ସେଇ ଝିଅଟି
ସେଇ ଝିଅଟି
ସେଦିନ ସୀମା ତା ବାବାଙ୍କ ସହ ଭୂବନେଶ୍ବର ଯାଇଥିଲା । ପୂଜା ପାଇଁ ନିଜ ପସନ୍ଦର ଡ୍ରେସ ନମିଳିବାରୁ ସେମାନେ ବିଗ ବଜାର ଗଲେ । ସେଇଠି ତା'ରି ବୟସର ଏକ ଝିଅସହ ତା'ର ଦେଖା ହେଲା । ସହରି ଝିଅମାନଙ୍କୁ ନେଇ ସୀମାର ଏକ ଭୁଲ ଧାରଣା ଥିଲା । ସହରି ଝିଅମାନେ ଗର୍ବି ଓ ଅହଙ୍କାରି ହୋଇଥାନ୍ତି । ଝିଅଟି ତାକୁ ଦେଖି ହାଏ କଲା । ସେମାନେ କିଛି ସମୟ କଥା ହେଲେ ।ସୀମାକୁ ତା ପସନ୍ଦର ଡ୍ରେସ ପାଇବା ପାଇଁ ସେ ଏସ୍କେଲେଟରରେ ଉପର ଫ୍ଲୋରରେ ଥିବା କିଡସ ସେକସନକୁ ନେଲା । ଉପରେ ପୋଷାକ ସମ୍ଭାର ଦେଖି ସୀମା ଖୁବ ଖୁସି ହୋଇଗଲା ।ତାକୁ ତା ପସନ୍ଦଠୁ ଆହୁରି ଭଲ ଡ୍ରେସ ମିଳିଗଲା । ଝିଅଟି ସୀମାକୁ ବାଏ କହି ଚାଲିଗଲା । ସେମାନେ ଘରକୁ ଫେରିବାକୁ ବାଣୀବିହାର ଛକରେ ଗାଁ ବସକୁ ବହୁ ସମୟଧରି ଅପେକ୍ଷା କରିଥାନ୍ତି । ହଠାତ ତାଙ୍କ ପାଖରେ କାରଟିଏ ଆସି ଲାଗିଲା । କାର ଭିତରୁ ସେଇ ଝିଅଟି ସୀମାକୁ ହାତଠାରି ଡାକୁ ଥାଏ । ସେମାନେ ଗାଁ ବସକୁ ଅପେକ୍ଷା କରିଛନ୍ତି ବୋଲି ସୀମା ତାକୁ କହିଲା । ସେଇ ଝଅଟି ଗାଁ ବସର ଗାଡି ନମ୍ବର ଓ ଡ୍ରାଇଭରର ମୋବାଇଲ ନମ୍ବର ପଚାରିବାରୁ ସୀମା କହିଲା ଆମକୁ ଜଣା ନାହିଁ । ସୀମା ବାବା ଘରକୁ ଫୋନ କରି ସାନ ଝିଅ ଆୟତଠୁ ଗାଁକୁ ଆସୁଥିବା ଗାଡିର ନମ୍ବର ଓ ଡ୍ରାଇଭରର ମୋବାଇଲ ନମ୍ବର ପାଇଗଲେ । ଝିଅଟି ଡ୍ରାଇଭରର ନମ୍ବରରୁ ଲୋକେସନ ଟ୍ରାକ କରି , ବର୍ତମାନ ଗାଡିଟି କେଉଁଠି ଅଛି ତାହା ଜାଣି ପାରିଲା ।ଡ୍ରାଇଭରକୁ ଫୋନ କଲାରୁ ସେଇଟି ବରମୁଣ୍ଡାରୁ ଗାଁକୁ ଯିବା ପାଇଁ ଶେଷ ଗାଡି , ଆଉ ଅଳ୍ପ ସମୟରେ ଗାଡିର ସିଟ ପୁରଣ ହୋଇ ଗଲେ ଗାଡି ଛାଡିବ ବୋଲି ଡ୍ରାଇଭର କହିଲା। ଝିଅଟି ସବୁ କଥା ସୀମା୍କୁ ବୁଝେଇ ଦେଲା । ସେମାନଙ୍କୁ ବସରେ ସିଟ ମିଳିବ ନାହିଁ , ଷ୍ଟାଣ୍ଡୀଙ୍ଗରେ ହିଁ ଯିବାକୁ ପଡିବ ବୋଲି ସୀମା ବ୍ୟସ୍ତ ହୋଇପଡୁ ଥାଏ । ସେଇ ଝିଅଟି ସଙ୍ଗେ ସଙ୍ଗେ ବସ ଡ୍ରାଇଭରଙ୍କୁ ଫୋନକରି ଫୋନପେରେ ବସଭଡା ପଇଠ କରି ସିଟ ନମ୍ବର ରିଜର୍ଭ କରି ଦେବାସହ ସୀମା ମୋବାଇଲର ଲେକେସନ ମଧ୍ୟ ଉକ୍ତ ଗାଡି ଡ୍ରାଇଭରକୁ ଦେଇ ଦେଲା । ସୀମାକୁ କହିଲା ବ୍ୟସ୍ତ ହେବାର ନାହିଁ । ତୁମେ ଏଇଠି ଅପେକ୍ଷା କରିଥିବ । ଅନ୍ୟ କୁଆଡେ ଯିବ ନାହିଁ । ତୁମକୁ ଗାଡି ଡ୍ରାଇଭର ପାଖାପାଖି ପନ୍ଦରରୁ କୋଡିଏ ମିନିଟ ମଧ୍ୟରେ ଫୋନକରି ବସରେ ବସେଇ ନେବ । ସୀମାକୁ ବାଏ କରି କାରଟି ଆଗେଇ ଗଲା । ଝିଅଟିର କଥା ଅନୁସାରେ ବସଟି ଠିକ ସମୟରେ ପହଞ୍ଚିଲା ଓ ସେମାନଙ୍କୁ ସିଟ ମଧ୍ୟ ମିଳିଗଲା । ସେମାନେ ବସଭଡା କଣ୍ଡକ୍ଟରକୁ ଦେବାବେଳେ ଜାଣିଲେ ଯେ ସେଇ ଝିଅଟି ସେମାନଙ୍କ ପାଇଁ ବସଭଡା ମଧ୍ୟ ଦେଇ ଦେଇଛି । ସୀମା ଶେଷ ସମୟ ପର୍ଯ୍ୟନ୍ତ ସେଇ ଝିଅଟିର ନାମ ପଚାରିପାରି ନଥିବାରୁ ମନ ଦୁଃଖ କଲା । ସେ ସବୁବେଳେ" ସେଇ ଝିଅଟି" ନାମରେ ତା ମାନସପଟ୍ଟରେ ରହିବ । ସହରୀ ଝିଅ ନିଜକୁ ବ୍ୟସ୍ତ ରଖିଥାନ୍ତି । ।ସେମାନେ କଥା କମ ଓ କାମ ଅଧିକ କରିଥାନ୍ତି । ସେମାନେ ଗର୍ବି କି ଅହଙ୍କାରୀ ନୁହନ୍ତି ।ସେଇ ଝିଅଟିର ମୌନ ଓ ଗମ୍ଭୀର ଚେହେରାକୁ ଦେଖି ତାକୁ ଗର୍ବି ଓ ଅହଙ୍କାରୀ ଭାବିବା ସୀମାର ଭୁଲ ଥିଲା ।କାହା ବିଷୟରେ ନଜାଣି ସେମାନଙ୍କ ପ୍ରତି ଭୁଲ ଧାରଣା ରଖିବା ଠିକ କଥା ନୁହେଁ ,ଏହା ଆମେ ସମସ୍ତେ ମନେ ରଖିବା ଉଚିତ୍ ।
