ରୋଷେଇ କିଏ କରିଛି
ରୋଷେଇ କିଏ କରିଛି


ସ୍ୱାଦ ଓ ଘ୍ରାଣ ଶକ୍ତି ମୋର ଭାରି ପ୍ରଖର। ତା ସହିତ ଦୃଷ୍ଟି ମଧ୍ୟ ତୀକ୍ଷ୍ଣ। ଏପରିକି ନ ଚାଖି ଖାଲି ଆଖିରେ ଦେଖି ଦେଇ ମଧ୍ୟ ମୁଁ କହି ଦେଇପାରେ ରୋଷେଇ ଭଲ ହେଇଛି କି ନାହିଁ। ସେଦିନ ଭଜାରୁ ଟିକିଏ ପାଟିକୁ ନେଇଛି କି ନାହିଁ, ଅତ୍ୟଧିକ ମାତ୍ରାରେ ଲୁଣର ପ୍ରାଦୁର୍ଭାବ ମୋ ଜିଭର ସ୍ୱାଦଗ୍ରନ୍ଥିଗୁଡ଼ିକୁ ଆକ୍ତାମାକ୍ତା କରିଦେଲା। ମୁଁ ଯଥା ସମ୍ଭବ ସଂଯତ ଭାବରେ ଭଉଣୀଦୁହିଁଙ୍କୁ ଚାହିଁ ପଚାରିଲି, ଭଜା କିଏ ରୋଷେଇ କରିଛି? ସାନଭଉଣୀଟି କହିଲା, ମୁଁ ରୋଷେଇ କରିଛି, କଣ ହେଲା କି? ମୁଁ ଆଉ ରାଗ ସମ୍ଭାଳି ପାରିଲି ନାହିଁ। କହିଲି, ତୋ ଚଉଦ ପୁରୁଷରେ କେବେ କିଏ ରୋଷେଇ କରିଛି? କେତେ ଭଜାରେ କେତିକି ଲୁଣ ଦରକାର ଜଣା ନାହିଁ, ଏମିତି ଶିଖୁଛୁ ରୋଷେଇ? ବାଢ଼ିବାକୁ ଦେବା ଆଗରୁ ଚାଖିବା ମଧ୍ୟ ଜାଣିନୁ? ସାନ ଭଉଣୀ ଚୁପ୍। ବଡ଼ ଭଉଣୀ କହିଲା, ମୁଁ କହୁଛି ଟିକିଏ କମ୍ ଲୁଣ ଦେବାକୁ, ଢ଼ାଳି ଦେଇଗଲା। ଶୁଣୁଛି କି କାହା କଥା?
ପ୍ରକୃତ କଥା ହେଲା ମୋ ଭଉଣୀ ଦୁହେଁ ଭଲ ରୋଷେଇ ଜାଣନ୍ତି। ତାଙ୍କ ହାତ ପରସା ନାନା ବିଧର ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇ ଖାଇ ମୁଁ ଏତେ ଅଭ୍ୟସ୍ତ ଯେ ଭୁଲ୍ ବଶତଃ ଆବଶ୍ୟକତା ଠାରୁ ଟିକିଏ ଲୁଣ, ରାଗ କି ମସଲା ଅଧିକ ହେଲେ ମୋ ଜିଭକୁ ଖଟ୍.କେ। ପୁଣି ସହଜେ ମୁଁ କ୍ଷଣକୋପୀ। ପୁଣିଥରେ ଦିନେ ମୋର ଏକ ପ୍ରୀୟ ବ୍ୟଞ୍ଜନରେ ଲଙ୍କାର ମାତ୍ରା ଅଧିକ ପାଇ ମୁଁ ପଚାରିଲି, ରୋଷେଇ କିଏ କରିଛି? ବଡ଼ ଭଉଣୀ କହିଲା, ମୁଁ ରୋଷେଇ କରିଛି, କଣ ହେଲା କି? ଘରେ ଗୋଟେ ପାଲା ଲାଗିଛି, ନାହିଁ? ଯାହାକୁ ଯାହା ମନକୁ ଆସିଲା ଢ଼ାଳି ଦେଉଛ। ତମକୁ ମୁଁ ବାରମ୍ବାର କହୁଛି ବାଢ଼ିବା ପୂର୍ବରୁ ଚାଖିବା ପାଇଁ, ରୋଷେଇ ତ ଯାହା, ସ୍ୱାଦ ଚାଖିବା ପାଇଁ ମଧ୍ୟ ସମୟ ନାହ
ିଁ ତମମାନଙ୍କ ପାଖରେ। ବ୍ୟଞ୍ଜନ ଛାଡ଼ି ନ ପାରି ଖାଉଥାଏ, ବଡ଼ ଭଉଣୀ ଉପରେ ଗାଳି ବର୍ଷଣ ଚାଲିଥାଏ। ବଡ଼ ଭଉଣୀ ଚୁପ୍। ସାନ ଭଉଣୀ କହିଲା, ମୁଁ କହୁଛି, ଲଙ୍କା ଦେଇସାରିଛି। ମୋର ମନା କରିବା ଭିତରେ ନାନୀ ଦ୍ୱିତୀୟ ଥର ଢ଼ାଳିଦେଲା ଲଙ୍କାଗୁଣ୍ଡ।
ଇତି ମଧ୍ୟରେ ବିତି ଯାଇଛି ଅନେକ ଦିନ। ଭଉଣୀ ଦୁହିଁଙ୍କର ବାହାଘର ସରିଯାଇଛି। ପିଲାଛୁଆଙ୍କୁ ନେଇ ଖରାଛୁଟିରେ ଘରକୁ ଆସିଛନ୍ତି ଉଭୟ। ମୁଁ ଅଫିସ୍.ରୁ ଫେରି ସମସ୍ତଙ୍କୁ ଦେଖି ଭାରି ଖୁସି ହୋଇଗଲି। ପିଲାମାନଙ୍କର କୋଳାହଳରେ ଘରର ପରିବେଶ ଭାରି ଭଲ ଲାଗୁଥିଲା। ମୁଁ ହାତମୁହଁ ଧୋଇ ଖାଇବା ପାଖରେ ବସି ପଡ଼ିଲି। ନାନାଦି ପ୍ରକାର ବ୍ୟଞ୍ଜନରେ ମୋର ଥାଳି ଭରିଦେଲେ ଦୁଇଭଉଣୀ। ସବୁଥିରୁ ଟିକିଏ ଟିକିଏ ପାଟିକୁ ନେଇ ମୁଁ ପ୍ରଶ୍ନ କଲି, ରୋଷେଇ କିଏ କରିଛି? ଭଉଣୀଦୁହିଁଙ୍କର ମୁହଁ ଶୁଖିଗଲା। କେହି ମୁହଁ ଖୋଲିବାକୁ ସାହସ କଲେ ନାହିଁ। ଉଭୟେ ଉଭୟଙ୍କ ମୁହଁକୁ ଚାହିଁ ଦେଇ ନ ଶୁଣିଲା ପରି ରହିଗଲେ। ତାଙ୍କ ହାବଭାବ କହି ଦେଉଥିଲା ସବୁଥର ପରି ଏଥର ମଧ୍ୟ ବାଢ଼ିବା ପୂର୍ବରୁ ସ୍ୱାଦ ଚାଖିନାହାନ୍ତି । ମୋର ପଚାରିବା ପରେ ମୋତେ ଲୁଚେଇ ଭଉଣୀ ଦୁଇଜଣ ଚାଖି ଚାଲିଥିଲେ ସବୁଥିରୁ ଅଳ୍ପ ଅଳ୍ପ। ମୁହଁରେ ତାଙ୍କର ଭ୍ରୁକୁଞ୍ଚନ। ତାଙ୍କର ସେଇ ଶୋଚନୀୟ ଅବସ୍ଥା ଦେଖି ମୁଁ ନ ହସି ରହିପାରିଲି ନାହିଁ। କହିଲି, ରୋଷେଇ ଭଲ ହେଇଛି ବୋଲି ପ୍ରଶଂସା ବି କରି ପାରିବି ନାହିଁ କି? ତମ ଭାଉଜ ହାତରୁ ଖାଇ ଖାଇ ମୁଁ ଭୁଲି ଗଲିଣି ଅନ୍ନ ବ୍ୟଞ୍ଜନାଦିର ପ୍ରକୃତ ସ୍ୱାଦ। ଏତେ ଦିନ ପରେ ପାଟିକୁ ଖାଦ୍ୟ ଋଚିଲା ତ ସେଇଥିପାଇଁ ପଚାରିଦେଲି। ଭଉଣୀଦୁହିଁଙ୍କ ମୁହଁ ଉଜ୍ଜଳ ଦିଶିଲା। ସେମାନେ ମୋ ଆଡ଼କୁ ମୁହଁ କରି ହସିଲେ ମନ ଖୋଲି।