Satyabati Swain

Others

3  

Satyabati Swain

Others

ସ୍ବପ୍ନ ରାଇଜରେ ଦିନେ

ସ୍ବପ୍ନ ରାଇଜରେ ଦିନେ

3 mins
590



ଅସହ୍ୟ ଗରମ ସାଙ୍ଗକୁ ଗୁଳି ଗୁଳି। ବେହାଲ କରି ଦେଲାଣି ଜୀବନ। ଦିନ ଦଶଟା ପରେ ଘରୁ ଗୋଡ଼ କାଢ଼ିବାକୁ ଜମାରୁ ମନ ହେଉନି। ବୋଉ ଯେତେ ବୁବୁକୁ କହୁଛି ଯା ବଜାରୁ ଟିକେ ଦହି ଆଣିବୁ ପଖାଳରେ ପକାଇ ଖାଇବା,ସେ ଉଙ୍କୁ ନାହିଁ କି ଚୁଙ୍କୁ ନାହିଁ। ବୁବୁ ପରିର ସାନ ଭାଇ। ପରି ବଡ ଝିଅ,ବୁବୁ ତଳେ କୋଡ଼ ପୋଛା ପୁଅ।ପୋଡି ଯାଉଛି ଲୋ ମା ଦେହ କହି ଡରୁଛି ପଦାକୁ ଯିବାକୁ। ସେଥିରେ ରାଜଧାନୀ ଗରମ ଟିକେ ସ୍ପେସାଲ, ଟିକେ ସ୍ମାର୍ଟ ବି।

          ଫନି ତା ସାଙ୍ଗରେ ବିଜୁଳିକୁ କିଡ୍ ନାପ୍ କରି ନେଉଯାଇଛି ଦଶ ଦିନ ହେଲା। ସମସ୍ତେ ପାଗଳ ପରି ଲାଗି ପଡିଛନ୍ତି ବିଜୁଳିକୁ ଆଣିବାକୁ। ବିଞ୍ଚଣା ବୁଲେଇ ବୁଲେଇ ହାତ ଘୋଳି ହେଉଛି। ପାଣି,ବିଜୁଳି ବିନା ଜୀବନ ଭାରି ଦୁର୍ବିସହ ଲାଗୁଛି। ଶୋଇ ହେଉନି କି ଠିକ୍ ରେ ଗାଧୋଇ ହେଉନି ଆଦୌ। ଦଶ ଦିନ ପରେ ବିଜୁଳି ଆସିଗଲା। ୟା ହୁ କହି ନାଚିଗଲା ପରି। ସମସ୍ତେ ଆଶ୍ୱସ୍ତ।ଯାହେଉ ଅନ୍ଧାରରେ ଚଳି ଚଳି ହଠାତ୍ ଆଲୁଅ ଦେଖି ଖୁସି ଗୁଡା ଉତୁରି ପଡୁଥିଲେ ଭାତ ହାଣ୍ଡି ପେଜ ପରି। ପରି +୩ ବିଜ୍ଞାନ ଶେଷ ବର୍ଷ ଛାତ୍ରୀ। ଆଜିକାଲି ନୂଆ ନୂଆ ପାଦ ଥାପିଛି ପ୍ରେମ ଦୁନିଆଁରେ। ଅମ୍ଳାନ ଓ ତାର ଏବେ ଖୁବ୍ ଜମୁଛି। ଜଣେ ଆର ଜଣଙ୍କୁ ନ ଦେଖିଲେ ବାଇଆ। ନୂଆ ନୂଆ ନା ବେଶୀ ଖୁସି କମ୍ ଡରର ଚାଦରଘୋଡ଼ି ହୋଇଛି ସେ । କିଏ କଣ କାଳେ ଭାବିବେ,ବାପା ବୋଉ ଜାଣିଦେବେ ଏଇ ଭୟରେ। ପରି ବେଳେବେଳେ ଭାବେ ଭଲ ନମ୍ବର କି କେଉଁ ପ୍ରତିଯୋଗିତାରେ ଟ୍ରଫି ଆଣି ଦେଲେ ବାପା ବୋଉ,ସମସ୍ତେ ଏତେ ଖୁସି ହୁଅନ୍ତି। ସେମିତି ଭଲ ଜୀବନ ସାଥିଟିଏ ବାଛିଲେ ସମସ୍ତେ ଖୁସି ପରିବର୍ତ୍ତେ ରାଗନ୍ତି,ମୁହଁ ଫୁଲାନ୍ତି କାଇଁକି ଯେ!!


       ଏତେ ଦିନ ଧରି ସେ ବିଜୁଳି ଯୋଗୁଁ ବେଶୀ କଥା ବାର୍ତ୍ତା ହୋଇ ପାରିନି ଅମ୍ଳାନ ସାଥେ ଫୋନ୍ ରେ ଚାର୍ଜ ନଥିବାରୁ। ବିଜୁଳି ଆସିବାରୁ ପରି ମନ ନାଚିଗଲା । ଯାହା ହେଉ ଆଜି ଏତେ ଦିନେ ମନ ଖୋଲି ଟିକେ କଥା ହେବ ଅମ୍ଳାନ ସାଙ୍ଗେ। ଶୀଘ୍ର ଖାଇ ଦେଇ ଫ୍ୟାନ୍ ଫୁଲ ସ୍ପୀଡ୍ ରେ ଦେଇ ଲେପଟେଇ ଗୋଡ଼ ଦିଟା ଆଣ୍ଠୁ ଉପରକୁ ହଲେଇ ହଲେଇ ଖୁବ୍ ଗପୁ ଗପୁ ଅମ୍ଳାନ ସାଙ୍ଗେ ଆଖି ଲାଗିଆସିଲା। କାହିଁକି ନା ବିନା ଫ୍ୟାନରେ ଶୋଇ ପାରିନି ଦଶ ଦିନ ଧରି ସେ। ନିଦ ମାଉସୀ କୋଳେଇ ନେଲା ପରିକି ଆଉଁସି ଚଟ୍ କିନା। ସ୍ବପ୍ନ ଆସି ପରି ଆଖିରେ ରଙ୍ଗ ମାଖୀ ଦେଲା। ନେଇଗଲା ସପନ ପୁରୀକୁ।


         ନିଦ ମାଉସୀର ସେହ୍ନ ଚୁମା ଓ ସ୍ୱପ୍ନ ଆଲିଙ୍ଗରେ ହଜି ଉଡ଼ିଗଲା କାହିଁ କୁଆଡେ ପରି। ଇସ୍! କି ମଜା। ଓହୋ ଓ ଓ; ଆରେ ସେ କଣ ଉଡୁଛି ତା ବେଡ଼ ସହ ରାବଣର ପୁଷ୍ପକ ବିମାନ ପରି। ଏହେ ଏ ଦେଖ୍ ଦେଖ୍ ତା ସୁଜ୍ କେମିତି ଶୂନ୍ୟେ ଶୁନ୍ୟେ ଉଡୁଛି!।ଏଣେ ଦେଖ ତା ବେଡ଼ ଲାଇଟ ଉଡୁଛି ବି ମୁଣ୍ଡ ହଲେଇ ହଲେଇ ଗୁଡି ପରି।ବେଡ଼ ସହ ଶୋଇ ଶୋଇ ସେ ଉଡି ଯାଉଛି ମେଘ ଯାଏ।ପହଞ୍ଚି ଯାଇଛି ସ୍ବପ୍ନର ସହରରେ ଅଦ୍ଭୁତ,ଚମତ୍କାର ସେ ସହରଟି। ପରି ପୃଥିବୀ ଠାରୁ ଅଲଗା।


    ସେଠି ଗଛ ଖାଲି ଗଛ। ଚାରିଆଡ ସବୁଜ ସବୁଜ। ଗଛ ଭିତରେ ଗୋଟି ଗୋଟିକା ଘର,ସହର,ବଜାର,

କଲକରଖାନା। ଲୋକେ ବେଶୀ ଚାଲି ଚାଲି ଯାଉଛନ୍ତି।କାଁ ଭାଁ ସାଇକେଲ ଚଳାଳୀ। ଗୋଟିଏ ମୋଟା କି ରୋଗୀ ଲୋକ ଦିଶୁ ନାହାନ୍ତି। ପଶୁ ପକ୍ଷୀ ପଲ ପଲ। ସବୁଠୁଁ ଆଶ୍ଚର୍ଯ୍ୟ କାହା ମୁହଁ ଶୁଖି ଯାଇନି କି କାହା ପେଟ ହାଣ୍ଡି ପରି ଆଗକୁ ବାହାରି ନାହିଁ। ନିଜ କାମ ନିଜ ହାତରେ କରିବାକୁ ପସନ୍ଦ କରୁଛନ୍ତି। ରାତିରେ ବି ନିର୍ଭୟରେ ଝିଅ ଓ ମହିଳା ମାନେ ଯା ଆସ କରି ପାରୁଛନ୍ତି। ସେଠି ଝିଅ ପୁଅ,ପୁରୁଷ ମହିଳା ଭାଵ ନାହିଁ। ସମସ୍ତେ ଈଶ୍ୱରଙ୍କ ସନ୍ତାନ ମଣିଷ ବୋଲି ଭାବନ୍ତି।


               ଜାଣନ୍ତି !ସେଠିକାର ଲୋକେ ଝିଅଟିଏ ଜନ୍ମ କରିବାକୁ ବାର ଓଷା ବ୍ରତ ପାଳନ କରନ୍ତି। ଝିଅ ସେମାନଙ୍କ ସୌଭାଗ୍ୟର ପ୍ରତୀକ ବୋଲି ବୁଝନ୍ତି। ଯାହାର ଯେତେ ଅଧିକ ଝିଅ ସେତେ ସେ ଭାଗ୍ୟବାନ ବୋଲି ଗଣା ଯାଏ। ଅନ୍ୟମାନେ ତାକୁ ଲକ୍ଷ୍ମୀଙ୍କ ବର ପୁତ୍ର ବୋଲି ଆଦର ସମ୍ମାନ କରନ୍ତି। ପୂଜନ୍ତି ବି। ରାସ୍ତା ଘାଟ ତାଙ୍କର ଚିକ୍ ମିକ୍। ଆବର୍ଜନା ସମସ୍ତେ ଆଣି ନିର୍ଦ୍ଧିଷ୍ଟ ଗାଡ଼ିରେ ରଖନ୍ତି। ଗାଡି ସେ ସବୁ ଗୋଟିଏ ଖାଲରେ ପକାଇ ମାଟି ମାଡି ପୋତିଦିଏ। ପାଣି ଓ ବିଜୁଳିର ମାପି ଚୁପି ବ୍ୟବହାର କରନ୍ତି। ପ୍ରତିଦିନ ସେମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ରାଜା ବାଛନ୍ତି ରାତି ବାର ଯାଏ। ଯେଉଁ ରାଜାଙ୍କ କାର୍ଯ୍ୟ ପ୍ରଶଂସନୀୟ ତାଙ୍କୁ ପୁରସ୍କାର କରାଯାଏ ମାସ ଶେଷ ରାତି ବାରଟାରେ। ପୁଅ ଝିଅ ନିଜ ଇଛାର ଜୀବନ ସାଥି ବାଛିବା ବାଧ୍ୟତାମୂଳକ ସେଠି। ଯେ ନିଜ ପସନ୍ଦର ମଣିଷ ବାଛି ନପାରିବ ସେ ଅବିବାହିତ ରହି ଯାଏ ଆଜୀବନ। ଛୋଟ ଠାରୁ ବୁଢା ଯାଏ ସଭିଏଁ ନିଜ ସାମର୍ଥ୍ୟ ଅନୁଯାୟୀ କାମ କରନ୍ତି,ନହେଲେ ଖାଇବା ବନ୍ଦ। ପିଲା ଦିନୁ ଶ୍ରମ ପ୍ରତି ଶ୍ରଦ୍ଧା ଜ୍ଞାନ ଦିଆଯାଏ ସେଠି।


          କି ସୁନ୍ଦର ରାଇଜ। ପରିକୁ ଭାରି ଖୁସି ଲାଗିଲା।ସେ ଭାବିଲା ଆମ ପୃଥିବୀ ଏମିତି ହୋଇ ଯାଆନ୍ତାନି!ସେ ବୁଲି ବୁଲି ଦେଖୁଥିଲା ସବୁ ଘର। ସମସ୍ତେ ତାକୁ ନାଲି ଗୋଲାପ ତୋଡ଼ା ଦେଇ ସ୍ୱାଗତ କରୁଥିଲେ। ହଠାତ୍ ଗୋଟିଏ ଘରୁ ଅମ୍ଳାନ ବାହାରି ଆସି ପରି ହାତ ଧରି ଭିଡି ନେଲା ଭିତରକୁ।ବିସ୍ମୟରେ ଡିମା ଡିମା ଆଖି ହୋଇଗଲା ପରିର।ଅମ୍ଳାନ ଏଠି!!ସେ ଅମ୍ଳାନ ଠାରୁ ହାତ ଛଡାଇ ଆଣିବ କଣ ଧୂଲ୍ କିନା ପଡି ଗଲା ତଳେ।



Rate this content
Log in