STORYMIRROR

Prasanta kumar Hota

Others

3  

Prasanta kumar Hota

Others

ସାବିତ୍ରୀ ଓ ତାଙ୍କ ଦାୟୀତ୍ୱ

ସାବିତ୍ରୀ ଓ ତାଙ୍କ ଦାୟୀତ୍ୱ

9 mins
316


ସାବିତ୍ରୀ ନିଜ ଦୁଇ ପୁଅ ବୋହୁ ଙ୍କୁ ନେଇ ବେଶ ଆରାମରେ ଥାଆନ୍ତି। ତାଙ୍କ ସୁଖର ସଂସାର ପାଇଁ ସଦାବେଳେ ସେ ନିଜକୁ ହିଁ ଦାୟୀ କରନ୍ତି। କେହି କିଛି କହିଲେ କହନ୍ତି ପିଲା ମାନଙ୍କୁ ପାଠ ପଢାଇ ପାରିଛନ୍ତି । ସେମାନେ ଆଜି ସେଥିପାଇଁ ଚାକିରି କରୁଛନ୍ତି ।ବାହାଘର ବି କରିଛନ୍ତି। ନିଜ ପାଖରେ ସମସ୍ତେ ଖୁସିରେ ଅଛନ୍ତି। ଏହାଠାରୁ ବଡ କଥା କଣ। ଘର ସଂସାର ସୁଖରେ ଚଳାଇବା ଏକ ମହାନ ଦାୟୀତ୍ୱ। ଯାହା ସେ କେବଳ ନିଜ ସାମର୍ଥ୍ୟରୁ କରି ପାରିଛନ୍ତି। 


ପଡୋଶୀ ଶୁଣି ଖୁସି ହୁଅନ୍ତି। କାହାର ଈର୍ଷା ଆସିଲେ ମନ ଭିତରେ ରଖନ୍ତି ସିନା କିଛି କହିପାରନ୍ତି ନାହିଁ। କାରଣ ଯାହା ଆଖିକୁ ଦିଶୁଛି ତାହାହିଁ ସତ୍ୟ। ସାହି ପଡିଶାରେ ସାବିତ୍ରୀ ଙ୍କୁ ସମସ୍ତେ ପ୍ରଶଂସା କରନ୍ତି। ସାବିତ୍ରୀ ଙ୍କର ସମସ୍ତଙ୍କ ଘରକୁ ପ୍ରାୟ ଯିବା ଆସିବା ଥାଏ। ପାଖରେ ପାଇଲେ ଅନ୍ୟମାନେ ବି ବହେ ଗପି ଦିଅନ୍ତି। ଗପସପ ଜମିଗଲେ ସେ ଗୋଟିଏ କଥା ଯୋର ଦେଇ କହନ୍ତି - ଆଜିକାଲି ଯୁଗରେ ଦୁଇ ପୁଅ ବୋହୁ ଙ୍କୁ ପାଖରେ ରଖି ଶାନ୍ତିରେ ରହିବା ଭାରି କଷ୍ଟ। କେତେବେଳେ କେଉଁ କଥା ମହାଭାରତ ସୃଷ୍ଟି କରିଦେବ ତାହା ଅନୁଭବୀ ମଧ୍ୟ କହି ପାରିବ ନାହିଁ। ତେଣୁ ସମସ୍ତଙ୍କ ଘରେ ପ୍ରାୟ ଯେତେ ପୁଅ ସେତେ ବୋହୂ। ଯେତେ ବୋହୂ ସେତେ ଘର। ଯେତେ ଘର ସେତେ ବିବାଦ ଓ ମତ ପାର୍ଥକ୍ୟ। କେହି କାହା ସାଙ୍ଗରେ ମିଶି ରହିବା ପାଇଁ ଚାହାନ୍ତି ନାହିଁ। ସମସ୍ତଙ୍କର ସେଇ ଗୋଟିଏ ଦର୍ଶନ - 

ଅଲଗା ଅଲଗା ରୁହ ଏକଜୁଟ ହୋଇ ଥାଅ। ବିଧାତା ଅବଶ୍ୟ ଅଲଗା କରି ଦେଉଛି କିନ୍ତୁ ଏକଜୁଟ କରି ପାରୁନାହିଁ। 


ଏସବୁ ଦୃଷ୍ଟିରୁ ସାବିତ୍ରୀ ଙ୍କର ଭାରି ଆତ୍ମତୃପ୍ତି ନିଜର ଛୋଟ ସୁଖୀ ପରିବାର ପାଇଁ । ସାବିତ୍ରୀ ଙ୍କର ଦୁଇ ପୁଅ କହିଲେ ସୁରେଶ ଓ ଶରତ। ସୁରେଶ ବଡ ଓ ତାର ପତ୍ନୀ ସରିତା ଉଭୟ ଚାକିରି କରନ୍ତି। ଶରତ ସାନପୁଅ। ସେ ବି ଚାକିରୀ କରେ କିନ୍ତୁ ତା ସ୍ତ୍ରୀ ସୁଲୀ ଶିକ୍ଷିତା ହେଲେ ବି ଚାକିରୀ କରି ନାହିଁ। ଘରର କାମ ସବୁ ପ୍ରାୟ ସେ କରେ। ଏମିତି ଭାବରେ ଘର ସଂସାର ବେଶ୍ ସୁଖରେ ଚାଲେ। ସାବିତ୍ରୀ ବିଧବା ହେଲା ପରଠାରୁ ତାଙ୍କ ଭାଇ ପ୍ରଚେତା ମଝିରେ ମଝିରେ ଆସନ୍ତି। କହିବାକୁ ଗଲେ ପ୍ରଚେତା ହିଁ ପିଲାମାନେ ଚାକିରୀ କରି ବାହା ହେଲା ପର୍ଯ୍ୟନ୍ତ ସମସ୍ତ ଦାୟୀତ୍ୱ ନିର୍ବାହ କରୁଥିଲେ। କିନ୍ତୁ ପ୍ରଚେତାଙ୍କ ଅବଦାନ କାହା ଆଖିକୁ ଦିଶେ ନାହିଁ। ତାହାସବୁ ସାବିତ୍ରୀ ଙ୍କର ବୋଲି ସମସ୍ତେ ମନେ କରନ୍ତି। ପ୍ରଚେତା ଏସବୁ ଚୁଗୁଲି କଥାର କୌଣସି ଗୁରୁତ୍ୱ ଦିଅନ୍ତି ନାହିଁ। ତେଣୁ ସବୁ ଶ୍ରେୟ ସାବିତ୍ରୀ ଙ୍କର ହୋଇଯାଏ। 

ନିଜର ଶ୍ରେୟ ପାଇଁ ସେ କାହାକୁ ଟିପ୍ସଣି ଦେବାକୁ ଭୁଲନ୍ତି ନାହିଁ। 

ମିଳୁଥିବା ଖୁସି ଯେତେବେଳେ ବିନା ଚେଷ୍ଟରେ ଆସେ ତାର ସ୍ଥାୟିତ୍ଵ ବେଶୀଦିନ ନଥାଏ। ପ୍ରଚେଷ୍ଟାରେ ଉତ୍ପନ୍ନ ହେଉଥିବା ଖୁସି ସଦାବେଳେ ଦୀର୍ଘସ୍ଥାୟୀ। 


ଦିନକର ଘଟଣା ସୁରେଶ ଓ ସରିତା ଅଫିସ ଯାଇଥାନ୍ତି ସୁଲୀର ଦେହ ହଠାତ୍ ଖରାପ ହେଇଗଲା। ଶରତ ତୁରନ୍ତ ଆସି ଡାକ୍ତର ପାଖକୁ ନେଇଗଲା। ଘରକୁ ଆସି ଖୁସିରେ ଜଣାଇ ଦେଲା ଯେ ସୁଲୀ ମା ହେବା ପାଇଁ ଯାଉଛି। ସାବିତ୍ରୀ କିନ୍ତୁ ଖୁସି ବ୍ୟକ୍ତ ନକରି କହିଲେ ତମେମାନେ ଜାଣିଛ ବଡ଼ର ପିଲାପିଲି ହେଇନାହାନ୍ତି। ଆଉ କିଛି ଦିନ ଅପେକ୍ଷା କରିଥିଲେ ହେଇ ନଥାନ୍ତା। ଏବେ ତ ବାହା ହେଇଛ କୋଉ ସମୟ ଗୁଡା ପଳେଇ ଯାଉଥିଲା। ମାଆଙ୍କ ଉତ୍ତର ସୁଲୀକୁ ଭଲ ଲାଗିଲା ନାହିଁ। କିନ୍ତୁ କିଛି କହି ପାରିଲା ନାହିଁ। ରାତିରେ ସେ ଆଉ ରୋଷେଇ କରିବାକୁ ଗଲା ନାହିଁ। ସେ ତାର କୋଠରୀ ଭିତରକୁ ଚାଲିଯାଇ ବିଶ୍ରାମ ନେବାକୁ ଲାଗିଲା। କଥାର ଉଷ୍ମତା ଅନୁଭବ କରି ଶରତ ମଧ୍ୟ ଅଫିସ ଚାଲି ଆସିଲା। ସୁରେଶ ଓ ସରିତା ଅଫିସ ରୁ ଘରକୁ ଫେରି ସବୁ ଶୁଣିଲେ। ଭୋକ ବହୁତ ଲାଗୁଥିଲା। ରୋଷେଇ ଆରମ୍ଭ ହୋଇନାହିଁ ବୋଲି ଗୁଣୁ ଗୁଣୁ ହେଇ ଗୁଡାଏ ବିରକ୍ତି ପ୍ରକାଶ କଲେ। ବାଧ୍ୟ ହୋଇ ବିସ୍କୁଟ ଚାହା ଖାଇ ବସି ରହିଲେ। 


ସାବିତ୍ରୀ ଆସି ସୁଲୀକୁ ଡାକି କହିଲେ - ଆଜି ରୋଷେଇ ହେବନି କି? 

ସୁଲୀ ସହଜ ସରଳ କୂଟନୈତିକ ଉତ୍ତର ଦେଲା-କହିଲା ହଁ ହବନି କାହିଁକି। ମୋତେ ଭଲ ଲାଗୁନି। ମୁଁ କରି ପାରିବିନି। ପୂର୍ବରୁ ଥିବା ବିରକ୍ତି ଭାବ ବାରି ହୋଇ ପଡୁଥିଲା। 

ସାବିତ୍ରୀ ଚିଡି ଉଠି କହିଲେ, ହଁ ପିଲାଟେ ଜନ୍ମ କରିବୁ ବୋଲି ତୋର କଣ ଏବେଠୁ ବିଶ୍ରାମ ଦରକାର ପଡିଲାଣି। 

ସୁଲୀ କିନ୍ତୁ ନମ୍ର ଭାବରେ ଉତ୍ତର ଦେଲା- ନାଇ ମା, ବିଶ୍ରାମ ନୁହେଁ। ମୋତେ ଆଜି ଭଲ ଲାଗୁନି। 

ସାବିତ୍ରୀ ସ୍ଵଭାବ ପରିବର୍ତ୍ତନ ନକରି କହିଲେ, ହଁ ଭଲ ଲାଗୁନି କଣ। ସେମିତି ଲାଗେ। ଆମେ କଣ ଛୁଆ ଜନ୍ମ କରିନୁ ନା କଣ! ଯା ରାତି ନ'ଟା ବାଜିବ, ରୋଷେଇ କଲେ ସମସ୍ତେ ଖାଇବେ। ସୁଲୀର ମନରେ ରାଗ ଆସୁଥିଲେ ବି କ୍ରୋଧକୁ ଚାପି ରଖି ଉତ୍ତର ଦେଲା - ନାଇ ମା ମୁଁ କରି ପାରିବିନି। ମୋତେ ଜମା ଭଲ ଲାଗୁନି। 


ତୋ ଦେହରେ ତ ଜର ଫର କିଛି ନାହିଁ। ତା ମାନେ କଣ ରୋଷେଇ ହେବନି। ସୁଲୀ କିଛି ନକହି ଚୁପ୍ ରହିଲା। ସାବିତ୍ରୀ ବାରମ୍ବାର ସେହି କଥାକୁ କହିବାରୁ ସୁଲୀ କହିଲା- ମୁଁ ଜାଣିନି। ମୋତେ ଟିକେ ଶୋଇବାକୁ ଦିଅ। ମାନେ, ତାହେଲେ ରୋଷେଇ କିଏ କରିବ। 

ସୁଲୀକୁ ବଡ ଅଜବ ଲାଗୁଥାଏ ମାଆଙ୍କ ବ୍ୟବହାର। ସେ ସରୀତାଙ୍କୁ ନକହି ବାରମ୍ବାର ତା ପଛରେ କାହିଁକି ଲାଗିଛନ୍ତି। ଗୋଟିଏ ଦିନ ସରିତା ନାନୀ କରିଦେଲେ କଣ ହେବ ନାହିଁ! ଶରତ ସବ ଶୁଣି ମାଆଙ୍କୁ କିଛି କହିବାକୁ ଯାଉଥିଲା କିନ୍ତୁ ସୁଲୀ ଇସାରାରେ ମନାକଲା। 

ସାବିତ୍ରୀ ଏଥର ଅସମ୍ଭାଳ ହୋଇ ବଡ ପାଟିରେ ସମସ୍ତେ ଶୁଣିଲା ପରି କହିଲେ - ଆଲୋ ହେଇ ଇୟେ କଣ ରୋଷେଇ କରିବନି ବୋଲି ମନା କରିଦେଉଛି । କଣ ଦେହ ହେଇଛି ତ ଜଣା ପଡୁନି। ପିଲା ହେବ ବୋଲି ଏବେଠାରୁ ବାହାନା ଆରମ୍ଭ କଲାଣି। କେମିତି ଖାଇବ ଖାଅ। ମୋର ଆଜି ରାତି ଉପାସ ବ୍ରତ ହେଇଯିବ। 


ସରିତା ସୁରେଶ ପାଟି ଶୁଣି ବାହାରି ଆସିଲେ। କହିଲେ କଣ ହେଇଛି। ଓପାସ ତୁ କାହିଁକି ରହିବୁ। ଆମେ ହୋଟେଲରୁ ନେଇ ଆସୁଛୁ। ସେ ରୋଷେଇ କରିବନି ବୋଲି କଣ ଆମେ ଉପବାସ କରିବା। 

ସତକୁ ସତ ଖାଇବା ହୋଟେଲ ରୁ ଆସିଲା। ଖାଇବାକୁ ବସିଲା ବେଳକୁ ସାବିତ୍ରୀ ସୁଲୀକୁ ଜଣେଇ ଦେଲେ ଆରେ କଣ ଦି'ଟା ଯାଇକି କର। ମୋ ପୁଅଟାକୁ କଣ ଓପାସ ରଖିବୁକି? ଶରତ ଧିରେ ଉଠି କହିବାକୁ ଯାଉଥିଲା ସୁଲୀ ପାଖକୁ ଆସି ମନା କଲା। କହିଲା ଆଜି ଦିନକ ଏମିତି ରହିଯିବା। ହର୍ଲିକ୍ସ ଗୋଳି ଦେଉଛି ଆମେ ପିଇ ରହିଯିବା। 


ଶରତ ପଚାରିଲା କଣ ପାଇଁ। ଆମେ କାହିଁକି ଓପାସ ରହିବା। ମୁଁ ବି ଯାଉଛି ହୋଟେଲରୁ ନେଇ ଆସିବି। 

ସୁଲୀ କିନ୍ତୁ କିଛି ଆଣିବା ପାଇଁ ମନାକଲା। କହିଲା - ଆଜି ଦିନକ ଏମିତି ରହିଯିବା। ଯଦି ଭାଇ ଭାଉଜ ମାଆ ଆଜି ଗୋଟିଏ ଦିନ ପାଇଁ ଏମିତି ହେଉଛନ୍ତି ପରେ ଦେହ ଆହୁରି ଖରାପ୍ ହେଲେ ସେମାନେ ତ ନିଶ୍ଚୟ ଭୟଙ୍କର ହେବେ। ତେଣୁ କିଛି ଗୋଟାଏ ବ୍ୟବସ୍ଥା କରିବାକୁ ପଡ଼ିବ। ଶରତ ପଚାରିଲା -କଣ? ସୁଲୀ କହିଲା ମୁଁ ଭାବୁଛି ମୁଁ କିଛି ଦିନ ରୋଷେଇ କରିବିନି । ଦେଖିବା ସେମାନେ କେତେ ଦିନ ହୋଟେଲରୁ ଆଣି ଖାଉଛନ୍ତି। ଶରତ କହିଲା ଏମିତି କଲେ କଣ ଭଲ ହେବ। ବରଂ ତୁମେ ତମ ଘରକୁ ପଳାଅ। ସେମାନେ ରୋଷେଇ କରି ଖାଇବେ କି ନାହିଁ ଆପେ ଜଣା ପଡିଯିବ। ସତକୁ ସତ ସେୟା ହେଲା। 

ଘରେ ପ୍ରାୟ ରୋଷେଇ ହେଲା ନା

ହିଁ। ସାବିତ୍ରୀ ନିଜ ପାଇଁ ପାଖ ମନ୍ଦିରରୁ ମଗେଇ ଦିଅନ୍ତି। 


କିଛି ଦିନ ଉତ୍ତାରୁ ପ୍ରଚେତା ଘରକୁ ଆସିଥିଲେ। ସବୁକଥା ବୁଝି ସାରି ସେ ସରିତାକୁ ରୋଷେଇ କରିବା ପାଇଁ କହିଲେ। ସରିତା ଅମଙ୍ଗ ହେବାର ଦେଖି ସେ କହିବା ଆରମ୍ଭ କଲେ । ତୁ ବଡ ହିସାବରେ ଦାୟୀତ୍ୱ ନେବା କଥା। ତମେ ଦିଜଣ ଚାକିରୀ କରୁଛ ବୋଲି କଣ ହୋଟେଲ ରେ ଖିଇବାଟା ସମାଧାନ। ସୁରେଶ କଥା ଭାଙ୍ଗି କହିଲା - ମାମୁ ଅଫିସରୁ ହାଲିଆ ହେଇ ଫେରିଲା ପରେ ଆଉ କଣ ରୋଷେଇ କରିବା ପାଇଁ ଇଚ୍ଛା ହେବ। 


ପ୍ରଚେତା କହିଲେ - ତାହେଲେ ତମେ ସକାଳେ କର। 

ସରୀତା କହିଲା - ମାମୁଁ ସକାଳେ ଅଫିସ ବାହାରିଲା ବେଳକୁ ଏମିତି ଡେରି ହେଉଛି। ଆଉ ରୋଷେଇ କରିବି କେତେବେଳେ। 

ତାହେଲେ ଗୋଟାଏ କାମ କର - ଜଣେ ରୋଷେୟା ଠିକ୍ କର। ସେ ରୋଷେଇ କରି ପଳେଇବ। ତୋ ଦରମାରୁ କିଛି ରୋଷେୟା ବାବଦରେ ଗଲେ କ୍ଷତି କଣ! ବରଂ ଘରର ସବୁ ସମସ୍ୟାର ସମାଧାନ ହେଇଯିବ। କେହି କାହାକୁ ଅପେକ୍ଷା କରିବା ବା ଦରକାର ନାହିଁ। ନା, କଣ କହୁଛ? 

ସାବିତ୍ରୀ ବିରୋଧ କଲେ। କହିଲେ ଘରେ ଦି ଦି'ଟା ବୋହୁ ଥାଉ ଥାଉ ରୋଷେୟା କାହିଁକି ଆସିବ। 

ପ୍ରଚେତା କହିଲେ ଭଲ କଥା - ବୋହୁମାନେ ରୋଷେଇ କରନ୍ତୁ। ଆଉ ଅସୁବିଧା କଣ। 

ପ୍ରଚେତା ଯିବାକୁ ବାହାରିଲେ। ସାବିତ୍ରୀ ଅଟକାଇ କହିଲେ - ତୁ ଟିକେ ଯାଇ ସୁଲୀକୁ ଡାକି ଆଣ। 

ପ୍ରଚେତା ହସି କହିଲେ - ସେତ ଦି ମାସ ପାଇଁ ଯାଇଛି। ଆପେ ଆସି ଯିବନି।

ତୁ ଏମିତି କଣ କହୁଛୁ -ସାବିତ୍ରୀ ପଚାରିଲେ। 

ହଁ ନାନୀ ଠିକ୍ କହୁଛି। ଯଦି ସ୍ଵାମୀର କୌଣସି ଆପତ୍ତି ନାହିଁ ସ୍ତ୍ରୀ ନିଜ ଘରେ କିଛି ଦିନ ରହି ଆସିଲେ ଅସୁବିଧା କଣ। 

-ହଁ ଅସୁବିଧା ନାହିଁ ବୋଲି କଣ ଦି ମାସ ରହିବ। 

- ତାକୁ ଯେତେ ଦିନ ଭଲ ଲାଗିବ ସେ ରହିବ। ସେଥିରେ ଅସୁବିଧା କଣ ଅଛି। 

-ଅସୁବିଧା ନାହିଁ। କେଡେ ସୁନ୍ଦର ଘରଟା ଏମିତି ଭାଙ୍ଗିଯିବ। ତୋତେ କଣ ଏଇଟା ଭଲ ଲାଗୁଛି। 

-ନା ବିଲକୁଲ ଭଲ ଲାଗୁନାହିଁ। କିନ୍ତୁ ମଣିଷ ଯେତେବେଳେ ନିଜ ଅସୁବିଧା ନିଜେ ଚାହେଁ ସେତେବେଳେ ଉପାୟ କଣ। 

-ଆମେ କଣ କଲୁ। ତୁ ଆମକୁ ଦୋଷ ଦେଉଛୁ। 

-ଦୋଷ ଦେଉନି। କେବଳ କହୁଛି। ଗୋଟିଏ ଦିନ ତମେମାନେ ରୋଷେଇ କରିଥିଲେ କଣ ଅସୁବିଧା ହେଉଥିଲା। ସେ ତ ସବୁଦିନ ପୁଣି ରୋଷେଇ କରୁଥିଲା। 

ବଡବୋହୁ ସରୀତା ବାହାରି ଆସି କହିଲା -ଓଃ ସେଥିପାଇଁ ତାର ଏତେ ରାଗ। ଦେଖିବା ମୁଁ ବି ରୋଷେଇ କରିବିନି। 

ପ୍ରଚେତା କହିଲେ - ଏଥିରେ ଏତେ ରାଗିବାର କଣ ଅଛି। ମୁଁ ବି ତ ସେୟା କହୁଛି। ତମେମାନେ ରୋଷେଇ କର ନାହିଁ। 

ସରୀତାଙ୍କ ରାଗ କମି ନଥାଏ । ସେହି ଅବସ୍ଥାରେ କହିଲେ - ତାହେଲେ କଣ ଆପଣ କହୁଛନ୍ତି- ଘରେ ରୋଷେଇ ହେବ ନାହିଁ। 

-ଆରେ ତମେ ସବୁ ଓଲଟା ବୁଝୁଛ। ମୁଁ କେତେବେଳେ ରୋଷେଇ ବନ୍ଦ କରିବାକୁ କହିଲି। ଆଛା ଆଜି ତମେମାନେ ରୋଷେଇ କରିବ ତ। 

ସମସ୍ତେ ପରସ୍ପର ମୁହଁକୁ ଚାହିଁ ରହିଲେ ।

ସାବିତ୍ରୀ ବୋହୂ ଆଡେ ଅନାଇ ପଚାରିଲେ - ମାମୁଁ ପଚାରୁଛନ୍ତି ପରା! 

ସରୀତା ମୁହଁ ଛିଞ୍ଚାଡି କହିଲା - ମୁଁ କରି ପାରିବିନି। ପାଉଁରୁଟି କିଣି ଖାଇଦେବା। 


 ସାବିତ୍ରୀ ମୁଣ୍ଡରେ ହାତ ଦେଇ କହିଲେ - ମୁଁ କେଡେ ସୁନ୍ଦର ଏ ଘର ଚଳାଉ ଥିଲି କୋଉ ଅଲକ୍ଷଣା ଆସି ଆଖି ପକାଇଲା। 

- ନାନୀ ତୁ କେତେବେଳେ ଘର ଚଳାଇଲୁ। ଘର ତ ଆପେ ଚାଲୁଥିଲା ନହେଲେ ସୁଲୀ ପାଇଁ ଚାଲୁଥିଲା। ନଚେତ୍ ସେ ଦିନେ ମାତ୍ର ରୋଷେଇ ବନ୍ଦ୍ କରୁ କରୁ ଏପରି ଅବସ୍ଥା ଆସନ୍ତା କାହିଁକି। 

ସାବିତ୍ରୀ ଏଥର ରାଗି ଉଠିଲେ। ତୁ କଣ ତାର ଭାରି ତରଫଦାରି କରୁଛୁ।ଆମେ ସବୁ ଖରାପ ହେଇଗଲୁ କି ନା ଏଠି ଭଲ ରୋଷେଇ ଖାଇବାକୁ ପାଇଲୁନି ବୋଲି ଏମିତି କହୁଛୁ। ଆମ ଘର କେମିତି ସମ୍ଭାଳିବାକୁ ହେବ ଆମେ ଜାଣିଛୁ ତୋର ମୁଣ୍ଡ ପୁରେଇବା ଦରକାର ନାହିଁ। 


ପ୍ରଚେତା ଟିକିଏ ହସି ଅବସ୍ଥା ସମ୍ଭାଳିବାକୁ ଚେଷ୍ଟା କରି କହିଲେ -ନାନୀ ରାଗିଲେ କୌଣସି କଥାର ସମାଧାନ ହୁଏ ନାହିଁ। ଏଥିପାଇଁ ପ୍ରତ୍ୟେକଙ୍କୁ ନିଜ କର୍ତ୍ତବ୍ୟ ବିଷୟରେ ସଚେତନ ହେବା ଦରକାର। 

ସୁରେଶ ସେ ପର୍ଯ୍ୟନ୍ତ କିଛି କହୁ ନଥିଲା। ହଠାତ୍ ବାହାରି ଆସି କହିଲା - ତାହେଲେ ମାମୁଁ ଆମେ କଣ ଆମ କର୍ତ୍ତବ୍ୟ କରୁନାହୁଁ ଏୟା କହିବାକୁ ଚାହୁଁଛନ୍ତି। 


ପ୍ରଚେତା ବୁଝି ପାରିଲେ କଥା ବିପରୀତମୁଖୀ ହେଲାଣି। ବେଶି ସମୟ ଅନୁପ୍ରବେଶ ଭଲ ନୁହେଁ। ସୁରେଶ ଆଡେ ଦୃଷ୍ଟି ଦେଇ କହିଲେ - ତମମାନଙ୍କୁ ଯଦି ମୋ କଥା ଭଲ ଲାଗୁନାହିଁ ଯାହା ଠିକ୍ ଭାବୁଛ କର। ଏଥିରେ ଏତେ ଆଉ ଯୁକ୍ତି କାହିଁକି କରିବା। 

ସାବିତ୍ରୀ ପ୍ରଚେତାଙ୍କୁ ଦେଖି କିଛି କହିବା ପାଇଁ ଭାବୁଥିଲେ କିନ୍ତୁ କିଛି କହି ପାରିଲେ ନାହିଁ। ସୁରେଶ ଓ ସରିତା ଉଠି ଚାଲିଗଲେ। 

ପ୍ରଚେତା ମଧ୍ୟ ସାବିତ୍ରୀ ଙ୍କୁ ବିଦାୟ ମାଗିଲେ। 

ସାବିତ୍ରୀ ପୁଣି ଥରେ ବିବ୍ରତ ହୋଇ ପଚାରିଲେ - ମୋ ଘର କଣ ଭାଙ୍ଗିଯିବ। 


ପ୍ରଚେତା କିଛି କହିଲେ ନାହିଁ। ତାଙ୍କ ଦୃଷ୍ଟିଭଙ୍ଗିରେ ଏକ ନୂତନ ଦର୍ଶନର ଆଲୋକପାତ ହେଉଥିଲା - ସାବିତ୍ରୀଙ୍କ ପରି ସଂସାର ରେ ପ୍ରାୟ ସବୁ ସଫଳ ବ୍ୟକ୍ତିଙ୍କ ଧାରଣା ଯେ ସେମାନେ ନିଜ ନିଷ୍ଠା ଓ ସାଧନା ପାଇଁ ଦାୟୀତ୍ୱ ନିର୍ବାହ କରିବାରେ ସଫଳ। କିନ୍ତୁ ବୁଝି ପାରନ୍ତି ନାହିଁ ଯେ ଯେଉଁ ନିଷ୍ଠା ଓ ସାଧନା ସ୍ପଷ୍ଟ ନୁହେଁ ବା ପରିଦୃଷ୍ଟ ନୁହେଁ ବା ନିଜ କର୍ମ ଦ୍ଵାରା ପ୍ରାପ୍ତ ନୁହେଁ ତାହାକୁ ନିଜ ସାଧନାର ଶ୍ରେୟ ବୋଲି କୁହାଯାଏ ନାହିଁ କିମ୍ବା ଦାୟୀତ୍ୱ ନିର୍ବାହର ଶ୍ରେୟ ଦିଆ ଯାଇ ପାରେ ନାହିଁ  । ଆକସ୍ମିକ ଭାବରେ ପ୍ରାପ୍ତ ଫଳ ବା କାହା ଦ୍ଵାରା ହାସଲ ହୋଇଥିବା ଖୁସି ନିଜର ହୋଇ ବେଶି ଦିନ ରହି ପାରେ ନାହିଁ। କିନ୍ତୁ ବୁଝିବାକୁ ପ୍ରସ୍ତୁତ ନଥିଲେ ଏକଥା ବୁଝେଇବ କିଏ! 



Rate this content
Log in