍ରେନ ଧରିଥିଲା । ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର କେଉଁ ଜାଗାରେ ଯାଉଥିବ ଟ୍ରେନଟି । ସକାଳୁ ଉଠିପଡ଼ି ଦେଖୁଥିବ ସେ ଝରକା ବାହାରେ ଦୌଡୁ ଥିବା ଦୁନିଆକୁ। ବସି ରହି ଭାବୁଥିବ ବି ନିଜ ଘରର ସକାଳକୁ । କେମିତି ଖଟ ଉପରେ ଆମେ ତିନି ମୂର୍ତ୍ତି ଏବେ ବି ପଡି ରହିଥିବୁ । ଦୁନିଆ କେଉଁଠି ଯାଇ ପହଂଚି ସାରିବଣି ସକାଳ ହେଲା ପରେ ।

 ସତରେ କେଡେ ଉଦାସ ହେଇ ଯାଉଥିବ ସେ । କେତେ ଥର ସାଙ୍ଗ ସହେଲିଙ୍କୁ କହିବାର ମୁଁ ଶୁଣିଛି, " ତିନି ତିନିଟା ଅଣ୍ଡିରାଙ୍କୁ ନେଇ ଘର ଚଲେଇବା କେଡେ କଷ୍ଟ । ମତେ ଚାହା କପ ଟିଏ ବି କିଏ ବନେଇ ଦେବାକୁ ନାହିଁ ।"

 ପୁଣି କେବେ କହେ, " ସାନ ପୁଅଟା ପୁଅ ନ ହୋଇ ଝିଅଟିଏ ହୋଇଥାନ୍ତା ଭଲା । କାମରେ ତ ହାତ ବାଣ୍ଟୁଥାନ୍ତା !"

 ବଡ ବ୍ୟଥିତ ହେଉଥିବ ସେ ଏୟା ଭାବି – କ’ଣ ଫରକ ପଡୁଛି ଏ ପୁରୁଷ ପିଲାଙ୍କର ଜୀବନରେ -ସିଏ ଘରେ ଥିଲାବେଳେ ଅବା ବାହାରେ ? ସମସ୍ତେ ଯେପରି ତା ପାଇଁ ଉଦାସୀନ। କେମିତି ବି ମୂଲ୍ୟହୀନ ଅସ୍ତିତ୍ଵ ନେଇ ପଡ଼ିରହିଛି ସେ ।କେବଳ ରୋଷେଇ ଆଉ ଅନ୍ୟ ପାଇଟି ସବୁ କରିବା ପାଇଁ ।

 ମୁଁ ଭଲ ଭାବରେ ଜାଣେ, ସେଥିପାଇଁ ସକାଳୁ ଫୋନ କରି ଆମକୁ ଉଠାଇବାକୁ ଚେଷ୍ଟା କରୁନି । ଜାଣିଛି ସେ, ଏମାନେ ସମସ୍ତେ ବିଛଣାରେ ପଡି ରହିଥିବେ। ଆଜି ତ ପୁଣି ଛୁଟିଦିନ। ଉଠିବାକୁ ଆହୁରି ଡେରି ବି ହୋଇପାରେ। ହେଲେ ସିଏ କେମିତି ଜାଣିବ ତା ସାନ ପୁଅ ତାକୁ ଖୋଜି ଖୋଜି ପୁଣି ଯାଇ ଶୋଇଗଲାଣି ତା ଭାଇ ପାଖରେ। ଆଉ ମୁଁ ବି ଏତେ କଥା ଲେଖି ସାରିଲିଣି ତାକୁ ନେଇ। ସିଏ ମୋର କୌଣସି ଲେଖା ପଢେନି । ସତ କଥା - ମୋ ଲେଖା ତାର କି କାମରେ ଆସିବ ! ଏ ସବୁ ଏକ ପୁରୁଣା ବ୍ୟଥା ପାଇଁ ଅନୁପଯୁକ୍ତ ମଲମ ଯାହା ।

 ମୁଁ ସ୍ତ୍ରୀର ଖାଲି ଚେୟାରକୁ ଲଗାଇ ଆଉ ଗୋଟେ ଚେୟାର ଲଗାଇଲି ବାଲକୋନୀରେ । ଏକ ଅନାଗତ ସକାଳ ପାଇଁ ।


Rate this content
Log in