Banabihari Mishra

Others

2  

Banabihari Mishra

Others

ସାବିତ୍ରୀ

ସାବିତ୍ରୀ

3 mins
207


ସେଦିନ ଗୁରୁବାର । ଶୁଣିବାକୁ ପାଇଲି ଶୁକ୍ରବାର କୈଣସି କାରଣରୁ ଭାରତ ବନ୍ଦ । ତା ପରଦିନ ମାସର ଦ୍ୱିତୀୟ ଶନିବାର, ଛୁଟି । ତା ପରେ ରବିବାର । ସୋମବାରଟା ଛୁଟି ନେଇଗଲେ ମଙ୍ଗଳବାର ସାବିତ୍ରୀ ଅମାବାସ୍ୟା, ଛୁଟି । ଏମିତି ଲଗାତାର ପାଞ୍ଚଦିନ ଛୁଟି । ତେଣୁ ସ୍ଥିର କଲି ଗାଁକୁ ଯାଇ ବୁଲି ଆସିବି । ଘରଣୀଙ୍କୁ ଫୋନ୍ କରି ଜଣେଇ ଦେଲି ସକାଳୁ ପ୍ରସ୍ତୁତ ହେଇଯିବା ପାଇଁ ।


ତା ପରଦିନ ଆମେ ସ୍ୱାମୀ ସ୍ତ୍ରୀ ଦି ଜଣ ଗାଡି ଧରି ଗାଁରେ ପହଞ୍ଚିଗଲୁ । ସମାନ ଭାବରେ ସାନଭାଇ ତାର ପରିବାର ସହ ଗାଁରେ ପହଞ୍ଚିଯାଇଥିଲା । 


ଗାଁରେ ସାଙ୍ଗମାନଙ୍କ ସହ ବୁଲାବୁଲି, ତାସଖେଳ, ଗୁଲିଖଟି ଇତ୍ୟାଦିରେ ତିନିଦିନ କେମିତି କଟିଗଲା ଜଣାପଡିଲାନି । ସୋମବାର ଦିନ ସକାଳୁ ଘରଣୀ କହିଲେ, କହିଲେନି ତ, ଏକରକମ ଆଦେଶ । ହଇ ହେ, ଶୁଭୁଚି, କାଲି ପରା ସାବିତ୍ରୀ । ତୁମର ମନେ ନାହିଁ କି? ମୋ ପାଇଁ ଖଣ୍ଡେ ଭଲ ଶାଢୀ ଆଣିବ । ତା ପରେ ଫଳ ଓ ପୂଜା ସାମଗ୍ରୀର ଗୋଟେ ଲମ୍ବା ତାଲିକା ମୋତେ ବଢେଇଦେଇ ଟିକେ ନରମେଇକି କହିଲେ, "ଦେଖ, ସଙ୍ଗୀତାର (ସାନଭାଇର ସ୍ତ୍ରୀ ) ଶାଢୀଠୁ ଯେମିତି ଭଲ ଆଉ ଦାମିକା ହେବ । ମୁଁ ବଡ ।" ମୁଁ ଜାଣିନେଲି ଯେ ଏହା ସ୍ୱାଭାବିକ ସ୍ତ୍ରୀ ଲୋକମାନଙ୍କ ଅସୂୟାଭାବ । ଚିଠା ପଢି ଦେଖିଲି ଯେଉଁ ଫଳ ସବୁବର୍ଷ ସାବିତ୍ରୀରେ ଗୋଟିଏ କି ଦି'ଟା କିଣାଯାଏ, ସେଗୁଡାକର ପରିମାଣ ଏ ବର୍ଷ କିଲେ ଦି କିଲ ହେଇଯାଇଛି । ପ୍ରଶ୍ନିଳ ଆଖିରେ ମୁଁ ଚାହିଁବାରୁ ଘରଣୀ ବୁଝାଇଦେଲେ ଯେ ସାହିରେ ବଣ୍ଟାହବ । ମୁଁ ବୁଝିଗଲି ପ୍ରକାରାନ୍ତରେ ନିଜର ବଡିମା ଦେଖେଇବା ଛଡା ଆଉ କିଛି ନୁହେଁ।


ଯାହା ହେଉ, ଘରଣୀଙ୍କର ଆଦେଶ ଶିରୋଧାର୍ଯ୍ୟ । ନ ହେଲେ ମୁଁହ ଫଟା, ମନାନ୍ତର । କିଏ ପାରିବ ଏ ସବୁକୁ । ଅଗତ୍ୟା ଗାଡି ଧରି ବାହାରିଗଲି । ସବୁ କିଣାକିଣି ସରିଲା ପରେ ଦେଖିଲି ମୁଦ୍ରା ମୁଣିରୁ ଏଗାର ହଜାର ଶହେ ଅଠତିରିଶ ଟଙ୍କା ହାଲୁକା ହେଇ ଯାଇଛି । ମନେ ମନେ ନିଜକୁ ବୁଝେଇ ସୁଝେଇ ଘରକୁ ଫେରିଲି ।


ତହିଁ ଆରଦିନ ସକାଳୁ ଗାଧୁଆ ପାଧୁଆ ସାରିଦେଇ ଜଳଖିଆ ଖାଇଦେଇ ମୁଁ ମୋର ଗତାନୁଗତିକ ଧାରାରେ ଗାଁ ଦାଣ୍ଡ ଆଡେ ବାହାରିଗଲି । ଗାଁର ନାନାଦି ବିଷୟ ଆଉ ସାଙ୍ଗମାନଙ୍କ ସହ କଥାବାର୍ତ୍ତା, ତାସଖେଳ ଇତ୍ୟାଦିରେ ଦିନ ଦୁଇଟା କେତେବେଳେ ହେଇଗଲା ମୋତେ ଜଣାପଡିଲାନି ।ତରତର ହେଇ ଘରକୁ ଫେରିଲି ।


ଘର ଦୁଆର ମୁହଁରେ ପହଞ୍ଚିଛି କି ନାହିଁ, ବାଘୁଣୀ ହରିଣ ଛୁଆକୁ ଝାମ୍ପିନେଲା ପରି ଘରଣୀ ମୋ ହାତ ଧରି ଟାଣିଟାଣି ଆମ ଦୋକଡି ଘରଆଡେ ନେଇ ଗୋଟେ ଚଉକିରେ ବସେଇଦେଲା ।


ସେତେବେଳକୁ ମୋ ମୁଣ୍ଡରେ ନାନା ପ୍ରକାର ଦୁର୍ଭାବନା ଖେଳୁଥାଏ । ଭାବୁଥାଏ ଏମିତି ସଜବାଜ ହୋଇ ମହାଶୟା କୁଆଡେ ବାହାରିଛନ୍ତି ନିଶ୍ଚୟ । ମୋର ସେତେବେଳକୁ ସତରେ ସମ୍ପୂର୍ଣ୍ଣ ବିସ୍ମରଣ ହେଇଯାଇଥିଲା ଯେ ଆଜି ସାବିତ୍ରୀ ଅମାବାସ୍ୟା । ମୁଁ ଭାବୁଥିଲି ଘରେ ପ୍ରାୟ କେହି କିଛି କହିଛନ୍ତି । ଆଉ ସେଇଥିପାଇଁ ଘରଣୀ କ୍ଷୁବ୍ଧ ହୋଇ ପିତ୍ରାଳୟ ଯିବାପାଇଁ ପ୍ରସ୍ତୁତ ।


କିନ୍ତୁ ମୋର ସବୁ ଭାବନାର ଅନ୍ତ ଘଟାଇ ଘରଣୀ ମୋ ପାଦତଳେ ପ୍ରଣାମ କରି ମୋ ପାଦଧୂଳି ମୁଣ୍ଡରେ ମାରିଲେ । ସେତେବେଳେ ଯାଇ ମୋର ମନେପଡିଲା ଯେ ଆଜି ସାବିତ୍ରୀ ଅମାବାସ୍ୟା ଆଉ ଏ ଅଧମ ଗୋଟେ ସତ୍ୟବାନ। ସମସ୍ତଙ୍କ ଆଗରେ ମୁଣ୍ଡିଆ ମାରିବାକୁ ଲାଜ ଲାଗିଲା ତ । ସେଥିପାଇଁ ମୋତେ ଏକଣା ଦୋକଡି ଘରକୁ ବଳି ପାଇଁ ଛେଳିକୁ ଟାଣିଟାଣି ନେଲା ପରି ଅଣାଯାଇଛି । 


ମୁଁ ମନେ ମନେ ଭାବୁଥିଲି ସତରେ, ସତ୍ୟବାନ୍ ମାନେ କେଡେ ବିଚରା । ବର୍ଷଯାକରେ ଏଇ ଗୋଟିଏ ଜବରଦସ୍ତିଆ ଜୁହାର ପାଇଁ କେତେ ଆର୍ଥିକ ଚାପର ସମ୍ମୁଖୀନ ହୁଅନ୍ତି । ସେଥିରେ ପୁଣି ଶ୍ୱଶୁରାଳୟରୁ ପଠାଯାଇଥିବା ମୁଦ୍ରା ଉପରେ ଘରଣୀଙ୍କର ସମ୍ପୂର୍ଣ୍ଣ ଏକଚାଟିଆ ଅଧିକାର । ସେଥିରୁ ଅଣାଏ ହେଲେ ବି ସେ ଦେବାକୁ ପ୍ରସ୍ତୁତ ନୁହଁନ୍ତି । ଏଇଥିରୁ ସହଜରେ ଅନୁମେୟ ଏ ବିଚରା ସତ୍ୟବାନ୍ ମାନେ ବର୍ଷର ତିନିଶହ ପଞ୍ଚଷଠୀ ଦିନ ଆଉ ଦିନର ଚବିଶ ଘଣ୍ଟା କିପରି ଦୟନୀୟ ଭାବରେ ନିଷ୍ପେଶିତ ନିର୍ଯାତିତ ଆଉ ଅତ୍ୟାଚାରିତ ।


Rate this content
Log in