ରାକ୍ଷୀ
ରାକ୍ଷୀ
ବାର ମାସ ରେ ଏଠି ତେର ପର୍ବ l ଓଡିଶା ବାସୀ ପର୍ବ ପର୍ବାଣୀ ଆସିଲେ ହୋଇ ଉଠନ୍ତି ଚଳ ଚଞ୍ଚଳ l ଵିଧି ବିଧାନକୁ ଅତି ନିଷ୍ଠା ରେ ପାଳନ କରନ୍ତି l ଯାହା ଆମ ସଂସ୍କୃତି ଓ ପରମ୍ପରା କୁ ସମଗ୍ର ବିଶ୍ୱ ଦରବାର ରେ ଗୌରବାନ୍ୱିତ କରିଥାଏ l ବିଶ୍ୱ ପ୍ରସିଦ୍ଧ କାଳିଆ ଠାକୁରଙ୍କ ରଥଯାତ୍ରା ତାର ପ୍ରତୀକ l ସେହିପରି ଏକ ପର୍ବ ହେଲା ରାକ୍ଷୀ ପୂର୍ଣ୍ଣିମା l ଯେଉଁ ଦିନ ଭଉଣୀ ଟିଏ ଭାଇ ହାତରେ ବାନ୍ଧି ଦିଏ ସ୍ନେହ ଆଉ ପ୍ରେମ ର ବନ୍ଧନ l
ପର୍ବ ପର୍ବାଣୀ ଦ୍ୱାରା ଭାଇଚାରା ଓ ସାମାଜିକ ବନ୍ଧନ ଅଧିକ ମଜବୁତ ହୋଇଥାଏ l ସମସ୍ତ ଙ୍କ ମନରେ ଆନନ୍ଦ ଓ ଉଲ୍ଲାସ ଭରିଥାଏ l କିନ୍ତୁ ସମସ୍ତ ଙ୍କ ଜୀବନରେ ଏହା ଆନନ୍ଦ ଭରେନି ଖେଳିଯାଏ ବିଷାଦ ର କଳା ଛାୟା l
ରାକ୍ଷୀ ପୂର୍ଣ୍ଣିମା ଆଗ ଦିନ ଶ୍ରେଣୀ ରେ ପ୍ରବେଶ କରୁ କରୁ ପିଲାମାନେ କହିଲେ, ଜାଣିଛ ଗୁରୁମା କାଲି ଛୁଟି l କାଲି ଆମେ ରାକ୍ଷୀ ବାନ୍ଧିବୁ କିଏ କହୁଥିଲା ମୋ ଭାଇ ପାଇଁ ମୁଁ ଜଗନ୍ନାଥ ରାକ୍ଷୀ ଆଣିଛି l କିଏ ପୁଣି କହୁଥିଲା ମୁଁ ଚେନ୍ ରାକ୍ଷୀ ଆଣିଛି l କିଏ କହୁଥିଲା ମୁଁ ଡ୍ରେସ୍, କଲର୍ ପେନସିଲ୍, ପେନ୍ କିଣିଛି ମୋ ଭଉଣୀ କୁ ଦେବା ପାଇଁ ଉପହାର ବାପା କିଣି ଦେଇଛନ୍ତି l କିନ୍ତୁ ସମସ୍ତ ଙ୍କ କୋଳାହଳ ଭିତରେ ଅଙ୍କିତା ଲକ୍ଷ୍ମୀ ବୋଲି ଝିଅ ଟିଏ ଆଖିକୁ ଛଳ ଛଳ କରି ସମସ୍ତ ଙ୍କ କଥା ଶୁଣୁଥାଏ l ତାକୁ ଦେଖି ମୁଁ ପାଖକୁ ଡାକିଲି l ପ୍ରଥମ ଶ୍ରେଣୀ ପଢୁଥିଲା ସେ l ପର୍ବ କଣ ରାକ୍ଷୀ କଣ ସେ କିଛି ଜାଣି ନଥିଲା ସେ l ତାର ଦୁନିଆ କହିଲେ ତା ମା ଓ ସେ l ତାକୁ ଯେତେବେଳେ ଗୋଟିଏ ମାସ ତା ପିତାଙ୍କ ଅକାଳ ବିୟୋଗ ଘଟିଥିଲା l
ତା ମନରେ ଉଠୁଥିବା ପ୍ରଶ୍ନ ମୁଁ ବେଶ ବୁଝିପାରିଲି ଯାହା ତା ଛଳ ଛଳ ଆଖି ପରିପ୍ରକାଶ କରୁଥିଲା l
ମୁଁ କାହାକୁ ରାକ୍ଷୀ ବାନ୍ଧିବି? ମୋ ହାତରୁ କଣ କେହି ରାକ୍ଷୀ ବାନ୍ଧିବେନି?
କୋଳକୁ ନେଇ କହିଲି ତୁ କାଲି ମନ୍ଦିର ଯିବୁ, ଏଇ ରାକ୍ଷୀ ଦୁଇଟି ନେ ଜଗା ବଳିଆ ଠାକୁରଙ୍କୁ ବାନ୍ଧି ଦେବୁ l ସେ ତୋର ଦୁଇ ଭାଇ l ସେ ତୋର ସବୁ ଇଚ୍ଛା ପୂରଣ କରିବେ l
