Tikeshwar Sahu

Children Stories

3  

Tikeshwar Sahu

Children Stories

ପ୍ରିୟ ପରୀ ଚରିତ୍ର

ପ୍ରିୟ ପରୀ ଚରିତ୍ର

3 mins
180


  ସନ୍ଧ୍ୟା ନଇଁ ଆସିଲା | ଆକାଶରେ ତାରାମାନେ ଆଖି ତରାଟି ମାରିଲେଣି | ଚାହୁଁ ଚାହୁଁ ଜହ୍ନ ସ୍ବଚ୍ଚ ନିର୍ମଳ ମୁହଁ ଖୋଲି ହସି ହସି ଚାଲିଆସିଲେ | କଅଁଳ ଥଣ୍ଡା ପବନକୁ ଝୁମି ଝୁମି ମୁହଁ ଦେଖାଇଲେ ସରୋବର କଇଁ ସମୂହ | ଖିଲି ଖିଲି ହସରେ ଚାରି ଆଡ଼ ଫାଟି ପଡ଼ୁଥିଏ | ଖୁସି ଆଉ ଖୁସି | ଖୁସିରେ ବିଭୋର ହୋଇ ଗଛଲତା ,ନଈ ଝରଣା , ପବନ, ଆକାଶ, ଜହ୍ନତାରା ଇତ୍ଯାଦି ସମସ୍ତେ ଗୀତ ଗାଇ ଝୁମିଲେ | ଆକାଶରୁ ପରୀମାନେ ଓହ୍ଲାଇ ଆସିଲେ | ଧରା ଭୂମି ଆଲୋକିତ ହୋଇଉଠିଲା | ଚିକ୍ ମିକ୍ ପୋଷାକରେ ସେମାନେ ଖୁବ୍ ସୁନ୍ଦର ଦେଖାଯାଉଥାନ୍ତି |ହାତେରେ ଥାଏ ମ୍ୟାଜିକ୍ ବାଡ଼ି | ଖୁସି ସହିତ ଭେଟ ହୋଇଗଲା | ପରୀମାନେ ଖୁସିକୁ ଘେରିଗଲେ | ଅଜଣା ମହକରେ ମହକି ଗଲା ପରିବେଶ | ସପ୍ତରଙ୍ଗ ବୋଳିହେଲା ବୃକ୍ଷଲତାର ପତ୍ରଗହଳରେ |ଖୁସି ଆଖିରେ ପରୀମାନଙ୍କର ସ୍ବପ୍ନ ବୋଳିହେଲା | ସବୁ ଖାଲି ରଙ୍ଗିନ ଦେଖାଗଲା | ପରୀମାନେ ଖୁସି ଚାରିପଟେ ନାଚିଲେ | ଖୁସି ବି ନାଚିଲା | ଦେଖୁ ଦେଖୁ ଖୁସିର ଦୁନିଆଁ ଅଲଗା ଜଣାପଡ଼ିଲା|       ଆଗରେ ବିସ୍ତିର୍ଣ୍ଣ ପଡ଼ିଆ | ପରୀମାନେ ଖୁସିକୁ ସେଠାକୁ ନେଇଗଲେ | ଖୁସିର ହସ ଦୂରେଇଗଲା | ଦେଖିଲା ସେଠାରେ ଗଛପତ୍ର କିଛି ବି ନାହିଁ | ନଦୀ କି ଝରଣା ନାହିଁ | ଦେଖାଗଲାନି ଆକାଶର ଚାନ୍ଦ | ସବୁ ଖାଁ ଖାଁ ଲାଗିଲା | ମନ ସେଇଠି ଭାଙ୍ଗିଗଲା | କ'ଣ ହେଇଗଲା ଏ ଦୁନିଆଁକୁ ! ପରୀମାନେ କହିଲେ ,ଆସନ୍ତା ସମୟକୁ ଏହି ହେବ ତୁମ ପୃଥିବୀ | ଲୋକମାନେ ପରିବେଶର ଯତ୍ନ ନେଉନାହାନ୍ତି | ଅନାୟାସରେ ଗଛ କାଟି ପଦା କରିଦେଉଛନ୍ତି | ବଣର ଜୀବଜନ୍ତୁମାନେ ଖାଦ୍ୟ ନପାଇ ଗାଆଁ ବା ସହର ମୁହାଁ ହେଉଛନ୍ତି | ମଣିଷ ଓ ପଶୁ ମଧ୍ୟରେ ଲଢ଼େଇ ହେଉଛି | କେତେବେଳେ ମଣିଷ ତ କେତେବେଳେ ପଶୁମାନେ ବଳିପଡ଼ୁଛନ୍ତି | ଘୋର ଦୁର୍ଦ୍ଦିନ ମାଡ଼ିଆସୁଛି | ଆହୁରି ଅସୁବିଧାର ସମ୍ମୁଖିନ ଏ ସଂସାର | ସମୟ ଆସିବ ଅମ୍ଳଜାନ ନପାଇ ମଣିଷ ଅଣନିଃଶ୍ବାସୀ ମରିବାକୁ ବାଧ୍ୟ ହେବ | ଖୁସି ଏସବୁ ଶୁଣି ଯେତିକି ଚକିତ ହେଲା ସେତିକି ଭୟଭିତ ହେଲା | ପଚାରୁ ପଚାରୁ ପଚାରି ଦେଲା, ତାହେଲେ ଆମ ପୃଥିବୀ ସତରେ ଧ୍ବଂସ ହୋଇଯିବ ? କିଛି କ'ଣ ଉପାୟ ନାହିଁ ? ସାନ ପରୀ କହିଲା, ଅଛି ,ଉପାୟ ଅଛି | ସବୁ ମଣିଷ ସଚେତନ ହେବା ଆବଶ୍ୟକ | ପରିବେଶର ବୃକ୍ଷଲତା ନ କାଟି ତାକୁ ସୁରକ୍ଷା ଦେବି ଦରକାର | ଖଣିଖାଦାନ ଖୋଳିବା ନିମନ୍ତେ ପରିବେଶର ଅଧିକ କ୍ଷତି ନକରିବା ଦରକାର | ନଦୀନାଳ ଝରଣା ଜଳକୁ ପ୍ରଦୂଷିତ ନକରିବା ଦରକାର | ସର୍ବାଦୌ ସାରା ପୃଥିବୀର ପରିବେଶକୁ ସମଗ୍ର ପୃଥିବୀର ଲୋକେ ପ୍ରଥମେ ସୁରକ୍ଷା ଦେବା ଦରକାର | ପଡ଼ିଆ ପତିତ ଜମିରେ ଜମିରେ ଗଛ ଲଗାଇବା ଦରକାର |  ଖୁସି ମନରେ ଅନେକ ପ୍ରଶ୍ନ | ପରୀମାନେ ଖୁସି ମନ କଥା ବୁଝିପାରିଲେ | ଖୁସି ହାତରେ ମ୍ୟାଜିକ୍ ଛଡ଼ି ଧରାଇଦେଲେ | ବଡ଼ ପରୀ କହିଲା, ସେହି ମ୍ୟାଜିକ୍ ଛଡ଼ିକୁ ମୁଣ୍ତ ଉପରେ ଦୁଇଥର ବୁଲାଇ ଆଖି ବନ୍ଦ କରି ଆଗକୁ ବଢ଼େଇଦିଅ | ଖୁସି ତାହାହିଁ କଲା | ଆଖି ଖୋଜିଲା ବେଳକୁ ଦେଖିଲା ,ନୂଆ ନୂଆ ଚାରା ଗଛ ପତ୍ର ମେଲେଇ ଛନଛନିଆଁ ହୋଇ ବଢ଼ି ଆସୁଛନ୍ତି | ହାତ ଠାରି କହୁଛନ୍ତି , ଖୁସି ଆସ ,ଆମ କୋଳକୁ ଆସ | ତୁମକୁ ଆମେ ଏକ ନୂଆ ଜୀବନ ଦେବୁ | ତୁମେ ହେବ ଆମ ସମସ୍ତଙ୍କର ନୂତନ ଖୁସି ଗଛ ପରୀ | ପରୀମାନେ ଖୁସିକୁ ଆଶୀର୍ବାଦ କଲେ | ସକାଳ ହେଲା ବେଳକୁ ଖୁସି ତା ଶଯ୍ୟାରେ ଶୋଇଥିଲା | ଆଖି ମଳି ଉଠିଲା ବେଳକୁ ସବୁ ମନେ ପଡ଼ିଗଲା | ସେହି ଦିନଠୁଁ ଖୁସି ପରିବେଶ ସୁରକ୍ଷା ଦିଗରେ ମନ ଦେଲା | ସମସ୍ତଙ୍କୁ ବୃକ୍ଷର ଉପକାରିତା ବୁଝାଇଲା | ଛୋଟ ଝିଅ ଖୁସିର ଏତାଦୃଶ ଆଚରଣ ଦେଖି ସମସ୍ତେ ଖୁସି ହେବା ସହିତ ଆଶ୍ଚର୍ଯ୍ଯ ହେଲେ | ତା କଥାରେ ବହୁତ ଲୋକ ପ୍ରଭାବିତ ହେଲେ | ଫଳବଗିଚା ସହ ଅନ୍ୟାନ୍ୟ ବୃକ୍ଷଲତା ଲଗାଇବାକୁ ଆରମ୍ଭ କଲେ | ଦିନକୁ ଦିନ ପରିବେଶ ସୁରକ୍ଷା ଖବର ସମସ୍ତଙ୍କ କାନରେ ବାଜିଲା | ସମସ୍ତେ କହିଲେ , ଖୁସି ଗଛ ପରୀର ଲକ୍ଷ୍ଯ ନିଶ୍ଚୟ ସାର୍ଥକ ହେବ | ଏ ଦୁନିଆଁ ବିପଦରୁ ମୁକ୍ତ ହେବ | ପରୀମାନେ ଖୁସିର ଅଲକ୍ଷ୍ଯରେ ଥାଇ ସବୁବେଳେ ଖୁସିକୁ ଶକ୍ତି,ସାମର୍ଥ୍ଯ ତଥା ସହଯୋଗ କଲେ |ସମସ୍ତେ ଖୁସି ପରୀର ଜୟ ଜୟ କଲେ |    


Rate this content
Log in