Lalita Mohan Mishra

Children Stories Tragedy Others

4  

Lalita Mohan Mishra

Children Stories Tragedy Others

ରୂପକାର

ରୂପକାର

7 mins
228


ମୁଣ୍ଡଟା ବେଳେ ବେଳେ ବୁଲେଇ ହେଉଛି । ଉଚ୍ଚ ରକ୍ତଚାପ ହେବାର ଏହା ଭିତରେ ଦଶ କି ବାର ବର୍ଷ ହୋଇଗଲାଣି । ପ୍ରତିଦିନ ଗୋଟିଏ ଗୋଟିଏ ବଟିକା ନ ଖାଇଲେ ନ ଚଳେ । କ'ଣ ହେଉ କି ନ ହେଉ ବଟିକା ଖାଇବା ଆଜି ପର୍ଯ୍ୟନ୍ତ ବନ୍ଦ ହୋଇନାହିଁ । ଏପଟେ ପ୍ରତିଦିନ ସକାଳ ଭ୍ରମଣ ସନ୍ଧ୍ୟା ଭ୍ରମଣ । ଯାହାହେଉ ଏସବୁ କରିବା ହେତୁ ବୋଧହୁଏ ସାହୁ ସାର୍ ଙ୍କ ରୋଗଟା ନିୟନ୍ତ୍ରଣରେ ଅଛି । ଏବେ କେତେଦିନ ହେଲା ଟିକେ ମୁଣ୍ଡଟା ଝୁକି ଝୁକି ଲାଗୁଛି । ଗୁରୁମା କିନ୍ତୁ କହୁଥିଲେ ବ୍ରହ୍ମପୁର ଯାଇ ଟିକେ ମେଡିସିନ୍ ସ୍ପେଶାଲିଷ୍ଟ ପାଖରେ ଚେକଅପ୍ କରିନିଅ । ଅଳସୁଆ ଲୋକ ଏପଟେ ବିଭିନ୍ନ କାମ । ସେଦିନ କୌଣସି ଏକ କାମରେ ବ୍ରହ୍ମପୁର ଯାଇଥାଏ ସାରେ । କାମ ଶୀଘ୍ର ସରିଗଲା । ଆସିବାକୁ ବସ୍ ଡେରି ଅଛି । ଭାବିଲେ ବହୁତ ସମୟ ତ ଅଛି ବସ୍ ଆସିବାକୁ ଏ ସମୟରେ ସ୍ବାସ୍ଥ୍ୟଟା ପରୀକ୍ଷା କରିନେଲେ ଭଲ ହେବ । ଏହା ଭାବି ବଡ ଡାକ୍ତରଖାନା ଆଡକୁ ଅଗ୍ରସର ହେଲେ । ଟିକେଟ ଟେ କରି ମେଡିସିନ୍ ଚିକିତ୍ସକଙ୍କ ପାଖକୁ ଗଲେ । ଏତେ ଲୋକ ଭିଡ ଯେ କହିବା କଥା ନାହିଁ । ତାଙ୍କର ପାଳି କେତେବେଳେ ପଡିବ ସେ ଚିନ୍ତାରେ ଧାଡ଼ିରେ ଠିଆ ହେଲେ । ଡାକ୍ତରଙ୍କୁ ଏତେ ଭିଡରେ ଦେଖି ପାରୁ ନ ଥାନ୍ତି ସାର୍ । ଧିରେ ଧିରେ ଲୋକ ପତଳା ହେବାରେ ଲାଗିଲେ । ଡାକ୍ତର ରୋଗୀ ମାନଙ୍କୁ ଭଲ ଭାବରେ ଦେଖୁଥାନ୍ତି । ସାହୁ ସାରେ ଚିନ୍ତିତ ଥାନ୍ତି ଡାକ୍ତରଙ୍କୁ ଦେଖାଇବା ଭିତରେ ବସ୍ ଟି ଫିଟି ଯିବନି ତ ।

ହଠାତ୍ ଲକ୍ଷ୍ୟ କଲେ ଡାକ୍ତର ମହାଶୟ ସିଟ୍ ଛାଡି ତାଙ୍କ ଆଡକୁ ଆସୁଛନ୍ତି । ତାଙ୍କର ପାଦସ୍ପର୍ଶ କରି ମୁଣ୍ଡିଆ ମାରିଲେ । ସେ କିନ୍ତୁ କିଛି ବୁଝି ପାରୁ ନ ଥାନ୍ତି । ସାର୍ ଙ୍କ ହାତ ଧରି ପାଛୋଟି ନେଲେ । ତାଙ୍କ ସିଟ୍ ଆଗରେ ପଡିଥିବା ଚେୟାରରେ ବସାଇ ଦେଲେ । କହିଲେ ମୋତେ ଚିହ୍ନି ପାରୁଛନ୍ତି ସାର୍ ? ମୁଁ ସେଇ ବଇଦା । ଯାହାକୁ ଏତେ ବଡ କରିବାରେ ଅବଦାନ ଆପଣଙ୍କର । ବହୁଦିନ ହେଲା ଖୋଜୁଥିଲି ଆପଣଙ୍କୁ । କିନ୍ତୁ କେବେ ଆପଣଙ୍କ ସହିତ ଦେଖା ହେବ କି ନାହିଁ ଜାଣି ନ ଥିଲି। ଆପଣଙ୍କର ଖୋଜ ଖବର ପାଇ ପାରୁ ନ ଥିଲି । ଆଜି ମୁଁ କେତେ ଭାଗ୍ୟବାନ । ଦୀର୍ଘ ବର୍ଷ ପରେ ଆପଣଙ୍କର ଦର୍ଶନ ପାଇଲି । ଆପଣଙ୍କୁ ଆଜି ପାଇ ନିଜକୁ ଧନ୍ୟ ମନେ କରୁଛି । ଆପଣ ଟିକେ ସମୟ ଏଠାରେ ବସନ୍ତୁ । ଏତକ ରୋଗୀ ଦେଖି ସାରିବା ପରେ ମୁଁ ଆପଣଙ୍କୁ ମୋର ବସାକୁ ନେଇଯିବି । ପ୍ରଥମେ ଅଚିହ୍ନା ଅଚିହ୍ନା ଲାଗୁଥିଲା । ଦୀର୍ଘ ଦିନର କଥା ମନେପଡ଼େ ତାହାହେଲେ ଏ ବୈଦନାଥ ବାବୁ ସେତେବେଳର ବଇଦା ହରିଜନ ।

ନବରଙ୍ଗପୁରରେ ଚାକିରୀ କରିବାର ଦୁଇ ବର୍ଷ ହୋଇଥାଏ ନରହରି ସାହୁଙ୍କ । କୋଷାଗୁମୁଡା ବ୍ଲକ୍ ରୁ ବଡଆମ୍ବଡା ପ୍ରତିଦିନ ଯିବା ଆସିବା କରିବାକୁ ପଡୁଥାଏ । ଘର ଭଡା ନେଇ ବ୍ଲକ ହେଡ୍ କ୍ବାଟରରେ ରହୁଥାନ୍ତି କାରଣ ସେଠାରେ କ୍ବାଟର ନ ଥାଏ । ଯେଉଁ ସାହିରେ ରହୁଥାନ୍ତି ସେହି ଆଗରେ କେତୋଟି ହରିଜନ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଥାନ୍ତି । ଯାହାଙ୍କ ପାଖକୁ ଶିକ୍ଷା ସଭ୍ଯତା ଭଲ ଭାବରେ ପହଞ୍ଚିପାରି ନ ଥାଏ । ଆମର ସଭ୍ୟ ଶିକ୍ଷିତ ବ୍ୟକ୍ତି ମାନେ ସେମାନଙ୍କର ଦ୍ଵାର ମାଡ଼ନ୍ତି ନାହିଁ । ମାଡ଼ିଲେ ମଧ୍ଯ କେବେ ସେମାନଙ୍କର ଛାଇ ନିଜ ଉପରେ ପକାଇବାର ସୁଯୋଗ ଦିଅନ୍ତି ନାହିଁ। ଆମ ସହ ସେମାନଙ୍କର ସମ୍ପର୍କ କିଛି ନାହିଁ । ସେମାନେ ମଧ୍ଯ ଆମର କାହା ସହିତ ବିଶେଷ ସମ୍ପର୍କ ଯୋଡନ୍ତି ନାହିଁ। ସେମାନେ ନିଜର ଜୀବନ ଜିବିକାକୁ ନେଇ ଭାରି ଆନନ୍ଦିତ । ଜିବିକା କହିଲେ ବାଉଁଶରେ ଟୋକେଇ, କୁହ୍ଲା, ନାଳିଆଟେ, ବାଉଁଶିଆ, ବୋଝ, ଚାଙ୍ଗୁଡି ଇତ୍ୟାଦି ତିଆରି କରି ହାଟ ବଜାରରେ ବିକିବା । ସେଥିରୁ ଯାହା ରୋଜଗାର ସେଥିରେ ପରିବାର ପୋଷଣ ଆଉ ଟିକେ ନାଲି ପାଣି । ଦରକାର ପଡ଼ିଲେ ଆମେ ବେଳେ ବେଳେ ଯାଇ ସେମାନଙ୍କ ଠାରୁ ବାଉଁଶ ତିଆରି ଜିନିଷ ନେଇଆସୁ । ଆମର ତାଙ୍କର ସମ୍ପର୍କ ବୋଇଲେ ଯାହା ସେତିକି । ସେମାନେ ଦିନ ରାତି କାମରେ ଲାଗିଥାନ୍ତି । ସେଇ ନୂଆଣିଆ ବତା ବାଉଁଶର ଓ ଝାଟିମାଟିର ଛଣ ଛପର ଘର ତାଙ୍କ ସ୍ୱପ୍ନର ପାରାବାର । ସେଇଠି ତିନି ଖଣ୍ଡ ପଥରରେ ଝିଙ୍କା ତିଆରି କରି ଖଣ୍ଡେ ଚୁଲି ଓ ଗୋଟିଏ କୁକୁଡା ଭାଡି। ସେଇଠି ପୁଣି ତାଙ୍କରି କାରଖାନା ଓ ବାଉଁଶରେ ତିଆରି ଦରବ।

ସେଇ ଘରେ ତାଙ୍କର ହସର ଜୁଆର ଛୁଟେ, ପୁଣି ଅଶ୍ରୁର ଲହଡ଼ି ଭାଙ୍ଗେ । ଶୀତ କାକର ଖରା ଓ ବର୍ଷା ସହି ସେଇଠି ଜୀବନ ପାଳନ୍ତି ସେହି କେତୋଟି ପରିବାର । ସେମାନଙ୍କର ଆର୍ଥିକ ପରିସ୍ଥିତିରେ ତ ସେତେ କିଛି ଉନ୍ନତି ଘଟେ ନାହିଁ। ସେମାନଙ୍କର ସ୍ଵପ୍ନ ବୋଲି କିଛି ନାହିଁ? ସ୍ଵପ୍ନ ବା ଆସନ୍ତା କୁଆଡୁ? ଶିକ୍ଷା ମଣିଷ ଆଖିରେ ଅଞ୍ଜନ ଲଗାଇଥାଏ, ତାକୁ ସ୍ଵପ୍ନାଭିଳାଷୀ କରିଥାଏ। ଏମାନେ ତ ଆଧୁନିକ ଶିକ୍ଷା ଓ ସଭ୍ୟତା ଠାରୁ ବହୁତ ଦୂରରେ । ତେଣୁ ତାଙ୍କୁ କିଏ ସୃଷ୍ଟିର ରହସ୍ୟ ଓ ବଞ୍ଚିବାର ଅଧିକାର ଶିଖେଇବ ? ଯାହା ବି କୁହନ୍ତୁ ଏଇ ନିଶା ପାଣିଟା ଏମାନଙ୍କୁ ବେଶୀ ଖାଇଥାଏ । ଘରେ ଖାଇବାକୁ ଥାଉ ବା ନଥାଉ ଏମାନଙ୍କର ସେଥିରେ ଚିନ୍ତା ନାହିଁ, କିନ୍ତୁ ହାଣ୍ଡିଆ ପାଣିଟା ସନ୍ଧ୍ୟାରେ ନହଲେ ନ ଚଳେ । ନିଶା ପାଣିଟା ମୁନ୍ଦେ ପିଇ ଦେଲେ ଦୁନିଆଟା ଏମାନଙ୍କୁ ଚତୁର୍ଭୂବନ ଦେଖାଯାଏ। ତେଣିକି କଣ ହେଲା ନହେଲା ସେମାନଙ୍କର ଯାଏ କେତେ ଆସେ କେତେ ? ଫୁଙ୍ଗୁଳା ଦେହ ସେଁକା ଛାତି, ଅଣ୍ଟାରେ ଖଣ୍ଡିଏ ଲୁଗୁଆ ଓ ମୁଣ୍ଡରେ ଟାୟା । ଘର ପାଖରେ ବିଲେଇଟିଏ ଶୋଇ ଥାଏ ବା କୁକୁରଟିଏ ଜଗି ରହିଥାଏ। ସେଇମାନେ ତ ସେମାନଙ୍କ ଜୀବନରେ ସାଙ୍ଗ ସାଥୀ ଓ ସଖା ସହଚର । ଘର ପାଖରେ ସଜନା ଗଛଟିଏ ଅଥବା ଅମୃତ ଭଣ୍ଡା ଗଛଟିଏ ଅବା ମରିଚ ଗଛ ଗୋଟେ କି ଦି ଟା ।


ପିଢା ଉପରେ ପୋଇ ବା କଖାରୁ ଗଛ ମାଡ଼ି ଥାଏ। ବାସ୍ ସେଇ ସେତିକି ତାଙ୍କର ସମ୍ବଳ। ଆଉ ଅଧିକ କ’ଣ ସେମାନେ କିଛି ଜାଣନ୍ତି ନାହିଁ। ଖାଲି କାମ ଓ କାମ। ଦିନ ରାତି ସେ ଧନ୍ଦାରେ ଲାଗିଥାନ୍ତି । ସେଇଥିରେ ତାଙ୍କର ଆନନ୍ଦ ଓ ଆତ୍ମାର ପରିତୃପ୍ତି। ଦୁଃଖ ଅପମୋଦନ ନିମନ୍ତେ ବେଳେ ବେଳେ ତାଙ୍କ ପାଟିରୁ ଝରି ପଡେ କେଇପଦ ମିଠା କଥା – ନା ନା ନା ନୋହିଲେ ସଙ୍ଗୀତର ମଧୁର ଲଲିତ ସ୍ଵରର ମୂର୍ଚ୍ଛନା। ତଥାପି ପେଟ ଚାଖଣ୍ଡକ ପୂରେ ନାହିଁ। ସେତକ ପାଇଁ କ’ଣ ତାକୁ କଷ୍ଟ ଉଠାଇବାକୁ ନ ପଡେ ? ସଲପ ଗଛର ଚେର ଆଣି ହାଣ୍ଡିଆ ରାନ୍ଧେ। ରାତିରେ ନିଶାରେ ଖୁବ୍ ଝୁମେ। ଉତ୍କଟ ସ୍ଵରରେ ଗୀତ ଗାଏ। ନାଚି ନାଚି ବେଦମ ହୋଇଗଲେ ସେଇଠି ସେ ପଡିଯାଏ। କେହି ତାକୁ ଉଠାଇ ଆଣି ପିଣ୍ଡାରେ ଶୁଆଇ ଦିଏ, ନହେଲେ ସେଇଠି ତା’ର ରାତି ପାହିଯାଏ। ସକାଳୁ ଉଠି ନିଶା ଛାଡି ଗଲେ ପୁଣି କାମରେ ଧନ୍ଦାରେ ମାତି ଯାଏ। ବେଶ୍ ହର୍ଷ ଓ ବିଶାଦ ଭରା ଏଇ ତାଙ୍କର ଜୀବନ । ଯେଉଁଠି ସ୍ଵପ୍ନ ଗୁଡାକ ସବୁ ତା’ର ନିଶା ପାଖରେ ମରିଯାଏ। ଏହା ଠାରୁ ଆଉ ଆଗକୁ ଯାଇ ସେ କିଛି ଚିନ୍ତା କରି ପାରେ ନାହିଁ କି ଭାବି ପାରେ ନାହିଁ। ଏମାନେ ଏଇମିତି ନିଜର ଜୀବନ ଶୈଳୀରେ କୌଣସି ପରିବର୍ତ୍ତନ ନାହିଁ ।


ଏ ହେଉଛି ତୁଳାର ପରିବାର । ସ୍ବାମୀ ସ୍ତ୍ରୀ ଦୁଇଜଣ ଯାକ ଏହି କାମରେ ବୁଡି ରହିଥାନ୍ତି । ଜୀବନର ସୁଖଦୁଃଖ ଆନନ୍ଦ ବିଷାଦ ସବୁ ସେଥିରେ ହିଁ ଅନୁଭବ କରିଥାନ୍ତି । ଘରେ ବୁଢି ମାଆ ଆଉ ପୁଅ ବଇଦା । ବୁଢି ମା' ବଇଦା' ର ଆଖିର ପିତୁଳା । ବୟସର ଚାପରେ ଆଖିକୁ ଅଦୃଶ୍ୟ ଦେଖାଯାଉଥିବା ବୃଦ୍ଧ ଜେଜେ ମାଆ ପାଖରେ ରହିଯାଉଥିଲା ନାତି ବଇଦା । ନାତିଆ ନୁହେଁ ତ ସେ ସତେ ଯେମିତି ବୁଢ଼ୀର ହାତ ବାରିସୀ । ଠୁକଠାକ କରି ବୁଢି ଚାଉଳ ଗଣ୍ଡେ ଫୁଟେଇ ଦିଏ । ବାଡିର ଶାଗ ମୁଗ କି ବଡ଼ିଟାଏ ଅଥବା କେରାଣ୍ଡି ଟାଏ ପୋଡ଼ିଦେଲେ ହୋଇଯାଏ ଖାଇବାଟା । ବଇଦା ଟିକେ ବଡ ହେଲାଣି । ଜାଣିବାର ହେଲାଣି । ପାଠ ବଢିବାକୁ ପ୍ରବଳ ଇଛା । କିନ୍ତୁ ଆର୍ଥିକ ଅଭାଟ ଅନଟନ ମନଟା ବାଧକ ସାଜୁଛି । ପାଠ ପଢିବାର ଇଛା ଥିଲେ ଅର୍ଥର ଦ୍ବାହି ଦେଇ ଯାଇପାରେନି ଇସ୍କୁଲକୁ ବଇଦା । ତଥାପି ; ଗାଁ ଦାଣ୍ଡ ଦେଇ ଇସ୍କୁଲକୁ ଯାଉଥିବା ଛୁଆଙ୍କୁ ଦେଖିଲେ , ସେ ଚାତକ ପରି ଚାହିଁ ରୁହେ । ଆଖିରେ ଆଖିଏ ସ୍ବପ୍ନ ନେଇ ଖୁସି ହେଇଯାଏ । ସେ ବି ଦିନେ ଏମିତି ପିଠିରେ ବେଗ୍ ପକେଇ ଧାଇଁବ ଇସ୍କୁଲକୁ । ଆଉ ପାଠ ଦିଅକ୍ଷର ପଢି ବଡ଼ ମଣିଷଟେ ହବ । ଯେତେବେଳେ ଗାଁ ଶେଷ ମୁଣ୍ଡରେ ଥିବା ସ୍କୁଲରେ ଘଣ୍ଟା ବାଜିଉଠେ ଭାଙ୍ଗିଯାଏ ତାର ସ୍ବପ୍ନ ସବୁ । ଏମିତି ନୀତି ହୁଏ । ଝାଟି ମାଟିର ଛପର ଦେଇ ଖରା ଯେତେବେଳେ ଅଗଣା ଛୁଏଁ ବଇଦା ଜାଣିପାରେ ଇସ୍କୁଲ ସମୟ । ଆଉ ଲମ୍ବା ଗଛର ଛାଇ ଯେବେ ବାଡ଼ି ଓଳିତଳୁ ଖସିବାକୁ ଲାଗେ ସେ ଜାଣିପାରେ ଛୁଟି ହେବାର ଓ ପିଲା ଘରକୁ ଫେରିବାର ସମୟ । ଦୌଡ଼ି ଯାଏ ଗାଁ ଦାଣ୍ଡକୁ ତାରି ପରି ଛୋଟ ପିଲାମାନଙ୍କୁ ଦଳ ଦଳ ହୋଇ ଯିବା ଆସିବାର ଲୋଭନୀୟ ଦୃଶ୍ୟକୁ ଉପଭୋଗ କରେ । ମନରେ ଅସୁମାରୀ ସ୍ବପ୍ନ ଦେଖେ । ନିଜକୁ ପ୍ରଶ୍ନ କରେ ମୁଁ କ'ଣ ସେମାନଙ୍କ ପରି ପାଠ ଦିଅକ୍ଷର ପଢି ପାରିବି ନାହିଁ ?

ମନର କଥା ମନରେ ମାରି ରହେ। ବୁଢିଟି ସବୁ ଜାଣି ପାରେ ପିଲା ମନର କଥାକୁ ବୁଝିପାରେ । ତଥାପି ଫଳେଇ ହୋଇ ପଚାରେ କିରେ ବଇଦା ! କଣ ହୋଇଛି କିରେ ତୋର ? କ' ଣ ଏମିତି ପାମ୍ପେଡା ଶୁଖୁଆ ପରି ମୁହଁ ଟା କରିଛୁ ? ଭୋକ ହେଲାଣି କିରେ ବାପା ? ଏତିକିରେ ଭୋ , ଭୋ ହୋଇ କାନ୍ଦି ଉଠିଲା ବଇଦା । କ୍ଷମତା ସିନା ନାହିଁ ! ! ହେଲେ ତାର ପ୍ରବଳ ଇଛା । ପାଠପଢିବାକୁ ଢେର ସ୍ପୃହା । ଆଉ ସହିପାରିଲାଣି ବୁଢ଼ୀ ମାଆଟି । ଚିନ୍ତା କରି କଥାବାର୍ତ୍ତା ହୋଇ ଜେଜେ ମାଆ ନାତିଆ ଦୁହେଁ ସାହୁ ସାର୍ ଙ୍କ ଘର ଦୁଆରେ ହାଜର। ବୁଢ଼ୀ ମାଆଟି ଗୋଟେ ବାଡ଼ି ଲାଉ ଆଉ , ପାଣି କଖାରୁ ପିଣ୍ଡାରେ ଥୋଇଦେଇ କହିଲା - ଆଜ୍ଞା, ଆପଣ ତେମେ । ସାରେ ପଚାରିଲେ କ'ଣ ହେଲା ? ଏହାକୁ ବିକିବାକୁ ଆଣିଛ ନା କ'ଣ ? ବୁଢୀ ମାଆ'ଟି କିଛି ନ କହି ଆଗ ମୁଣ୍ଡିଆଟେ ମାରିଲା । ତା' ପରେ କହିଲା ମୋ ନାତି ଛୁଆଟାର ପାଠ ପଢିବାକୁ ଢେର ଇଛା । ମାତ୍ର ପଇସା ପତ୍ରର ଅସୁବିଧା ଯୋଗୁ ତାକୁ ପାଠ ପଢେଇ ପଢିପାରୁ ନାହିଁ । ତୁ କ'ଣ ଗୋଟେ କରନା ବାବୁ ! ତେମେ ଆପଣେ ଚାହିଁଲେ ! ସବୁ ହେବ ମୁଁ, ପଇସା ନହେଲେ ନାହିଁ , ମୋ ବାଡ଼ି ଘରେ ଯାହା ଶାଗ ମୁଗ ଅଛି ମୁଁ ଦେଇ ଶୁଝିଦେବି ।

ସାହୁ ସାର୍ ଦେଖିଲେ ପିଲାଟିର ଅଦମ୍ୟ ଇଛା । ପାଠ ପଢିବାର ଖୁସି ତାର କହିଲେ ନ ସରେ। ତାର ଯଦି ଏତେ ଆଗ୍ରହ ସାର୍ ତାକୁ ବହି ଖାତା କଲମ ସବୁ ଆଣି ଘରେ ଦେଇ ଦେଲେ ଅସୁବିଧା କଣ ଅଛି ? ଆଗାମୀ ଦିନରେ ହଷ୍ଟେଲ ସ୍କୁଲରେ ଜଏନ କରିବା ପାଇଁ ପ୍ରସ୍ତାବ ଦେଲେ । ବୁଢୀ ରାଜି ହୋଇଗଲା। ସାହୁ ସାର୍ ପ୍ରଧାନ ଶିକ୍ଷକଙ୍କ ସହିତ କଥା ହୋଇ ଜଣାଇବି ବୋଲି ପ୍ରତିଶ୍ରୁତି ଦେଲେ । ଏତିକିରେ କୁରୁଳି ଉଠିଲା ବଇଦାର ମନଟା । ଦୁହିଁଙ୍କର ଶୁଖିଲା ଓଠରୁ ଝରିଗଲା ଦରଫୁଟା ହସ ଚେନାଏ । ସମୟ କ୍ରମରେ ବଇଦା ହଷ୍ଟେଲ ସ୍କୁଲରେ ରହି ପାଠ ପଢିଲା । ତାର ଅଦମ୍ୟ ଇଚ୍ଛା ଶକ୍ତି ତାକୁ ଆଗକୁ ବଢିବାରେ ସହାୟକ ହେଲା । ସ୍କୁଲରେ ଭଲ ପାଠ ପଢି ନାଁ କମାଇଲା। ବକ୍ତୃତା ପ୍ରତିଯୋଗୀତା ହେଉ ଅଥବା ସାଧାରଣଜ୍ଞାନ ପ୍ରତିଯୋଗିତା ସବୁଥିରେ ବିଦ୍ୟାଳୟର ସୁନାମ ଅର୍ଜନ କଲା । ବିଦ୍ୟାଳୟର ଗୁରୁଜୀ ଗୁରୁମାଙ୍କ ଠାରୁ ଆରମ୍ଭ କରି ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ପ୍ରଶଂସା ସାଉଁଟିଲା । ଆଗକୁ ବଢିବାର ପ୍ରେରଣା ପାଇଲା । ନମ୍ର ଭଦ୍ର ଶୃଙ୍ଖଳିତ ଜୀବନ ତାକୁ ଆଗକୁ ବଢିବାରେ ସହଯୋଗୀ ହେଲା । ଏମିତି ସୁନାମ ଅର୍ଜନ କଲା ଯେ ପଛକୁ ଫେରିବାର ଜୁ ରଖିଲା ନାହିଁ । ମାଟ୍ରିକରେ ଭଲ ନମ୍ବର ରଖି ବିଦ୍ୟାଳୟ ନାମ ଆଗକୁ ବଢାଇଲା । ବାପା ମାଆ ଜେଜେ ମାଆଙ୍କ ଖୁସି କହିଲେ ନ ସରେ । ଏବେ କଲେଜରେ କେଉଁଠି ପଢିବ ସମସ୍ତଙ୍କର ଚିନ୍ତା । 

ଜଣେ ଭଦ୍ର ଶିକ୍ଷିତ ମହାନୁଭାଵ ବ୍ୟକ୍ତି ତାଆଡ଼କୁ ସହଯୋଗର ହାତ ବଢାଇଲେ । ଭୁବନେଶ୍ବର ନେଇ ପାଠ ପଢାଇବାକୁ ପ୍ରତିଶ୍ରୁତି ଦେଲେ। ବଇଦାର ବାପା ମାଆ ରାଜି ହେଲେ । ତା'ପରେ ସାହୁ ସାର୍ ଙ୍କ ସେଠାରୁ ବଦଳି ହୋଇ ଯାଇଥିଲା। ବଇଦା ବିଷୟରେ ସେ ଆଉ ଅଧିକ ଜାଣି ପାରି ନ ଥିଲେ। କିନ୍ତୁ ଆଜି ଏଭଳି ଅବସ୍ଥାରେ ପାଇ ନିଜକୁ ଧନ୍ୟ ମନେ କଲେ । ନିଜର ନିଷ୍ଠା ଓ ଦୃଢ଼ ମନୋବଳ ତାକୁ ଏ ସ୍ଥାନରେ ଆଣି ଉପସ୍ଥାପିତ କରିଛି । ଖୁସି ଲାଗିଲା । ଜଣେ ଗୁରୁ ପାଇଁ ଆଉ କ'ଣ ଅଧିକ ହୋଇପାରେ ? ତୁଳସୀ ଦୁଇପତ୍ରରୁ ବାସିଲା ପରି ତାର ବାସ ଏବେ ଚତୁର୍ଦ୍ଦିଗ ମହକୁଛି। ଗୋଟିଏ ଛୋଟ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ନିଜର ନାମକୁ ନିଜେ ବଢାଇ ପାରିଛି । ସାହୁ ସାର୍ ଆଜି ଭାରି ଗର୍ବିତ । ତାଙ୍କର ଛାତ୍ରଟି ଦେଶ ବିଦେଶରେ ନାମ କମାଇଲା ତା'ଠାରୁ ଆଉ ଅଧିକ ତାଙ୍କର ପାଇଁ କଣ ହୋଇପାରେ ? ଶିକ୍ଷକଟି ତାର ଜୀବନରେ ଆଇ ଏସ୍ ଅଫିସର, ଡାକ୍ତର ଇଞ୍ଜିନିୟରି ହୋଇପାରେ ନାହିଁ କିନ୍ତୁ ସୃଷ୍ଟି କରିପାରେ । ବଇଦା ଠାରୁ ଚିକିତ୍ସିତ ହୋଇ ଫେରୁଥିଲା ବେଳେ ସାହୁ ସାର୍ ଙ୍କୁ ଲାଗୁଥିଲା ରୋଗ ତ କେଉଁକାଳରୁ ତାରିସିଏ ଭଲ ହୋଇ ଯାଇଛି । ଆଉ ତାଙ୍କର ଛାତିଟା କୁଣ୍ଢେମୋଟ ହୋଇ ଆଗକୁ ଚାଲିଛନ୍ତି ରାସ୍ତାଟା ଜଣା ପଡୁ ନ ଥାଏ । ସେ ନିଜକୁ ଭାବି ହେଉଥିଲି ଜଣେ ସଫଳ ରୂପକାର ।


Rate this content
Log in