ଶରଣାର୍ଥୀ
ଶରଣାର୍ଥୀ


ନିଜ ଜନ୍ମମାଟିକୁ ହତାଦର କରିବାଟା ଯେ ଏତେ ମହଙ୍ଗା ପଡ଼ିବ ତାହା ନବଘନ ବାବୁ ସ୍ବପ୍ନରେ ସୁଦ୍ଧା କଳ୍ପନା କରିନଥିଲେ! ବାପଅଜା ଚଉଦ ପୁରୁଷର ଭିଟାମାଟି ପ୍ରତି ସମସ୍ତଙ୍କର ଥାଏ ବିଶେଷ ଆକର୍ଷଣ। ସେ ଆକର୍ଷଣ ରକ୍ତ ସହ ରକ୍ତର! ସେ ଆକର୍ଷଣ ମାଟି ସହ ମଣିଷର, ଯେଉଁ ମାଟିରୁ ଆମର ଜନ୍ମ ଆଉ ସେଇ ମାଟିରେ ହିଁ ଆମର ଦେହ ହୁଅଇ ବିଲୀନ ଜୀବନ ନାଟକର ଯବନିକା ପଡିବା ପରେ। ମାଟି ମାଆ ପ୍ରତି ବିମୁଖ ପ୍ରତିଟି ମଣିଷକୁ ଭୋଗିବାକୁ ପଡିଛି ଏହାର ପ୍ରତିଫଳ, ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ବାଦ ପଡି ନାହାଁନ୍ତି ଏଥିରୁ!
ନବଘନ ବାବୁଙ୍କ ପୈତୃକ ଗାଁ ରାଜନଗରରେ, ଜିଲ୍ଲା କେନ୍ଦ୍ରାପଡ଼ା। ଗାଁ ସ୍କୁଲରୁ ପାଠ ପଢ଼ି ସାରିବା ପରେ ଗାଁ ଛାଡିଛନ୍ତି ଯେ ଆଉ କେବେ ଫେରି ଚାହିଁବା ପାଇଁ ଫୁରୁସତ୍ ଟିକେ ମିଳିନି ତାଙ୍କୁ ଏ କର୍ମମୟ ଜୀବନରେ। କଟକରେ ରହି କଲେଜରେ ପଢିଲେ ଆଉ ତା ପରେ ରାଜ୍ଯ ସରକାରଙ୍କ ଅଧୀନରେ ବଦଳି ଚାକିରିରେ ରାଜ୍ୟ ସାରା ବୁଲି ବୁଲି ଶେଷରେ ରାଜଧାନୀ ଭୁବନେଶ୍ଵରରେ ଘରଦ୍ବାର କରି ସ୍ଥାୟୀ ବାସିନ୍ଦା ହୋଇଗଲେ ଅବସର ପରବର୍ତ୍ତୀ ଜୀବନକୁ ସୁଖ ଶାନ୍ତିରେ ବିତାଇବାକୁ।
ବଡ଼ ଝିଅ ବାହା ହୋଇ ଆମେରିକାରେ। ପୁଅ ତା ପରିବାର ସହ ଦିଲ୍ଲୀରେ। କେବେ କେବେ ପିଲାମାନେ ଆସନ୍ତି ଭୁବନେଶ୍ବର, ଦିନ କେଇଟା ପାଇଁ। ନାତି ନାତୁଣୀଙ୍କ କୋଳାହଳରେ ଘର ଉଠେ ଆଉ ପଡ଼େ। କି ଆନନ୍ଦ ସତେ! ସେମାନଙ୍କ ଲେଉଟାଣି ପରେ ବଡ଼ ଘରଟାରେ କେବଳ ଦୁଇଟି ପ୍ରାଣୀ, ନବଘନ ବାବୁ ଓ ପତ୍ନୀ ଅନୀତା। ଘର ଭିତରର ନିସ୍ତବ୍ଧତା ନବଘନ ବାବୁଙ୍କୁ ଘୋର ଅଭାବବୋଧ ସହ ଅଣନିଃଶ୍ବାସୀ କରିଦିଏ। ଅତୀତର କଥା ସବୁ ମନରେ ନାଚି ଉଠେ। ନିଜ ଗାଁ କଥା ମନେ ପଡେ, ଛାତି ରୁନ୍ଧି ହୋଇଗଲା ପରି ଲାଗେ।
ବାପା ବୋଉ ଥିବା ଯାଏଁ ବର୍ଷକୁ ଥରେ ଅଧେ ଗାଁକୁ ଯାଉଥିଲେ। ସେଇଟା ବି ବନ୍ଦ ହୋଇଗଲାଣି ଆଜକୁ ପ୍ରାୟ କୋଡିଏ ବର୍ଷ ହେବ। ଜମିବାଡି ଯାହା କିଛି ଥିଲା ସେସବୁକୁ ଆଗରୁ ବିକ୍ରି କରିଦେଇଥିଲେ, କେବଳ ଘରଡିହଟା ଅଛି ବୋଲି ଗାଁ ସହ ସମ୍ପର୍କ ଅଛି। ସମୟଟା କେଡ଼େ ନିଷ୍ଠୁର ସତେ! ବୟସର ସାୟାହ୍ନରେ ନବଘନ ବାବୁ ମର୍ମେ ମର୍ମେ ଅନୁଭବ କରନ୍ତି ନିଜର ଅସହାୟପଣର କଥା। ହୁଏତଃ ତାଙ୍କ ବାପା ବୋଉ ବି ତାଙ୍କର ଅନୁପସ୍ଥିତିରେ ଏମିତି ଦିନେ ଅନୁଭବ କରି ଥିବେ...
ସେଥରକ ଖରାଛୁଟିରେ ଦିଲ୍ଲୀରେ ରହୁଥିବା ନାତୁଣୀ ରିଦ୍ଧି ଆସିଥିଲା, ଗାଁ କେମିତି ବୋଲି ଦେଖିବାକୁ ବଡ଼ ଜିଦ୍ କଲା। ଅଗତ୍ୟା ଗାଁ ଆଡ଼େ ଟିକେ ବୁଲି ଆସିବାକୁ ବାହାରିଲେ ସମସ୍ତେ। ଭୁବନେଶ୍ବରରୁ ରାଜନଗର ଯିବା ବେଳେ ରାସ୍ତାରେ ନବଘନ ବାବୁ କେତେ କଥା ଭାବୁଥାନ୍ତି, ଆଖି ପତା ଓଦା ହୋଇଯାଉଥାଏ ସମସ୍ତଙ୍କ ଅଲକ୍ଷ୍ୟରେ। ଦୀର୍ଘ କୋଡ଼ିଏ ବର୍ଷର ବ୍ୟବଧାନରେ ସେ ଯାଉଛନ୍ତି ନିଜ ଗାଁକୁ, ନିଜ ଲୋକଙ୍କ ସହ ମିଶିବେ, ନଇ ପଠା, ଧାନବିଲ, ଗାଆଁ ଠାକୁରାଣୀ ପୀଠ, ଦୋଳ ମଣ୍ଡପ, ଏମିତି କେତେ କଣ।
ଗାଁରେ ପହଞ୍ଚିବା ପରେ ସେଠାରେ ଯାହା ଦେଖିଲେ, ନବଘନ ବାବୁ ମୂର୍ଛିତ ହେଉ ହେଉ ନିଜକୁ ସମ୍ଭାଳି ନେଲେ। ଗାଁ ମୁଣ୍ଡରେ ଥିବା ତାଙ୍କ ବିସ୍ତୀର୍ଣ୍ଣ ଘରଡିହରେ ଗଢି ଉଠିଛି ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କ ବସ୍ତି ବହୁ ବର୍ଷର ଅନୁପସ୍ଥିତିର ସୁଯୋଗରେ। ବୁଝିବାକୁ ଆଉ ବାକି ନଥିଲା ଯେ, ବାପା ବୋଉ ଆର ପାରିକୁ ଚାଲିଯିବା ପରେ, ବିଶ୍ବାସର ସହ ଘର ଜିମା ଦେଇଆସିଥିବା ବାଲ୍ୟ ବନ୍ଧୁ ରଘୁ ବେହେରା ଚଢ଼ା ଦରରେ ବିକି ଦେଇଛି ତାଙ୍କ ଚଉଦ ପୁରୁଷର ଭିଟାମାଟିକୁ ଅବୈଧ ଅନୁପ୍ରବେଶକାରୀଙ୍କୁ ଜାଲ୍ କାଗଜପତ୍ର ଜରିଆରେ।
ବଙ୍ଗଳାଦେଶୀ ଅନୁପ୍ରବେଶକାରୀ କେବଳ କବ୍ଜା କରି ନାହାଁନ୍ତି ତାଙ୍କ ଭିଟାମାଟି, ଭାରତୀୟ ନାଗରିକତ୍ଵ ବି ହାସଲ କରିନେଇଛନ୍ତି କୌଶଳରେ। ନାଗରିକତାର ପ୍ରମାଣ ସ୍ବରୂପ ଭୋଟର ପରିଚୟ ପତ୍ର, ଆଧାର ନମ୍ବର, ରାସନ କାର୍ଡ, ଜମି ପଟ୍ଟା ସବୁ କିଛି ଅଛି ସେମାନଙ୍କ ପାଖରେ। ଅଛି ମାରଣାସ୍ତ୍ର, ଅଛି ସଂଘବଦ୍ଧତା। ସେମାନେ କିଛି ବି କରିପାରନ୍ତି। ସେମାନେ ହିଁ ଏବେ ଏଇ ମାଟିର ମଣିଷ, ଭୂମିପୁତ୍ର! ନବଘନ ବାବୁ ନିଜ ଭିଟାମାଟିରୁ ବେଦଖଲ ହୋଇ ସାଜିଛନ୍ତି ଶରଣାର୍ଥୀ ନିଜ ଜନ୍ମମାଟିରେ!!!