STORYMIRROR

Bhagyashree Nanda

Others

3  

Bhagyashree Nanda

Others

ପ୍ରତିମୂର୍ତ୍ତି

ପ୍ରତିମୂର୍ତ୍ତି

4 mins
235

"ଏକ ସୁନ୍ଦର ଆକୃତିର କଦମ୍ବବୃକ୍ଷ ସଦୃଶ୍ୟ ବୃକ୍ଷଟିଏ | ତା ମୂଳରେ ରାଧାକୃଷ୍ଣଙ୍କର ପ୍ରତିମୂର୍ତ୍ତିଟିଏ | ରାଧାକୃଷ୍ଣଙ୍କୁ ନୃତ୍ୟକଳାରେ ବେଢ଼ି ରହିଛନ୍ତି ଗୋପୀମାନେ | ବୃକ୍ଷଟି ଅନେକ ସୂକ୍ଷ୍ମାଦିସୂକ୍ଷ୍ମ କାରୁକାର୍ଯ୍ୟରେ ଭରା | ଭିନ୍ନ ଭିନ୍ନ ରଙ୍ଗର ମୀନାକରି ଓ ପଥରର କାର୍ଯ୍ୟ ବୃକ୍ଷଟିକୁ ମନଲୋଭା କରୁଛି |" "ଏ ପ୍ରତିମୂର୍ତ୍ତିଟି ଅବିକଳ ସେଇ ପ୍ରତିମୂର୍ତ୍ତି ସଦୃଶ୍ୟ ଯାହା ମୁଁ ମୋ ପିଲାଦିନେ ପୁରୀରେ ଦେଖିଥିଲି |" କହିଉଠିଲେ ଅଞ୍ଜନା |

ଅଞ୍ଜନା ଓ ପ୍ରସନ୍ନଙ୍କର ନୂତନ ଗୃହର ଗୃହପ୍ରବେଶରେ ବଡ଼ଭାଇଙ୍କ ତରଫରୁ ଏଇ ଉପହାରଟି ଅଞ୍ଜନା ପାଇଁ ଥିଲା ସର୍ବଶ୍ରେଷ୍ଠ ଉପହାର | ପ୍ରତିମୂର୍ତ୍ତିକୁ ଦେଖି ଅଞ୍ଜନା ଭାବବିହ୍ଵଳ ହେଇଯାଇଥିଲା ଓ କିଛି ସମୟପାଇଁ ତା ପିଲାଦିନର ସ୍ମୃତିରାଇଜରେ ହଜିଯାଇଥିଲା | ତା ମୁଁହରେ ଏକ ପସନ୍ନତାର ଚମକ ଥିଲା | ସେ ପ୍ରସନ୍ନଙ୍କ ସମ୍ମୁଖରେ ତା ପିଲାଦିନର ସେଇ ଅତିପ୍ରିୟ ଅନୁଭୂତିକୁ ବଖାଣିବାରେ ଲାଗିଲା | 

   "ସୁଦୂର ପାରାଦ୍ୱୀପରୁ କାହିଁ ଭିତରକୁ ଥିବା ମୋ ଗାଁରୁ ପୁରୀ ଯାତ୍ରା ମୋ ପାଇଁ ଥିଲା ପ୍ରଥମ | ବୋଉ ଯେବେଠୁ କହିଥିଲା, ଆମକୁ ପୁରୀ ନେଇ ବୁଲେଇ ଆଣିବ, ସେବେଠୁ ଆମ ଭାଇ ଭଉଣୀଙ୍କର ଗୋଡ଼ ତଳେ ଲାଗୁନଥାଏ କି ରାତିରେ ନିଦ ବି ନଥାଏ | ଆମ ସହ ଆମର ଦି ଜଣ ମାଇଁ ମଧ୍ୟ ଯିବେ ବୋଲି ଥିଲା | ନିର୍ଦ୍ଧାରିତ ଦିନର ପୂର୍ବ ଦିନ ମାଇଁ ଦିଜଣ ଆସି ପଂହଞ୍ଚିଯାଇଥିଲେ | 

ସକାଳୁ ସକାଳୁ ଟ୍ରେନରେ ଆମେ ସବୁ ପୁରୀ ଅଭିମୁଖେ ବାହାରିପଡିଥିଲୁ ଓ ଟ୍ରେନ ଯାଇ ତାଳବଣିଆ ଷ୍ଟେସନରେ ଅଟକିଥିଲା, ସେଇଠି ଓହ୍ଲେଇଥିଲୁ | ସେ ସମୟରେ ଯାତାୟାତର ବ୍ୟବସ୍ଥା ଆଜିକାଲି ଭଳି ଉନ୍ନତ୍ତ ହୋଇନଥିଲା | ଆମେ ସବୁ ଚାଲି ଚାଲି ବଡଦାଣ୍ଡକୁ ଯାଇଥିଲୁ | ବଡଦାଣ୍ଡ, ଶ୍ରୀମନ୍ଦିର ଓ ସିଂହଦ୍ୱାରରେ ଏବେଭଳି ଏତେ ଗହଳ ଚହଳ ନଥିଲା | ଗାଡି ମୋଟର ଯାତାୟାତ ଆଜିକାଲି ଭଳି ମଧ୍ୟ୍ୟ ନଥିଲା | ମୋର ଠିକ ମନେଅଛି, ଆମେମାନେ ଯାଇ ସିଂହଦ୍ୱାରରେ ଥିବା ସିଂହତଳେ ବସି ଥକ୍କା ମେଣ୍ଟେଇଥିଲୁ | ଅବଶ୍ୟ ପୁରୀ ବୁଲିଆସିବା ଖୁସୀ ଆଗରେ ଥକ୍କାପଣର କୌଣସି ବି ସ୍ଥାନ ନଥିଲା | ବଡ଼ଭାଇ ବାହାରିପଡିଲେ ରହିବା ଉପଯୋଗୀ ଘରଟିଏ ବା ଯାତ୍ରୀ ବିଶ୍ରାମସ୍ଥଳୀଟିଏ ବୁଝିବା ପାଇଁ | ଶ୍ରୀମନ୍ଦିରର ଦକ୍ଷିଣଦ୍ୱାର ସମ୍ମୁଖରେ ଥିବା ଯାତ୍ରୀନିବାସରେ ଯୋଡିଏ ଘର ଠିକ ହେଇଗଲା ଓ ଆମେମାନେ ସେଇଠିକି ଯାଇ ବିଶ୍ରାମ ନେଇଥିଲୁ |

ସାରାରାତି ଆଉ ନିଦ ହେଇନଥିଲା | ସକାଳ ହେଲେ ପୁରୀରେ ଥିବା ମଠ, ମନ୍ଦିର, ମାର୍କଣ୍ଡ ପୋଖରୀ, ନରେନ୍ଦ୍ର ପୋଖରୀ ଇତ୍ୟାଦି ବୁଲିବାକୁ ଯିବୁ | ମୋତେ ସବୁଠୁ ବେଶୀ ଆଗ୍ରହ ଥାଏ ଯେ, ମୁଁ ପ୍ରଥମଥର ପାଇଁ ସମୁଦ୍ର ଦେଖିବି | ମନରେ ଅନେକ ଉତ୍କଣ୍ଠା ଏବଂ ପ୍ରଶ୍ନବାଚୀ ସମୁଦ୍ରକୁ ନେଇ | ଆମ ଗାଁରେ ଥିବା ନଈ ଆଉ ପୋଖରୀଠୁ ବୋଧହୁଏ ଟିକେ ପ୍ରାୟ ବଡ଼ ହେଇଥିବ ଏଠି ଥିବା ସମୁଦ୍ର | ରାତିପାହିଲେ ଯାଇ ଦେଖିଲେ ଜଣାପଡିବ | 

ରାତି ପହିଲା | ପାହାନ୍ତିଆରୁ ଉଠି ନିର୍ତ୍ୟକର୍ମ ସାରିବା ପାଇଁ ଯାଇ ଦେଖୁ ତ ଶୌଚାଳୟ ସମ୍ମୁଖରେ ଲମ୍ବା ଧାଡିରେ ଲୋକ | ଏମାନେ ତ ଆମ ଆଗରୁ ଆସି ଧାଡିରେ ଛିଡା ହେଇଛନ୍ତି | ଆଉ ଏତେ ଲୋକ ଥିବା ଯାତ୍ରୀନିବାସରେ ସେ ସମୟରେ ଥିଲା କେବଳ ଗୋଟିଏ ମାତ୍ର ଶୌଚାଳୟ | ମୋ ପାଳି ଆସିବା ପରେ, ମୁଁ ଯେବେ ଶୌଚ ପାଇଁ ଗଲି ସେଠିକାର ବାତାବରଣ ଦେଖି ଆଉ ଇଚ୍ଛା ହେଇନଥିଲା ଶୌଚ ହେବାକୁ | ଏକ ବଡ଼ ଗୃହ ଥିଲା, ସିଡ଼ି ହେଇଥିଲା ଉପରକୁ ଯିବାକୁ,ତା ଭିତରେ ପାଦ ରଖିବାକୁ ଦୁଇଟି ସ୍ଥାନ ଥିଲା ଆଉ ମଳତ୍ୟାଗ କରିବା ପାଇଁ ଛୋଟ କଣାଟିଏ ଥିଲା | ସେ କଣାବାଟେ ତଳର ଦୃଶ୍ୟ ପରିଷ୍କାର ଭାବେ ଦେଖା ଯାଉଥିଲା |ସେ ଦୃଶ୍ୟ ଦେଖି ଶୌଚ ହେବାର ଇଚ୍ଛା ମିଳେଇ ଯାଇଥିଲା | ଯାହା ଯେମିତି କରି ଗାଧୋଇ ପାଧୋଇ ସମସ୍ତେ ବାହାରି ଆସିଥିଲୁ ସେଠୁ | 


  ତାପରେ ସିଧା ଶ୍ରୀମନ୍ଦିରକୁ ଯାଇଥିଲୁ ମହାପ୍ରଭୁଙ୍କ ଦର୍ଶନ ପାଇଁ | ଏତେ ସୁନ୍ଦର ଦର୍ଶନ କାଳିଆସାଆନ୍ତେଙ୍କର ଯେ, ମନ ପୁରିଉଠୁଥାଏ | ଅତି ମନୋରମ ଦୃଶ୍ୟ ଥିଲା ଶ୍ରୀମନ୍ଦିରର | କାଳିଆର ଅତି ନିକଟକୁ ଯାଇ ମନଭରି ଦର୍ଶନ କରିଥିଲୁ |

ସେଠୁ ଆସି ଆନନ୍ଦ ବଜାରରେ ଅବଢା ଖାଇବାର ଯୋଉ ଆନନ୍ଦ ଯେ,କହିଲେ ନସରେ | ହେଲେ ସେତେବେଳର ଆନନ୍ଦବଜାର ଓ ଏବେ ଭିତରେ ଆକାଶ ପାତାଳ ଫରକ | ଛୁଆଁ ଅଛୁଆଁର ଭେଦଭାବ ଠାରୁ ବହୁ ଉର୍ଦ୍ଧ୍ୱରେ ଥିବା ଆନନ୍ଦବଜାରରେ ଦିନଦୁଃଖୀ, ଯାଯାବର ମାନେ ଘୁରି ବୁଲୁଥିଲେ ଓ ଆମ ଖାଇବାକୁ ସେମାନେ ମାଗି ନେଇ ଖାଉଥିଲେ | 

ସେଠୁ ଆମେ ବାହାରିପଡିଥିଲୁ ମୋ ବହୁ ପ୍ରତୀକ୍ଷିତ ସମୁଦ୍ର ଦର୍ଶନରେ | ପହଞ୍ଚିଯାଇ ଯେତେବେଳେ ଦେଖିଲି, ସମୁଦ୍ର ମୋ କଳ୍ପନାରୁ ବହୁ ଉଦ୍ଧ୍ୱର୍ରେ, ମୁଁ ସ୍ତମ୍ବୀଭୂତ ହୋଇ ରହିଯାଇଥିଲି | ଆମ ଗାଁରେ ଥିବା ନଈ ବା ପୋଖରୀ ଭଳି କେତେ ଯେ ନଈ ପୋଖରୀ ଅଗଭୀର ସମୁଦ୍ରର ଅକାତ ପାଣିରେ ଲୀନ ହେଇଯିବେ ତାର ହିସାବ ଆଉ ମୁଁ କରିପାରୁନଥାଏ | ଭୟରେ ଦେହରେ ଶିହରଣ ଖେଳି ଉଠୁଥାଏ | ସମୁଦ୍ର କୂଳରୁ କିଛି ସାମଗ୍ରୀ କିଣାକିଣି କରି ଫେରିଆସିଥିଲୁ ପୁଣି ଶ୍ରୀମନ୍ଦିର ନିକଟକୁ | ମନ୍ଦିର ନିକଟ ଦୋକାନରୁ ବୋଉ କିଛି ପାଟପୁଲି ଓ ମାଳି କିଣିଥିଲା | ପାଟପୁଲି,ସେତେବେଳେ ମିଳୁଥିବା କପଡାରେ ତିଆରି ସରୁ ସରୁ ଲମ୍ବାର ଫିତା, ଯାହା ହାତରେ ବାନ୍ଧିବା ଉଦ୍ଦେଶ୍ୟରେ ହୋଇଥାଏ ଓ ଅଧିକ ଆକର୍ଷଣ ପାଇଁ ଯାହାର ଦୁଇମୁଣ୍ଡରେ ମାଳି ସଦୃଶ୍ୟ ଝୁଲିଥାଏ | ଆଉ ମାଳି ହେଉଛି, ବାଇଗଣୀ ଓ ଧଳାର କାଠରେ ତିଆରି ମାଳି, ଯାହାକୁ ବେକରେ ପକାଯାଏ | ପୁରୀ ଗଲେ ଘର ପାଖ ସାହିପଡିଶା ଓ ବନ୍ଧୁବାନ୍ଧବଙ୍କ ପାଇଁ ପୁରୀ ଭୋଗ ସହ, ସେହି ପାଟପୁଲି ଓ ମାଳି ଅଣାଯାଏ, ଯାହା ସେ ସମୟରେ ପୁରୀ ଯାତ୍ରାକୁ ସମ୍ପୂର୍ଣ୍ଣ ରୂପେ ପ୍ରତିଫଳିତ କରାଏ | 

ସମସ୍ତେ କିଣାକିଣି କରିବାରେ ବ୍ୟସ୍ତଥିବା ସମୟରେ ମୋ ନଜର ପଡିଥିଲା ଏକ ମୂର୍ତ୍ତି ଉପରେ | କଦମ୍ବ ବୃକ୍ଷ, ତା ତଳେ ଥିଲା ରାଧାକୃଷ୍ଣଙ୍କ ପ୍ରତିମୂର୍ତ୍ତି, ଯାହା ଗୋପୀମାନଙ୍କ ଗହଣରେ ଘେରା | ମୁଁ ତାକୁ ଆଣିବା ପାଇଁ ବୋଉ ପାଖେ ଜିଦ କରିଥିଲି | ବୁଝୁବୁଝୁ ତାର ଦାମ ପଚିଶଟଙ୍କା ଜଣାପଡିଲା | ସେତେବେଳେ ପଚିଶ ଟଙ୍କାରେ ପୁରୀ ଯାଇ ବୁଲା ବୁଲି ହେଇଯାଉଥିଲା | ବୋଉ ମନା କଲା ଏତେ ଟଙ୍କାଦେଇ ସେ ମୂର୍ତ୍ତିକୁ ନବାକୁ ବରଂ ତା ବଦଳରେ କିଛି ଛୋଟ ଖେଳନା ନେଇଯିବାକୁ କହିଲା | ବୋଉକଥା ମାନି କିଛି ଖେଳନା କିଣି ଆମେ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ପୁଣି ଫେରିଆସିଥିଲୁ ଆମ ଘରକୁ |"

  ୟା ଭିତରେ କାହିଁ କେତେବର୍ଷ ବିତିଯାଇଛି | ହେଲେ ସେ ମୂର୍ତ୍ତିର ଆକର୍ଷଣ ଆଜିବି ମୋ ମନରେ ତାଜା ହୋଇ ରହିଛି | ପୁରୀରୁ ଫେରିଆସିବା ପରେ ବହୁବାର ମୋ ପାଟିରୁ ସେ ମୂର୍ତ୍ତି ସମ୍ପର୍କରେ ସମସ୍ତେ ଶୁଣିଛନ୍ତି | ଭାଇ ମୋତେ ପ୍ରତଶୃତି ଦେଇଥିଲେ "ତୋ ମନଲାଗି ମୂର୍ତ୍ତିଟିକୁ,ମୁଁ ତୋ ପାଇଁ ଯାହାବି ହଉ ନିଶ୍ଚିତ ଭାବେ ଖୋଜି ଖୋଜି ଆଣିଦେବି|" 

"ଆଜି ଏତେ ବର୍ଷ ପରେ ତାଙ୍କର ମନେ ଅଛି ସେ ମୂର୍ତ୍ତି କଥା,ଆଉ ସେ ଅବିକଳ ସେହିପରି ପ୍ରତିମୂର୍ତ୍ତିଟି ମୋ ପାଇଁ ଉପହାର ଦେଇଛନ୍ତି |" 

ଅଞ୍ଜନାର ଏ ଅନୁଭୂତିକୁ ପ୍ରସନ୍ନ ମନଧ୍ୟାନ ଦେଇ ଶୁଣୁଥାନ୍ତି ଆଉ ଖୁସୀରେ କହି ଉଠିଲେ ,"ଆଜି ତୁମ ଜୀବନର ପ୍ରଥମ ପୁରୀ ଅନୁଭୂତିରେ ଅଧା ରହିଯାଇଥିବା ଆଶାଟି ପୂର୍ଣ୍ଣ ହେଇଯାଇଛି | ସେଇ ଖୁସୀରେ ଯାଇ କିଛି ଖାଇବାକୁ ବଢ଼ାବଢି କର ଖୁବ ଭୋକ ଲାଗିଲାଣି |" 

ଅଞ୍ଜନା କିଛି ନକହି ଚୁପଚାପ ଛିଡା ହୋଇ ସେ ସୁନ୍ଦର ପ୍ରତିମୂର୍ତ୍ତିଟି ଭିତରେ ତା ପିଲାଦିନର ସ୍ମୃତି ଓ ଅନୁଭୂତି ସବୁକୁ ସାଉଁଟିବାକୁ ଚେଷ୍ଟା କରୁଥାଏ |



Rate this content
Log in