ପ୍ରିମିୟମ୍
ପ୍ରିମିୟମ୍


- ହଇ ହେ ମୁଁ ତମକୁ କହୁନଥିଲି... ତମେ ଆକା, ମୋ କଥାକୁ କେବେ କାନ ଦେଇନ। ତମକୁ ସବୁବେଳେ ଲାଗୁଛି ମୁଁ ଅତିରଞ୍ଜିତ କରି କହୁଛି। ଦେଖୁନ, ଦେଖ ତମ ଅଫିସର ଆଉ ଦୁଲାଳବାବୁ କେମିତି ହସାହସି ହୋଇ ଚାଲିଛନ୍ତି। ତମେ କହିଲ କଣ ନା ଅଫିସରଙ୍କ ସାଙ୍ଗରେ ଦୋସ୍ତି ଭଲ ନାହିଁ। କୋଉ କଥା କୁଆଡ଼େ ଯିବ। ଦୁଲାଳବାବୁଙ୍କ ଘରଣୀ ରାତି ପାହିଲେ ଗୋଟିଏ କଥା, ଆମ ବାବୁ ଆଉ ଅଫିସରଙ୍କ ଭିତରେ କ୍ଷୀର ନୀର ସମ୍ପର୍କ। ଏକ ମନ, ଏକ ଭାବନା। ତାଙ୍କ ପତିଆରା ଅଫିସରେ କଣ ଖାଲିଟାରେ ବଢ଼ୁଛି? ଯାଃ ତମକୁ କହି ଲାଭଟା କଣ ବା? ତମେ ମୋ କଥା କେବେ ଶୁଣିଛ ନା ଶୁଣିବ?
ଚକରା(ଚକ୍ରାସନ)ବାବୁ ପିଣ୍ଡାଟାରେ ବସି ଦାଢ଼ି କାଟୁଥିଲେ। ସୋଲିଚଣା(ସୁଲୋଚନା)ଦେବୀଙ୍କ ଅନର୍ଗଳ ଭାଷଣ ଶୁଣି ରାସ୍ତା ଆଡ଼କୁ କଣେଇ ଚାହିଁଲେ। ସେଇ ଗୋଟିଏ କଥା ଶୁଣି ଶୁଣି ଚକରାବାବୁଙ୍କର ମଧ୍ୟ ଧୀରେ ଧୀରେ ହୃଦବୋଧ ହେଉଥିଲା ଯେ ସେ ମସ୍ତବଡ଼ ଭୁଲ କରୁଛନ୍ତି ଅଫିସରଙ୍କ ସାଙ୍ଗ ମେଳ ଛାଡ଼ି। ଫଟାଫଟ୍ ଦାଢ଼ି କାଟି ଦେଇ ଅଫିସ୍.କୁ ବାହାରିଲେ। ଯିବା ପୂର୍ବରୁ ସୋଲିଚଣାଦେବୀଙ୍କୁ କହି ଦେଇଗଲେ ମାତ୍ର କିଛି ଦିନ ଅପେକ୍ଷା କରିଯିବାକୁ। ସେ ଥାଉ ଥାଉ ଦୁଲାଳବାବୁଙ୍କ ପତିଆରା ବଢ଼ିଯିବ ଏକଥା ସେ କଦାପି କରେଇ ଦେବେ ନାହିଁ। ମନେ ମନେ ଭାବିଲେ, କଣ କଲେ ସେ ଅଫିସରଙ୍କ ସୁଦୃଷ୍ଟିରେ ପଡ଼ିବେ। ନା, ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି।
ଅଫିସରେ ପହଞ୍ଚି ସୁବିଧା ଦେଖି ବଡ଼ବାବୁଙ୍କ କାନରେ କିଛି ଫୁସଫୁସ୍ କରି କହିଲେ। ଆଉ କିଛି ପଇସା ମଧ୍ୟ ଗୁଞ୍ଜିଦେଲେ ତାଙ୍କ ପକେଟରେ। ବାସ୍, ଏବେ ଦୁଲାଳବାବୁଙ୍କୁ ରଖିବ କିଏ? ଅଳ୍ପ ଦିନରେ ଜଣେ କ୍ଷେତ୍ର କର୍ମଚାରୀ ରିଟାୟର୍ ହେବା ଦେଖି, ଅଫିସ୍ ଆଟାଚଡ୍ ଦୁଲାଳବାବୁଙ୍କୁ ସାଙ୍ଗେ ସାଙ୍ଗେ ଖାଲି ସ୍ଥାନକୁ ବଦଳି କରି ଦିଆଗଲା। ଏବେ ଅଫିସର୍ ଚକରାବାବୁଙ୍କୁ ନ ଧରି ଉପାୟ ନାହିଁ। ଚକରାବାବୁ ଏବେ ଯେତିକି ଖୁସି, ସୋଲିଚଣାଦେବୀଙ୍କ ଛାତି ତା ଠାରୁ ଅଧିକ କୁଣ୍ଢେମୋଟ।
- ଚକରାବାବୁ, ଆହେ ଚକରାବାବୁ... ରବିବାର ଦିନ ସକାଳୁ ସକାଳୁ ଅଫିସରଙ୍କ ଡାକ ଶୁଣି ଚକରାବାବୁ ପିଣ୍ଡା ତଳକୁ ଓହ୍ଲାଇ ନମସ୍କାରଟିଏ ହେଲେ।
- କଣ କରୁଛନ୍ତି? ଚାଲନ୍ତୁ, ଚାହା ପିଇ ଆସିବା।
ଚକରାବାବୁଙ୍କ ମନଟା ଉଲ୍ଲସି ଉଠିଲା। ଅଫିସର ନିଜେ ଚାହା ପିଇବାକୁ ଡାକୁଛନ୍ତି, କମ୍ ଗର୍ବର କଥା କି? ସାର୍ଟଟା ଗଳେଇ ଦେଇ ଚକରାବାବୁ ବାହାରକୁ ଆସିଲେ।
- ଆରେ, ସାଙ୍ଗରେ ଦୁଇଟା ଖାଲି ବ୍ୟାଗ ଆଣନ୍ତୁ।
- ବ୍ୟାଗ୍, ବ୍ୟାଗ୍ କଣ ହେବ?
- ଆପଣ ଆଣନ୍ତୁନା।
ଚକରାବାବୁ ପୁଣି ଘର ଭିତରକୁ ପଶି ବ୍ୟାଗ୍ ଦୁଇଟା ଧରି ଆସିଲେ।
ଦୁହେଁ ମିଶି ଗୋଟିଏ ହୋଟେଲରେ ଚାହା ପିଇଲେ। ଅଫିସର ପର୍ସ ପାଇଁ ତାଙ୍କ ପଛ ପକେଟରେ ହାତ ମାରୁଥିଲେ। ଚକରାବାବୁ ମନା କଲେ, ମୁଁ ଦଉଛି ସାର୍। ଆପଣ କାହିଁକି ବ୍ୟସ୍ତ ହେଉଛନ୍ତି।
- ଠିକ୍ ଅଛି। ଆପଣ କୋଉଠି କାହାକୁ ଖର୍ଚ୍ଚ କରେଇଛନ୍ତି ଯେ।
ଦୁହେଁ ଚାଲିଲେ ଦୈନିକ ବଜାର ଆଡ଼େ। ଯାବତୀୟ ତଟକା ପରିବାପତ୍ର କିଣା ହେଲା ପରେ ମାଛ ପାଖରେ ଅଟକିଗଲେ ଅଫିସର। ଅବଶ୍ୟ ପରିବା ବାବଦକୁ ଖର୍ଚ୍ଚ ଅଶୀ ଟଙ୍କା ଅଫିସର୍ ନିଜେ ଦେଲେ।
- ଚକରାବାବୁ ଆପଣ ମାଛ ଖାଆନ୍ତି ତ?
- ହଁ, ସାର୍।
- ତାହେଲେ ବାଛି ବାଛି ଦୁଇଟା ବଡ଼ ମାଛ ଧରନ୍ତୁ। ରବିବାରଟା କଣ ଏମିତି ଫିକା ଯିବ କି?
- ନିହାତି ସାର୍।
- ଆରେ ମୁଁ ଭୁଲି ଯାଇଥିଲି, ମ୍ୟାଡାମ୍.ଙ୍କ ପାଇଁ ଔଷଧ ନେବାକୁ ହେବ। ଆପଣ କିଣା କିଣି ସାରି ଘରେ ପହଞ୍ଚନ୍ତୁ, ମୁଁ ଔଷଧ ନେଇ ପହଞ୍ଚୁଛି। ଆରେ, ହଁ ଓମ୍.ଫେଡ୍ ଦୋକାନରୁ ପନୀର ଟିକେ ନେଇ ଯାଇଥିବେ। ଅଫିସର୍ ଡଗ ଡଗ ହୋଇ ଚାଲିଗଲେ ସେଠାରୁ।
- କେତେ ହେଲା ମାଛ?
- ଆଜ୍ଞା ତିନିଶହ ଟଙ୍କା।
ଚକରାବାବୁ ପକେଟ ଅଣ୍ଡାଳି ଦେଖିଲେ ପଚାଶ ଟଙ୍କାର ନୋଟ୍.ଟିଏ ପଡ଼ିଛି। ସେ ବ୍ୟାଗ୍.ଟିକୁ ଥୋଇ ଦେଇ ଦୌଡ଼ିଗଲେ ଏ.ଟି.ମ୍ କାଉଣ୍ଟରକୁ।
ବ୍ୟାଗ୍ ଦୁଇଟିକୁ ବୋହି ବୋହି ଘରେ ଆସି ପହଞ୍ଚିଲା ବେଳକୁ ଅଫିସର୍ ଆହୁରି ଫେରି ନାହାନ୍ତି। ମ୍ୟାଡାମଙ୍କୁ ବ୍ୟାଗ୍ ଦୁଇଟି ବଢ଼େଇ ଦେଇ ଘରକୁ ଫେରିବାକୁ ଉଦ୍ୟତ ହେଲା ବେଳକୁ ମ୍ୟାଡାମ୍ ମାଛ ବ୍ୟାଗଟିକୁ ଚକରାବାବୁଙ୍କୁ ବଢ଼େଇ ଦେଇ କହିଲେ, ମୋର ଧର୍ମ ଭ୍ରଷ୍ଟ କରିବେ ନା କଣ? ଘରଣୀଙ୍କୁ ଦେଇ ଭଲ ଭାବରେ ରୋଷେଇ କରି ପଠେଇବେ। ଚକରାବାବୁ କିଛି ସମୟ ଆଁ କରି ଚାହିଁଲେ ମ୍ୟାଡାମଙ୍କ ଆଡ଼କୁ। ତାପରେ ବ୍ୟାଗ୍ ଧରି ଘରକୁ ଫେରିଲେ।
- ଚକରାବାବୁ!
- ସାର୍!
- କାଲି ଟିକେ ଭୁବନେଶ୍ୱର ଯିବାର ଥିଲା। ଗାଡ଼ି ଗୋଟେ ଠିକ୍ କରନ୍ତୁ ତ। ଏ ଶଳା ଗାଡ଼ିବାଲା ବେଶୀ ବେଶୀ କହୁଛନ୍ତି।
- କେତେ କହୁଛନ୍ତି ସାର୍?
- କଣ ଚାରିହଜାର ନେବି କହୁଛି। ବୁଝିଲ, ବୁଝିଲ। ତମେ ବୁଝିଲେ ଠିକ୍ ରେଟ୍ ବୁଝିବ।
- ବୁଝିଦେବି ସାର୍। ଏତେ କାହିଁକି ହେବ? ତିନିହଜାରରେ ହେଇଯିବ।
- ଦେଖିଲ, ମୁଁ ଖାଲିଟାରେ କଣ ଆପଣଙ୍କୁ ପ୍ରଶଂସା କରେ? ଯାହା କେହି କରିପାରିବେନି, ତା ପରା ଆପଣ କରି ଦେଖେଇବା ଲୋକ। ଚକରାବାବୁ ଖୁସି ହୋଇଗଲେ।
ଗାଡ଼ି ରେଟ୍ ବୁଝୁ ବୁଝୁ କେହି ମଧ୍ୟ ତିନି ହଜାରରେ ଯିବାକୁ ରାଜି ହେଲେ ନାହିଁ। ଚକରାବାବୁଙ୍କ ଇଜ୍ଜତର ପ୍ରଶ୍ନ। କଣ କରିବେ ଏବେ? ଗାଡ଼ିବାଲାକୁ କହିଲେ ଠିକ୍ ଅଛି, ହଜାର ଟଙ୍କା ଆଡ୍.ଭାନସ୍ ରଖ। ସାର୍ ପଚାରିଲେ ଭଡ଼ା ତିନି ହଜାର କହିବ, ହେଲା। ଗାଡ଼ିବାଲାର କଣ ଯାଏ ଆସେ, ତାର ଟଙ୍କା ଦରକାର। ସେ ଅଫିସର୍ ଦିଅନ୍ତୁ କି ଚକରାବାବୁ।
ଭୁବନେଶ୍ୱର ଯାଇ ଫେରିବାର ଦୁଇଦିନ ପରେ ଗାଡ଼ିବାଲା ଫୋନ୍ କଲା, ଆଜ୍ଞା, ଆଜି ଟିକେ ବକେୟା ତିନି ହଜାର ଟଙ୍କା ପୈଠ କରିଦିଅନ୍ତୁ। ଚକରାବାବୁ ଆକାଶରୁ ଖସିଲେ।
- କାହିଁ, ସାର୍ ଦେଇ ନାହାନ୍ତି କି?
- ନା, ମୁଁ ଆଉ ସାର୍.ଙ୍କୁ କେଉଁଠି ମାଗିଲି। ଆପଣ ଗାଡ଼ି ସ୍ଥିର କରିଛନ୍ତି, ମୁଁ ଆପଣଙ୍କୁ ମାଗିବି ନା?
ଚକରାବାବୁ କାନମୁଣ୍ଡା ଆଉଁସି ଆଉ ତିନି ହଜାର ଟଙ୍କା ଗାଡ଼ିବାଲାକୁ ପୈଠ କରି ଆସିଲେ।
କିଛି ଦିନ ଅନ୍ତେ ଚକରାବାବୁଙ୍କ ଅଫିସର୍ ତାଙ୍କ କ୍ୱାର୍ଟରକୁ ଡକେଇ ପଠେଇଲେ।
- ସାର୍ କିଛି କାମ ଥିଲା କି?
- କାମ? ଆରେ ନା ନା କାମ ଆପଣଙ୍କ ଦ୍ୱାରା କରେଇବି ନା କଣ? ଆପଣ ମୋର ଖାସ୍ ଲୋକ। ଆଗକୁ ଝିଅ ବାହାଘର। ସେଇଥିପାଇଁ ଆପଣଙ୍କୁ ଡାକିଲି। କେମିତି କଣ ସବୁ ବ୍ୟବସ୍ଥା କରିବା ଗୋଟେ ଫୁଲ୍ ପ୍ରୁଫ୍ ଆଇଡ଼ିଆ କରନ୍ତୁ। ମୋର ଏ ସବୁଥିରେ କିଛି ଧାରଣା ନାହିଁ। ଆପଣ ତ ଝିଅ ବାହାଘର କରି ସାରିଲେଣି। ପାଖରେ ଥାଇ ସାନ ଭାଇ ପରି ସବୁ ଦାୟିତ୍ୱ ନେବେ। ମୋ ପାଇଁ ଏତିକି କରିବେନି?
- ଉଁ, ମୁଁ କୋଉଠି ମନା କଲି କି ସାର୍। ଆପଣଙ୍କ ଝିଅ ଆଉ ମୋ ଝିଅ ନୁହଁ କି?
- ସେତିକି... ସେତିକି ଆପଣଙ୍କଠୁଁ ଆଶ୍ୱାସନା ଚାହୁଁଥିଲି। କାମ ଧାମ ପାଇଁ ବ୍ୟସ୍ତ ହେବେନି, ଆପଣ ଲୋକ ଲଗେଇ କରାନ୍ତୁ। ଖର୍ଚ୍ଚ ପାଇଁ ଡରିବେନି।
ବାହାଘର ପାଖେଇ ଆସିଲା। ଚକରାବାବୁ ଅଫିସରଙ୍କ ନିଜ ଲୋକ ପରି ସବୁ ଦାୟିତ୍ୱ ନେଇ ଝିଅ ବାହାଘର ତୁଲେଇଲେ। ଅଫିସର ମଝିରେ ମଝିରେ କହୁଥାନ୍ତି, ହିସାବ ରଖନ୍ତୁ ଚକରାବାବୁ। ଯାହାଠୁ ଯାହା ଆଣିଛନ୍ତି ସବୁ ବାହାଘର ବାସିଦିନ ପୈଠ କରିଦେବା।
ବାହାଘର ସରି ଛଅମାସ ବିତିଗଲା, କିଛି ପୈଠ ହେଲା, କିଛି ରହିଗଲା। ଏମିତି ଦେଖୁ ଦେଖୁ ଅଫିସର ବଦଳି ହୋଇ ଅନ୍ୟତ୍ର ଚାଲିଗଲେ।
ଆଜି ପର୍ଯ୍ୟନ୍ତ ଚକରାବାବୁ ଅଫିସରଙ୍କ ଝିଅ ବାହାଘରର ପ୍ରିମିୟମ୍ ଶୁଝି ଚାଲିଛନ୍ତି ଦରମା ଟଙ୍କାରୁ। ତେବେ ତା ପରଠାରୁ ଚକରାବାବୁଙ୍କ ଜୀବନରେ ଗୋଟିଏ ବିରାଟ ପରିବର୍ତ୍ତନ ଦେଖାଦେଇଛି। ତା ହେଲା, ଘରଣୀ ସୋଲିଚଣାଦେବୀଙ୍କ ସଦା ବକର ବକର ପାଟିରେ ତାଲା ଲାଗିଯାଇଛି।