STORYMIRROR

Padmalaya Padhy

Others

4  

Padmalaya Padhy

Others

ପଥର ଦେବତା

ପଥର ଦେବତା

7 mins
261

ରୋହନ ପ୍ଲିଜ ! ମୁଁ ଜାଣିଛି ଠିକ ଟାଇମରେ ଖାଇବି l ହଁ ହଁ ବାବା ଓଷଦ ବି ଖାଇବି l ଆଉ କଣ କୁହ l ଦୁଇ ଦିନ ପାଇଁ ଯାଇଛ ଦୁଇ ବର୍ଷ ପାଇଁ ନୁହେଁ l ରୋହନ ର ରୁବି ପ୍ରତି ଅତ୍ୟଧିକ ବ୍ୟସ୍ତତା ଦେଖି ରୁବି ବେଳେ ବେଳେ ଅଣନିଶ୍ୱାସୀ ହୋଇଯାଏ l ସ୍ତ୍ରୀ କୁ ସ୍ତ୍ରୀ ପରି ଦେଖ l ଛୋଟ ଛୁଆ ଭଳି ବ୍ୟବହାର କଲେ କାହାକୁ ବା ଭଲ ଲାଗିବ ? ସାନ ଭଉଣୀ ଛବି କହେ ନାନି ଲୋ ଭାଗ୍ୟ କରିଥିଲୁ ଏମିତି ଜୀବନସାଥୀଟିଏ ପାଇଛୁ l ନହେଲେ ୟାଙ୍କ ପରି ଲୋକ ହେଲେ ତ… ସ୍ତ୍ରୀ ପଛକେ ରୋଗ ରେ ପଡିଥାଉ ୟାଙ୍କର ରୋମାନ୍ସ କମ ହେବନି l


ରୁବି ମନେ ମନେ ଛବି କୁ ଇର୍ଷା କରେ l ଏମିତି ସ୍ୱାମୀ ମାତ୍ର ଭାଗ୍ୟ ରେ ଥିଲେ ମିଳିବ l ସବୁବେଳେ ଫିଟଫାଟ l ସ୍ତ୍ରୀ କୁ ବି ସଜେଇ ରଖିବାରେ ସଉକ l ଯୋଉଦିନ ଛବି ମ୍ୟାଚିଂ କରି ପିନ୍ଧି ନଥିବ ନା ତେବେତ କଥା ସରିଲା l ଛବି ର ବର ପୁରା ଘର ଟା ଉପରକୁ ଉଠାଇ ଦେବ l


ଆଉ ଏ ରୋହନ, ସ୍ତ୍ରୀ କୁ ଦି ପଦ ପ୍ରଶଂସା କରିଦେଲେ ପୁଣି ୟାକୁ ପଇସା ପଡିବ l ସେଥିରେ ପୁଣି ଆଉ ଗୋଟେ ଟ୍ୟାଲେଣ୍ଟ ବି ଅଛି l ଶୋଇଲା ବେଳେ ଯୋଉ ଘୁଙ୍ଗୁଡ଼ି ଯେ ରାତିରେ ରୁବି ର ଦଶ ଥର ନିଦ ଭାଙ୍ଗୁଥିବ l ନାକରେ ସେ ମେସିନ ଟା ଲଗାଅ ବୋଲି କେତେ କହିଲେ ବି ଶୁଣିବାକୁ ନାହିଁ l ଶୁଆ ଥଣ୍ଟ ପରି ସେମିତି ନାକରେ ଲଗାଇ ଶୋଇ ପାରିବି ନାହିଁ ମୁଁ l ତୁମେ କାନରେ ବରଂ ତୁଳା ଦେଇଦିଅ l ଅଜବ ଯୁକ୍ତି ରୋହନର l ରୋହନ ର ଏଇ ଘୁଙ୍ଗୁଡ଼ି ପାଇଁ କେତେଥର ରୁବି ବାପ ଘରେ ଅପଦସ୍ତ ହୋଇଛି l


ରୁବି ବାହାଘର ପର ବର୍ଷ ଛବି ର ବାହାଘର l ପ୍ରାୟ ବର୍ଷେ ଖଣ୍ଡେ ତ ଠିକଠାକ ଚାଲିଥିଲା କିନ୍ତୁ ଯେବେଠୁ ଛବି ର ବର କୁ ଦେଖିଲା ସେବେଠାରୁ ଆରମ୍ଭ ହେଇଗଲା ରୋହନକୁ ଛବି ର ବର ଅରୁଣ ସହିତ ପ୍ରତ୍ୟେକ କଥାରେ ତୁଳନା l ଅରୁଣ ର ଚଏସ ଅରୁଣ ର ଡ୍ରେସ ଅରୁଣ ର କଥା କହିବାର ଷ୍ଟାଇଲ ସବୁ ଆଣି ରୋହନ ଦେହରେ କପି ପେଷ୍ଟ କରିବାର ଚେଷ୍ଟା କରୁ କରୁ ଧୀରେ ଧୀରେ ରୁବି ରୋହନ ଠାରୁ ଅନେକ ଦୂର କୁ ଚାଲି ଯାଉଥିଲା l


ପୂଜା ପାଇଁ ମା ଡାକିଥିଲା ଏବଂ ସେଦିନ ଦୁଇ ଭଉଣୀ ଯାକ ଅନେକ ଦିନ ପରେ ନିଜ ଘରେ ଯାଇ ଏକତ୍ରିତ ହୋଇଥିଲେ l ଆରମ୍ଭ ରୁ ଶେଷ ଯାଏଁ ରୁବି ଖାଲି ରୋହନ ଉପରେ ଗର ଗର ହେବାର ଦେଖି ମା ରୁବି କୁ ଡାକି ଏକାନ୍ତ ରେ ପଚାରିଲା ତୁମ ଦୁହିଁଙ୍କ ଭିତରେ ଝଗଡା ହେଇ ଯାଇଛି କିଲୋ ? ଆସିଲାଠୁ ଦେଖୁଛି ଜୋଇଁ ଙ୍କ ଉପରେ ଖାଲି ପାଟିତୁଣ୍ଡ କରୁଛୁ ? ଲୋକ ଭଲ ବୋଲି ସହି ଯାଉଛନ୍ତି ସିନା l ଆଗ୍ନେୟଗିରି ର ସୁପ୍ତ ଲାଭା ହଠାତ ତରଳିବାକୁ ଆରମ୍ଭ କରିଦେଲା l

ଦେଖ ମା ! କେମିତି ଲୋକ ହାତରେ ମୋତେ ଦେଇଚୁ ଦେଖ l ଖାଇବା, ପିନ୍ଧିବା, କଥାବାର୍ତ୍ତା କୋଉଥିରେ କିଛି ବାଗ ଅଛି ? ଦେଖ ଦେଖ ଲୁଙ୍ଗିଟାକୁ ଚଉତି କି ଅଧାରୁ ଭାଙ୍ଗ ପକାଇ ସୋଫା ଉପରେ ଗୋଡ଼ ହାତ ଟେକି କେମିତି ଚା କପ କୁ ସୁଡୁ ସୁଡୁ କରି ଶୋଷୁଛନ୍ତି ଯେ ସାଇ ର ଶେଷ ମୁଣ୍ଡ କୁ ଶୁଭୁଥିବ l କେତେ କହିଲେ ବି ଗାଉଁଲି ବୁଦ୍ଧି ଯିବନି l ଗରମ ଖାଲି ୟାଙ୍କୁ ହେଉଛି ନା ଆଉ କାହାକୁ ବି ହେଉଛି l ଅରୁଣ ବି ତ ସେପଟେ ବସିଛନ୍ତି ସିଏ କେମିତି ବସିଛନ୍ତି ଇଏ କେମିତି ବସିଛନ୍ତି l ଯୁଗ କୁଆଡେ ଗଲାଣି ।


--ପତ୍ନୀଟିଏ ଚାହେଁ ତା ସ୍ୱାମୀ ସମସ୍ତଙ୍କ ଠାରୁ ଶ୍ରେଷ୍ଠ ବିବେଚିତ ହେଉ ବୋଲି l ଏଥିରେ ଦୋଷ ନାହିଁ l ଦୋଷ ତ୍ରୁଟି ସମସ୍ତଙ୍କ ପାଖେ ଥାଏ l ଦୋଷ କାହାର ନାହିଁ ଖୁଣ କାହା ପାଖରେ ନାହିଁ କହ ? ସେମିତି ଭାବିଲେ ତ କୌଣସି ମଣିଷକୁ ଭଗବାନ ସର୍ବଗୁଣସମ୍ପର୍ଣ୍ଣ ଏବଂ ଖୁଣ ବିହୀନ କରି ନାହାନ୍ତି l ତୋତେ ବି ନୁହେଁ l


--ଓହୋ ତୁ ପ୍ରବଚନ ବନ୍ଦ କଲୁ l ଆରମ୍ଭ ହେଇଗଲା ଉପଦେଶ l


ରୁବି ମା ର ମୁହଁ ବନ୍ଦ କରିଦେଲା କିନ୍ତୁ ମନେ ମନେ ଜଳୁଥିଲା l ବାହାର ନିଆଁ ସିନା ସହଜ ରେ ଲିଭିଯାଏ ହେଲେ ମନ ତଳର ନିଆଁ କେତେ ପାଣି ଢ଼ାଳିଲେ ବି ଲିଭେ ନାହିଁ ବରଂ ଆଜୀବନ ଜଳେଇ ଜଳେଇ ମାରେ ଓ ନିଜ ଲୋକଙ୍କ ଉପରେ ମାଡିଚାଲେ l ତା ସ୍ୱାମୀ ଠୁ ଶହେ ଗୁଣ ସୁନ୍ଦର ଆଧୁନିକ ସୁପୁରୁଷ ମାନେ ଅଛନ୍ତି l କୋଉଠି ଥିବେ ରୁବି କଣ ସେମାନଙ୍କୁ ଦେଖୁଛି ନା ସେମାନେ ଆଖିରେ ପଡୁଛନ୍ତି l ହେଲେ ଛବି ବର ତ ପରିବାର ର ଲୋକ ସର୍ବଦା ଆଖି ସାମ୍ନାରେ l ସବୁବେଳେ ଆଖି ଆଗରେ ପଡିଲେ ଖରାପ ଲାଗିବନି ?


କଣ ସବୁ ଭାବିଗଲାଣି ସିଏ l ବଡ଼ ଭଉଣୀ ହୋଇ ସାନ କୁ

 ଇର୍ଷା ? ଛି ଛି ! ଛବି ହୋଇଥିଲେ କଣ ନାନି ପ୍ରତି ସେମିତି କରିଥାନ୍ତା ? ବେଳେ ବେଳେ ଲାଗେ ଛବି ବଡ ଓ ରୁବି ସାନ l


ଛବି ବର ର ଚାକିରୀ ରେ ଟୁର ବେଶୀ l ବାହା ହେବାର ଏତିକି ଦିନ ଭିତରେ ଛବି ଅଧାଅଧି ଭାରତ ଦେଖି ସାରିଲାଣି l ଯୋଉଠି ଯାହା ଦେଖିବ ନାନି ପାଇଁ କିଣିବ l ନାନି ଏ ଶାଢ଼ୀ ଟା ତୋତେ ଭଲ ମାନିବ l ନାନି ସେ ହାତବୁଣା ଶାଢ଼ୀଟା ପିନ୍ଧିଲେ ନା ଦଶ ବର୍ଷ ୟଙ୍ଗ ଦିଶିବୁ l ନାନି ଏଇଠି ଗୋଟେ ସ୍ପେଶାଲ ପେଡା ମିଳେ ଲୋ ଆମ ସେଠିକାର ପେଡା ଠାରୁ ପୁରା ଅଲଗା l ଯିବାଠାରୁ ଆସିବା ଯାଏଁ ଖାଲି ନାନି ନାନି ହେଉଥିବ l ପିଲାଦିନେ ତ ଘରେ ଯାହା ଭଲ ମନ୍ଦ ରନ୍ଧା ହୁଏ ନିଜ ଭାଗରୁ କାଢ଼ି ନାନି ପାଇଁ ରଖିଥିବ l ପୃଥିବୀ ର ସବୁ ଶ୍ରେଷ୍ଠ ଜିନିଷ ତା ନାନିର କାନିରେ ଢ଼ାଳି ଦେବା ଝିଅ ହେଉଛି ଛବି l ଅଥଚ ନାନି ଏଣେ ତାର ସୌଭାଗ୍ୟ ଦେଖି ଇର୍ଷା ରେ ଜଳୁଛି ?


ଶେଷକୁ ଦେବ ଓ ଦାନବ ର ଲଢେଇ ରେ ବଳି ପଡେ ବିଚରା ରୋହନ l

--କେତେ କହିଲେ ବି ତୁମେ ଶୁଣିବ ନାହିଁ l ମୋତେ ଅନ୍ୟ ଆଗରେ ବେଜ୍ଜିତ କରିବାର ଠିକା ନେଇଛ ନା ତୁମେ ?

--ପ୍ରତିଥର ତୁମେ ଛବିର ବର କୁ ଦେଖିଲେ ମୋ ସହ ଝଗଡା ଲାଗୁଛ କାହିଁକି l ମୋ ପାଖେ ଯଦି ମନ ମାନୁନି କାହାକୁ ଗୋଟେ ହିରୋ ମାର୍କା ଚେହେରା ଦେଖି ପସନ୍ଦ କରି ଚାଲି ଯାଅ ନା ? କିଏ ମନା କରୁଛି ?

--ମୋତେ ଅପମାନିତ କରି ମଜା ଲାଗୁଛି ନା ?

--ରୁବି ତୁମେ ଜାଣ ଶତ୍ରୁକୁ ବି ମୁଁ ଅପମାନ ଦିଏ ନାହିଁ l ପୁଣି ଯାହାକୁ ନିଜ ପ୍ରାଣ ଠାରୁ ଅଧିକା ଭଲ ପାଏ ତାକୁ ଅପମାନ ଦେବି ବୋଲି କେମିତି ଭାବିଲ ? ସତ କହିଲେ ମୋତେ ଦେଖେଇ ହେବା ଭଲ ଲାଗେନି l ମୁଁ ଯେମିତି ସେମିତି l ଆଉ କାହାର ମୁଖା ପିନ୍ଧିବି କାହିଁକି ? ଈଶ୍ୱରଙ୍କ ସୃଷ୍ଟିରେ ସମସ୍ତେ ଅନନ୍ୟ ଓ ସମସ୍ତଙ୍କର ସ୍ୱତନ୍ତ୍ରତା ରହିଛି l ପ୍ରତ୍ୟେକ ମଣିଷ ଭିନ୍ନ ଭିନ୍ନ କିନ୍ତୁ ସର୍ବୋତ୍ତମ l ମୁଁ କାହଁକି ଅରୁଣ ପରି ହେବି ଓ ସେ ଅବା କାହଁକି ମୋ ପରି ହେବାକୁ ଯିବ ?

--ଅରୁଣ କଣ ପୃଥିବୀ ର କୌଣସି ଲୋକ ତୁମ ପରି ହେବାକୁ ଚାହିଁବ ନାହିଁ l

--ଯାହା ଭାବୁଛ ଭାବ l ମୁଁ ଅନ୍ୟର ମୁତାବକ ନିଜକୁ ବଦଳାଇ ପାରିବି ନାହିଁ l

ସେଦିନ ଏତିକିରେ କଥା ସରିଥିଲା l ପରଦିନ ରୁବି ଛବି ମା ସହିତ ରୋଷେଇ ଘରେ ଅଛନ୍ତି l ସରସୀ ନାନି ର ଘୋଡ଼ୀ ଭଳିଆ ଝିଅଟା ଦୁମ ଦୁମ ଚାଲିବ କଥାବାର୍ତ୍ତା ରେ ବାଗ ବାଇସ ନାହିଁ ସିଧା ଭିତରକୁ ପଶି ଆସିଲା l

--ଅରୁଣ ଭାଇନା ତୁମେ କଣ ଶାହରୁଖ ପରି ଷ୍ଟାଇଲ ମାରୁଛ ? ବିଲକୁଲ ଝକାସ l କାହାକୁ ଲାଇନ ମାରିବା ପ୍ଲାନ ରେ ଅଛ କି ?

ଅରୁଣ କଣ କହିଥିଲା ରୋହନ ର ମନେ ନାହିଁ ସିନା ରୋହନ କିନ୍ତୁ ପଢ଼ୁଥିବା ଓଡ଼ିଆ ଖବର କାଗଜଟିକୁ ସୋଫା ତଳେ ଫୋଫାଡ଼ି ଦେଇ ଦୌଡ଼ିଥିଲା ଭିତରକୁ l ତତକ୍ଷଣାତ ସାର୍ଟ ଗୋଟେ ଗଳେଇ ସାରି ଆସି ଆଶ୍ବସ୍ତି ରେ ବସିଥିଲା ଯାଇ l

ଆଜି ସେ ଦୁଇ ଦୁଇଟି ଧର୍ତ୍ତବ୍ୟ ଅପରାଧ କରି ପକାଇଛି l ଗୋଟେ ହେଲା ଖାଲି ଦେହ ରେ ବସିଥିଲା ପୁଣି ଓଡ଼ିଆ ପେପର ବି ପଢୁଥିଲା l ଓଡ଼ିଆ ପେପର ଉପରେ ରୁବି ର ନିଷେଧାଦେଶ କାରଣ ଅରୁଣ ଇଂଲିଶ ପେପର ପଢେ !! ପୁଣି ଘର ଭିତରେ ବି ରୋହନ କୁ ସାର୍ଟ ଖୋଲିବା ମନା l ଭାଗ୍ୟ ଭଲ ରୁବି ପାଖରେ ନାହିଁ l ନହେଲେ କଣ ନା ଘଟି ଯାଇଥାନ୍ତା l ପ୍ରତିଥର ଶଶୁର ଘର କୁ ଆସିଲେ ମୂଷା ଗାତରେ ପଶିଲା ଭଳି ରୋହନ କୁ କଣିକିଆ ହୋଇ ରହିବାକୁ ହୋଇଥାଏ l

ଛବି ଓ ରୁବି ଫେରି ଆସିବାର ଦୁଇ ଦିନ ପୂର୍ବରୁ ଜଗନ ମଉସା ଙ୍କ ନାତିର ଜନ୍ମ ଦିନ ପଡିଲା l ଏଣେ ସକାଳୁ ଉଭୟେ ଜର ରେ କମ୍ପୁଥାନ୍ତି l ମା ତ କୁଆଡେ ଯାଏ ନାହିଁ l ସୁତରାଂ ରୋହନ ଓ ଅରୁଣ ଯିବା ପାଇଁ କଥା ଛିଣ୍ଡିଲା l ଛବି ରୁବି ପାଇଁ ବ୍ରେଡ ଅଛି କ୍ଷୀର ଅଛି ମା ବି ସେଥିରେ କାମ ଚଳାଇ ଦେବ l ରାତିରେ ରୋଷେଇ ନକଲେ ବି ଚଳିଯବ l

ସେଦିନ ସନ୍ଧ୍ୟା ରେ ହେବାକୁ ଥିବା ପାର୍ଟି ପାଇଁ ସକାଳୁ ଉଠୁ ଉଠୁ ଅରୁଣର ସଜବାଜ ଆରମ୍ଭ ହୋଇ ଯାଇଥିଲା l କଣ ପିନ୍ଧିବ କେଉଁ ପରଫ୍ୟୁମ ପକାଇବ ହେୟାର ଷ୍ଟାଇଲ କେମିତି ରହିଲେ ଭଲ ଦିଶିବ ଇତ୍ୟାଦି ଇତ୍ୟାଦି l ଯେତେହେଲେ ଜୋଇଁ ପୁଅ ଟି ! ଥାଟ ନଥିଲେ କେମିତି ହେବ l ଭେକ ଥିଲେ ଭିକ ମିଳେ ପରା !

ସନ୍ଧ୍ୟା ରେ ଅରୁଣ ସଜବାଜ ହୋଇ ସାରି ବାହାରିଲାଣି ହେଲେ ରୋହନର ଦେଖା ନାହିଁ l ଖୋଜି ଖୋଜି ନୟାନ୍ତ ହେଲାପରେ ରୋହନକୁ ପତ୍ନୀ ନିକଟରେ ଅର୍ଥାତ ରୁବି କୁ ଅମୃତାଞ୍ଜନ ଲଗାଇ ଦେଉଥିବା ଅବସ୍ଥାରେ ଦେଖିବାକୁ ମିଳିଲା l ଅରୁଣ ରୋହନ କୁ ଶୀଘ୍ର ବାହାରିବା ପାଇଁ ତାଗିଦ କରି ଚାଲିଗଲା l କିନ୍ତୁ ରୋହନ ବାହାରୁ ନଥାଏ l

--ମା ବ୍ରେଡ ଦୁଇ ପ୍ୟାକେଟ ଅଛି l ଆମ ହେଲେ ଚାରି ଜଣ l ହେଇ ଯିବନି କି ? କ୍ଷୀର ବି ତ ଅଛି ନା ଆଡ଼ଜଷ୍ଟ କରିଦେବା l

--ଚାରି ଜଣ ? କିନ୍ତୁ ପୁଅ ତୁମେ ଯିବନି କି ?

--ନାହିଁ ମା ମୁଁ ଆଉ ଯାଉନାହିଁ l ରୁବି ର ଦେହ ଭଲ ନାହିଁ l ଏକୁଟିଆ ମୁଁ ଯାଇ କଣ କରିବି ସେଠି l ଆପଣ ତ ଜାଣନ୍ତି ଏ ସବୁ ପାର୍ଟି ଫାର୍ଟି ର ଲୋକ ମୁଁ ନୁହେଁ l ଘରେ ଜଣେ ରୋଗ ରେ ପଡ଼ିଥିବ ମୁଁ ତେଣେ ଯାଇ ଏନଜୟ କରି ପାରିବିନି l

--ରୁବି ଛବିଙ୍କ ପାଖରେ ମୁଁ ଅଛି ପୁଅ l ଘଣ୍ଟେ ଦି ଘଣ୍ଟା ର କଥା ତ ତୁମେ ଚାଲିଯାଅ l

--ମୁଁ କଣ ଭାବୁଥିଲି ନା ରୁବିର ତ ସବୁ କଥାରେ ବାରିବା ଅଭ୍ୟାସ l ଜର ପାଟି କୁ ବ୍ରେଡ ରୁଚୁ ନ ଥିବ l ତେଣୁ ଖିଚଡି ଟିକିଏ ବନେଇ ଦେଲେ ଆରାମରେ ଖାଆନ୍ତା l ବିଶ୍ୱାସ କରନ୍ତୁ l ମୋତେ ବଢିଆ ଖିଚଡି ତିଆରି କରି ଆସେ l 

ରୁବି ଶୋଇ ଶୋଇ କଥା ଶୁଣୁଥିଲା l ହଠାତ ଲୁହ ଟୋପାଏ ଜକେଇ ଆସି ଆଖି ର କୋଣ ରେ ଲାଖି ଗଲା l କି ଉପାଦାନ ରେ ତୁମେ ଗଢ଼ା ହୋଇଛ ରୋହନ ? କେତେ ଅପମାନିତ ହୋଇ ବି ତୁମେ ମୋ ପରି ଗୋଟିଏ ଛାର ଅପାରଗ ପତ୍ନୀ ର ଖାଇବା ପାଇଁ ଏତେ ବ୍ୟସ୍ତ ? ଭଗବାନ ଙ୍କ ଠାରୁ ବି ତୁମେ ଉପର ଆସ୍ଥାନ ବାଛି ନେଇଛ କି ? ମୁଁ ଯେତିକି କଥା କହିଛି ଭଗବାନ ହୋଇଥିଲେ କେବେ ଛାଡି ନଥାନ୍ତେ l ହେଲେ ତୁମେ କଣ ପଥର ରେ ଗଢ଼ା ହୋଇଛ ? ଭଗବାନଙ୍କ ଠାରୁ ବି ମହାନ

ରୋହନର ଡାକରେ ମନ କଥା ମନରେ ରହିଗଲା l ଖିଚିଡି ଖାଇବାକୁ ରାଜି ହୋଇ ପୁଣିଥରେ ଶୋଇ ଯାଇଥିଲା ରୁବି - ହାତରେ ମଙ୍ଗଳସୂତ୍ରଟିକୁ ଭିଡି ଧରି କେଉଁ ଏକ ଆଶ୍ୱସ୍ତ ଭବିଷ୍ୟତର ପ୍ରତୀକ୍ଷାରେ l


Rate this content
Log in