Padmalaya Padhy

Others

3  

Padmalaya Padhy

Others

ପରମ୍ପରା

ପରମ୍ପରା

5 mins
131



ପିଲାଟି ଦିନୁ ମାମୁନି ଦେଖି ଆସୁଛି ଯେ ସେ ଓ ତା ଭାଇ ସବୁ ବଦମାସୀ ପାଇଁ ବାପାଙ୍କ ଠୁ ମାଡ ଖାଆନ୍ତି l ହେଲେ ବୋଉ ବି ମାଡ଼ ଖାଇବାଟା ମାମୁନିକୁ ଅଡୁଆ ଲାଗେ l ବୋଉର କଣ ଦୁଷ୍ଟାମୀ କରିବା ବୟସ ଅଛି କି ? ବୋଉ କଣ ସେମାନଙ୍କ ଭଳି ପିଲା ହେଇଛି ନା କଣ ?  

ଡର ବି ଲାଗେ l ବୋଉ ଯଦି ମାଡ଼ ଖାଇ ଖାଇ ମରିଯିବ ତେବେ ବାପା ଆଉ ଗୋଟିଏ ବୋଉ ଆଣିବେ l ନୂଆ ବୋଉ ଓ ବାପା ମିଶି ମାମୁନିକୁ ପୁଣି ମାଡ ମାରିବେ l

ଦିନେ ବୋଉକୁ ପଚାରିଥିଲା ଏ କଥା l ବୋଉ ଆସ୍ତେ ଆସ୍ତେ କହିଥିଲା ଯେ ଝିଅ ଜନମ ସବୁଠୁ ହୀନ l ମାଡ ଗାଳି ଖାଇ ଖାଇ ପେଟ ପୁରି ଯାଏ l ଖାଇବା ଲୋଡ଼ା ହୁଏନି ପରା l ମାମୁନି କହିଲା 

--ହେଲେ ମୁଁ ବାହା ହେଲେ ବି ମୋ ବର ମୋତେ ମାରିବ? 

--ମୁଁ ତୋତେ ଗୋଟିଏ ରାଜକୁମାର ଦେଖି ବାହା ଦେବି ଯେ କି ତୋତେ ରାଣୀ କରି ରଖିବ l

--ହେଲେ ବୋଉ ତୁ ବି ଗୋଟେ ରାଜକୁମାରକୁ ବାହା ହେଲୁନି ? ତୋତେ ମାଡ ଖାଇବାକୁ ପଡି ନଥାନ୍ତା?  

ବୋଉ କହିଲା " ପୁରୁଣା କାଳିଆ ଲୋକ ମାନେ ସ୍ତ୍ରୀକୁ କଥା କଥା କେ ହାତ ଉଠାନ୍ତି ନା l ସମସ୍ତେ କଣ ସେମିତି? "

--କିନ୍ତୁ ଆମେ କେମିତି ପୁରୁଣା କାଳିଆ ହେଲେ ଯେ l ଆମେ ତ ପୁରୁଣା କାଳିଆ ନୁହଁ l ଆମର ଟି ଭି ଅଛି, ଗ୍ୟାସ ଚୁଲା ଅଛି, ଲୁଗା ସଫା ମେସିନ ଅଛି l ଆମ ବାପାଙ୍କ ବାଇକରେ ଭାଇ ଓ ମୁଁ ସ୍କୁଲ ଯାଉ l ଆମେ ତ ଆଜି କାଲିକା ଲୋକ ହେଲେ ନା l ବାପା ଶିକ୍ଷିତ ତୁ ବି ଶିକ୍ଷିତ l ହେଲେ ବି ବାପା ତୋତେ ଥାପଡ଼ ମାରନ୍ତି କାହିଁକି l 


ଷୋଳ ବର୍ଷର ଝିଅକୁ ତା ମା ବୁଝାଇ ପାରେନି ଯେ ତା ଅଦୃଷ୍ଟରେ କଣ ଅଛି l କେବଳ ସେ ଦେଖାଇ ଦିଏ ଯେ ସବୁ ସହି ବାହାରକୁ ହସିବାକୁ ପଡେ l ଯେ ପର୍ଯ୍ୟନ୍ତ ପୀଡାକୁ ହଜମ କରି ବିଷ ପିଇ ଚାଲିଥିବ ସେ ପର୍ଯ୍ୟନ୍ତ ସବୁ ଠିକ ଠାକ l ଯୋଉ ମୁହୂର୍ତ୍ତରେ ବିଷ ପାନ ବନ୍ଦ କରିଦେବ ସେ ହଳାହଳର ପ୍ରକୋପରେ ସଂସାର ଭାସି ଯିବ l ସୁତରାଂ ସ୍ତ୍ରୀଟିଏ ବିଷ ପିଇଲେ ଯାଇ ପରିବାର

 ଅମୃତମୟ l

ସେଦିନ ବୋଉ ପଡୋଶୀ ମାଉସୀଙ୍କ ସାଙ୍ଗେ ଗପ ଯୋଡି ଥିଲା l ଆର ସାଇର ଦାମ ଭଣ୍ଡାରୀ ପିଇ କି ଆସି ତା ସ୍ତ୍ରୀକୁ ବାଡ଼ଉଛି l ଏଇଟା ପୁଣି ତାର ନିତି ଦିନିଆ କାମ l ବୋଉ କହିଲା 

--ଲୋକଟା କେଡେ ନୃଶଂସ ଯେ ଦୟା ମାୟା ନାହିଁ ତା ପାଖେ lସକାଳୁ ତା ମୁହଁ ଚାହିଁଲେ ଖାଇବାକୁ ମିଳିବନି l 

ଘରକୁ ଆସି ମାମୁନି ବୋଉକୁ କହିଲା 

--ତୁ କାହିଁକି ଦାମ ଭଣ୍ଡାରୀକୁ ଖରାପ କହୁ? ସେ ମୋତେ ଦେଖିଲେ କେତେ ଖୁସି ହୁଏ l ବାପା, ଭାଇ ପରା ତା ସେଲୁନକୁ ଯାଆନ୍ତି l 

ମାମୁନି ବୁଝି ପାରେନି ପିଇବା ସାଙ୍ଗରେ ବାଡେଇବା ମିଶିଗଲେ ଖରାପ କାହିଁକି ହୁଏ l ପିଇବା ଖରାପ ନା ସ୍ତ୍ରୀକୁ ବାଡେଇବା ଖରାପ l ଯିଏ ନପିଇ କି ବାଡେଇ ଥାଏ ସେ କଣ ଭଲ? 

 ମାମୁନି ଦଶମ ଶ୍ରେଣୀକୁ ଗଲାଣି l ସାଙ୍ଗମାନଙ୍କୁ ପଚାରେ l 

ତା ସାଙ୍ଗ ମାନଙ୍କ ବାପା ମାନେ କେହି ବି ତାଙ୍କ ମା ମାନଙ୍କୁ ବାଡ଼ଉ ନାହାନ୍ତି l 

ବୋଉ କହିଲା ସାଙ୍ଗ ମାନେ ଘର କଥା ଲୁଚାଉଛନ୍ତି l ସବୁ ଘରେ ଏମିତି ହୁଏ l ଏଥିରେ ନୂଆ କଥା ନାହିଁ l ସୁତା ମାଜିଲେ ସରୁ, କଥା ମାଜିଲେ ମୋଟା l

ମାମୁନି ଭାବେ ବାପା ମାନଙ୍କ ଭାବ ମୂର୍ତ୍ତିକୁ ବଜାୟ ରଖିବାକୁ ତା ସାଙ୍ଗ ମାନେ ମିଛ କହୁଚନ୍ତି l ହେଲେ ବୋଉ କହେ ସତ କହିଲେ ମାର ସମ୍ମାନ ହାନି ହେବ ଯେ l ଘରର ସ୍ତ୍ରୀ ଲୋକ ପାଇଁ ତାହା ଅପମାନ ଜନକ l ତେଣୁ ମା ମାନେ ମାଡ ଖାଇଲେ ବି ଘର କଥା ବାହାରେ କୁହାଯାଏନା l 

ନିଜ ଘରେ କେତେ ବାଡିଆ ପିଟା ହେଲେବି ପର ଘରେ ସେସବୁ ଦେଖିଲେ ମୂର୍ଖ, ଅଭଦ୍ର, ଅସଭ୍ୟ ଆଦିର ଉପାଧି ତାକୁ ଦିଆଯାଏ l

ମାମୁନି ବି ଏ ପାସ କରି ସାରି ଘରେ ବସିଛି l ଭାଇ ବ୍ୟାଙ୍କ ପିଓ ପାଇ ସେଇ ସହରରେ ପୋଷ୍ଟିଙ୍ଗ ହେଲାଣି l ଏବେ ଭାଇ ପାଇଁ କନ୍ୟା ଖୋଜା ଚାଲିଛି l 

ଭାଇ ତା ବ୍ୟାଙ୍କର ସହକର୍ମିଣୀ ସିଲାକୁ ପସନ୍ଦ କରିଛି l ମାମୁନି ବି ସେଇ ଝିଅକୁ ପସନ୍ଦ କରି ସାରିଲାଣି l ଝିଅଟି ଦେଖିବାକୁ ସୁନ୍ଦର ଶାନ୍ତ ପ୍ରକୃତିର l 

ଯଥା ସମୟରେ ସୁରୁଖୁରୁରେ ବାହାଘର ହୋଇ ଗଲା l ସମସ୍ତେ ତା ଭାଇ ଭାଉଜକୁ ଶୁଆ ସାରି ଯୋଡି କହିଲା ବେଳେ ମାମୁନିର ଖୁସି କାହିଁରେ କଣ l 

ବିବାହର ମାସେ ଖଣ୍ଡେ ହେବ l ସେଦିନ ଭାଇ ଭାଉଜ ଦୁହେଁ ବୁଲିବାକୁ ବାହାରୁଥିଲେ l ସିଲା ଟିକେ ଗାଢ଼ ରଙ୍ଗର ଲିପସ୍ଟିକ ଭଲପାଏ l ଭାଇକୁ ସ୍ତ୍ରୀର ଏତେ ସଜବାଜ ଇଚ୍ଛା ନାହିଁ l ହେଲେ ସିଲା ନୂଆ ବାହା ହୋଇଛି କଣ ସନ୍ୟାସିନୀ ବେଶରେ ବାହାରକୁ ବାହାରିବ? 

ଭାଇର ମନା କରିବା ସତ୍ୱେ ସେ ମାନି ନଥିଲା l ତେଣୁ ଭାଇ କିଛି ନଭାବି ନଚିନ୍ତି ସିଲାକୁ ହାତ ଉଠାଇ ଦେଲା l 

ଅଥଚ ଦେଖ ତା ପରେ ସିଲା ଲିପଷ୍ଟିକ୍ ପୋଛି ସଜଡା ସଜଡ଼ି ହୋଇ ଭାଇ ସାଙ୍ଗେ ବାହାରିଗଲା ବାହାରକୁ ଯେମିତି କିଛି ହୋଇନାହିଁ l ବାହାରକୁ ସବୁ ସୁଖୀ ସଜଡା ଜୀବନ l 

ମାମୁନି ଚିନ୍ତା କରିକୁଳ କିନାରା ପାଏନା l 

ଏମିତି ଭାବେ କେତେ ବୋଉ କେତେ ସିଲା ମାନେ କେତେ କେତେ ମାଡ ଗାଳି ହଜମ କରି, ପୋଖତ ଅଭିନେତ୍ରୀ ଭଳି ବାହାରେ କିଛି ନ ହୋଇଥିବାର ଦେଖାଇଥାନ୍ତି l ନହେଲେ ତ ଦୁନିଆର ନବେ ପ୍ରତିଶତ ଘର ସଂସାର ଭାଙ୍ଗି ଯାଇ ଥାଆନ୍ତା l

କପାଳ ରେ ଥିଲା କିମ୍ବା ସବୁ ଘରର ଏକା କାହାଣୀ ବୋଲି କହି ନିଜକୁ ନିଜେ ବୁଝାଇ ଦିଅନ୍ତି l ଖାଦ୍ୟ ହୁଏତ ହଜମ ନ ହୋଇ ପାରେ ମାତ୍ର ଦୁଃଖ ଯାତନା ପୀଡା ଶୀଘ୍ର ହଜମ ହୋଇଯାଏ l

ମାମୁନିର ମୁଣ୍ଡ ଘୁରେଇ ଦେଇଥିଲା ସେଦିନ l ଭାଇ ତ ପସନ୍ଦ କରି ବାହା ହେଇଛି ନା ! ଲଭ ମ୍ୟାରେଜରେ ବି ସେଇ ଏକା କଥା l ରାତି ନ ଟା ପର୍ଯ୍ୟନ୍ତ ସପିଙ୍ଗ କରି ଦୁଇ ଜଣ ଯାକ ହସି ହସି ଘରକୁ ଫେରିଲେ l 

ଭାଉଜ ଆସିବା ପରେ ବାପା ବୋହୁ ଆଗରେ ଏବେ ବୋଉକୁ ଆଉ ହାତ ଉଠାଉ ନାହାନ୍ତି l କଥା କଥାରେ ସବୁ ସମାଧାନ ହୋଇ ଯାଉଛି l 

ସେ ଦୃଷ୍ଟିରୁ ମାମୁନି ସିଲା ପାଖରେ ଋଣୀ l 

ଏହାର ବର୍ଷେ ପରେ ମାମୁନିର ବାହାଘର ଶଶାଙ୍କଙ୍କ ସହିତ ହୋଇ ଯାଇଥିଲା l ଶଶାଙ୍କଙ୍କ ପରିବାର ଉଚ୍ଚ ଶିକ୍ଷିତ l ଶଶାଙ୍କ ଜଣେ ଉଚ୍ଚ ପଦସ୍ଥ ଅଫିସର l ଅଲଗା ପରିବାର ଚଳଣି ବି ଅଲଗା l 

ତେଣୁ ମାମୁନି ଭାବିଲା ଇତିହାସର ପୁନରାବୃତ୍ତି ନ ହୋଇପାରେ l ହେଲେ ଇତିହାସ କେଉଁଠି କେଉଁଭଳି ପୁନର୍ବାର ଦୋହରାଏ ତାହା କେହି ବି ଜାଣନ୍ତି ନାହିଁ l

ସେଦିନ ଶଶାଙ୍କ ଅଫିସରୁ ଫେରିଲା ବେଳେ ବହୁତ ଡେରି ହୋଇ ଯାଇଥିଲା l ମାମୁନି ଜଗି ବସିଥିଲା ଦୁଇ ଜଣ ସିନେମା ଦେଖି ଯାଇଥାନ୍ତେ l ଫେରିଲା ବେଳେ ହୋଟେଲରେ ଖାଇବା, ସବୁ ଯୋଜନା ପଣ୍ଡ ହୋଇଗଲା l 

ମାମୁନି ଝଗଡା ଆରମ୍ଭ କରି ଦେଲା l ନବବିବାହିତା ସ୍ତ୍ରୀକୁ ଯିଏ ଖୁସିରେ ରଖି ପାରୁନି ସେ ଭବିଷ୍ୟତରେ କି ସୁଖ ତାକୁ ଦେବ l 

ପ୍ରବଳ ଯୁକ୍ତି ତର୍କ ଚାଲି ଥିଲା l ମାମୁନି ଚୁପ ରହିବା ଅବସ୍ଥାରେ ନଥିଲା l ବାରମ୍ବାର ଶଶାଙ୍କ କହିଲା ପରେ ବି ଦୀପ ତେଜିଲା ଭଳି କଥା ବଢି ଚାଲୁ ଥିଲା l 

 ଯୁକ୍ତି ତର୍କ ଛଳରେ ଶଶାଙ୍କ ମଧ୍ୟ ମାମୁନି ଉପରକୁ ହାତ ଉଠାଉ ଉଠାଉ ନିଜକୁ ଅଟକାଇ ଦେଇଥିଲେ l ଅବଶ୍ୟ ମାମୁନିର ବି ଭୁଲ ଥିଲା l ସେ ହିଁ ପ୍ରଥମେ ନିୟନ୍ତ୍ରଣ ହରାଇ ପାଟି ତୁଣ୍ଡ କରିଥିଲା l ଶଶାଙ୍କଙ୍କ ସାମାନ୍ୟ ତ୍ରୁଟିର ବାହାନାରେ ମାମୁନି ତାଙ୍କୁ ଛାଡି ଦେଇ ବାପ ଘରକୁ ଚାଲି ଆସିଲା l

ବାପାଙ୍କ ଆଗରେ ସବୁ କାହାଣୀ କହି ମାମୁନି ସକାଳୁ ଲୁହ ଗଡାଉଛି l ଇତି ମଧ୍ୟରେ ଶଶାଙ୍କ ଫୋନରେ ଦି ଦି ଥର ଭୁଲ ବି ମାଗି ସାରିଲେଣି l ବୋଉ କହୁଛି ଫେରି ଯିବାପାଇଁ l ହେଲେ ବାପାଙ୍କର ଏ କି ରୂପ? 

--ମୋ ଝିଅ କୌଣସି ପରିସ୍ଥିତି ରେ ଶଶାଙ୍କ ପାଖକୁ ଫେରିବ ନାହିଁ l ସେ ତାଙ୍କ ଘରର କୌଣସି ବସ୍ତୁ ନୁହେଁ l ସେ ହେଉଛି ତାଙ୍କ ଘରର ବୋହୁ ଏବଂ ଶଶାଙ୍କର ପତ୍ନୀ l କାଲି ସେ ତାର ସନ୍ତାନର ମା ମଧ୍ୟ ହେବ l 

--ଏତେ ଅସମ୍ମାନ କିଭଳି କରି ପାରୁଛନ୍ତି ସେମାନେ ? କେଡେ ସାହସ ତାର l ମୋ ଝିଅକୁ ଛୁଇଁ ପାରିଲା? ସେ ଆସୁ ଏଠିକି ତାକୁ ମଜା ଚଖାଇବି l ଏମିତି ପାନେ ଦେବି ଯେ ସାତ ଜନ୍ମ ରେ ସେ ସ୍ତ୍ରୀକୁ ହାତ ଉଠାଇବା ତ ଦୂରର କଥା ମୁଣ୍ଡ ଉଠାଇ ବି ଚାହିଁ ପାରିବନି l

ଘରେ ସମସ୍ତେ ସ୍ତବ୍ଧ l ବାପାଙ୍କ ମୁହଁରେ ଏଭଳି କଥା? ଆହୁରି ଭାଇ ମଧ୍ୟ ତାଙ୍କଠୁ ବଳି l ସେ କହିଲା 

--ଆମେ ଚାହିଁଲେ ଆମ ଭଉଣୀକୁ ତାଙ୍କଠୁଁ ଶହେ ଗୁଣା ଭଲ ପାତ୍ର ଦେଖି ଦ୍ଵିତୀୟ ବିବାହ ମଧ୍ୟ କରାଇ ପାରିବୁ l କଣ ଭାବୁଛନ୍ତି ସେ ଆମକୁ l ମୋ ଭଉଣୀ କଣ ଯାହିତାହି ଲୋକ ଯେ ସେ ମନ ଇଚ୍ଛା ମାଡ ଗାଳି କରି ପାରିବ? ମୋ ଭଉଣୀକୁ ଟିପ ମାରି ଦେଖୁ ତା ର କି ଅବସ୍ଥା କରିବି l ଏମିତି ତାଙ୍କର ଶିକ୍ଷା ଦୀକ୍ଷା? 

ମାମୁନି କିଛି ବି କହି ପାରୁନି l ମାମୁନି ଆଗରେ ଦୃଶ୍ୟପଟ୍ଟ ବଦଳି ଯାଉଛି l

ଯେଉଁ ମାନେ ସ୍ତ୍ରୀ ମାନଙ୍କ ଉପରେ ପୌରୁଷତ୍ୱ ଦେଖାଇ ମାଡ ଦେଇ ବାହାଦୁରି ମାରନ୍ତି ସେମାନେ ପୁଣି ନିଜର ଭଉଣୀ ଓ ଝିଅ ପ୍ରତି ସେମିତି ବ୍ୟବହାର ହେଲେ ଅନ୍ୟାୟ କହି ସ୍ୱର ଉତ୍ତୋଳନ କରନ୍ତି l 

ଏଇ ଲୋକ ମାନେ ଯଦି ଆଗରୁ ଚେତି ଯାଆନ୍ତେ ଘରର ସ୍ତ୍ରୀ ଲୋକ ମାନଙ୍କୁ ସର୍ବ ସୁଖୀ ବୋଲି ଅଭିନୟ କରିବାକୁ ପଡନ୍ତା ନାହିଁ କିମ୍ବା ଝିଅ ମାନେ ମାକୁ ଦେଖି ନିରବ ଦର୍ଶକ ସାଜି ନିଜ ନିଜର ଅନାଗତ ଦୁର୍ଦ୍ଦଶା ଥରହର ହୋଇ ପ୍ରସ୍ତୁତ ହୁଅନ୍ତେ ନାହିଁ l

ମାମୁନି ତା ଭବିଷ୍ୟତ କର୍ତବ୍ୟ ସ୍ଥିର କରି ଫେରି ଯାଇ ଥିଲା ପୁଣି ଶଶାଙ୍କଙ୍କ ନୀଡକୁ l


Rate this content
Log in