Ranjit Sahu

Others

3  

Ranjit Sahu

Others

ଶବ୍ଦଭେଦୀ

ଶବ୍ଦଭେଦୀ

4 mins
7.8K


"ରମାକାନ୍ତ ବହୁତ ବଢିଆ ସରପ୍ରାଇଜ଼ଟିଏ ଦେଲା ସୁଚରିତାକୁ ଏହି ନବ ବର୍ଷର ପାର୍ଟିଟିଏ ରଖିକି I ଅଫିସ ଲୋକ ମାନଙ୍କୁ ମଧ୍ୟ ସିଟିଙ୍ଗ୍ ଅଛି ବୋଲି କହି ଡାକିକି ଏଠାରେ କହିଲା ଯେ ଏଇଟା ସୁଚରିତା ପାଇଁ ପାର୍ଟି ତା ତରଫରୁ ନବ ବର୍ଷର ଉପଲକ୍ଷେ I ପୁଣି ସରିତାକୁ ମଧ୍ୟ ତା ପୁଅ ଶଶାଙ୍କକୁ ଆଣିବାକୁ କହିଥିଲା ଯେହେତୁ ସୁଚରିତା ଶଶାଙ୍କକୁ ବହୁତ ଭଳ ପାଏ, " ମୁଁ କହିଲି I ରମାକାନ୍ତ ଓ ମୁଁ ଗୋଟିଏ ସଂସ୍ଥାରେ ନିଯୁକ୍ତ I ସଂସ୍ଥାରେ ସିଏ ବରିଷ୍ଠ ଏବଂ ମୋ ବସ ହେଲେ ମଧ୍ୟ ବାହାରେ ବ୍ୟକ୍ତିଗତ ଜୀବନରେ ଆମର ପରିବାର ମଧ୍ୟରେ ବନ୍ଧୁତ୍ଵ ବିଶେଷ ଭାବରେ ଗଢି ଉଠିଛି I ଏହା ବ୍ୟତୀତ ମୋ ସ୍ତ୍ରୀ ଓ ରମାକାନ୍ତର ସ୍ତ୍ରୀ, ସୁଚରିତା ମଧ୍ୟରେ ମଧ୍ୟ ଘନିଷ୍ଠତା ରହିଛି I

"ଏତେ ସବୁ ରଙ୍ଗୀନ ଆଲୋକ ଆଉ ସାଜ ସଜ୍ଜା ଦେଖି ମଧ୍ୟ ସିଏ ଖୁସି ଦେଖାଯାଉ ନାହିଁ କାହିଁକି? ତାହାର ତ ଏ ସବୁ ଜିନିଷରେ ବହୁତ ଆଗ୍ରହ ଓ ଦେଖେଇ ହେବାର ଶୌକ ମଧ୍ୟ ଅନେକ," ଶ୍ରୀମତୀ କହୁଣୀ ମାରି ପଚାରିଲେ ମୋତେ I ହାତରେ ଧରିଥିବା ଜୁସ ଗ୍ଲାସଟିକୁ ସମ୍ଭାଳୁ ସମ୍ଭାଳୁ ଅନ୍ୟମନସ୍କ ଭାବରେ ମୋ ମୁଁହରୁ ବାହାରିଗଲା, "ଜାଣିନି ହେଇଥିବ କିଛି ଗୋଟେ I ତମେ ପାର୍ଟି ଏନଜୟ କରୁନ କାହିଁକି ?"

"ହଁ ମ, ଦି ପେଗ ପକେଇ ସାରିଲାଣି ବୋଧହୁଏ I ତମର ଆଉ କଣ ଚିନ୍ତା କି? ଖାଲି ପାର୍ଟିରେ କେମିତି ମାଗଣା ପିଇଯିବ I ତମ ବସର ୱାଇଫ, ମାନେ ସୁଚରିତା କେତେ ସମୟ ହେଲାଣି ଏକା ବସିଛି I ଯାଇ ବୁଝୁନ କ’ଣ ହେଇଛି I ସରିତାର ପୁଅ ସହିତ ଖେଳୁଥିଲା I ହଠାତ ଏକା ଗୁମ ମାରିକି ବସିଛି I ସେ ତ ଛୁଆଙ୍କୁ ବହୁତ ଭଲ ପାଏ I ତାହାର ନିଜର ଛୁଆ ନାହିଁ ବୋଲି ବୋଧ ହୁଏ I ତୁମ ବସ ବି ତ ଦେଖା ଯାଉନାହାନ୍ତି I ଅଳ୍ପ ସମୟ ପୂର୍ବରୁ ତାଙ୍କୁ ମୁଁ ସରିତା ସହିତ ବାହାରକୁ ଯିବା ଦେଖିଥିଲି I ସରିତାର ସ୍ଵାମୀ କୁଆଡେ ଟୁରରେ ଥାଆନ୍ତି ସବୁ ବେଳେI "

"ତୁମେ ଯାଇକି ବୁଝୁନ? ସେଦିନ ତ ବହୁତ ହସି ହସି କଥା ହୋଉଥିଲା I ସେ କେବଳ ମୋ ବସର ୱାଇଫ ନୁହଁ ତୁମ ସାଙ୍ଗ ମଧ୍ୟ I ମୋତେ ଭୋକ ଲାଗିଲାଣି " ମୁଁ କହିଲି .

"ହଁ ଖାଲି ଖାଇକି ପିଇକି ପଳେଇବ I କାହିଁକି କେଜାଣି ପାର୍ଟିକୁ ଆସ I ମୁଁ ଯାଇକି ଦେଖୁଛି I" ଶ୍ରୀମତୀ ଚାଲିଗଲେ ସୁଚରିତା ପାଖକୁ I

------

"କ’ଣ ହେଲା?" ଖାଉ ଖାଉ ମୁଁ ପଚାରିଲି.

" କିଛି ନାହିଁ ମ’ ଏଇ ସୁଚରିତାଟି ବହୁତ ସଂକୀର୍ଣ୍ଣ ମନୋବୃତ୍ତିର I କିଏ ଜଣେ ତାକୁ କୁଆଡେ କହିଦେଲା ସରିତାର ଛୁଆଟିର ଆଖିଟି ରମାକାନ୍ତର ଆଖି ଭଳି ଦେଖା ଯାଉଛି I ସେଥି ପାଇଁ ବସିଛି ଏକା ଏକା ଗୁମ ମାରିକି I କଥା ଟିଏ କିଏ କହିଦେଲେ ବାଧି ଯାଉଛି, ଶବ୍ଦଭେଦୀ ବାଣ ଭଳି I ସେ ସ୍ତ୍ରୀ ଲୋକଟା କେମିତି ଜାଣିଥାନ୍ତା ସିଏ ତା ଛୁଆ ନୁହଁ ବୋଲି? ନୂଆ ବର୍ଷ ପାର୍ଟିରେ ଅଯଥା କଥା ଭାବି ଲାଭ କ’ଣ? ଛୁଆ ନାହିଁ ତ ନାହିଁ I"

"ଖାଲି ଏତିକି କଥାରେ ତ ସୁଚରିତା ଏତେ ବିଗିଡ଼ିବା କଥା ନୁହଁ, ଆଉ କିଛି ନିଶ୍ଚୟ ହେଇଛି ", ମୁଁ ପଚାରିଲି.

"ନା ଆଉ କିଛି ନୁହଁ I " ଶ୍ରୀମତୀ ଅନ୍ୟ ଆଡକୁ ଦୃଷ୍ଟି ବୁଲେଇବାରେ ଲାଗିଥିଲେ I '"ଏହି ଛୋଟ କଥାରେ ବିଗିଡ଼ି ଯାଇଛି I ସେଇଟା କ’ଣ ମୁଁ ହେଇଛି ଯେ ସହିଯିବି?" ଶ୍ରୀମତୀ ଉତ୍ତର ଦେଲେ ମୋତେ I

"ହୁଁ, ଆଉ ତମେ ଯୋଉ ସେଦିନ ନବଜାକୁ ଶୋଧି ଥିଲ, ସିଏ ଖାଲି ଥଟ୍ଟାରେ କହି ଦେଇଥିଲା, ବୋଲି "ଭାଉଜ ଭାଇନାଙ୍କର ସେକ୍ରେଟେରୀ ଆଉ ତା ପୁଅ ସହ ଫୋଟୋଟି ବେଶ ଜମୁଛି I ଫେମିଲି ଷ୍ଟାଇଲରେ ହେଇଛି'!" ମୁଁ କହୁଣୀ ମାରିଲି ଶ୍ରୀମତୀଙ୍କୁI

"କହି ନଥାନ୍ତି କି? ତମେ ଡେରିରେ ଘରକୁ ଫେର ବୋଲି କ’ଣ ଏମିତି ସନ୍ଦେହ କରିବ କି? ଖାଇ ସାରିଲଣି ଯଦି ଚାଲ I ମୋର ଖାଇବାର ନାହିଁ I ବହୁତ ହେଇଗଲା ପାର୍ଟି I ତୁମ ସାଙ୍ଗ ଅଳକା ତା ସାଥିରେ ମୋ ପୁଅକୁ ନେଇକି ଯାଇଛି I ତାକୁ ପିକଅପ କରିବାକୁ ପଡିବ I "

ଶ୍ରୀମତୀ ପର୍ସ ଧରି ଉଠି ସାରିଥିଲେ I

"କିନ୍ତୁ ତମେ ତାକୁ କିଛି ସାନ୍ତ୍ଵନା ଦେଲନି କାହିଁକି " ମୁଁ ପଚାରିଲି I

"ସାନ୍ତ୍ଵନା କାହିଁକି ଦେବି ମ? ଫୁଲେଇ ହେଇ କି ବସିଛି I ସିଏ ଉତ୍ତର ଦେଇ ସାରିଛି ସେ ମହିଳା ଜଣଙ୍କୁ ," ଶ୍ରୀମତୀ କହିଲେ I

"ସତରେ କଣ କହିଲା ସୁଚରିତା ତାଙ୍କୁ?" ମୁଁ ଉତ୍ସୁକ ହୋଇ ପଚାରିଲି ଗାଡ଼ିରେ ବସୁ ବସୁ I

"କହୁ ନଥିଲି ସିଏ ଫୁଲେଇଟିଏ ବୋଲି?", ଶ୍ରୀମତୀ କହିଲେ, " ମୁଁ ଜାଣିଛି ତୁମକୁ ସୁଚରିତା ବିରୁଦ୍ଧରେ କିଛି ଭଲ ଲାଗିବନି I"

"କହୁନ କାହିଁକି?" ମୁଁ ପଚାରିଲି.

"ସୁଚରିତା ସେ ମହିଳାଙ୍କୁ କହିଲା ସେଇଟା ତାହାର ଛୁଆ ନୁହଁ Iତାହାର ହସବ୍ୟାଣ୍ଡଙ୍କର ପ୍ରୋବ୍ଲେମ ଥିଲା Iସେମାନେ କୃତ୍ରିମ ଉପାୟରେ ସନ୍ତାନ ପ୍ରୟାସ କରିଛନ୍ତି I ସିଏ ଶୀଘ୍ର ମା’ ହେବାକୁ ଯାଉଛି I ଏହି କଥାଟି କହିଲା ସୁଚରିତା ମହିଳା ଜଣଙ୍କୁ I ମହିଳା ଜଣକୁ କାହାକୁ ନ କହିବା ପାଇଁ କହିଛି I ସେ ମହିଳା ମଧ୍ୟ ସହମତ ହେଇଛନ୍ତି ଓ ବର୍ତ୍ତମାନ ତ ପାର୍ଟିରୁ ବି ଚାଲି ଯାଇଛନ୍ତି. " ଶ୍ରୀମତୀ କହିଲେ I

"ଆରେ ଏତେ ବଡ ଖୁସି ଖବର I ମୋତେ କହିଲନି ସେଠାରେ କାହିଁକି? ମୁଁ ମଧ୍ୟ ଯାଇକି ଅଭିନନ୍ଦନ..", ଶ୍ରୀମତୀ ମୋ କଥା ମଝିରୁ ହିଁ କହି ଉଠିଲେ

"ଥାଉ ତୁମ ଅଭିନନ୍ଦନ I ସିଏ ଆଗୋ ତା ପତିକୁ କହି ସାରୁ I ନୂଆ ବର୍ଷ ସରପ୍ରାଇଜ଼ ଦେବ ବୋଲି ଘଡ଼ିକୁ ଚାହିଁକି ବସିଥିଲା I କ’ଣ କାମରେ ହଠାତ ତୁମ ବସ ଓ ସରିତା କିଛି ସମୟ ପାଇଁ ବାହାରକୁ ଗଲେ ବୋଲି ଜଳି ପୋଡିକି ବସିଛି I ଆଉ କିଛି ନୁହଁ I ତୁମେ ତୁମ ତରଫରୁ ଆଗୁଆ କିଛି କହିବ ନାହିଁ ଏ ବିଷୟରେ ତୁମ ବସଙ୍କୁ, କି ଅଫିସରେ କାହାକୁ I ତୁମ ପେଟରେ କଥା ରୁହେ ନାହିଁ I ସେଥି ପାଇଁ ତୁମକୁ ସେଠି କିଛି କହିଲି ନାହିଁ I ସିଏ କହିବାକୁ ଗଲା ବେଳେ ହଠାତ ଫୋନ କଲ ଆସିଲା ଆଉ ତୁମ ବସ ବାହାରିଗଲେ I ସେଥି ପାଇଁ ମନ ଦୁଃଖ କରି ବସିଛି I ତାକୁ ବୁଝେଇ ଦେଇ ଆସିଛି I ଯଦି ଆଜି ଆଉ ସୁଯୋଗ ନ ମିଳେ, ଦି ଦିନ ପରେ ତ ପୁଣି ତାହାର ଜନ୍ମ ଦିନ ପାର୍ଟି ଅଛି, ସେତେବେଳକୁ କହିବ Iତାହା ଦ୍ଵାରା ବି ତ ଖୁସି ଦ୍ଵିଗୁଣିତ ହୋଇଯିବ I ଯାହା ହେଲେ ବି ଏଇଟା ଆମ ସଂସ୍କୃତିର ନୂଆ ବର୍ଷ ନୁହଁ I ତେଣୁ ଏଥିରେ ଏତେ ଦୁଃଖିତ ହେବାର କାରଣ ନାହିଁ I ସେ ବୁଝିଗଲା କିନ୍ତୁ ବର୍ତ୍ତମାନ ତା ଶରୀର ସ୍ଥିତି ଯୋଗୁଁ ମଳିନ ଦେଖା ଯାଉଛି I " ଶ୍ରୀମତୀ ତାଗିଦ କଲେ ମୋତେ I

ମୁଁ ମୁଣ୍ଡ ଟୁଙ୍ଗାରୀ ଗାଡି ଷ୍ଟାର୍ଟ କଲି I

ଡଃ ରଞ୍ଜିତ କୁମାର ସାହୁ

ଚାରଲୋଟସଭିଲ୍ଲେ, ଯୁକ୍ତରାଷ୍ଟ୍ର ଆମେରିକା


Rate this content
Log in