ପୁଣ୍ୟ ମୁଦ୍ରା
ପୁଣ୍ୟ ମୁଦ୍ରା
ଥରେ ଜଣେ ଧନିଲୋକ କୌଣସି ଏକ ଯାତ୍ରାରେ ବାହାରି ଥିଲେ । ସେ ବାଟରେ ବରଗଛ ତଳେ ଜଣେ ସନ୍ଥକୁ ଦେଖିଲେ ।ସନ୍ଥ ତାଙ୍କ ଅନୁଗାମୀମାନଙ୍କୁ କିଛି କିଛି ପୁଣ୍ୟ ଅର୍ଜନ କରିବା ପାଇଁ ଉପଦେଶ ଦେଉଥିଲେ । ଧନି ଲୋକଟି ପୁଣ୍ୟ ଅର୍ଜନ ନକରି ମୋ ଭଳି ଧନ ଅର୍ଜନ କରିବାର ଆବଶ୍ୟକତା ରହିଛି ବୋଲି ସେଇ ସନ୍ଥଙ୍କୁ କହିଲେ ।ସନ୍ଥ ଜଣକ ଧୀର ଓ ଶାନ୍ତ ହୋଇ ସେଇ ଧନୀ ଲୋକଟିକୁ କହିଲେ କି ତୁମ୍ଭେ ସାରା ଜୀବନ ଅର୍ଜନ କରିଥିବା ଧନକୁ ତୁମ ମୃତ୍ୟୁପରେ ସ୍ବର୍ଗଲୋକକୁ ନେଇ ପାରିବ ନାହିଁ । ତୁମେ ଅର୍ଜିଥିବା ସବୁ ଧନକୁ ଏଇ ମର୍ତ୍ୟଲୋକରେ ଛାଡିକି ଯିବାକୁ ହିଁ ପଡିବ । ସନ୍ଥଙ୍କ ମୁଖରୁ ଏପରି ବାଣୀ ଶୁଣି ଧନୀଲୋକଟି ବ୍ୟସ୍ତ ହୋଇ ପଡିଲା ।ଏମିତି କିଛିଦିନ ବିତିଗଲା। ସେ ସନ୍ଥଙ୍କ କଥା ଭୁଲି ପାରିଲା ନାହିଁ । ଥରେ ସେ ତା'ର ସମସ୍ତ ବନ୍ଧୁବର୍ଗଙ୍କୁ ଡାକି ଏକ ବଡ ସଭା ଓ ଭୋଜିର ଆୟୋଜନ କଲା ।ସେଥିରେ ସେ ସେଇ ପ୍ରଶ୍ନଟି ପଚାରିଲା ।ପରଲୋକକୁ ମୋ ଅର୍ଜିତ ଧନ କିପରି ଯିବ ! ସେଇ ସଭାରେ ତାଙ୍କ ଜଣେ ବିଦେଶି ଫରନ୍ତା ବନ୍ଧୁ ଯୋଗ ଦେଇଥିଲେ । ତାଙ୍କ ପାଖରେ କିଛି ବିଦେଶି ମୁଦ୍ରା ଥିଲା । ସେ ସେଇ ମୁଦ୍ରାଗୁଡିକୁ ତାଙ୍କର ଧନୀ ବନ୍ଧୁଙ୍କୁ ଦେଇ କହିଲେ -ବନ୍ଧୁ ଏଇ ମୁଦ୍ରା ନେଇ ଆପଣ ପାଖ ଦୋକାନରୁ ମୋ ପାଇଁ କପେ ଚା ମଗାନ୍ତୁ । ତାପରେ ମୁଁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବି ।ଧନୀ ଲୋକଟି ମୁଦ୍ରାଗୁଡିକୁ ଦେଖି କହିଲା । ଏ ମୁଦ୍ରା ଗୁଡିକରେ ଆମ ଦେଶରେ କିଛି ବି କିଣାକିଣି କରିବା ପାଇଁ ଚଳିବ ନାହିଁ । ଏଥିପାଇଁ ଆପଣଙ୍କୁ ବ୍ୟାଙ୍କରୁ ଏ ବିଦେଶି ମୁଦ୍ରାସବୁ ଦେଇ ତା ବଦଳରେ ଆମ ଦେଶର ମୁଦ୍ରା ନେବାକୁ ପଡିବ । ବିଦେଶି ବନ୍ଧୁ ଜଣକ କହିଲେ ସେହିଭଳି ସ୍ବର୍ଗଲୋକରେ ପୁଣ୍ୟ ମୁଦ୍ରାର ପ୍ରଚଳନ ରହିଛି । ମର୍ତ୍ୟଲୋକରେ ଅର୍ଜିତ ମୁଦ୍ରାରୁ ସେବା କାର୍ଯ୍ୟ କଲେ ତାହା ସ୍ବର୍ଗଲୋକରେ ପୁଣ୍ୟ ମୁଦ୍ରାରେ ପରିଣତ ହୋଇଥାଏ । ଖାଲି ସେତିକି ନୂହେଁ ବନ୍ଧୁ ଆପଣଙ୍କ ପାଖରେ ଥିବା ମୂଲ୍ୟବାନ ସମୟ ଓ ବିଦ୍ୟାକୁ ଦାନକରି ସମାଜରେ ସେବାମୂଳକ କାର୍ଯ୍ୟ କଲେ ମଧ୍ୟ ପୁଣ୍ୟ ଅର୍ଜନ କରିହୁଏ ।ଯେମିତିକି ଅନାଥ ଅଶ୍ରମ,ଜରାଶ୍ରମ,ପାଖ ଡାକ୍ତରଖାନା ଓ ବିଦ୍ୟାଳୟକୁ ଯାଇ ପିଲା ଓ ରୋଗୀମାନଙ୍କ ଆବଶ୍ୟକତାକୁ ପୁରଣ କରିବା ,ଅସହାୟକୁ ସାହାଯ୍ୟ କରିବା,ସମସ୍ତଙ୍କ ମୁହଁରେ ହସ ଫୁଟେଇବା ଇତ୍ୟାଦି । ବିଦେଶି ବନ୍ଧୁଙ୍କ ଉତ୍ତରରେ ଧନିଲୋକଟିର ଆଖି ଖୋଲିଗଲା ।ସେ ସନ୍ଥ ଓ ଗୁରୁଜନଙ୍କ ଶରଣାପନ୍ନ ହୋଇ ଏହିସବୁ ପୁଣ୍ୟକାର୍ଯ୍ୟରେ ମନ ନିବେଶ କଲା ।
