ABADHOOT PANDA

Others

3  

ABADHOOT PANDA

Others

ପୁରୁଣା ଅଭୁଲା କଥା

ପୁରୁଣା ଅଭୁଲା କଥା

3 mins
226


ବିରୂପା ନଦୀ ତଟସ୍ଥ ଚୌଦ୍ୱାର ଅଞ୍ଚଳ l ପ୍ରାଚୀନ ଐତିହାସିକ, ପୌରାଣିକ ତଥା ମହାଭାରତିକ କିମ୍ବଦନ୍ତୀସମୂହର ପୃଷ୍ଠପୋଷକ l ଓ.ଟି.ଏମ, ଟି.ପି.ଏମ, କଳିଙ୍ଗ ଟ୍ୟୁବ୍ସ, ଇଲେକ୍ଟ୍ରିଲକ୍ସ [ ଅଧୁନା ସୁପ୍ତ ] ଏବଂ ଚାର୍ଜ କ୍ରୋମ [ ଅଧୁନା ଜାଗ୍ରତ] ଇତ୍ୟାଦି ଶିଳ୍ପ ପ୍ରତିଷ୍ଠାନ ଉକ୍ତ ଅଞ୍ଚଳର ଶୋଭା ଏବଂ ଗୌରବ ବର୍ଦ୍ଧକ l ଲକ୍ଷାଧିକ ପରିବାରଙ୍କ ଅନ୍ନଦାତା ଭାବେ ଅଦ୍ୟାବଧି ଦଣ୍ଡାୟମାନ l ଚୌଦ୍ୱାରସ୍ଥ ଶିଳ୍ପାଞ୍ଚଳଗୁଡ଼ିକୁ ଅବଲୋକନ କଲେ ସର୍ବଦା ଉତ୍କଳମାତାଙ୍କର ସୁଯୋଗ୍ୟ ବରପୁତ୍ର ରାଜନେତା, ଶିଳ୍ପପତି, ଜନପ୍ରିୟ ତଥା ଭୂମିପୁତ୍ର ସ୍ୱର୍ଗତ ବିଜୟାନନ୍ଦ ଓରଫ ବିଜୁ ପଟ୍ଟନାୟକ ମହାଶୟଙ୍କ ଅମ୍ଳାନ ସ୍ମୃତି ଆମର ମାନସ ପଟ୍ଟରେ ଉଙ୍କି ମାରେ l ଯାହାଙ୍କର ଆନ୍ତରିକ ଅବଦାନ ଆଜି ବିଶେଷତଃ ଚୌଦ୍ୱାର ଟାଙ୍ଗୀ ଅଞ୍ଚଳସ୍ଥ ଲକ୍ଷାଧିକ ପାରିବାର ବର୍ଗଙ୍କୁ ସାମାଜିକ ପ୍ରତିଷ୍ଠା ପ୍ରଦାନ କରିଛି ଏବଂ ପ୍ରାଚୀନ ଅଶିକ୍ଷିତ ଜନଗଣଙ୍କ ଭବିଷ୍ୟତ ଦାୟାଦମାନଙ୍କୁ ଓ.ଟି,ଏମ୍ ଉଚ୍ଚ ବିଦ୍ୟାଳୟ, କଳିଙ୍ଗ ଉଚ୍ଚବିଦ୍ୟାଳୟ ଇତ୍ୟାଦି ଶିକ୍ଷାନୁଷ୍ଠାନ ମାଧ୍ୟମରେ ଜ୍ଞାନାଲୋକ ପ୍ରଦାନ କରି ପାରିଅଛି l ସେହି ଦିବଂଗତ ମହାନ ଆତ୍ମାଙ୍କ ନିକଟରେ କେବଳ ଟାଙ୍ଗୀ ଚୌଦ୍ୱାରବାସୀ ବ୍ୟତିରେକ ସମଗ୍ର ଉତ୍କଳବାସୀ ଚିର ୠଣୀ l


ପ୍ରତ୍ୟେକ ମହାପୁରୁଷ କିମ୍ବା ମହତ ପୁରୁଷଙ୍କ ତିରୋଧାନ ପରେ ଆମେ ସେମାନଙ୍କ ପରୋପକାରୀ ସୁଗୁଣରାଜିକୁ ପୁନର୍ବାର ସ୍ମରଣ କରି ନିଜକୁ କୃତାର୍ଥ ମନେ କରୁ l ଆଜି ସ୍ୱର୍ଗତ ଭୂମିପୁତ୍ରଙ୍କ ସମ୍ବନ୍ଧରେ, ଆମ୍ଭର ସ୍ୱର୍ଗତ ପିତାମହଙ୍କ କତିପୟ ପଂକ୍ତି ଆମର ସ୍ମୃତିଗୋଚର ହେଉଛି ଯେଉଁଗୁଡିକୁ ନିମ୍ନ ଲିଖିତମତେ ଲିପିବଦ୍ଧ କରିବାକୁ ସାର୍ଥକ ମନେକରୁଛୁ l ଆଜି ଆମ୍ଭେ ସେମାନଙ୍କର କାର୍ଯ୍ୟକାଳର ଏକ ଘଟଣା ଏଠାରେ ଲିପିବଦ୍ଧ କରିବାକୁ ମନସ୍ଥ କରିଛୁ l


ପ୍ରାୟ 1938 ମସିହା କଥା l ସେତେବେଳେ ଚୌଦ୍ୱାରର ଅଧିକାଂଶ ବାସିନ୍ଦା ଦାରିଦ୍ର୍ୟ ପ୍ରପୀଡ଼ିତ,ଅନୁନ୍ନତ ଓ ନିରକ୍ଷର ଭାବେ ଜୀବନଯାପନ କରୁଥିଲେ l ଅଧିବାସୀମାନଙ୍କ ଏତାଦୃଶ ଦୁରବସ୍ଥା ଅବଲୋକନ କଲାପରେ ଉତ୍କଳପ୍ରେମୀ କତିପୟ ଜନନାୟକଙ୍କ ମନପ୍ରାଣରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ଏବଂ ମାନବୀୟ ଧର୍ମକୁ ଚରିତ୍ରାର୍ଥ କରିବା ନିମିତ୍ତ ଅଗ୍ରଗାମୀ ହୋଇଥିଲେ l ସେମାନଙ୍କ ମଧ୍ୟରେ ସ୍ୱର୍ଗତ ଉତ୍କଳ କେଶରୀ ଏବଂ ଭୂମିପୁତ୍ର ଯଥାକ୍ରମେ ହରେକୃଷ୍ଣ ମହତାବ ଏବଂ ବିଜୁ ପଟ୍ଟନାୟକ ଥିଲେ ଅନ୍ୟତମ l ଚୌଦ୍ୱାରଅଞ୍ଚଳରେ ବିଭିନ୍ନ ଶିଳ୍ପସଂସ୍ଥା ସ୍ଥାପନ ପୂର୍ବକ ଅଗଣିତ ଦୁସ୍ଥ ଅଧିବାସୀମାନଙ୍କ ଥଇଥାନ କରିବାର୍ଥେ ଉଦ୍ୟମରତ ହେଲେ l ସେମାନଙ୍କ ସ୍ୱପ୍ନ ସାକାର କରିବା ପାଇଁ ଦିନେ କଟକ ନଗରରୁ ଗୋଟିଏ ଇଂଲଣ୍ଡ ନିର୍ମିତ ଶୂନଗାଡ଼ି ଯୋଗେ ଚୌଦ୍ୱାର ରଗଡ଼ି ଅଭିମୁଖେ ଯାତ୍ରା ଆରମ୍ଭ କଲେ ଏବଂ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନାର୍ଥେ ଉପଯୁକ୍ତ ଭୂମି ନିରୂପଣ କରିଥିଲେ l ପ୍ରାୟ ଏକ ସପ୍ତାହ ବ୍ୟାପି ଉଦ୍ଦେଶ୍ୟମୂଳକ ଯାତ୍ରା ଅବସରରେ ଅଷ୍ଟଶମ୍ଭୁଙ୍କ ଦର୍ଶନ ଲାଭ କରିଥିଲେ l ଶେଷରେ ବୟୋଜ୍ୟେଷ୍ଠ ଶମ୍ଭୁ ମହାପ୍ରଭୁ ଉତ୍ତରେଶ୍ୱରଙ୍କ ଦର୍ଶନାର୍ଥେ ଆମ୍ଭ ଗ୍ରାମ ' ଆଗ୍ରାହାଟ'କୁ ଗମନ କରିଥିଲେ l ଫଳତଃ ଉତ୍କଳଭୂମିର ସୁନାମଧନ୍ୟ ବରପୁତ୍ର ଦ୍ୱୟଙ୍କ ସହିତ ବାର୍ତ୍ତାଳାପ କରିବାର ସୁବର୍ଣ୍ଣ ସୁଯୋଗ,ଆମ୍ଭର ସ୍ୱର୍ଗତ ପିତାମହ ଏବଂ ପ୍ରପିତାମହଙ୍କୁ ପ୍ରାପ୍ତ ହୋଇଥିଲା l ପ୍ରାୟ ଦୁଇ ଘଣ୍ଟା କାଳ ଆମ୍ଭ ବାସଗୃହରେ ରହଣି କାଳରେ ସୁଚାରୁ ରୂପେ ଆପ୍ୟାୟିତ ହୋଇ ତଥା ବିଶ୍ରାମ ସମାପନ କରି ପୁନଶ୍ଚ ଆମ୍ଭର ପିତାମହଙ୍କ ସହିତ କଟକ ନଗରକୁ ପ୍ରତ୍ୟାବର୍ତ୍ତନ କରି ପାରିଥିଲେ l ସେହି ବିଶିଷ୍ଟ ଲୋକନାୟକ ଦ୍ୱୟ ମଧ୍ୟ ଆମ୍ଭ ପିତାମହଙ୍କ ସୌହାର୍ଦ୍ଦ୍ୟ ଏବଂ ଅତିଥି ସତ୍କାର ଶୈଳୀ ଦ୍ୱାରା ଏପରି ମୁଗ୍ଧ ହୋଇଥିଲେ ଯେ, ଆମ୍ଭ ପିତାଙ୍କୁ ଓ.ଟି.ଏମ୍.ରେ ମାନେଜର ପଦବୀରେ ନିଯୁକ୍ତ କରାଇବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ l ମାତ୍ର ପରେ ପରେ 1947 ମସିହାରେ ବ୍ୟାଙ୍କ ଚାକିରୀ ପାଇବାରୁ ଓ.ଟି.ଏମ୍.ରେ ଚାକିରୀ କରିବା ନିମିତ୍ତ ଅନିଚ୍ଛୁକ ହୋଇଥିଲେ l


ବର୍ତ୍ତମାନ ସେହି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଆଉ ନାହିଁ କିମ୍ବା ସେପରି ତେଜସ୍କର ଜନହିତକାରୀ ବ୍ୟକ୍ତିବିଶେଷ ଆଉ ନାହାନ୍ତି l ସମୟ ବଦଳିବା ସହିତ ମଣିଷର ସ୍ଵଭାଵରେ ମଧ୍ୟ ପରିବର୍ତନ ଆସିଛି l 'ପରୋପକାର ସ୍ୱର୍ଗାୟ ' ନୀତିବାଣୀ କେବଳ ପୁସ୍ତକରେ ସୀମିତ l ଆମେ କତିପୟ ବରିଷ୍ଠ ନାଗରିକ କେବଳ ଅତୀତର ସକାରାତ୍ମକ ବଳିଷ୍ଠ ସ୍ମୃତିପୁଞ୍ଜର ମୂକସାକ୍ଷୀ ରୂପେ ବଞ୍ଚି ରହିଛୁ ଚଳିତ ଅର୍ଥସର୍ବସ୍ୱ ଦୁନିଆରେ l ସେହି ଅଭୁଲା ସ୍ମୃତିରତ୍ନ ଭଣ୍ଡାରରୁ କିଛି କିଛି ଅମୁଲ୍ୟ କିମ୍ବଦନ୍ତୀ ରୂପକ ରତ୍ନ ଚୟନ କରି ଆମର ପରିବାର ସଦସ୍ୟ ତଥା ଭାଇ ବନ୍ଧୁ କୁଟୁମ୍ଵମାନଙ୍କ ମଧ୍ୟରେ ବିତରଣ କରିବାର୍ଥେ ଆମ୍ଭର ଏହା ଏକ କ୍ଷୁଦ୍ର ପ୍ରୟାସ ମାତ୍ର l ଜୟ ଜଗନ୍ନାଥ ମହାପ୍ରଭୁ l ହେ ବିଶ୍ଵପ୍ରେମୀ ମହାପ୍ରଭୁ ବଳିୟାରଭୁଜ! ଆପଣଙ୍କୁ ଆମ୍ଭର ବିନମ୍ର ପ୍ରାର୍ଥନା ଏହି କି ଯେ ଆପଣ ସମଗ୍ର ବିଶ୍ୱବାସୀଙ୍କୁ ଟିକେ କୃପା ଦୃଷ୍ଟିରେ ଅବଲୋକନ କରି ସେମାନଙ୍କ ହୃଦୟରେ ସମଗ୍ର ମନୁଷ୍ୟ ଜାତି ପ୍ରତି ମାନବୀୟ ସମ୍ବେଦନଶୀଳତା ଭରି ଦେଇ ଜଗତକୁ ଆସନ୍ନ ବ୍ୟୁତ୍ପତ୍ତିରୁ ଉଦ୍ଧାର କରନ୍ତୁ l ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ l

 ( ସ୍ୱର୍ଗତ ପୂଜ୍ୟ ପିତାମହଙ୍କ ମୁଖନିସୃତ ତଥ୍ୟ ଉପରେ ଆଧାରିତ ଗଳ୍ପ )



Rate this content
Log in