Rajalaxmi Mohanty

Others

4  

Rajalaxmi Mohanty

Others

ରାଜାରୁ ରଜନୀ ମୋ ଅଭିଯାନର କାହାଣୀ

ରାଜାରୁ ରଜନୀ ମୋ ଅଭିଯାନର କାହାଣୀ

7 mins
392


ବୋଉ, ତୁ ଘୁଞ୍ଚିଯାଆ, ମୁଁ ରୁଟି ବେଲିଦେବି।


ତୁ ରୁଟି ବେଲିବୁ!!ଯାଉଛୁ ନା ଏଠୁ ଆସିଲା ରୁଟି ବେଲିବାକୁ। ଯା ପଢିବୁ ସ୍ୟାଡେ।ଭଉଣୀମାନଙ୍କର ଦେଖାନାହିଁ, ଇଏ ଆସିଲା ରୁଟି ବେଲିବାକୁ। ଯା ଏଠୁ।

ବୋଉର କଥା ଶୁଣି ସେଠୁ ଚାଲି ଆସିଲି ସିନା ମୋ ମନ ହେଉଥାଏ ବୋଉ କେମିତି ଏତେ ସୁନ୍ଦର ସୁନ୍ଦର ଗୋଲ ଗୋଲ ରୁଟି ବେଲୁଛି ମୁଁ ବି ଟିକେ ଚେଷ୍ଟା କରନ୍ତି।


ବୋଉ, ମୋତେ ଟିକେ ଶିଖେଇଦେ ସାର୍ଟରେ କେମିତି ବୋତାମ ଲଗଉଛୁ।


ତୁ ଶିଖିଲେ କ'ଣ କରିବୁ?


ମୋ ସାର୍ଟରେ ବୋତାମ ଛିଣ୍ଡିଗଲେ ମୁଁ ନିଜେ ଲଗେଇବି।


କାହିଁକି, ତୋ ବୋଉ କ'ଣ ମରିଯାଇଛି କି? ନା ତୋ ବୋଉ ଆଖି ଫୁଟିଯାଇଛି।ମୁଁ ଥାଉ ଥାଉ ତୋ ସାର୍ଟରେ କ'ଣ ମୁଁ ବୋତାମ ଲଗେଇଦେବିନି।ଯଦି ମରିବି ଗଲି ତୋର ଦୁଇଟା ବଡ ଭଉଣୀ ଅଛନ୍ତି।ସେମାନେ ବାହାହେଇ ତାଙ୍କ ଶାଶୁଘରକୁ ଚାଲିଗଲାପରେ ଆଉ ମୁଁ ବୁଢୀ ହେଇ ଆଖିର ଜ୍ୟୋତି ହରେଇଲା ପରେ ମୋ ପୁଅ ପାଇଁ ବୋହୂ ଆଣିସାରିଥିବି।ତୋର ଏସବୁ କାମ ଶିଖିବା ଦରକାର ନାହିଁ।ଯା ମୋ ଧନଟା ପଢିବୁ ଯା ।


ବୋଉର କଥା ଶୁଣି ସେଠୁ ଚାଲି ଆସିଲି।ବାପା ଡାକିଲେ ଏତିକିବେଳେ ରାଜା, ଆସିଲୁ ମୋ ସାଙ୍ଗରେ ଯିବୁ ମିଲରେ ଧାନ ଦୁଇଅଖା ପେଡି ଆଣିବା।

ମୋତେ ଭାରି ଚିଡିଲାଗିଲା।ଏଇଭଳି କାମ ମୋ ଭଳିଆ ପିଲା କିଏ କରୁଛନ୍ତି?ରାଗିକି ପ୍ରଶ୍ନ କଲି ବାପାଙ୍କୁ।ବାପା ଆଁ କରି ଚାହିଁଲେ ମୋତେ ପ୍ରଥମେ।ତା ପରେ କହିଲେ ବୋଉର ଗେହ୍ଲାପୁଅ ଏଇନା ଉପରେପଡି ବୋଉକୁ ସାହାଯ୍ୟ କରୁଥିଲୁ ମୁଁ ଡାକିଲା ବେଳକୁ ପ୍ରଶ୍ନ କରୁଛି।ତୋ ଭଳିଆ ପିଲା କେହି କରୁନାହାଁନ୍ତି ?ଏଁ,...ମକରା, କାଳିଆ,ଜଗୁ ଏଇସବୁ କରୁନାହାଁନ୍ତି?ତୁ ଖାଲି ବୋଉର କାନିଧରି ବୁଲୁଥା।ମୁଁ ଆଡେ ଏକୁଟିଆ ହଇରାଣ ହେଉଛି ଦେଖାଯାଉନି। ଚାଉଳ ତ ମୁଁ ଆଣିବି ତୁ ଖାଲି କୁଣ୍ଡା ଟିକେ ଆଣିବା କଥା।କେତେ ପେଖନା କାଢୁଛୁ।


ବୋଉ ବାପାଙ୍କ ଉପରେ ରାଗିଲା।କାହିଁକି ପିଲାଟା ସାଙ୍ଗରେ ଲାଗିଛ ବୋଲି କହିଲା।ବୁଝେଇଦେଲେ ପିଲାଟା ବୁଝିଯିବ କହି ମୋତେ କେତେ ବୁଝେଇଲା ।ତଥାପି ହେଲାନି।ମୁଁ ଗଲିନି ବାପାଙ୍କ ସାଥିରେ।ବାପା କ'ଣ କହିଲେ, ମକରା, କାଳିଆ, ଜଗୁ ସମସ୍ତେ ଏଇକାମ କରୁଛନ୍ତି।ଆରେ ହଁ ତ,।ସେମାନେ ତାଙ୍କ ବାପାଙ୍କ ସାଥିରେ ଯାଆନ୍ତି ।ମୁଁ ନିଜେ ଦେଖିଛି।ହେଲେ ମୋତେ କାହିଁକି କେଜାଣି ଏଇ କାମ କରିବାକୁ ଭାରି ଲାଜ ଲାଗୁଛି। ମୁଁ କ'ଣ କରିବି ଯେ।ଏତିକିବେଳେ ବଡନାନୀ କହିଲା ବାପା, ସେ ମାଇଚିଆ ସେମିତି ଘରେ ବସିଥାଉ।ମୁଁ ଯିବି ଚାଲ ତମ ସାଥିରେ।ଆଜିକାଲି ଝିଅମାନେ ସବୁ କାମ କଲେଣି।ଇଏ ପୁଅଟେ ହେଇ ଘରେ ବସୁଛି, ବସିଥାଉ।ଚାଲ ବାପା।ବାପାଙ୍କ ସାଥିରେ ବଡନାନୀ ଗଲା ମିଲକୁ।ଗୋଟେ କିଲୋମିଟର ବାଟ ଜମାରୁ ଆମ ଘର ଠାରୁ।ସେଇନା ଗଲା ସେଇନା ଆସିଲା।ମୋ ଦ୍ୱାରା ସେତିକି ହେଇପାରିଲାନି।ଭାରି ଚିଡା ଲାଗିଲା।ବାପାଙ୍କ କଥା ମାନିଲିନି ବୋଲି ଖରାପ ବି ଲାଗିଲା।ହେଲେ ମୁଁ କ'ଣ କରିଥାନ୍ତି।ମୋ ଭିତରେ ମୋତେ କିଏ ଗୋଟେ ଭିଡିକି ଧରିଥିଲା।


ଯା ହେଉ, ମୋ ଝିଅକୁ ଆଜି ଠାକୁରେ କେତେ ବୁଦ୍ଧି ଦେଇଛନ୍ତି।ଏତେସବୁ ଲୁଗାପଟା ଭାଙ୍ଗିଭୁଙ୍ଗି ରଖିଦେଇଛି ମନକୁ ମନ।ମୁଁ କହିକହି ଥକିଗଲେ ବି କରେନି ।ଗୁଣୁଗୁଣୁ ହେଇ କହୁଥିଲା ବୋଉ ନାନୀ ଦୁଇଜଣଙ୍କ ଉଦ୍ଦେଶ୍ୟରେ। ସେମାନେ କିଛି ଶୁଣି ନାହାଁନ୍ତି ଯାହା ହେଉ।ବୋଉ କାହୁଁ ଜାଣିବ ଏସବୁ ମୋ କରାମତି ବୋଲି।ହେଲେ ଏତେ ପରିଶ୍ରମ ମୁଁ କଲି ଆଉ ପ୍ରଂଶସା ପାଇଲେ ସେମାନେ।ନା ହେବନି।ମୁଁ ଚଟ୍ କରି କହିଦେଲି "ବୋଉ, ଏକୁ ସବୁ ମୁଁ କରିଛି।ସେ ଦୁଇଜଣ ନୁହେଁ"।ସାଙ୍ଗେସାଙ୍ଗେ ବୋଉର ମୁହଁରୁ ଆନନ୍ଦର ଭାବ କୁଆଡେ ଚାଲିଗଲା।ବଦଳରେ ମୋ କାନଧରି କହିଲା ତୋତେ ଯେଉଁକାମ କରିବାକୁ ଦିଆଯାଉଛି ତାକୁ ନକରି ଆଇଲା ଲୁଗାପଟା ଭାଙ୍ଗିକି ରଖିବାକୁ।ଯା ସ୍ୟାଡେ ବାପା ଏକା ବେଙ୍ଗଳା ପକଉଛନ୍ତି।ବଳଦ ମାନଙ୍କୁ ଟିକେ ଜଗିବୁ।

ପୁଣି ସେଇକାମ!!ଯେଉଁଗୁଡାକ କରିବାକୁ ମୋତେ ଭାରି ଲାଜ ଲାଗୁଛି।ସେଇକାମ ଖାଲି ମୋତେ କହୁଛନ୍ତି।ନାନୀକୁ ତ ସବୁ କାମ କରିବାକୁ ଦେଉଛନ୍ତି ପୁଅଝିଅ ସମାନ କହି।ମୋତେ କାହିଁକି କେବଳ ପୁଅମାନଙ୍କ କାମ ଦେଉଛନ୍ତି ବାଛିବାଛି।ମୋର ଦଶ ବର୍ଷର ମୁଣ୍ଡରେ ସେ ସବୁ କିଛି ପଶୁନଥିଲା।


ମକରା କାଳିଆ ଜଗୁ ମୋତେ ଡାକନ୍ତି ଚାଲେ ବାଗୁଡି ଖେଳିବା।ମୁଁ ରାଜି ହୁଏନି ।ମୋର ଇଚ୍ଛା ହୁଏ ଗେହ୍ଲି, ବାସନ୍ତୀ ଓ ମଲ୍ଲୀକା ସାଥିରେ ପୁଚି ଖେଳିବାକୁ । ବୋହୂବୋହୂକା ଖେଳିବାକୁ । ଖପରା ଡିଆଁ ଖେଳିବାକୁ । ଦଶବର୍ଷ ବୟସରେ ପୁଅଝିଅମାନଙ୍କ ଭିତରେ ଏତେ ବିଶେଷ ପ୍ରଭେଦ ନଥିଲା କି ଖେଳମାନଙ୍କ ଭିତରେ ବି କିଛି ପ୍ରଭେଦ ନଥିଲା।ତେଣୁ ସେମାନଙ୍କର କୌଣସି ଆପତ୍ତି ନଥିଲା ତାଙ୍କ ସାଥିରେ ଖେଳେଇବାକୁ। ମୋର ବି କୌଣସି ସମସ୍ୟା ହେଉନଥିଲା।ମୁଁ ମନ ଆନନ୍ଦରେ ଖେଳୁଥିଲି।ଆମ ସାଙ୍ଗରେ ମକରା, କାଳିଆ ଓ ଜଗୁ ଆସି ଯୋଗ ଦେଉଥିଲେ।ପୁଅ ଝିଅ ମିଶିକି ଖେଳିଲେ ବଢିଆ ମଜା ଲାଗୁଥିଲା।


ଧିରେ ଧିରେ ମୋତେ ଦଶରୁ ବାରବର୍ଷ ହେଲା।ମୋ ସାଙ୍ଗର ପୁଅ ମାନେ ଏଥର ସ୍କୁଲରେ ଝିଅମାନଙ୍କ ଆଡକୁ ତେରେଛି ଚାହିଁବା ଆରମ୍ଭ କଲେ।ଝିଅମାନେ ବି ଏଥର ଆଡେଇ ହେଇ ରହିଲେ ପୁଅମାନଙ୍କ ଠାରୁ।ମୁଁ କେବଳ ମଝିରେ ରହି ପେଶିହେଲି।ନା ଏକୂଳର ହେଉଥାଏ ନାଁ ସେ କୂଳର ହେଉଥାଏ।ମୋ ବୋଉ ହସିହସି କହେ ମୋ ପିଲା ପୁଅଟା ।ତାକୁ ଏତେ ଭିତିରି କଥା ଜଣାନାହିଁ।ସେମିତି ଛୋଟ ହେଇଥାଉ । ନାନୀ ମାନେ ମୋତେ ରାଗନ୍ତି।ସବୁବେଳେ ଘରକଣରେ ପଶୁଛି ମାଇଚିଆ କହି ଚିଡାନ୍ତି।ମୁଁ ବେଶି ବେଶି ବୋଉର ପାଖାପାଖି ହୁଏ।ବୋଉର କାମରେ ତାକୁ ସାହାଯ୍ୟ କରେ।ମୋ ବୋଉ କହେ ଆଜିକାଲି ଝିଅମାନେ ବେଶି ଉପରମୁହାଁ ହେଲେଣି।ମୋ ପୁଅ ସୁନା ମୁଣ୍ଡା ଟା।ମୋ ସୁଖ ଦୁଃଖ ଭଲରେ ବୁଝିବ।ସେମିତିରେ ମୋ ବୋଉ ଦେଖିଛି ମୋ ମାମୁଁ ଭଲ ରୋଷେଇ କରନ୍ତି। ମୋ ସାନ ଦାଦା ତାଙ୍କ ଘର ବେଶି ସଫା ରଖନ୍ତି।ମୋ ବଡ ଜେଜେଙ୍କ ଦୁଇପୁଅ ବାହାରେ ରହୁଥିବାରୁ ବଡଜେଜେମାର ଦେହ ଖରାପ ବେଳେ ବଡଜେଜେ ସବୁ ଲୁଗାପଟା ଛାତରେ ଶୁଖାନ୍ତି ଓ ଆଣନ୍ତି।ତେଣୁ ମୋ ଭିତରର କଥା ମୋ ବୋଉ କାହିଁକି ଅନ୍ୟ ଅର୍ଥରେ ନେବ।ସେ ଭାବେ ଏଇଟା ସ୍ୱାଭାବିକ।ମୋ ନାନୀ ମାନେ ବି ।ସେମିତି ସିନା ଚିଡାନ୍ତି ନହେଲେ ତାଙ୍କ ମନରେ କିଛି କଥା ନଥାଏ।ମୋ ବାପା ତାଙ୍କ କାମ ଭଲ ତ ସେ ଭଲ।ଗୋଟେ ବାର ବର୍ଷର ପିଲାର ହାବଭାବକୁ ନେଇ ଏତେ ଗବେଷଣା କରିବାକୁ ତାଙ୍କର ଇଚ୍ଛା ନଥିଲା କି ସମୟ ନଥିଲା।


ବାରରୁ ଚଉଦ ବର୍ଷର ହେଲି।ଦେଖିଲି ଯେଉଁ ଗେହ୍ଲି ମୋ ସାଙ୍ଗରେ ଏତେ ସାଙ୍ଗ ହେଉଥିଲା,ଆଜିକାଲି ଜଗୁର ପିଛା ଛାଡୁନି।ଯେଉଁଠି ଦେଖିଲେ ଦୁହେଁ ଚୁପି ଚୁପି ହେଇ କ'ଣ କଥା ହେଉଛନ୍ତି।ହସାହସି ହେଉଛନ୍ତି।ଲୋକ ଦେଖିଲେ ବାଟ ଭାଙ୍ଗି ଚାଲିଯାଉଛନ୍ତି।ମୋ ମନରେ ଇର୍ଷା ତ ହେଉନଥିଲା,ଦୁଃଖ ହେଉଥିଲା ମୋର ଗୋଟେ ସାଙ୍ଗ କମିଗଲା ବୋଲି।ମକରା ଓ କାଳିଆ କଥା ନକହିବା ଭଲ।ସେମାନେ କ'ଣ ସବୁ କଥା ହୁଅନ୍ତି କ'ଣ କରନ୍ତି ସେଗୁଡା ମୋ ଦେଖିବା ବା ଶୁଣିବା ଶକ୍ତିର ବାହାରେ।ମୋ ବୋଉ କହେ ସେଗୁଡା ବାଳୁଙ୍ଗା ଗୁଡା।ତାଙ୍କ ସାଙ୍ଗରେ ସାଙ୍ଗ ହେଲେ ମୋ ପୁଅ ଖରାପ ହେଇଯିବ।


ପଡିଶା ଘର ଭାଇଜଣଙ୍କର ବାହାଘର ହେଲା। ଭାଉଜଙ୍କ ସାଥିରେ ତାଙ୍କ ଭାଇ ଆସିଥିଲା।ମୋ ଠାରୁ ଦୁଇବର୍ଷ ବଡ ହେବେ।କଲେଜକୁ ପ୍ରଥମ କରି ଯାଇଛନ୍ତି।ସହରରେ ରହି ପଢୁଛନ୍ତି।ମୋର ତାଙ୍କୁ ଦେଖି ଭିତରେ କିଛି ଶିହରଣ ହେଲା।ଗୋରା ହେଇକି ଡେଙ୍ଗା ପତଳା ସ୍ୱାସ୍ଥ୍ଯ ଦେଖିବାକୁ ପୂରା ରାଜକୁମାର ଭଳି।ତାଙ୍କର ଚାଲି ଚଳଣ ସବୁ କିଛି ଆକର୍ଷଣୀୟ ଥିଲା।ଯାହାକୁ କୁହନ୍ତି ହିରୋ ଲୁକ୍।ସହରୀ ଠାଣିମାଣି ।ବହୁତ ମାନୁଥାଏ ତାଙ୍କୁ।ମୁଁ ତାଙ୍କୁ ଖାଲି ଲୁଚିଲୁଚି ଦେଖୁଥାଏ।ମୁଁ ଗୋଟେ କଥା ଲକ୍ଷ୍ୟ କଲି ଏକା ମୁଁ କାହିଁକି ମୋ ସାନ ନାନୀ ବି ତାକୁ ଦେଖି ମୋରି ଭଳି କନକନ ହେଉଛି।ତାଙ୍କ ସହିତ କଥା ହେଉଛି।ତାଙ୍କ ପାଖରେ ବସୁଛି।ହସୁଛି।ସବୁ କିଛି।ମୁଁ ଖାଲି ଯାହା ଏ କୂଳର ହେଇପାରୁନି କି ସେ କୂଳର ହେଇପାରୁନି।ଶରୀର ଦେଖଉଛି କିଛି।ମନ ଚାହୁଁଛି ଆଉ କିଛି।ନାନୀ ତାଙ୍କ ସହିତ ହଜି ଯିବାକୁ ଚାହୁଁଛି ସେ କିନ୍ତୁ ଝିଅଟେ ଭାବି ସଂକୁଚିତ ହେଇ ରହୁଛନ୍ତି।ମୁଁ ବି ତାଙ୍କ ସହ ମିଶି ଯାଇ ହଜିଯିବାକୁ ଚାହୁଁଛି କିନ୍ତୁ ସେ ମୋତେ ପୁଅଟେ ଭାବି ଅନାଗ୍ରହ ଭାବେ ଦୂରେଇ ଯାଉଛନ୍ତି।ଗୋଟେଦିନ ରାତିରେ ଚମତ୍କାର ଘଟିଲା।ନୂଆ ଭାଉଜଙ୍କ ଘରେ ଅଧିକ କୁଣିଆ ପାଇଁ ଶୋଇବାକୁ ଜାଗା ନହେବାରୁ ତାଙ୍କ ଭାଇକୁ ଆମ ଘରେ ଶୋଇବାକୁ କୁହାଗଲା।ଆମର ତିନି ଚାରି ବଖରା ଘର ।ନାନୀ ମାନେ ଗୋଟେ ବଖରାରେ ଶୋଇଲାପରେ ବାପା ବୋଉ ଓ ମୁଁ ଗୋଟେ ବଖରାରେ ଶୋଉ।ଆଉ ସବୁ ସେମିତି ଖାଲି ପଡିଥାଏ।ତେଣୁ ସେ ଭାଇ ସେଇଠି ଆସି ଶୋଇଲେ।ଏକୁଟିଆ କାଳେ ତାଙ୍କୁ ଖରାପ ଲାଗିବ ଭାବି ବାପା ମୋତେ ସେ ଭାଇଙ୍କ ପାଖରେ ଶୋଇବାକୁ ନିର୍ଦ୍ଦେଶ ଦେଲେ।ମୋତେ ଲାଗୁଥାଏ ଆକାଶର ଜହ୍ନ ଯେମିତି ମୋ ହାତ ମୁଠାରେ।ହେଲେ ସାହସ ପାଉନଥାଏ ଜହ୍ନକୁ ଧରିବାକୁ।କହିବାକୁ ଗଲେ ମୋତେ ଭାରି ଲାଜ ଲାଗୁଥାଏ।ରାତି ସାରା ମୁଁ ଆଉ ଶୋଇପାରିଲିନି।ଗୋଟେ ଅଜଣା ଯନ୍ତ୍ରଣାରେ ଛଟପଟ ହେଉଥାଏ କେବଳ।ସେହିଦିନ ମୁଁ ଜାଣିଲି ମୋ ଭିତରର କଥା।ମୋ ଭିତରେ ଏକା ରାଜା ନାହିଁ ଆଉ ଜଣେ ବି ଅଛି।ଯିଏ ମୋତେ ଏଠୁ ତଡିକି ବିଦା କରିଦେଉଛି।ଲାଜରେ ମରିଯାଉଛି।


ସକାଳୁ ମୋ ମୁହଁ ଲାଜରେ ଲାଲ୍ ପଡିଯାଇଥିଲା। ମୁଁ ବୋଉକୁ କହଲି ଆକାଶ ଭାଇ ବହୁତ ସୁନ୍ଦର, ନୁହେଁ?ମୋ ବୋଉ ହସିଦେଲା ।କହିଲା ମୋ ରାଜା କ'ଣ କମ୍ ସୁନ୍ଦର କି?ସେଥିପାଇଁ ତ ତା ନାଁ ମୁଁ ବାଛିବାଛି ରାଜା ଦେଇଛି।ମୁଁ ମନେମନେ ଭାବୁଥାଏ ତୋ ଧାରଣା ଭୁଲ ବୋଉ,ମୁଁ ସୁନ୍ଦର ନୁହେଁ ସୁନ୍ଦରୀ ।ରାଜା ଭଳି ଦେଖିବାକୁ ନୁହେଁ, ରଜନୀ ଭଳି ଦେଖିବାକୁ।


ମୋ ଭିତରର ରଜନୀ ଛଟପଟ ହେଉଥାଏ ବାହାରକୁ ଆସିବାକୁ।ମୁଁ କେବଳ ସୁଯୋଗ ଅପେକ୍ଷାରେ ରହିଥାଏ। ଗାଁରେ ଯାତ୍ରା ଚାଲିଥାଏ।ନାନୀ ହେରିକେ ସମସ୍ତେ ଗଲେ ଯାତ୍ରା ଦେଖିବାକୁ।ମୁଁ ଗଲିନି।ପେଟ କାଟିବାର ବାହାନା କରି ଶୋଇଲି ବୋଉ ପାଖରେ।ରାତି ଅଧରେ ଉଠି ମୋ ନାନୀ ବାହାଘର ବେଳେ କିଣିଥିବା ନୂଆ ଲେହେଙ୍ଗା ଟି ପିନ୍ଧି ଦର୍ପଣ ଆଗରେ ଛିଡା ହେଲି ସେମିତି ମୋ ଭିତରର ରଜନୀ ଖୁସି ହେବାଯାଏ।ରଜନୀ ଖୁସି ହେଉଥାଏ।ତାଳିମାରି ନାଚୁଥାଏ।ଝୁମିଝୁମି ଗାଉଥାଏ।ବୋଉର ନିଦ ଭାଙ୍ଗି ଯାଇଥିଲା।ପାଖରେ ମୋତେ ନପାଇ ଅନ୍ଧାରରେ ରାଜା ରାଜା ବୋଲି ଡାକଛାଡି ଦୌଡି ଆସିଲା।ମୁଁ ତରବର ହେଇ ଲେହେଙ୍ଗାଟିକୁ ଖୋଲିଦେଇ ମୋ ଡ୍ରେସ୍ ପିନ୍ଧିଦେଇ ସେଠୁ ଚାଲି ଆସିଲି। ବୋଉକୁ ମିଛରେ କହିଲି ଏକ ଯାଇଥିଲି ବାଡିପଟକୁ ବୋଲି।ମୋ ବୋଉ ଖୁସିହେଇଗଲା ମୁଁ ଭୟ ଛାଡି ଏକୁଟିଆ ବାଡିପଟକୁ ଏକ ପାଇଁ ଯାଇଥିବାରୁ।କିନ୍ତୁ ଚୋରଘର ସବୁବେଳେ ଅନ୍ଧାର ନଥାଏ।ତରବର ହେଇ ଲେହେଙ୍ଗା ସିନା ଖୋଲିଦେଇ ଆସିଲି,ଓଠରୁ ଲିପଷ୍ଟିକ୍ କି ଆଖିରୁ କଜ୍ଜ୍ୱଳ ପୋଛିନଥିଲି।ସେମିତି ଶୋଇପଡିଲି।ସକାଳ ହେଲାରୁ ନାନୀମାନଙ୍କର ପାଟିଶୁଣି ନିଦ ଭାଙ୍ଗିଲା।ବୋଉ ତାଙ୍କୁ ଗାଳିକରୁଥାଏ ଯେ ସେମାନେ କାଳେ ମୋର ଏଇ ବେଶ ପାଇଁ ଦାୟୀ।କିନ୍ତୁ ସେମାନେ ପ୍ରତିବାଦ କରୁଥିଲେ ଯେ ସେମାନେ ରାତିସାରା ଘରେ ନଥିଲେ।ଏବେ ଆସିକି ଏସବୁ ଦେଖୁଛନ୍ତି।ମୋ ବୋଉ ବି ଟିକେଟିକେ ତାଙ୍କ କଥାକୁ ବିଶ୍ୱାସ କଲା।ମୋ ଆଡକୁ ଚାହିଁଲା ଏକ ତୀକ୍ଷ୍ଣ ନଜରରେ।ମୁଁ ଅପ୍ରସ୍ତୁତ ଥିଲି।ତେଣୁ ପାଟିରୁ ମିଛ ବାହାରିପାରିଲାନି।ମୋର କୁଁ କାଁ ଉତ୍ତର ଶୁଣି ସମସ୍ତେ ତାଜୁବ୍ ହେଇଗଲେ।ସେମାନେ ଯାହା କେବେ କଳ୍ପନା କରିନଥିବେ ସେଇଆ ଭାବିବାକୁ ବାଧ୍ୟ ହେଲେ।ସାନ ନାନୀ ଦେଖିଲା ତା ଲେହେଙ୍ଗା ଖଟ ଉପରେ ଖେଳେଇ ହେଇ ପଡିଛି, ଯିଏ ଆଲମୀରା ଭିତରେ ଥିଲା।ଏଥର ସନ୍ଦେହ ସତ ହେବାକୁ ଯାଉଥିଲା।ବୋଉର ଗେହ୍ଲା ଆଦର ସବୁ ଗାଳି ମନ୍ଦରେ ବଦଳି ଯାଉଥିଲା।ଦୁଇ ନାନୀ ବସି କାନ୍ଦୁଥିଲେ।ବାପା ମୁଣ୍ଡରେ ହାତଦେଇ ଥକ୍କା ହେଇ ବସିଥିଲେ।


ଏଥର ଘରେ ମୋର ରୀତିମତ ସଂଗ୍ରାମ ଚାଲିଲା।ମୋ ଭିତରର ରଜନୀକୁ ମୁଁ ବାହାରକୁ ଆଣିବାକୁ ଚାହୁଁଥିଲି।ସେମାନେ କରେଇ ଦେଉନଥିଲେ। ଶେଷରେ ଦିନେ ରାତିରେ ମୁଁ ଲୁଚିଲୁଚି ଘର ଛାଡିଲି।ସେତେବେଳକୁ ମୋର ବୟସ ଜମାରୁ ଊଣେଇଶି।ମୋ ନିଷ୍ପତ୍ତି ମୁଁ ଏକାଏକା ନେଇପାରିବି ଭାବି ମୋ ପଚାଶ ବର୍ଷର ବାପାଙ୍କ ନିଷ୍ପତ୍ତିକୁ ପଛରେ ପକେଇ ଘରୁ ବାହାରି ଆସିଲି।ଏଥର ମୋ ରଜନୀ ବହୁତ ଖୁସିଥିଲା।କିନ୍ତୁ ସମସ୍ୟା ଏଇଠୁ ଆରମ୍ଭ ହେଲା।ରଜନୀମାନଙ୍କ ପଛରେ ଯେ ସମସ୍ୟା ଘୁରିଘୁରି ବୁଲୁଥାଏ ସେଇଦିନ ଜାଣିଲି।ସେଥିପାଇଁ ମୋ ବାପା ବୋଉ ଆଉ ନାନୀ ମାନେ ମୋତେ ରାଜାର ଖୋଳପା ଭିତରେ ଲୁଚେଇ ରଖିବାକୁ ଚାହୁଁଥିଲେ ବୋଲି ଅନୁଭବ କଲି।ସେତେବେଳକୁ ମୁଁ ଆଉଗୋଟେ ଦୁନିଆଁରେ ପହଞ୍ଚି ସାରିଥିଲି।ଯେଉଁଠି କେବଳ ବଡବଡ ସ୍ୱପ୍ନ ମାନ ରଜନୀ ପାଇଁ ରଖା ଯାଇଥିଲା।ସତ୍ୟ ତ କାହିଁ କେତେ ଦୂରରେ ତାହା ଅନୁମାନ କରିବା କଷ୍ଟକର ଥିଲା।

 


ସବୁଦିନ ସଞ୍ଜ ନଇଁଲେ ଆରମ୍ଭ ହୁଏ ରଜନୀର ଅଭିସାର।ଏରିଆ ବଣ୍ଟା ସରିଥିଲା।ରାଜପଥ କଡରେ ମୋ ଭାଗ ପଡିଥିଲା ଆଉ କେତେ ଜଣଙ୍କ ସହ। ସେମାନେ ସମସ୍ତଙ୍କ ଠାରୁ ମୋର ବୟସ କମ୍ ଥିଲା।ମୋ ବୋଉର କହିବା ଅନୁସାରେ ମୁଁ ରାଜକୁମାର ଭଳି କୁଆଡେ ଦିଶେ।ରଜନୀ ହେଲାପରେ ରାଜକୁମାରୀଟିଏ ଭଳି ଦିଶିଲି। ସେଥିପାଇଁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ ବହୁତ ଶୀଘ୍ର କରିପାରୁଥିଲି। ରାଜପଥର କଡରେ ଥିବା ଗୋଟିଏ ଢାବା ମାଲିକ ସହ ସଲାସତୁରା କରି ତା ପାଖରୁ ଗୋଟେ ଭଙ୍ଗା ଚାଳିଆ ହାତେଇନେଇଥିଲି।ସେଇ ଭଙ୍ଗା ଚାଳିଆ ରାତି ହେଲେ ପାଲଟିଯାଏ ମୋ ପାଇଁ ଗୋଟେ ସୁନ୍ଦର ମହଲ।ମୁଁ ପାଲଟି ଯାଏ ରାଜକୁମାରୀ ରଜନୀ।ଦେହସାରା ଖେଳିଯାଏ ମିଠା ଉନ୍ମାଦନା।ରାତି ପାହିଲେ ସେଇ ଭଙ୍ଗା ଚାଳିଆରେ ମୁଁ ପଡିଥାଏ ସେଇ ରାଜା ହେଇକି।ମୁହଁସାରା ଦାଢି ବଢିଯାଇଥାଏ ସାଲୁବାଲୁ ହେଇକି।ଦେହରୁ ପୋଛି ହେଇଯାଇଥାଏ ଶୃଙ୍ଗାର ସାମଗ୍ରୀ ସବୁ।ବଦଳରେ ଅବଶ ଦେହରେ ଖେଳୁଥାଏ ଅସହ୍ୟ ଯନ୍ତ୍ରଣା। 


ଘରୁ ଆସିବା ପାଞ୍ଚ ବର୍ଷ ହେଇସାରିଥାଏ।ବେଳେବେଳେ ଭାବେ, ପାଇଲି କ'ଣ ?ହରେଇଲି କ'ଣ?କେଉଁଭଳି ଘର ଛାଡି କେଉଁଠି ରହୁଛି । କ'ଣ କରୁଛି।ଭଗବାନ୍ ସିନା ମୋତେ ନା ରାଜା କଲେ ନା କଲେ ରଜନୀ ।ହେଲେ ମୋ ବାପା ବୋଉ ତ ମୋତେ ତାଙ୍କ ଭଲପାଇବାରେ କେବେ କମ୍ କରିନଥିଲେ।ମୋ ନାନୀ ମାନେ ତ ମୋତେ ସ୍ନେହ ଆଦର ଦେବାରେ କାର୍ପଣ୍ଯ କରିନଥିଲେ।ତାହେଲେ ମୋ କର୍ତ୍ତବ୍ୟ ବେଳକୁ କାହିଁକି ମୁଁ ସେମାନଙ୍କୁ ଛାଡିଆସିଲି।କେବଳ ମୋ ଭିତରର ରଜନୀକୁ ମୁକ୍ତି ଦେବାପାଇଁ?ମନ ବିଦ୍ରୋହ କରି ଉଠିଲା।ଯେମିତି ଦିନେ ଲୁଚିଲୁଚି ଘରୁ ଚାଲିଆସିଥିଲି, ସେମିତି ଦିନେ ଲୁଚିଲୁଚି ଘରକୁ ପଳେଇ ଆସିଲି ରାଜା ବେଶରେ।ବାପା ବୋଉ ଗ୍ରହଣ କରିନେଲେ ମୋର ସବୁ ପାପକୁ ଅଣଦେଖା କରି।ମୋ ଭିତରର ରଜନୀକୁ ସ୍ୱୀକୃତି ଦେଲେ।ମୋ ଦୁଇନାନୀଙ୍କ ସହିତ ମୁଁ ବି ମିଶିଗଲି ରାଣୀ,ରୁନୀ ସାଙ୍ଗରେ ରଜନୀ ହେଇକି।ମୋ କର୍ମ ରାଜାକୁ ବାଛିଲା।ଗାଁରେ ଗୋଟେ ଗାର୍ମେଣ୍ଟ ଦୋକାନ କରି ବସିଲି। ବହୁତ ଭଲ ଚାଲିଲା।ରାଜାକୁ ସମସ୍ତେ ସାଙ୍ଗ କରୁଥିଲେ ।ରଜନୀକୁ ବି ସାଙ୍ଗ କରୁଥିଲେ।ରାଜା ଖୁସି,ରଜନୀ ବି ଖୁସି।ଦୁହେଁ ଏଇଥିପାଇଁ ଖୁସିଯେ ସେମାନେ ଏବେ ମୁକ୍ତ। ବନ୍ଧନରୁ ମୁକ୍ତ, ପାପରୁ ବି ମୁକ୍ତ। 



Rate this content
Log in