Satyabati Swain

Others

3  

Satyabati Swain

Others

ସ୍ୱର୍ଗଠୁ ସୁନ୍ଦର

ସ୍ୱର୍ଗଠୁ ସୁନ୍ଦର

4 mins
625



ଜୁବୁଲିଟା ଆଉ ବାହା ହୋଇ ପାରିବନି। ପଇଁତିରିଶି ପୁରି ଛତିଶି ପୁରିବ ପୁରିବ ହେଲାଣି। ଆଉ କଣ ନିଶ ପାଚିଲେ ବେଳକୁ ବାହା ହେବ!କଣ ନା ଜିଦ୍ ଧରିଛି ଯେଉଁ ଝିଅ ତା ପ୍ରଶ୍ନର ଠିକ୍ ଉତ୍ତର ଦେଇ ପାରିବ,ତାକୁ ହିଁ ସେ ବାହା ହେବ। ଆରେ ବାବୁ ବାହା ହେବା ପାଇଁ ପରୀକ୍ଷା ଝିଅ ମାନଙ୍କୁ ରୂପ,ଗୁଣ,ସଂସ୍କାର,ଶିକ୍ଷା, ରୋଷେଇ, ଘର କରଣା ଉପରେ ଦେବାକୁ ପଡୁଥିଲା। ହେଲେ ଆମ ଜୁବୁଲି ବାବୁଙ୍କ ମୌଖିକ ପ୍ରଶ୍ନର ଠିକ୍ ଜବାବ ଯେଉଁ ଝିଅ ଦେଇ ପାରିବ ତାକୁହିଁ ସେ ବିବାହ କରିବେ। ପାଠଶାଠ ଦି ଅକ୍ଷର ପଡିଛି,ଭଲ ଚାକିରୀଟିଏ କରିଛି, ଦେଖିବାକୁବି କେହି ବାରିବେ ନାହିଁ ଜୁବୁଲିକୁ। ସେଥିପାଇଁ ଟୋକାଟାର ବେଶୀ ଗର୍ବ। ହଜାରେବାର ଜଣ ଝିଅ ନାକଚ କରି ସାରିଲାଣି।କାହାର ଉତ୍ତର ତାର ମନ ଲାଖି ହେଉ ନାହିଁ। ଅତଏବ ଜୁବୁଲି ଶର୍ମା ବିବାହିତ ବୟସ ଅତିକ୍ରାନ୍ତ କରିବାକୁ ବସିଲେଣି।


     ଅବାଡୁଆ ରହିବ,ମଲେ ଭୂତ ହେବ କାଳେ ଜୁବୁଲି ଲୋକେ କହୁଛନ୍ତି। କେହି କହୁଛନ୍ତି ଜୁବୁଲିଟା ଧୃତରାଷ୍ଟ୍ର।ଆଉ କିଏ କହୁଛି ତା ପାଇଁ ବୋଧେ କନିଆଁ ଜନ୍ମ ନେଇନି।ଟୋକାଟା କି ମୋଡା ରାଶି ପାଇଛି କେଜାଣି। ପାଣି ପକେଇ ପାଞ୍ଚ ବର୍ଷ ହେଲା ବୁଲିଲେଣି ଘର ଲୋକେ।ହଜାର ବାରଶ ସରିକି ଦେଖା ଚାହାଁ ସାରିଲାଣି। କିନ୍ତୁ କେଉଁଠି କିଛି ସ୍ଥିର ହୋଇ ପାରୁନି।ବାପା ବୋଉ ମନ ଅଥୟ। ଗେଲ୍ହା ବସରର ଗୋଟିଏ ମାତ୍ର ପୁଅ। ବିବାହ ପାଇଁ ଏମିତି କି ପ୍ରଶ୍ନ ପଚାରୁଛି। ପ୍ରାୟତଃ ଝିଅ ମାନେ ଠିକ୍ ଉତ୍ତର ଦେଉଛନ୍ତି।କିନ୍ତୁ ତା ମନକୁ ପାଉ ନାହିଁ ।


         ପ୍ରଶ୍ନଟି ଅତି ସାଧାରଣ। ଜୁବୁଲି ସମସ୍ତଙ୍କୁ ପଚାରେ "ବିବାହର ମାନେ କଣ"? ପ୍ରାୟତଃ ଝିଅ ମାନେ କୁହନ୍ତି"ଏହା ଏକ ସାମାଜିକ ବିଧି। କିଏ କହେ ଦୁଇଟି ମନର ମିଳନ। କେହି କୁହନ୍ତି ସାମାଜିକ ଶୃଙ୍ଖଳା। କିଏ କୁହେ ଯୌବନକୁ ଉପଭୋଗ କରିବାର ଲାଇସେନ୍ସ,କେହି କୁହନ୍ତି ଶୃଙ୍ଖଳିତ ଜୀବନ ନିର୍ବାହ କରିବାର ସୁଗମ ପ୍ରଥା।କେହି ବି କୁହନ୍ତି ବଂଶ ଆଗକୁ ବଢାଇବାର ପରମ୍ପରା। ବା ସାଙ୍ଗ ହୋଇ ସଂସାର ନଈ ପାରିହେବା ପାଇଁ,ସୁଖ ଦୁଃଖ ବାଣ୍ଟିବା ପାଇଁ ସାଥିଟିଏ ବିବାହ ବନ୍ଧନରୁ ମିଳିଥାଏ।ଠିକ୍ ତ କୁହନ୍ତି ସବୁ ଝିଅ।ହେଲା ସନ୍ତୁଷ୍ଟ ଉତ୍ତର ନୁହେଁ ବୋଲି କହି ବାହା ଘର ଭାଙ୍ଗି ଦିଏ ଜୁବୁଲି।ଜୁବୁଲି କେଉଁ ଉତ୍ତରଟି ଚାହେଁ ଏକଥା କେହି ବୁଝି ପାରନ୍ତି ନାହିଁ।


     ଜୁବୁଲି ଲଭ୍ ମ୍ୟାରେଜ କରିବାକୁ ପସନ୍ଦ କରେନି।ସତ କହିବାକୁ ଗଲେ ତାକୁ ଲଭ୍ ହିଁ କରି ଆସେନି। ଗମ୍ଭୀର ଚେହେରା ଆଜିକାଲିକା ଟୋକାଙ୍କ ଠାରୁ ସମ୍ପୂର୍ଣ ଭିନ୍ନ। ସାଙ୍ଗ ସାଥି ପସନ୍ଦ ନୁହେଁ। ଏକ ଶିଙ୍ଗରେ ମାଟି ତାଡେ। ଝିଅ ମାନେ ଭଲ କଣ ପାଇବେବରଂ ତାଠୁ ଦୁରେଇ ରୁହନ୍ତି। ପୁଣି ଭଲ ପାଇବା ଲାଇନ ମାରିବାର ଗୋଟିଏ ହମ ହମ ବୟସ ଥାଏ।ସେ ତ ପଇଁତିରିଶ ଟପିଲାଣି। କିନ୍ତୁ ଜୁବୁଲିର ଦୃଢ଼ ବିଶ୍ୱାସ ତା ମନ ଲାଖି କେହି ମିଳିବ। ଆଜି ନହେଲେ କାଲି, ତାପର ଦିନ,ପୁଣି କାଲି, ଅବା ନିଶ୍ଚିତ ତ କେବେ। ପୁଅଟିଏ ଜନ୍ମ ହେଇଛି ମାନେ କେଉଁଠି ନା କେଉଁଠି ଝିଅ ଟିଏ ତ ଜନ୍ମ ନେଇଥିବ। ତା ହାଣ୍ଡିରେ ଯେଉଁ ଝିଅ ଚାଉଳ ପକାଇଛି ତା ସହ ବୋଧେ ଭେଟ ହୋଇନି ଜୁବୁଲିର ବୋଲି ସେ ବିଶ୍ୱାସ ରଖେ। ଅପେକ୍ଷା କରେ ସମୟକୁ।


   ଝିଅ ନମ୍ବର ହଜାରେ ତେର,ନାମ ଇମା।ଜୁବୁଲିର ଏକା ପ୍ରଶ୍ନ"ତୁମ ମତରେ ବିବାହର ମାନେ କଣ?

        ଝିଅଟି ଟିକେ ବିସ୍ମୟ ଓ ହସ ମିଶାଇ ସିଧା ଚାହିଁଲା ଜୁବୁଲିଙ୍କୁ। କଣ୍ଠ ଝାଡ଼ିଦେଲା ଏବଂ କହିଲା"ବିବାହ!ବିବାହ ଏକ ରାସ୍ତା ଓ ସଂପର୍କର ନାମ। ଦିଟା ଅଦେଖା ହାତର ଆକର୍ଷଣ,ମୋହ,ଭଲ ପାଇବାର ନାମ ବିବାହ। ବିବାହ ଏକ ଘର। ଯାହା ଅଦେଖା,ଅଜଣା ଦୁଇଟି ଘରର ଅଧା ଅଧା ଶିକ୍ଷା,ସଂସ୍କାର ଯୋଡି ହୋଇ ସୃଷ୍ଟି ହୁଏ। ଦୁଇଟି ହାତ,ମନ,ପରିବାରର ସେହ୍ନ,ମମତା, ସହଯୋଗ, ଆନ୍ତରିକତା,ବୁଝା ମଣା ବନ୍ଧନ ନାମ ହିଁ ବିବାହ।


     ଦୁଇଟି ନାମ,ଶରୀର,ଠିକଣା ସଂପୂର୍ଣ୍ଣ ଅଜଣା,ଅଚିହ୍ନା।ହେଉ ସେ ଲଭ୍ ବା ଆରେଞ୍ଜ୍ ପ୍ରଥମେ ସବୁ ଦୁଇ ଅଜଣା ଅଚିହ୍ନା ମଣିଷ ଚିହ୍ନା, ଜଣା ହେଲା ପରେ ସମ୍ପର୍କଟିଏ ସୃଷ୍ଟି ହୁଏ। କେଉଁଠି ଏ ସମ୍ପର୍କ ପୁଅ ଝିଅ ନିଜେ ନିଜେ ଚୟନ କରନ୍ତି ତ କେଉଁଠି ଖୋଜି ଲୋଡି କରାଯାଏ।


      ବିବାହ ସୃଷ୍ଟି କରେ ସ୍ୱର୍ଗ। ଦୁଇ ମଣିଷ ମନରୁ ଝରେ ପ୍ରେମାମୃତ। ସଂସାରର ସୁଖ ଶାନ୍ତିର ଚାବି ଥାଏ ସେଇ ଦୁଇ ଅଜଣା ଅଚିହ୍ନା ପୁଅ ଝିଅଙ୍କ ହାତେ। ଜାଣିଛ ଯେଉଁ ରିଙ୍ଗ୍ ସେରିମନି ବା ମୁଦି ଦିଆ ପ୍ରଥା ମାନେ କଣ?ଦୁଇଟି ଘର ଶିକ୍ଷା, ଦୀକ୍ଷା,ସଂସ୍କାରର ଅଦଳ ବଦଳ। ଦୁଇଟି ଭିନ୍ନ ଭିନ୍ନ ଘରର ଦୁଇ ବ୍ୟକ୍ତି ଗଢିବେ ଗୋଟିଏ ମର୍ତ୍ତ୍ୟରେ ବୈକୁଣ୍ଠ। ଦୁଇ ଘର ମଣିଷ ସୁନ୍ଦର ବୁଝାମଣା,ସେହ୍ନ ପ୍ରେମ ଦେଇ ଘରଟି ତୋଳିବେ। ଆପାଣର ଲୋକଙ୍କୁ ଉଭୟେ ଠିକ୍ ଠିକ୍ ବୁଝିବେ।ସେବା,ଧୈର୍ଯ୍ୟ, ସହଯୋଗ ରହିବ ଅଧା ଅଧା।

     

  ବିବାହ ମାନେ ଦାସୀତ୍ୱ କିମ୍ବା ଦାସତ୍ୱ ନୁହେଁ।ଆନ୍ତରିକତା ଓ ଅନ୍ତରଙ୍ଗତାର କାନ୍ଥ,ବିଶ୍ୱାସ ଓ ଭରସାର ଛାତ,ସେହ୍ନ ପ୍ରେମର ବାଲି ସିମେଣ୍ଟ, ସହଯୋଗ ଓ ବୁଝାମଣାର ରଡ଼୍ ନ ହେଲେ ଏ ଘର ସ୍ଥାୟୀତ୍ୱ ଦୀର୍ଘ ହୋଇ ନ ପାରେ। ଆଉ ଏ ସ୍ୱର୍ଗ ଠାରୁ ସୁନ୍ଦର ଘରର ରଙ୍ଗ କିଏ ଜାଣିଛ!ସେ ଦୁଇ ଅଜଣା ମନର ହୃଦୟର ଶରୀରର ଆତ୍ମଜ ଝିଅ ବା ପୁଅଙ୍କ ହସ। ମୋର ବେଶୀ ପସନ୍ଦ ଝିଅ ଟିଏ ଆଖି ନଚାଇ କହିଲା,ଝିଅ ପିଲାଙ୍କ ହଷ୍ଟେଲରେ ଚାକିରୀ କରୁଥିବା ମିସ୍ ଇମା। ଆଉ ଆପଣଙ୍କ କଣ ପସନ୍ଦ ଝିଅ ନା ପୁଅ। ନିଜର ନହେଲେ ବି ପୋଷ୍ୟ ପୁଅ ଝିଅ ଆହୁରି ପସନ୍ଦ ମୋର ମିସ୍ ଇମା କହିଲା ହାଲକା ହସଟିଏ ହସି।

    

   ସବୁଥରକ ପରି ଚୁପ୍ ଚାପ୍ ଉଠି ଜୁବୁଲି ହଁ କି ନାଇଁ ନ କହି ଉଠିଗଲେ। ବାପା ମା ହତାଶ। ଆତ୍ମୀୟଙ୍କ ନିଷ୍ପତ୍ତି ଆଉ ନୁହେଁ। ଲୋକ ଲଜ୍ଜା ହେବାର ଗୋଟେ ସୀମା ଥାଏ।


        ମାତ୍ର ତାପରଦିନ ରାମ ମନ୍ଦିର ପ୍ରାଙ୍ଗଣରେ ହାଉ ଯାଉ ହେଉଥିଲେ ଜୁବୁଲି ଓ ଇମାଙ୍କ ପରିବାର ଲୋକେ। ହସି ହସି ଜୁବୁଲି କହୁଥିଲେ ରିଙ୍ଗ ଧରି"ମିସ୍ ଇମା ଗଢିବେକି ମୋ ସହ ମାଟି ମଟାଳରେ ଖୁସିର, ଶାନ୍ତିର ଗୋଟିଏ ଶୁଣିଥିବା ସ୍ୱର୍ଗଠୁ ସୁନ୍ଦର ଛୋଟ ଘର"!

      

 ସ୍ମାଇଲ ଟିଏ ଫିଙ୍ଗିଲା ଇମା। ଦୁଇଟି ହାତରେ ଚକ୍ ଚକ୍ ମାରୁଥିଲା ମାରି ଅଥୟ ହେଉଥିଲେ ଦୁଇଟି ମୁଦି ଅଦଳ ବଦଳ ହେବା ପାଇଁ ।ଆଖିରେ ଖେଳୁ ଥିଲା ସପନ ମେଞ୍ଚାଏ।ହୃଦୟରେ ଲହଡି ମାରୁଥିଲା ମାଟିରେ ସ୍ୱର୍ଗଠୁ ସୁନ୍ଦର ଛୋଟ ଘର ଟିଏ ଗଢିବାକୁ।


  


Rate this content
Log in