STORYMIRROR

Arjuni charan Behera

Others

4  

Arjuni charan Behera

Others

ସେ ବ୍ରଜ ନାରୀଙ୍କ ପୟରେ

ସେ ବ୍ରଜ ନାରୀଙ୍କ ପୟରେ

4 mins
286

 ଦ୍ଵାପର ଯୁଗର କଥା l ଏକଦା ଦ୍ୱାରାବତୀ ପୁରରେ ଗୋଟିଏ ଅନ୍ତରଙ୍ଗ ଆଳାପରେ ପ୍ରଭୁ ଦ୍ୱାରକାଧୀଶଙ୍କୁ ଅଷ୍ଟପାଟବଂଶୀ ପଚାରିଲେ,'ପ୍ରଭୁ ଆପଣ ତ ଗୋପ ପୁର ଛାଡ଼ି ମଥୁରା ଆସିଲେ,ପୁଣି କଂସନିଧନ ପରେ ସେଠାରୁ ଆସି ଏଠାରେ ମନୋରମ ଦ୍ୱାରିକା ନଗର ନିର୍ମାଣ କଲେ l ଆମ୍ଭମାନଙ୍କୁ ବିବାହ କରି ଆପଣଙ୍କ ଚରଣଦାସୀ ହେବାର ସୌଭାଗ୍ୟ ଦେଲେ l ହେଲେ  ଆଶ୍ଚର୍ଯ୍ୟର କଥା,ଆମ୍ଭମାନଙ୍କ ମଧ୍ୟରୁ କାହାରି ଜଣକ ନାମ ସହିତ ଆପଣଙ୍କ ନାମ ଯୁକ୍ରହୋଇ ପାରିନାହିଁ l ମାତ୍ର ଗୋପ ଗୋପାଳୁଣୀମାନଙ୍କ ପାଇଁ ଆପଣ ନାମ ରଖିଲେ ଗୋପୀବଲ୍ଲଭ ଗୋପୀନାଥ ଗୋପୀଜୀବନ ଆଦି କେତେ କେତେ ନାମ l ପୁଣି ପରକୀୟା ପ୍ରୀତି କରି ରାଧା ରାଣୀଙ୍କ ନାମ ଆପଣଙ୍କ ନାମ ଆଗରେ ଯୋଗ କରି ବୋଲାଉଛନ୍ତି ରାଧାକାନ୍ତ, ରାଧା ରମଣ ରାଧିକା ଜୀବନ ଇତ୍ୟାଦି l କାହିଁକି ଏପରି ହେଲା !! ଆମ୍ଭର କ'ଣ କିଛି ଭୁଲ ରହିଗଲା କି? ଆମେମାନେ ଆପଣଙ୍କ ସେବାରେ କିଛି ତ୍ରୁଟି କଲୁ କି ! ଦୟାକରି ଆମର ଏହି ସଂଶୟ ଦୂର କରନ୍ତୁ"l ପ୍ରଭୁ ଦେଖିଲେ ଆରେ ଇଏତ ବଡ଼ କଠିନପ୍ରଶ୍ନ l କିଛିସମୟ ନିରବ ରହି ଶ୍ରୀକୃଷ୍ଣ କହିଲେ, "ଆଚ୍ଛା ହେଉ ! ତୁମ୍ଭମାନଙ୍କ ମନରେ ଏ ଯେଉଁ ସଂଶୟ ଉଠିଛି ଅଚିରେ ତାହାକୁ ମୁଁ ସମାଧାନ କରିବି l”

କିଛିଦିନ ବିତିଗଲା, ପ୍ରଭୁଙ୍କ ମନରେ ଥାଏ ଏକଥା l ସମାଧାନପାଇଁ ପ୍ରଭୁ ଗୋଟିଏ ମାୟା ରଚନାକଲେ l ଦିନେ ସେ ପ୍ରବଳ ଜ୍ୱରରେ ପଡ଼ି ଗଲେ ଓ ଅନେକ ଚେଷ୍ଟାସତ୍ତ୍ୱେ ଅସୁସ୍ଥତାର କୌଣସି ଉପଶମ ହେଲା ନାହିଁ l ଶେଷରେ ପ୍ରଭୁ ଉଦ୍ଧବଙ୍କୁ ଡାକି ଏହା କିପରି ଉପଶମ ହେବ, ପଚାରିଲେ l ଉଦ୍ଧବ ତ ପ୍ରଭୁଙ୍କର ମରମ ଜାଣିଥିବା ପରମଭକ୍ତ, ସେ କହିଲେ, ପ୍ରଭୁ !  ଏହାର ଗୋଟିଏ ମାତ୍ର ନିଦାନ ଅଛି l ନାରୀମାନଙ୍କ ପାଦ ଧୂଳି ଯଦି ଆପଣଙ୍କ ମସ୍ତକରେ ଲେପନ କରା ଯାଏ, ତେବେ ଯାଇ ଏହା ଉପଶମ ହୋଇପାରିବ l ସେ ପୁଣି ଅଷ୍ଟ ପାଟବଂଶୀଙ୍କୁ ଡାକି କହିଲେ, ତୁମ୍ଭେ ମାନେ ତୁରନ୍ତ ଏହି ବ୍ୟବସ୍ଥାକର l ଅଷ୍ଟ ପାଟବଂଶୀ ଚିନ୍ତାରେ ପଡ଼ିଗଲେ l ଅତି ଆଶ୍ଚର୍ଯ୍ୟହୋଇ ପରସ୍ପର ଭିତରେ ସେମାନେ ଚାହାଁଚାହିଁ ହେଉଥାନ୍ତି, କୌଣସି ନିଷ୍ପତ୍ତିରେ ପହଞ୍ଚି ପାରୁ ନ ଥାନ୍ତି l ଆଲୋଚନା କରି କହୁଥାନ୍ତି, "ଆମେ କିପରି ଏ ଅଧର୍ମ କରିବୁ ? ସ୍ବାମୀ ଆମର ଇହକାଳ ପରକାଳର ଦେବତା,ତାଙ୍କୁ ପୁଣି ଦେବୁ ପାଦଧୂଳି !! ଅସମ୍ଭବ !! ଭକ୍ତ ଉଦ୍ଧବଙ୍କୁ ସ୍ପଷ୍ଟଭାବେ ଏ କଥା ଜଣାଇ ଦେଲେ ସେମାନେ l ନିରୁପାୟ ଉଦ୍ଧବଙ୍କୁ ଦେଖି ଶ୍ରୀକୃଷ୍ଣ କହିଲେ, 'ହଉ ! ତୁମେ ଗୋଟିଏ କାମ କର l ଟିକିଏ କଷ୍ଟ କରିବାକୁ ହେବ l ତୁମେ ଗୋପପୁର ଯାଅ ଓ ଗୋପୀ ମାନଙ୍କୁ ଏକଥା ଜଣାଅ l ମୋର ବିଶ୍ୱାସ, ସେମାନେ ନିଶ୍ଚୟ ରାଜି ହେବେ l ଅବିଳମ୍ବେ ତୁମେ ବ୍ରଜ ପୁରକୁ ଗମନ କର ଏଵଂ ସେମାନେ କଅଣ କହୁଛନ୍ତି ଫେରି ଆସି ମୋତେ ଜଣାଅ l' 

ଉଦ୍ଧବ ଚାଲିଲେ,ଗୋକୁଳ l ସେଠାରେ ପହଞ୍ଚି ସେ ଗୋପୀମାନଙ୍କୁ ସମସ୍ତ ବୃତ୍ତାନ୍ତ କହିଲେ l ପାଦଧୂଳି କଥା କହିବାକୁ ଟିକିଏ ତାଙ୍କୁ ସଙ୍କୋଚ ଲାଗୁଥାଏ l କିନ୍ତୁ ଉପାୟ କଅଣ l ସେ ବାଧ୍ୟହେଲେ କହିବାକୁ l ଶୁଣିବା ମାତ୍ରକେ ଗୋପୀମାନେ ଏକ ସ୍ଵରରେ କହି ଉଠିଲେ,"ଏଇନିଅ ଆମ ପାଦଧୂଳି l ଆମ କାହ୍ନାର ମୁଣ୍ଡସାରା ବୋଳି ଦେବ ଓ କହିବ ଆମ୍ଭ ମାନଙ୍କ ଆୟୁଷ ତାକୁ ପ୍ରାପ୍ତହେଉ "l

     ଆମ୍ଭ ଆୟୁଷ ତୋତେ ହେଉ l

     ତୋ ଦେହ ଚିର କାଳ ରହୁ ll

ଉଦ୍ଧବ ଆଶ୍ଚର୍ଯ୍ୟ ! ଧନ୍ୟ ଏ ବ୍ରଜାଙ୍ଗନା ଗଣ ! ଧନ୍ୟ ଏହାଙ୍କ ଜୀବନ ! ଧନ୍ୟ ଏହାଙ୍କ ଅତ୍ମୀୟତା ! ଧନ୍ୟ ଏହାଙ୍କ ପ୍ରଭୁଙ୍କ ସହ ଏକାତ୍ମତା ! ଆଉ କାଳ ବିଳମ୍ବ ନ କରି ଉଦ୍ଧବ ଗୋପୀଙ୍କ ପାଦ ଧୂଳିକୁ ଗାମୁଛାରେ ବାନ୍ଧି ମୁଣ୍ଡେଇ ପ୍ରତ୍ୟାବର୍ତ୍ତନ କଲେ ଦ୍ବାରିକା l 

ଉଦ୍ଧବ ପହଞ୍ଚିବା କ୍ଷଣି ଭଗବାନ ସେହି ପାଦଧୂଳିକୁ ଅତ୍ୟନ୍ତ ଭାବାବେଗ ଓ ଶ୍ରଦ୍ଧାର ସହ ଗ୍ରହଣ କଲେ ଓ ନିଜ ଶିରରେ ସିଞ୍ଚି ଦେଲେ l ତୁରନ୍ତ ପ୍ରଭୁଙ୍କ ଜ୍ୱର ଛାଡ଼ିଗଲା l ଏହାକୁ କାଷ୍ଠପିତୁଳୀ ପ୍ରାୟ ଠିଆହୋଇ ଦେଖୁ ଥିଲେ ଅଷ୍ଟ ପାଟବଂଶୀ ଓ ଭକ୍ତ ଉଦ୍ଧବ l

ଅଷ୍ଟ ପାଟବଂଶୀ ତାଙ୍କ ଉତ୍ତର ପାଇଗଲେ l ପରମ ଭକ୍ତ ଉଦ୍ଧବ କଳନା କରୁଥିଲେ, ଭଗବତ ପ୍ରେମ ଓ ଭକ୍ତିର ସେହି ଗଭୀରତାକୁ l 

ଭକ୍ତ ଓ ଭଗବାନଙ୍କ ମଧ୍ୟରେ କିଛି ସଂଶୟ ଅବିଶ୍ୱାସ ଦ୍ୱିଧା କୁଣ୍ଠା କିମ୍ବା ବିକାରର ପ୍ରଶ୍ନନାହିଁ l ଏହି ଭାବହିଁ ଥିଲା ଗୋପୀମାନଙ୍କ ଠାରେ l ତାହା ଥିଲା ଅନାବିଳ ପ୍ରେମ, ନିର୍ମଳ ଗୋପୀଭାବ ଏଵଂ ସମ୍ପୂର୍ଣ୍ଣ ସମର୍ପଣ l  ଭାବ ନ ଥିଲେ ଭଗବାନ ନାହାଁନ୍ତି l ଏଣୁ ଗୋସ୍ୱାମୀ ତୁଳସୀଦାସ ଶ୍ରୀରାମ ଚରିତ ମାନସରେ କହିଲେ :-

  କମଠ ପୀଠ ବରୁ ଜାମହି ବାରା l

   ବନ୍ଧ୍ୟା ସୂତ ବରୁ କାହାହୁ ମାରା ll

  ଫୁଲଇ ନଭ ବରୁ ବହୁବିଧ ଫୁଲା l

 ଜୀବ ନ ଲହ ସୁଖ ହରିପ୍ରତିକୂଲା ll

ଅର୍ଥାତ୍ କଇଁଛ ପୃଷ୍ଠରେ କେଶ ଜାତ ହେବା l ବନ୍ଧ୍ୟା ନାରୀ ଠାରୁ ବଳଵାନ ପୁତ୍ର ଜାତହେବା l ଶୂନ୍ୟରେ ନାନାବିଧ ଫୁଲ ଫୁଟିବା ଆଦି ସମ୍ଭବ ହୋଇ ପାରେ l କିନ୍ତୁ ହରି ଭଜନ ବିନା ହରି ପ୍ରେମ ବିନା କେହି ସୁଖ ଲାଭ ବା ହରି ଲାଭ କରିବା ସମ୍ପୂର୍ଣ୍ଣ ଅସମ୍ଭବ l ପ୍ରଭୁ ହେଉଛନ୍ତି ଭାବକୁ ନିକଟ ଅଭାବକୁ ଦୂର, ସେ ଭକ୍ତ ବତ୍ସଳ ଭାବଗ୍ରାହୀ l ଏହିଭାବ ମଧ୍ୟ ବିଭୁକୃପା ବିନା ଅସମ୍ଭବ l 

ଭାବରେ ଶ୍ରୀବତ୍ସବ୍ରାହ୍ମଣ ପଦାଘାତକୁ ପ୍ରଭୁ ବକ୍ଷରେ ବହନ କରନ୍ତି l ଭାବରେ, ଦରିଦ୍ର ସୁଦାମାକୁ କୋଳ କରି ନିରନ୍ତି l ଭାବରେ ସେ ପାଞ୍ଚାଳୀଙ୍କୁ କୋଟିବସ୍ତ୍ର ଯୋଗାଇ ଦିଅନ୍ତି l ବିଦୁର ଘରେ ଶାକାନ୍ନ ଭୋଜନ କରନ୍ତି ପରମ ପ୍ରେମରେ l ଶବରୀର ଅଇଁଠା କୋଳି ଭକ୍ଷଣ କରନ୍ତି ପରମ ତୃପ୍ତିରେ l

ପ୍ରଭୁଙ୍କୁ ମଣିଷ ବା କଅଣ ଦେଇ ପାରିବ? ସବୁ ପରା ତାଙ୍କରି ଦାନ l ନିଜର ଦାନକୁ କ'ଣ ଗ୍ରହଣ କରନ୍ତେ ସେ l ସେ ଯାହା ଗ୍ରହଣ କରନ୍ତି ତାହା ହେଲା ଭାବ l  

ଏଣୁ ଭକ୍ତକବି ଦୀନକୃଷ୍ଣ ଦାସ ଗୋପୀ ଭାବକୁ ଲକ୍ଷ କରି କହିଲେ :-  

  କଲେ ବେଦପତି ନାନା ରୂପେ ସ୍ତୁତି 

         ବିମୁଖ ଯେ ଶୁଣିବାକୁ l

 କର୍ଣ୍ଣ ଡ଼େରି ଥାନ୍ତି ବରଜ ଯୁବତୀ 

         କରତାଙ୍କ ଡାକିବାକୁ ll

ପୁଣି ଶ୍ରୀମଦ୍ ଭାଗବତ ମହାପୁରାଣ କହିଲେ :-

    ଗାଳି ଶୁଣଇ ଗୋପୀ ମୁଖେ l

  ବେଦ ନଶୁଣେ ତେତେ ସୁଖେ ll 

ବ୍ରଜନାରୀ ମାନଙ୍କ ଭଗବାନ ଶ୍ରୀକୃଷ୍ଣଙ୍କୁ ପାଦରେଣୁ ପ୍ରଦାନ ପ୍ରସଙ୍ଗକୁ ଅତି ଚମତ୍କାର ଭାବେ ବର୍ଣ୍ଣନା କରି ମହର୍ଷି ବ୍ୟାସଦେବ ଶ୍ରୀମଦ୍ଭାଗବତ ଦଶମସ୍କନ୍ଧ ଷଡ଼ ଚାଳିଶ ଅଧ୍ୟାୟ ଷଷ୍ଠ ଶ୍ଳୋକରେ କହିଲେ :-

      ବନ୍ଦେ ନନ୍ଦ ବ୍ରଜସ୍ତ୍ରୀଣାମ୍ 

      ପାଦରେଣୁ ମତ୍ତୀକ୍ଷ୍ମଣଃ l

      ଯାସାଂ ହରିକଥୋହଗୀତଂ 

         ପୁନାତି ଭୁବନ ତ୍ରୟମ୍ ll

ବ୍ରଜନାରୀ ମାନେ ଭଗଵାନଙ୍କୁ ବାନ୍ଧି ଥିଲେ ଭାବରେ l ଏଣୁ ସେମାନେ ନିର୍ବିକାର ଚିତ୍ତରେ ଭଗବାନଙ୍କୁ ପାଦ ଧୂଳି ବାଢ଼ି ଦେଇଥିଲେ l ବୈଷ୍ଣବ ଭକ୍ତ ଗଣ ଗୋପୀ ଭାବକୁ ହୃଦରେ ଧରି ତେଣୁ ଗାଇଥାନ୍ତି:-

     ସେ ବ୍ରଜନାରୀଙ୍କ ପୟରେ l

     ମନ ମୋ ଥାଉ ନିରନ୍ତରେ ll

 


Rate this content
Log in