ABhimanyu Panda

Others

5.0  

ABhimanyu Panda

Others

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

5 mins
258


ପ୍ରେମ ଶବ୍ଦକୁ ଭାବିବା ମାତ୍ରେ ମନ ଭିତରେ ସୁନ୍ଦର ସୁନ୍ଦର ଛବି ସବୁ ଆଙ୍କି ହେଇଯାଏ । ଏହା ସବୁ ବୟସର ମଣିଷ ମାନଙ୍କ ସହ ଘଟେ ସେ ନାରୀ ହୁଅନ୍ତୁ ବା ପୁରୁଷ । କେହି କେହି ନିଜର ପ୍ରେମ କାହାଣୀକୁ ଅତି ରଞ୍ଜିତ କରି ବଖାଣନ୍ତି ତ କେହି କେହି ନିଜ ଭିତରେ ସାଇତି ରଖନ୍ତି ସ୍ମୃତି ସବୁ । ହେଲେ ସମସ୍ତେ ଏଠି ପ୍ରେମ କରିଛନ୍ତି ଏହା ନିଶ୍ଚିନ୍ତ । ଏମିତି ପ୍ରେମିକ ମାନଙ୍କର ବି ଅଭାବ ନାହିଁ ଯେଉଁମାନେ ଏକାଧିକ ବାର ପ୍ରେମ କରନ୍ତି । ସମସ୍ତ ପ୍ରେମ କରିଥିବା ପ୍ରେମିକ ମାନଙ୍କର ଅନୁଭୂତି ଭିନ୍ନ ଭିନ୍ନ ହେଲେ ମଧ୍ୟ ପ୍ରେମର ଦୁଇଟି ପ୍ରକାରର ଚର୍ଚ୍ଚା ହୁଏ । ସଫଳ ଏବଂ ଅସଫଳ ପ୍ରେମ । ଅସଫଳ ପ୍ରେମ ବେଶି ଚର୍ଚ୍ଚିତ ହୋଇଥିଲାବେଳେ ସଫଳ ପ୍ରେମ ସବୁବେଳେ ନିଜର ଅସ୍ତିତ୍ୱ ବଞ୍ଚାଇ ରଖିବାକୁ ଯୁଦ୍ଧରତ । ଯିଏ ଯେତେ ଥର ପ୍ରେମ କରୁନା କାହିଁକି ନିଜର ପ୍ରଥମ ପ୍ରେମଟି ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରଖେ । 

      

 ମୁଁ ମୋର ଜୀବନ କାଳ ଭିତରେ ଅନେକ ପ୍ରେମ କାହାଣୀର ନାୟକ ସାଜିଛି । କିନ୍ତୁ ମନ ଭିତରେ ସବୁବେଳେ ଦ୍ଵନ୍ଦ ଯେ ମୋର ପ୍ରଥମ ପ୍ରେମ କିଏ ? କିଏ ସେ ଯାହାର ଭଲପାଇବା ମୋଲାଗି ଥିଲା ପ୍ରଥମ ? ପ୍ରଶ୍ନ ଏଇଥିପାଇଁ ଯେ ମୋର ପ୍ରେମିକା ତାଲିକା କାଶ୍ମୀରରୁ କନ୍ୟାକୁମାରୀ ଯାଏ ବ୍ୟାପିଥିଲା । ବିଭିନ୍ନ ସମ୍ପ୍ରଦାୟର ବିଭିନ୍ନ ବୟସର ପ୍ରେମିକା ମଧ୍ୟ ଅଛନ୍ତି ମୋ ଲମ୍ବା ତାଲିକାରେ । କିଏ ଚାରିଦିନ ଲାଗି ମୋର ପ୍ରେମିକା ସାଜିଛିତ କିଏ ପୁଣି ସାରା ଜୀବନ ସାଥି ହେବାକୁ କହି ବର୍ଷେ ଦୁଇବର୍ଷର ପ୍ରେମିକା ହେଇଛି । ବଂଧୁ ମହଲରେ ମୋର ପ୍ରେମ କାହାଣୀ ସବୁ ଏତେ ଚର୍ଚ୍ଚିତ ଯେ ମୁଁ ମୋର ସବୁ ବନ୍ଧୁପତ୍ନୀଙ୍କର ଦେଢ଼ଶୁର । ଯେଉଁ ବନ୍ଧୁମାନେ ମୋଠାରୁ ବୟସରେ ବଡ଼ ସେମାନଙ୍କ ଲାଗି ବି ମୋର ସମ୍ପର୍କ ସମାନ । ପ୍ରତ୍ୟେକ ପ୍ରେମ କାହାଣୀର ବିଚ୍ଛେଦରେ ମୁଁ ବିଶେଷ ଦୁଃଖୀ ହେଇନି । ଗୋଟେ ବିଚ୍ଛେଦ ପୂର୍ବରୁ ଆଉ ଜଣେ ନାୟିକା ମୋ ଜୀବନ କାହାଣୀ ଲାଗି ପୂର୍ଣ୍ଣ ପ୍ରସ୍ତୁତ ହେଇଯାଇଥାଏ । ଝିଅମାନଙ୍କ ପାଖରେ ଏକ ବିଶେଷ ଗୁଣ ବହୁଳ ଭାବେ ଦେଖିବାକୁ ମିଳେ ତାହାହେଲା ଈର୍ଷା । ଅନ୍ୟର ପ୍ରେମିକକୁ ନିଜର କରିବା ସେମାନଙ୍କର ଏକପ୍ରକାର ଜିଦରେ ପରିଣତ । ସେ ଜଣକ ନିଜର ଅତିପ୍ରିୟ ସାଙ୍ଗର ହେଇଥାଉ । 

       ଖୁବ କମ ବୟସରେ ପ୍ରେମ ନ କରି ,ପ୍ରେମ ବିଷୟରେ କିଛି ଅଭିଜ୍ଞତା ନଥାଇ ବିନା ଦୋଷରେ ଦଣ୍ଡିତ ,ଲଜ୍ଜିତ ଆଉ ଅପମାନିତ ହେଲା ପରେ ମୋ ମନରେ ପ୍ରେମର ଦୃଷ୍ଟିକୋଣ ଅନ୍ୟମାନଙ୍କ ଅପେକ୍ଷା ଭିନ୍ନ ଥିଲା । କିନ୍ତୁ କେବେ କାହାକୁ ମିଛ କହି ନିଜର ପ୍ରେମିକା କରିନି କି କାହାକୁ ନିଜ ଇଚ୍ଛାରେ ବ୍ୟବହାର କରି ଧୋକ୍କା ଦେଇନି । ଉଭୟଙ୍କର ମନ ଏକ ଥିଲା ଯାଏ ସମ୍ପର୍କ ରହିଛି । କୌଣସି ସମ୍ପର୍କର ଇତି ହେଲା ପରେ ହାତରେ ବୋତଲ ଧରି ମୋନାଲିସା ଗୀତ ଗାଇବାର ପରିସ୍ଥିତି ବି ଆସିନି । ତେଣିକି ସେ ମୁମ୍ବାଇରେ ଉଚ୍ଚଶିକ୍ଷା ପାଇଁ ଆସିଥିବା ବିଦେଶୀ ଝିଅ ହେଉ କି ଦିଲ୍ଲୀର ଜନୈକା ଅତ୍ୟାଧୁନିକା ମହିଳା ହୁଅନ୍ତୁ ନତୁବା ମେଘାଳୟର ଅତି ସୁନ୍ଦରୀ ବ୍ୟାଙ୍କ ମ୍ୟାନେଜର ହୁଅନ୍ତୁ । ଯେବେ ଉଭୟଙ୍କ ଭିତରୁ ଜଣକୁ ସମ୍ପର୍କ ବୋଝ ଲାଗେ ଦୁରେଇଯିବାର ନିଷ୍ପତ୍ତି ନେବାରେ ବିଳମ୍ବ ହେଇନି । ସେଥିପାଇଁ କୌଣସି ପୂର୍ବପ୍ରେମିକା ମାନଙ୍କ ସହ ଏବେବି ମନୋମାଳିନ୍ୟ ନାହିଁ ଆଉ ଜଣକର ଅନ୍ୟଜଣକ ପ୍ରତି କିଛି ଅଭିଯୋଗ ମଧ୍ୟ ନାହିଁ । କେବଳ ଏମିତି ଜଣେ ପ୍ରେମିକା ଥିଲା ଯାହାର ମୋ ପ୍ରତି ଅଭିଯୋଗ । ସେ ଜଣଙ୍କର ପ୍ରେମପ୍ରତି ଦୃଷ୍ଟିକୋଣ ମୋର ଠିକ ଓଲଟା ,ଅର୍ଥାତ ଯେତେଯାହା ହେଲେ ବି ବାନ୍ଧି ହେଇ ରହିବା ,ବଞ୍ଚିବା କଠିନ ହେଲେ ମଧ୍ୟ କେହିକାହା ପାଖରୁ ଦୁରେଇ ଯିବା ନି ? କିନ୍ତୁ ସମ୍ପର୍କର ସମର୍ପଣକୁ ମୁଣ୍ଡେଇ ଧରିବାର ଦାୟିତ୍ୱ କେବଳ ମୋ ଉପରେ ନିର୍ଭର ଥିଲା । ବ୍ୟକ୍ତିଗତ ସ୍ୱାଧୀନତା କେବଳ ପ୍ରେମିକା ଜଣଙ୍କ ଲାଗି ହିଁ ମୂଲ୍ୟ ରଖୁଥିଲା । ମୁଁ କେବଳ ଏକ ବ୍ୟବହାର୍ଯ୍ୟ ଜଡ଼ବସ୍ତୁ ଥିଲି ସେ ସମ୍ପର୍କରେ । କିଛିଦିନ ନିଜ ଇଚ୍ଛା ବିରୁଦ୍ଧରେ ବି ପ୍ରେମକରିବାକୁ ପଡ଼ିଥିଲା । ପ୍ରଥମ ଥର ଲାଗି ସମ୍ପର୍କର ମାୟା ଜାଲରୁ ଉଦ୍ଧାର ପାଇବା ଲାଗି ମୁଁ ମୋର ଇଷ୍ଟଙ୍କୁ ଅନ୍ତରରୁ ସ୍ମରଣ କରିଥିଲି । କିଛିଦିନ ପରେ ପ୍ରେମିକା ଜଣକ ନିଜଆଡ଼ୁ ସମ୍ପର୍କ ଇତିର ସୂଚନା ଦେଇ ବହୁତ ଖୁସି ହେଇଥିଲେ । କହିବାକୁ ଗଲେ ପ୍ରକୃତ ଖୁସି ମୁଁ ଥିଲି । ମୋର ପ୍ରାର୍ଥନା ସ୍ୱୀକାର କରିଥିଲେ ମୋ ଇଷ୍ଟ । ମୋର ଦୃଢ଼ ବିଶ୍ୱାସ ଯେ ମୋର ଅନ୍ୟ ପ୍ରେମିକା ମାନଙ୍କ ଭଳି ସେହି ବିଶେଷ ପ୍ରେମିକା ଜଣକ ଯେତେ ଚେଷ୍ଟା କଲେ ମଧ୍ୟ ମତେ କେବେବି ଭୁଲି ପାରିବେନି । 

        

 ଏତେ ଜଣଙ୍କ ଭିତରୁ ପ୍ରଥମ ପ୍ରେମ ଖୋଜିବା ବହୁତ କଷ୍ଟ । ଉପରେ ଯେଉଁସବୁ ବିଷୟରେ କହିଲି ପ୍ରକୃତ ପକ୍ଷେ ସେ ସବୁ ପ୍ରେମହିଁ ନଥିଲା । ଥିଲା କେବଳ ଆକର୍ଷଣ ,ଶାରୀରିକ ଆକର୍ଷଣ । ଶାରୀରିକ ନିସଙ୍ଗତା ଦୂର କରିବାକୁ ମନର କୃତ୍ରିମ ଭାବାବେଗ । କୃତ୍ରିମ ଏଇଥିଲାଗି କେବେବି ଜଣେ ମାନସିକ ସ୍ତରରେ ଏକୁଟିଆ ନଥାଏ । ମାନସିକ ସାନିଧ୍ୟ ପାଇବା ବ୍ୟକ୍ତି ବିଶେଷ ଉପରେ ପୂର୍ଣ୍ଣ ନିର୍ଭର କରେ ଯେ ସେ କାହାର ଓ କେଉଁ ପ୍ରକାରର ସଙ୍ଗ ଆଶା କରୁଛି । ପ୍ରତ୍ୟେକ ମଣିଷ କେବଳ ଶାରୀରିକ ଭାବେ ଏକୁଟିଆ ଥାଏ । ନିଜ ମନର ଭାବକୁ ସେ ଜବରଦସ୍ତି ଅନ୍ୟଜଣକ ଉପରେ ଅଜାଡ଼ି ବାକୁ ଇଛିତ ଥାଏ । ଯଦି ନିଜର ସମ୍ପୂର୍ଣ୍ଣ ଇଚ୍ଛାକୁ ନିଜ ମାନସ ମନ୍ଥନ ଦ୍ୱାରା ଜଣେ ନିଜର ମାନସିକ ସଙ୍ଗି ସହ ଭାବର ଆଦାନ ପ୍ରଦାନ କରିପାରନ୍ତା ତାହେଲେ ଏ ଅପ୍ରାକୃତିକ ଶାରୀରିକ ପ୍ରେମ ଆବଶ୍ୟକ ହୁଅନ୍ତାନି । କୌଣସି ଶାରୀରିକ କ୍ଷୟପୂର୍ତ୍ତି ଲାଗି ଜଣେ ପ୍ରେମିକାରବି ଆବଶ୍ୟକ ଅନୁଭୂତ ହେବନି । 

       ଘରଣୀ ଝାଡ଼ୁ ଆଉ ବେଲଣା ଧରି ମୋର ପ୍ରେମ ବିଜୟର ସ୍ୱାଗତ ଲାଗି ପୂର୍ଣ୍ଣ ପ୍ରସ୍ତୁତି କରିସାରିବଣୀ । ଏଠି ସମସ୍ତେ ଚୋର ,ଯିଏ ଧରାପଡ଼ିଲା ତାକୁ ପଥର ମାରି ନିଜର ଅପରାଧକୁ ଲୁଚେଇବାର କଳାରେ ସମସ୍ତେ ସିଦ୍ଧହସ୍ତ । 

       ହଠାତ ମନଭିତରକୁ ଗୋଟେ ଛବି ଜବରଦସ୍ତ ପେଲିହେଇ ପସିଆସୁଛି ! ଓହୋଃ ! ଏ କଣ ତାକୁ ଦେଖିବାମାତ୍ରେ ମୋ ଆଖିଭରିଯାଉଛି !! କଣ୍ଠ ବାଷ୍ପରୁଦ୍ଧ ହେଇଯାଉଛି !! ତାର ଡାକ କାନରେ ପଡ଼ିଲେ ଶରୀର ପୁଲକିତ ହେଇ ଯାଉଛି !! ତା ବିଷୟରେ ସବୁ କଥା ଗୋଟି ଗୋଟି ମନେପଡିଯାଉଛି !! ମା' ମୋର । ଏଇତ ମୋର ପ୍ରଥମ ପ୍ରେମ । କେତେ ଅଳି ଅର୍ଦଳି , କେତେ ଅଝଟ ନ ସହିଛି ! ନିଜେ ନ ଖାଇ , ନିଜକୁ ସମ୍ପୂର୍ଣ୍ଣ ଭୁଲି କେବଳ ମୋରି କଥା ଭାବିଥିବା ମଣିଷ । ମୋରି ଲାଗି କେତେ ଲୋକଙ୍କ ସହ ଅପ୍ରିୟ ନହେଇଛି ସତେ ! ମତେ ପାଳି ପୋଷି ବଡ଼ କରିବାରେ କେତେ ତ୍ୟାଗ କରିଛି । ରାମ କୃଷ୍ଣଙ୍କୁ ବାନ୍ଧି ଶାସନ କରିବାର ସାମର୍ଥ୍ୟ ତଥାପି ଭୟାତୁର ପୁଅ ଲାଗି । ନିଜର ସମସ୍ତ ସ୍ୱପ୍ନକୁ ସ୍ୱାହା କରି ନିଜର ସନ୍ତାନ ମାନଙ୍କ ସ୍ୱପ୍ନକୁ ସାକାର କରିଚାଲିଛି ଅନବରତ । ସମସ୍ତଙ୍କ ମାନସ ପଟରେ ସେହିଁ ଏକଛତ୍ର ଶାସନ କର୍ତ୍ରୀ । ଯିଏ ସର୍ବଦା ପୂଜ୍ୟ । ଅବତାରୀ ମାନେ ସିନା ଲୀଳା ଖେଳା କରି ଚାଲିଗଲେ ,କିନ୍ତୁ ମା'ର ମମତାର ବିଶାଳତା , ସନ୍ତାନ ପ୍ରତି ସମର୍ପଣର ପୂର୍ଣ୍ଣତା ଆଉ ଅତୁଳନୀୟ ତ୍ୟାଗ ଅବତାରୀ ମାନଙ୍କ ପୂର୍ବରୁ ଥିଲା ଆଉ ଅନନ୍ତ କାଳ ଯାଏ ଅମର ରହିବ । ଯିଏ ନବଜାତ ଶିଶୁର ମନର ଭାବକୁ ଜଣେ ଅଭିଜ୍ଞ ଡାକ୍ତର ଠାରୁ ବେଶୀ ବୁଝିପାରେ । ଯାହା ପାଖରେ ମନର କୌଣସି ଭାବକୁ ବ୍ୟକ୍ତ କରିବାର ଆବଶ୍ୟକତା ପଡେନି । ଯିଏ ଚାହିଁ ଦେଲା ମାତ୍ରେ ନିଜ ସନ୍ତାନର ମନୋଦଶାର ସଠିକ ମୂଲ୍ୟାୟନ କରିଦିଏ ତାଠାରୁ କିଏ ଅଧିକ ଭଲ ପାଇବ ? ଏଇତ ଅସଲ ପ୍ରାକୃତିକ ପ୍ରେମ । ମତେ ମୋର ପ୍ରଥମ ପ୍ରେମ ମିଳିଗଲା । ହଁ ଏଇଟା ହିଁ ମୋର ପ୍ରଥମ ପ୍ରେମ । ଆଉ କେହି ବି ମତେ ଏତେ ଭଲ ପାଇନାହାନ୍ତି କି ,ମୁଁ ବି କାହାକୁ ମୋ ମା' ପରି ବିଶ୍ୱାସ କରିନି । 

        ଏକଥା ସମ୍ପୂର୍ଣ୍ଣ ସତ ଯେ ପ୍ରଥମ ପ୍ରେମକୁ ଭୁଲିହୁଏନି । ସେ ହେଉଛି ମାତୃପ୍ରେମ । ସେ ହିଁ ପ୍ରଥମ । ମାତୃପ୍ରେମ ବାଦ ଯେତେ ପ୍ରେମ ରହିଲା ସବୁ କୃତ୍ରିମ । ମଣିଷ କୃତ । କେବଳ ମାତୃପ୍ରେମ ହିଁ ଈଶ୍ୱରୀୟ ଶାଶ୍ୱତ ,ଚିରନ୍ତନ ଯାହା ଅସୀମିତ । 

        ସାମାଜିକ ଗଣମାଧ୍ୟମରେ କେବଳ ମା' ର ପ୍ରଚାର ଚାଲିଛି ମାତୃପ୍ରେମର ନୁହେଁ । ଶତକଡ଼ା ୯୦% ପୋଷ୍ଟରେ ମା'କୁ ଅସହାୟା ,ଶକ୍ତିହୀନା ବୋଲି ଦର୍ଶା ଯାଉଛି ଯାହା ମା' ପ୍ରତି ସମାଜର ସଂକୀର୍ଣ୍ଣତାକୁ ପ୍ରଦର୍ଶିତ କରୁଛି ! ଯେଉଁଥିପାଇଁ ଆମର ସଭ୍ୟ ସମାଜକୁ ବୃଦ୍ଧାଶ୍ରମ ଗୁଡ଼ିକର ଆବଶ୍ୟକତା ପଡ଼ୁଛି । ମା ଓ ମାତୃପ୍ରେମ ପ୍ରଚାର ନହେଇ ଯଦି ହୃଦୟଙ୍ଗମ ହେଇପାରନ୍ତା ତା'ହେଲେ ମା' ନିଜର ସମ୍ମାନକୁ ଖୋଜି ବୁଲନ୍ତାନି ଭାଗ୍ୟନିର୍ମାତା ହୋଇ ନିଜର ଭାଗ୍ୟକୁ ଅନ୍ୟ ଅଧିନରେ ଦେଖାନ୍ତାନି । 

        ସମସ୍ତଙ୍କୁ ଅନୁରୋଧ ଏ ଅପ୍ରାକୃତିକ ପଶୁପ୍ରେମକୁ ପ୍ରଥମ ପ୍ରେମର ଆଖ୍ୟା ନଦେଇ ମାତୃପ୍ରେମକୁ ସର୍ବାଗ୍ରେ ରଖନ୍ତୁ ।


ବର୍ତ୍ତମାନ ସମୟରେ ଯାହା ଗୋଟିଏ ହବାକଥା ତାହା ଅନେକ ଆଉ ଯାହା ଅନେକ ହବା କଥା ତାହା ମାତ୍ର ଗୋଟିଏ । ଏ ବିଷମତା ଦୂର କରିବାକୁ ସମସ୍ତଙ୍କୁ ଅନୁରୋଧ । 

    


Rate this content
Log in