Satyabati Swain

Others

3  

Satyabati Swain

Others

*ସବୁଜ ସମ୍ମୋହନ*

*ସବୁଜ ସମ୍ମୋହନ*

5 mins
473



ଦିନ ଆକାଶରେ ତାରା କାଇଁ ଯେ ;ତୁ ଗଣୁଛୁ!!ଏମିତି କେତେ ଦିନ ଚାଲିବ ଆଁ!!ଆରେ ଶୁଭୁଛି ମୋ କଥା ନା ନାଇଁ?ହେ ଅଦ୍ଭୁତ ଜୀଵ 'ଅସ୍ମୟ' ତୋତେ ଆଉ ପାରି ହେବନି।ଛାଡ଼ ନା ଏସବୁ।ଚାଲ ସାଙ୍ଗ ଟିକେ ପାର୍କ ଆଡେ ବୁଲିଆସିବା।କୋଣକୁ ପଡିଥିବା ସିମେଣ୍ଟ ବେଞ୍ଚ୍ ଉପରେ କିଛି ସମୟ ବସିବା।ଝାଲ୍ ମୁଢି ଗୋଟେ ଗୋଟେ ପାଟିକୁ ପକାଇବା।ବହୁଦିନ ହେବ କଫି ସପ୍ ଆଡେ ଯାଇନେ।ଜନତା ମୈଦାନରେ ମେଳା ପଡିଛି।ବୁଲିବା ନା ଅସ୍ମୟ।

   ଯେତେ କହିଲେ ବି ଅସ୍ମୟର କିଛି ପ୍ରତିକ୍ରିୟା ନାହିଁ।ସେ ତା ରାଜ୍ୟରେ ନିଖୋଜ ସବୁବେଳେ।ରୀତିମତ ସବୁ ବସ୍ ଷ୍ଟପେଜ ବୁଲୁଛି।ଅଫିସ ବି ଡେରିରେ ଆସୁଛି।ଗାଳି ବି ଖାଉଛି।ଖାଇବା ପିଇବାରେ ଅନିୟମିତତା ଦେଖା ଦେଲାଣି।ଆରେ ସାଙ୍ଗ ତୋର କଣ ହୋଇଛି ତ କହ।ଅତି କଷ୍ଟରେ ଅସ୍ମୟ ଦିନେ କହିଲା" ନିଖିଳ୍ ମୁଁ ଦି ଟା ଆଖି ଖୋଜୁଛି।"

   ଦି ଟା ଆଖି!!!କିଏ ମଣିଷ ଖୋଜେ ତୁ ଆଖି ଖୋଜୁଛୁ ଅସ୍ମୟ!!!ତୋ ମୁଣ୍ଡ ଫୁଣ୍ଡ ଖରାପ ହୋଇଗଲାଣି ନା କଣ??କହିଲା ନିଖିଳ୍।ହୋ ହୋ ହୋଇ ହସିଲେ ଅନ୍ୟ ସମସ୍ତ ବନ୍ଧୁ।ମେଘା କିନ୍ତୁ ଖୁବ ଚୁପ୍ ଦେଖା ଗଲା।

   ମୁଁ ଜାଣିଥିଲି କହିଲେ ତୁମେ ସମସ୍ତେ ଏମିତି କଥା ଟା ହସରେ ଉଡାଇ ଦେବ ।ସେଥିପାଇଁ ନିରବ ଥିଲି।ସତ ଟା କହିଲାରୁ ତୁମକୁ ଏବେ ଅଦ୍ଭୁତ ଲାଗୁଛି।

   ଜାଣିଛୁ ନିଖିଳ୍ ସେଦିନ ବରମୁଣ୍ଡା ଷ୍ଟପେଜରେ ଯେଉଁଦିନ ତୁ ଆସିବୁ କହି ବର୍ଷା ଯୋଗୁଁ ଆସି ନଥିଲୁ;ସେଦିନ ତୋତେ ଅପେକ୍ଷା କରି କରି ବୋର୍ ହେଉଥିଲି।ବି ଏସ୍ ଏନ୍ ଏଲ୍ ଟାୱାର୍ ପୋଡି ଯାଇଥିବାରୁ ତୋର ଫୋନ୍ ବି ଲାଗୁ ନଥିଲା।ଠିକ୍ ସେଇ ବିରକ୍ତ ହେଉଥିବା ସମୟରେ ବର୍ଷା ପୁଣି ସୋମବାରିଆ ପ୍ରବଳ ଭିଡ଼ ଭିତରେ ଚକ୍ କରି ଦେଖା ଗଲା ଦୁଇଟି ଆଖି।ସର୍ବାଙ୍ଗ ଘୋଡ଼ି ହୋଇ ମାଓବାଦୀ ପରି ଦେଖା ଯାଉଥିବା ଝିଅଟିଏ ସାଇଁ କରି ହୋଣ୍ଡା ଚଳାଇ ଚାଲିଗଲା।ତା ଆଖି ସାଧାରଣ ଆଖି ନଥିଲା।ପୁରା ଚକ୍ ମକ୍ ସବୁଜ।ଯେମିତି ଅନ୍ଧାର ରାତିରେ ରେଡିୟମ୍ ଦିଶେ।ଖୁବ୍ ଢଳ ଢଳ।ମୁଁ ଗାଡି ଉପରେ ଭରା ଦେଇ ଛିଡା ହୋଇଥିଲି।ସେ ଗଲା ବେଳେ ତା ଗାଡି ଆଗ ଚକ ମୋ ଗୋଡ଼ରେ ବାଜି ଗଲା।ଅନ୍ୟ ମନସ୍କ ଥିଲି।ଭାରସାମ୍ୟ ରଖି ନପାରି ମୁଁ ନାଥୁ କରି ତଳେ ପଡି ଗଲି।ସେ ଝିଅଟି ସଡ଼ନ୍ ବ୍ରେକ୍ ମାରି ସରି କହି ମୋ ହାତ ଧରି ତଳୁ ଉଠାଇଲା।

   ଇଚ୍ଛା ହେଉଥିଲା ଦି ଚାରି ପଦ କହି ଦେବାକୁ।ମାତ୍ର ତା ଆଖି ଦୁଇଟିକୁ ଚାହିଁ ଦେଲା କ୍ଷଣି ମୋ ପାଟି ଆପେ ଅଠା ହୋଇଗଲା।ମୁଁ ମୁଗ୍ଧ ନୟନରେ ସେ ଆଖିରେ ହଜିବା ଆଗରୁ ସେ ଗାଏବ୍ ହୋଇଗଲା।କିନ୍ତୁ କି ଚାର୍ଜ କରିଦେଇ ଗଲା ଯେ ମୋର ମତି ଗତି କେବଳ ଆଖି ମୟ ହୋଇଗଲେ।କେବଳ ଇଛାଟିଏ ରଖିଛି ଆଉ ଥରେ ମାତ୍ର ସେ ଆଖି ଦେଖିବାକୁ।ନିଖିଳ୍ ମୁଁ ଏକା କାହିଁକି ଯେ କେହି ସେ ଆଖିରେ ହଜିବା ନିଶ୍ଚିନ୍ତ।ତୁ ଥରେ ସେ ଆଖି ନ ଦେଖିଲେ ବିଶ୍ୱାସ କରି ପାରୁବୁ ନାହିଁ ସେ ଆଖିର ସମ୍ମୋହନ।

   ନିଖିଳ୍ ବଲ ବଲ କରି ଅସ୍ମୟ ମୁହଁକୁ ଅନାଇଁଲା।ପାଞ୍ଚ ବର୍ଷ ହେଲା ସାଙ୍ଗ ହେଲେଣି ସେମାନେ।କୌଣସି ଝିଅକୁ ନେଇ ଅସ୍ମୟ ଏତେଟା ଇମୋସନାଲ୍ ହେବା ନିଖିଳ୍ ଜାଣିନି କେବେ।ସ୍ପଷ୍ଟବାଦୀ।ଅନ୍ୟାୟର ପ୍ରତିବାଦ କରେ।ଡରେନି କାହାକୁ ଅସ୍ମୟ।ଅସ୍ମୟ ଜଣେ ହ୍ୟାଣ୍ଡସମ୍ ପ୍ରତିଭାବାନ୍ ବିସ୍ମୟ ଯୁବକ।ସବୁ ଦୃଷ୍ଟିରୁ ସବୁ ଝିଅଙ୍କ ଆଗ ପସନ୍ଦର ବ୍ୟାଚଳର୍।ଅସ୍ମୟ କିନ୍ତୁ ଝିଅ ପିଲାଙ୍କ ପଛେ ପଡିବା କି ପ୍ରଗଲଭ୍ ହୋଇ ଏମିତି ପାଗଳ ପରି ଖୋଜିବା ବୋଧେ ପ୍ରଥମ।ନିଖିଳ୍ ଚକିତ ହେଲା।ଆଜିକାଲି ତ ବିଭିନ୍ନ ରୋଗ ବାହାରିଲାଣି।ଅସ୍ମୟ ଆଉ ସେମିତି କିଛି ରୋଗରେ ପୀଡିତ ନୁହେଁ ତ...

   ମେଘା ଅସ୍ମୟକୁ ଭଲ ପାଏ। ଦୁହେଁ ଏକା ଅଫିସରେ କାମ କରନ୍ତି।ମେଘାର ସର୍ଭିସ ରେଗୁଲାର ହୋଇଗଲେ ଅସ୍ମୟକୁ ତା ମନ କଥା ଖୋଲି କହିବ ବୋଲି ଅପେକ୍ଷା।ତାର ଏପରି ପାଗଳାମି ଦେଖି ମେଘା ଭୟଭୀତ ଅସ୍ମୟ ସେ ସବୁଜ ରଙ୍ଗିଆ ଆଖି ଝିଅକୁ ଆଉ ଭଲ ପାଉ ନାହିଁ ତ!!!ନିଖିଳ୍ ଭୟ କରୁଛି ତା ପ୍ରିୟ ବନ୍ଧୁ ଅସ୍ମୟ ପାଗଳ ହୋଇ ଯିବନି ତ....ମେଘା ଭୟ ଅସ୍ମୟ ପରି ଜଣେ ପ୍ରତିଭାବାନ ଅମାୟିକ ବନ୍ଧୁ ହାତଛଡା ହୋଇଯିବନି ତ!। ମେଘା ମନଟିକୁ ଢାଳି ଦେଇଛି ଅସ୍ମୟ ପାଖେ।ଏଇ ଭଲ ପାଇବା ଟା ସବୁବେଳେ ସନ୍ଦେହ କରେ କାହିଁକି?କାହିଁକି ସହି ପାରେନି ତା ପ୍ରିୟ ମଣିଷ ତା ଆଗରେ ଆଉ କାହାକୁ ଭଲ ପାଉ!!!ମେଘା ଯଦିଓ ମୁହଁ ଖୋଲି କହିନି;କିନ୍ତୁ ତା ହାଵଭାଵ କହିଦିଏ ଅସ୍ମୟକୁ ସେ ଯଥେଷ୍ଟ ଭଲପାଏ।ଅସ୍ମୟର ଏପରି ବିଚିତ୍ର ଚିନ୍ତା ମେଘା ଓ ନିଖିଳ୍ ତଥା ଅନ୍ୟ ବନ୍ଧୁଙ୍କୁ ଗୋଟେ ମୋଡ଼ରେ ନେଇ ଠିଆ କଲା।ଅସ୍ମୟ ଦିନକୁ ଦିନ ଅଦ୍ଭୁତ ବ୍ୟବହାର କରୁଛି।ସକାଳ ସନ୍ଧ୍ୟାରେ ସବୁ ବସ୍ ଷ୍ଟପେଜ ବୁଲୁଛି,ହୁଏତ ଦ୍ଵିତୀୟବାର କାଳେ ସେ ଝିଅଟି ଦେଖା ପାଇଯିବ।

   ବହୁତ ବୁଝାଇଲା ପରେ ଆସୁକୁ ଡାକ୍ତରଙ୍କ ପାଖକୁ ନେଲେ।ଡାକ୍ତର କହିଲେ କି ଅସ୍ମୟର ମୁଣ୍ଡ ଭିତରେ କିଛି ଅତ୍ୟଧିକ ପ୍ରଭାବ ପକାଇଛି।ସେ ଅଟକି ଯାଇଛନ୍ତି କୌଣସି ଏକ ଘଟଣାକୁ ନେଇ।ଏଥି ମଧ୍ୟରୁ ବାହାରିବା ପାଇଁ ଅନେକ ସମୟ ଲାଗିପାରେ।ତେବେ ସେ ଯେ ପାଗଳ ଭାବିବା ଅନୁଚିତ।ବରଂ ସେ ଯେଉଁ କଥା କହୁଛନ୍ତି ତାକୁ ମାନି ନେଇ ପୂର୍ଣ୍ଣପ୍ରାଣରେ ତାଙ୍କୁ ସାହାଯ୍ୟ କରିବା ଉଚିତ।ହୁଏତ ତାଙ୍କ କଥା ଅମୂଳକ ନୁହେଁ, ତାଙ୍କ କଥା ସତ୍ୟ ଏଇଟା ମାଣିନେବା ଭଲ।ପଜିଟିଭିନେସ୍ ହୁଏତ ବଦଳାଇ ଦେଇ ପାରେ ତାଙ୍କୁ।ବିଶେଷକରି ତାଙ୍କୁ ଏକୁଟିଆ ରହିବାକୁ ବା କିଛି କାମ ନ କରି ବସିବାକୁ ଦିଅନ୍ତୁ ନାହିଁ।ସବୁବେଳେ ସାଙ୍ଗ ସାଥୀ ଗହଣରେ ତାଙ୍କୁ ରଖନ୍ତୁ।କାମ ପ୍ରେସର ଦିଅନ୍ତୁ।ଯେପରି ଫାଙ୍କା ସମୟ ସେ ଆଦୌ ନ ପାଆନ୍ତି।

    ମେଘା,ନିକି,ବବ୍,ଠୁଲୁ , ସନି ଓ ଆଦି ସଭିଏଁ ଡାକ୍ତରଙ୍କ କଥା ଅନୁଯାୟୀ ଅସ୍ମୟକୁ ଜଗିଲେ।ଯଥା ସମ୍ଭବ ତା ସହ ସମୟ ବିତେଇଲେ।ଅସ୍ମୟ କିନ୍ତୁ ଭୋରୁ ବାଇକି ନେଇ ସବୁ ଛକ ରେ ଘେରାଏ ବୁଲି ଆସେ।ବସରୁ ଓହ୍ଲାଇଉଥିବା ସବୁ ଝିଅଙ୍କୁ ଜଳ ଜଳ କରି ଅନାଇଁ ରୁହେ।କିଛି ଝିଅ ଅସ୍ମୟର ଏ ପ୍ରକାର ଚାହିଁବା ଦେଖି ଫିକ୍ କିନା ହସି ଦିଅନ୍ତି ତ ଆଉ କେହି ବାଜେ

,ଛତରା ଟା କହି ଛିପ ଲେଣ୍ଡେ ପକାନ୍ତି।ଏବେ ସନ୍ଧ୍ୟାରେ ଅସ୍ମୟ ସପିଙ୍ଗ ମଲୄ ,ହାଟ,ବାଟ ସବୁଠି ମାଓବାଦୀ ପରି ମୁହଁ ଘୋଡାଇ ଥିବା ଝିଅଙ୍କୁ ପିଛା କରେ।ଥରେ ଦି ଥର ଲୋକଙ୍କ ଠୁ ଏଇ ପିଛା କରିବା ନେଇ ମାଡ଼ ବି ଖାଇଲାଣି।କିନ୍ତୁ ଛାଡ଼ୁନି ଏଇ ଖୋଇ।ମେଘା କେତେ ବୁଝେଇଲାଣି।ନିଖିଳ୍ତା ସହ ଅସ୍ମୟ ଏକା ଫ୍ଲାଟରେ ରହେ।ସେ ବି ବୁଝେଇ ବୁଝେଇ ଥକିଲାଣି।

    ନିଖିଳ୍ କୁହେ ଦେଖ ସାଙ୍ଗ କାହିଁକି ସେ ଆଖି ପଛର ବାଇଆ ହେଉଛୁ।ତୋର ଏବେ ଏବେ ପ୍ରମୋସନ ହୋଇଛି।ସୁନ୍ଦର ଭବିଷ୍ୟତ ଟିଏ ତୋ ଅପେକ୍ଷାରେ।କଣ ମିଳୁଛି ଏପରି ଜୀବନରେ!!ମେଘା ନିଜ ଭିତର ସଙ୍କୁଚିତ ପୃଥିବୀରେ ଅତି ଅସହାୟ ମଣେ ନିଜକୁ।ସେ ଯାହାକୁ ଭଲ ପାଉଛି ସେ ବ୍ୟକ୍ତି ଆଖି ପ୍ରେମରେ ପାଗଳ।ନିଜ ଜୀବନ ଓ ପସନ୍ଦ ଉପରେ ଭରସା ତୁଟିଯାଏ ମେଘାର।ଅସ୍ମୟ ମେଘା ପାଖରେ ଥାଇ ତା ପ୍ରେମର ବାସ୍ନା, ଦେହର ଉଷ୍ମତାରେ ମତୁଆଲା ନ ହୋଇ ଖୋଜେ ଆଉ କାର ଆଖି।ଫାଟି ପଡେ ଅସହିଷ୍ଣୁତାରେ ମେଘା।କାନ୍ଦି ପକାଏ।ଅଭିମାନ କରେ।କିନ୍ତୁ ଅସ୍ମୟ ତ ଗୋଟେ ଚାବିଦିଆ କଣ୍ଢେଇ ପରି କାମ କରୁଛି।ମେଘାକୁ ବାଇକ ପଛରେ ବସାଇ ଆଖି ସନ୍ଧାନରେ ବ୍ରତୀ ହେଉଛି।ଆଖି କଥା କହିଲା ବେଳେ ଆସୁ ଏତେ ମାତ୍ରାରେ ଭାଵ ପ୍ରବଣ ହୋଇ ଯାଉଛି ଯେ କାନ୍ଦ କାନ୍ଦ ହୋଇ ଯାଉଛି।ମେଘା ନା ବାରଣ କରି ପାରୁଛି ନା ସହି ପାରୁଛି ସବୁଜ ରଙ୍ଗୀନ ଆଖିଥିବା ଝିଅଟିକୁ।

    ସମସ୍ତେ ଅତିଷ୍ଠ ଅସ୍ମୟର ଏପରି କାମକୁ।କିନ୍ତୁ ଡାକ୍ତର କହିଛନ୍ତି ଅସ୍ମୟକୁ ଆଘାତ ଦେଲା ପରି କିଛି ନ କହିବାକୁ।ଯେତେ ଖୁସି ରହିବ ଅସ୍ମୟ ସେତେ ଭଲ।କାରଣ ଆଘାତ ପାଇଲେ ବା ଦୁଃଖରେ ଭାଙ୍ଗି ପଡିଲେ ହୁଏତ ସେ ପାଗଳ ହୋଇ ଯାଇ ପାରନ୍ତି।ସେଥିପାଇଁ ସମସ୍ତେ ନିରବ ରୁହନ୍ତି ଯଦିଓ ଚିଡନ୍ତି ଭିତରେ ଅଧିକ।

    ଦିନେ ନିଖିଳ୍ ଓ ଅନ୍ୟ ସମସ୍ତ ବନ୍ଧୁ ପୋଗ୍ରାମ କଲେ ବାର୍ ଡ୍ୟାନ୍ସ ଦେଖିବାକୁ ଯିବାକୁ।ବହୁଦିନ ଧରି ବନ୍ଦ ହୋଇଥିବା ଦଶଟି ବାର୍ ଏବେ ଖୋଲିବାକୁ ଅନୁମତି ପାଇଛନ୍ତି।ରବିବାର ରାତିରେ ଆଜି ସବୁ ବନ୍ଧୁ ବାର୍ ଡ୍ୟାନ୍ସ ଗାର୍ଲ,ବ୍ଲୁ ଲାଇଟ୍ ଓ ଗୋଟିଏ ଗୋଟିଏ ପେଗ୍ ନିଶାରେ ଝୁମିବାକୁ ନିଷ୍ପତ୍ତି ନେଲେ।ସାଙ୍ଗରେ ନେଲେ ଅସ୍ମୟକୁ।ବାର୍ ଗାର୍ଲଙ୍କ ଅଙ୍ଗଭଙ୍ଗୀ ନଚା ଓ ପେଗ୍ ନିଶା ଧରିଗଲା ସବୁ ସାଙ୍ଗଙ୍କୁ;ଅସ୍ମୟକୁ ଛାଡି।କାରଣ ସେ ହ୍ବିସ୍କି ନ ନେଇ ନେଇଥିଲା କୋଲଡ୍ ଡ୍ରିଂକ୍ସ। ନାଚ ଶେଷରେ ଯେଉଁ ବାର୍ ଗାର୍ଲ ଡ୍ୟାନ୍ସ କରିବାକୁ ଆସିଲା ତାକୁ ଦେଖି ଅସ୍ମୟ ଷ୍ଟେଜ ଉପରକୁ ଯାଇ ଧରି ପକାଇଲା ତା ହାତ।ହଁ ଏଇ ଝିଅ।ତୁମକୁ ଦୀର୍ଘ ତିନି ମାସ ହେବ ପାଗଳ ପରି ଖୋଜୁଛି ମୁଁ।ହେ ନିଖିଳ୍ ଦେଖ୍ ମୁଁ ସତ କହୁଥିଲି ନା।ଏ ଝିଅ ଆଖି ଦେଖ୍ କେମିତି ରେଡିୟମ ପରି ଜଳୁଛି।ସବୁଜ କି ନୁହେଁ।ଡ୍ୟାନ୍ସ ବନ୍ଦ ହୋଇ ଯାଇଥିଲା।ଅସନ୍ତୁଷ୍ଟ ଦର୍ଶକ ଅସ୍ମୟ ଉପରେ ଥୋଉଥିଲେ ଉତ୍ତମ ମଧ୍ୟମ।ବାର୍ ମ୍ୟାନେଜର ପୋଲିସ ଡାକି ଧରେଇ ଦେଇଥିଲେ ଅସ୍ମୟକୁ ଅସଦାଚରଣ ଅଭିଯୋଗ କରି।ନିଖିଳ୍ ସମେତ ସବୁ ବନ୍ଧୁଙ୍କ ନିଶା ଖସି ଯାଇଥିଲା ଅସ୍ମୟ ଆରେଷ୍ଟ ହେବା ଧକ୍କାରେ।

    ତାପର ଦିନ ସବୁ ବନ୍ଧୁ ଓ ମେଘା ଅସ୍ମୟକୁ ଜେଲରୁ ମୁକାଳି ଆଣୁଥିଲେ।ଅସ୍ମୟର ସବୁଜ ଆଖିର ସମ୍ମୋହନୀ ମାୟା ଅପସରି ଯାଇଥିଲା।ସେ ତଳକୁ ମୁହଁ ପୋତି କହୁଥିଲା ସରି.....

  

    

   

   


Rate this content
Log in