Kulamani Sarangi

Children Stories

3.4  

Kulamani Sarangi

Children Stories

ରାଜସୁତା କ୍ଲିଓପାଟ୍ରା

ରାଜସୁତା କ୍ଲିଓପାଟ୍ରା

5 mins
12.4K



(ଐତିହାସିକ ଗଳ୍ପ)

===========


ଇତିହାସରେ ପୃଷ୍ଠାରେ ଏଭଳି ରୋମାଞ୍ଚକର ଘଟଣାବଳୀ ଦେଖିବା ପାଇଁ ମିଳେ, ଯାହା କଳ୍ପନା ପ୍ରସୂତ ଗଳ୍ପଠାରୁ ମଧ୍ୟ ଆହୁରି ରୋମାଞ୍ଚକର। ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ମିଶରରେ ରାଜତ୍ଵ କରୁଥିବା ଟଲେମି ନନ୍ଦିନୀ କ୍ଲିଓପାଟ୍ରାଙ୍କ ଜୀବନ କାହାଣୀ ସେହି ଶ୍ରେଣୀର ଅନ୍ତର୍ଭୁକ୍ତ।କ୍ଲିଓପାଟ୍ରାଙ୍କ ଉପରେ କେତେଯେ ନାଟକ ଉପନ୍ୟାସ କବିତା ଏବଂ ପ୍ରବନ୍ଧ ରଚିତ ହୋଇଛି ତାର ସୀମା ନାହିଁ।କିଛି ଲେଖକ ତାଙ୍କୁ ଅଦ୍ୱିତୀୟ ସୁନ୍ଦରୀ ବୋଲି ବର୍ଣ୍ଣନା କରିଛନ୍ତି ତ କିଛି ତାଙ୍କୁ ସାଧାରଣ ସୌନ୍ଦର୍ଯ୍ୟର ଅଧିକାରିଣୀ ଭାବରେ ବର୍ଣ୍ଣନା କରିଛନ୍ତି। କେତେକ ତାଙ୍କର ନାକଟିକୁ ଶୁଆ ନାକ ସହିତ ତୁଳନା କରିଛନ୍ତି ତ କିଛି ତାଙ୍କୁ ଶାବନା ରଙ୍ଗର ନାରୀ ଭାବରେ ବର୍ଣ୍ଣନା କରି ତାଙ୍କୁ ବ୍ଲାକ୍ ବିୟୁଟି ବୋଲି ବର୍ଣ୍ଣନା କରିଛନ୍ତି। 


ଅନେକ ଲେଖକ ତାଙ୍କ ଚରିତ୍ର ଉପରେ ଆକ୍ଷେପ କରି ତାଙ୍କୁ ଶତଶଯ୍ୟାର ନାୟିକା ଭାବରେ ଚିତ୍ରିତ କରିଛନ୍ତି। କିନ୍ତୁ ମିଶରରେ ଦୀର୍ଘ ତିରିଶି ବର୍ଷ ଶାସନ କରିଥିବା ଏହି ଶାସିକା ଯେ ଅଭୂତପୂର୍ବ ବୁଦ୍ଧିମତାର ଅଧିକାରିଣୀ ଥିଲେ ତଥା ମିଶରକୁ ପ୍ରବଳ ପରାକ୍ରାନ୍ତ ରୋମାନ ସାମ୍ରାଜ୍ୟର ଲୋଲୁପ ଦୃଷ୍ଟିରୁ କୂଟନୀତି ବଳରେ ରକ୍ଷା କରିପାରିଥିଲେ ତାହା ଆମ୍ଭେମାନେ ମନେରଖିବା ଉଚିତ୍। ତାଙ୍କୁ ଯେତେବେଳେ ମାତ୍ର ନଅ ବର୍ଷ ବୟସ ସେତେବେଳେ ସେ ପିତାଙ୍କ ସହିତ ମିଶରର ଶାସନ କାର୍ଯ୍ୟରେ ସମ୍ପୃକ୍ତ ହୋଇ ଯାଇଥିଲେ।


ପ୍ରକୃତରେ ସେ ଶତଶଯ୍ୟାର ନାୟିକା ନଥିଲେ।ପ୍ରଥମେ ଜୁଲିୟସ୍ ସିଜର ଏବଂ ସିଜରଙ୍କ ମୃତ୍ୟୁ ପରେ ମାର୍କ ଆଣ୍ଟୋନିଙ୍କ ସହିତ ତାଙ୍କର ଦାମ୍ପତ୍ୟ ସମ୍ପର୍କ ଥିଲା।ଏହି ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କ ସହିତ ତାଙ୍କର ଅନୈତିକ ସମ୍ପର୍କ ଥିବା କଥା ଇତିହାସରେ କେଉଁଠାରେ ବର୍ଣ୍ଣନା କରାଯାଇ ନାହିଁ।ସେ ଯାହା ହେଉ ବହୁଚର୍ଚ୍ଚିତ ଏହି ମିଶରୀୟ ରାଜକନ୍ୟାଙ୍କ ବିଷୟରେ ଅନେକ ଜଣା ଅଜଣା କଥା ଜାଣିବା ଆସନ୍ତୁ।


କ୍ଲିୟୋପାଟ୍ରା ବାସ୍ତବରେ ମିଶରୀୟ ନଥିଲେ।ସେ ବିଶ୍ବବିଜୟୀ ଆଲେକଜାଣ୍ଡାରଙ୍କ ସେନାପତି ଟଲେମି(ପ୍ରଥମ)ଙ୍କ ବଂଶଧର ଥିଲେ। ଖ୍ରୀଷ୍ଟପୂର୍ବ ୩୨୯ ଶତାବ୍ଦୀରେ ଯେତେବେଳେ ଇଜିପ୍ଟ୍ ଜୟକରି ମାସିଡୋନିଆ ରାଜପୁତ୍ର ସମ୍ରାଟ ଆଲେକଜାଣ୍ଡାର ଫେରି ଆସିଥିଲେ, ସେତେବେଳେ ସେ ତାଙ୍କର ପ୍ରବୀଣ ସେନାପତି ଟଲେମି(ପ୍ରଥମ)ଙ୍କୁ ମିଶରର ଶାସନ ଭାର ସମର୍ପଣ କରି ଆସିଥିଲେ।ଟଲେମିଙ୍କର ଏହି ଗ୍ରୀସୀୟ ବଂଶଧାରା ବଜାୟ ରଖିବାପାଇଁ ତାଙ୍କ ପରବର୍ତ୍ତୀ ରାଜାମାନେ ମଧ୍ୟ ନିଜକୁ ଟଲେମି ନାମରେ ନାମିତ କରୁଥିଲେ। ସେହି ବଂଶର ଦ୍ବାଦଶ ଟଲେମିଙ୍କ କନ୍ୟା ଥିଲେ କ୍ଲିଓପାଟ୍ରା। ଖ୍ରୀଷ୍ଟପୂର୍ବ ୬୯ ରେ ତାଙ୍କର ଜନ୍ମ ଏବଂ ମାତ୍ର ୩୯ ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଥିଲେ।ଏହି କ୍ଷୁଦ୍ର ସମୟ ସୀମା ଭିତରେ ସେ ନିଜର ଅପୂର୍ବ ସୌନ୍ଦର୍ଯ୍ୟ, ବୁଦ୍ଧିମତା ଏବଂ ସାହସିକତା ପାଇଁ ଇତିହାସ ପୃଷ୍ଠାରେ ଅମର ହୋଇ ରହିଯାଇଛନ୍ତି।


 ରାଜବଂଶର ଧମନୀରେ ବହୁଥିବା ରକ୍ତ ସହିତ ଅନ୍ୟ କାହାର ରକ୍ତ ମିଶ୍ରିତ ହୋଇ ତାହା ଯେପରି ଅପବିତ୍ର ନହେଉ ସେଥିପାଇଁ ଏହି ରାଜପରିବାର ଭିତରେ ଭାଇ-ଭଉଣୀଙ୍କ ଭିତରେ ବିବାହ ସଂଘଟିତ ହେଉଥିଲା।ଶୁଣାଯାଏ କ୍ଲିଓପାଟ୍ରାଙ୍କ ପିତା ଟଲେମି(ଦ୍ବାଦଶ) ଏବଂ ମାତା ଷଷ୍ଠ-କ୍ଲିଓପାଟ୍ରା(Tryphaena) ଗୋଟିଏ ମା'ପେଟରୁ ଜନ୍ମିତ ଭାଇ ଭଉଣୀ ଥିଲେ।


ପିତା ଦ୍ବାଦଶ ଟଲେମି ଯେତେବେଳେ ପ୍ରାଣତ୍ୟାଗ କଲେ ସେତେବେଳେ କ୍ଲିଓପାଟ୍ରାଙ୍କ ବୟସ ମାତ୍ର ଅଠର ବର୍ଷ। ବଂଶର ନିୟମ ଅନୁସାରେ ସେ ତାଙ୍କ ଦଶବର୍ଷ ବୟସର ସାନଭାଇ ତ୍ରୟୋଦଶ ଟଲେମିଙ୍କ ସହିତ ରାଜ୍ୟଭାର ଗ୍ରହଣ କଲେ ଏବଂ ତାଙ୍କୁ ବିବାହ କଲେ ମଧ୍ୟ। ବଂଶ ପରମ୍ପରାକୁ ସମ୍ମାନ ଦେଇ ଭାଇକୁ ବିବାହ କଲେ ମଧ୍ୟ କ୍ଲିୟୋପାଟ୍ରାଙ୍କର ଭାଇ ସହିତ କିଛି ସମ୍ପର୍କ ନଥିଲା।ତ୍ରୟୋଦଶ ଟଲେମିଙ୍କ ବୟସ ମାତ୍ର ଦଶ ବର୍ଷ;କିନ୍ତୁ ତାଙ୍କର ପରାମର୍ଶଦାତା ମାନେ ଭୟଙ୍କର ସର୍ପ ସହିତ ସମାନ ଥିଲେ। ରାଜପ୍ରାସାଦ ଭିତରେ ଭୟଙ୍କର ଷଡଯନ୍ତ୍ର ସୃଷ୍ଟି ହେଲା।ତେଣୁ ଜୀବନ ରକ୍ଷା ପାଇଁ ୧୯ବର୍ଷ ବୟସରେ ଖ୍ରୀଷ୍ଟପୂର୍ବ ୪୯ ରେ,କ୍ଲିଓପାଟ୍ରା ସିରିଆକୁ ପଳାୟନ କଲେ।


ମିଶରରେ କିନ୍ତୁ ତାଙ୍କର ଅନେକ ସମର୍ଥକ ଥିଲେ। ତା'ପର ବର୍ଷ ତାଙ୍କର ସମର୍ଥକଙ୍କ ସହାୟତାରେ ଭାଇ ତ୍ରୟୋଦଶ ଟଲେମିଙ୍କୁ ଗାଦିଚ୍ୟୁତ କରିବା ପାଇଁ କ୍ଲିଓପାଟ୍ରା ଇଜିପ୍ଟର ପୂର୍ବ ସୀମାନ୍ତରେ ଅବସ୍ଥିତ ପେଲୁଭିୟମ୍ ନାମକ ସ୍ଥାନରେ ପହଞ୍ଚିଲେ।


ଗୃହ ଯୁଦ୍ଧ ଆସନ୍ନ ପ୍ରାୟ।ଏହି ସମୟରେ ଏଭଳି ଏକ ଘଟଣା ଘଟିଲା ଯାହା ରୋମ୍ ଏବଂ ମିଶରର ରାଜନୀତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଲା।ରୋମର ମହାନ ଯୋଦ୍ଧା ତଥା ଏକଦା ଜୁଲିୟସ୍ ସିଜରଙ୍କର ସମର୍ଥକ ପମ୍ପେ ସେ ସମୟରେ ସିଜରଙ୍କର ଶତ୍ରୁ ପାଲଟି ଯାଇଥାନ୍ତି।ପମ୍ପେଙ୍କର ପିଛାକରି ରୋମାନ ଶାସକ ଜୁଲିୟସ ସିଜର୍ ମିଶରର ସୀମାରେ ପହଞ୍ଚି ଯାଇଥାନ୍ତି।


ପମ୍ପେଙ୍କୁ ପ୍ରଥମେ ନିଜରାଜ୍ୟରେ ଶରଣ ଦେଲେ ତ୍ରୟୋଦଶ ଟଲେମି(କ୍ଲିୟୋପାଟ୍ରାଙ୍କ ଗାଦିସୀନ ଭାଇ)।ପରେ ସିଜରଙ୍କୁ ଖୁସି କରିବା ପାଇଁ ସେ ପମ୍ପେଙ୍କୁ ହତ୍ୟା କରି କଟା ମୁଣ୍ଡକୁ ସିଜର୍ ଙ୍କ ପାଖକୁ ପଠାଇ ଦେଲେ। ଶତ୍ରୁ ହେଲେ ମଧ୍ୟ ଜଣେ ବୀରଙ୍କ ପ୍ରତି ତ୍ରୟୋଦଶ ଟଲେମିଙ୍କର ବିଶ୍ବାସ ଘାତକତା ସିଜରଙ୍କୁ ଖୁସି କରିବା ପରିବର୍ତ୍ତେ ବିରକ୍ତ କଲା।ପମ୍ପେଙ୍କ ରକ୍ତାକ୍ତ କଟାମୁଣ୍ଡ ଦେଖି ଦୁଃଖରେ ବିଳାପ କଲେ ସିଜର୍।


କ୍ଲିଓପାଟ୍ରା ଏସବୁ ଘଟଣାବଳୀ ଲକ୍ଷ୍ୟ କରୁଥାଆନ୍ତି। ଅସୀମ ବୁଦ୍ଧିମତୀ ଥିଲେ ରାଜକନ୍ୟା। ଗୋଟିଏ ଲାଲ୍ ରଙ୍ଗର ମଖମଲ୍ ଗାଲିଚା ଭିତରେ ଗୁପ୍ତରେ ରହି ସିଜରଙ୍କ ସମ୍ମୁଖରେ ନିଜକୁ ଭେଟି ଦେଲେ ସେ ।ସିଜରଙ୍କ ସାମ୍ନାରେ ଯେତେବେଳେ ଗାଲିଚାଟି ଖୋଲି ଦିଆଗଲା ତାଭିତରୁ ବାହାରି ଆସିଲେ ଅପୂର୍ବ ସୁନ୍ଦରୀ, ଆଲେକଜାଣ୍ଡ୍ରିଆର ବିସ୍ମୟ ରାଜକୁମାରୀ ବିଂଶ ବୟସୀ କ୍ଲିଓପାଟ୍ରା।ବ୍ୟାସକବି ଫକୀରମୋହନ ସେନାପତି ତାଙ୍କ କ୍ଲିଓପାଟ୍ରା କବିତାରେ ଲେଖିଛନ୍ତି:---


"ଇତିହାସ ଗାଏ ଯେଉଁ ବୀରଙ୍କ ମହିମା,

ନାରୀ ରୂପାନଳେ ଭସ୍ମ ସମସ୍ତ ଗାରିମା।

ରମଣୀ ଅପାଙ୍ଗ ଲୀଳା ବିଲୋପ ଦୃଷ୍ଟିରେ,

ତୁଚ୍ଛ ତୁଳାପରି ଉଠିଗଲେ ମହାବୀରେ !!"


ସିଜରଙ୍କୁ ବହୁତ୍ ଭଲ ଲାଗିଲା କ୍ଲିୟୋପାଟ୍ରାଙ୍କର ଏଭଳି ଭାବରେ ନିଜକୁ ପରିବେଷଣ କରିବାର ଭଙ୍ଗି।ବିସ୍ମୟ ବିସ୍ତାରିତ ନେତ୍ରରେ ବିଶ୍ବସୁନ୍ଦରୀଙ୍କୁ ଦେଖି ନିଜକୁ ଆୟତ୍ତ କରିପାରିଲେ ନାହିଁ ଜୁଲିୟସ୍ ସିଜର୍। 


ଏହିଠାରୁ ଆରମ୍ଭ ହୁଏ ସିଜର୍- କ୍ଲିଓପାଟ୍ରାଙ୍କ ପ୍ରେମକାହାଣୀ।

ସିଜର୍ ଏବଂ କ୍ଲିଓପାଟ୍ରାଙ୍କ ମିଳିତ ବାହିନୀ ଚାରିମାସ ପର୍ଯ୍ୟନ୍ତ ତ୍ରୟୋଦଶ ଟଲେମିଙ୍କ ସେନା ସହିତ ଯୁଦ୍ଧ ଚଳାଇ ତାଙ୍କୁ ଅବଶେଷରେ ପରାସ୍ତ କଲେ।ଟଲେମି ପଳାୟନ କରିବା ସମୟରେ ନୀଳନଦୀରେ ବୁଡ଼ିଯାଇ ପ୍ରାଣ ହରାଇଲେ।


ପ୍ରାଣପ୍ରିୟା କ୍ଲିଓପାଟ୍ରାଙ୍କ ସହିତ ଆଲେକଜାଣ୍ଡ୍ରିଆରେ ପ୍ରବେଶ କଲେ ଜୁଲିୟସ ସିଜର୍।ଏହା ଖ୍ରୀଷ୍ଟପୂର୍ବ ୪୭-୪୬ କଥା।ପ୍ରେମର ସନ୍ତକ ହୋଇ ନବ ଦମ୍ପତିଙ୍କର କୋଳ ମଣ୍ଡନ କଲା ଏକ ପୁତ୍ର ସନ୍ତାନ।ତାର ନାମ ଦିଆଗଲା ଛୋଟ ସିଜର୍ ବା ସିଜେରିୟନ୍।


ପ୍ରିୟତମାଙ୍କ ସହିତ କିଛି ସମୟ ବିତାଇ ଜୁଲିୟସ ସିଜର୍ ରୋମ୍ ଫେରିଗଲେ।ମିଶରର ମୂଖ୍ୟ ଶାସନ ଦାୟିତ୍ୱରେ ରହିଲେ କ୍ଲିଓପାଟ୍ରା। ବଂଶ ଆଭିଜାତ୍ୟକୁ ସମ୍ମାନ ଦେଇ ସାନଭାଇ, ୧୩ବର୍ଷ ବୟସ୍କ ଚତୁର୍ଦ୍ଦଶ ଟଲେମିଙ୍କ ସହ ମିଳିତ ଭାବରେ ରାଜ୍ୟ ଶାସନ କଲେ କ୍ଲିଓପାଟ୍ରା।ନିଜର ନାରୀଶକ୍ତି ଏବଂ କୂଟନୀତିର ପ୍ରୟୋଗ କରି ଏହିପରି କ୍ଲିୟୋପାଟ୍ରା ମିଶରକୁ ରୋମାନ ସାମ୍ରାଜ୍ୟର ଲୋଲୁପ ଦୃଷ୍ଟିରୁ ରକ୍ଷା କରିଥିଲେ। 


ଏଭିତରେ ରୋମରେ ଜୁଲିୟସଙ୍କ ଏକଛତ୍ରବାଦ ବିରୁଦ୍ଧରେ ଅନେକ ସିନେଟ୍ ସଦସ୍ୟ ତାଙ୍କୁ ପଦଚ୍ୟୁତ କରିବା ମସୁଧାରେ ଥାଆନ୍ତି।ଏସବୁ ବିଷୟ କ୍ଲିଓପାଟ୍ରାଙ୍କ ଜ୍ଞାତସାରରେ ନଥିଲା। ଖ୍ରୀଷ୍ଟପୂର୍ବ ୪୪ରେ ପୁଅ ସିଜେରିୟନ୍ ସହିତ ସେ ରୋମ୍ ଯାଇଥାନ୍ତି।ସେ ରୋମରେ ଥିବା ସମୟରେ ସିନେଟ୍ ହଲ୍ ଭିତରେ ସିଜରଙ୍କର ହତ୍ୟା ହୋଇଗଲା।ଅବସ୍ଥାର ଗୁରୁତ୍ବ ଉପଲବ୍ଧି କରି କ୍ଲିଓପାଟ୍ରା ସଙ୍ଗେ ସଙ୍ଗେ ଆଲେକଜାଣ୍ଡ୍ରିଆ ଫେରି ଆସିଲେ।


ସିଜରଙ୍କ ମୃତ୍ୟୁ ପରେ ମିଶର ପ୍ରତି ବିପଦ ଘଣ୍ଟି ବାଜିବା ସେ ଶୁଣିପିରିଲେ।ମାର୍କ ଆଣ୍ଟୋନି ଏବଂ ସିଜରଙ୍କ ପୋଷ୍ୟପୁତ୍ର ଅକ୍ଟାଭିଆନ୍ ସେ ସମୟରେ ରୋମରେ ଶକ୍ତିର କେନ୍ଦ୍ର ବିନ୍ଦୁ ଥିଲେ।ଆଣ୍ଟୋନି କ୍ଲିଓପାଟ୍ରାଙ୍କ ସୌନ୍ଦର୍ଯ୍ୟର ପୂଜିରୀ ଥିଲେ ଏବଂ କ୍ଲିଓପାଟ୍ରା ମିଶରକୁ ରୋମର ଲୋଲୁପ ଦୃଷ୍ଟିରୁ ରକ୍ଷା କରିବାକୁ ଚାହୁଁଥିଲେ।ରୋମରେ ସେତେବେଳେ ଦୁଇଦଳ ଭିତରେ ଶକ୍ତି ପରୀକ୍ଷା ଚାଲିଥାଏ। ଉଭୟ ଦଳ କ୍ଲିଓପାଟ୍ରାଙ୍କ ଠାରୁ ସାମରିକ ସାହାଯ୍ୟ ଚାହୁଁ ଥିଲେ।ଏହି ଶକ୍ତି ପରୀକ୍ଷାରେ ମୃତ ସିଜରଙ୍କ ସମର୍ଥକ ଦଳ ପାଖକୁ (ଆଣ୍ଟୋନି,ଅକ୍ଟାଭିଆନ୍ ଏବଂଲେପିଡସ୍) କ୍ଲିଓପାଟ୍ରା ସେନା ପଠାଇ ସାହାଯ୍ୟ କଲେ। ସେମାନଙ୍କ ହାତକୁ ଦେଶର ଶାସନ ଆସିବା ପରେ ଆଣ୍ଟୋନିଙ୍କ ହାତରେ ରୋମାନ୍ ସାମ୍ରାଜ୍ୟର ପୂର୍ବ ଅଂଶ ପଡ଼ିଲା।କ୍ଲିଓପାଟ୍ରା ଆଣ୍ଟୋନିଙ୍କୁ ନିଜ ସୌନ୍ଦର୍ଯ୍ୟ ଜାଲରେ ବାନ୍ଧି ରଖିଲେ । ଆଲେକଜାଣ୍ଡ୍ରିଆରେ ଆଣ୍ଟୋନି କ୍ଲିଓପାଟ୍ରାଙ୍କ ସହିତ ଆନନ୍ଦରେ ସମୟ ଅତିବାହିତ କରୁଥାନ୍ତି।


ଏଣେ ଅକ୍ଟାଭିଆନ୍ ଆଣ୍ଟୋନିଙ୍କ ବିରୁଦ୍ଧରେ ରୋମରେ ଜନମତ ସୃଷ୍ଟି କରିବାରେ ଲାଗି ପଡ଼ିଲେ।ସେ ପ୍ରଚାର କଲେ ଯେ ରୋମାନ ସାମ୍ରାଜ୍ୟକୁ ଆଣ୍ଟୋନି କ୍ଲିଓପାଟ୍ରାଙ୍କ ହାତକୁ ଟେକିଦେବେ ଏବଂ ଆଲେକଜାଣ୍ଡ୍ରିଆକୁ ରୋମର ରାଜଧାନୀ କରିଦେବେ। ଆଣ୍ଟୋନିଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସିନେଟ୍ ନିଷ୍ପତ୍ତି ନେଲେ।


 ଶେଷରେ ଅକ୍ଟାଭିଆନ୍ ସୈନ୍ୟ ସାମନ୍ତ ନେଇ ମିଶର ଆକ୍ରମଣ କଲେ।ଯୁଦ୍ଧରେ ପରାସ୍ତ ଆଣ୍ଟୋନି ଏକ ମିଥ୍ୟା ସମ୍ବାଦ ପାଇଲେ ଯେ କ୍ଲିଓପାଟ୍ରାଙ୍କର ମୃତ୍ୟୁ ଘଟିଛି।ସହ୍ୟ କରି ନପାରି ଆଣ୍ଟୋଟି ନିଜ ପେଟରେ ଖଡ୍ଗ ଭୁଷି ଦେଲେ।ପରେ ଜଣାପଡ଼ିଲା ଯେ କ୍ଲିଓପାଟ୍ରା ଜୀବିତ... କ୍ଲିଓପାଟ୍ରାଙ୍କ କୋଳରେ ଅନ୍ତିମ ନିଃଶ୍ବାସ ତ୍ୟାଗ କଲେ ଆଣ୍ଟୋନି। 


କ୍ଲିଓପାଟ୍ରାଙ୍କ ମନରେ ଭୟ ଆସିଲା କାଳେ ତାଙ୍କୁ ବନ୍ଦୀକରି ରୋମରେ ରାଜରାସ୍ତାରେ ଦଣ୍ଡ ଦିଆଯିବ।ସେଭଳି ଅପମାନିତ ହେବା ଠାରୁ ଆତ୍ମହତ୍ୟା ଶ୍ରେୟସ୍କର ମନେକରି କ୍ଳିଓପାଟ୍ରା ନିଜ ପ୍ରାସାଦର କୋଠରୀ ଭିତରେ ହଳାହଳ ପାନକରି ଆତ୍ମହତ୍ୟା କଲେ।


କ୍ଲିଓପାଟ୍ରାଙ୍କର ସମସ୍ତ କାର୍ଯ୍ୟ ଦେଶହିତ ଉଦ୍ଦେଶ୍ୟରେ ଅଭିପ୍ରେତ ଥିଲା। ଅତୁଳନୀୟ ସୌନ୍ଦର୍ଯ୍ୟ ସହିତ ଅଦ୍ଭୁତ ବୁଦ୍ଧିମତ୍ତା ତାଙ୍କର ବିଶେଷତ୍ଵ ଥିଲା।ମାନବ ସଭ୍ୟତା ରହିବା ପର୍ଯ୍ୟନ୍ତ କ୍ଲିଓପାଟ୍ରା ଇତିହାସ ପୃଷ୍ଠାରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ରହିଥିବେ।ରୋମାନ୍ ବୀର ମାନଙ୍କ ସହିତ ମଧୁର ସମ୍ପର୍କ ପ୍ରତିଷ୍ଠା କରି ସେ ମିଶରକୁ ଯୁଦ୍ଧ ଠାରୁ ଦୂରରେ ରଖି ଦେଶରେ ପ୍ରଭୂତ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ।


Rate this content
Log in