ଶେଷ ନିଷ୍ପତ୍ତି
ଶେଷ ନିଷ୍ପତ୍ତି
ଘରେ ଗଣେଶଙ୍କର ଏଇ ଶେଷଥର ପୂଜା କରିବାକୁ ନିଷ୍ପତ୍ତି ନେଇ ସାରିଥିଲେ ମେନକା। ଯିଏ ଯେତେ କହିଲେ ବି ଏଇଟା ତାଙ୍କର ଶେଷ ନିଷ୍ପତ୍ତି ଥିଲା।
ତାଙ୍କର ମନ ଭାଙ୍ଗି ଯାଇଥିଲା ଆଉ ପୂଜା କରିବା ପାଇଁ। ପିଲାମାନେ ନାତି ନାତୁଣୀ ସମସ୍ତେ ମୁହଁ ଚାହାଁଚାହିଁ ହେଉଥିଲେ। ଏ ନିଷ୍ପତ୍ତି ବିରୋଧରେ ବି କାହାର ଯିବାର ନଥିଲା। କାରଣ ମେନକା ନିଜେ ପୂଜାର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ କରି ଆସୁଥିଲେ। ଅନ୍ୟ କେହି ସେଥିରେ ଆଗ୍ରହ ରଖୁ ନଥିଲେ।
ସେ ଯଦି ବନ୍ଦ କରିବେ, ତାଙ୍କୁ କାହିଁକି କିଏ ବାଧ୍ୟ କରିବାକୁ ଯିବ। କିନ୍ତୁ ସମସ୍ତଙ୍କ ମନ ଭିତରେ ଏଭଳି ନିଷ୍ପତ୍ତି ଏକ ଅନିଛାକୃତ ଭାବ ପ୍ରକାଶ କରୁଥାଏ।
ଅବଶ୍ୟ ଆଗରୁ ଅନେକଥର ମେନକା ଏକଥା କହିଛନ୍ତି, କିନ୍ତୁ ଆଜିଯାଏଁ ପୂଜାବନ୍ଦ କରି ନାହାନ୍ତି । ଫୁଲ ଠାରୁ ଆରମ୍ଭ କରି ନୈବେଦ୍ୟ ସଜାଡିବା ପର୍ଯ୍ୟନ୍ତ ସବୁ ସେ ନିଜେ କରନ୍ତି ।
ମୁଁ ଭାବୁଥିଲି ପଚାରିବି ବୋଲି କିନ୍ତୁ କାଳେ ରାଗ ସଦ୍ୟତମ ହେଇଥିବ ଭାବି କିଛି ସମୟ ଚୁପ ରହିଗଲି। ଆଗରୁ ମୁଁ ଦେଖିଛି ବୋଉ ବେଶି ଅଭିମାନ କଲେ ବାପା ଛିଗୁଲେଇ କହିବେ - ମେନକା ସିନା ବିଶ୍ଵାମିତ୍ର ଙ୍କ ତପସ୍ୟା ଭଗ୍ନ କରିଥିଲେ, ବିଶ୍ଵାମିତ୍ର କଣ ମେନକାଙ୍କ ତପସ୍ୟା ଭାଙ୍ଗି ପାରିବେ। ବାପାଙ୍କ ଶରୀର ଭଲ ନାହିଁ, ସେ ବି କିଛି କହୁ ନାହାନ୍ତି।
ବୋଉର ଅଭିମାନ ଆଜି କିଛି ଅଲଗା ପରି ଜଣା ପଡୁଥିଲା। ବାପା ବୋଧେ ସେଥିପାଇଁ କିଛି କହୁ ନଥିଲେ। ମୋର ଯାହା ହୃଦବୋଧ ହେଉଥିଲା ଏତେବର୍ଷ କାଳ ପୂଜା କଲା ପରେ ଘରେ କେହି ଗୋଟେ ଭଲ ପାଠ ପଢିଲେ ନାହିଁ ବୋଲି ତାର ମନ ଦୁଃଖ।
ବୋଉର କହିବା ଅନୁସାରେ ସେ ବାହା ହେଇ ଆସିବାର ଠିକ ପାଞ୍ଚବର୍ଷ ଠାରୁ ଏ ପୂଜା ଘରେ କ୍ରମାଗତ ଭାବେ ହେଇ ଆସୁଛି। ବୋଉକୁ ଆଜି ଷାଠିଏ ବର୍ଷ ହେଲାଣି ତଥାପି ସେ ପୂଜା କରିବାରେ କେବେ କାହାର ସାହାଯ୍ୟ ମାଗି ନାହିଁ। ପିଲାମାନେ କେବଳ ପୁଷ୍ପାଞ୍ଜଳି ଦେବାକୁ ଆସନ୍ତି ଓ ଭୋଗ ଖାଆନ୍ତି।
ବୋଉର ଏ ପୂଜା ବନ୍ଦ କରିବା ନିଷ୍ପତ୍ତି ରେ ମୁଁ ଯେତିକି ବିଚଳିତ ହେଲି ଘରର ପିଲାମାନେ ତାଠାରୁ ଅଧିକ ପରିମାଣରେ ବିଚଳିତ ହେଇ ପଡିଥିଲେ। ଜେଜେମାଙ୍କ ଏ ଶେଷ ନିଷ୍ପତ୍ତି ର କାରଣ କଣ ସମସ୍ତେ ତର୍ଜମା କରୁ ଥାଆନ୍ତି ନିଜ ନିଜ ବୁଦ୍ଧି ବିଚାରରେ ।
ଆମ ସମସ୍ତଙ୍କର ଧାରଣା ଥିଲା ବୋଉ ବୋଧେ ବାପାଙ୍କ ଦେହ ଖରାପ ପାଇଁ ଏମିତି କିଛି ନିଷ୍ପତ୍ତି ନେଇଛି। କିନ୍ତୁ ପଚାରିବ କିଏ ? ପଚାରିଲେ ସେ ଓଲଟା ଉତ୍ତର ଦେଇ କହିବ ତମେ ସବୁ ତ କୋଢିଆ ଙ୍କ ପରି ବୁଲିବ। ତମର ପୂଜା ହେଲେ କେତେ ନହେଲେ କେତେ। ସବୁତକ ଗାଳି ଶେଷରେ ଆମ ଉପରେ ଲଦି ହେଇ ଯିବ। ତେଣୁ କେହି ପଚାରୁ ନଥାନ୍ତି।
କିଛି ଦୂରରେ ବୋଉ ଚୁପ ଚାପ ବସିଥିବାର ଦେଖି ମୁଁ ଆଉ ସମ୍ଭାଳି ପାରିଲି ନାହିଁ, ବାଧ୍ୟ ହେଇ ପଚାରିଲି, କଣ ହେଇଛି ବୋଉ !
ବାପା ହସ୍ପିଟାଲ ରୁ ଘରକୁ ଫେରିବା ପରେ ପୂଜା ଆଉ ଆଗକୁ ହେବନି ବୋଲି ତୁ ଏମିତି ଘୋଷଣା କରି ଦେଲୁ ଯେ! ଏବର୍ଷ କଣ ସତରେ ଶେଷ ପୂଜା। ଏଇଟା ତୋର ଶେଷ ନିଷ୍ପତ୍ତି।
ବୋଉ କିଛି ନ କହିବାରୁ ବାପା ଭିତରୁ ଶୁଣି ପାରି କହିଲେ - ସେ ପୂଜା କଲେ ଲଡୁ ଆଉ କିଏ ଖାଇବ। ତମେ ମାନେ ତ ଖାଇବନି। ମୁଁ ସିନା ଖାଉଥିଲି ବୋଲି ପୂଜା ବି ହେଉଥିଲା ଲଡୁ ବି କରୁଥିଲା। ଠାକୁରଙ୍କ ପ୍ରସାଦ ଲଡୁ ନ ଖାଇଲେ ଠାକୁରଙ୍କୁ ଅପମାନ ହେବ ନାହିଁ! ଏବେ ଲଡୁ କିଏ ଖାଇବ କୁହ ତାହେଲେ ସିନା ସେ ପୂଜା କରିବ, ଥଟାରେ ବାପା ପଚାରିଲେ।
ମୁଁ ମନେ ମନେ ଭାବିଲି ସତ କଥା ତ ବାପାଙ୍କୁ ଜୋର ଡାଇବେଟିସ, ସେ ଲଡୁ ଖାଇଵେନି କି ବୋଉ ଦେବନି। ଘରେ ବାପାଙ୍କ ଛଡା ଲଡୁ ଆଉ କେହି ପସନ୍ଦ କରନ୍ତି ନାହିଁ। ସେମିତି ଥୁଆ ହେଇଥିବ। କଳା କଳା ପୋକ ଉଡିଲା ପରେ ଫୋପଡା ହେବ ପଛେ କେହି ଛୁଇଁବେ ନାହିଁ।
ପୁରୁଣା କଥା ମନେ ପଡି ଯାଉଥିଲା ମୋର। ମୁଁ ସ୍କୁଲରେ ପଢିଲା ବେଳେ ବାପା କୌଣସି ନନାକୁ ନଡାକି ନିଜେ ଗଣେଶ ପୂଜା କରନ୍ତି । ଖୁବ୍ ସୁନ୍ଦର ଉଚ୍ଚାରଣ। ଅବଶ୍ୟ ବଡ ହେଲା ପରେ ବୁଝିଲି ଏତେ ସବୁ ଉଚ୍ଚାରଣ ହୁଏ ଠାକୁରଙ୍କୁ ଡାକି ବସେଇବା ପାଇଁ ଓ ସମସ୍ତ ପ୍ରକାର ଚର୍ଚ୍ଚା କରି ସାରି ବିଦାୟ ଦେବା ପାଇଁ। ସେଥିପାଇଁ ଆବାହନ, ସଂସ୍ଥାପନ ପ୍ରାଣ ପ୍ରତିଷ୍ଠା, ଫୁଲ ଚନ୍ଦନ ଧୂପ ଦୀପ ଅର୍ଘ୍ୟ ନୈବେଦ୍ୟ ସକଳିକରଣ ଓ ଅବଶେଷରେ ବିସର୍ଜନ ଆଦି ଗୋଟିଏ ପରେ ଗୋଟିଏ ମନ୍ତ୍ର ଉଚ୍ଚାରଣ କରାଯାଏ। ବାପାଙ୍କ ବାପା କରୁଥିଲେ ବୋଲି ସେ ତାଙ୍କ ଠାରୁ ଶିଖି ଯାଇଥିଲେ। ବୋଉ କିନ୍ତୁ ଚିଡିଗଲେ କହିବ - ଲଡୁ ଖାଇବାକୁ ଇଛା ତ ସେଥିପାଇଁ ଗଣେଶ ପୂଜାରେ ଭାରି ମନ ! ବାକି ସବୁ ପୂଜା କଲା ବେଳକୁ କାଇଁ ଡେଇଁ ପଡି କରୁ ନାହାନ୍ତି ତ। ତୋ ବାପାର ଯୋଉ ମନ୍ତ୍ର ପାଠ ସତ କି ମିଛ କିଏ ଜାଣିଲା। ସେ ପୂଜା ବହିଟା ଧରି ବଡ ପାଟିରେ ଯାହା ବୋଲି ହୁଅନ୍ତି। ନ ଜାଣିଲା ଲୋକକୁ ସ୍ଵର ଥିଲେ ସବୁ ସୁନ୍ଦର।
ବାପାଙ୍କ ଉପରେ ରାଗିଗଲେ ବୋଉ ବେଳେ ବେଳେ ଏପରି ନିର୍ମମ କଟୁ ବାଣୀ ଶୁଣାଏ। ବାପା କିନ୍ତୁ ଚୁପ୍ ରହି ହସି ଦିଅନ୍ତି।
ମୁଁ ଥରେ ବୋଉକୁ କହିଲି ବାପା ଯଦି ଲଡୁ ଖାଇବା ଲାଳସାରେ ପୂଜା କରୁଛନ୍ତି ବୋଲି ଭାବୁଛୁ ତୁ ଆଗରୁ ଲଡୁ କରି ଦେଇ ଦେଉନୁ। ପୂଜା ପର୍ଯ୍ୟନ୍ତ କଥା କାହିଁକି ଯିବ। ତୁ ଏମିତି ଚିଡି ଚିଡି କାହିଁକି ହେବୁ!
ବୋଉ କିନ୍ତୁ ମୋ କଥାରେ ସନ୍ତୁଷ୍ଟ ନ ହୋଇ କହିବ ତୋ ବୁଦ୍ଧି ତୋ ପାଠରେ ଲଗା ମୋତେ ଉପଦେଶ ଦେବା ଦରକାର ନାହିଁ। ବୋଉର କ୍ରୋଧ ମୋ ଆଡ଼କୁ ଚାଲି ଆସିବା ଭୟରେ ମୁଁ ଆଉ ବେଶି କିଛି ପଚାରେ ନାହିଁ। କିନ୍ତୁ କଥା ର ଅର୍ଥ ପରେ ଯାହା ବାପାଙ୍କ ଠାରୁ ବୁଝିଲି ମୁଁ ସ୍ତମ୍ଭୀଭୂତ ହେଇଗଲି। ବାପା ବେଶି ପାଠଶାଠ ପଢି ନାହାନ୍ତି କିନ୍ତୁ କୌଣସି ପ୍ରକାରେ କିରାଣୀ ଚାକିରି ଟେ ପାଇ ଯାଇଛନ୍ତି। ପରିବାରରେ ମଧ୍ୟ ଅନ୍ୟ ମାନେ ଭଲ ପାଠ ପଢି ନାହାନ୍ତି। ତେଣୁ ବୋଉର ଭବିଷ୍ୟତ ବଂଶଧର ମାନେ କାଳେ ଭଲ ପାଠ ପଢିବେନି ସେହି ଭୟରେ ବୋଉ ଏ ପୂଜା କରେ। ପ୍ରଥମ ଥର ମନ୍ଦିର ନନା ପୂଜା କରିବାକୁ ଆସି ବୋଉକୁ ଭଲ କରି ଚନ୍ଦେଇ ଦେଇଥିଲା ବୋଲି ତା ସହ ପାଟିତୁଣ୍ଡ ହେଇଥିଲା। ସେହିଦିନ ବୋଉ ବାପାଙ୍କୁ ତାଗିଦା କରି କହିଥିଲା ବ୍ରାହ୍ମଣ ପିଲା ହେଇଛ ତମେ କାହିଁକି ପୂଜା କରିବନି। ତମେ ଯାଇ ବାପାଙ୍କ ଠାରୁ ଶିଖିକି ଆସ। ବାପା ମଧ୍ୟ ମୋଉକା ପାଇ କହିଲେ ଠିକ୍ ଅଛି ମୁଁ ଶିଖି କରିବି ଯେ କିନ୍ତୁ ଗଣେଶଙ୍କ ପାଇଁ ଭଲ ଲଡୁ ବି ତିଆରି ହେବା ଦରକାର। ସେହି ଦିନଠାରୁ ଉଭୟଙ୍କ ଇଛାରେ ପୂଜା ଚାଲିଥିଲା।
କିନ୍ତୁ ହଠାତ ଏମିତି ବନ୍ଦ ହେଇଯିବ ବୋଲି କେହି ଭାବି ନଥିଲେ। ମୁଁ ବୋଉର ମୁହଁ କୁ ଚାହିଁଲି। ବୋଉ ବୋଧେ ଗଭୀର ଚିନ୍ତାରେ ଥିଲା।
ମୋର ପ୍ରଶ୍ନ କୁ ବୋଧେ ଭାବି ହେଉଥିଲା କି କଣ ! କହିଲା - ପ୍ରତିବର୍ଷ ପୂଜା କଲି। ମନ୍ଦିର ରେ ଲୁଗା ଦେଲି। ପିଲାଙ୍କୁ ଲଡୁ ବାଣ୍ଟିଲି।କିନ୍ତୁ ଠାକୁର ମୋ ପିଲାଙ୍କୁ ଟିକେ ପାଠ ଦେଲେ ନାହିଁ।
ମୁଁ ଜାଣିଲି ବୋଉ ବୋଧେ ମୋ କଥା ଓ ରାନୁ କଥା କହୁଛି। ଆମେ ଭାଇ ଭଉଣୀ କେହି ଭଲ ପଢୁ ନଥିଲୁ।
ମୁଁ ବୋଉ ପାଖକୁ ଯାଇ କହିଲି - ପାଠ ନ ପଢିଲେ କଣ ହେଲା ଆମେ ତ ଭଲରେ ଅଛେ। ଆମର ତ କିଛି ଅଭାବ ନାହିଁ।
ବୋଉ ମୋ ଆଡ଼କୁ ଅନାଇ କହିଲା ଯାହା ହେଲେ ବି ପାଠ ତ ନାହିଁ!
ମୁଁ ଆଉ ବୋଉକୁ କିଛି କହି ସାନ୍ତ୍ଵନା ଦେଇ ପାରିଲି ନାହିଁ।
ମୁଁ କହିଲି ମୋ ପିଲାମାନେ ତାହେଲେ ଏଥର ବାହାରକୁ ଯାଇ ପୁଷ୍ପାଞ୍ଜଳି ଦେବେ।
ବୋଉ ଚିଡିଯାଇ କହିଥିଲା,
- ତମେ ସବୁ ତ କିଛି କରିବନି, ସବୁ ଦାୟିତ୍ୱ ମୋ ଉପରେ।
ମୋ ପୁଅ ସୁକୁନା ସେତେବେଳକୁ ବାହାରି ଆସି କହିଲା - ଜେଜୀ ତୁ ଆଉ ଏତେ ଫୁଲେଇ ହ'ନା। ତୁ ତ ଆମକୁ ପୂଜା ମାରା ହେଇଯିବ ବୋଲି ଛୁଆଁଇ ଦେଉନୁ ଆଉ ସାହାଯ୍ୟ କରୁନୁ ବୋଲି କାହଁକି କହୁଛୁ।
ଜେଜେ ଆଉ ପୂଜା କରି ପାରିବେନି ତ। ତୋତେ ବୋଧେ କରିବାକୁ ପଡ଼ିବ, ସେଥିପାଇଁ ମନା କରୁଛୁ। ଟିକେ ରହି ଥଟାରେ ପୁଣି ପଚାରିଲା - ହୋଉ କହିଲୁ ଜେଜୀ - ତୁ କାହିଁକି ଜେଜେଙ୍କ ଭଳି ବଡ଼ ପାଟିରେ ପ୍ରାର୍ଥନା କରୁନା ! ସେଥିପାଇଁ ଠାକୁର ବୋଧେ ତୋ ଡାକ ଶୁଣୁ ନାହାନ୍ତି।
ବହୁତ୍ ସମୟ ପରେ ବୋଉ ପାଟିରୁ ହସ ବାହାରିଲା। ହସିଦେଇ କହିଲା,
- ଠାକୁରଙ୍କୁ ହୃଦୟ ଭିତରୁ, ଅନ୍ତର ସହ ଡାକିବାକୁ ପଡେ। ବଡ଼ ପାଟିରେ ନୁହେଁ।
ମୁଁ ଜାଣିଛି ବୋଉ ମୋର ଅଶିକ୍ଷିତ।
ଗଣେଶ ପୂଜା ଦିନ ପୁଷ୍ପାଞ୍ଜଳି ଦେଲାବେଳେ ବୋଉ ଚୁପ କିନା ଠାକୁରଙ୍କୁ ଫୁଲ ପକାଏ।ନମୋ ଗଣେଶ ,ବିଘ୍ନେଶ ଠିକରେ କହି ପାରେ ନାହିଁ । ବାପା ମୁରୁକେଇ ହସି କୁହନ୍ତି - ସଂସ୍କୃତ ତୋ ବୋଉ ପାଟିରେ ପଶିଲେ ସିନା କହିବ।
ସୁକୁନା ପାଖରେ ଥାଇ କହିଲା- ଜେଜୀ ସବୁ ଡାକ ଅନ୍ତରରେ କରୁଥିଲେ ଆଉ ଭଜନ କୀର୍ତ୍ତନ ଯଜ୍ଞ କେହି କରନ୍ତେ ନାହିଁ। ଭଗବାନଙ୍କୁ ମନନ ଚିନ୍ତନ ଯେତିକି ଦରକାର ଭଜନ କୀର୍ତ୍ତନ ମଧ୍ୟ ସେତିକି ଦରକାର । ରାମକୃଷ୍ଣ ପରମହଂସ ଏତେ ବୋକା ଅଜ୍ଞାନୀ ନୁହନ୍ତି ଯେ ସେ ଭଜନରେ ଲିପ୍ତ ରହୁଥିଲେ। ଆମେ ଆମ ନିଜ ଇଗୋକୁ ସନ୍ତୁଷ୍ଟ କରିବା ପାଇଁ ଆମକୁ ସନ୍ତୋଷ ଦେଲା ପରି କଥା କହୁଛେ।
ମୁଁ ସୁକୁନା ର କଥା ଶୁଣି ମନାକଲି ଏମିତି କହିବା ପାଇଁ। କହିଲି, ଜେଜୀଙ୍କୁ କଣ ଏମିତି ଆଘାତ ଦେଲା ପରି କଥା କୁହାଯାଏ।
ସୁକୁନା ସାଙ୍ଗେ ସାଙ୍ଗେ ଗେଲ ହେଇ ଯାଇ କହିଲା - ମୁଁ ଜାଣିଛି ତୁ କଣ ପାଇଁ ରାଗିଛୁ। ତୁ ଜେଜେଙ୍କୁ କହୁଥିଲୁ, ଆମ ଘରେ କେହି ଭଲ ପଢିଲେ ନାହିଁ। ବିଦ୍ୟାଦାତା ଙ୍କ କୃପା ରହିଲା ନାହିଁ। ଏଇଟା ଭୁଲ୍! ଜାଣିଛୁ ମୁଁ ଏଥର କ୍ଲାସରେ ଫାଷ୍ଟ ହେଇଛି ଆଉ ଆମର ଗୋଟିଏ ସର୍ବ ଭାରତୀୟ ପରୀକ୍ଷା ହେଇଥିଲା ସେଥିରେ ମୋର ନମ୍ବର ବାଇଶି ଅଛି। ଦେଖିବୁ ଆର ବରଷକୁ ଦଶମ ପରୀକ୍ଷାରେ ମୁଁ କଣ କରିବି ! ତୁ କଣ ଏବେଠୁ ଗଣେଶଙ୍କୁ ବିଦା କରିବାକୁ ବସିଲୁଣି।
ବୋଉ ସୁକୁନାକୁ କୁଣ୍ଢାଇ ପକାଇ କାନ୍ଦି ପକାଇଲା। କହିଲା - ତୁ ସତ କହୁଛୁ! ମୋର ଭୁଲ ହେଇଗଲା ରେ।
ମୁଁ ମଧ୍ୟ ଏ ଖବର ଜାଣି ନଥିଲି। ମୋତେ ଯେତିକି ଆଶ୍ଚର୍ଯ୍ୟ ଲାଗୁଥିଲା ସେତିକି ଖୁସି ଲାଗୁଥିଲା କାରଣ ମୋ ପୁଅ ସେତେ ଭଲ ପଢୁ ନଥିଲା। ହଠାତ୍ ଏ ଉତ୍କର୍ଷତା ମୁଁ ବି ଭାବି ପାରୁ ନଥିଲି।
ଆମେ ସମସ୍ତେ ଦେଖିଲୁ,ଏବର୍ଷ ପ୍ରଥମ ଥର ପାଇଁ ବାପାଙ୍କ ବଦଳରେ ବୋଉ ପୂଜା କରି ସମସ୍ତଙ୍କୁ ପୁଷ୍ପାଞ୍ଜଳି ପାଇଁ ଫୁଲ ଦେଉଥିଲା।
ସୁକୁନା ଧୀର ସ୍ୱରରେ ମନ୍ତ୍ର ବୋଲିଲା ପରେ ପୁଷ୍ପାଞ୍ଜଳି ଦେଲେ ସମସ୍ତେ। ବୋଉ ଖାଲି ଘଣ୍ଟି ବଜାଇ ଦୀପ ହାତରେ ଧରି ଆଳତି କଲାବେଳେ କାନ୍ଦୁଥିଲେ। ଥପ ଥାପ ହୋଇ ଖସୁଥିଲା ଲୁହ ତାଙ୍କ ଆଖିରୁ।
- ବୋଉ କାହିଁକି କାନ୍ଦୁଛନ୍ତି ? ପଚାରିଲା ମୋ ସ୍ତ୍ରୀ ସୁଜାତା।
ମୁଁ ଧିରେ କହିଲି - ବୋଉର ପୂଜା ବନ୍ଦ କରିବା ନିଷ୍ପତ୍ତି ଯେ ବନ୍ଦ ହେଇଗଲା। ଆଉ ପୂଜା ବନ୍ଦ ହେବନି।
- ମୁଁ ବଞ୍ଚି ଥିଲା ଯାଏଁ ପୂଜା ହେବ। ବଜ୍ର ଗମ୍ଭୀର ବାଣୀରେ ବୋଉ ଶୁଣେଇ ଦେଲା। ଏତେ ଦିନ ପରେ ଠାକୁର ମୋ କଥା ଶୁଣିଛନ୍ତି ଆଉ ବନ୍ଦ ହେବ !
ମୁଁ ମନେ ମନେ ଭାବୁଥିଲି ଏଇଟା ବି କଣ ବୋଉର ଶେଷ ନିଷ୍ପତ୍ତି।
ବାପା ଖଟରେ ଥାଇ କହିଲେ ଯାହା ହେଉ ତୋ ବୋଉ ବଦଳି ଗଲା ନହେଲେ ସେ ଏଥର ପୂଜା ସରିଲା ପରେ ନିଶ୍ଚୟ ମୂର୍ତ୍ତି ବିସର୍ଜନ କରି ଦେଇ ଆସିଥାନ୍ତା।
- ବୋଉ ମାନେ ବଦଳନ୍ତି ନାହିଁ ପରା! ସୁକୁନା ଥଟାରେ ତା ଜେଜେଙ୍କୁ ପଚାରିଲା।
ବାପା ସୁକୁନା ମୁଣ୍ଡରେ ସ୍ନେହରେ ହାତ ବୁଲାଇ ଦେଇ କହିଲେ ନାତି ମାନେ ଚାହିଁଲେ ବଦଳେଇ ପାରିବେ। ଆଉ କେହି ନୁହେଁ।
ତୋ ଜେଜୀର ଏତେ ବର୍ଷ ଧରି ଠାକୁରଙ୍କ ଉପରେ ଥିବା ଅଗାଧ ବିଶ୍ବାସ ଆଜି ଭାଙ୍ଗି ଯାଉ ଯାଉ ତୁ ତ ବଞ୍ଚେଇ ଦେଲୁ।
ମୁଁ କୋଉଠି ବଞ୍ଚେଇଲି ଜେଜେ। ବରଂ ଜେଜୀ ନିଜେ ନିଜକୁ ବଞ୍ଚେଇ ଦେଲେ। ତାଙ୍କର ଏତେ ବର୍ଷର ତପସ୍ୟା କଣ ବୃଥାରେ ଯିବ। ସେ ଖାଲି ବୁଝି ପାରୁ ନଥିଲେ ସିନା ।
- ତୁ ଠିକ୍ କହିଲୁ। ଯୋଗଭ୍ରଷ୍ଟ ବ୍ୟକ୍ତି ମଧ୍ୟ ନିଜର ପୂଣ୍ୟ କର୍ମ ବଳରେ ପୁଣି ଥରେ ଯୋଗଯୁକ୍ତ ହେବା ପାଇଁ ସୁଯୋଗ ପାଏ।
ମଣିଷ ଶେଷ ନିଷ୍ପତ୍ତି ନିଏ କେବଳ ନିଜର ଅପରିପକ୍ଵ ଭାବନାର ମୋହ ପାଇଁ। କୌଣସି ନିଷ୍ପତ୍ତି କେବେ ଶେଷ ହୋଇ ନଥାଏ।