Satyabati Swain

Others

3  

Satyabati Swain

Others

ସେ କାଳ ପଖାଳ

ସେ କାଳ ପଖାଳ

4 mins
449



କ୍ରିସ୍ କହୁଛି ମାମା କେଉଁଠି ଶୋଇବି?ସବୁ ଆଡେ ଖାଲି ଲୋକ। ମୁଁ ତା ପାଟିରେ ହାତ ଦେଇ କହିଲି ଆସ୍ତେ,ସେମାନେ ଶୁଣିଲେ ଖରାପ ଭାବିବେ।ସେ ପୁଣି ଧୀରେ କହିଲା କେ.. ଉଁ.. ଠି ଶୋ.. ଇ.. ବି??କାଇଁ ତୋ ରୁମରେ? ମୋ ରୁମ୍ ରେ ! ଦେଖିଛ ! ସୁଟୁ, ବୁଟୁ,କଇଁ, କିସ୍ ମିସ୍ ସମସ୍ତେ ତଳ ଉପର ହୋଇ କେମିତି ଫାଆଁ ଗାଳି ପଡିଛନ୍ତି? ତୁ ଯାଉନୁ ସେଇଠି ଆଡ଼ଜଷ୍ଟ୍ କରିଦେବୁ।ମୁଁ କହିଲି।ନୋ ଓୱେ...କ୍ରିସ୍ କହିଲା।


ଆରେ ଦିନେ ଦି ଦିନ କଥା। ଘରେ ଫଙ୍କସନ୍ ହେଲେ ଏମିତି ହୁଏ। ସମସ୍ତେ ଏକାଠି ରୁହନ୍ତି,ଖାଆନ୍ତି,ଶୁଅନ୍ତି।ସମ୍ପର୍କ ବଢେ।ଭାରି ଭଲ ଲାଗେ। ଓଃ ମା ମା..ତୁମେ ଏତେ ପ୍ରବଚନ ଦିଅନି , ତୁ ମୋ ଶୋଇବା ବ୍ୟବସ୍ଥା କର।

ହେଉ ଯା ବାବାଙ୍କ ପାଖେ ଶୋଇ ପଡେ। ସେଠି ତ ଦାଦା,ବଡ଼ ବାବା,ଜେଜ ଶୋଇଛନ୍ତି!

    ଯିବୁ ନା ଦେଖିବୁ ଏଇଲେ...ଦି ଟା ଦିନ ସମ୍ଭାଳା ପଡୁନି। ନହେଲେ ଯାଉନୁ ପଲକ୍ ଦି ପାଖେ ଶୋଇବୁ।

ପଲକ୍ ଦି ପାଖେ!ଦେଖିଛ ନା କହୁଛ; ଖୁଡି,ମାଇଁ, ଆଈ ମେହକ୍ ଦି,ସୁବୁ ଭାଇ ବା ଶୋଇଛନ୍ତି? ଛିଃ କେମିତି ସବୁ ମଡା ଦଳା ହୋଇ ପଡିଛନ୍ତି। ଦେଖ କି ଖୁସିରେ ଘୁଙ୍ଗୁଡ଼ି ମାରୁଛନ୍ତି।


    ବୁଝି ପାରୁଛୁ ନା!!ସେମାନେ ଖୁସିରେ ଶୋଇଛନ୍ତି।ଶାନ୍ତିରେ ଶୋଇଛନ୍ତି??ଏଇଆକୁ କୁହନ୍ତି ପରିବାର,ସହଭାଗିତା,ବଣ୍ଟା କୁଣ୍ଟା ଖୁସି ଖୁସିର ଜୀବନ।

      ମା ମା... ଗେହ୍ଲେଇ କହିଲା କ୍ରିସ୍ ମୋ ବେକରେ ଓହଳି। ମୁଁ କହିଲି ଜାଣିଛୁ କ୍ରିସ୍ ଆମର ଗୋଟିଏ ବଡ଼ ପରିବାର ଥିଲା।ସତର ଜଣିଆଁ।


      ସ....ତ...ର!!ବିସ୍ମୟ ହୋଇଗଲା କ୍ରୀସ୍। ହଁ।ବାପା ଦାଦା ବୋଉ ଖୁଡି ମିଶି ଆଠ, ଜେଜ ଓ ଜେ ଜୀ ଦୁଇ ଓ ଆମେ ଭାଇଭଉଣୀ ମିଶି ସାତ।ଏପରି ସତର।ଏବେକାର ଯୁଗରେ ଭୋଜି କଲେ ବି ସତର ଜଣଙ୍କ ପାଇଁ ରାନ୍ଧିବା ମୁସ୍କିଲ। ଆମ ଘରେ ନିତି କିନ୍ତୁ ଧାନ ଉଷୁଆଁ ହାଣ୍ଡିରେ ଭାତ ଓ ହଣ୍ଡାରେ ହଣ୍ଡାଏ ଡାଲମା ହେଉଥିଲା।ତେଲ ଭାଜି ଦୋକାନ ପରି ଗୋଟିଏ ବଡ଼ କଡ଼ାରେ ତରକାରୀ ଭଜା ଆଦି ହେଉଥିଲା। ଏକା ସାଙ୍ଗରେ ସମସ୍ତେ ଦୁଆରେ ବସି ଖାଉଥିଲୁ।ସେ ଭାତ ଡାଲମାର କି ସ୍ୱାଦ!କି ବାସ୍ନା!ପେଟ ପୁରିଥିଲେ ବି ଲୋଭ ହେବ ମୁଠେ ଖାଇବାକୁ।ସକାକୁ କଂସାଏଁ ଲେଖା ପଖାଳ ଭଜା ଓ ଖଟା,ଗାଧୁଆ ବେଳକୁ ଗରମ ଭାତ ଡାଲମା କି ତରକାରୀ।ଯାହା ହେଉଥିଲା ଅମୃତ ପରି ଲାଗୁଥିଲା।ସଜନା ଶାଗ ମୁଗ,ବଡ଼ିଚୁରା ନିତି ଦିନିଆଁ ଆଇଟମ୍।ରହଣି ସହଣୀ ଓ ହାଣ୍ଡି ଥିଲା ଗୋଟିଏ।


   ମତାନ୍ତର ମନାନ୍ତର ଅପେକ୍ଷା ବୁଝା ମଣା ଓ ସବୁ କଥାକୁ ଚଳେଇ ନେବା ଥିଲା ଅଧିକ। ବଡ଼ଙ୍କୁ ସମ୍ମାନ,ସାନଙ୍କୁ ସେହ୍ନ ଦେବା କେହି ଶିଖାଉ ନଥିଲା। ଅନ୍ୟକୁ ଦେଖି ଶିଖି ହୋଇ ଯାଉଥିଲା। ଘରର ମୁଖିଆଙ୍କ କଥା ସମସ୍ତେ ମାନୁଥିଲେ। ସମସ୍ୟା ଉପୁଜିଲେ ସଭିଏଁ ସମାଧାନ ବାଟ ଖୋଜୁଥିଲେ।


    ବୁଝିଲୁ କ୍ରୀସ୍ ସେଇ ବଡ଼ ପରିବାର ମୁଁ ଅପେକ୍ଷା ଆମେ ଶବ୍ଦ ବେଶୀ ପ୍ରୟୋଗ ହେଉଥିଲା। ଟିକିଏ ଜିନିଷ ସମାନ ଭାବେ ବାଣ୍ଟି ଖିଆ ଯାଉଥିଲା। ଅତି ବଡ଼ ଓ ସାନ ମାନଙ୍କର ଆଗ ଖାଇବା, ପିଇବା,ପିନ୍ଧିବା କଥା ବିଚାର କରାଯାଉଥିଲା। ତାପରେ ବଡ଼ ମାନେ ଏକାଠି ଯାହା ରହୁଥିଲା ଖାଉଥିଲେ।କାହା ମନରେ କିନ୍ତୁ କି କୁନ୍ଥୁ କୁନ୍ଥୁ ଭାଵ ନଥିଲା।ପୁରୁଷ ମାନେ ଵିଲବାଡ଼ି, ବ୍ୟବସାୟବାଣିଜ୍ୟ, କରୁଥିଲା ବେଳେ ସ୍ତ୍ରୀ ଲୋକ ମାନେ ଗାଈଗୋବର,ରୋଷେଇ ଓ ପିଲା ସମ୍ଭାଳୁଥିଲେ।ହସୁଥିଲା,ବାସୁଥିଲା ସେତେବେଳର ମିଳିଜୁଳି ରହିବା ପାରିବାରିକ ଜୀବନ।


    କେହି ଦେହ ରୋଗରେ ପଡ଼ି ଗଲେ ଘେରି ପଡୁଥିଲେ ଶାଗୁଣା ପରି ଘର ଓ ଆତ୍ମୀୟ ଲୋକେ। ରୋଗୀଣା ଲୋକଟି କଣ କଲେ ଖାଇବ,କେମିତି ଶୀଘ୍ର ଉଠିବ ସେ ପାଇଁ ସମସ୍ତେ ଲାଗି ପଡୁଥିଲେ। ପରିବାର ଛାଡି ଦୂର ଦେଶକୁ ଯିବାକୁ କେହି ମନ କରୁ ନଥିଲେ। ଯଦି ବା ବାଧ୍ୟତାମୂଳକ ଗଲେ କି କାନ୍ଦ ବୋବାଳି ପଡୁଥିଲା!!


      ଆଉ ଆମେ ସାତ ଜଣ ଭାଇ ଭଉଣୀଙ୍କ ଗୋଟିଏ ଆତ୍ମା।ବାଡ଼ି ଆମ୍ବ ଝର କି କଇଁଆଁ ପତ୍ର ଦଳା କି ତେନ୍ତୁଳି ପଣା ବା ଟଭା ପାଣିର ମଜା ଏବେ ଦରାଣ୍ଡିଲେ ବି ମିଳେନା। କେଉତଟୁଣୀ ଢ଼ିଙ୍କି କୁଟା ଚୂଡ଼ାରେ ଗୁଆଘିଅ, ଅଦା ଗୂଡ଼ ଓ ନଡ଼ିଆ ପକାଇ ଯେଉଁ ଚୂଡ଼ା ଘଷା ହେଉଥିଲା କି ସ୍ୱାଦ ତାର!! କେବେ କେବେ ଚୂଡ଼ା ଓ ଡାଲମା ତା ସହ ଖଟା। ବାଃ ଠୁଙ୍କି ଦେଉଥିଲୁ ପେଟେ।ଆମ୍ବୁଲ ଟାକରା ଚାଟି ଚାଟି ଟାକରା ଫୁଟାଇବା ଏବେ କାହିଁ।ସବୁ ସ୍ବପ୍ନ ପରି ଲାଗୁଛି ।


     ବାହା କି ପୁନେଇଁ ପର୍ବ ହେଲେ ମାସେ କି ପନ୍ଦର ଦିନ ଆଗରୁ ଘରେ ଲାଗୁଥିଲା ଗହ ଗହ। କୁଣିଆଁ ମୈତ୍ରରେ ଫାଟି ପଡୁଥିଲା ଘର। ସେତେବେଳେ ଅତ୍ମୀୟତା,ନିଜର ପଣ,ସେହ୍ନ ମମତା ବନ୍ଧନ ଭାରି ଶକ୍ତ ଥିଲା। ଛିଡେଇବା ସେ ବନ୍ଧନ ଅତି କଷ୍ଟ ଥିଲା। ବାହା ପୁଆଣି ଘର ବାସୁଥିଲା। ବନ୍ଧୁ ବାନ୍ଧବ ଏକାଠି ହୋଇ ଦେଖା ଚାହାଁ ଓ ସୁଖ ଦୁଃଖ ହେଉଥିଲେ। ସାଙ୍ଗ ସାଥି ହୋଇ ଗୋଟିଏ ଘରେ କି ଅଗଣାରେ ଶୋଇ କଥା ହେଉ ହେଉ କେତେବେଳେ ସିନ୍ଦୁରା ଫାଟୁଥିଲା। ଥିଲା ସେତେବେଳେ ଗୋଟେ ଜୀବନର ମାନେ। କେହି ମରି ହଜି ଗଲେ ଗୁଣ୍ଡା କାହାର ପାଟିକୁ ଯାଉ ନଥିଲା।ବାରି ହୋଇ ପଡୁଥିଲା ମରା ଘର ବୋଲି।ଭାଇ ଠାରୁ ଭାଇ ଭିନ୍ନ ଘର ହେବା ଶୁଣିଲେ ମୂର୍ଦ୍ଧନା ଫାଟି ପଡୁଥିଲା।ବୃଦ୍ଧ ବାପମାଙ୍କ ସେବା ନିଜର ପରମ କର୍ତ୍ତବ୍ୟ ବୋଲି ମନେ କରା ଯାଉଥିଲା।


        ସତ ଏମିତି ଥିଲା ତୁମ ପରିବାର!!କ୍ରିସ୍ ଅଭୁଭୁତ ହୋଇ ପଚାରିଲା। ହଁ ଧନ!ଏମିତି ଥିଲା ଘର,ପରିବାର।ସ୍ୱର୍ଗ କହିଲେ ଘର ପରିବାରକୁ ବୁଝାଉଥିଲା।ହସ,ଖୁସି,ଶାନ୍ତି ଭରପୁର ଥିଲା।ହରାଇବାର ଦୁଃଖ ଭାଙ୍ଗୁଥିଲା।ପାଇବାର ସୁଖ ଗଢୁଥିଲା।ପରିବାର ମୋହ,ଆସକ୍ତି ଜାବୁଡି ଧରୁଥିଲେ ସଭିଙ୍କୁ।

     

  ସମାଜର ସବୁ ସାମାଜିକତା ଶିଖି ହେଇ ଯାଉଥିଲା ପରିବାରରୁ।ଶିକ୍ଷା, ସଂସ୍କାର,ଦୟା କ୍ଷମା,ବ୍ୟବହାର ଶିଖିବାର ମୁଳୁଦୁଆ ଥିଲା ପରିବାର।ଯେଉଁ ପରିବାରର ସେହ୍ନ ମମତା ବନ୍ଧନ ଯେତେ ଦୃଢ଼ ସେ ପରିବାର ସେତେ ସୁରକ୍ଷିତ ଥିଲା।ସେ ଘର ପିଲାଏ ବି ସେମିତି ଗୁଣୀ, ଜ୍ଞାନୀ ହେଉଥିଲେ।

 

    ମାତ୍ର ଏବେ!!ପରିବାର ଅଣୁ ବିଭାଜନ। ଅତି ବେଶୀରେ ଚାରି ଜଣ ଥିବେ କି କଣ ଗୋଟିଏ ପରିବାରରେ।ମିଶି ରହିବା ଏ ଯୁଗ ପିଲାଙ୍କ ନା ପସନ୍ଦ।ସହଭାଗିତା,ସହଯୋଗ,ସହନଶୀଳତା ବୁଝାମଣା,ଗୁରୁ ଜନେ ଭକ୍ତି,ଲଘୁ ଜନେ ସେହ୍ନ ସ୍ୱପ୍ନ ହୋଇଗଲାଣି।ମିଳିମିଶି ରହିବା ଅପେକ୍ଷା ଏକା ନିଃସଙ୍ଗ ଜୀବନ ବଞ୍ଚିବାକୁ ଏବେକାର ମଣିଷଙ୍କ ପ୍ରଥମ ପସନ୍ଦ।ଆମେ ନୁହେଁ ମୁଁ ଧ୍ୱନି ସର୍ବତ ଝଙ୍କୃତ।ମୁଁ ଭଲରେ ରହିବି,ଖାଇବି,ପିନ୍ଧିବି।ମୋ ପିଲା ଭଲ ସ୍କୁଲରେ ପଢିବେ।ମୁଁ ଛଡା ଆଉ ଆମେର ପ୍ରଶ୍ନ ହିଁ ଉଠେନି।


     ଏବେ ବୁଢା ବୁଢ଼ୀ ବୋଝ।ପଇସା ଦେବାକୁ ପ୍ରସ୍ତୁତ,କିନ୍ତୁ ସେବା,ଶ୍ରମ,ଯତ୍ନ କି ଭଲ ପାଇବା ଦେଇ ହେଉନି।ଧ୍ୱଂସ ସାମାଜିକତା,ସଂସ୍କାର।ବିପର୍ଯ୍ୟସ୍ତ ଜୀବନ ଓ ଜୀଇଁବା।ସଂକୀର୍ଣ୍ଣ ସ୍ୱାର୍ଥ ମଣିଷ ଠାରୁ ମଣିଷ ପଣିଆଁ ଛଡେଇ ନେଇଛି।ଏବେ ସମ୍ପର୍କର ସଂଜ୍ଞା ଭିନ୍ନ।ଅନ୍ତଃସାର ଶୁନ୍ୟ ସମ୍ପର୍କ।ସେ କାଳ ପଖାଳ ନାଇଁ ରେ ଧନ।ନାହିଁ ସେଦିନର ସଂପର୍କ ର ମିଠା ମିଠା ଦରଜ।


    ଆଉ କଣ କଣ ହେଉଥିଲା ତୁମ ପରିବାରରେ ??ପଚାରିଲା କ୍ରିସ୍। ଏଇଥର ଛୁଟିରେ ତୋତେ ଗାଁକୁ ନେଇଯିବି।ଆଗ ପରି ନଥିଲେ ବି କିଛି ପରିମାଣରେ ତୋ ବଡ଼ ବାବା ଓ ତାଙ୍କ ପିଲା ମାନେ କେମିତି ମିଶି ମାଶି ରହିଛନ୍ତି , ତୁ ନିଜେ ଦେଖିବୁ।ଯା ଗେଷ୍ଟ ରୁମ ସୋଫଟା ଖାଲି ଅଛି ସେଇଟି ଶୋଇ ପଡ଼ିବୁ।ମୁଁ ଯାଏ ଏଣେ ତେଣେ ପଡ଼ିଥିବା ଜିନିଷ ସଜାଡି ଦିଏ କିଛି।

   

  ଝିଅ ବାହାଘର କାମ କରୁ କରୁ କେତେବେଳେ ଡାଇନିଂ କାନ୍ଥ କୁ ଆଉଜି ଘୁମେଇଁ ପଡ଼ିଥିଲି ମୁଁ ମାନେ କଲ୍ୟାଣୀ ଦେବୀ।ଆଲାରାମ୍ ଶବ୍ଦରେ ଧଡ଼ ପଡ଼ ହୋଇ ଉଠି ପଡିଲେ କଲ୍ୟାଣୀ ଦେବୀ।ଆଜି ତାଙ୍କ ଝିଅ ବାହା ଘର।ଭୁବନେଶ୍ୱର ଶହୀଦ ନଗର ଘରେ ତାଙ୍କର ବନ୍ଧୁ ବାନ୍ଧବ ଠେଲା ପେଲା। ଘର ଦ୍ୱାର ଓଳାଉ ଓଳାଉ କଲ୍ୟାଣୀ ଦେବୀ ଖୋଜିଲେ କ୍ରିସ୍ କୁ।କାଇଁ ସୋଫା ଉପରେ ଶୋଇନି ତ!!ଦେଖିଲେ କ୍ରିସ୍ ତାଙ୍କ ଆଠ ବର୍ଷର ସବା ସାନ ପୁଅ ତା ରୁମ୍ ରେ ଭାଇ ଭଉଣୀଙ୍କ ଉପରେ ଗୋଡ଼ ହାତ ନଦି ଶୋଇ ପଡିଛି ଶାନ୍ତିରେ।

    

ଟିକେ ହସି ଦେଇ ଡୋର୍ ଆଉଜାଇ ଆଣିଲେ କଲ୍ୟାଣୀ ଦେବୀ।


    

    


Rate this content
Log in