pratap nayak

Others

3  

pratap nayak

Others

ପରିପକ୍ୱ ପରିବାର

ପରିପକ୍ୱ ପରିବାର

2 mins
7.3K


ଆସୁରିକ ଭାବନାରେ ମହୁଆ ଏ ସଂଜ ବେଳ ଅବୋଧ ଶିଶୁ ପରି କରେ ଅଝଟ ପିଇବାକୁ ବୋତଲରୁ ପାଣି ।ଗ୍ରହଣର ଗହଳିଆ ରାତି ସେଜରେ ଖୁଁ ଖୁଁ ଆଜମା ରୋଗୀ ବାପ, ବୟସର ସାୟାହ୍ନରେ ପଡିଛି ଭିଁ କାମୁଡି ।ପୁଳାଏ ମାଉଁସ ନଥିବା ଚମ ଧୁଡୁରା ବୁଢୀ ଢିଂକିନାଞ୍ଜିରେ ନେଇଛି ଆଶ୍ରୟ ।ଅଭାବରେ ରବେଇ ଖବେଇ ହୁଏ ତାରୁଣ୍ୟରେ ଜଡସଡ ଦିଇଟା ଛୁଆର ମା।

ରିମଝିମ ଶ୍ରାବଣ ଲିଭାଉଛି ଉଦଣ୍ଡି ଚୁଲିକି ଅରଗଳି ଚାଳ, ପଚା ନଡାର ସଂଧିରୁ । ପିଠିରେ ମିଶିଛି ପେଟ ଚମଡା ଛାଉଣି ଛାତି କଅଁଳ ହାଡରେ ଧକୋଉଛି ଗୋଟା ମା'ର ଅଣ୍ଟିରେ,ଆରଟା ସକେଇ ହୁଏ ଖାଇ ମାଡ ଗାଳି ସଅଳିଆ ପାଣି କାଚ ଭାଂଗିଛି ତା'ରି ପିଠିରେ।

ସମ୍ବେଦନ ହୀନ ମଣିଷଟା ଝୁଲି ଝୁଲି ଆସେ ପିଇ ତଣ୍ଟିଯାଏ,ସୁଝେଇବ ସବୁ ରାଗ ,ସବୁ ନିଶା ଉଜୁଡିବ ତାରି ପିଠିରେ ।

ଡରେ ଖୁଁ ଖୁଁ ବନ୍ଦ ହେଇଯିବ କିଛି କ୍ଷଣ ପାଇଁ,ରହିରହି ବୁଢୀ ଆଉ ଡାକ ମାରିବନି ଢିଂକିଶାଳୁ ପୁଅ ଆସିଲାକି ନାଇଁ।

ମା ମାଡଖାଇ କାନ୍ଦୁଥିବା ବଡପୁଅ ଶୋଇଯାଇଥିବ ଓପାସ ପେଟରେ ।ଅଣ୍ଟିର ଝିଅଟା ରା.. ଧରିବ କାଳେ ମା ମାଡରୁ କିଛି ସିଏ ନେଲା ବୋଲି..........।

ଭକ ଭକ ବାନ୍ତିରେ ଗନ୍ଧେଇବ ଘର ।ଦୁମଦାମ୍ ଭୁଷଭାଷ୍ ବନ୍ଦ ହେଇଯିବ ।ସାଇପଡିଶା ଅନିଶା କରିଥିବେ ଯେଝା ଯେଝା ଘରୁ। ଲିପା ପୋଛାରେ ଗନ୍ଧ ଦୁରହେବ ।ବୁଢା ବୁଢୀକି ଉଠେଇକି ଖୋଇବ ଚୁଡା ପୁରୁଣା ଡବାରୁ......।ବଡପୁଅ ନିଦରୁ ଜମା ଉଠିବନି ।ଛାତି ଝୁଣି ଝୁଣି ଶୋଇଯିବ ଝିଅ ଶୁଖିଲା ଓଠରେ.......।

ଅଧ ରାତିରେ ନିଶା ଖସିବ,ଦେହରୁ ମଦ ମରି ଯାଇଥିବ । ଆସକାତିଆ ଛାଡିଥିବ ମନରୁ ।କେତେ ଗେହ୍ଲେଇ ହେବ ।ଅନ୍ଧାରରେ ଉଣ୍ଡାଳି ପକେଇବ ଦେହ ହାତ ଗୋଡ ।ମନାକଲେ ସାକୁଲେଇ ହେବ । ଭୁଲ ମାଗି ଚାଲିଥିବ......।ଆର ପଟୁ ପୁଣି ଶୁଭିବ ଖୁଁ ଖୁଁ କାଶ ।ସଂଜତ ହେବ ମନ ,ସଂଜତ ହେବ ଆକାଶ.....।

କାରୁଣ୍ୟର ବର୍ଣ୍ଣାଳିରେ ଫୁଟିବ ଗୋଲାପ ।ବିଂଚି ହେଇଯିବ ସୁଗନ୍ଧ ଘରସାରା ।ବାସ ଚହଟିବ ମଧୁମାଳତିର ।ରିମଝିମ୍ ବରଷୁଥିବ ବର୍ଷା ଘରସାରା ତାଟିଆ କଂସାରେ.......।ଓଡିଶୀ ଗାଉଥିବ ମଧୁର ପବନ......।ଆହୁରି ଆହୁରି ନିଶା ଗରଜୁଥିବ ସେଇ ମଝି ଖୁଣ୍ଟ ଉପରେ ।ରଡନିଆଁ ଘର ସାରା ଦୋଳି ଖେଳୁଥିବ ।ତର ନଥିବ ଝାଳ ପୋଛିବାକୁ ।ସରମରେ ପୋତି ହେଇ ଯାଉଥିବ ମୁଣ୍ଡ ବାଳ ଅନ୍ଧାରୁଆ ଛାତିରେ.....।

ବିବସ ହେଉଥିବ ବିବସନା ।ଗୋଟେଇ ହେଇଥିବା ବିଛଣା ଚଦରୁ ଚିପୁଡିଥିବ ପାଣି ।ବାଘ ଆରପଟକୁ ମୁହଁ ମୋଡି ଶୋଇଯିବ ।ଉଣ୍ଡାଳି ପକେଇବ ପୁଅକୁ ଝିଅକୁ ।ମନସ୍ଥିର କରିନବ ।କାଲି ପୁଣି କାହାର ମୂଲ ଲାଗିଯିବ।

ଭରା ଆକାଶରେ ମେଘର ତାଣ୍ଡବ,ତଳେ ପାଣି ଉପରେ ବି ପାଣି ।ରୁଆ ପୋତା ବେଳ ।ପଖିଆରେ ସରିଯିବ ପୁଣି ଏକ ଦିନ ।ପୁଣି ଆସିବ ଆଉ ଏକ ମହୁଆ ସଂଜବେଳ ।ବଖିରେଇବ ତା ଆତ୍ମା।

ଜୁଝିବ ରୋଗକୁ ବୁଢାର,

ଜୁଝିବ ମା ମନ କଥା,

ଜୁଝିବ ହାଡୁଆ ପୁଅର ପେଟ,

ଓଟାରୁ ଥିବା ଛାତିରୁ ରକ୍ତ ସେ ଟିକି ଝିଅଟା ଯୁଝିବ।

ବରଷା ଡେଉଁଥିବ ତାଟିଆ କଂସାରେ ।ରଂଜାରୁ ପାଣି ଗଡୁଥିବ ଛଞ୍ଚିଣା ଡେମ୍ଫରୁ ପିଠି ବାଟେ ମାଡ ଖାଇ ଦୁଇ ଆଖି ଦେଇ......।

ଚୁପି ଚୁପି ମଦୁଆର କଥା, ହେଉଥିବେ ପଡୋଶୀ......।

ପୁଣି କାନରେ ବାଜି ଯାଉଥିବ ଗୋସେଇଁଆ କଥା ।କାଲିଠାରୁ ଆଉ ପିଇବନି,ବିଲକୁ ଯିବ ତା ସହିତ ।ସବୁ ବଦଳିଯିବ ଏକା ଦିନେ......।ଭଂଗା ଚାଳିଆଟା ରାତାରାତି ନଅର ବନିଯିବ...।ଦୁଃଖ ଚାଲିଯବ ।ସୁଖର ସୁରୁଜ ଉଇଁବ.....।

ସେ କିନ୍ତୁ ଯାଣିଛି ପ୍ରକାଶ୍ୟ ତାରୁଣ୍ୟ ବାଉଳି ହଉଛି କିଛି କ୍ଷଣ ପାଇଁ କଦମ୍ବ ମାଳରେ,କିଛି କ୍ଷଣ ପାଇଁ ହନୁ ସତ କହୁଛି ଉତୁରି ଥିବା ନିଶାରୁ ।ଚିର ପରିଚିତ ହେଇ ଗଲାଣି ସିଏ ।

କାରଣ ଇଏ ସବୁ ସତସତିକା ମିଛ କଥା ତା' ପାଇଁ ପରା....


Rate this content
Log in