ପ୍ରଶ୍ନ
ପ୍ରଶ୍ନ


ଛୋଟ ପିଲାଙ୍କର ପ୍ରଶ୍ନ ପଚାରିବା ଜନ୍ମଜାତ ପ୍ରକୃତି l ଏଇଟା କ’ଣ ? ସେଇଟା କ’ଣ ? ଏଇଟା କିଏ ? ସେଇଟା କିଏ ? ହୁଏ ତ ଅତି ଛୋଟ ପିଲାଙ୍କର ପ୍ରଶ୍ନ କିଏ ଆଉ କ’ଣ ଭିତରେ ସୀମିତ ଥାଏ, କିନ୍ତୁ ଟିକିଏ ବଡ ହୋଇଗଲେ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବା କଠିନ ହୋଇ ପଡେ l
ସେ ଦିନ ମୋ ନାତୁଣୀ ପଚାରିଲା, ‘ଅଜା ! ଶିବଙ୍କର ଟାଇଟେଲ୍ କ’ଣ ?’
ମୁଁ କହିଲି, ଆରେ ସେ ତ ଯୋଗ ଯୋଗେଶ୍ୱର l କେତେ ଟାଇଟେଲ୍ କହିବି ?
: ଆରେ ନା....... ସେ ଟାଇଟେଲ୍ ନୁହେଁ l ତାଙ୍କ ନାଁ ପଛରେ ଟାଇଟେଲ୍ l ମାନେ ଆମମାନଙ୍କର ଯେମିତି ଅଛି ଜେନା, ସୁବୁଦ୍ଧି, ମହାନ୍ତି ଇତ୍ୟାଦି l
ଚୁପ୍ ହୋଇଗଲି ମୁଁ l କ’ଣ ଉତ୍ତର ଦେବି ? କଥାଟାକୁ ଏପଟ ସେପଟ କରି ବୁଲେଇ ଦେଲି l ପୁଣି ଆଜି ତା’ ହାବୁଡରେ ପଡିଲି l
: ଅଜା ! ଯୁଗ କେତେଟା ?
: ଚାରିଟା
: କ’ଣ...... କ’ଣ...... ?
: ସତ୍ୟ, ଦ୍ୱାପର, ତ୍ରେତୟା ଆଉ କଳି
: ଏହି ଚାରିଟା ଯୁଗରେ ସରିଯିବ ନା ରୋଟେସନ୍ ହେବ ?
: ଆରେ ସମୟ କ’ଣ କେବେ ସରିଲାଣି ? ଏ ଗୁଡାକ ହେଲା ସମୟକୁ ମାପିବାର ଗୋଟେ ଗୋଟେ ୟୁନିଟ୍ l ଯେମିତି ସନ୍ ଡେ, ମନ୍ ଡେ..... ଘଣ୍ଟା, ଦଣ୍ଡ, ଦିନ, ସପ୍ତାହ, ବର୍ଷ . ସେମିତି ଅନେକ ବର୍ଷରେ ଗୋଟେ ଯୁଗ ହୁଏ l
: ତା’ହେଲେ ରାମଚନ୍ଦ୍ର କୋଉ ଯୁଗରେ ଜନ୍ମ ହୋଇଥିଲେ ?
: ତ୍ରେତୟା ଯୁଗରେ l
: କୋଉ ତ୍ରେତୟା ଯୁଗରେ ?
: ମାନେ..... ?
: ପ୍ରଥମ, ଦ୍ୱିତୀୟ, ତୃତୀୟ............କିଛି ତ ଗୋଟେ ଥିବ l ଚାରିଟା ଯୁଗରେ ତ ସମୟ ସରି ଯାଇ ନ ଥିବ ପୁରାଣରେ ତ ଲେଖା ହୋଇଛି, କେତେ କେତେ ଯୁଗ l
ମୋ ମୁଣ୍ଡ ଗୋଲ୍ ହୋଇଗଲା l କ’ଣ ଉତ୍ତର ଦେବି ? ଏବେ ତ ସିଏ କେତେ ବଡ ହୋଇଗଲାଣି l କଥାଟାକୁ ବୁଲେଇ ଦେଇ ପାରିବିନି ମଧ୍ୟ l
ପାଖ ଘରୁ ମାନି କହିଲା, ‘ଆରେ ଅଜାକୁ ୟାଡୁ ସ୍ୟାଡୁ କ’ଣ ପଚାରୁଛୁ ?’
ମୁଁ କହିଲି, ନାଁ......ରେ ମାଆ l ପଚାରେ l ଯାହା ପଚାରିବାର ଇଚ୍ଛା ପଚାରେ l ସବୁ ପ୍ରଶ୍ନର ଉତ୍ତର ଅଛି l ଏ ପ୍ରଶ୍ନ କେହି ପଚାରି ନ ଥିଲେ l ଏ ପ୍ରଶ୍ନର ଉତ୍ତର ମୁଁ ସିନା ଦେଇପାରୁନି l କାଲି ହୁଏତ କିଏ ଏ ପ୍ରଶ୍ନର ଉତ୍ତର ଦେବ l