Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Kumar Mrutyunjay

Others

4.5  

Kumar Mrutyunjay

Others

ପ୍ରତିଶୃତି:କେତେ ସତ କେତେ ମିଛ

ପ୍ରତିଶୃତି:କେତେ ସତ କେତେ ମିଛ

3 mins
249


ମଧୁଆ ସାଇକେଲରେ ଡ଼ାକବାଜିଟେ ଧରି ଗାଁ ର ଗଳିକନ୍ଦି ବୁଲୁଚି, କିଛି ବାଦ ଦେଉନି। ଚଣ୍ଡାଳିଆ ସାହିର ଅଜାତିଆ ଲୋକ ଯାହାଙ୍କୁ କାଳ କାଳ ଧରି ଅସ୍ପୃଶ୍ୟ ବୋଲି ବିବେଚନା କରାଯାଏ, ସେମାନଙ୍କ ସାହିକୁ ବି ଯାଉଛି। 


"ପ୍ରିୟ ବନ୍ଧୁଗଣ, ଆମ ବଡଭାଇ ଆପଣଙ୍କ ଗର୍ବ ଓ ଗୌରବ ଶ୍ରୀ ମାୟାଧର ବଡ଼ଜେନା ଏସନ ବିଧାନସଭା ପାଇଁ ଲଢ଼ୁଛନ୍ତି,ଦୟାକରି ଆପଣମାନେ ବହୁଳ ସଂଖ୍ୟାରେ 'ହାରକିନି' ଚି଼ହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ଓ ନିଜର ତଥା ଅଞ୍ଚଳ ର ବିକାଶ ରେ ସହାୟକ ହୁଅନ୍ତୁ"। 


ଡ଼ାକବାଜି ଟିରେ ଏହା ବାରମ୍ବାର ବାଜୁଥାଏ, ହରିଜନ ସାହିର କିଛି ଅର୍ଦ୍ଧନଗ୍ନ ଶିଶୁ ଧୂଳିଧୂସର ହେଇ ନାକରେ ନାକେ ସିଂଘାଣି ଧରି ପିନ୍ଧିଥିବା ପେଣ୍ଟ ସମ୍ଭାଳୁ ସମ୍ଭାଳୁ କେଡେ ଉଲ୍ଲାସ ରେ ତା ପଛେପଛେ ଦୌଡୁଥାନ୍ତି। 


ଛକମୁଣ୍ଡରେ ସଦା ବାରିକ ଛପର ଦୋକାନ, ଗୁଡ଼ିଆଣୀ ଘର, ଛୋଟିଆ ଗୋଟେ ଗୁମୁଟି କରି ଚା,ପାନ,ବିଡି,ଗୁଟଖା ବିକୁଥିବା ବିପିନ ପାନଵାଲା ଠାରେ ଏବେ ନିତି ବସୁଛି ଭେଳିକି ଭେଳି ଚର୍ଚ୍ଚା,ତର୍କ ବିତର୍କ, କେଉଁ ଦଳ କେତେ ଦେଇଛି,କେତେ କରିଛି ପୁଣି କିଏ ବେଶି ଦେଇ ପାରିବ, ତାକୁ ନେଇ କଳିଗୋଳ ବି ନିଜର ଚରମ ସୀମା ଧାରଣ କରିନିଏ। 


ବେଳେବେଳେ ଶୁଣିବାକୁ ମିଳେ ଉଡ଼ାକଥା,"କୁଆଡେ ଗତ ନିର୍ବାଚନ ପରେ ପରେ ମଦନା ଶଙ୍ଖାରୀ ପୁଳାଏ କେଉଁଠୁ ପାଇଲା ଯେ ଏକାଥରେ ସହର କୁ ଯାଇ ମଦନମୋହନ ଲେଡ଼ିଜ କର୍ଣ୍ଣର ବୋଲି ବଡ଼ ଦୋକାନଟେ ଖୋଲିଲା। 


"ସେକଥା କହୁଚ କକା ! ରବି, ଆମ ହରି ନାଆକ ପୁଅ ବା, ବାନାଖଉଡିଆ ହେଇ ବୁଲୁଥିଲା, କୁଜି ନେତା ପଛେ ପଛେ କୁକୁର ପରି ଲାଙ୍ଗୁଡ଼ ଯାକି ହଁ ରେ ହଁ, ନାଇଁ ରେ ନାଇଁ ମିଳେଇ ଚାଲେ। ସେ ପରା ଗଲା ଥର ପାଇଛି ପୁଳାଏ ପୁଣି କୁହା ବୁଲା କରି ସରକାରୀ ଯୋଜନାରେ ଘର ପାଇଁ ବି ଟଙ୍କା ପାଇଲା, ଏବେ ଦିତାଲା ବାଡେଇଲା, କୁଆଡେ ମୋଜାଇକ ପକେଇଚି ଚଟାଣ ରେ"।। 


ଉପରଓଳି ଛକମୁଣ୍ଡିଆଙ୍କ ଏହା ଥାଏ ଆଲୋଚନାର ବିଷୟ, ରଘୁଆ ବି ସମୟ ସମୟରେ ଏଥିରେ ଯୋଗଦିଏ। 


ରଘୁଆ ଘର ଛପର, ଇଟା ପକେଇବା, ଧାନ ଗଦା କରିବା, ହେଁସ ମସିଣା ବୁଣିବା, ଗାଈ ଦୁହିଁବା ଆଦି କାମରେ ଧୁରନ୍ଧର, ଯେତେ କାମ କଲେବି ଚାରିପ୍ରଣୀ କୁଟୁମ୍ବ ପୋଷିବା ତା ପାଇଁ କାଠିକରପାଠ।ତା ଦେହ ମୁଣ୍ଡ ଖରାପ ହେଇଗଲେ ଦିନେ ଦିନେ ଚୁଲି ଅଜଳା ରହିଯାଏ। ଦୁଇ ବଖରା ବାଡତାଟି ଦିଆ ଚାଳ ଛପର ଘର। ସେଥିରେ ଚାରିପ୍ରାଣୀ ରୁହନ୍ତି। ନିର୍ବାଚନ ପରେ, ରଘୁଆ ଅନ୍ୟ ମାନଙ୍କ ମୁଁହ ରୁ ଶୁଣିଆସୁଥାଏ ଯେ ତାର ଏଇ ଅବସ୍ଥା ସୁଧୁରି ଯିବ, ସେ ଆଉ ଗରିବ ହେଇ ରହିବ ନାହିଁ। 


କିଛି ଦିନ ଆଉ ନିର୍ବାଚନକୁ ରହିଲା, ଘର ଘର ବୁଲି ଏଥର ପ୍ରଚାର ଚାଲିଲା, ସ୍ୱୟଂ ମାୟାଧର ବଡ଼ଜେନା ଶ୍ୱେତବସ୍ତ୍ର ପିନ୍ଧି ଗଳାରେ ଲମ୍ବା ଗେଣ୍ଡୁମାଳ ମଥାରେ ତିଳକ ଲଗାଇ ଦୁଇହାତ ଯୋଡି ଦେଇ ଦୟା, ସ୍ନେହ ଓ ଭକ୍ତିର ପ୍ରତୀକ ହୋଇଯାଇଥିଲେ। ମାଆ, ମାଉସୀ ଭଉଣୀଙ୍କ ହାତରୁ କେତେବେଳେ ଶାଗ, ବଡ଼ିଚୁରା ବାସି ପଖାଳ ଖାଉଥିଲେ ତ କେତେବେଳ ସନା ପିଉସା, ହରିଆ ବୁଢା ଆଦିଙ୍କ ପରି ବୟୋଜ୍ୟେଷ୍ଠ ବୃଦ୍ଧଙ୍କୁ ନତମସ୍ତକ ହୋଇ ପ୍ରଣାମ କରିଥାନ୍ତି, କୁଆଡେ ଶୁଣା ଯାଉଛି ଘରକୁ ଘର ଟଙ୍କା ଦୁଇ ତିନି ହଜାର ବି ଦେଇଛନ୍ତି। 


ଏଥର ପାଳି ପଡିଲା ରଘୁଆ ଘରେ, ମାୟାଧର ବାବୁ ରଘୁଆକୁ ନିଜ ଭାଇ ବୋଲି ସମ୍ବୋଧନ କରି 'ହାରକିନି' ଚି଼ହ୍ନ ରେ ଭୋଟ ଦେବାକୁ କହିବା ସହ ସୁଖ ଦୁଃଖ ପଚାରି ବୁଝିଲେ।ନିର୍ବାଚନ ସରିଲେ ତା ଦୁଃଖ ଶେଷ କୁଆଡେ ସେ ତାକୁ ସହରର କାରଖାନାରେ କାମରେ ଲଗେଇଦେବେ ବୋଲି ପ୍ରତିଶୃତି ବି ଦେଲେ। ଖାଲି ନିର୍ବାଚନ ଝାମେଲାଟା ସରିଲେ ରଘୁଆକୁ ଯାଇ ଦେଖା କରିବାକୁ କହି ତା ହାତରେ ହଜାରେ ଟଙ୍କା ଗୁଞ୍ଜି ଦେଲେ।


ସମୟକ୍ରମେ ରଘୁଆ ଏଥର ଭାରି ଖୁସି, କାରଣ ମାୟାଧର ବାବୁ ନିର୍ବାଚନ ଜିତିଲେ। ଆଉ ଡ଼େରି ନକରି ରଘୁଆ ବାହାରିଲା ତାଙ୍କୁ ଭେଟିବାକୁ, ବଧାଇ ଦେବ ଆଉ ଚାକିରୀ କଥାଟା ବି ପକ୍କା କରିଆସିବ, ରଘୁଆ ପାଦ ଆଉ ତଳେ ଲାଗୁନଥାଏ। ଛକମୁଣ୍ଡରେ ମଦନା ତଥା ରବିର ବଡ଼ଲୋକ ହେବା କଥା ଶୁଣିଥିଲା, ଏଥର ସେ ବି ବଡ଼ ଲୋକ ହେବାର ଦିନ ଗଣୁଥାଏ। 


କିନ୍ତୁ ସବୁ ଆଶା ତାର ପାଣିରେ ମିଶିଗଲା, ଯେତେବେଳେ ଦରୁଆନ ତାକୁ ଧକ୍କା ଦେଇ ବିଦା କରିଦେଲା। ନିଜ କାନ ମୁଣ୍ଡ ଆଉଁସି ଆଉଁସି ସେ ଫେରୁଥିଲା ଗାଁ ଅଭିମୁଖେ, ଭାବୁଥିଲା ସେଇ ଦଶ ମିନିଟର ପ୍ରତିଶୃତି କେତେ ସତ କେତେ ମିଛ!!


ଗାଳ୍ପିକ ବାଉରୀବନ୍ଧୁ ଲେଙ୍କାଙ୍କ ଗଳ୍ପାଂଶକୁ ନେଇ ପ୍ରସ୍ତୁତ... ଗାଳ୍ପିକଙ୍କୁ ଅଶେଷ ଅଭିନନ୍ଦନ, ତାଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରୁଛି...।



Rate this content
Log in