Satyabati Swain

Others

3  

Satyabati Swain

Others

ସ୍ବପ୍ନ ର ଉଡାଣ

ସ୍ବପ୍ନ ର ଉଡାଣ

6 mins
447


ଉଡିବାକୁ ଭାରି ଇଚ୍ଛାଥିଲା;ଡେଣା ଝାଡ଼ି ଥକିଲା ପର୍ଯ୍ୟନ୍ତ । 

ନା ଥାନ୍ତା ଭୋକ ଶୋଷ ନା କ୍ଲାନ୍ତ ହେବାର ମାନସିକତା । ଦୁର୍ବାର ଇଚ୍ଛାଶକ୍ତି ଉଡେଇ ନେଇଥାନ୍ତା କୁଆଡେ ନାଇଁ କୁଆଡେ । ମନ ଖୁସିରେ ମୁକ୍ତିର ଗୀତ ଗାଇ ଗାଇ ଖାଲି ଉଡି ଥାଆନ୍ତି ଆଉ ଉଡି ଥାଆନ୍ତି ଯେଉଁ ଆଡେ ମନ ଚାହିଁଥାନ୍ତା । ହେଲେ ବିଡମ୍ବନା ଆକାଶଟେ କାଇଁ ଯେ ମେଘ ସେପାଖେ ଉଡିବାକୁ! । ବାଦଲକୁ ଛୁଇଁବାକୁ!!ସେଥି ପାଇଁ ମନ ପକ୍ଷୀଟି ଦୁଃଖରେ ଫାଟି ପଡୁଥିଲା । ଅଭିମାନରେ ଉଡିବା ଭୁଲି ଯାଉଥିଲା । ତାକୁ ଲାଗୁଥିଲା ସେ କଣ କେବେ ଉଡି ପାରିବ !! ତା ଭିତରର ଉଡିବା ପଣ ଲୋପ ହୋଇ ଆସୁଥିଲା ଧୀରେ ଧୀରେ । ଆଉ ମୁଁ ସ୍ୱପ୍ନା ସ୍ୱପ୍ନ ଦେଖିବା ଭୁଲି ଗଲି ଏକେବାରେ । ଶୋଇ ପଡ଼ିଲା ମୁହଁ ମାଡି କୁମ୍ଭକର୍ଣ୍ଣ ପରି ଦୀର୍ଘ ବର୍ଷ ମୋ ଭିତର ସୃଜନୀ । କୁଆଁରୀ ଝିଅର ବାହା ବୟସ ଗଡ଼ିଲା ପରି ବଢିଯାଉଥିଲା ମୋ ବିଧିଦତ୍ତ ପ୍ରତିଭାର ଅଭିମାନର ବୟସ । 

  ଜଣେ ଆସିଲା ମୋ ଜୀବନରେ । ମୋ ଡେଣାରେ ଅସୀମ ଶକ୍ତି ଅଛି ବୋଲି ମୋ ଭିତରେ ସାହସଟିଏ ଭରିଲା । ମୁଁ ଉଡି ପାରିବି । ଦେଖାଇ ଦେଲା ଗୋଟିଏ ଛାତି । କହିଲା ଆ ଉଡ଼ିବୁ ପରା କହୁଥିଲୁ?ଦେଖି କେତେ ବଳ ଅଛି ତୋ ମନରେ; କେତେ ଉପରକୁ ତୁ ଉଡି ପାରିବୁ? ସତରେ ଯଦି ତୁ ଉଡିବାକୁ ଚାହୁଁଥିଲୁ ଉଡ଼ ମୋରି ଛାତିରେ । ସେ ମୋତେ ତା ଛାତିରେ ଜାବୁଡି ଧରିଲା । ଚୁମାରେ ଭରିଦେଲା ମୋ ଭିତର ବାହାର ସର୍ବାଙ୍ଗ । ତାର ଗୋଟେ ପ୍ରଶସ୍ତ ବୁକୁ ଥିଲା । ମୋ ପରି ଅନେକ ସ୍ୱପ୍ନଭିଳାଷୀ ଚଢେଇ ଉଡିଥିଲେ ନିର୍ଭୟରେ । ସେ ଦୁନିଆଁଟା ଆଉ ସେ ଆକାଶ ଛାତି ନିହାତି ନିରୋଳା ଭଲ ପାଇବା ଅଜାଡୁଥିଲା ମୋ ପରି କେତେ ସ୍ୱପ୍ନାଙ୍କୁ । 

   ପଞ୍ଜୁରୀ ଭିତରେ ମୁଁ ହଜାଇ ଥିଲି ମୋ ଅସ୍ତିତ୍ଵ । ଗୋଟେ ମୁକୁଳା ଜୀବନ ମୋତେ ହାତ ଠାରି ଡାକୁଥିଲା । ଆଃ! ମୁକୁଳା ଜୀବନର କି ସ୍ୱାଦ!କେତେ ବିଭୋର ପଣ । ପାହାଡ଼ ପାହାଡ଼ ଖୁସି । ପଞ୍ଚମ ଶ୍ରେଣୀରୁ ମୋ ଭିତରେ ଥିବା ସୃଜନୀ ଶକ୍ତିକୁ ଆବିଷ୍କାର କରିଥିଲେ ସ୍ୱର୍ଗୀୟ ଚିର ପୂଜ୍ୟ ଶ୍ରୀ ଗୋଲେଖ ମହାପାତ୍ର । ଜନତା ହାଇ ସ୍କୁଲ ମୋତେ ଆଉ ଟିକେ ଆଗକୁ ବଢ଼ିବାରେ ପ୍ରେରଣା ଯୋଗାଇଲା । ପୂଜ୍ୟ ଦେବେନ୍ଦ୍ର ରଥ ସାର୍ ସେତେବେଳେ ଲେଖିଥିଲେ ଗୋଟିଏ ନାଟକ ବହି 

କାର୍ତ୍ତବୀର୍ଯ୍ୟ । ସେ ବହିଟି ଦେଖି ମୋ ମନ କହିଲା ମୁଁ ଗୋଟେ ଲେଖନ୍ତି ଏମିତି ବହି । କିନ୍ତୁ ଲେଖିବା ଇଚ୍ଛା ମୋତେ ସିନା ଉସ୍କାଉ ଥିଲା;ହେଲେ ଘରେ ଏଥିପାଇଁ ନଥିଲା ସ୍ୱୀକୃତି । "ଖାଲି ପଢ଼, ଭଲ ପଢ଼, ଭଲ ଚାକିରୀ କରିବୁ, ବଡ଼ ମଣିଷ ହେବୁ" ବୋଲି ଆସୁଥିଲା ତାଗିଦା । ସମସ୍ତେ ଚିଡ଼ ଚିଡ଼ ହେଉଥିଲେ ମୋ ଲେଖାଲେଖିରେ ଅଯଥା ସମୟ ନଷ୍ଟ ହେଉଛି କହି । ଆଗରେ ବୋର୍ଡ ପରୀକ୍ଷା ଏଣେ ତେଣେ କଣ ମନ ଦେଉଛୁ?ମନ ଲଗାଇ ପଢ଼,ଯେମିତି ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ପାସ୍ କରିବୁ । 

  କିନ୍ତୁ କଣ କରନ୍ତି ମୋ ଲେଖାମନସ୍କ ପାଗଳାମନକୁ ନେଇ!କାଗଜ ଖଣ୍ଡେ ପାଏ ନାହି ଗପ କି କବିତାଟିଏ ଲେଖିବାକୁ । ଜଣେ ବନ୍ଧୁ ମଳୟ ଲେଙ୍କା ଏବେ ବି ମୋ ସହ ସେ ଜଣେ ଶିକ୍ଷକ, ରିମିଏ କାଗଜ ଦେଇଥିଲା ଲେଖିବାକୁ ଅନୁଗ୍ରହ କରି । ଅନୁଗ୍ରହ, ଦୟାକୁ ମୁଁ ଘୃଣା କରେ ସେ ଜାଣିଥିଲା । ଏଣୁ "ମୁଁ ଦେଇଛି କାଗଜ ତୋ ଘରେ ନଦେଲେ ନାହିଁ" କହିଲେ ମୁଁ କେବେ ତା ଠାରୁ ଗ୍ରହଣ କରିବି ନାହିଁ । ବହୁତ ଚାଲାକ ଥିଲା ସେ । ଥରେ କଥା ପ୍ରସଙ୍ଗରେ ଆମେ ଦଶମ ପଢୁଥିଲା ବେଳେ କହିଲା"ତୋତେ ଯଦି ରିମିଏ କାଗଜ କେହି ଦିଏ, ତୁ କେତେ ଦିନେ ଗପ ଲେଖି ସାରିଦେବୁ?" ମୁଁ କହିଲି ଆଠ ଦିନ ଭିତରେ । ଆମ ଅନ୍ୟ ସାଙ୍ଗ ମାନେ ବି ଥିଲେ । ମୋତେ ଟିଆଇଁ ଦେଇ କହିଲେ ସୁଦୁ ମିଛେଇଟା । ଆଠ ବର୍ଷରେ ସାରି ପାରିବୁ ନା!ଟିକେ ଚିନ୍ତା କରି କରି କହୁଛୁ ତ ଦିସ୍ତାଏ ଦି ଦିସ୍ତା ନୁହେଁ ପୁରା କୋଡିଏ ଦିସ୍ତା.. । କହିଲା ଆଠ ଦିନେ ଲେଖିଦେବ!ହୁସ୍ ବାଜେ କଥା ବକୁଛି । ମୁଁ କହିଲି ଠିକ ଅଛି ବେଟ୍ ରହିଲା । ମୁଁ ଯଦି ଆଠ ଦିନରେ ସାରିଦିଏ, ତେବେ ମୋତେ କଣ ମିଳିବ!

  ମଳୟ ସହ ଅନ୍ୟ ସାଙ୍ଗ ମାନେ ଠୋ ଠୋ ହସିଲେ । ତୁ ଲେଖ ତ ଆଗ । ବେଟ୍ ସିନା ପକାଉଛୁ ହାରିଯିବୁ ସ୍ୱପ୍ନା । ହଗି ପକାଇବୁ ଲେଖି ଲେଖି । ଆଛା ଠିକ ଅଛି ଦିଅତ ରିମିଏ କାଗଜ ମୁଁ ତାଙ୍କ ଚାଲାକୀ ବୁଝି ନପାରି କହିଲି । କାହିଁକି ନା ମୋତେ ନିଜକୁ ପରୀକ୍ଷା କରିବାର ଏ ଗୋଟେ ସୁଯୋଗ ଦେଉଥିଲା । ମୁଁ କି ଛାଡ଼ନ୍ତି! । ତା ପର ଦିନ ମଳୟ ଆମ ଘରେ ସମସ୍ତଙ୍କୁ ଲୁଚେଇ ମୋତେ ରିମିଏ କାଗଜ ଦେଲା । ମୁଁ ଲାଗି ପଡିଲି ଲେଖାରେ । ପ୍ରଥମ ଗପ ମୋ ବଡ଼ ନାନୀକୁ ନେଇ ଲେଖିଥିଲି । ଯେ ତେର ବର୍ଷରେ ବିବାହ କରିଥିଲା ଓ ତେର ବର୍ଷ ଛଅ ମାସ ନପୁରୁଣୁ ବିଧବା ହୋଇଥିଲା । ତାରି କରୁଣ କାହାଣୀ ଥିଲା ମୋ ଜୀବନର ପ୍ରଥମ ଗପ ଲେଖା । ଗପଟିର ନାଁ ଥିଲା "ନାଲି ଚୁଡି କାନ୍ଦୁଛି" । 

  ମୁଁ ଯାହା ଲେଖୁଥିଲି ମୁଁ ବି ବୁଝି ପାରୁନଥିଲି । ସତକୁ ସତ କୋଡିଏ ଦିସ୍ତା କାଗଜ ଆଠ ଦିନରେ ମୁଁ ଲେଖି ସାରିଦେଲି । ଆଠ ଶହ ଗପ ଏବେବି ଗୋଟିଏ ବାକ୍ସ ଭର୍ତ୍ତି ହୋଇ ରହିଛି । ସାଙ୍ଗ ମାନେ ଆଚମ୍ବିତ ହୋଇଗଲେ;ମାତ୍ର ଆଠଟା ଦିନରେ ଲେଖି ଦେଲି ବୋଲି । ସମସ୍ତେ ଖୁସି ହୋଇ ଗୋଟିଏ ଗୋଟିଏ କଲମ ମୋତେ ଦେଲେ ଏବଂ କହିଲେ ଆମେ ଜାଣିଥିଲୁ ତୁ ଲେଖିଦେବୁ;କିନ୍ତୁ ଘରେ ତୋତେ ଚିଡୁଛନ୍ତି ଓ ତୁ କାଗଜ ନପାଇ ଡହଳ ବିକଳ ହେଉଥିଲୁ ଲେଖିବାକୁ । ସେଥିପାଇଁ ପାଇଁ ତୋତେ ବେଟ୍ ମରାଇ ଲେଖିବାକୁ ଉସକାଉ ଥିଲୁ ନା… ନେଲେ ତୁ କି ନେଇଥାନ୍ତୁ ମୋଫତରେ କାଗଜ! ସେଦିନ କେଇ ଟୋପା ଲୁହ ଖସି ପଡ଼ିଥିଲା ମୋ ଆଖିରୁ । ସତରେ ଏମାନେ ମୋ ବନ୍ଧୁ । ହେ ବନ୍ଧୁ ତୁମ ପାଖେ ମୁଁ ଚିର ଋଣୀ । 

   ତାପରେ ରେଭେନ୍ସାରେ କଲେଜ ଜୀବନରେ ଆଉ ଟିକେ ଆକାଶ ପାଖାପାଖି ଉଡିବାର ସୁଯୋଗ ମୋତେ ଦେଲା । ମୁଁ ଅୟସକାନ୍ତ ମେଗାଜିନର ଯେତେବେଳେ ଏଡିଟର୍ ହେଲି । ଅନେକ ପତ୍ରିକା ସୁଚରିତା ଠାରୁ ଆରମ୍ଭ କରି କଥା କାଦମ୍ବିନୀ ଯାଏ ସବୁଥିରେ ଓତଃପ୍ରୋତ ଭାବେ ଜଡ଼ିତ ଥିଲି । ଏମ.ଏ. ବି.ଇଡି. ସରିଗଲା । ରେଭେନ୍ସା ମୋ ଆଖିରେ ଓ ମନରେ ଅନେକ ସ୍ୱପ୍ନ ଦେଇ ମୋତେ ତା କୋଳରୁ ବିଦାୟ ଦେଲା । 

   ହଠାତ୍ ମୋ ବାପାଙ୍କ ହୃଦଘାତ ହେଲା ପରେ ମୋ ଚାଲିବା ରାସ୍ତା ସମ୍ପୂର୍ଣ୍ଣ ମୋଡ଼ ବଦଳେଇ ଦେଲା । ଭାଇ ଭାଉଜ ବିବାହ କରିଦେଲେ ଅତି ନାଟକୀୟ ଭଙ୍ଗୀରେ ମୁଁ ବିବାହ ପାଇଁ ଅରାଜି ହେଉଥିବାରୁ । ମାର୍ଚ୍ଚ ଦୁଇ ତାରିଖରେ ଗାଁ ଯଜ୍ଞରେ ମୋତେ ଦେଖିବା, ତିନି ତାରିଖରେ ମୁଦି ଦିଆ ଓ ମାର୍ଚ୍ଚ ଦଶ ତାରିଖରେ ମୋର ବିବାହ ହେଲା । ତାପରେ ମୋ କଲମ ମୁହଁ ମାଡି ପଡିଗଲା ଅଭିମାନରେ । ମୁଁ ହୋଇଗଲି ପିଞ୍ଜରା ବଦ୍ଧ ଚଢେଇ । ମୋ ପସନ୍ଦ, ରୁଚି, ରାସ୍ତା ଅନ୍ୟ ହାତର ରିମୋଟରେ ନିର୍ଣ୍ଣୟ ହେଲା । 

   କି କଷ୍ଟ!ଅବ୍ୟକ୍ତ ସେ ଅନୁଭବ ଯେତେବେଳେ ଗପ କି କବିତା ମୋତେ ଆପଣେଇ ନେବାକୁ ହାତ ବଢାନ୍ତି;ମୁଁ କିନ୍ତୁ ଜୁଝୁଥାଏ ଅନିଚ୍ଛା କୃତ ସଂସାର ତେଲ ଲୁଣ, ପିଲା, ସ୍ୱାମୀ ଶାଶୁ ଶଶୁର କର୍ତ୍ତବ୍ୟ କୁରୁକ୍ଷେତ୍ରରେ । ଅଭିମନ୍ୟୁ ପରି ମୋର ଅପମୃତ୍ୟୁ ହେବାକୁ ଯାଉଥିଲା ବେଳେ ଜଣେ କେହି ଆସିଲା, ମୋତେ ମରୁ ମରୁ ବଞ୍ଚାଇଲା । ମୋ ସୁକୁ ସୁକୁ ହେଉଥିବା ଡେଣାରେ ଶକ୍ତି ଭରିଲା । ଶୁଖିଲା ମନ ନଈକୁ ସୁନାବ୍ୟା କରି । 

  ହେ ଫେସବୁକ୍ ହାଇ ମୋ ସୁଇଟି ହାର୍ଟ ! ତୁ ତ ମୋତେ ଦେଲୁ ତୋ ଛାତି, ଆକାଶ । ମୋ ଆଶାୟୀ ଡେଣା ଉଡିବା ଭୁଲି ଯାଇଥିଲା । ତୁ ଯେବେ ଆସିଲୁ ଜୀବନେ ଦେଖ ମୋ ନୂଆ ପର କଅଁଳିଲାଣି । ସେ ଉଡ଼ିଲାଣି ମେଘକୁ ଛୁଇଁ । ସୋସିଆଲ ମିଡିଆରେ ଏବେ ମୁଁ ଚର୍ଚ୍ଚିତ ମୁହଁଟେ । ପ୍ରତିଦିନ ମୁଁ ଲେଖି ପାରୁଛି ମୋତେ ଡହଳ ବିକଳ କରି ମାରୁଥିବା ଭାବ । ଉଶ୍ୱାସ ଲାଗୁଛି, ଖୁସି ଛୁଉଁଛି ଯେବେ ମୁଁ ମୋ ଲେଖାଟିଏ ପୋଷ୍ଟ କରୁଛି ଏବଂ ଯେବେ ମୁଁ ଖୁବ ବଡ଼ ବଡ଼ ଲେଖାଙ୍କ ଲେଖା ପଢି ପାରୁଛି, ଯାହା ମୋର ପିଲାଦିନର ଅଭ୍ୟାସ । 

  ମୋ ଭିତରେ ସାଇତା ଅଭିମାନ ସବୁ ବାଢି ଦିଏ ତୋ ପାଖେ ଅକାତରେ । ତୁ ମୋତେ ନିହାତି ଆପଣାର ଲାଗୁ ମୋ ନିଜଠୁ ଅଧିକ । ବଣମଲ୍ଲୀ ଥିଲି । ମୋ ବାସ କାହା ପାଖେ ପହଂଚି ପାରୁ ନଥିଲା । ତୁଇ ମୋ ବାସ ନେଇ ସଭିଙ୍କ ପାଖେ ବାଣ୍ଟିଲୁ । ମୋ ମୁହଁରେ ତୁ ଟିପେ ହସ ଦେଲୁ । ମୁଁ ଲେଖିକା ନୁହେଁ । ମୋ ଚାରି ପାଖରୁ ଯାହା ସାଉଁଟେ, ତାକୁ ଗାରେଇ ପକାଏ ତୋ ଛାତିରେ । ତୁ ମୋ ସବୁ ଦୁଷ୍ଟାମୀ ସହୁ । ମୋତେ ଆପଣେଇ ନେଉ । ବଂଚିବା ଶିଖାଉ । ତୋ ପାଇଁ ତ ମୋତେ ଫୁରସତ ନାହିଁ । ଟିକେ ନିଜ ପାଇଁ ସମୟ ପାଇଲେ ତୋତେ ନିବିଡ଼ ଆଶ୍ଲେଷ ରେ ଜାବୋଡି ଧରେ । ଆଃ କି ଖୁସି ସୁଧା ଝରେ ତୋତେ ପାଇଁ!

ହେ ମୋ ପ୍ରିୟ ପେମିକ ଫେସବୁକ କିଛି ବି ଜାଣିବାକୁ ଚାହିଁଲେ ତୁ ମୋତେ ସାଙ୍ଗେ ସାଙ୍ଗେ ବୁଝାଇ ଦେଉ । ସେ ରୋଷେଇ ଠାରୁ ଆରମ୍ଭ କରି ଆନ୍ତର୍ଜାତୀୟ ଖବର ଯାଏ । ଶିକ୍ଷା, ସ୍ୱାସ୍ଥ୍ୟ,ବିଜ୍ଞାନ,ସାଧାରଣ ଜ୍ଞାନ,ଗୀତ,ନାଚ,ଖେଳ ଯାହା ଖୋଜ ସାଙ୍ଗେ ସାଙ୍ଗେ ପାଖରେ ପହଞ୍ଚାଇ ଦେଉ ତୁ । ମୋ ପିଲାଙ୍କ ଜିଜ୍ଞାସା ଦୂର କରିବାରେ ପୂର୍ଣ୍ଣ ପ୍ରାଣରେ ସହଯୋଗ କରୁ । ଏବେ ଆହୁରି ମୋ ଦୂର ଦୂରାନ୍ତରେ ଥିବା ବନ୍ଧୁ ତୋ ପାଇଁ ମୁଁ ପାଇଛି । ଯୋଡି ହୋଇ ଯାଇଛି ବିଶ୍ୱ ସହ ମୁଁ । ମୋର ଆଜି ବିଶ୍ୱର କୋଣ ଅନୁ କୋଣରେ କେତେ ବନ୍ଧୁ!!ଆଉ ଜାଣିଛୁ ଯେଉଁ ରହସ୍ୟମୟ କଥା କାହାକୁ ପଚାରିବାକୁ ମୋତେ ଲାଜ ଲାଗେ,ସେ ସବୁ ତୋ ଠାରୁ ଜାଣି ଯାଏ । 

  ଫେସବୁକ୍ ସହ ଜିଓ । ବାଃ ମଣି କଞ୍ଚାନ ସଂଯୋଗ । ଜିଓ ନଥିଲା ବେଳେ ମାପି ଚୁପି କଥା କି ପୋଷ୍ଟ କି ଭିଡିଓ ଦେଖିବାକୁ ପଡୁଥିଲା । କିନ୍ତୁ ଜିଓ ମୋ ପ୍ରିୟ ବନ୍ଧୁ ତୁମେ ଆସିଲା ପରେ ଏଥିରେ ଆଉ ବାଧା ନାହିଁ । ପ୍ୟାକ ରିଚାର୍ଜ କରିଦେଲେ ବଲେ ବଲେ, ଯେତେ ନେଟ୍ ଦେଖ କି ଗପ ନୋ ପ୍ରୋବ୍ଲେମ୍ । ୟୁ ଟିୟୁବ୍ କି ଟିକ୍ ଟକ୍ ବା ଷ୍ଟାର ମେକର୍ ଏବେ ଦେଉଛି ପର୍ଯ୍ୟାପ୍ତ ସୁଯୋଗ ପ୍ରତିଭା ବିକଶିତ ହେବ ପାଇଁ । ମୋ ଫେସବୁକ୍ ଓ ଜିଓ ଜଣେ ମୋ ସଚ୍ଚା ପ୍ରେମିକ ଓ ଆଉ ଜଣେ ପ୍ରିୟ ସୁଖ ଦୁଃଖର ବନ୍ଧୁ । ଲଭ୍ ୟୁ ଡିଅର୍ । 



Rate this content
Log in