Bibhu Samanta

Others

3.6  

Bibhu Samanta

Others

ସୌଦାମିନୀ ସାଥେ ଦିନଟିଏ

ସୌଦାମିନୀ ସାଥେ ଦିନଟିଏ

7 mins
210


ସେଦିନ ମିତା ମୋତେ କହିଗଲା ଘର ସଫା କରିବାକୁ । ମୁଁ ବହି ଥାକ ସଫା କଲା ବେଳେ କେତୋଟି ବହି ତଳେ ପଡ଼ିଗଲା । ମୁଁ ବସି ପଡ଼ି ସବୁ ବହିକୁ ଝାଡ଼ି ସଫା କରି ରଖିବାକୁ ଲାଗିଲି । ହଠାତ, ନଜର ପଡିଗଲା ସୌଦାମିନୀ ବଳଙ୍କ "ନୀଳଉତ୍ପଳ" ବହି ଉପରେ । ମଲାଟ ଉପରେ ପାଖୁଡା ମେଲି ପୂର୍ଣ୍ଣ ପରିସ୍ଫୁଟ ନୀଳପଦ୍ମର ଛବି, ବାମ ପଟ ଉପର କୋଣକୁ ଲେଖିକାଙ୍କ ଫୋଟଟିଏ । ଯେଉଁଥିରେ ସେ ଦେଖା ଯାଉଥିଲେ ଖୁବ ଜୀବନ୍ତ, ତାଙ୍କ ସ୍ମିତହାସ୍ୟ ପଛରେ ଥିବା ଜୀବନଦର୍ଶନ ବେଶ୍ ବାରି ହୋଇ ପଡୁଥିଲା, ଆଖିରୁ ଝରୁଥିଲା କରୁଣାର ଦୀପ୍ତି । ଖୁବ୍ ପରିଚିତ ସେ ମୋର । ଅନେକ ଦିନ ପରେ ଦେଖୁଛି ତାଙ୍କୁ । ଆଜି ବି ତାଙ୍କ ସ୍ମୃତି ସେମିତି ଅଛି, ଯାହା ଗତ ୫ ବର୍ଷ ତଳେ ଥିଲା । ସନ୍ତର୍ପଣରେ ଟାଣି ନେଲି ପାଖକୁ । ଲେଉଟାଇଲି ପୃଷ୍ଠା ପରେ ପୃଷ୍ଠା, ଆଉ ବାଟଭୁଲି ଚାଲିଲି ପୁରୁଣା ଅତୀତର ଉଦୁଉଦିଆ ଖରାବେଳର ନୂଆ ପିଚୁ ପକା ରାସ୍ତାରେ । 


୨୦୧୫ ମସିହା, ମେ ମାସର କେଉଁ ଏକ ଖରାବେଳ । କେଉଁଝରର ମାଇନିଂ ସ୍କୁଲରେ ପରୀକ୍ଷା ବାତିଲ୍ ହେବା ପରେ ମୁଁ ଚାଲିଥାଏ ବସ୍ ଷ୍ଟାଣ୍ଡ ଆଡେ । ତତଲା ପିଚୁ ରାସ୍ତାରୁ ତତଲା ପବନରେ ନିଶ୍ୱାସ ବି ତାତି ଯାଉଥାଏ । ପରୀକ୍ଷା ବାତିଲ୍ ହେବାର ଦୁଃଖ ଆଉ ପୁଣି, ଏ କଷ୍ଟ । ଝାଳରେ ପୁରା ସାର୍ଟଟି ଭିଜି ସାରିଥାଏ । ରୁମାଲ୍ ଚିପୁଡି ମୁଁ ମୁହଁ ପୋଛୁ ପୋଛୁ ଦେଖୁଥାଏ ପଛକୁ । କିଛି ଗାଡି ମିଳିଗଲେ ଯାଇହୁଅନ୍ତା, ବସ୍ ଷ୍ଟାଣ୍ଡ ଯାଏ । ହେଲେ ମିଳୁଛି କୋଉ ଯେ । ଶୋଷରେ ପାଟି ଶୁଖି ଯାଉଥାଏ । ରାସ୍ତାକଡ଼ ଗଛ ଛାଇରେ ଠିଆ ହୋଇ ଦେଖୁଥିଲି କୋଠା ଘର ସବୁ । ସମସ୍ତେ ଘର ଭିତରେ ବନ୍ଦ, ଆଉ ବାହାରେ ଚାଲିଥିଲା ଗ୍ରୀଷ୍ମର ରାଜୁତି । ଏତିକି ବେଳେ ପଛରୁ ଗେଟ୍ ଖୋଲିବାର ଶବ୍ଦ ଶୁଣାଗଲା । ଜଣେ ମହିଳା ଆସିଲେ ବାହାରକୁ । ଆସି ମୋତେ କହିଲେ," ଶୋଷ ଲାଗୁଛ କିି ବାବା? ପାଣି ପିଇବ? ଆସ ଭିତରକୁ । " ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା, ହେଲେ ବି ମୁଁ ଗଲି । ତାଙ୍କ ପଛେ ପଛେ । ସେ ନେଇ ମୋତେ ବସେଇଲେ ତାଙ୍କ ଡ୍ରଇଂ ରୁମରେ । ମୁଁ ଦେଖୁଥିଲି ଘରର ସାଜସଜ୍ଜା । ଖୁବ ସୁନ୍ଦର ଥିଲା ସବୁ, ପରିଷ୍କାର ପରିଚ୍ଛନ୍ନ । ଏ.ସି.ର ଥଣ୍ଡା ପବନରେ ଖୁବ ଆସ୍ୱସ୍ତି ଲାଗୁଥିଲା । କାନ୍ଥରେ ଥିଲା ଅରବିନ୍ଦ ଓ ଶ୍ରୀମାଙ୍କ ଫୋଟ । ଗୋଟେ ବଡ଼ କାଚ ଆଲମାରିରେ ଭର୍ତ୍ତି ବହି । ସେ ଚାଲିଗଲେ ଭିତରକୁ, ଆଣି ଆସିଲେ ଗୋଟେ ଗ୍ଲାସ ଥଣ୍ଡା ଦହିସର୍ବତ । ମୁଁ ପି ଦେଲି । ସେ ପଚାରିଲେ "ଆଉ ପିଇବ?" ମୁଁ ହଁ କଲି । ସେ ଭିତରୁ ଆଉ ଆଣି ଭରିଦେଲେ ମୋ ଗ୍ଲାସ । ସେ ଗଲେ ଭିତରକୁ । ମୁଁ ଚାଲିଗଲି ବହି ଆଲମାରୀ ପାଖକୁ । ଦେଖୁଥିଲି, ବହି ସବୁ । ମୋ ଏଇ ବହି ମାନଙ୍କ ପ୍ରତି ଅଲଗା ଦୁର୍ବଳତା । ମୋତେ ଲାଗେ କୁନି ଚଢେଇ ଗୁଡା ବନ୍ଦ ପିଞ୍ଜରାରୁ କିଛି କହିବାକୁ ଚାହୁଁଛନ୍ତି । ସେ ବୋଧେ କହି ପାରନ୍ତେ, ଦିଗବଳୟ ଆର ପାରିର କଥା, ଅବା ଝରଣାର ଗୀତି ଗାଥା । ମୁଁ ଖାଲି, ସେ କୁନି ଚଢ଼େଇଙ୍କ ନାଁ ପଚାରି ବୁଝୁଥିଲି । ଏତିକି ବେଳେ ସେ ମହିଳା ଜଣକ ଆସିଲେ, କେତେବେଳେ ମୁଁ ଜାଣିନି । ମୋ ପଛରେ ଥାଇ କହିଲେ, ତମେ ବହି ପଢ଼? ମୁଁ କହିଲି, ହଁ କେବେ କେମିତି ଛୁଟି ମିଳିଲେ, ମୁଁ ବହି ପଢି ବସିଲେ ଭୋକ ଶୋଷ ଭୁଲିଯାଏ । ସେ ମତେ କିଛି ନ କହି ଚାହିଁ ରହିଲେ । ମୁଁ ବି । ମୁଁ ଦେଖୁଥିଲି ବାର୍ଦ୍ଧକ୍ୟ ଉପନୀତ ବୟସରେ ବି ତାଙ୍କ ଆଖି ଚମକକୁ । ଖୁବ ସତେଜ, ପ୍ରାଣବନ୍ତ ଆଉ ପ୍ରଫୁଲ୍ଲ । ଜୀବନର ପରିପୂର୍ଣ୍ଣତା ଆସିଗଲେ ବୋଧେ ଏଇ ପରିତୃପ୍ତି ଆସେ । ସେ କେମିତି ଜାଣି ପାରିଲେ ମୋତେ ଶୋଷ ହେଉଛି ବୋଲି? ମନ ତାଙ୍କ ପାଖେ ନଇଁ ଯାଉଥିଲା କୃତଜ୍ଞତାରେ । ତାଙ୍କ ବାଣୀରେ ଥିବା ସ୍ନେହବୋଳା ଶବ୍ଦ ସବୁରେ ମନ ଆଇନାଟା ସଫା ହେଇ ଯାଉଥିଲା । ସେ ପଚାରିଲେ, "ବାବା, ତମ ନାଁ କଣ? କୁଆଡେ ଆସିଥିଲ, ଘର କେଉଁଠି?" ମୁଁ କହିଲି," ମୁଁ ବିରାଜ ଦାସ, ଘର କଟକ ଚୌଧୁରୀ ବଜାରରେ । ଆସିଥିଲି ଗୋଟେ ଗୋଟେ ପରୀକ୍ଷା ପାଇଁ, ଆସି ଜାଣିଲି ପରୀକ୍ଷା ବାତିଲ ହୋଇଯାଇଛି । ଏବେ ଫେରିଯିବି । " ସେ କହିଲେ," ପରୀକ୍ଷା ବାତିଲ ହେଲା ବୋଲି ମନ କଷ୍ଟ ଲାଗୁଛି ନା?" ମୁଁ କହିଲି, "ହଁ, ଅନେକ ପଢାପଢି କରି ନିଜକୁ ପ୍ରସ୍ତୁତ କରିଥିଲି । ହେଲେ... "

ସେ କହିଲେ,"ହଁ ବାବା, ଜୀବନଟା ପରୀକ୍ଷା, ଗୋଟେ ସରିଗଲେ ଆଉ ଗୋଟେ ଆସି ଯାଏ । ଯାହା ତମେ ଶିଖିଛ ସେଗୁଡିକ ତମ ଭିତରେ ରହିଲା, ତାକୁ କେହି ନେଇ ପାରିବେନି । ତାକୁ ଉଚିତ କାମରେ ଲଗାଅ । ସେ ଆହୁରି ବଢିବ । ଆଉ ଗୋଟେ ସୁନ୍ଦର ସୁଆଦିଆ ଫଳ ଦେବ ।" ତାଙ୍କ କଥା ଲାଗୁଥିଲା, ମନ୍ଦିରର ଚନ୍ଦନ କର୍ପୂର ଟୀକା ପରି । ଯାହା କପାଳରୁ ସଞ୍ଚରି ଯାଉଥିଲା ଆତ୍ମା ଯାଏ । ମୋତେ ଦେଖି ସେ ହସୁଥିଲେ ଅଳ୍ପ ଅଳ୍ପ । ତାଙ୍କ ପାଖେ ଅତିଶୟ ଗମ୍ଭୀର୍ଯ୍ୟ ନଥିଲା । ଥିଲା ସଂଭ୍ରମତା । ମୁଁ କହିଲି, "ଏତେ ସବୁ ବହି ଆପଣ ପଢ଼ନ୍ତି! ସେ ହସି କହିଲେ, "ନା, ପଢିବା କହିଲେ ଭୁଲ ହେବ । ମୁଁ ଖାଲି ସମୟ ପାଇଲେ ତାଙ୍କ ସହ ଗପେ । ଯେମିତି ତମେ ବସ କି ଟ୍ରେନରେ ଗଲା ବେଳେ ସହଯାତ୍ରୀଙ୍କ ସହ କଥା ହୁଅ ସେମିତି । ପ୍ରତ୍ୟେକ ମଣିଷର ଭିନ୍ନ କାହାଣୀ, ଭିନ୍ନ ଚିନ୍ତାଧାରା । ବହି ବି ସେମିତି । ସେ ଅନେକ କଥା କହେ । ବେଳେ ବେଳେ ସେ ମୋ ଆଇନା ସାଜି ମୋ ସହ ପରିଚୟ କରାଏ ମୋତେ । ତୁମକୁ ଭୋକ ଲାଗୁଥିବ, ମୁଁ କିଛି ନେଇ ଆସେ ଖାଇକି କଥା ହେବା । " ମୁଁ ମନା କଲି । ସେ ନ ଶୁଣି ଚାଲିଗଲେ ଭିତରକୁ ନେଇ ଆସିଲେ ଘର ତିଆରି ଆରିସା ପିଠା କିଛି । ମୋତେ ବହୁତ ଭଲ ଲାଗେ ଆରିସା । ମୁଁ ଖୁସିରେ ଖାଇଲି । ସେ ମୋ ଖୁସି ଦେଖି ମୋ ମଥା ଆଉଁସି ଦେଲେ । ଇଚ୍ଛା ହେଉଥିଲା, ତାଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ । ମୁଁ କିନ୍ତୁ କରିନି ସେମିତି । ମୁଁ ପଚାରିଲି, "ଆଚ୍ଛା ମା, ଆପଣ କେମିତି ଜାଣିଲେ ମୋତେ ଶୋଷ ହେଉଛି ବୋଲି?" ତାଙ୍କୁ ମା ଡାକିବାକୁ ଜମା କୁଣ୍ଠାବୋଧ କରୁ ନଥିଲା ମନ । ମୁଁ ଏମିତି କାହାକୁ କେବେ ଡାକିନି । କେଜାଣି ସେଦିନ କଣ ହେଲା? ସେ ପୁଣି ହସିଲେ, କହିଲେ, "ତମେ ଈଶ୍ୱରଙ୍କୁ ମାନ? ମୁଁ କହିଲି, "ହଁ, ସେ କହିଲେ, ତମେ ଯାହାଙ୍କୁ ଅଭିମାନ କରି ବିରକ୍ତ ହେଉଥିଲ ସେ ମୋତେ ତମ କଥା କହିଲେ । " ମୁଁ ନ ବୁଝି ଚାହିଁ ରହିଲି । ସେ ପୁଣି କହିଲେ, "ଆମେ ଯାହା କରୁ, ସେଇ ପରମାତ୍ମାଙ୍କ ନିର୍ଦେଶରେ । ଯେ ପିମ୍ପୁଡିର ମନକଥା ଜାଣି ପାରନ୍ତି, ସେ କଣ ତମ କଥା ଜାଣି ପାରିବେନି? ସେ ମୋ ମାଧ୍ୟମରେ ତୁମ ସହ କଥା ହେଲେ । " "କିନ୍ତୁ ଆପଣ କାହିଁକି? "ମୁଁ ପଚାରିଲି । ସେ କହିଲେ, "ନିର୍ଦେଶ ଟା ସମସ୍ତଙ୍କ ପାଇଁ ଥାଏ । ହେଲେ ସେ ହିଁ ଧରିପାରେ ଯାହାର ମନରେ ମୋହର ଗହଳି ନଥାଏ, ଯାହା ଈଶ୍ୱରଙ୍କ ପାଇଁ ପ୍ରଶସ୍ତ ଥାଏ । ସବୁ କିଛି ପଛରେ ଥାଏ ଗୋଟେ ନିର୍ଦ୍ଦିଷ୍ଟ କାରଣ । ଯାହା ଆମେ ବୁଝିପାରୁନା । କାହିଁକି ଜାଣ? ଆମେ ସେ କାର୍ଯ୍ୟର ପାତ୍ରଟିଏ ମାତ୍ର । ଯେମିତି ଚଳନ୍ତି ବସରେ ଶିଶୁ ଟିଏ ଜାଣି ପାରେନି, ଏଟା ଚାଲୁଛି ନା ଠିଆ ହେଇଛି ଠିକ ସେମିତି ।" "ଆପଣଙ୍କୁ କଣ ମିଳେ?" ମୁଁ ପୁଣି ପଚାରିଲି । ସେ କହିଲେ, "ଯାହା ତମେ କାମ କରି ସାରିଲେ ମାସ ଶେଷରେ ପାଅ! " "ମୁଁ କହିଲି, ଦରମା?" ସେ କହିଲେ, "ହଁ ଦରମା, କିନ୍ତୁ ଧନ ନୁହେଁ ସନ୍ତୁଷ୍ଟି, ଯାହା ପଇସା ଦେଇ ବି କିଣା ଯାଇପାରେନା । " ସେ ଲାଗୁଥିଲେ ମୋତେ କୁରୁକ୍ଷେତ୍ରର କୃଷ୍ଣଙ୍କ ପରି । ଏତିକି ବେଳେ ବାହାରେ ଶୁଭିଲା, ଗାଡି ରଖିବାର ଶବ୍ଦ । ଝିଅ ଟିଏ ବ୍ୟାଗ ଧରି ଘର ଭିତରକୁ ଆସିଲା । ଆମ ଦି ଜଣ ଙ୍କୁ ଦେଖି ସାମାନ୍ୟ ହସି ଚାଲିଗଲା ଭିତରକୁ । କିଛି ସମୟ ପରେ ଆସିଲା, ମାଆ ପରିଚୟ କରେଇଦେଲେ । "ଇଏ ମୋ ଝିଅ, ଗୋପା" । ଆଉ ତାକୁ କହିଲେ, "ଇଏ ମୋର ଆଉ ଗୋଟେ ପୁଅ" । ଆମେ କଥାହେଲୁ ଅଳ୍ପ ସମୟ । ମୁଁ ବାହାରିଲି ଯିବାକୁ । ସେ ଗୋପାକୁ କହିଲେ ମତେ ଛାଡି ଆସିବାକୁ । ଘରୁ ବାହାରିବା ବେଳେ ମନ ହେଲା ତାଙ୍କୁ ପ୍ରଣାମ କରିବାକୁ । ମୁଁ ପାଦ ଛୁଇଁ ପ୍ରଣାମ କଲି । ସେ ଆଉ ଥରେ ମଥା ଆଉଁସି କହିଲେ, "ବାବା ଭୁଲି ଯିବନି ଏ ମାଆକୁ । ସମୟ ପାଇଲେ ଚାଲି ଆସିବ ଆମ ଘରକୁ । ତୁମ ସହ କଥା ହୋଇ ଖୁବ ଖୁସି ଲାଗିଲା" । ସେ ମୋତେ ଅଟକେଇ ଭିତରକୁ ଗଲେ ଆଉ ନେଇ ଆସିଲେ, ନୀଳଉତ୍ପଳ ବହିଟି । ମୋ ହାତରେ ଦେଇ କହିଲେ, "ଏ ମାଆଟିର କଥା ଯେବେ ମନେ ପଡେ, ଜୀବନରେ ଯଦି ବିରକ୍ତି ଆସେ ଏଇ ବହିଟି ପଢିବ । " ମୁଁ ବହିଟି ନେଲି । ମତେ ଲାଗୁଥିଲା, "କିଏ ଯେମିତି ମୋ ହାତରେ ତୁଳସୀ ଧଣ୍ଡା ଧରେଇ ଦେଉଛି । " ମୁଁ ଦେଖିଲି ତାଙ୍କ ପାଚେରୀକୁ ଲାଗି ଫୁଲ ଗଛଟିଏ । ମୁଁ ପଚାରିଲି ୟା ନାଁ କଣ? ସେ କହିଲେ, "ମୁଁ ଜାଣିନି ଠିକ ସେ । ମୁଁ କିନ୍ତୁ ତାର ଗୋଟେ ନାଁ ଦେଇଛି, ସ୍ଥଳପଦ୍ମ । ବର୍ଷରେ ଥରେ ଫୁଟେ ଆଉ ଦିନକ ପାଇଁ ଫୁଟେ । ଫୁଟିଲା ବେଳେ ଧୋବ ଫରଫର ଦିଶେ, ସନ୍ଧ୍ୟା ବେଳକୁ ଗୋଲାପୀ ହେଇଯାଏ । " ଏତିକି କହି ଡାଳ ଖଣ୍ଡେ ଭାଙ୍ଗି ମୋତେ ଦେଲେ । କହିଲେ "ନେଇ ଯା ପୋତିଦେଵ । ଫୁଲ ଫୁଟିଲେ ମୋ କଥା ତମର ମନେ ପଡିବ । " ମୁଁ କହିଲି, "ହେଲେ ଆପଣ କେମିତି ଜାଣିବେ ଯେ? କେବେ ଯଦି ଆସନ୍ତେ ଆମ ଘର ଆଡ଼େ... "ସେ ହସି ଉଠିଲେ, "ମୋ ଗାଲରେ ହାତ ରଖି କହିଲେ, ମୁଁ ଯିବି ସେଇଦିନ ଯୋଉଦିନ ଏ ଗଛରେ ଫୁଲ ଫୁଟିବ । "ଆସିବା ରାସ୍ତାରେ, ଗୋପାଠୁ ମାଗି ନେଲି ତାଙ୍କ ଫୋନ ନମ୍ବର । ଦିନ ତା ସିନା ଏମିତି ଚାଲିଗଲା ହେଲେ ତାଙ୍କ ବ୍ୟକ୍ତିତ୍ୱର ଛାପ ଚଡ଼ିଗଲା ମନରେ । ତାଙ୍କ ଶାନ୍ତ ସ୍ନିଗ୍ଧ ରୂପ ମନରେ ମାତୃ ମୂର୍ତ୍ତିର ସ୍ଥାନ ଖୋଜିନେଇଥିଲା । 


କେବେ କେମିତି କଥା ହେଇଚି ତାଙ୍କ ସାଙ୍ଗେ । ଅଧିକାଂଶ ବେଳେ ଗୋପ କହେ ତାଙ୍କ ଅସୁସ୍ଥି କଥା । ମୁଁ ପଚାରି ବୁଝେ ତାଙ୍କ ଖବର । ଯତ୍ନ ନେବାକୁ କୁହେ । ଏତିକି ବେଳେ ଫୋନ ଆସିଲା, ଗୋପା ନମ୍ବରରୁ, ବହିଟି ରଖି, ମୁଁ ଉଠେଇଲି ଫୋନ । ଖୁସିରେ ପଚାରିଲି ମାଙ୍କ କଥା । ସେ କାନ୍ଦି କାନ୍ଦି କହିଲା, ମାଆ ଆମକୁ ଛାଡି ଚାଲିଗଲା । ଆଉ କିଛି ମୁଁ ଶୁଣି ପାରିଲିନି । ମୁଁ ବିଶ୍ୱାସ କରି ପାରିଲିନି । ପୃଥିବୀ ତା ଯେମିତି ଅଟକିଗଲା ମୋ ପାଇଁ । ଲୁହ ଧାରେ ବୋହି ଆସିଲା ଆଖିରୁ । ମୋ ଲୁହର ରଙ୍ଗ ବି ଠିକ ଗୋପା ଆଖିର ଲୁହ ପରି । ମତେ ବି ସେତିକି କଷ୍ଟ ହେଉଥିବ ଯାହା ତାକୁ ହେଉଥିଲା । ମୁଁ କିନ୍ତୁ ତା ପରି ମୁଣ୍ଡ ବାଡେଇ କାନ୍ଦି ପାରୁ ନଥିଲି । ଏତିକି ବେଳେ ଭଣଜା ମିକୁ ଆସି କହିଲା, ମାମୁଁ ସେ ଯୋଉ ଗଛଟା ତମେ ଆଣିଥିଲ କେଉଁଝର ରୁ ସେଥିରେ ଆଜି ଫୁଲ ଫୁଟିଛି । ଆସ ଦେଖିବ କେତେ ସୁନ୍ଦର ସେ । ମୁଁ ଯାଇ ଦେଖିଲି, ସେ ଫୁଲଟି ଠିକ ମାଆଙ୍କ ମୁହଁ ପରି ଦିଶୁଛି । ସତେଜ ଓ ପ୍ରଫୁଲ୍ଲ । ମନେ ପଡୁଥିଲା ତାଙ୍କ କଥା ମୁଁ ଯିବି ତୋ ପାଖକୁ..... କୋହରେ ତଣ୍ଟି ଚାପି ହୋଇଯାଉଥିଲା । ସେଦିନ ରାତିରେ ସେ ବହି ଧରି ବିଛଣାରେ ପଡି ରହିଲି । କେତେ ରାତି ହେବ କେଜାଣି ବର୍ଷା ହେଲା । ଲାଇନ ଚାଲିଗଲା । ପବନରେ ମୋ ଝରକା ଖୋଲି ଗଲା । ଆକାଶରେ ନାଚୁଥିଲା ବିଜୁଳି । କହିବାକୁ ଚାହୁଁଥିଲା ଅନେକ କିଛି । ଅନୁଭବ କରୁଥିଲି ତାଙ୍କ ସୂକ୍ଷ୍ମ ସତ୍ତାକୁ ମୋ ଚାରି ପାଖେ । ଇଚ୍ଛା ହେଉଥିଲା, ଖୁବ ଜୋରେ ଭିଡି ଧରି କାନ୍ଦିବାକୁ । ପୁଣି ଥରେ ପାଦ ତଳେ ମୁଣ୍ଡ ରଖି ପ୍ରଣାମ କରିବାକୁ । 


 



Rate this content
Log in