Maheswar sahoo

Children Stories

2.4  

Maheswar sahoo

Children Stories

ସାବସ ବିଲୁଆ

ସାବସ ବିଲୁଆ

6 mins
337


ଜଙ୍ଗଲଟି ବିଶାଳ ବୃକ୍ଷରେ ପରିପୂର୍ଣ୍ଣ ହୋଇଥିଲା । ଜଙ୍ଗଲ ମଝିରେ କୁଳୁ କୁଳୁ ହୋଇ ବୋହି ଯାଉଥିବା ଝରଣଟିରୁ, ଜଙ୍ଗଲରେ ରହୁଥିବା ପ୍ରାଣୀ ମାନେ ମନଭରି ମଧୁର ଜଳ ପିଇ ନିଜର ତୃଷ୍ନା ନିବାରଣ କରୁଥିଲେ । ଜଙ୍ଗଲଟି ବିଶାଳ ବୃକ୍ଷ ମାନଙ୍କର ଗନ୍ତାଘର ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେଇ ଜଙ୍ଗଲରେ ଶାଳ, ପିଆଶାଳ, ଶାଗୁଆନ, ଚନ୍ଦନ ଆଦି ମୂଲ୍ୟବାନ ବୃକ୍ଷ ମାନଙ୍କର ବାସସ୍ଥାନ ଥିବା ସହିତ ହାତୀ, ବାଘ, ସିଂହ, ହରିଣ, ଭାଲୁ, ବରାହ ଆଦି ପଶୁ ମାନଙ୍କର ବାସସ୍ଥାନ ଥିଲା ମଧ୍ୟ । 

     ଜଙ୍ଗଲର ରାଜା କହିଲେ ସିଂହକୁ ବୁଝାଏ ହେଲେ ସେଇ ଜଙ୍ଗଲରେ କିଛି ବ୍ୟତିକ୍ରମ ଦେଖା ଯାଉଥିଲା । କାରଣ ସେଇ ଜଙ୍ଗଲର ରାଜା ମହାବଳ ବାଘ ଥିଲା । ବାଘ ଶକ୍ତିଶାଳୀ ଥିବାରୁ ସିଂହକୁ ରାଜା ହେବାକୁ ଦେଉ ନଥିଲା । ସିଂହ ବିଚରା ନିଜ ଭାଗ୍ୟକୁ ଆଦରି ରହୁଥାଏ । ସିଏ ବା କଣ କରି ପାରିବ । ବାଘ ଜାତି ଜ୍ଞାନ ଶୂନ୍ୟ । ବାଘ କେବେ ଆଗ ପଛ ଚିନ୍ତା କରି ନ ଥାଏ । ବାଘ ହୃଦୟରେ କେବେ କାହା ପ୍ରତି ଦୟା ଆସି ନ ଥାଏ । ବାଘ କେବେ ଭଲ ଓ ଖରାପ ବିଷୟରେ ଜାଣି ପାରି ନ ଥାଏ । 

    ରାଜା ଆଗରେ ସମସ୍ତ ଜନତା ସମାନ । ଜଣେ ରାଜା ନିଜ ଅଧିନସ୍ତ ରାଜ୍ୟର ସମସ୍ତ ପ୍ରଜା ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ରାଜାଙ୍କ ପାଇଁ ନିଜର ସମସ୍ତ ପ୍ରଜା ସମାନ । ହେଲେ ଜଙ୍ଗଲ ମଧ୍ୟରେ ଯେତେକ ପ୍ରାଣୀ ଥାନ୍ତି ସେମାନଙ୍କ ମଧ୍ୟରେ ରାଜା ହେବାର ଯୋଗ୍ୟତା କେବଳ ସିଂହର ହିଁ ଥାଏ । ସିଂହ କେବେ ଗର୍ଭବତୀ, ନିରୀହ, ଶିଶୁ, ଅପାରଗ ଓ ରୋଗୀର ଶିକାର କରେ ନାହିଁ । ସିଂହ କେବଳ ଜଙ୍ଗଲର ରାଜତ୍ବର କର୍ତ୍ତବ୍ୟ ସମ୍ପାଦନ କରିଥାଏ ।

    ମହାବଳ ବାଘ ଅତ୍ୟନ୍ତ ପରାକ୍ରମଶାଳୀ , ଦୁର୍ଦାନ୍ତ ଓ ଧୃଷ୍ଟ ପ୍ରକୃତିର ଥିଲା । କୌଣସି ପ୍ରଜାର ଦୁଃଖ ଓ ଦୁର୍ଦଶା ବିଷୟରେ ବୁଝିବାକୁ କଦାପି ଚେଷ୍ଟା କରେ ନାହିଁ । ବାଘ ପାଇଁ କିଏ ଗର୍ଭବତୀ ଓ କିଏ ରୋଗୀ ଜାଣିବାର ସମୟ ନ ଥାଏ । ବାଘର ପ୍ରକୋପ ବଢ଼ିବାରେ ଲାଗିଲା। ସମସ୍ତ ପ୍ରାଣୀ ଶେଷରେ ସିଂହ ନିକଟରେ ପହଁଚିଲେ । ସିଂହ ବହୁତ ଗମ୍ଭୀର ଓ ଧର୍ଯ୍ୟବନ୍ତ ପ୍ରାଣୀ ଅଟେ । ସିଂହ ହିଂସ୍ର ହୋଇ ପାରେ ହେଲେ ତା ମଧ୍ୟରେ ରାଜତ୍ବର ଗରୀମା ଓ ପରାକାଷ୍ଠା ରହିଥାଏ । 

    ସମସ୍ତ ପ୍ରଜାଙ୍କର ତ୍ରାହି ତ୍ରାହି ଶବ୍ଦରେ ପ୍ରକମ୍ପିତ ହେଉଥାଏ ବିଶାଳ ଜଙ୍ଗଲ । କମ୍ପିଯାଉଥାନ୍ତି ଶାଳ, ଶାଗୁଆନ, ପିଆଶାଳ ଆଦି ବୃକ୍ଷମାନେ । କାନ୍ଧି ଉଠୁଥାଏ ମଧୁର ଲୋତକରେ କଳ କଳ ହୋଇ ଅଭିମାନିନୀ ଝରଣା । ହଠାତ ବିର ଦର୍ପରେ ଠିଆ ହୋଇ, ବିଲୁଆ କହିଲା "ମଣିମା ତମେ ଆପଣେ ରାଜା ଥାଉ ଥାଉ ବାଘ ମାମୁଁ କାହିଁକି ଏମିତି ଅତ୍ୟାଚାର କରିବ?" 

ଅନ୍ୟ ପଶୁମାନେ ମଧ୍ୟ ଏକ ସ୍ୱରରେ କହି ଉଠିଲେ "ଜବାବ ଦିଅନ୍ତୁ ମଣିମା ଜବାବ ଦିଅନ୍ତୁ" । 

ମହାରାଜ ସିଂହ ନିଜର ବକ୍ତବ୍ୟରେ କହିଲେ,"ହେ ପଶୁପକ୍ଷୀ ବୃନ୍ଦ ! ମୁଁ ନିରୁପାୟ, ମୁଁ ସେଇ ହିଂସ୍ର ମହାବଳର ସାମ୍ନା କରି ପାରିବି ନାହିଁ । ଯାହାର ଜ୍ଞାନ ନାହିଁ ତାକୁ ଅଜ୍ଞାନୀ କୁହାଯାଏ, ବାହୁବଳୀ ମଧ୍ୟ କୁହାଯାଏ । ବାହୁବଳୀ ହେବା କେବଳ ନିମିଶ ମାତ୍ର ।"

   ମହାରାଜ ସିଂହଙ୍କର ବକ୍ତବ୍ୟ ସମସ୍ତ ପଶୁ ଓ ପକ୍ଷୀ ମାନଙ୍କୁ ଆତ୍ମମୁଗ୍ଧ ଥିଲା ହେଲେ ନ୍ୟାୟ ଆଶାରେ ସେମାନେ ଏକ ଲୟରେ ସିଂହ ନିକଟକୁ ଚାହିଁ ରହିଥିଲେ । ସିଂହ ପୁଣିଥରେ ନିଜର ବକ୍ତବ୍ୟରେ କହିଲେ,"ମୋ ପ୍ରିୟ ଭାଇ ଭଉଣୀ ମାନେ, ତୁମେମାନେ ଜାଣିଛ ଯେ ମହାବଳ ମୋତେ ଆକ୍ରମଣ କରି ରାଜଗାଦୀରୁ ବିତାଡିତ କରିଛି । ମରଣାତ୍ମକ ଆକ୍ରମଣରୁ ନିଜକୁ ରକ୍ଷା କରି ମୁଁ ପାଖ ଜଙ୍ଗଲରେ ଲୁଚି ଲୁଚି ବୁଲୁଛି । ହେଲେ ମୋର ମନ୍ତ୍ରୀ ବିଲୁଆ ନିଶ୍ଚୟ କୌଣସି ବୁଦ୍ଧି ଓ ଉପାୟ ଚିନ୍ତା କରିଥିବେ । ସେ ହିଁ ଆମକୁ ଉପାୟ ବତେଇବେ ।"

   ବିଲୁଆ କହିଲା ହଁ ଯେ ହେଲେ ମୋତେ ସହଯୋଗ କରିବା ଦରକାର । ମୋତେ ସହଯୋଗ କଲେ ମୁଁ ନିଶ୍ଚୟ ଉପାୟ ଦେବୀ । ନିଶ୍ଚୟ ବାଘକୁ ପାନେ ଦେବୀ । ଏଥିରେ ସମସ୍ତ ପଶୁ ଓ ପକ୍ଷୀ ସହମତି ଦେଲେ । ବିଲୁଆ କହିଲା ଠିକ ଅଛି ତୁମେମାନେ ନିଜ ବସସ୍ଥାନକୁ ଜୀବାପୂର୍ବରୁ ଗୋଟେ କଥା ମନେ ରଖ ଯେ ସବୁବେଳେ ସଜାଗ ରହିବ । ମୁଁ ଯାଉଛି ସିଧା ବାଘ ମାମୁଁ ପାଖକୁ । ଦେଖିବା କେଉଁ ପାଣି କୁଆଡେ ଯାଉଛି । ବିଲୁଆ କଥାରେ ସହମତି ଦେଇ ସମସ୍ତ ପଶୁ ନିର୍ଭୟରେ ନିଜ ବାସସ୍ଥାନକୁ ଚାଲିଗଲେ ।

   ବିଲୁଆ ସଭା ସାଙ୍ଗ ହେବ ପରେ ଯାଇ ବାଘ ମାମୁଙ୍କ ପାଖରେ ହାଜର । ବାଘ ମାମୁଁ ସିଂହାସନରେ ବସି ରକ୍ତାକ୍ତ ହରିଣର ଗୋଡ଼ଟିଏ ଧରି କଡ଼ ମଡ଼ କରି ଖାଇବାରେ ଲାଗିଛନ୍ତି । ବିଲୁଆକୁ ଦେଖି କହି ପକେଇଲେ," କଣ ଖବର କହ । ହରିଣ ମାଂଶର ସ୍ୱାଦ ବହୁତ ମଧୁର ଓ ମନ ଭିତରେ ଶାନ୍ତି ଆସିଗଲା । ହଉ କହିପକା କଣ ଖବର ।"

ବିଲୁଆ, "ମଣିମା ସିଂହ ରାଜା ହେବା କଥା କହୁଛି । ମଣିମା ସିଏ ସବୁ ପଶୁଙ୍କୁ ଡାକି ଡାକି କହୁଛି ମୁଁ ଜଙ୍ଗଲର ରାଜା ଥିଲି ଓ ମୁଁ ହିଁ ରାଜା ହେବି" ।

"କଣ କହିଲୁ ! ତାର ଏତେ ସାହସ ! ମରିବ ସେ ନିଶ୍ଚୟ ମରିବ !" କହି ବାଘ ଗର୍ଜନ କରିବାରେ ଲାଗିଲା । ସମ୍ପୂର୍ଣ ପ୍ରସସ୍ଥ ଜଙ୍ଗଲ ପ୍ରକମ୍ପିତ ହୋଇ ଗଲା ସିଂହର ଗର୍ଜନରେ । ବିଲୁଆ କହିଲା ମଣିମା ବୃଥାଟାରେ ଗର୍ଜନ କରି କଣ ମିଳିବ ଯେ । ତମେ ଆପଣେ କିଛି ଉପାୟ କରନ୍ତୁ । ମୋତେ ଭାରି ଭୋକ ହେଲାଣି ମୁଁ ଚାଲିଲି ।

  "ନେଇ ଏଇ ଜଙ୍ଘ ମାଂଶରୁ ଖଣ୍ଡେ ଖାଇଦେ" । କହି ଫୋପାଡ଼ି ଦେଲା ଖଣ୍ଡେ ହରିଣ ମାଂଶ ପେଣ୍ଡୁଳା ବିଲୁଆ ପାଖକୁ । ବିଲୁଆ ସେଠାରେ ବସି ମନ ଭରି ଖାଉଥାଏ ଓ ମନେ ମନେ କୌଶଳ ପଞ୍ଚୁଥାଏ । ଉପରେ ଉପରେ କହି ଦେଉଥାଏ । 'ରହରେ ସିଂହ ଏବେ ନାମ ନେବୁ' ।

   ପେଟ ପୁରିଗଲା ପରେ ବିଲୁଆ କହିଲା ମଣିମା ଆପଣ ଦେଖିବେ ପଶୁମାନେ କେମିତି ଆଜିକାଲି ଲୁଚି ଛପି ବୁଲୁଛନ୍ତି । କେହି କାହାକୁ ପଦେ କଥା ବି ହେଉ ନାହାନ୍ତି । ଠେକୁଆ ଗୋଟେ ଲୋକ, ତାକୁ ଡାକିଲି ଠେକୁଆ ଭାଇ,ଠେକୁଆ ଭାଇ ଟିକେ ଶୁଣ । ହେଲେ ସେ ଶୁଣିବାତ ଦୂରର କଥା ଅନେଇଲା ନାହିଁ । ଏବେ ସବୁ ପଶୁ ମାନେ ମନ ଇଛା ବ୍ୟବହାର କରୁଛନ୍ତି । ଯାହାକୁ କହିଲେ ବାଘ ରାଜାଙ୍କୁ ଦେଖା କରିବ, ସେମାନେ କହୁଛନ୍ତି କିଏ ବେ ସେ ବାଘ ଆମ ରାଜାତ ସିଂହ । ଆମେ କଉ ବାଘ ଫାଗକୁ ଜାଣିନୁ । 

    ବିଲୁଆର କଥା ଶୁଣି ବାଘର ରାଗ ଆହୁରି ଦୁଇଗୁଣ ହୋଇଗଲା । ପେଟ ପୁରା ଖାଇ ଦେଇଥିବାରୁ ଚାଲିବାକୁ ଭାରି କଷ୍ଟ ହେଉଥାଏ । କହିଲା ଠିକ ଅଛି ମୁଁ ଆଜି ସୋଇ ଯାଉଛି କାଲି ସେ ସିଂହର ବିଚାର କରିବି କହି ଶୋଇଗଲା ମହାବଳ ବାଘ ।

    ବିଲୁଆର ପେଟ ପୁରି ଯାଇଥାଏ । ସେ ଏବେ ଜଙ୍ଗଲରେ ବୁଲିବାକୁ ଆରମ୍ଭ କଲା । ପ୍ରଥମେ ଗଲା ହାତୀ ପାଖକୁ ଓ କହିଲା ହାତୀ ଭାଇ ତୁମେ ଟିକେ ମୋତେ ସାହାଯ୍ୟ କରିବ । ହାତୀ ରାଜି ହୋଇ ବିଲୁଆ ସାଥିରେ ଚାଲିଲା । ଜଙ୍ଗଲର ଏକ ପାର୍ଶ୍ଵରେ ଗୋଟିଏ ବିରାଟ ଗର୍ତ୍ତ ଥାଏ । ଗର୍ତ୍ତଟି ବହୁତ ଗଭୀର ଥିଲା ହେଲେ ଯିଏ ସେଥିରେ ପଡ଼ିଯାଏ ଆଉ ବାହାରି ପାରି ନଥାଏ । କିନ୍ତୁ ଗର୍ତ୍ତଟି ସମସ୍ତଙ୍କୁ ଦେଖା ଯାଉଥିବାରୁ କେହି ସେପାଖରେ ଯିବା ଆସିବା କରନ୍ତି ନାହିଁ । ଗର୍ତ୍ତର ଭିତର ପର୍ଶ୍ୱକୁ ଦେଖିଲେ କେବଳ ପ୍ରାଣୀ ମାନଙ୍କର ଧବଳ ହାଡ଼ ଛଡା କିଛି ଦେଖାଯାଏ ନାହିଁ । 

    ବିଲୁଆ ହାତୀକୁ ନେଇ ସେ ଗର୍ତ୍ତ ଦେଖେଇ କହିଲା ହାତୀ ଭାଇ ଏଇ କାମ ତୁମ ଦ୍ୱାରା ସମ୍ଭବ ହୋଇ ପାରିବ । ତୁମେ ଲମ୍ଭା ବାଉଁଶ ଉପାଡି ଆଣି ଏଇ ଗର୍ତ୍ତ ଉପରେ ବିଛାଇ ଦିଅ । ଯେମିତି ଏହି ଗର୍ତ୍ତ କାହାରିକୁ ଜଣା ପଡିବ ନାହିଁ । ବିଲୁଆ ହାତୀକୁ ଏହି କାମ ଦେଇ ସିଧା ସିଂହ ନିକଟକୁ ଗଲା ଓ କହିଲା ମଣିମା ତୁମେ ଗର୍ତ୍ତର ଅପର ପାର୍ଶ୍ଵରେ ଛିଡା ହୋଇ ରହିବ । ବାଘ ଯେତେବେଳେ ତୁମ ଉପରେ ଲମ୍ଫ ପ୍ରଦାନ କରିବ ସେତେବେଳେ ସେ ଏଇ ଗର୍ତ୍ତରେ ପଡିବ ଓ ପ୍ରାଣ ତ୍ୟାଗ କରିବ । ଏଥର ସମସ୍ତ ଯୋଜନା କ୍ରମରେ ବିଲୁଆ ପ୍ରାଣୀ ମାନଙ୍କୁ କହିଲା ତୁମେ କେହି ବାଘକୁ ଦେଖା ଦେବ ନାହିଁ ଓ କିଛି ତୃଣଭୋଜି ପ୍ରାଣୀଙ୍କୁ କହିଲା ତୁମେ ସିଂହ ମହାରାଜଙ୍କ ନିକଟରେ ରହିବ ଯେମିତି ବାଘ ଯେତେବେଳେ ଦେଖିବ ଆହୁରି ଅଧିକ ରାଗି ଯାଇ ସିଧା ଆଗ ପଛ ନ ଭାବି ଆକ୍ରମଣ କରିବ । 

    ଏଥର ବିଲୁଆ ଚାଲିଲା ବାଘ ନିକଟକୁ । ବାଘ ନିକଟରେ ଯାଇ କହିଲା ମହାରାଜ ମୁଁ ସିଂହ କଉଠି ଅଛି ତାର ପତା ଲଗେଇ ଆସିଛି । ସିଂହ ବହୁତ ବଦମାସ ହୋଇ ଗଲାଣି । ମଣିମା ତାକୁ ନିଶ୍ଚୟ ପାନେ ଦେବା ଆବଶ୍ୟକ । ଜାଣନ୍ତି ମହାରାଜ ସିଂହ ବଣର ଯେତେକ ତୃଣଭୋଜି ପଶୁ ଅଛନ୍ତି ସମସ୍ତଙ୍କୁ ଡକେଇ ସଭା କରୁଛି । ତାର ଏତେ ସାହସ ବାଘ ପାଖକୁ କେହି ଯିବ ନାହିଁ କହି ବାରଣ କରୁଛି ।

    ବାଘର ଏବେ ନିଜ ଉପରେ ଭାରଶ୍ୟାମ ରହିଲା ନାହିଁ । ଦୌଡ଼ିଲା ବିଲୁଆ ସାଥିରେ ସିଂହ ରହିଥିବା ଜାଗାକୁ । ଦଉଡି ଦଉଡି ଯାଇ ପହଁଚିଲେ ସିଂହ ଥିବା ଜାଗାରେ । କିଛି ଦୂରରୁ ବିଲୁଆ କହିଲା ମହାରାଜ ମୁଁ ସେଠାକୁ ଯିବି ନାହିଁ କାରଣ ସେ ମୋତେ ଦେଖିଲେ ମରିଦେଵ । ତାର ଜଉ ମୁନିଆ ନଖ । ଦୂରରୁ ଟିକେ ଦେଖନ୍ତୁ ମହାରାଜ କେମିତି ପଶୁମାନେ ବେଢ଼ି ରହିଛନ୍ତି ସିଂହ କୁ। ବାଘ କହିଲା ଡରପୋକ ମୋ ସହିତ ଚାଲ । ତୋର କିଏ କଣ କରିବ ଦେଖିବା । ଫାଡ଼ି ଦେବୀ ଚିରିଦେବୀ କହି ଗର୍ଜନ କରିବାରେ ଲାଗିଲା ବାଘ । 

   ବାଘ କହିଲା ବିଲୁଆ ମୋ ସହିତ ଚାଲ କହି ଦୌଡ଼ିବାରେ ଲାଗିଲା । ରାଗରେ ଦୌଡୁ ଥିବାରୁ ବାଉଁଶ ତଳେ ଗର୍ତ୍ତ ଜାଣି ପାରିଲା ନାହିଁ ସିଧା ଗର୍ତ୍ତ ମଧ୍ୟରେ ଯାଇ ହଜାର । ଏବେ ବାହାରକୁ ବାହାରିବା କଷ୍ଟ । ହାତୀ ବାଉଁଶ ଅଢେ଼ଇ ଦେବାରୁ ପଶୁମାନେ ଚାରି ପାଖରୁ କହିଲେ ମଣିମା ଆପଣଙ୍କର କଣ ହେଲା ଏବେ କଣ ନୂଆ ରାଜ୍ୟକୁ ଚାଲିଗଲେକି । ବିଲୁଆ କହିଲା ବାଘଭାଇ ଏବେ ତୁ ଏଇ ଗର୍ତ୍ତ ରାଜ୍ୟର ରାଜା ହୋଇକି ଥା । 

   ଏବେ ବାଘ ଯେତେ ଚିଲେଇଲେ କିଏ ଶୁଣେ । ସବୁ ପଶୁ ସିଂହକୁ ରାଜା ବନେଇ ସୁଖରେ ବସ ବାସ କଲେ । ଜଙ୍ଗଲର ଭାରଶ୍ୟାମ ଅନୁସାରେ ପ୍ରାଣୀ ମାନଙ୍କର ବଞ୍ଚିବାର ରାହା ମିଳିଲା । ସମସ୍ତେ ବିଲୁଆର ଚାଲାକି ପାଇଁ ସାବସ ବିଲୁଆ କହି ବିଲୁଆକୁ ପ୍ରଧାନ ମନ୍ତ୍ରୀ ର ଦାୟିତ୍ୱ ଦେଲେ ।


Rate this content
Log in